Unknown

 

 

 

 

 

 

 

 

 

 

 

ଲଳିତ ଲବଙ୍ଗଲତା

ଡକ୍ଟର ବ୍ରଜମୋହନ ମହାନ୍ତି

 

 

 

 

 

 

 

 

 

 

 

 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଦ ତଳେ ଭକ୍ତି ଅର୍ଘ୍ୟ ଲଳିତ ଲବଙ୍ଗଲତା

 

ବ୍ରଜମୋହନ

 

ପ୍ରିୟ ପାଠକଙ୍କ ପାଇଁ–

 

୧.

ଓଡ଼ିଆ ଭାଷାରେ ଜୀବନୀ ମୂଳକ ଉପନ୍ୟାସ ରଚନା କ୍ଷେତ୍ରରେ ‘ଲଳିତ ଲବଙ୍ଗଲତା’ ସର୍ବପ୍ରଥମ ଉଦ୍ୟମ ।

 

 

୨.

ବିକ୍ରମ ଦେବ, ପାର୍ବତୀ, ମାଧବ ଦେବ, ଲକ୍ଷ୍ମୀଦେବୀ, ନାରାୟଣ ସାଧବ, ଭଦ୍ରାଦେବୀ, କୁମାରୀ ଚନ୍ଦ୍ରିକା, ମହାରାଣୀ ଅମ୍ବିକା ଏବଂ ଅନ୍ୟାନ୍ୟ ଗୌଣ ଚରିତ୍ରଗୁଡ଼ିକ ସମ୍ପୂର୍ଣ୍ଣ କାଳ୍ପନିକ ।

 

 

୩.

ଔପନ୍ୟାସିକ ସଂଘାତ ଦୃଷ୍ଟିରୁ ବିଭିନ୍ନ ସମୟର ଘଟଣାବଳୀକୁ ସମସାମୟିକ ଘଟଣା ଭାବରେ ଚିତ୍ରିତ କରାଯାଇଛି । ଉଦାହରଣ ସ୍ଵରୂପ ‘ଅଭିନବ ଗୀତଗୋବିନ୍ଦ’ ଶ୍ରୀ ଜୟଦେବଙ୍କ ସମସାମୟିକ ରଚନା ନୁହେଁ । ଏହା ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟର ରଚନା । କେତେକଙ୍କ ମତରେ ‘ଅଭିନବ ଗୀତଗୋବିନ୍ଦ’ ରଚନା କରିଥିଲେ ନିଜେ ମହାରାଜ ପୁରୁଷୋତ୍ତମ ଦେବ । କାରଣ ପୁସ୍ତକର ଭଣତିରେ ପୁରୁଷୋତ୍ତମ ଦେବଙ୍କ ନାମ ହିଁ ଭଣିତ ହୋଇଛି । ଯଥା ପୁରୁଷୋତ୍ତମଦେବ ଗଜପତି ମହାରାଜ କୃତେଽଭିନବଗୀତଗୋବିନ୍ଦ XXX । ଅନ୍ୟମାନଙ୍କ ମତାନୁସାରେ ଅଭିନବ ଗୀତଗୋବିନ୍ଦର ରଚୟିତା ଦିବାକର ମିଶ୍ର ।

 

 

୪.

ଶ୍ରୀ ଗୀତଗୋବିନ୍ଦର ଶେଷ ପଦକୁ ଗ୍ରହଣ କରି ‘ପରାଶର’ଙ୍କୁ ଶ୍ରୀ ଜୟଦେବଙ୍କ ବନ୍ଧୁ ଭାବେ ଚିତ୍ରିତ କରଯାଇଛି ।

 

 

 

ଯଥା–

 

 

 

“ଶ୍ରୀ ଭୋଜଦେବ ପ୍ରଭବସ୍ୟ ରମାଦେବୀ ସୁତ ଶ୍ରୀ ଜୟଦେବକସ୍ୟ

 

ପରାଶରାବି ପ୍ରିୟବନ୍ଧୁ କଣ୍ଠେ ଶ୍ରୀ ଗୀତଗୋବିନ୍ଦ କବିତ୍ଵମସ୍ତୁ ।”

 

 

୫.

ଶ୍ରୀ ଗୀତଗୋବିନ୍ଦର ମହାତ୍ମ୍ୟ ସମ୍ପର୍କୀୟ ଘଟଣାବଳୀ କାଳ୍ପନିକ ନୁହେଁ । ବିଭିନ୍ନ ସମୟରେ ପ୍ରଚଳିତ କିମ୍ବଦନ୍ତୀକୁ ଆଶ୍ରୟ କରି ଲିଖିତ ।

 

 

୬.

କେତେକ ସମାଲୋଚକଙ୍କ ମତରେ ଶ୍ରୀ ଜୟଦେବଙ୍କ ସମୟକୁ ଓଡ଼ିଆ ଭାଷା ସୃଷ୍ଟି ହୋଇନଥିଲା । ତେଣୁ ସେ ଓଡ଼ିଆ ଭାଷାରେ ସଙ୍ଗୀତ ରଚନା କରିଥିବା ପ୍ରସଙ୍ଗ ଅଯୌକ୍ତିକ । କିନ୍ତୁ ସେସମୟରେ କଥିତ ଓଡ଼ିଆ ଭାଷାର ସ୍ଵରୂପ କ’ଣ ଥିଲା ତାହା କହିହେବ ନାହିଁ । ତେଣୁ ଶ୍ରୀ ଜୟଦେବଙ୍କ ନାମରେ ଭଣିତ ଓଡ଼ିଆ ସଙ୍ଗୀତର ବାସ୍ତବିକ ରଚୟିତା କିଏ–ତାହା ନିର୍ଦ୍ଧାରଣ କରିବା ଗବେଷଣା ସାପେକ୍ଷ ।

 

 

୭.

ଶ୍ରୀ ଜୟଦେବଙ୍କୁ କେନ୍ଦ୍ର କରି ଉତ୍କଳ ଓ ବଙ୍ଗ ମଧ୍ୟରେ ଯେଉଁ ବିବାଦମାନ ପରିସ୍ଥିତି ସୃଷ୍ଟି ହୋଇଛି–ତାହାର ସମାଧାନ କରିବା ପାଇଁ ଚେଷ୍ଟା ହୋଇଛି ‘ଲଳିତ ଲବଙ୍ଗଲତା’ ଉପନ୍ୟାସରେ । ସମାଧାନର ସୂତ୍ର ମିଳିଛି ‘ଦାର୍ଢ଼୍ୟତା ଭକ୍ତି’ ପୁସ୍ତକରୁ ।

☆☆☆

 

ଉପନ୍ୟାସ ରଚନା ପାଇଁ ସହାୟକ ପୁସ୍ତକାବଳୀ–

 

ଶ୍ରୀ ଜୟଦେବ ଶ୍ରୀ ଗୀତଗୋବିନ୍ଦ

 

କେଦାରନାଥ ମହାପାତ୍ର

 

 

 

ଓଡ଼ିଆ ସାହିତ୍ୟରେ ଜୟଦେବ

 

ନଗେନ୍ଦ୍ରନାଥ ପ୍ରଧାନ

 

 

 

ଶ୍ରୀ ଜୟଦେବ

 

ବ୍ରଜମୋହନ ମହାନ୍ତି

 

 

 

ଗୀତଗୋବିନ୍ଦ

 

ଧର୍ମଗ୍ରନ୍ଥ ଷ୍ଟୋର୍ ଦ୍ଵାରା ପ୍ରକାଶିତ

 

 

 

ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟର ଇତିହାସ

 

ବିଭିନ୍ନ ଲେଖକଙ୍କ ରଚିତ ପୁସ୍ତକାବଳୀ

 

 

 

ସଂସ୍କୃତ ସାହିତ୍ୟର ଇତିହାସ

 

ଡକ୍ଟର ଗୋପୀନାଥ ମହାପାତ୍ର

 

 

 

ଦାର୍ଢ଼୍ୟତା ଭକ୍ତି

 

ରାମଦାସ କୃତ

 

 

 

ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ

 

ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ

 

 

 

ଦାରୁଦେବତା

 

ଡକ୍ଟର ବେଣୀମାଧବ ପାଢ଼ୀ

 

ସହାୟକ ପ୍ରବନ୍ଧାବଳୀ–

 

କାକଟପୁର ମଙ୍ଗଳା

 

ବଳରାମ ମିଶ୍ର

 

 

 

ମହାମଙ୍ଗଳା

 

ଶ୍ରୀମତୀ ପ୍ରମିଳା ନାୟକ

 

 

 

ପ୍ରାଚୀ ଉପତ୍ୟକା ଓ ପ୍ରାଚୀ ତୀରସ୍ଥ ଶିବ ପୀଠ

 

ସୁରେନ୍ଦ୍ର ନାଥ ନାୟକ

 

 

 

ଦେବୀ ବିରଜା

 

କୁଳମଣି ଜେନା

 

 

 

ସନ୍ଥ ମାଧବ

 

ଚନ୍ଦ୍ରମଣି ପଣ୍ଡା

 

 

 

ପ୍ରାଚୀ ଉପତ୍ୟକାର ଶକ୍ତି ଉପାସନା

 

ଡକ୍ଟର ହରିଶ୍ଚନ୍ଦ୍ର ଦାସ

 

 

 

ଶ୍ରୀମାଧବ ମନ୍ଦିର

 

ପ୍ୟାରୀମୋହନ ମହାନ୍ତି

 

 

 

ମାଧବ ପୂଜାର ପଟ୍ଟଭୂମିରେ ରେମୁଣାର ଐତିହ୍ୟ

 

ଉପେନ୍ଦ୍ର ନାଥ ମହାପାତ୍ର

 

 

 

ଜଗନ୍ନାଥ ଚେତନାର ଉଦ୍ଭବ ଓ ବିକାଶ

 

ଡକ୍ଟର ବାସୁଦେବ ସାହୁ

 

 

 

ଚନ୍ଦନ ଯାତ୍ରା

 

ପଣ୍ଡିତ ସଦାଶିବ ରଥଶର୍ମା

 

 

 

ସ୍ନାନ ପୂର୍ଣ୍ଣିମା

 

ହରିହର ବାହିନୀପତି

 

 

 

ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା ଏବଂ ଅନ୍ୟାନ୍ୟ ପ୍ରବନ୍ଧ

 

ପଠାଣି ପଟ୍ଟନାୟକ

 

ନୀଆଳି କେନ୍ଦୁଲୀ ଅଞ୍ଚଳରୁ ତଥ୍ୟ ସଂଗ୍ରହ ପାଇଁ ଓ ସହାୟକ ବନ୍ଧୁଗଣ

 

ଶ୍ରୀ ପ୍ୟାରୀମୋହନ ମହାନ୍ତି

 

ଶ୍ରୀ ଦୀନବନ୍ଧୁ ଦାସ

 

ଶ୍ରୀ ସୂର୍ଯ୍ୟମଣି ପତି

 

ଡକ୍ଟର ବିଶ୍ଵମ୍ବର ସାହୁ

 

ତଥ୍ୟ ସଂଗ୍ରହ ପାଇଁ ସହାୟକ ଅନୁଷ୍ଠାନ

 

କେନ୍ଦ୍ର ବିଲ୍ୱ ସଂଗ୍ରହାଳୟ

 

ଅଡ଼ଶପୁର ମନ୍ଦିର

 

ରାଜ୍ୟ ସାଂସ୍କୃତିକ ବିଭାଗ ଓ ଶ୍ରୀକ୍ଷେତ୍ରର କେତୋଟି ଅନୁଷ୍ଠାନ

 

ବିଶେଷ ବକ୍ତବ୍ୟ–

 

ଶ୍ରୀ ଗୋବିନ୍ଦଙ୍କ ଉଦ୍ଦେଶ୍ୟରେ ଗାନ କରଯାଇଥବା ଗୀତର ଉପନ୍ୟାସ ‘ଲଳିତ ଲବଙ୍ଗଲତା’ । ତାକୁ ପୁଣି ଥରେ ପାଠକଙ୍କ ସମ୍ମୁଖକୁ ଆନୟନ କଲେ ମୋର ଅଗ୍ରଜ ପ୍ରତିମ, ବନ୍ଧୁ, ପରମାର୍ଥୀ, ପ୍ରକାଶନ ଜଗତର ଅନ୍ୟତମ ଦିଗ୍‌ଦର୍ଶକ ଶ୍ରୀଯୁକ୍ତ ଗୋବିନ୍ଦ ଚରଣ । ସେହି ଗୋବିନ୍ଦଙ୍କୁ ସ୍ମରଣ କରି ଅନ୍ତରର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ଏ ଗୋବିନ୍ଦଙ୍କୁ ନୂତନ ପ୍ରକାଶନ ପାଇଁ ।

 

ଲେଖକ

 

ରୂପବତୀ ତରୁଣୀ କନ୍ୟା ପଦ୍ମାବତୀ, ସ୍ତ୍ରୀ ପାର୍ବତୀ ଏବଂ ପାଞ୍ଚ ବର୍ଷର ଶିଶୁ ପୁତ୍ର ପୀତାମ୍ବରଙ୍କୁ ସଙ୍ଗରେ ଧରି ଦିନସାରା ଚାଲି ଚାଲି ବାଙ୍କୀମୁହାଣୀ ନଦୀ ତୀରର ଏକ କୁଡ଼ିଆ ନିକଟରେ ଥକ୍‌କା ହୋଇ ବସିପଡ଼ିଲେ ବିକ୍ରମଦେବ ଶର୍ମା । ନଖାଇ ନପିଇ ଦୀର୍ଘ ସାତଦିନ ସେ ଏପରି ପାଦରେ ଘୂରି ଘୂରି ଅବସନ୍ନ । ସମଗ୍ର ଶଙ୍ଖ କ୍ଷେତ୍ରରେ ଆଉ କୌଣସି ସ୍ଥାନ ବାଦ୍ ପଡ଼ି ନାହିଁ । ଶ୍ରୀମନ୍ଦିରର ଅରୁଣ ସ୍ତମ୍ଭ, ମେଘନାଦ ପାଚେରୀ, ସିଂହଦ୍ଵାର, ଜଗମୋହନ, ନାଟ ମନ୍ଦିର, ଭୋଗ ମଣ୍ଡପ, ବାଇଶି ପାହାଚ, କାଶୀ ବିଶ୍ଵେଶ୍ଵର, ଆନନ୍ଦ ବଜାର, ସ୍ନାନ ମଣ୍ଡପ, ଈଶାନେଶ୍ଵର, କୋଇଲି ବୈକୁଣ୍ଠ, ଜନମ କୁଞ୍ଜ, ମହାବୀର ପୀଠ, କଳ୍ପବଟ, ବଟ ଗଣେଶ, ଅନନ୍ତ ବାସୁଦେବ, ମୁକ୍ତି ମଣ୍ଡପ, ରୋହିଣୀ କୁଣ୍ଡ, ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଭଦ୍ରକାଳୀ ପୀଠ, ନୀଳ ମାଧବ ପୀଠ ଓ ପାତାଳେଶ୍ଵର ପୀଠ ସେ ବୁଲିଛନ୍ତି ଏବଂ ଲୋକନାଥ, ମାର୍କଣ୍ଡେଶ୍ଵର, ନୀଳକଣ୍ଠେଶ୍ଵର, ଅନ୍ତର୍ବେଦୀ, ମାଉସୀ ମାଆ ମନ୍ଦିର, ଗୁଣ୍ଡିଚା, ଘର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ଶ୍ଵେତଗଙ୍ଗା, ସ୍ଵର୍ଗଦ୍ଵାର, ଚକ୍ରତୀର୍ଥ, ନୃସିଂହ ମନ୍ଦିର ଅଞ୍ଚଳ ପରିଭ୍ରମଣ କରି ବାଟମଙ୍ଗଳାକୁ ତାଙ୍କର ଦୁଃଖ ଜଣାଇଛନ୍ତି, ତଥାପି କେଉଁଠାରେ ସେ ପାଇ ନାହାନ୍ତି ନିଜର ଅଭିଷ୍ଟ ବ୍ୟକ୍ତିକୁ । କରୁଣ ଆଖିରେ ସେ ଚାହିଁଛନ୍ତି ସ୍ତ୍ରୀ ପାର୍ବତୀଙ୍କୁ ।

 

ବ୍ୟଥିତା ହୋଇ ସ୍ତ୍ରୀ ପାର୍ବତୀ ସ୍ଵାମୀଙ୍କ ପାଦରେ ହାତ ବୁଲାଇ ସେବା କରୁ କରୁ କହିଲେ–ପ୍ରଭୁ ! ଆଉ କେତେଦିନ କେତେ ସ୍ଥାନ ବୁଲିବା ? ନଖାଇ ନପିଇ କନ୍ୟା ପଦ୍ମାର ମୁଖ ମଳିନ ପଡ଼ିଗଲାଣି । ପୁତ୍ର ପିତାମ୍ବରର କୁନି କୁନି ପାଦ ଫୁଲିଉଠିଲାଣି । ଆଉ ହେବ ନାହିଁ ପ୍ରଭୁ ! ଚାଲନ୍ତୁ–ଏଥର ନିଜ ଗ୍ରାମକୁ ଫେରିଯିବା । ପୁଣି କିଛି ଦିନ ପରେ ଶ୍ରୀକ୍ଷେତ୍ରକୁ ଆସି ଅନୁସନ୍ଧାନ କରିବା ।

 

ସ୍ତ୍ରୀଙ୍କର ଏପରି ମିନତିରେ ଚମକି ପଡ଼ିଲେ ବିକ୍ରମଦେବ । ସତେଯେମିତି ତାଙ୍କ ଅବଶ ଅଙ୍ଗରେ ପୁନର୍ବାର ଶକ୍ତି ସଞ୍ଚାରିତ ହେଲା । ଅଧୀର ହୋଇ କହିଲେ ସେ–ପାର୍ବତୀ ! ତୁମେ କ’ଣ କହୁଛ ମୁଁ ସତ୍ୟଭ୍ରଷ୍ଟ ହେବି ? ଜଗନ୍ନାଥ ଦ୍ରୋହୀ ହେବି ?

 

–‘ପ୍ରଭୁ !’ କମ୍ପିତ ଗଳାରେ କହିଉଠିଲେ ପାର୍ବତୀ ।

 

ବିଗତର ଦିନଗୁଡ଼ିକ ନାଚିଉଠିଲା ବିକ୍ରମଦେବଙ୍କ ଆଖି ଆଗରେ । ଉତ୍ତେଜିତ ହୋଇଉଠିଲେ ସେ–ମନେଥିବ ପାର୍ବତୀ ! ବିବାହ ପରେ ବହୁବର୍ଷ ବିତିଗଲା । ପୁତ୍ର କନ୍ୟା ହେଲେ ନାହିଁ । ସେଥିପାଇଁ ଦିନକୁ ଦିନ ତୁମେ ରୁଗ୍‌ଣା ହୋଇପଡ଼ିଲ । ଶେଷରେ ସ୍ଥିର କଲ ପୁଣ୍ୟତୋୟା ନଦୀ ଋଷିକୁଲ୍ୟା କୂଳର ତାରିଣୀ ପୀଠରେ ଧ୍ୟାନ କରି କରୁଣା ଭିକ୍ଷା କରିବ । ଏ ପ୍ରସ୍ତାବର ମୁଁ ସମର୍ଥନ କଲି । କିନ୍ତୁ ଦେବୀ ତାରିଣୀ ରାତ୍ରିରେ ସ୍ଵପ୍ନାଦେଶ ଦେଲେ–ସେବକ ବିକ୍ରମଦେବ ! ତୁମ ପତିପତ୍ନୀଙ୍କ ନିଷ୍ଠା ଓ ସେବା ପୂଜାରେ ମୁଁ ପ୍ରୀତ । କିନ୍ତୁ ତୁମକୁ ସନ୍ତାନ ପ୍ରଦାନ କରିବାର କ୍ଷମତା ମୋର ନାହିଁ । ତେଣୁ ତୁମେ ଶ୍ରୀକ୍ଷେତ୍ରକୁ ଗମନ କରି ଶ୍ରୀଜଗନ୍ନାଥଙ୍କ କରୁଣା ଭିକ୍ଷା କରି । ସେ ତୁମର ଦୁଃଖ ଶ୍ରବଣ କରି କୋଳ ମଣ୍ଡନ କରିବେ । ଏହି ଆଦେଶ ମୁଣ୍ଡରେ ବହନ କରି ଆଜକୁ ସତର ବର୍ଷ ତଳେ ଆମେ ଶ୍ରୀକ୍ଷେତ୍ର ଆସିଥିଲେ । ଏହି ବାଙ୍କୀମୁହାଣୀ ନଦୀ କୂଳରେ ଅବସ୍ଥାନ କରି ଶ୍ରୀ ଜଗନ୍ନାଥଙ୍କ ସେବାପୂଜା କଲେ । ଦିନ ଦିନ ବିତିଗଲା, କିନ୍ତୁ ମହାପ୍ରଭୁଙ୍କର କରୁଣା ଲାଭ କରିପାରିଲେ ନାହିଁ । ଶେଷରେ ସ୍ଥିରକଲେ–ଶ୍ରୀଗୁଣ୍ଡିଚା ଦିନ ତିନି ରଥ ଆସି ବାଙ୍କୀମୁହାଣୀ ନଦୀ କୂଳରେ ଅବସ୍ଥାନ କରିବା ପରେ–ତିନି ଠାକୁର ଚାପରେ ବିଜେ କରି ଅପର ତୀରକୁ ଯାଇ ଗୁଣ୍ଡିଚା ମଣ୍ଡପ ସମୀପକୁ ବିଜେ କରିବା ସମୟରେ ଆମେ ବାଙ୍କୀମୁହାଣୀ ନଦୀର ଜଳରେ ପ୍ରାଣ ବିସର୍ଜନ କରିବା ।

 

–“ହଁ ପ୍ରଭୁ ! ସବୁ ମୋର ମନେଅଛି” କହୁ କହୁ ଲୋତକ ପୂର୍ଣ୍ଣ ହୋଇଯାଇଥିଲା ପାର୍ବତୀଙ୍କ ଚକ୍ଷୁ ଯୁଗଳରେ ।

 

ପୁଣି କହିଲେ ବିକ୍ରମଦେବ । ପାର୍ବତୀ ! ଠିକ୍ ସେହି ଶ୍ରୀଗୁଣ୍ଡିଚା ପୂର୍ବଦିନ ରାତ୍ରିରେ ନବଯୌବନ ଦର୍ଶନ କରି ଆମେ ଆସି ଏହି ବାଙ୍କୀମୁହାଣୀ ନଦୀର ଶରଧାବାଲିରେ ଶୟନ କଲେ-। ରାତ୍ରିର ଶେଷ ପ୍ରହରରେ ସ୍ଵପ୍ନ ଦେଖିଲି ମୁଁ–ବିକ୍ରମଦେବ ! ତୁମ ଦୁଃଖରେ ମୁଁ ଦୁଃଖିତ-। ନଦୀ ଜଳରେ ପ୍ରାଣ ବିସର୍ଜନ କରି ପାପ ଅର୍ଜନ କରନାହିଁ । ତୁମ ମନବାଞ୍ଛା ପୂର୍ଣ୍ଣ ହେବ । ତୁମେ ଗୃହକୁ ପ୍ରତ୍ୟାବର୍ତ୍ତନ କର । ମନେରଖ ଠିକ୍ ବର୍ଷକ ପରେ ତୁମର ଗୋଟାଏ ସୁଗୁଣ ସମ୍ପନ୍ନା କନ୍ୟା ଜାତ ହେବ । ସେ କନ୍ୟାକୁ ବିଦ୍ୟା ଶିକ୍ଷା, ସଙ୍ଗୀତ ଏବଂ ନୃତ୍ୟ ଶିକ୍ଷା ଦେଇ ତୁମେ ଶିକ୍ଷିତା କରାଇବ-। ଏ କନ୍ୟାକୁ ଏଗାର ବର୍ଷ ହେବା ପରେ ତୁମର ପୁତ୍ର ସନ୍ତାନଟିଏ ମଧ୍ୟ ଜାତ ହେବ । କିନ୍ତୁ ସେ ପୁତ୍ର ସନ୍ତାନକୁ ପାଞ୍ଚ ବର୍ଷ ହେଲେ ତୁମେ ସପରିବାରେ ଶ୍ରୀକ୍ଷେତ୍ରକୁ ଆଗମନ କରି ମୋର ଜଣେ ଶ୍ରେଷ୍ଠ ନିରତ ସେବକ ହାତରେ କନ୍ୟାଟିକୁ ପ୍ରଦାନ କରି ପୁଣି ଗ୍ରାମକୁ ବାହୁଡ଼ିଯିବ ।

 

–“ହଁ..., ଏ ଘଟଣା ମୋର କାଲିପରି ମନରେ ପଡ଼ିଯାଉଛି ପ୍ରଭୁ !” କହିଲେ ପାର୍ବତୀ ।

 

–“ତେବେ ସାମାନ୍ୟ କଷ୍ଟ ସହ୍ୟ କରି ନ ପାରି ବ୍ୟଥିତା ହେଉଛ କାହିଁକି ପାର୍ବତୀ ?ଏବେ କନ୍ୟା ପଦ୍ମାବତୀ ଷୋଡ଼ଶ ବର୍ଷରେ ପଦାର୍ପଣ କରିଛି । ପୁତ୍ରକୁ ମଧ୍ୟ ପାଞ୍ଚବର୍ଷ ହୋଇଛି । ଏ କ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁସାରେ କନ୍ୟାଟିକୁ ନିରତ ସେବକ ହସ୍ତରେ ଅର୍ପଣ ନ କରି ମୁଁ ପ୍ରତ୍ୟାବର୍ତ୍ତନ କରିବି କିପରି ?” କହିଲେ ବିକ୍ରମଦେବ ।

 

–“ସ୍ୱାମୀ ! ଶ୍ରୀକ୍ଷେତ୍ରର ଛତ୍ରେ ଛତ୍ରେ ବୁଲି ଆମେ ସେପରି ଜଣେ ସୁଯୋଗ୍ୟ ସେବକ ଖୋଜିବୁଲିଲେ । କିନ୍ତୁ ଆଜିପର୍ଯ୍ୟନ୍ତ କେଉଁଠାରେ କିଛି ସନ୍ଧାନ ପାଇପାରିଲେ ନାହିଁ । ଆମର ଅବା ଦୋଷ କ’ଣ ? ସଙ୍ଗରେ ଆଣିଥିବା କଉଡ଼ି ଶେଷ ହୋଇସାରିଛି । ତେଣୁ ଆଜି ସାରାଦିନ କନ୍ୟା ପଦ୍ମାବତୀ ଏବଂ ପୁତ୍ର ପୀତାମ୍ବର କିଛି ଆହାର ଗ୍ରହଣ କରି ନାହାନ୍ତି । ସେମାନଙ୍କ ଅବସ୍ଥା ଟିକେ ଚିନ୍ତା କରୁଛନ୍ତି ତ ?”

 

–‘‘ପାର୍ବତୀ ! ଶାସ୍ତ୍ର କହେ–ଶ୍ରୀକ୍ଷେତ୍ରରେ କେହି କେବେ ଅଭୁକ୍ତ ରହେ ନାହିଁ । ତୁମେ ଏହି ବାଙ୍କୀମୁହାଣୀ ନଦୀ ତଟ କୁଡ଼ିଆ ପିଣ୍ଡାରେ ବିଶ୍ରାମ ନିଅ l ପ୍ରଭୁ ଜଗନ୍ନାଥ ଆହାର ପଠାଇଦେବେ ।”

 

ଜଗନ୍ନାଥ ଭକ୍ତ ସ୍ଵାମୀ ବିକ୍ରମଦେବଙ୍କ ଆଶା ଏବଂ ବିଶ୍ଵାସ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ ପାର୍ବତୀ, କହିଲେ–“ହଉ, ପ୍ରଭୁଙ୍କ ଇଚ୍ଛା ହିଁ ପୂର୍ଣ୍ଣହେଉ ।”

 

ଏତିକିବେଳେ ଶିଶୁ ପୁତ୍ର ପିତାମ୍ବର କାନ୍ଦି ଉଠି କହିଲା–“ମାଆ ! ଦିନସାରା କିଛି ନ ଖାଇ ତଣ୍ଟି ଶୁଖିଯାଉଛି, ପେଟ ଜଳିଉଠୁଛି । ମୋତେ କ’ଣ ଖାଇବାକୁ ଦିଅ ମାଆ, ମୁଁ ଆଉ ସହି ପାରୁନାହିଁ ।”

 

ପୁତ୍ର ପୀତାମ୍ବରର ବିକଳ ଡାକରେ ଅଥୟ ହୋଇଉଠିଲେ ପାର୍ବତୀ । କହିଲେ– ‘‘ବାବା-! ତୁ ତ ଜାଣୁ–ହାତରେ ଆଉ କଉଡ଼ି ନାହିଁ । ଏବେ ସୂର୍ଯ୍ୟ ଅସ୍ତ ହୋଇଗଲେଣି । ଆଉ ଭିକ୍ଷା କରିହେବ ନାହିଁ । ମୁଁ ବାଙ୍କୀମୁହାଣୀ ନଦୀ ଜଳରେ ପଣତକାନି ଗୁଡ଼େଇ ଆଣୁଛି ବାବା ! ତୋ ମୁହଁରେ ଚୁପୁଡ଼ି ଦେବି । ସେତକ ପାନକରି ତୁ ରାତିଟି ଶୟନ କରି । ପୁଣି ସକାଳୁ ଆମେ ପିତାମାତା ଦୁଇଜଣଯାକ ଭିକ୍ଷା କରିବୁ । ତୁମକୁ ଖାଇବାକୁ ଦେବୁ । କିଛି ଅସୁବିଧା ହେବନାହିଁ ବାବା ! ଶ୍ରୀକ୍ଷେତ୍ରକୁ ଅନେକ ଧର୍ମପ୍ରାଣ ଯାତ୍ରୀ ଆସୁଛନ୍ତି । ସେମାନେ ନିଶ୍ଚୟ ଆମକୁ ଭିକ୍ଷା ଦାନ କରିବେ ।”

 

ମାଆଙ୍କ ସାନ୍ତ୍ଵନା ବାଣୀ ଶୁଣି ଶୋଇବାକୁ ଚେଷ୍ଟାକଲା ଶିଶୁ ପିତାମ୍ବର । ବାଙ୍କୀମୁହାଣୀ ନଦୀ ଭିତରକୁ ଆଗେଇଗଲେ ପାର୍ବତୀ ନିଜର ପଣତକାନିରେ ଜଳ ଆଣି ପୁତ୍ରର କ୍ଷୁଧା ନିବାରଣ ପାଇଁ । ଶ୍ରୀମନ୍ଦିରର ନୀଳଚକ୍ର ଆଡ଼େ ମୁହଁକରି ସମାଧିସ୍ଥ ଥିଲେ ବିକ୍ରମଦେବ ।

 

ଗରିବ ବ୍ରାହ୍ମଣ ବିକ୍ରମଦେବ । ଘର ଋଷିକୁଲ୍ୟା ନଦୀ କୂଳର ରାଈପୁର । ଆବାଲ୍ୟରୁ ପିତୃମାତୃହୀନ ହୋଇ ସେ ଦୁଃଖ କଷ୍ଟରେ ବିଦ୍ୟା ଶିକ୍ଷା କଲେ ଏବଂ କୌଳିକ ବୃତ୍ତିକରି ଜୀବିକାର୍ଜନ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେହି ବାଲ୍ୟକାଳରୁ ତାଙ୍କର ମାଆ ତାରାତାରିଣୀଙ୍କ ଉପରେ ଥିଲା ଅଗାଧ ବିଶ୍ଵାସ । ତେଣୁ ପ୍ରତ୍ୟେକ ଦିନ ବିସ୍ତୀର୍ଣ୍ଣ ଅରଣ୍ୟାଞ୍ଚଳ ଭେଦକରି ସୁଦୀର୍ଘ ପର୍ବତ ଅତିକ୍ରମ ପୂର୍ବକ ସେ ତାରାତାରିଣୀ ମନ୍ଦିରକୁ ଯାଉଥିଲେ ଏବଂ ଦେବୀଙ୍କୁ ଆରାଧନା କରୁଥିଲେ । ଏମିତି ସମୟ ବିତିଗଲା । ବିକ୍ରମଦେବ ଯୌବନରେ ପଦାର୍ପଣ କଲେ । ତଥାପି ବିକ୍ରମଦେବ ଦେବୀ ଆରାଧନାକୁ ଧରିନେଇଥାନ୍ତି ଜୀବନର ଏକ ମୁଖ୍ୟ ଧନ୍ଦା ଭାବେ ।

 

ସେଦିନ ଅପରାହ୍ନରେ ବିକ୍ରମଦେବ ଦେବୀ ପୂଜା ଶେଷରେ ଗ୍ରାମ ଅଭିମୁଖେ ବାହାରିଲାବେଳକୁ ହଠାତ୍ କଳାହାଣ୍ଡିଆ ମେଘ ଖଣ୍ଡେ ମାଡ଼ିଆସିଲା । ବାଧ୍ୟ ହୋଇ ଅଟକିଗଲେ ସେ । କ୍ରମେ ଅନ୍ଧାର ଘୋଟି ଆସିଲା, ସ୍ଵାପଦ ସଂକୁଳ ଅରଣ୍ୟର ପଥ ଅତିକ୍ରମ କରି ସେ ଗ୍ରାମକୁ ବାହୁଡ଼ିବେ କିପରି ? ଏପରି ଚିନ୍ତାରେ ବାଧାଦେଇ ତାଙ୍କ ଚକ୍ଷୁ ସମ୍ମୁଖରେ ଦଣ୍ଡାୟମାନ ହେଲେ ଜଣେ ତରୁଣୀ । ଚକିତ ହୋଇପଡ଼ିଲେ ବିକ୍ରମଦେବ । ଭାବିଲେ ସ୍ଵୟଂ ତାରା ନାରୀରୂପ ଧାରଣ କରି ଆବିର୍ଭୂତା ହେଲେ କି ? କିନ୍ତୁ ବିକ୍ରମଦେବଙ୍କର ଏ ସନ୍ଦେହ ଅଧିକ ସମୟ ରହିଲା ନାହିଁ । ମୁହଁ ଖୋଲିଲା ନାରୀ ମୂର୍ତ୍ତି । କହିଲା–“ମୋତେ ଆପଣ ଟିକେ ସାହାଯ୍ୟ କରିବେ ?”

 

–“କିଏ ତୁମେ ?”

 

–“ମୁଁ ପାଖ ଗୋବିନ୍ଦପୁର ଗ୍ରାମର ଅନନ୍ତ ଶର୍ମାଙ୍କ କନ୍ୟା ପାର୍ବତୀ । ଏକୁଟିଆ ଚାଲିଆସିଥିଲି ଦେବୀଙ୍କୁ ଦର୍ଶନ କରିବା ପାଇଁ । କିନ୍ତୁ ହଠାତ୍ ବର୍ଷା ଆସିବା ପରେ ଅଟକି ରହିବାକୁ ବାଧ୍ୟ ହେଲି । ଏବେ ଅନ୍ଧାର ଘୋଟିସାରିଛି । ମୁଁ ଘରକୁ ଫେରିବି କିପରି ? ରାତିଟି ଏଠାରେ କଟାଇଲେ ସକାଳୁ କେତେ ବଦନାମ୍ ମୋ ନାମରେ ରଟିବ । ମୁଁ ଆଉ ଦେହଧରି ରହିବା ସମ୍ଭବପର ହେବନାହିଁ ।”

 

–“ମୁଁ କ’ଣ କରିପାରିବି ତୁମପାଇଁ ?”

 

–ମୋତେ ଆପଣ ଆମ ଗାଁରେ ଛାଡ଼ିଦେଇ ଆସିଲେ–ଖୁବ୍ ଭଲ ହୁଅନ୍ତା ।”

 

ପାର୍ବତୀର ଅନୁରୋଧ ଶ୍ରବଣ କରି ଚିନ୍ତିତ ହୋଇପଡ଼ିଲେ ବିକ୍ରମଦେବ । ବର୍ଷାମୁଖର ଅନ୍ଧକାର ରାତ୍ରିରେ ସେ ନିଘଞ୍ଚ ଅରଣ୍ୟ ଅତିକ୍ରମ କରି ଗୋବିନ୍ଦପୁର ଯିବେ କିପରି ? କିନ୍ତୁ ଯୁବତୀର ଅନୁରୋଧ । ଯିବାକୁ ହିଁ ହେବ । ଶେଷରେ ପ୍ରସ୍ତୁତ ହେଲେ ବିକ୍ରମଦେବ ଗୋବିନ୍ଦପୁର ଯାତ୍ରା କରିବା ପାଇଁ । ଆଗେ ଆଗେ ଚାଲିଲେ ବିକ୍ରମଦେବ ଏବଂ ପଛେ ପଛେ ପାର୍ବତୀ । ତାରାତାରୀଣୀ ପର୍ବତର ଶିଖର ଦେଶରୁ ତଳପର୍ଯ୍ୟନ୍ତ ଲମ୍ବିଥିବା ନଅଶହ ଅନେଶୋତ ପାଉଛ ଅତିକ୍ରମ କରି ପ୍ରଥମେ ତଳକୁ ଆସିବା ପାଇଁ ହେବ । ବର୍ଷା ପାଣିରେ ଖସଡ଼ା ହୋଇଛି ପାଉଛଗୁଡ଼ିକ । ମାତ୍ର ଅଳ୍ପ କେତୋଟି ପାଉଛ ଅତିକ୍ରମ କରିବା ପରେ ଗୋଡ଼ ଖସିଗଲା ପାର୍ବତୀର-। ଗଛ କାଟିଲା ପରି ପଡ଼ି ଗଡ଼ି ଗଡ଼ି ବିକ୍ରମଦେବଙ୍କ ଦେହରେ ଧକ୍‌କା ଖାଇଲା ସେ ।

 

ଚକିତ ହୋଇ ପାର୍ବତୀକୁ ନିଜର ବଳିଷ୍ଠ ବାହୁଯୁଗଳରେ ତୋଳିଧରିଲେ ବିକ୍ରମଦେବ । ଦେଖିଲେ ସେ–ପାର୍ବତୀ ସଂଜ୍ଞାହୀନା । ତେଣୁ ସଂଜ୍ଞାହୀନା ପାର୍ବତୀକୁ ଧରି ସେ ପାଉଛ ଓହ୍ଲାଇବା ପାଇଁ ଅପଚେଷ୍ଟା ନ କରି ପୁଣି ଫେରିଆସିଲେ ମନ୍ଦିର ନିକଟକୁ । ମନ୍ଦିରର ଚଉତରା ଉପରେ ଶୁଆଇଦେଇ ଚେଷ୍ଟାକଲେ ତା’ର ସଂଜ୍ଞା ଫେରାଇବା ପାଇଁ ।

 

ଅନେକ ସମୟ ପରେ ସଂଜ୍ଞା ଫେରିଲା ପାର୍ବତୀର । ଲକ୍ଷ୍ୟକଲା ସେ ତା’ର ମସ୍ତକକୁ କୋଳରେ ଧାରଣ କରି କେଶରାଶିରେ ହସ୍ତ ସଞ୍ଚାଳନ କରୁଛନ୍ତି ଯୁବକ । ଚମକି ବସିବାକୁ ଚେଷ୍ଟାକଲା ପାର୍ବତୀ । ସାନ୍ତ୍ଵନା ଦେଇ କହିଲେ ବିକ୍ରମଦେବ–“ବିଶ୍ରାମ ନିଅ ପାର୍ବତୀ ! ତୁମେ ଆହତା ।”

 

କାତର ହୋଇ କହିଲା ସେ–“ଆଜି ରାତିରେ କ’ଣ ମୋତେ ଏଠାରେ ରହିବାକୁ ହେବ-?”

 

–“ହଁ ପାର୍ବତୀ ! ଆଜି ଏହି ପର୍ବତର ଦହିହାଣ୍ଡି ଉପରେ ବିଶ୍ରାମ ନେବା ଛଡ଼ା ଆଉ ଉପାୟ ନାହିଁ । କିଛି ଚିନ୍ତା କରନାହିଁ ପାର୍ବତୀ । ମୁଁ ସମଗ୍ର ରାତ୍ରି ତୁମର ଦେହରକ୍ଷୀ ଭାବରେ କାର୍ଯ୍ୟ କରିବି । ମାଆ ତାରାତାରିଣୀ ତୁମକୁ ନିଶ୍ଚୟ ଶୀଘ୍ର ଆରୋଗ୍ୟ କରିଦେବେ–ତୁମେ ପ୍ରଭାତରେ ନିରାପଦରେ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିବ ।”

ବିକ୍ରମଦେବଙ୍କ କଥା ଶୁଣୁ ଶୁଣୁ ଅହେତୁକ ନିଦ୍ରାରେ ଅଚେତ ହୋଇପଡ଼ିଥିଲା ପାର୍ବତୀ-। ନିକଟରେ ଜଗିବସି ସେବାରତ ଥିଲେ ବିକ୍ରମଦେବ ।

ଝିଙ୍କାରୀର ଶବ୍ଦ ଏବଂ ବଣ୍ୟଜନ୍ତୁମାନଙ୍କର ଧ୍ଵନିରେ ପ୍ରକମ୍ପିତ ହେଉଥିଲା ପର୍ବତର ଶିଖର ଦେଶ । ତଥାପି ଅବିଚଳିତ ଭାବେ ବସି ରହିଥିଲେ ବିକ୍ରମଦେବ । ବେଳେ ବେଳେ ବିଜୁଳିର ଚମକରେ ଆଲୋକିତ ହୋଇଉଠୁଥିଲା ସମଗ୍ର ଅଞ୍ଚଳ । ସେହି ଆଲୋକରେ ଝଲସି ଉଠୁଥିଲା ପାର୍ବତୀର ସୌଷ୍ଠବ ଭରା ମୁଖମଣ୍ଡଳ ଏବଂ ସୁଷମା ଭରା ଅଙ୍ଗଲତା । ଉନ୍ମାଦିତ କରୁଥିଲା ବିକ୍ରମଦେବଙ୍କୁ । ଚିନ୍ତା କରୁଥିଲେ ସେ–ସତେଅବା ମାତୃ ରୂପିଣୀ ତାରିଣୀ–କାଳୀ, ମହାଲକ୍ଷ୍ମୀ, ଭୈରବୀ, ବଗଳା, ମାତଙ୍ଗିନୀ, ଛିନ୍ନମସ୍ତା, ଧୂମାବତୀ, ଭୁବେନେଶ୍ଵରୀ, ଷୋଡ଼ଶୀ ଏବଂ ତାରା ମୂର୍ତ୍ତି ତ୍ୟାଗକରି ମାନବୀ ରୂପେ ଅବତୀର୍ଣ୍ଣା ହୋଇଛନ୍ତି ପର୍ବତର ଶିଖର ଉପରେ ।

ପର ମୁହୂର୍ତ୍ତରେ ନିଜେ ନିଜକୁ ଧିକ୍‌କାର କରୁଛନ୍ତି ସେ–ନାଁ, ନାଁ, ମୁଁ ଯେ ରକ୍ଷକ, ଭକ୍ଷକ ହେବି କିପରି ? ମନରେ ପଡ଼ୁଛି ତାଙ୍କର ବସୁ ପ୍ରହରାଜଙ୍କ କଥା । ଲୋକମୁଖ କହେ–ଆଠଗଡ଼ ରାଜ୍ୟରେ ଥିଲେ ଧନିକ ବସୁ ପ୍ରହରାଜ । ଦୁଇଟି ରୂପବତୀ କନ୍ୟାଙ୍କର ସେ ଥିଲେ ଜନକ । ହଠାତ୍ ଦିନେ ଦୁଇଜଣଯାକ କନ୍ୟା ଗୃହତ୍ୟାଗ କରି ଅନ୍ତର୍ହିତା ହୋଇଗଲେ । ବାଟରେ ଯାତ୍ରା କରୁଥିବା ସମୟରେ ସେମାନେ କାଚରାଠାରୁ କାଚ କିଣି କହିଲେ–କାଚରା ! ବସୁ ପ୍ରହରାଜଙ୍କ ନିକଟରୁ କଉଡ଼ି ନେଇଯିବ । ଏ କଥା ଶ୍ରବଣ କରି ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ ବସୁ ପ୍ରହରାଜ ଏବଂ ସ୍ଵପ୍ନ ଦେଖିଥିଲେ ରାତ୍ରିରେ–ବାବା ! ଆମେ ଦୁଇଜଣ ମାନବh ନୋହୁଁ–ଦେବୀ,ତାରା ଏବଂ ତାରିଣୀ । ଭକ୍ତି ଭାବରେ ମୁଗ୍‌ଧ ହୋଇ ତୁମ ଘରେ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲୁ I କିନ୍ତୁ ସବୁଦିନ ରହିବୁ କିପରି ? ତେଣୁ ଚାଲିଯାଉଛୁ, ହେଲେ ତୁମେ ଆମ ଉଦ୍ଦେଶ୍ୟରେ ଋଷିକୁଲ୍ୟା ନଦୀତୀରର ତନ୍ତ୍ରପୀଠ ପର୍ବତ ଉପରେ ମନ୍ଦିର ନିର୍ମାଣ କର ଏବଂ ସ୍ଥାପନ କର ତାରାତାରିଣୀ ବିଗ୍ରହ ।

 

ସେହିପରି ମା’ ତାରିଣୀ ଛଳନା କରି ମୋର ଭକ୍ତିଭାବ ବିଡ଼ିବା ପାଇଁ ପାର୍ବତୀ ରୂପରେ ଦେଖାଦେଇ ନାହାନ୍ତି ତ ?

 

ଏମିତି କେତେ ଚିନ୍ତାକରି ବ୍ୟଥିତ ହେଉଥିଲେ ବିକ୍ରମଦେବ । ଧୀରେ ଧୀରେ ରାତ୍ରି ଶେଷ ହୋଇଆସୁଥିଲା । ନିଦ ଭାଙ୍ଗିଲା ପାର୍ବତୀର । ଆଖିଖୋଲି ଚାହିଁଲା ସେ । ସେମିତି କୋଳରେ ମୁଣ୍ଡ ରଖି ଜାଗ୍ରତ ଯୁବକ ଜଣକ । ଅପ୍ରତିଭ ହେଲା ପାର୍ବତୀ ବିକ୍ରମଙ୍କ ରୂପ ଯୌବନ ଦର୍ଶନ କରି । ରାତିର ଅନ୍ଧାର ଭିତରେ ବିକ୍ରମଙ୍କ ଅଙ୍ଗସୌଷ୍ଠବ ଦର୍ଶନ କରିବାର ସୁଯୋଗ ଲାଭ କରି ନଥିଲେ ସେ । ପ୍ରଭାତର ଆଲୋକରେ ସବୁ କିଛି ସ୍ପଷ୍ଟ ଦିଶିଲା ତାକୁ । ଉଠିପଡ଼ି କହିଲା ସେ–“ମୋର ଆପଣ ବହୁ ସେବା କଲେ । ଜୀବନରେ କ’ଣ ଦେଇ ମୁଁ ଏ ଋଣ ସୁଝିବି ?”

 

ହସିଲେ ବିକ୍ରମଦେବ । କହିଲେ–“ତୁମର ସେବାକରି ଧନ୍ୟ ହୋଇଛି ମୁଁ । ଅତିକମ୍‌ରେ ଗୋଟିଏ ଥର ଏହି ତାରା ତାରିଣୀ ପର୍ବତ ଉପରେ ରାତ୍ରିଯାପନ କରିବାର ସୁଯୋଗ ଲାଭ କରିଅଛି-। ଆଉ ଅଧିକ ମୋର କ’ଣ ଲୋଡ଼ା ?”

 

ନିରୁତ୍ତର ରହି ଗ୍ରାମ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଲା ପାର୍ବତୀ । ବିକ୍ରମଦେବ କହିଲେ–“ପାର୍ବତୀ ! ତୁମେ ଏକୁଟିଆ କାହିଁକି ଏ ଅରଣ୍ୟ ପଥ ଅତିକ୍ରମ କରି ପର୍ବତ ଶିଖର ଉପରକୁ ଆସିଥିଲ–ତାହା ତ କହିଲ ନାହିଁ ?”

 

ମୁଖ ଅବନତି କରି କହିଲା ପାର୍ବତୀ–“ମୋ ଦୁଃଖ ଆପଣ ନଶୁଣିବା ଭଲ । ମାତ୍ର ତିନି ଚାରି ବର୍ଷ ବେଳେ ମାତୃ ବିୟୋଗ ହୋଇଥିଲା, ଗତ ଦୁଇ ବର୍ଷ ତଳେ ମଧ୍ୟ ପିତୃ ବିୟୋଗ ହୋଇଛି । ସଂସାରରେ ମୋର ଆଉ କେହି ନାହାନ୍ତି । ଗୋବିନ୍ଦପୁର ଗ୍ରାମର ଅନ୍ୟମାନଙ୍କ ଘରେ ବାସି ପାଇଟି କରି ମୁଁ ଦିନ କାଟୁଛି । ସେଥିପାଇଁ ମୋ ପ୍ରତି କେତେ ଆକ୍ଷେପ, କେତେ ଅଶ୍ଳୀଳ ଇଙ୍ଗିତ । ଏ ଦୁଃଖ ସହ୍ୟ କରି ନ ପାରି ମୁଁ ଆସିଥିଲି ମାଆ ତାରିଣୀଙ୍କୁ ମୋର ଦୁଃଖ ଜଣାଇବା ପାଇଁ । କିନ୍ତୁ ସେ ସୁଯୋଗରେ ମଧ୍ୟ ମାଆ ତାରିଣୀ ବାଧା ସୃଷ୍ଟି କଲେ । ତେଣୁ ମୋର ବଞ୍ଚି ଆଉ ଲାଭ କ’ଣ ? ଗାଁକୁ ଫେରି ଅପବାଦ ସହ୍ୟକରିବା ଅପେକ୍ଷା ଏହି ଋଷିକୁଲ୍ୟା ନଦୀରେ ପ୍ରାଣ ବିସର୍ଜନ କରିବା ଭଲ ।

 

କମ୍ପିତ ଗଳାରେ କହିଲେ ବିକ୍ରମଦେବ–ପାର୍ବତୀ ! ମୁଁ ମଧ୍ୟ ତୁମରି ପରି ଜଣେ ପିତୃ ମାତୃହୀନ ହତଭାଗ୍ୟ ଯୁବକ । ବଞ୍ଚିଛି ଏହି ମାଆ ତାରିଣୀଙ୍କୁ ଭରସା କରି । ଗ୍ରାମ ମୋର ରାଈପୁର । ଦରିଦ୍ର ଏବଂ ନିଃସ୍ଵ ଜୀବନର କରୁଣ ବଂଶୀ ନାଦ ନିଜକୁ ଅସ୍ଥିର କରୁଥିଲେ ମଧ୍ୟ କୁମାରୀ ପାର୍ବତୀ ଦୟାର୍ଦ୍ଦ ହୋଇପଡ଼ିଲେ ବିକ୍ରମଦେବଙ୍କ କଥା ଶୁଣି । ମୂକ ବଧିର ପଥର ପରି ସେ ଅନାଇ ରହିଲେ ଅପଲକ ନେତ୍ରରେ ଯୁବକ ବିକ୍ରମଙ୍କ ଆଡ଼େ । ସତେ ଯେପରି ଲଜ୍ଜା ଏବଂ ନାରୀତ୍ୱର ଭୟ ଦୂର ହୋଇଯାଇଥିଲା ତାଙ୍କଠାରୁ । ପାର୍ବତୀଙ୍କ ଚାହାଣିରେ ଚାଞ୍ଚଲ୍ୟ ସୃଷ୍ଟି ହେଲା ବିକ୍ରମଦେବଙ୍କ ମନ ଭିତରେ । ତାରାତାରିଣୀ ପାହାଡ଼ର ଶିଖର ଦେଶରୁ ସୁରଭୀର ଋଷିକୁଲ୍ୟା ନଦୀ ଆଡ଼େ ଦୃଷ୍ଟି ନିକ୍ଷେପ କରି କହିଲେ ସେ–“ପାର୍ବତୀ ! ତାରାତାରିଣୀ ମନ୍ଦିର ପ୍ରାଙ୍ଗଣ ଦେହରେ ଏକ ବର୍ଷା ରାତିରେ ତୁମ ସହିତ ହଠାତ୍ ସାକ୍ଷାତ ମୋ’ ମନରେ ସ୍ଵତନ୍ତ୍ର ରେଖାପାତ କରିଛି । ମୁଁ ଭାବୁଛି ଏ ଆକସ୍ମିକ ସାକ୍ଷାତ ପାଇଁ ଦାୟୀ ନିଜେ ମାଆ ତାରା–ତାରିଣୀ । ତୁମେ କ’ଣ ଏ କଥାକୁ ଅସ୍ଵୀକାର କରିବ ?”

 

ବିକ୍ରମଦେବଙ୍କ କଥା ଶୁଣି ଆମୋଦିତ ହୋଇ ପାଦର ଆଙ୍ଗୁଳିରେ ପାହାଡ଼ ଉପରେ ଗାର କାଟିବାକୁ ଚେଷ୍ଟାକଲେ ପାର୍ବତୀ । ଚାହିଁଲେ ସେ ଚତୁର୍ଦ୍ଦିଗକୁ–ପାହାଡ଼ ଉପରର ଅନେକ ବୃକ୍ଷରେ ଦେବୀଙ୍କ ପୂଜା ଉଦ୍ଦେଶ୍ୟରେ ପ୍ରସ୍ଫୁଟିତ ପୁଷ୍ପରାଜି, ସତେ ଅବା ସେ ଫୁଲମାନେ ଆହ୍ୱାନ କରୁଛନ୍ତି ପାର୍ବତୀଙ୍କୁ–ପାର୍ବତୀ ! ଦେବତାର ପୂଜା ପାଇଁ ଆମେ ସୁଗନ୍ଧ ବିତରଣ କରି ସ୍ଥାନକୁ ଆମୋଦିତ କରୁଛୁ । ତୁମେ ମଧ୍ୟ ଠିକ୍ ସେମିତି ଏକ ସଦ୍ୟ ପ୍ରସ୍ଫୁଟିତ କୁସୁମ । ଅକାରଣେ ବଣମଲ୍ଲୀ ପରି ଫୁଟି ଭୂମିରେ ଲୋଟିଯିବ କାହିଁକି ? ଦେବତାର ନୈବେଦ୍ୟ ହୋଇ ପଦ ବନ୍ଦନା କର । ନିଜକୁ ମିଶାଇଦିଅ ଦେବତାର ଶ୍ରୀଅଙ୍ଗରେ । ସେହି ହଁ ଦିବ୍ୟ ଆନନ୍ଦ, ସେହି ହିଁ ମାଆ ତାରା-ତାରଣୀଙ୍କର ତୁମ ପ୍ରତି ନିର୍ଦ୍ଦେଶ ।

 

ହଠାତ୍ ଆର୍ଦ୍ର ହୋଇଆସିଲା ପାର୍ବତୀଙ୍କ ଚକ୍ଷୁ ଯୁଗଳ । ଆଗେଇ ଯାଇ ସେ ପଦସ୍ପର୍ଶ କଲେ ବିକ୍ରମଦେବଙ୍କର । କ୍ଷୀଣ କଣ୍ଠରେ କହିଲେ–“ଆପଣ ମୋର ଜୀବନ ରକ୍ଷକ । ଦେବୀ ତାରା-ତାରିଣୀ ମୋତେ ଆପଣଙ୍କ ସହିତ ସାକ୍ଷାତ କରାଇଛନ୍ତି । ଏବେ କହନ୍ତୁ, ମୁଁ ସମ୍ମାନ ସହକାରେ ଗାଁରେ ପହଞ୍ଚିବି କିପରି ?”

 

ସାମାନ୍ୟ ସମୟ ନୀରବ ରହିବା ପରେ କହିଲେ ବିକ୍ରମଦେବ–“ପାର୍ବତୀ ! ସଂସାରରେ ତୁମର କେହି ନାହାନ୍ତି–ମୁଁ ମଧ୍ୟ ନିଃସ୍ଵ–ଅସହାୟ । ଆମ ଦୁଇ ଜଣଙ୍କର ସହାୟ ମା’ ତାରା-ତାରିଣୀ-। ସେ ପରସ୍ପରକୁ ଭେଟ କରାଇଛନ୍ତି । ଯଦି ଆମେ ଦୁଇଜଣ ଚିରଦିନ ଏକ ହୋଇ ରହିବାର ସ୍ଵପ୍ନ ଦେଖନ୍ତେ–ତେବେ କ୍ଷତି କ’ଣ ହୁଅନ୍ତା ?’’

 

ନୀରବରେ ଅଧରପୁଟରେ ସ୍ମିତ ହାସ୍ୟ ଖେଳାଇ ବିକ୍ରମଦେବଙ୍କ କଥାକୁ ସମର୍ଥନ ଜଣାଇଲେ ପାର୍ବତୀ ।

 

ଆନନ୍ଦ ଅତିସହ୍ୟରେ ବିଭୋର ହୋଇ ହସିଉଠିଲେ ବିକ୍ରମଦେବ । କହିଲେ–“ଆସ ପାର୍ବତୀ ! ଆଜି ଏଇ ମୁହୂର୍ତ୍ତରେ ଆମେ ମା’ ତାରା-ତାରିଣୀଙ୍କ ମନ୍ଦିର ଦେହରେ ବିବାହ କରିବା । ଗାନ୍ଧର୍ବ ରୀତିରେ ଠାକୁରାଣୀଙ୍କ ପୁଷ୍ପମାଲ୍ୟ ପରସ୍ପର ବେକରେ ଲମ୍ବାଇ ଦେବା । ରାଈପୁର ଏବଂ ଗୋବିନ୍ଦପୁରବାସୀଙ୍କୁ ଚମକାଇ ଆମେ ଆମ ନୂଆ ସଂସାର ଆରମ୍ଭ କରିବା ।”

 

ବିକ୍ରମଦେବ ଶର୍ମାଙ୍କ କଥାରେ ପ୍ରତିବାଦ ନ କରି ମନ୍ଦିର ଆଡ଼େ ଆଗେଇଗଲେ ପାର୍ବତୀ, ପଛେ ପଛେ ଯୁବକ ବିକ୍ରମଦେବ ।

 

ଋଷିକୁଲ୍ୟା ନଦୀ ତୀର ରାଈପୁର ନିବାସୀ ସେହି ନୈଷ୍ଠିକ ଭଗବଦ୍ ପ୍ରେମୀ ବ୍ରାହ୍ମଣ ଯୁବକ ବିକ୍ରମଦେବ ଶର୍ମା, ପାର୍ବତୀଙ୍କୁ ଧରି ଆରମ୍ଭ କରିଥିଲେ ନୂଆ ସଂସାର । କେବଳ କୌଳିକ ବୃତ୍ତି ଏବଂ ମା’ ତାରା-ତାରିଣୀଙ୍କ ସେବାରେ ତାଙ୍କର କଟୁଥିଲା ଦିନ । କିନ୍ତୁ ଗୋଟିଏ ଦୁଃଖ ପରେ ଆଉ ଗୋଟିଏ ଦୁଃଖ ମାଡ଼ିଆସିବା ପରି–ସନ୍ତାନହୀନତା ଅହରହ ଚିନ୍ତିତ କରୁଥିଲା ତାଙ୍କୁ । ତରୁଣୀ ପାର୍ବତୀ ମଧ୍ୟ ଦୁଃଖିତା ହେଉଥିଲେ ସନ୍ତାନ ସୁଖ ଲାଭ ନକରି । ଶେଷରେ ଗୋଟିଏ ସନ୍ତାନ ପାଇଁ ମା’ ତାରା-ତାରିଣୀଙ୍କ ନିକଟରେ ପ୍ରାର୍ଥନା କଲେ ସେମାନେ ଏବଂ ଲାଭ କଲେ କନ୍ୟାରତ୍ନ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ।

 

ସେହି ବିକ୍ରମଦେବ ଶର୍ମା, ବସିଛନ୍ତି ବାଙ୍କୀମୁହାଣୀ ନଦୀ ତୀରର କୁଡ଼ିଆ ନିକଟରେ ବଡ଼ ଦେଉଳର ନୀଳଚକ୍ର ଆଡ଼େ ଲୟ ରଖି । ନଦୀରୁ ଫେରି ପୁତ୍ର ପୀତାମ୍ବରର ମୁହଁରେ ଜଳପାନ କରାଇବାକୁ ଚେଷ୍ଟା କରୁଛନ୍ତି ପାର୍ବତୀ । ସ୍ଥିର ହୋଇ ବସିରହିଛି କନ୍ୟା ପଦ୍ମାବତୀ ।

 

ଠିକ୍ ଏତିକିବେଳେ ହାତରେ ଦୁଇଟି ଅବଢ଼ା କୁଡ଼ୁଆ ଧରି ନିକଟକୁ ଆସିଲେ ଜଣେ ଯୁବକ । କୁଟୀରର ଦ୍ଵାରଦେଶରେ କେତେଜଣ ବହିରାଗତ ଅତିଥିଙ୍କୁ ଦେଖି ଆନନ୍ଦିତ ହୋଇ କହିଲେ–“ବାବା ! ଆପଣମାନେ କ’ଣ କାହାକୁ ଅପେକ୍ଷା କରିଛନ୍ତି ?”

 

ଯୁବକର ବାକ୍ୟରେ ବିକ୍ରମଦେବଙ୍କ ଧ୍ୟାନ ଭଗ୍ନ ହେଲା । ନିଜକୁ ସଜାଡ଼ି ନେଉ ନେଉ କହିଲେ ସେ–“ନାଇଁ ବାବା ! ଆମେ ଆସିଛୁ ସୁଦୂର ଋଷିକୁଲ୍ୟା କୂଳରୁ । ଦିନସାରା ବୁଲି ବୁଲି ଥକକା ହୋଇ ବିଶ୍ରାମ ନେଇଛୁ ତୁମ କୁଟୀର ଦ୍ଵାରରେ । ଅସୁବିଧା ହେବ ତ ଆମେ ନଦୀ ଶଯ୍ୟାକୁ ଓହ୍ଲାଇ ଯାଇ ଶରଧା ବାଲିରେ ବିଶ୍ରାମ ଗ୍ରହଣ କରିବୁ ।”

 

ଚମକି ପଡ଼ିଲେ ଯୁବକ । କହିଲେ “ନାହିଁ ବାବା ! ଅଶେଷ ସୌଭାଗ୍ୟରୁ ଆଜି ଏହି ଦରିଦ୍ର କୁଟୀରରେ ଆପଣମାନେ ଅତିଥି । ସେଥିରେ ମୋର ଅସୁବିଧା ହେବ କାହିଁକି ? ମୁଁ ମାଟି କୁମ୍ଭରେ ଜଳ ଦେଉଛି, ନଡ଼ିଆ ପତ୍ରର ଆସନ ଦେଉଛି । ମୁଖ ଧୌତ କରି ଆପଣ ଆସନରେ ବସନ୍ତୁ, ଶ୍ରୀଜଗନ୍ନାଥଙ୍କ ଅବଢ଼ା ସେବନ କରନ୍ତୁ । ତା’ପରେ ବିଶ୍ରାମ ଗ୍ରହଣ କରିବେ ।”

 

ହସିଉଠିଲେ ବିକ୍ରମଦେବ କହିଲେ–“ଦେଖିଲ ପାର୍ବତୀ ! ମହାପ୍ରଭୁ ଜଗନ୍ନାଥ ଆମ ପାଇଁ ଭୋଜନ ପଠାଇଦେଲେ । ଏବେ ଆନନ୍ଦରେ ଭୋଜନ କରି ଶୟନ କର ।”

 

ଅବଢ଼ା କଥା ଶୁଣି ଉଠି ବସିଲା ଶିଶୁପୁତ୍ର ପିତାମ୍ବର । ଯୁବକ ମାଟି କୁମ୍ଭରେ ଜଳ ଆଣି ରଖିଦେଲେ ଅବଢ଼ା କୁଡ଼ୁଆ ଦୁଇଟି ସମ୍ମୁଖରେ ଥୋଇଦେଲେ । ବିକ୍ରମଦେବ, ପାର୍ବତୀ, ପଦ୍ମାବତୀ ଏବଂ ପୀତାମ୍ବର ମୁଖ ଧୌତକରି ଭୋଜନ କଲେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓ ବିଶ୍ରାମ ଗ୍ରହଣ କଲେ କୁଟୀର ଦ୍ଵାରରେ ।

 

ଏଣେ ଯୁବକ କୁଟୀରର ଦ୍ଵାର ଉନ୍ମୁକ୍ତ କରି ଗାଇଉଠିଲେ–

 

ଜୟ ନିତ୍ୟ ନିରାମୟ ଦୀନ ଦୟାମୟ

ଚିନ୍ମୟ ମାଧବ ଦେହି ପଦମ୍,

ଜୟ ପାମର–ପାବନ ଧର୍ମପରାୟଣ

ଦାନବ–ସୂଦନ ଦେହି ପଦମ୍ ।

ଜୟ ବେଦ ବେଦାମ୍ବର ଗୋପବଧୂବର

ବୃନ୍ଦାବନ ଧନ ଦେହି ପଦମ୍,

ଜୟ ସତ୍ୟ ସନାତନ ଦୁର୍ଗତି ଭଞ୍ଜନ

ସଜ୍ଜନ ରଞ୍ଜନ ଦେହି ପଦମ୍ ।

 

ସୁଲଳିତ କଣ୍ଠର ଏ ମଦନମୋହନାଷ୍ଟକ ଶ୍ରବଣ କରି ପୁଲକିତ ହୋଇଉଠିଲେ ବିକ୍ରମଦେବ । ଆବିଷ୍ଟ ଚିତ୍ତରେ ଚାହିଁଲେ କୁଟୀର ମଧ୍ୟକୁ । ବିମୋହିତ ହୋଇଗଲେ ସେ । ଆସ୍ଥାନ ଉପରେ ବିବିଧ ପୁଷ୍ପରେ ସଜ୍ଜିତ ରାଧାମାଧବ ମୂର୍ତ୍ତି । ମାଧବଙ୍କର ଉପର ଦକ୍ଷିଣ ହସ୍ତରେ ଚକ୍ର, ଉପର ବାମ ହସ୍ତରେ ଶଙ୍ଖ, ତଳ ଦକ୍ଷିଣ ହସ୍ତରେ ପଦ୍ମ ଏବଂ ଜଳ ବାମ ହସ୍ତରେ ଗଦା । ସତେ ଅବା ମାଧବ କଥା କହୁଛନ୍ତି ସେବକ ଯୁବକଙ୍କୁ ।

 

ସେବକ ଯୁବକ ଅବିଚଳିତ ଚିତ୍ତରେ ମନ୍ତ୍ରପାଠ ପୂର୍ବକ ପୂଜା କରୁଥିଲେ ରାଧାମାଧବ ବିଗ୍ରହଙ୍କୁ । କାଳବିଳମ୍ବ ନ କରି ଆଣ୍ଠେଇପଡ଼ି ରାଧାମାଧବଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କଲେ ବିକ୍ରମଦେବ ଏବଂ ଯୁବକଙ୍କ ସେବାରେ ବାଧା ସୃଷ୍ଟି ନ କରି ଶୟନ କରିବାକୁ ଚେଷ୍ଟାକଲେ କୁଟୀର ଦ୍ଵାରରେ । ଅଳ୍ପ ସମୟ ମଧ୍ୟରେ ତାଙ୍କ କ୍ଳାନ୍ତ ଶରୀର ଅବଶ ହୋଇପଡ଼ିଲା । ଗଭୀର ନିଦ୍ରାରେ ନଦ୍ରିତ ହେଲେ ବିକ୍ରମଦେବ ।

 

ପ୍ରଭାତରେ ଉଠି ଦେଖିଲେ ସେ, ବାଙ୍କୀମୁହାଣୀ ନଦୀର ସ୍ନିଗ୍‌ଧ ବାଲୁକାରାଶି ଉପରେ ବିଛାଡ଼ି ହୋଇ ପଡ଼ିଛି ସୂର୍ଯ୍ୟ କିରଣ । ନଦୀ ଜଳରେ ସ୍ନାନରତ ଭକ୍ତଜନଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣରେ ମୁଖରିତ ହେଉଛି ସମଗ୍ର ଅଞ୍ଚଳ । ମୁହଁ ବୁଲାଇଲେ ସେ–କୁଟୀରର ଦ୍ଵାର ଉନ୍ନୁକ୍ତ, ସ୍ପଷ୍ଟ ଦିଶୁଛି ରାଧାମାଧବଙ୍କ ବିଗ୍ରହ, ସତେ ଅବା କହୁଛନ୍ତି ସେ ବିଗ୍ରହ–ଉଠ ବିକ୍ରମଦେବ ! ଉଠ ପାର୍ବତୀ ! ପକ୍ଷୀର କାକଳିରେ ପ୍ରଭାତ ଶବ୍ଦାୟିତ ହେଲାଣି । ଆଉ ଶୟନ କରିଛ କାହିଁକି ?

 

ଚମକି ପଡ଼ିଲେ ବିକ୍ରମଦେବ । ଏତେ ଡେରି ପର୍ଯ୍ୟନ୍ତ ଶୟନ କରିବା ହୁଏତ ତାଙ୍କ ନିକଟରେ ଏ ପ୍ରଥମ । ବିକଳରେ ଡାକ ଛାଡ଼ିଲେ ସେ–ପାର୍ବତୀ ! ପଦ୍ମା ! ପୀତାମ୍ବର ! ଉଠ, ଅନେକ ଡେରି ହେଲାଣି । ଆଉ କେତେବେଳ ଶୟନ କରିବ ? ବିକ୍ରମଙ୍କ ଡାକରେ ଉଠିପଡ଼ିଲେ ସମସ୍ତେ । ଲର୍ଜିତା ହେଲେ ପାର୍ବତୀ ନିଜ ଶୟନ ତ୍ୟାଗର ବିଳମ୍ବ ପାଇଁ । ଉଚ୍ଚ କଣ୍ଠରେ କହିଲେ ବିକ୍ରମଦେବ–“ପାର୍ବତୀ ! ଚାଲି ଶୀଘ୍ର ବାଙ୍କୀମୁହାଣୀ ନଦୀରେ ନିତ୍ୟକର୍ମ ଶେଷକରି ଆସିବା ଏବଂ ଆମ ଅନୁସନ୍ଧାନରେ ବାହାରିଯିବା ।

 

ଉତ୍ତର ନ ଦେଇ ସ୍ଵାମୀଙ୍କ ନର୍ଦ୍ଦେଶ ଅନୁସାରେ ବାଙ୍କୀମୁହାଣୀ ନଦୀ ଆଡ଼େ ଆଗେଇଲେ ପାର୍ବତୀ, କନ୍ୟା ପଦ୍ମା ଏବଂ ପୁତ୍ର ପିତାମ୍ବରଙ୍କୁ ସଙ୍ଗରେ ଧରି । ପଛେ ପଛେ ଚାଲିଲେ ବିକ୍ରମଦେବ । ଅଳ୍ପ ସମୟ ପରେ ନିତ୍ୟକର୍ମ ଶେଷ କରି ବାହୁଡ଼ି ଆସିଲେ ସେମାନେ । ଏବେ ବିଦାୟ ନେବେ ଯୁବକ ସେବକଙ୍କଠାରୁ । କିନ୍ତୁ କାହାନ୍ତି ସେ ଯୁବକ ସେବକ ?

 

ଅପେକ୍ଷା କରି ବସିରହିଲେ ବିକ୍ରମଦେବ । କହିଲେ–“ପାର୍ବତୀ ! ଆମେ ଗୋଟିଏ ରାତି ଯୁବକ ସେବକଙ୍କର ଆତିଥ୍ୟ ଗ୍ରହଣ କରିଛେ । ତାଙ୍କ ପ୍ରଦତ୍ତ ମହାପ୍ରସାଦ ସେବନ କରନ୍ତେ । ତାଙ୍କ କୁଟୀର ଦ୍ଵାରରେ ଆଶ୍ରୟ ଗ୍ରହଣ କରିଛେ । ତାଙ୍କଠାରୁ ବିଦାୟ ନ ନେଇ ଆମେ ଯିବା କେମିତି ? ରାଧାମାଧବଙ୍କ ମୂର୍ତ୍ତି ଶୋଭିତ ତାଙ୍କ କୁଟୀରର ହାର ମଧ୍ୟ ଉନ୍ମୁକ୍ତ ରହିଛି । ଏପରି ପରିସ୍ଥିତିରେ ଯୁବକଙ୍କଠାରୁ ବିଦାୟ ନ ନେଇ ସ୍ଥାନ ତ୍ୟାଗକଲେ ଆମ୍ଭେମାନେ ଅମଣିଷ ଏବଂ ଅପାତ୍ର ବୋଲି କଥିତ ହେବା ।”

 

ପାର୍ବତୀ କହିଲେ–“ଆପଣଙ୍କ କଥା ସତ୍ୟ ପ୍ରଭୁ । କିନ୍ତୁ ଯୁବକ କେତେବେଳେ ଫେରିବେ ଆମେ ଜାଣିବା କିପରି ? କେତେ ସମୟ ଆମେ ଏଠାରେ ଅପେକ୍ଷା କରି ରହିବା ? ଆଜି ଆମ ଉପରେ ଗୋଟିଏ ଦାୟିତ୍ଵ ନୁହେଁ, ଦୁଇଟି ଦାୟିତ୍ଵ ।”

 

–“ଦୁଇଟି ଦାୟିତ୍ଵ ?ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରିବା ପରି ଚାହିଁରହିଲେ ବିକ୍ରମଦେବ ।”

 

ନମ୍ର କଣ୍ଠରେ କହିଲେ ପାର୍ବତୀ–“ହଁ ପ୍ରଭୁ ! ଗତ କାଲି ପର୍ଯ୍ୟନ୍ତ ଆମେ କେବଳ ଆମ ଅଭିଷ୍ଟ ବ୍ୟକ୍ତିକୁ ଖୋଜୁଥିଲେ । ଆଜି ସେପରି ବ୍ୟକ୍ତିକୁ ଖୋଜିବା ସହିତ ଆହାର ସଂଗ୍ରହ ଲାଗି ଭିକ୍ଷା କରିବାକୁ ହେବ ।”

 

ମୁଣ୍ଡ ହଲାଇ ସମର୍ଥନ କରୁ କରୁ କହିଲେ ବିକ୍ରମଦେବ–“ହଁ ମୁଁ ଜାଣେ ପାର୍ବତୀ, କଉଡ଼ି ଶେଷ ହୋଇଛି । ତେଣୁ ଆମକୁ ଭିକ୍ଷା କରିବାକୁ ହେବ । କିନ୍ତୁ ସେବକ ଯୁବକ ଆସିବା ପୂର୍ବରୁ ଆମେ ଯିବା କିପରି ?”

 

ଆଉ କିଛି ଉତ୍ତର ନ ଦେଇ ନୀରବ ରହିଲେ ପାର୍ବତୀ । କାରଣ ସେ ଜାଣନ୍ତି–ସ୍ଵାମୀ ବିକ୍ରମଦେବ କେବେହେଲେ ଅନ୍ୟାୟୋଚିତ କାର୍ଯ୍ୟ କରିବେ ନାହିଁ କିମ୍ବା ନିଜର ସିଦ୍ଧାନ୍ତରୁ ତିଳେ ହେଲେ ଟଳିବେ ନାହିଁ ।

 

ଅପେକ୍ଷା କଲେ ସମସ୍ତେ ସେବକ ଯୁବକଙ୍କୁ । ଦିନ ଶେଷ ହୋଇ ପୁଣି ରାତ୍ରି ଆସିଲା । ତଥାପି ଯୁବକଙ୍କର ଦର୍ଶନ ନାହିଁ । କ’ଣ କରିବେ ବିକ୍ରମଦେବ ? ଉପାୟ ନ ପାଇ ରାଧାମାଧବଙ୍କ ବିଗ୍ରହ ସମ୍ମୁଖରେ ବସି ଗାନ କଲେ ଭଜନ । ବସି ବସି ନିଦ୍ରା ଗଲେ ପାର୍ବତୀ ଏବଂ ପୁତ୍ର ପୀତାମ୍ବର । କେବଳ କନ୍ୟା ପଦ୍ମାବତୀ ବସିଥିଲେ ସଜଳ ନୟନରେ ସେହି ରାଧାମାଧବଙ୍କୁ ଚାହିଁ । ଏପରି ସମୟରେ ହାତରେ ପୂର୍ବ ରାତ୍ରି ପରି ଦୁଇଟି ଅବଢ଼ା କୁଡ଼ୁଆ ଧରି କୁଟୀର ନିକଟରେ ପହଞ୍ଚିଲେ ସେ ଯୁବକ । ଅତିଥିମାନେ ଅପେକ୍ଷା କରିଥିବାର ଦେଖି କହିଲେ–‘‘ଆପଣମାନେ ଯାଇନାହାନ୍ତି ?”

 

ଧ୍ୟାନ ଭଗ୍ନ ହେଲା ବିକ୍ରମଦେବଙ୍କର । ଉତ୍ତର ଦେଇ କହିଲେ ସେ–“ତୁମେ ରାତିରୁ ଉଠି କେଉଁଆଡ଼େ ଚାଲିଗଲ, ଆମେ ବିଦାୟ ନ ନେଇ ଯାଇଥାନ୍ତୁ କେମିତି ? କେବଳ ତୁମକୁ ଚାହିଁଚାହିଁ ସମଗ୍ର ଦିନଟି ବିତିଯାଇ ପୁଣି ରାତି ହୋଇଛି ।”

ଆଶ୍ଚର୍ଯ୍ୟ ହେଲେ ଯୁବକ ଅତିଥିମାନଙ୍କର ବିଶ୍ଵସ୍ତତା ଦେଖି,କହିଲେ–“ବାବା ! ଆପଣମାନେ ମୋତେ ଅପେକ୍ଷା କରି କରି କିଛି ଭୋଜନ କରି ନଥିବେ । ପ୍ରଥମେ ମହାପ୍ରସାଦ ସେବନ କରନ୍ତୁ, ତା’ପରେ ଶୟନ କରିବେ ଏବଂ ପ୍ରଭାତରୁ ଆପଣଙ୍କ ଗନ୍ତବ୍ୟ ପଥରେ ଚାଲିଯିବେ-।’’

ଯୁବକଙ୍କର ଆବେଗଭରା ଅଭ୍ୟର୍ଥନାରେ ପ୍ରୀତ ହେଲେ ବିକ୍ରମଦେବ । ଡାକ ପକାଇଲେ ପାର୍ବତୀଙ୍କୁ–“ଉଠ ପାର୍ବତୀ ! ଦିନସାରା ଅନାହାରରେ ବିତାଇଛ ! ମହାପ୍ରସାଦ ସେବନ କର, ପଦ୍ମା ଏବଂ ପୀତାମ୍ବରଙ୍କୁ ମହାପ୍ରସାଦ ଦିଅ ।” ଡାକ ଶୁଣି ଉଠିଲେ ପାର୍ବତୀ । ସ୍ଵାମୀଙ୍କ ନର୍ଦ୍ଦେଶ ଅନୁସାରେ ଅନାବିଳ ଚିତ୍ତରେ ବାଢ଼ିବସିଲେ ମହାପ୍ରସାଦ । ଆନନ୍ଦରେ ଭୋଜନ କଲେ ସମସ୍ତେ ।

ତତ୍ପରେ ଯୁବକ କହିଲେ–“ବାବା ! ଆପଣମାନେ ଶୟନ କରନ୍ତୁ । ମୁଁ ଠାକୁରଙ୍କ ସେବାପରେ ବିଶ୍ରାମ ନେବି ।”

ଯୁବକଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ବିକ୍ରମଦେବ । ତେବେ କ’ଣ ଏ ଯୁବକ ଦିବା ରାତ୍ରି କେବଳ ଦେବ ଆରାଧନାରେ ସମୟ ବିତାଉଛନ୍ତି ? କିନ୍ତୁ କୌଣସି ପ୍ରଶ୍ନ ପଚାରିବାକୁ ଉଚିତ ମନେକଲେ ନାହିଁ ସେ । କାରଣ ସେ ତାଙ୍କର ଅଯାଚିତ ଅତିଥି । ଅତିଥି ହୋଇ ଗୃହସ୍ଵାମୀର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପ୍ରଶ୍ନ କରିବାରୁ କି ଅଧିକାର ଅଛି ତାଙ୍କର ?

କେବଳ ଭୋଜନ ଶେଷରେ ରାଧାମାଧବଙ୍କୁ ପ୍ରଣାମ ଜଣାଇ ଶୟନ କଲେ ବିକ୍ରମଦେବ । ସ୍ଵପ୍ନ ଦେଖିଲେ । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିକଟରେ କାନ୍ଦି କାନ୍ଦି ଅଳି କରୁଛନ୍ତି ସେ–ମହାପ୍ରଭୁ ! ତୁମ ନିର୍ଦ୍ଦେଶରେ କନ୍ୟାରତ୍ନକୁ ସଙ୍ଗରେ ଧରି ଆସିଲି ମୁଁ । ଦିନ ଦିନ ଗଳିକନ୍ଦି ବୁଲିଲି ଶ୍ରୀକ୍ଷେତ୍ରରେ । କିନ୍ତୁ କାହାନ୍ତି ପ୍ରଭୁ ତୁମ ନିରତ ସେବକ I ସେପରି ସେବକ ନ ପାଇ ହତାଶ ମୁଁ । ମୋତେ ସେ ସେବକଙ୍କ ନିକଟରେ ପହଞ୍ଚାଇ ଦିଅ ପ୍ରଭୁ । ମୁଁ କନ୍ୟାର ମମତା ଭୁଲି ତାକୁ ସେହି ସେବକ ନିକଟରେ ଛାଡ଼ି ଯିବାକୁ ପ୍ରସ୍ତୁତ ।” ହଠାତ୍ ଶ୍ରୀଜଗନ୍ନାଥ ମହାପ୍ରଭୁ ଆବିର୍ଭୂତ ହେଲେ ଶଙ୍ଖ, ଚକ୍ର, ଗଦା, ପଦ୍ମ ହସ୍ତରେ । ଲଳିତ ଅଧରରେ ହାସ୍ୟରେଖା ପୁଟାଇ କହିଲେ–“କାହାକୁ ଖୋଜୁଛ ତୁମେ ବିକ୍ରମଦେବ ? ମୋର ନିରତ ସେବକଙ୍କୁ ? ସେ ଯେ ତୁମ ନିକଟରେ । ତୁମେ ତାଙ୍କରି କୁଟୀରରେ ଅତିଥି । ଆଉ ବୁଲିବୁଲି ପଥକ୍ଳାନ୍ତ ନ ହୋଇ କନ୍ୟା ପଦ୍ମାବତୀଙ୍କୁ ତାଙ୍କ ହସ୍ତରେ ଅର୍ପଣ କର ବିକ୍ରମଦେବ । ସେଥିରେ ମୁଁ ପ୍ରୀତ ହେବି ।”

ସ୍ଵପ୍ନ ଶେଷରେ ହସିଉଠି ଡାକ ଛାଡ଼ିଲେ ବିକ୍ରମଦେବ–“ପ୍ରଭୁ ! ଆଉ କ୍ଷଣେ ଠିଆହୁଅ ପ୍ରଭୁ, ମୁଁ ଆଖି ପୂରାଇ ଦେଖିନିଏ ।” ବିକ୍ରମଦେବଙ୍କ ଡାକରେ ଚମକି ପଡ଼ିଲେ ପାର୍ବତୀ–“ଏଁ କାହାକୁ କ’ଣ କହୁଛନ୍ତି ଆପଣ ?” କରୁଣା ବିଭୋର ବିକ୍ରମଦେବ କହିଲେ–“ପ୍ରଭୁ ଜଗନ୍ନାଥଙ୍କୁ ଡାକୁଥିଲି ପାର୍ବତୀ ! ସେ ଆସିଥିଲେ–ମୋତେ ନିରତ ସେବକଙ୍କୁ ଚିହ୍ନାଇ ଦେଇଗଲେ ।”

–“ସତେ ?” ରୋମାଞ୍ଚିତ ହୋଇଗଲା ପାର୍ବତୀଙ୍କ ଶରୀର ।

ସେତେବେଳକୁ ରାତ୍ରି ଶେଷ ହୋଇ ଆସିଥିଲା । ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି କୁଟୀର ମଧ୍ୟକୁ ପ୍ରବେଶ କରିଥିଲେ ଯୁବକ ସେବକ । ଆଶ୍ଚର୍ଯ୍ୟ ହୋଇ ମନେମନେ ଚିନ୍ତା କରୁଥିଲେ ବିକ୍ରମଦେବ–ଏଇ ସୁଠାମ ସୁଦୃଶ୍ୟ ଯୁବକ ତା’ହେଲେ ସେହି ମହାପ୍ରଭୁଙ୍କ ନିରତ ସେବକ ? ଆଖି ତାଙ୍କର ଲାଖିରହିଲା ଯୁବକଙ୍କ ଉପରେ । ଯୁବକ କିନ୍ତୁ କେଉଁଆଡ଼େ ନ ଚାହିଁ ପ୍ରବେଶ କଲେ କୁଟୀର ମଧ୍ୟରେ ଏବଂ ଲାଗିଗଲେ ଠାକୁରଙ୍କ ସେବାରେ ।

ନିଥର ନୟନରେ ସେମିତି ଚାହିଁଥାନ୍ତି ବିକ୍ରମଦେବ । ଯୁବକଙ୍କ ସେବା ଶେଷ ହେଲା । ସେ ପ୍ରସ୍ତୁତ ହେଲେ ବାହାରକୁ ଯିବାପାଇଁ । ବୋଧହୁଏ ନିତିଦିନ ପ୍ରତ୍ୟୁଷରୁ ରାଧାମାଧବଙ୍କ ସେବା ପୂଜା ଶେଷକରି ଶ୍ରୀମନ୍ଦିରକୁ ଯାତ୍ରା କରନ୍ତି ଯୁବକ ।

କୁଟୀର ସମ୍ମୁଖରେ ବିକ୍ରମଦେବଙ୍କୁ ଦେଖି ପ୍ରଶ୍ନ କଲେ ଯୁବକ–“ବାବା ! ଆପଣମାନେ ନିତ୍ୟକର୍ମ ଶେଷକରି ବିଦାୟ ନେବେ । ମୁଁ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀମନ୍ଦିର ଯାତ୍ରା କରୁଛି ।” ଯୁବକଙ୍କର ବାକ୍ୟରେ ଘନ ଘନ ନିଃଶ୍ଵାସ ନିର୍ଗତ ହେଲା ବିକ୍ରମଦେବଙ୍କର I ସେ ଅନୁଭବ କଲେ ସତେ ଅବା ସ୍ଵୟଂ ଅନାଦି ପୁରୁଷ ନାରାୟଣ ତରୁଣ ସେବକ ରୂପ ଧରି ଆଶ୍ରୟ ନେଇଛନ୍ତି ବାଙ୍କୀମୁହାଣୀ ନଦୀ ତଟ କୁଟୀର ମଧ୍ୟରେ । ଜଡ଼ ହୋଇଆସୁଥିଲା ତାଙ୍କ ଅଙ୍ଗପ୍ରତ୍ୟଙ୍ଗ । ତଥାପି ନିଜର ଭବାବେଗକୁ ସଂଯତ କରି କହିଲେ ସେ–“ବାବା ! ଆମେ ଦୁଇରାତି ତୁମର ଆତିଥ୍ୟ ଗ୍ରହଣ କରିଛୁ, ମହାପ୍ରସାଦ ସେବନ କରିଛୁ । ତା’ର ପ୍ରତିଦାନରେ ମୁଁ ତୁମକୁ କିଛି ଦାନ କରିବାକୁ ଇଚ୍ଛାକରେ । ତୁମେ ଗ୍ରହଣ କର ।”

–“ପ୍ରତିଦାନ ?” ଚମକି ପଡ଼ିଲେ ଯୁବକ । କହିଲେ–“ବାବା ! ମୁଁ ତ’ ପ୍ରତିଦାନ ଆଶାରେ ଆପଣଙ୍କୁ ମୋ କୁଟୀରରେ ଅତିଥି କରିନାହିଁ । ପ୍ରତିଦାନ ଗ୍ରହଣ କରିବି କାହିଁକି ?”

ଯୁକ୍ତି କଲେ ବିକ୍ରମଦେବ, କହିଲେ–“ଆମେ ଅଯାଚିତ ଭାବେ ତୁମର ଆତିଥ୍ୟ ଗ୍ରହଣ କରିଥିଲୁ, ସେମିତି ଅଯାଚିତଭାବେ ପ୍ରତିଦାନ ଦେଇଯିବୁ । ତୁମେ ବାରଣ କରୁଛ କାହିଁକି ବାବା !”

–“କି ପ୍ରତିଦାନ ଦେବେ ଆପଣ ?”କହିଲେ ଯୁବକ ।

–“ମୁଁ ମୋର କନ୍ୟା ପଦ୍ମାବତୀକୁ ତୁମ ହସ୍ତରେ ଅର୍ପଣ କଲି ଯୁବକ । ଏଇ ମୋର ପ୍ରତିଦାନ ।”

କମ୍ପିତ ପଦରେ ପଛକୁ ହଟିଆସିଲେ ଯୁବକ, କହିଲେ–“ଏ କି କଥା କହୁଛନ୍ତି ବାବା ! ମୁଁ ଯେ ଆବାଲ୍ୟରୁ ସନ୍ନ୍ୟାସୀ । ସଂସାର ସୁଖ ପ୍ରତି ମୋର ମୋହ ନାହଁ । ଏଇ ରାଧାମାଧବଙ୍କ ବିଗ୍ରହରେ ମୁଁ ଦେଖେ ଶ୍ରୀ ଜଗନ୍ନାଥଙ୍କୁ ଏବଂ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ମୁଁ ଦେଖେ ରାଧାମାଧବଙ୍କୁ । ଏଇମାନେ ମୋର ଆକର୍ଷଣ । ମୁଁ ଆପଣଙ୍କ କନ୍ୟାକୁ ଗ୍ରହଣ କରି କି ସୁଖ ପାଇବି ବାବା ? ମୋତେ ଆପଣ ଏ ସାଂସାରିକ ବନ୍ଧନରେ ବାନ୍ଧି ନ ଦେଇ ବିଦାୟ ନିଅନ୍ତୁ । କ୍ଷଣିକ ଉତ୍ତେଜନାରେ ଆପଣ ଯେଉଁ ପ୍ରତିଦାନ ଦେଉଛନ୍ତି–ସେ ମୋର ସନ୍ନ୍ୟାସୀ ଜୀବନକୁ ଅକାରଣ କରିଦେବ ବାବା ! ମୋତେ ମୁକ୍ତ ଦିଅନ୍ତୁ ।”

–“ଏ ଯେ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶ ।”

–“ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶ ??” ଆଶ୍ଚର୍ଯ୍ୟ ଆଖିରେ ଚାହିଁଲେ ଯୁବକ । କହିଲେ–“ପ୍ରଭୁ ଏପରି ନିର୍ଦ୍ଦେଶ ଦେଇ ନ ପାରନ୍ତି ବାବା ! ଆପଣ ତାଙ୍କୁ ଆଉଥରେ ମୋର ନିବେଦନ ଜଣାନ୍ତୁ । ସେ ତାଙ୍କ ନିର୍ଦ୍ଦେଶ ଫେରାଇ ନେବେ । ମୋତେ ସାଂସାରିକ ବନ୍ଧନରୁ ମୁକ୍ତ କରିବେ ।” କହୁ କହୁ ଯୁବକ ଆଗେଇବାରେ ଲାଗିଲେ ଶ୍ରୀମନ୍ଦିର ଆଡ଼େ । କଣ୍ଠରୁ ଝରୁଥିଲା ଅମୃତର ଧାରା ପରି ନାରାୟଣ ସ୍ତୋତ୍ର ।

 

ନିର୍ବାକ୍ ହୋଇ ଠିଆ ହୋଇଥିଲେ ବିକ୍ରମଦେବ । ଯୁବକଙ୍କର ଯିବା ବାଟକୁ ଚାହିଁ ଅଶ୍ରୁ ମୋଚନ କରୁଥିଲେ ପାର୍ବତୀ ଏବଂ କୁଟୀରର କାନ୍ଥକୁ ଆଉଜି ପାଦର ଅଙ୍ଗୁଳିରେ ଚଟାଣ ଉପରେ ଗାର କାଟୁଥିଲେ କନ୍ୟା ପଦ୍ମାବତୀ ।

 

ଶେଷରେ ହତାଶ ହୋଇ ଦୀର୍ଘ ନିଃଶ୍ଵାସ ପକାଇଲେ ବିକ୍ରମଦେବ । କହିଲେ–“ଆଉ ଅପେକ୍ଷା କରନାହିଁ ପାର୍ବତୀ ! ମୋର ସ୍ଵପ୍ନ ଭୁଲ ହୋଇଯାଇଛି । ଉଠ, ଏବେ ଅନ୍ୟ ସ୍ଥାନକୁ ଯାତ୍ରା କରିବା । ଶ୍ରୀଜଗନ୍ନାଥଙ୍କ ପାଦତଳେ ପଡ଼ି ଆହୁରି ମିନତି କରିବା, ସେ ତାଙ୍କ ନିରତ ସେବକଙ୍କୁ ଚିହ୍ନାଇ ଦେବେ ।”

 

–“ଆଉ କେତେଦିନ ବୁଲିବା ପ୍ରଭୁ ! ଏଥର ଗ୍ରାମକୁ ଫେରିଚାଲନ୍ତୁ । ପୁଣି କେବେ ସମୟ ସୁବିଧା ଦେଖି ଶ୍ରୀକ୍ଷେତ୍ରକୁ ଆଗମନ କରି ଅନୁସନ୍ଧାନ କରିବା ।” କହିଲେ ପାର୍ବତୀ ।

 

–“ହଉ ତେବେ ଆସ ପାର୍ବତୀ ! ଆଉ ବିଳମ୍ବ ନ କରି ଗ୍ରାମ ଅଭିମୁଖେ ଯାତ୍ରା କରିବା”, କହିଲେ ବିକ୍ରମଦେବ ।

 

କଥା ଶୁଣୁ ଶୁଣୁ କୁଟୀର ଦ୍ଵାରରୁ ବଡ଼ଦାଣ୍ଡ ଉପରକୁ ଓହ୍ଲାଇ ଆସିଲା ଶିଶୁପୁତ୍ର ପୀତାମ୍ବର । ପାର୍ବତୀ ମଧ୍ୟ ଓହ୍ଲାଇ ଆସିଲେ ବଡ଼ଦାଣ୍ଡ ଉପରକୁ । କେବଳ କୁଟୀରର କାନ୍ଥକୁ ଆଉଜି ଠିଆ ହୋଇଥାଏ ପଦ୍ମାବତୀ ପଥର ମୂର୍ତ୍ତି ପରି । ଧୀର ଗଳାରେ ଡାକିଲେ ବିକ୍ରମଦେବ–“ମାଆ ପଦ୍ମା ! ଓହ୍ଳେଇ ଆ’ ତଳକୁ । ପ୍ରଖର ସୂର୍ଯ୍ୟ ତାପ ପୂର୍ବରୁ ଅତି କମ୍‌ରେ କିଛି ପଥ ଅତିକ୍ରମ କରିଯିବା ଆମେ ।”

 

ମୁହଁ ଟେକି ପିତାଙ୍କ ଆଡ଼େ ଚାହିଁଲେ ପଦ୍ମାବତୀ । କହିଲେ–“ବାବା ! ମୋତେ ଯେ ଆପଣ ଦାନ କରି ସାରିଛନ୍ତି । ମୁଁ ଆଉ ଆପଣଙ୍କର ନୁହେଁ । ଏଇ ଯୁବକ ସନ୍ନ୍ୟାସୀଙ୍କର । ତାଙ୍କ ଅନୁମତି ନ ପାଇ ମୁଁ ଯିବି କୁଆଡ଼େ ?”

 

ସ୍ତମ୍ଭୀଭୂତ ହୋଇପଡ଼ିଲେ ବିକ୍ରମଦେବ । “କ’ଣ କହୁଛି କନ୍ୟା ପଦ୍ମାବତୀ ? ଏ କ’ଣ ତା’ର ଅନ୍ତରର କଥା ?”ଅଧୀର ହୋଇ ପ୍ରଶ୍ନକଲେ ସେ–

 

“ମାଆ, ଯୁବକ ଯେ ମୋର ଦାନ ଗ୍ରହଣ କଲେ ନାହିଁ । ପ୍ରତ୍ୟାଖ୍ୟାନ କରି ଚାଲିଗଲେ-। ଏପରି ଅବସ୍ଥାରେ ମୁଁ ତୋତେ ଏଠାରେ ଏକୁଟିଆ ଛାଡ଼ି ଯିବି କିପରି ?”

 

–“ଥରେ ଦାନ ଦେବା ପରେ ଆଉ ଦାନ ସାମଗ୍ରୀ ପ୍ରତି ମୋହ କାହିଁକି ବାବା ! ମାଆ ଏବଂ ପୀତାମ୍ବରଙ୍କୁ ଧରି ଆପଣ ଆନନ୍ଦରେ ଚାଲିଯାଆନ୍ତୁ । ମୁଁ ଏହିଠାରେ ରହୁଛି । ସନ୍ନ୍ୟାସୀଙ୍କର ସ୍ତ୍ରୀ ନ ହେଲେ ମଧ୍ୟ ରାଧାମାଧବଙ୍କ ସେବକୀ ହୋଇ ରହିବି ଚିରକାଳ । ମୋ ମନରେ ତିଳେମାତ୍ର ଦୁଃଖ ନାହଁ ବାବା ! ବରଂ ମୁଁ ଆନନ୍ଦିତ, ଜଣେ ଆଜନ୍ମ ସନ୍ନ୍ୟାସୀ ଏବଂ ରାଧାମାଧବଙ୍କର ସାନ୍ନିଧ୍ୟ ଲାଭକରି ।”

ବିକ୍ରମଦେବଙ୍କ ଗଣ୍ଡଦେଇ ବହିଗଲା ଆନନ୍ଦାଶ୍ରୁ । ବିଚଳିତ କଣ୍ଠରେ କହିଲେ ସେ–ତୋ’ଠାରୁ ଏହି ଉତ୍ତର ମୁଁ ଆଶା କରୁଥୁଲି ମା’ । ତୁ ଠିକ୍ କହିଛୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶ ହିଁ ତୁ ପାଳନ କରିବାକୁ ଉପଯୁକ୍ତା । ତୋ ଜୀବନର ଯାତ୍ରାପଥରେ ମୁଁ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁ ନାହିଁ ମାଆ । ଜଗନ୍ନାଥଙ୍କ ନିର୍ଦ୍ଦେଶ ପାଳନ କରି ମୁଁ ପାର୍ବତୀ ଏବଂ ପୀତାମ୍ବରଙ୍କୁ ସଙ୍ଗରେ ଧରି ଗ୍ରାମକୁ ଫେରିଯାଉଛି । ତୁ ତୋର ଭବିଷ୍ୟତର ସୁନାର ସଂସାର ସୃଷ୍ଟିରେ ସଫଳ ହୋ–ଏହାହିଁ ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା ।”

ପିତା ବିକ୍ରଦେବଙ୍କ ଆର୍ଶୀବାଦ ବାଣୀ ଶ୍ରବଣ କରି ଆନନ୍ଦିତା ହେଲେ ପଦ୍ମାବତୀ ଏବଂ ବଡ଼ଦାଣ୍ଡକୁ ଓହ୍ଳାଇଯାଇ ପାଦ ଧୂଳି ନେଲେ ପିତା–ମାତାଙ୍କର । କାନ୍ଦୁଥିଲେ ପାର୍ବତୀ ଆଖିକୁ ଚିପୁଡ଼ି...ପଦ୍ମାବତୀକୁ ଚାହିଁ । ବୋକା ଭଳି ଏ ସବୁ ଦୃଶ୍ୟ ଦେଖୁଥିଲା ଶିଶୁପୁତ୍ର ପୀତାମ୍ବର । ପଦ୍ମାବତୀ ତାକୁ ଥରେ କୋଳକୁ ଆଉଜାଇ ଆଣି ମୁଣ୍ଡର କେଶରେ ହାତ ମାରିଲେ ଏବଂ ପର ମୁହୂର୍ତ୍ତରେ ଆଖିରୁ ଲୁହ ପୋଛି ପୁଣି ଫେରିଆସିଲେ କୁଟୀରର ପିଣ୍ଡା ଉପରକୁ ।

ଆଉ କୁଟୀର ଆଡ଼େ ମୁହଁ ନ ଫେରାଇଁ ଆଗକୁ ଆଗେଇଲେ ବିକ୍ରମଦେବ; କିନ୍ତୁ ବାରମ୍ବାର ପଛକୁ ଚାହୁଁଥିଲେ ପାର୍ବତୀ । ସତେ ଯେମିତି ତାଙ୍କ ହୃଦୟ ରହିଯାଇଥିଲା କୁଟୀର ଦ୍ଵାରରେ । କୁଟୀରଟି ଅଦୃଶ୍ୟ ହେବା ପର୍ଯ୍ୟନ୍ତ ସେ ଚାହିଁଥିଲେ ଥରକୁଥର ।

ପିତାମାତା ଏବଂ ଛୋଟ ଭାଇ ପୀତାମ୍ବର ଦୃଷ୍ଟି ଅନ୍ତରାଳକୁ ଚାଲିଯିବା ପରେ ମୁହଁ ବୁଲାଇ ମାଧବଙ୍କ ଆଡ଼େ ଚାହିଁଲେ ପଦ୍ମାବତୀ । କାନ୍ଦିଲେ ପିଲାଙ୍କ ପରି ରାଧାମାଧବଙ୍କ ନିକଟରେ-। କହୁଥିଲେ ମନେ ମନେ–‘ହେ ପ୍ରଭୁ ମାଧବ ! ଯେଉଁ ଅଜଣା ପଥରେ ମୁଁ ପାଦ ଦେଇଛି, ସେ ପଥରେ ତୁମେ ମୋର ସହାୟକ ହୁଅ । ମୋ ଜୀବନକୁ ସାର୍ଥକ କର ।” ଆଉ ନିଜକୁ ସମ୍ଭାଳି ନପାରି ଠାକୁରଙ୍କ ଆଗରେ ଠୋ ଠୋ ମୁଣ୍ଡ ପିଟିଲେ ପଦ୍ମାବତୀ । ଏ କ୍ରନ୍ଦନର ସ୍ଵର ଶୁଣିବାକୁ କେହି ନାହିଁ, ଆଖିରୁ ଲୁହ ପୋଛିଦେବାକୁ କେହି ନାହିଁ । କେବଳ ମୂକସାକ୍ଷୀ ପଥର ଦେବତା ରାଧାମାଧବ ମୂର୍ତ୍ତି ।

ନିଜକୁ ନିଜେ ସାନ୍ତ୍ୱନା ଦେଇ ଉଠିଲେ ପଦ୍ମାବତୀ । ପରୀକ୍ଷା କରିନେଲେ ସମଗ୍ର କୁଟୀରଟି । ରାଧାମାଧବଙ୍କ ମୂର୍ତ୍ତି କଡ଼ରେ କେତୋଟି ତାଳପତ୍ର ପୋଥି, କଡ଼କୁ ଚନ୍ଦନ ପେଡ଼ି, ଫୁଲ ଚାଙ୍ଗୁଡ଼ି, ଛୋଟ କମଣ୍ଡଳୁ, ମାଟି ପାଣି କଳସୀ, କେତୋଟି ନଡ଼ିଆ ଚଟେଇ ଏବଂ ସାମାନ୍ୟ କେତେଖଣ୍ଡ ଛୋଟ ପରିଧାନର ସାମଗ୍ରୀ । ହସିଉଠିଲେ ପଦ୍ମାବତୀ–ଏଇ ହେବ ମୋର ଛୋଟ ସଂସାର । ଏହାରି ଦେହରେ ମୁଁ ବଞ୍ଚିବି ନୂତନ ଜୀବନର ସନ୍ଧାନ କରି ।

ଆଉ କାଳବିଳମ୍ବ ନ କରି ଫୁଲ ଚାଙ୍ଗୁଡ଼ିଟି ହାତରେ ଧରି ବାଙ୍କୀମୁହାଣୀ ନଦୀ ଆଡ଼େ ବାହାରିଗଲେ ସେ । ପ୍ରଥମେ ନଦୀରେ ସ୍ନାନ ଶେଷକରି ତୀର ଦେଶର ଫୁଲଗଛ ଗୁଡ଼ିକରୁ ତୋଳିଲେ କନିଅର, ଟଗର, ତରାଟ, ମଧୁମାଳତୀ ଫୁଲ । ଚାଙ୍ଗୁଡ଼ି ପୂର୍ଣ୍ଣକରି ଫେରିଆସିଲେ କୁଟୀରକୁ । ସଜାଇଦେଲେ ରାଧାମାଧବଙ୍କୁ ବିଭିନ୍ନ ପୁଷ୍ପରେ ସୁନ୍ଦର ଦିଶିଲେ ମୂର୍ତ୍ତି ଦୁଇଟି । ତା’ପରେ ଚନ୍ଦନ ଘୋରି ଠାକୁରଙ୍କ ମୁଣ୍ଡରେ ପିନ୍ଧାଇଦେଲେ ପଦ୍ମାବତୀ । ଆହୁରି ମନମୁଗ୍‌ଧକର ଦିଶିଲେ ମୂର୍ତ୍ତିଗୁଡ଼ିକ । ତା’ପରେ ଖଣ୍ଡିଏ ନଡ଼ିଆପତ୍ରର ଆସନ ପକାଇ ବସିଲେ ସେ ଏବଂ ଗାନ କଲେ ରାଧାମାଧବଙ୍କ ଭଜନ–

ଅଚ୍ୟୁତଂ କେଶବଂ ରାମନାରାୟଣଂ

କୃଷ୍ଣଦାମୋଦରଂ ବାସୁଦେବଂ ହରିଂ

ଶ୍ରୀଧରଂ ମାଧବଂ ଗୋପିକାବଲ୍ଲଭଂ

ଜାନକୀନାୟକଂ ରାମଚନ୍ଦ୍ରଂ ଭଜେ ।

ଅଚ୍ୟୁତଂ କେଶବଂ ସତ୍ୟଭାମାଧବଂ

ମାଧବଂ ଶ୍ରୀଧରଂ ରାଧିକାରାଧିତଂ

ଇନ୍ଦିରା ମନ୍ଦିରଂ ଚେତସା ସୁନ୍ଦରଂ

ଦେବକୀ ନନ୍ଦନଂ ନନ୍ଦଜଂ ସନ୍ଦଧେ ।

ଏ ଭଜନ ସୁନ୍ଦର ମନୋହର ସ୍ଵର-ଝଙ୍କାର ତୋଳି ଉଛୁଳିପଡ଼ିଲା ବଡ଼ଦାଣ୍ଡ ଉପରକୁ । ନଦୀରୁ ସ୍ନାନ ସାରି ଦିଅଁ ଦର୍ଶନ ପାଇଁ ଯାତ୍ରା କରୁଥିବା ଭକ୍ତବୃନ୍ଦଙ୍କ ପାଦ ଅଟକି ରହିଲା କୁଟୀର ସମ୍ମୁଖରେ । କ୍ଷଣେ କାଳ ଅପେକ୍ଷା କରି ଭଜନ ଶ୍ରବଣରେ ନିଜକୁ କୃତାର୍ଥ ମଣୁଥିଲେ ସେମାନେ । ଦିନସାରା ଏମିତି ଭଜନ ଗାନ କରି କରି କ୍ଳାନ୍ତ ହେଲେ ପଦ୍ମାବତୀ । ସନ୍ଧ୍ୟା ଆଗତ ପ୍ରାୟ ଦେଖି ଆଲୋକ ସଂଯୋଗ କଲେ ଛୋଟ ପ୍ରଦୀପଟିରେ ଏବଂ ଠାକୁରଙ୍କୁ ଧୂପ ପ୍ରଦାନ କରି ଆସି ବିଶ୍ରାମ ନେଲେ କୁଟୀରର ପିଣ୍ଡାରେ ।

ରାତି ଦୁଇଘଡ଼ି ବେଳକୁ ଆସିଲେ ସେବକ ଯୁବକ । କୁଟୀର ମଧ୍ୟକୁ ପ୍ରବେଶ କରି ଆଶ୍ଚର୍ଯ୍ୟାନ୍ଵିତ ହୋଇଗଲେ ସେ । ଏଁ...ଠାକୁରଙ୍କୁ ବିବିଧ ପୁଷ୍ପରେ ମଣ୍ଡି ଦେଇଛି କିଏ ? ଠାକୁରଙ୍କୁ ସନ୍ଧ୍ୟା ଧୂପ ପ୍ରଦାନ କରିଛି କିଏ ଏବଂ ପ୍ରଦୀପଟିରେ ଅଗ୍ନି ସଂଯୋଗ କରିଛି କିଏ ? ମନରେ ତାଙ୍କର ହଠାତ୍ ଅନେକ ପ୍ରଶ୍ନ ଉଙ୍କି ମାରିଲା । ଭଲ କରି କୁଟୀର ଭିତରେ ଆଖି ବୁଲାଇନେଲେ ଯୁବକ । ପ୍ରତ୍ୟେକ ସ୍ଥାନରେ ବିଭିନ୍ନ ପଦାର୍ଥ ସୁସଜ୍ଜିତ । ଗନ୍ଧ ଚନ୍ଦନର ସୁବାସରେ ସ୍ଥାନଟି ମନମୁଗ୍‌ଧକର ହୋଇପଡ଼ିଛି ।

ଏତିକିବେଳେ ମାଟି କଳସୀରେ ପାଣି ଆଣି ଯୁବକଙ୍କ ସମ୍ମୁଖରେ ରଖିଦେଇ ପଦ୍ମାବତୀ କହିଲେ–“ପଦ ଧୌତ କରନ୍ତୁ ପ୍ରଭୂ !”

 

–“କିଏ ତୁମେ ?” ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ ଯୁବକ ।

 

–“ମୁଁ ପଦ୍ମାବତୀ ।”

 

–“ହଁ...ବିକ୍ରମଦେବ ଶର୍ମାଙ୍କ କନ୍ୟା ପଦ୍ମାବତୀ ।”

 

–“ଓହୋ ବୁଝିଲି, ତୁମର ପିତାମାତା କ’ଣ ବିଦାୟ ନେଇ ଯାଇନାହାନ୍ତି ?”

 

–“ହଁ ସେମାନେ ଗ୍ରାମକୁ ଫେରି ଯାଇଛନ୍ତି ।”

 

–“ତେବେ ତୁମେ ରହିଲ କେମିତି ପଦ୍ମାବତୀ ?”

 

–“ସେମାନେ ଯେ ମୋତେ ଆପଣଙ୍କ ହସ୍ତରେ ଦାନ କରି ସାରିଛନ୍ତି ପ୍ରଭୁ ! ପୁଣି ଦାନ ସାମଗ୍ରୀକୁ ଲେଉଟାଇ ନେବେ କିପରି ?”

 

–“କିନ୍ତୁ ମୁଁ ସେ ତାଙ୍କ ଦାନ ଗ୍ରହଣ କରିନାହିଁ ।”

 

–“ମୁଁ ଜାଣେ, ତଥାପି ଦାତା ଆଉ ଦାନ ସାମଗ୍ରୀ ପ୍ରତି ମୋହ ରଖିଲେ ଯେ ତାଙ୍କ ପୁଣ୍ୟ ନଷ୍ଟ ହେବ ।”

 

–“କିନ୍ତୁ ମୁଁ ଯେ ସଂସାରୀ ହୋଇପାରିବି ନାହିଁ ପଦ୍ମାବତୀ ! ସନ୍ନ୍ୟାସୀ ଜୀବନ ମୋର କାମନା, ସାଂସାରିକ ମୋହରୁ ମୁକ୍ତି ମୋର ବାସନା । ତୁମେ ମୋର ପ୍ରତିବନ୍ଧକ ହେବାକୁ ଚେଷ୍ଟା କରୁଛ କାହିଁକି ?”

 

“–ନା ପ୍ରଭୁ ! ତିଳେ ହେଲେ ମୁଁ ପ୍ରତିବନ୍ଧକ ହେବାକୁ ଚାହେଁ ନାହିଁ । ମୋତେ ଆପଣ ପତ୍ନୀ ରୂପରେ ଗ୍ରହଣ ନ କରନ୍ତୁ, କିନ୍ତୁ ରାଧାମାଧବଙ୍କ ସେବକ ଏବଂ ଆପଣଙ୍କ ସେବକୀ ହୋଇ ଏଇ କୁଟୀରରେ ରହିବାକୁ ଅନୁମତି ପ୍ରଦାନ କରନ୍ତୁ । ସେତିକରେ ମୋର ସନ୍ତୋଷ, ଅଧିକ କଛି ଲୋଡ଼ା ନାହିଁ ।”

 

ପଦ୍ମାବତୀଙ୍କ ଅନୁରୋଧ ଶ୍ରବଣ କରି ବ୍ୟଥିତ ଚିତ୍ତରେ ନୀରବ ହୋଇଗଲେ ଯୁବକ । ହାତରେ ଧରିଥିବା ମହାପ୍ରସାଦ କୁଡ଼ୁଆ ଦୁଇଟି ରଖୁ ରଖୁ ପ୍ରଶ୍ନକଲେ–“ତୁମେ ଭୋଜନ କରିଛ ?”

 

ହସିଲେ ପଦ୍ମାବତୀ, କହିଲେ–“ଆପଣଙ୍କ ଭୋଜନ ପୂର୍ବରୁ ମୁଁ କିପରି ଭୋଜନ କରନ୍ତି ପ୍ରଭୁ ! ଆପଣଙ୍କ ଉଚ୍ଛିଷ୍ଟ ହିଁ ମୋର ଭୋଜନ ସାମଗ୍ରୀ ।”

 

–“ପଦ୍ମାବତୀ !!” କ୍ଷୀଣ କଣ୍ଠରେ ଆର୍ତ୍ତନାଦ କରିଉଠିଲେ ଯୁବତୀ । କିନ୍ତୁ ଗଭୀର ରାତ୍ରିରେ ଜଣେ ଯୁବତୀଙ୍କୁ ସେ ତିରସ୍କାର କରିବେ କେଉଁ ଯୁକ୍ତି ନେଇ । ବାଧ୍ୟ ହୋଇ ନିଜକୁ ନିଜେ ପୁଣି ସାନ୍ତ୍ୱନା ଦେଲେ ଏବଂ ରାଧାମାଧବଙ୍କ ବିଗ୍ରହ ସମ୍ମୁଖରେ ଦଣ୍ଡାମାନ ହୋଇ ପ୍ରାର୍ଥନା କରି ଉଚ୍ଚ କଣ୍ଠରେ କହିଲେ–ପ୍ରଭୁ ! ତୁମରି ଇଚ୍ଛା ହିଁ ପୂର୍ଣ୍ଣ ହେଉ । ତା’ପରେ ଠାକୁରଙ୍କର ସେବାକାର୍ଯ୍ୟ ଶେଷକରି ଭୋଜନ କଲେ ମହାପ୍ରସାଦ ।

 

କୁଟୀରର ଦ୍ଵାରଦେଶରେ ଦଣ୍ଡାୟମାନ ହୋଇ ଯୁବକଙ୍କୁ ଆଖି ପୂରେଇ ଦେଖି ନେଉଥିଲେ ପଦ୍ମାବତୀ । ମନରେ ତାଙ୍କର ଜାତ ହେଉଥଲା ଇନ୍ଦ୍ରପୁରୀର ଭା‍ବାନ୍ତର । ସେ ତାଙ୍କରିଠାରୁ ଖୋଜିବାକୁ ଚେଷ୍ଟା କରୁଥିଲେ ରାଧାମାଧବଙ୍କ ମହନୀୟତା ଏବଂ ପିତାମାତାଙ୍କର ଅଫୁରନ୍ତ ସ୍ନେହ । ଯୁବକଙ୍କର ଭୋଜନ ଶେଷରେ ପଦ୍ମାବତୀ ବଳିପଡ଼ିଥିବା ମହାପ୍ରସାଦ ଟିକକ ଉଠାଇ ଆଣି ଆନନ୍ଦରେ ସେବନ କଲେ କୁଟୀର ଦ୍ଵାରରେ ।

 

ସେବକ ଯୁବକ ଯୁବତୀ ପଦ୍ମାବତୀଙ୍କୁ ଆଉ କିଛି ପ୍ରଶ୍ନ ନ କରି ତାଳପତ୍ର ପୋଥିଗୁଡ଼ିକୁ ଖେଳାଇ ବସିଲେ ଏବଂ କ’ଣ ଲେଖିଲେ ଲେଖନୀରେ । କିଛି ଦୂରରେ ଅପେକ୍ଷା କରି ସେସବୁ ଲକ୍ଷ୍ୟ କରୁଥିଲେ ପଦ୍ମାବତୀ । ଏପରି ବହୁ ସମୟ ବିତିବା ପରେ ଯୁବକ ଲେଖନ ଏବଂ ତାଳପତ୍ରକୁ ଯଥା ସ୍ଥାନରେ ରଖି ବିଶ୍ରାମ ନେଲେ । ପଦ୍ମାବତୀ ମଧ୍ୟ ବିଶ୍ରାମ ନେଲେ ନିଜ ପଣତକାନି ବିଛାଇ ।

 

ରାତ୍ରିର ଶେଷ ପ୍ରହରରେ ନୀତିଦିନ ପରି ଯୁବକ ଶଯ୍ୟା ତ୍ୟାଗକଲା ବେଳକୁ ଦେଖିଲେ ପଦ୍ମାବତୀ ନାହିଁ । ଆଶ୍ଚର୍ଯ୍ୟ ହେଲେ ସେ, ତେବେ କ’ଣ ହତାଶ ହୋଇ ପଦ୍ମାବତୀ କେଉଁଆଡ଼େ ଚାଲିଯାଇଛି ? ମନେ ମନେ ଆଶ୍ଵସ୍ତ ହେଉଥିଲେ ଯୁବକ । ଠିକ୍ ଏତିକିବେଳେ ଦେଖିଲେ ପଦ୍ମାବତୀ ବାଙ୍କୀମୁହାଣୀ ନଦୀରୁ ସ୍ନାନ ଶେଷକରି ଫେରୁଛି । ହାତରେ ସଦ୍ୟ ପ୍ରସ୍ଫୁଟିତ କୁସୁମ ପରିପୂର୍ଣ୍ଣ ଫୁଲ ଚାଙ୍ଗୁଡ଼ି ।

 

ବିମୁଗ୍‌ଧ ହୋଇ ଚାହିଁ ରହିଲେ ଯୁବକ ସଦ୍ୟସ୍ନାତା ଯୁବତୀ ପଦ୍ମାବତୀଙ୍କୁ । ଅଙ୍ଗରେ ତାଙ୍କର ସୁଷମାର ଭଣ୍ଡାର । ଉନ୍ନତ ଏବଂ ମାଂସାଳ ଅଙ୍ଗଗୁଡ଼ିକର ସୁଷମା ଜଳଭିଜା କ୍ଷୁଦ୍ର ପରିଧାନକୁ ବେଖାତିର କରି ବିଛାଡ଼ି ହୋଇପଡ଼ୁଛି ଚତୁର୍ଦ୍ଦିଗକୁ । ଲଜ୍ଜାବନତ ହୋଇପଡ଼ିଲେ ପଦ୍ମାବତୀ । ଫୁଲ ଚାଙ୍ଗୁଡ଼ିଟି ରଖି ପ୍ରଥମେ ଯୁବକଙ୍କ ପାଦତଳେ ପ୍ରଣତି ନିବେଦନ କଲେ ସେ । ତତ୍ପରେ ଫୁଲ ଚାଙ୍ଗୁଡ଼ି ଧରି ପ୍ରବେଶ କଲେ କୁଟୀର ମଧ୍ୟକୁ ।

 

ଯୁବକଙ୍କ ମନର ଅଭ୍ୟନ୍ତରରେ ସୃଷ୍ଟି ହେଲା ଏକ ଅନାହତ ନାଦର ଝଙ୍କାର । ଅନୁପମ ରାଗିଣୀ ତୋଳି ସେ ଝଙ୍କାର ତରଙ୍ଗାନ୍ଵିତ ହୋଇ ମିଶିଗଲା ବାଙ୍କୀମୁହାଣୀ ନଦୀର ଜଳରେ । ଆନମନା ହୋଇ ଯୁବକ ପାଦ ବଢ଼ାଇଲେ ଆଗକୁ ସ୍ନାନ ଉଦ୍ଦେଶ୍ୟରେ ।

 

ଏଣେ ପଦ୍ମାବତୀ କୁଟୀର ମଧ୍ୟକୁ ଆସି କୁସୁମରେ ଦେବତାମାନଙ୍କୁ ମଣ୍ତିଦେଲେ । ସୁବାସିତ ଚନ୍ଦନ ଘୋରି ପ୍ରଲେପ ଦେଲେ । କମଣ୍ଡଳୁରେ ଜଳ ଭରି ଯଥା ସ୍ଥାନରେ ରଖିଦେଲେ । କୁଟୀର ଏବଂ କୁଟୀର ବାହାରେ ଜଳ ସିଞ୍ଚନ କରି ସ୍ଥାନଟିକୁ ପବିତ୍ର କରିଦେଲେ ।

 

ସ୍ନାନ ଶେଷରେ କୁଟୀରକୁ ପ୍ରତ୍ୟାବର୍ତ୍ତନ କରି ଆନନ୍ଦିତ ହେଲେ ଯୁବକ । ଲାଗିଗଲେ ନିଜର ସେବା କାର୍ଯ୍ୟରେ । କିଛି ଦୂରରେ ଠିଆହୋଇ ପୂଜାର ବିଧିବିଧାନ ଲକ୍ଷ୍ୟ କରୁଥିଲେ ପଦ୍ମାବତୀ ।

 

ଅଳ୍ପ ସମୟ ମଧ୍ୟରେ ପୂଜା ଶେଷ ହେଲା । ଯୁବକ ପ୍ରସ୍ତୁତ ହେଲେ ଶ୍ରୀମନ୍ଦିର ଯାତ୍ରା ପାଇଁ । ଏତିକିବେଳେ ସମ୍ମୁଖରେ ଦଣ୍ଡାୟମାନ ହେଲେ ପଦ୍ମାବତୀ । କହିଲେ–“ଠାକୁରଙ୍କର ନିତିଦିନର ସେବା ପୂଜା ପାଇଁ ମୋତେ କିଛି ନିର୍ଦ୍ଦେଶ ଦେବେ ପ୍ରଭୁ ?”

 

ଅପ୍ରସ୍ତୁତ ହୋଇପଡ଼ିଲେ ଯୁବକ । କାରଣ ସେତେବେଳେ ସେ ଭାବାବେଗରେ ଲକ୍ଷ୍ୟ କରୁଥିଲେ ପଦ୍ମାବତୀଙ୍କୁ । ତଥାପି ଅନ୍ୟମନସ୍କ ଭାବେ କହିଲେ ସେ–“ତୁମେ ଆଉଥରେ ଚିନ୍ତାକର ପଦ୍ମାବତୀ ! ଜଣେ ସଂସାର ତ୍ୟାଗୀ ଏକୁଟିଆ ଯୁବକ ସନ୍ନ୍ୟାସୀର କୁଟୀରରେ ଆଶ୍ରୟ ଗ୍ରହଣ କରି କି ସୁଖ ଲାଭ କରିବ ? ବରଂ ପିତାମାତାଙ୍କ ନିକଟକୁ ଫେରିଯିବା ଭଲ ।”

 

କାନ୍ଦିଉଠିଲେ ପଦ୍ମାବତୀ । କହିଲେ–“ପ୍ରଭୁ ! ମୋତେ ରାଧାମାଧବଙ୍କର ଏବଂ ଆପଣଙ୍କ ସେବାରୁ ବଞ୍ଚିତ କରନ୍ତୁ ନାହିଁ । ମୁଁ ଅଧିକ କିଛି ଚାହେ ନାହିଁ । ଚାହେ କେବଳ ପଦତଳେ ଆଶ୍ରୟ ।”

 

ଯୁବତୀଙ୍କ ଅନୁରୋଧ ଶ୍ରବଣ କରି ଦୀର୍ଘ ନିଃଶ୍ଵାସ ପକାଇଲେ ଯୁବକ ଏବଂ ଆଉଥରେ ସ୍ଥିର ଚକ୍ଷୁରେ ପଦ୍ମାବତୀଙ୍କୁ ଚାହିଁ ପାଦ ବଢ଼ାଇଲେ ଆଗକୁ ।

 

ବିଜୟ ଉଲ୍ଲାସରେ ନାଚିଉଠି ରାଧାମାଧବଙ୍କ ବିଗ୍ରହ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ପଦ୍ମାବତୀ । ତାଙ୍କ ଚକ୍ଷୁରୁ ନିର୍ଗତ ହେଉଥିଲା ଆନନ୍ଦାଶ୍ରୁ । ମନେ ମନେ କହୁଥିଲେ ସେ–“ମୋର ଅଭିଳାଷ ପୂର୍ଣ୍ଣ କର ପ୍ରଭୁ ରାଧାମାଧବ । ମୋର ଜୀବନକୁ ସାର୍ଥକ କର ।”

 

ଚାଲିଗଲେ ଯୁବକ । କାଳବିଳମ୍ବ ନ କରି ନିଜର କାର୍ଯ୍ୟରେ ଲାଗିଗଲେ ପଦ୍ମାବତୀ । ଗନ୍ଧ ଚନ୍ଦନ ଘୋରୁଥିବା ସମୟରେ ମନରେ ପଡ଼ୁଥିଲା ପିତାମାତା ଛୋଟ ଭା‍ଇ ପୀତାମ୍ବର ଏବଂ ଋଷିକୁଲ୍ୟା କୂଳ ରାଈପୁରର ସାଙ୍ଗସାଥୀଙ୍କ କଥା । କେତେ ପୁଚିଖେଳ, କୁଆଁର ପୂନେଇଁ ଜହ୍ନରେ ଗୀତର ଲହର ଏବଂ ନଦୀ ଜଳରେ ଜଳ କ୍ରୀଡ଼ା । କ’ଣ କରୁଥିବେ ସାଙ୍ଗସାଥୀମାନେ ? ସ୍ନାନ ଶେଷରେ ମେଳ ହୋଇ ମା’ ତାରା-ତାରିଣୀ ମନ୍ଦିରକୁ ଯାଉଥିବେ ତ ?

 

ପିତା ବିକ୍ରମଦେବ ଗ୍ରାମରେ ବୁଲି ପୂଜା ପାଠ ଶେଷକରି ଭ୍ରମବଶତଃ ଡାକୁଥିବେ ତ–ମା’ ପଦ୍ମା ! ମୁଠାଏ କ’ଣ ଖାଇବାକୁ ଆଣ । କିଏ ପରଷି ଦେଉଥିବ ତାଙ୍କ ଖାଦ୍ୟସାମଗ୍ରୀ ?ନିଜର ଭୁଲ ପାଇଁ ନିଜେ ବ୍ୟଥିତ ହେଉଥିବେ ସେ । ପଦ୍ମା ଡାକରେ ମଧ୍ୟ ଚମକ ଖେଳୁଥିବ ମା’ ପାର୍ବତୀଙ୍କ ମନରେ । ବାଡ଼ିପଟ ଆମ୍ବ ମୂଳରେ ଠିଆହୋଇ ଆଖିରୁ ଲୁହ ନିଗାଡ଼ୁଥିବେ ସେ, ନିନ୍ଦୁଥିବେ ନିଜର ଭାଗ୍ୟକୁ ଏବଂ ଶିଶୁ ପୀତାମ୍ବର ଗାଁ ଦାଣ୍ଡରେ ଖେଳୁଖେଳୁ ଧାଇଁଆସୁଥିବ ବାରମ୍ବାର ଘର ଭିତରକୁ–ଅପା ! ମତେ ଶାମ କକାଙ୍କ ପୁଅ ରାଧୁଆ ମାଇଲା I ତା’ ଅବୁଝା ଅଝଟ ଶୁଣୁଥିବ କିଏ ?

 

ପର ମୁହୂରେ ଲଜ୍ଜିତ ହେଉଥିଲେ ପଦ୍ମାବତୀ । ଏଁ...ଏ ମୁଁ କ’ଣ ଚିନ୍ତା କରୁଛି ! ସେମାନେ ଯେ ମାତ୍ର ଗତକାଲି ଶ୍ରୀକ୍ଷେତ୍ର ଛାଡ଼ିଛନ୍ତି । ଗ୍ରାମରେ ପହଞ୍ଚିବାକୁ ଆହୁରି ଦୁଇଦିନ ଲାଗିବ । ବୋଧହୁଏ ପାଦରେ ଚାଲି ଚାଲି କାହାର ଦ୍ଵାରରେ କିମ୍ବା କେଉଁ ଗ୍ରାମ ଶେଷ ବରଗଛ ମୂଳେ ବିଶ୍ରାମ ନେଇଥିବେ ସେମାନେ । କ୍ଳାନ୍ତି ଶେଷରେ ପୁଣି ଆରମ୍ଭ କରିବେ ତାଙ୍କ ଯାତ୍ରା ? ଯାତ୍ରା ସମୟରେ ମନରେ ପଡ଼ୁଥିବି ମୁଁ । ଆଶ୍ଵାସନା ଦେଇ କହୁଥିବେ ପିତା–ତୁମେ ବ୍ୟସ୍ତ ହୁଅନାହିଁ ପାର୍ବତୀ ! ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦେଶ ପାଳନ କରିଛନ୍ତି । ସେତିକିରେ ଆମର ସୁନ୍ତୋଷ । ପୁଣି ସମୟ ସୁଯୋଗ ଦେଖି ଆମେ ଆସିବା । ଆଦରର କନ୍ୟା ପଦ୍ମାବତୀକୁ ଦେଖିଯିବା । ତୁମେ ବ୍ୟସ୍ତ ହେଉଛ କାହିଁକି ? କିନ୍ତୁ ଅମନା ହେଉଥିବା ପୀତାମ୍ବର । ବାରମ୍ବାର ପ୍ରଶ୍ନ କରୁଥିବ ସେ–ମା’ ! ଅପା କେବେ ଆସିବ ? ମୁଁ ଗାଁକୁ ଯିବନାହିଁ । ମୋତେ ଅପା ପାଖରେ ଛାଡ଼ି ଆସ ।

 

ପୀତାମ୍ବରର ଅଳିରେ ବ୍ୟସ୍ତ ହେଉଥିବେ ମାଆ ପାର୍ବତୀ ଏବଂ କେତେ ଆଳ ଦେଖାଇ ସାନ୍ତ୍ୱନା ଦେଉଥିବେ ସେ । ଛି ପୀତାମ୍ବର ! ଅପା ପର ଠାକୁରଙ୍କ ସେବାପାଇଁ ଶ୍ରୀକ୍ଷେତ୍ରରେ ରହିଲା-। ଅଳ୍ପ ଦିନ ମଧ୍ୟରେ ସେ ସେବା ଶେଷ କରି ଫେରିବ । ତୁ ବ୍ୟସ୍ତ ହେଉଛୁ କାହିଁକି ?

 

ଲୋତକ ଝରୁଥିବ ପିତା ବିକ୍ରମଦେବଙ୍କ ଚକ୍ଷୁରୁ ଥରକୁଥର । ନିଜ ଭାଗ୍ୟକୁ ନିନ୍ଦାକରି ଆଶ୍ଵସ୍ତ ହେଉଥିବେ ସେ ।

 

ଏମିତି କେତେ କ’ଣ ଚିନ୍ତା କରୁ କରୁ ବନ୍ଦ ହୋଇଯାଇଛି ଚନ୍ଦନ ଘୋରା । ଚମକିପଡ଼ିଲେ ପଦ୍ମାବତୀ ! ମୁଁ ଏସବୁ କ’ଣ ଚିନ୍ତା କରୁଛି ! ପିତା ଯେ ମୋତେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଦାନ କରିଦେଇଯାଇଛନ୍ତି । ମୁଁ ଆଉ ରାଈପୁରର ବିକ୍ରମଦେବ ଶର୍ମାଙ୍କ କନ୍ୟା ନୁହେଁ । ଏହା ବାଙ୍କୀମୁହାଣୀ ନଦୀ ତୀର କୁଟୀର ବାସୀ ଯୁବକ ସନ୍ନ୍ୟାସୀଙ୍କର ସେବକୀ । ରାଧାମାଧବଙ୍କର ଦାସୀ । ମୋ ମନର ଭାବାନ୍ତର ଶୋ‍ଭାପାଏ ନାହିଁ ।

 

ମୁହଁ ଫେରାଇ ରାଧାମାଧବଙ୍କ ଆଡ଼େ ଚାହିଁଲେ ପଦ୍ମାବତୀ । ଅଳିକରିବା ଭଙ୍ଗୀରେ କହିଲେ ସେ–“ମୋତେ ସାହସ ଦିଅ, ଶକ୍ତିଦିଅ ପ୍ରଭୁ ରାଧାମାଧବ ! ପିତାମାତା, ଭ୍ରାତା ଏବଂ ସାଙ୍ଗସାଥୀଙ୍କ ମୋହ ମୋତେ ଆଚ୍ଛନ୍ନ କରି ନରଖୁ । ଏକ ଦିବ୍ୟ ଆନନ୍ଦରେ ମୋର ଚିତ୍ତ ସତ୍ୟସନାତନର ସନ୍ଧାନ କରୁ । ଅପ୍ରାକୃତ ପ୍ରେମ ମୂର୍ତ୍ତିର ଆରାଧନାରେ ଅଣାକାର ସାକାରର ଭେଦ ନ ରହୁ । ଆହାର ଅନାହାର କ୍ଷୁଧା ତୃଷାରୁ ଦୂରରେ ରହି ମୁଁ ତୁମରି ସେବାରେ ଦିନ ବିତାଏ-। ଆଧ୍ୟାତ୍ମିକ ଆନନ୍ଦର ନୈସର୍ଗିକ ବିଭୋରତାରେ ମୋର ଚେତନା ପରମାତ୍ମିକ ସନ୍ତୋଷ ଲାଭ କରୁ । ସେତିକିରେ ମୁଁ ହେବି କୃତାର୍ଥ ।”

 

ନିର୍ନିମେଷ ନୟନରେ ଚାହିଁରହିଲେ ପଦ୍ମାବତୀ ରାଧାମାଧବଙ୍କୁ ନିଜ ମନର ସମସ୍ତ ନିବେଦନ ଜଣାଇ । ଆଶ୍ଚର୍ଯ୍ୟ ହେଲେ ସେ । ଏ କ’ଣ ? ହଠାତ୍ ଫୁଲ ଖସୁଛି ରାଧାମାଧବଙ୍କ ଦକ୍ଷିଣ ହସ୍ତରୁ । ତେବେ କ’ଣ ପ୍ରସନ୍ନ ହୋଇଛନ୍ତି ପ୍ରଭୁ ମାଧବ ! ଶୁଣିଛନ୍ତି ମୋର ମନର ବେଦନା-! ସାନ୍ତ୍ୱନା ପ୍ରଦାନ କରିଛନ୍ତି ମୋତେ !

 

ଲୋଟିପଡ଼ିଲେ ପଦ୍ମାବତୀ ରାଧାମାଧବଙ୍କ ଚରଣ ତଳେ ।

 

ସେ ସମୟରେ ବାଙ୍କୀମୁହାଣୀ ନଦୀରୁ ସ୍ନାନ ଶେଷକରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରୁଥିବା ସନ୍ନ୍ୟାସୀ ଗାନ କରୁଥିଲେ ପରମ ବିଷ୍ଣୁଙ୍କ ଜୟଗାନ–

 

“ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ

ଦେବୀଂ ସରସ୍ଵତୀଂ ବ୍ୟାସଂ ତତୋ ଜୟ ମୁଦୀରୟେତ୍ ।

ମୂକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘୟତେ ଗିରିଂ

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।”

 

ପରମପିତା ନାରାୟଣଙ୍କର ଏ ମହିମା କୀର୍ତ୍ତନ ପ୍ରତି କାନ ଡେରିଲେ ପଦ୍ମାବତୀ । ହଁ...ମୁଁ ରାଈପୁରର ମୂକ ଯୁବତୀ ଆଜି ବାଚାଳା ହୋଇଛି, ପଙ୍ଗୁ ହୋଇ ଗିରି ଲଙ୍ଘନ କରିବାକୁ ମନରେ ଆଶା ପୋଷଣ କରିଛି । ହେ ମାଧବ ! ତୁମରି କୃପାରେ ମୋର ସ୍ଵପ୍ନ ସାର୍ଥକ ହେବ, ଜୀବନ ଧନ୍ୟ ହେବ ।

 

ଆଖିରୁ ଲୁହ ପୋଛି ଉଠିଲେ ସେ । ଲାଗିଗଲେ ଘର ସଜ୍ଜା କାମରେ । ମନେହେଲା ମୋତେ ଯେମିତି ଅନେକ କାମ କରିବାର ଅଛି ଏ କୁଟୀର ମଧ୍ୟରେ । ଆଉ ବିଳମ୍ବ ନକରି କଳସୀରେ ପାଣି ଆଣି ଲିପି ବସିଲେ ଘରଟିକୁ । ବେଶ୍ ସୁନ୍ଦର ଦିଶିଲା କୁଟୀରର ଅଭ୍ୟନ୍ତର । ମନେ ମନେ ଆନନ୍ଦିତା ହେଲେ ସେ ।

 

ଏମିତ ଦିନସାରା କାମରେ ଲାଗିଲାଗି ପୁଣି ସନ୍ଧ୍ୟା ଆସିଲା । ଧୂପ ସଜାଡ଼ି ବସିଲେ ପଦ୍ମାବତୀ । ମନେ ମନେ ଚିନ୍ତାକଲେ–ଗତକାଲି ଯୁବକ ସେବକଙ୍କର ସମସ୍ତ ସେବାପୂଜାର ବିଧିବିଧାନ ଲକ୍ଷ୍ୟ କରିଛି ମୁଁ । ଆଜି ଆଉ ତାଙ୍କ ଆଗମନକୁ ଅପେକ୍ଷା ନକରି ନିଜେ ସବୁ ଶେଷ କରିଦେବି । ସେ ଆସିଲେ ନିଶ୍ଚୟ ଆନନ୍ଦିତ ହେବେ ।

 

କାଳବିଳମ୍ବ ନକରି ପଦ୍ମାବତୀ ଲାଗିଗଲେ ସନ୍ଧ୍ୟା ଆଳତି କାର୍ଯ୍ୟରେ । ଧୂପ ଏବଂ ଆଳତି ଶେଷରେ ଭୋଗ ଅର୍ପଣ କରି ଠାକୁରଙ୍କ ପହୁଡ଼ ପକାଇଲେ ପଦ୍ମାବତୀ ।

 

ରାତି ଦୁଇଘଡ଼ି ସରିକି ଫେରିଲେ ଯୁବକ । ଦେଖିଲେ ଠାକୁରଙ୍କର ସବୁ କାର୍ଯ୍ୟ ଶେଷ ହୋଇଛି । ଆଜି ଆଉ ଆଶ୍ଚର୍ଯ୍ୟ ନ ହୋଇ ଅବଢ଼ା କୁଡ଼ୁଆ ଦୁଇଟିକୁ ରଖିଦେଇ କଳସୀରୁ ଜଳ ନେଇ ମୁଖ ଧୌତ କଲେ । ଏଇ ଅବସରରେ ପୂର୍ବରୁ ସଜାଡ଼ି ରଖିଥ‌ିବା କଦଳୀପତ୍ରରେ ମହାପ୍ରସାଦ ବାଢ଼ିଦେଲେ ପଦ୍ମାବତୀ । ପତ୍ର କଡ଼ରେ ରଖିଦେଲେ ଜଳପାତ୍ର । କିଛି ଉତ୍ତର ନକରି ମୂକ ଏବଂ ବଧିର ପରି ଆସନ ଗ୍ରହଣ କରି ଭୋଜନ କଲେ ଯୁବକ । ତା’ପରେ ଉଠିଯାଇ ଖେଳାଇ ବସିଲେ ତାଳପତ୍ର ପୋଥିଗୁଡ଼ିକୁ ।

 

ସେହି ପତ୍ରରେ ବସି ମହା ଆନନ୍ଦରେ ଭୋଜନ କଲେ ପଦ୍ମାବତୀ ଏବଂ ଭୋଜନ ଶେଷରେ କୁଟୀରର କାନ୍ଥକୁ ଆଉଜି ଅନାଇ ରହିଲେ ଯୁବକଙ୍କୁ, ଏଥର ମୁହଁ ଖୋଲିଲେ ଯୁବକ । କହିଲେ–“ମୁଁ ଲକ୍ଷ୍ୟ କରୁଛି, ତୁମେ ଦିନ ସାର୍ ଖୁବ୍ ପରିଶ୍ରମ କରୁଛ ପଦ୍ମାବତୀ ! ଏବେ ବିଶ୍ରାମ ନିଅ, ଶୟନ କର ।” ଅଧରରେ ହସ ଫୁଟାଇ ଉତ୍ତରଦେଲେ ପଦ୍ମାବତୀ–“ପ୍ରଭୁ ! ଆପଣ ଶୟନ ନକଲେ ମୁଁ ଶୟନ କରିବି କିପରି ? ସାରା ଦିନ ଆପଣ ବିଶ୍ରାମ ନେଇ ନଥିବେ । ଆପଣ ତ କ୍ଳାନ୍ତ ନୁହନ୍ତି–ମୋର କ୍ଳାନ୍ତ ହେବାର କାରଣ କ’ଣ ଅଛି ?”

 

ଆଉ ଯୁକ୍ତି ନକରି କ’ଣ ଲେଖି ବସିଲେ । ଯୁବକ ଲେଖନୀରେ ତାଳପତ୍ର ଉପରେ । ସେ ଆଡ଼କୁ କେବଳ ନିରୀହ ଆଖିରେ ଚାହିଥାନ୍ତି ପଦ୍ମାବତୀ ।

 

ରାତ୍ରି ନିଃଶବ୍ଦ ହୋଇଆସିଲା, ବଡ଼ଦାଣ୍ଡ, ଜନଶୂନ୍ୟ ହୋଇଗଲା । ତା’ପରେ ପୋଥିଗୁଡ଼ିକୁ ସଜାଡ଼ି ରଖି ଶୟନ କରିବାକୁ ଉପକ୍ରମ କଲେ ଯୁବକ । ପୁଣି କହିଲେ ମୁହଁ ଖୋଲି–‘ଏଥର ଶୟନ କର ପଦ୍ମାବତୀ ! ଏହି ସମୟକୁ ଅପେକ୍ଷା କରିଥିଲେ ପଦ୍ମାବତୀ । ସେବକ ଯୁବକ ଶୟନ କରିବା ପରେ ପଦ୍ମାବତୀ ସନ୍ତର୍ପଣରେ ଉଠିଯାଇ ଆରମ୍ଭ କରିବାକୁ ବସିଲେ ପଦସେବା । ଚମକି ପଡ଼ିଲେ ଯୁବକ । କହିଲେ “ଏ କ’ଣ କରୁଛ ପଦ୍ମାବତୀ ?”

 

ଥରିଲା ଦୀପଶିଖାକୁ ଚାହିଁ କହିଲେ ପଦ୍ମାବତୀ–“ମୁଁ ଆପଣଙ୍କ ନିକଟରେ ଅଳି କରି ମିନତି ଜଣାଇଛି ପ୍ରଭୁ ! ମୋତେ ଆପଣ ପଦସେବାର ସ୍ଵାଧୀନତା ଦେବେ, ପୁଣି ବାରଣ କରୁଛନ୍ତି କାହିଁକି ?”

 

“ମୁଁ ଯେ ଅବିବାହିତ ଯୁବକ ସନ୍ନ୍ୟାସୀ ।”

 

–“ମୁଁ ବିବାହିତ ଅବିବାହିତ ପାର୍ଥକ୍ୟ ବୁଝେ ନାହିଁ ପ୍ରଭୁ ! ଆପଣଙ୍କ ପଦସେବା ହିଁ ମୋ ଜୀବନର ସାର୍ଥକତା ।”

 

–ପଦ୍ମାବତୀ !ତୁମେ ମୋତେ ଦୁର୍ବଳ କରିଦେବାକୁ ଚେଷ୍ଟା କରୁଛ ।”

 

“ରାଧାମାଧବଙ୍କ ପଦତଳେ ସେବାକଲେ କ’ଣ ରାଧାମାଧବ ଦୁର୍ବଳ ହୋଇପଡ଼ନ୍ତି ପ୍ରଭୁ-?”

 

–“ହଁ ଭକ୍ତର ନିକଟରେ ଭଗବାନ ସର୍ବଦା ଦୁର୍ବଳ ।”

 

–“କିନ୍ତୁ ସେଭଳି ଭକ୍ତ ହେବାର ସୌଭାଗ୍ୟ ମୋର ନାହିଁ ପ୍ରଭୁ ।”

 

–“ପଦ୍ମାବତୀ !”

 

–“ବାରଣ ନ କରି ଏଇ ସାମାନ୍ୟ ସ୍ଵାଧୀନତା ମୋତେ ପ୍ରଦାନ କରନ୍ତୁ ପ୍ରଭୁ । ମୁଁ ଅନ୍ତର ଦେଇ ଆପଣଙ୍କର ସେବା କରି ପରମ ପରିତୃପ୍ତ ଲାଭକରେ ।”

 

ଏଥର ନିରୁତ୍ତର ରହିଲେ ଯୁବକ । ପଦ୍ମାବତୀ ଲାଗିଗଲେ ସେବକ ଯୁବକଙ୍କର ପଦସେବାରେ ।

 

ନବଯୌବନା ସୁନ୍ଦରୀ ତରୁଣୀର ମାଦକଭରା ଅଙ୍ଗ ସ୍ପର୍ଶରେ ପୁଲକ ଜାତ ହେଲା ଯୁବକଙ୍କ ପ୍ରାଣରେ । ଅପୂର୍ବ ଶୀହରଣରେ ଥରିଉଠିଲେ ସେ । ଏ କି ବିଚିତ୍ର ଅନୁଭୂତି ! ବିଚିତ୍ର ଭାବାବେଗ ! ସ୍ଵର୍ଗରାଜ୍ୟର ନନ୍ଦନକାନନର ପାରିଜାତ ପୁଷ୍ପର ସୁଗନ୍ଧରେ ସତେ ଅବା ତାଙ୍କ ହୃଦୟ-ତନ୍ତ୍ରୀରେ ଏକ ଅଭିନବ ମେଘମହ୍ଳାର ରାଗିଣୀ । ଚିଦାନନ୍ଦମୟ ପରମବ୍ରହ୍ମଙ୍କ ଦୁର୍ଲଭ ଆଶୀର୍ବାଦ ସତେଅବା ରୂପ ଧାରଣ କରି ସ୍ପର୍ଶ କରିଛି ଅନ୍ତର ଆତ୍ମାକୁ । ଆ...ଏଇ ତ ପରମ ତୃପ୍ତି, ପରମ ସନ୍ତୋଷ ।

Unknown

 

ଅଳ୍ପ ସମୟ ମଧ୍ୟରେ ନୟନ ମୁଦ୍ରିତ ହୋଇଆସିଲା । ନିଘୋଡ଼ ନିଦ୍ରାରେ ସ୍ଵପ୍ନ ଦେଖିଲେ ସେ–

 

ଯମୁନା କୂଳରେ ମନୋରମ କେଳିକୁଞ୍ଜ । ଜୁଇ, ଜାଇ, ନିଆଳୀ, ମାଧବୀଲତାର କୁସୁମରାଜିରେ ବିମଣ୍ଡିତ ମଣ୍ଡପ । କଦମ୍ବ ବୃକ୍ଷ ମୂଳର କୋମଳ ସବୁଜପତ୍ର ଏବଂ ପୁଷ୍ପଶଯ୍ୟାରେ ଶାୟିତ ନବଘନ ଇନ୍ଦ୍ରନୀଳ କାନ୍ତି ଜଣା ଶ୍ରୀକୃଷ୍ଣ । ବଂଶୀର ବିମୋହିତ ସ୍ଵର ଝଙ୍କାରରେ ପ୍ରେମ ବିଭୋର ଉପବନ । ସେହି ନବୀନ ନୀଳଘନ ପଦ୍ମପାଦର ସେବାରେ ଆନମନା ବିମୋହିତା କେଳି ପ୍ରିୟା ରାଧାରାଣୀ । ପାର୍ଶ୍ଵ ଦେଶରେ ଅପେକ୍ଷମାଣା ସଖୀ ଲଳିତା ଏବଂ ବିଶାଖା ।

 

ଲଳିତ ଅଧରରେ ସ୍ମିତହାସ୍ୟ ଖେଳାଇ ବଂଶୀର ସ୍ଵର ଝଙ୍କାର ବନ୍ଦକରି ଅନୁରୋଧ କଲେ ଶ୍ରୀକୃଷ୍ଣ–ପ୍ରାଣପ୍ରିୟା ରାଧେ ! ରାତ୍ରି ଶେଷ ହୋଇଆସୁଛି, ଏବେ ବିଶ୍ରାମ ଗ୍ରହଣ କର ।

 

ଲୋଟିପଡ଼ିଲେ ରାଧିକା ସେହି ପଦଯୁଗଳ ଉପରେ–ପ୍ରଭୁ ! ଏ କୁଞ୍ଜରେ ଯେ କ୍ଳାନ୍ତି ନାହିଁ, ଅବସାଦ ନାହିଁ, ମୁଁ ବିଶ୍ରାମ ନେବି କାହିଁକି ?

 

ଦୁଷ୍ଟାମୀର ହସ ହସି ବାଙ୍କ ନୟନରେ ଚାହିଁଲେ ଶିଖୀଚୂଳିଆ ନନ୍ଦନନ୍ଦନ । ତୋଳିନେଲେ ରାଧିକାଙ୍କୁ ନିଜ ପ୍ରଶସ୍ତ ନବଘନ ବକ୍ଷ ଉପରକୁ । ପ୍ରଶାନ୍ତିର ସ୍ଵପ୍ନ ଦେଖି ସେ ବକ୍ଷରେ ନିଜକୁ ହଜାଇଦେଲେ ବୃଷଭାନୁ ଜେମା ରାଧିକା । ଆଃ...କି ଅପୂର୍ବ ସେ ଦୃଶ୍ୟ ! ପ୍ରକୃତି ସହିତ ବ୍ରହ୍ମର ମିଳନ । ଭକ୍ତ ସହିତ ଭଗବାନର ମିଳନ । ଅଣାକାର ସହିତ ସାକାରର ମିଳନ, ପରମ ସହିତ ଜୀବର ମିଳନ, ଜୀବନ ସହିତ ଯୌବନର ମିଳନ ।

 

ଶୀହରି ଉଠିଲେ ସ୍ଵପ୍ନବିଭୋର ଯୁବକ ଏଇ ଦୁର୍ଲଭ ଦୃଶ୍ୟର ଅନୁଭବରେ । ନିଦ୍ରାଭଗ୍ନ ହେଲା । ଲକ୍ଷ୍ୟ କଲେ ସେ–ପଦସେବା କରୁ କରୁ କ୍ଳାନ୍ତ ହୋଇ ପଦ ଉପରେ ମୁଣ୍ଡ ରଖି ନିଦ୍ରା ଯାଇଛନ୍ତି ସେବକୀ ପଦ୍ମାବତୀ । ଉଠାଇ ଦେବାକୁ ଇଚ୍ଛା ହେଉନାହିଁ । ଦୂରେଇ ଦେବାକୁ ଇଚ୍ଛା ହେଉନାହିଁ । ସତେଅବା ପ୍ରେମବିଦଗ୍‍ଧା ରାଧାରଣୀ ଶୟନ କରିଛନ୍ତି ପରମ ଆଶ୍ଵସ୍ତିରେ ଘନଶ୍ୟାମ ମନ୍ଦରଧର ବନମାଳୀଙ୍କ ପଦ୍ମପାଦର ଶଯ୍ୟା ଉପରେ । ଅନ୍ତରରେ ଭରା ପ୍ରଣୟର ଅର୍ଘ୍ୟ ।

 

ଚିନ୍ତା କରୁଥିଲେ ଯୁବକ ନିଜ ଗ୍ରାମ କେନ୍ଦୁବିଲ୍ଵର ଅଶ୍ଵସ୍ତ ବୃକ୍ଷ ମୂଳେ ସ୍ଥାପିତ ସେହି ଅସ୍ତିକା ଓ ଜରତ୍‌କାରୁଙ୍କ ପ୍ରସ୍ତରମୂର୍ତ୍ତି କଥା । ଅନେକ ସମୟରେ ସେ ମୂର୍ତ୍ତି ଭାବାନ୍ତର ସୃଷ୍ଟି କରିଥିଲା ତାଙ୍କ ସନ୍ନ୍ୟାସୀ ମନର ଗୋପନ କୋଣରେ । ଯାଯାବର ବଂଶର ଶେଷ କୁଳପ୍ରଦୀପ ଥିଲେ ଆଜୀବନ ତପସ୍ଵୀ ଜରତ୍‌କାରୁ । କ୍ରମେ ବୟସର ଚାପରେ ସେ ରୁକ୍ଷ, କର୍କଶ ଏବଂ ବୃଦ୍ଧ ହେବାରେ ଲାଗିଲେ । ଚିନ୍ତିତ ହୋଇପଡ଼ିଲେ ଯାଯାବର ବଂଶର ପିତୃପୁରୁଷମାନେ । ଜରତ୍‍କାରୁଙ୍କ ବ୍ୟତୀତ ଆଉ ଯେ ଯାଯାବର ବଂଶରେ କେହି ନାହାନ୍ତି । ବଂଶ ରକ୍ଷା ହେବ କିପରି ? ଯାଯାବର ବଂଶ ଦାୟାଦହୀନ ହେଲେ ପିତୃପୁରୁଷମାନେ ପିଣ୍ଡ ଗ୍ରହଣ କରିବାର ସୁଯୋଗ ଲାଭ କରିପାରିବେ ନାହିଁ । ତାଙ୍କ ଅତୃପ୍ତ ଆତ୍ମା ଘୂରିବୁଲିବ ଜଗତର ମୁର୍ଦ୍ଧ୍ନା ଦେଶରେ ଅନନ୍ତ କାଳ ପାଇଁ ।

 

ତେଣୁ ସମବେତ ହୋଇ ଅନୁରୋଧ କଲେ ସେମାନେ–ତପସ୍ଵୀ ଜରତ୍‌କାରୁ ! ତୁମେ ବିବାହ କର । ଏକ ପୁତ୍ର ସନ୍ତାନର ଜନକ ହୁଅ, ଯାଯାବର ବଂଶ ରକ୍ଷା ହେଉ ।

 

କମ୍ପି ଉଠିଲେ ବୃଦ୍ଧ ଜରତ୍‌କାରୁ । ଏ କି ଅଦ୍ଭୁତ ନିର୍ଦ୍ଦେଶ ଦେଉଛନ୍ତି ପିତୃପୁରୁଷଗଣ । ମୁଁ ଯେ କାମନା, ବାସନା, ଆସକ୍ତିହୀନ ଆଜନ୍ମ ବ୍ରହ୍ମଚାରୀ ଜରତ୍‌କାରୁ । ନାରୀର ମାଂସାଳ ଅଙ୍ଗଲତା ପ୍ରତି ମୋର ମୋହ ନାହିଁ । ପାର୍ଥିବ ସୁଖ ପ୍ରତି ମୋର ଆକର୍ଷଣ ନାହଁ । ମୋତେ ଏପରି ନିଷ୍ଠୁର ନିର୍ଦ୍ଦେଶ କାହିଁକି ଦେଉଛନ୍ତି ପିତୃପୁରୁଷଗଣ ।

 

ରୁଦ୍ର ଆବେଗରେ ଅସ୍ଥିର ହୋଇଉଠିଲେ ପିତୃପୁରୁଷଗଣ । ଜରତ୍‌କାରୁ ! ସଂସାର କରି ସନ୍ତାନ ଲାଭର ଲାଳସା ତୁମର ଥାଇ ନପାରେ । କିନ୍ତୁ ଆମର ଅନୁରୋଧରେ ତୁମକୁ ବଂଶରକ୍ଷା କରିବାକୁ ହେବ । ସ୍ତ୍ରୀ ଗ୍ରହଣ କରିବାକୁ ହେବ ।

 

ପିତୃପୁରୁଷଙ୍କ ନିର୍ଦ୍ଦେଶ ନ ମାନିଲେ ସମଗ୍ର ତପସ୍ୟାର ଫଳ ନଷ୍ଟ ହୋଇଯିବ । କ’ଣ କରିବେ ଜରତ୍‌କାରୁ ? ବ୍ୟଥିତ ଚିତ୍ତରେ କହିଲେ, ମୁଁ ଆପଣଙ୍କ ପ୍ରସ୍ତାବ ଗ୍ରହଣ କଲି ପିତୃପୁରୁଷଗଣ । କିନ୍ତୁ ଏଥିପାଇଁ ମୋର ଏକ ସର୍ତ୍ତ । କୌଣସି ନାରୀ ନିକଟରେ ମୁଁ ପ୍ରେମ ନିବେଦନ କରିବି ନାହିଁ । ବଳେ ବଳେ କୌଣସି ନାରୀ ପ୍ରେମ ନିବେଦନ କଲେ ମୁଁ ଗ୍ରହଣ କରିବି । ହେଲେ ସେ ନାରୀର ନାମ ସହିତ ମୋ ନାମର ସାମଞ୍ଜସ୍ୟ ଥିବା ଆବଶ୍ୟକ ।

 

ତପସ୍ଵୀ ଜରତ୍‌କାରୁଙ୍କ ସର୍ତ୍ତ ଶୁଣି ଆନନ୍ଦିତ ହୋଇ ଫେରିଗଲେ ପୂର୍ବପୁରୁଷଗଣ ।

 

ଏଣେ ଏକ ଅହେତୁକୀ ବିଷାଦ ଖେଳିଯାଇଥଲା ପାତାଳପୁରୀର ନାଗରାଜ୍ୟରେ । ଦିବାରାତ୍ରି ଚିନ୍ତା କରି କରି ଆହାର ତ୍ୟାଗ କରିଥିଲେ ନାଗରାଜା ବାସୁକୀ । କାରଣ ସେ ଜାଣିପାରିଥିଲେ ଯେ ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ଶପଥ କରିଛନ୍ତି ନାଗ ବଂଶ ଧ୍ଵଂସ କରିବା ପାଇଁ-। ନାଗ ଦଂଶନରେ ପରୀକ୍ଷିତ ପ୍ରାଣ ହରାଇଥିବା ହେତୁ ଜନ୍ମେଜୟଙ୍କର ପ୍ରତିହିଂସା-। ସେ ସର୍ପମେଧ ଯଜ୍ଞରେ ଜଗତରୁ ନାଗ ବଂଶକୁ ଧ୍ୱଂସ କରିଦେବେ । ଏହି ଯଜ୍ଞରେ ମନ୍ତ୍ରଗୁରୁ ହେବେ ତପସ୍ଵୀ ଜରତ୍‌କାରୁଙ୍କ ଭାବି ପୁତ୍ର ।

 

କିନ୍ତୁ ଜରତ୍‌କାରୁ ଅବିବାହିତ ଏବଂ ଆଜନ୍ମ ବ୍ରହ୍ମଚାରୀ ଥିବାରୁ ଆଶ୍ଵସ୍ତ ଥିଲେ ବାସୁକୀ । ଏବେ ଜରତ୍‌କାରୁ ବିବାହ ପାଇଁ ରାଜି ହୋଇଛନ୍ତି–ତେବେ କ’ଣ ନାଗ ବଂଶ ନିଶ୍ଚିହ୍ନ ହୋଇଯିବ ?

 

ଏପରି ଚିନ୍ତାରେ ବ୍ୟସ୍ତ ବିବ୍ରତ ନାଗରାଜ ବାସୁକୀ । ଚିନ୍ତାକୁଳ ଚିତ୍ତରେ ପଦଚାରଣ କରୁଛନ୍ତି ସେ ପ୍ରମୋଦ ଉଦ୍ୟାନ ମଧ୍ୟରେ I

 

ଚମକି ପଡ଼ିଲେ ନାଗରାଜ ବାସୁକୀ । ପ୍ରମୋଦ ଉଦ୍ୟାନର ଉପକଣ୍ଠରୁ କାହାର ଚାପା ଚାପା ପଦ ଶବ୍ଦ ! ଶୁକ୍ଳାଷ୍ଟମୀ ଜହ୍ନର ଜ୍ୟୋତ୍ସ୍ନାଧୌତ ସବୁଜ ବୃକ୍ଷର ଅନ୍ତରାଳରୁ କିଏ ଯେପରି ଆଗେଇ ଆସୁଛି ତାଙ୍କ ଆଡ଼େ ନିଃଶବ୍ଦ ପଦପାତରେ । ଚିତ୍କାର କରିଉଠିଲେ ନାଗରାଜ–“କିଏ ? କିଏ ପ୍ରବେଶ କରୁଛି ପ୍ରମୋଦ ଉଦ୍ୟାନରେ ?”

 

–“ମୁଁ ଆପଣଙ୍କ ଭଗିନୀ ନାଗକୁମାରୀ ଅସ୍ତିକା ।”

 

ନିରୁତ୍ସାହିତ ହୋଇ ନୀରବ ରହିଲେ ବାସୁକୀ । ମମତା ପାଗଳୀ ଭ୍ରାତୃସ୍ନେହୀ ଭଗିନୀ ଅସ୍ତିକା । ବିଶ୍ଵବନ୍ଦିତା ରୂପସୀ ସୁନ୍ଦରୀ ନାଗଜେମା । କି ଉଦ୍ଦେଶ୍ୟ ତା’ର ପ୍ରମୋଦ ଉଦ୍ୟାନ ମଧ୍ୟରେ ଶୁକ୍ଳାଷ୍ଟମୀର ଜ୍ୟୋତ୍ସ୍ନାବିଧୌତ ରାତ୍ରିରେ ପ୍ରବେଶ କରିବା ? କିନ୍ତୁ କୌଣସି ପ୍ରଶ୍ନ କରିପାରିଲେ ନାହିଁ ବାସୁକୀ ।

 

ନିକଟକୁ ଆଗେଇ ଆସି ଠିଆହୋଇ ରହିଲେ ଅସ୍ତିକା । ବାଧ୍ୟହୋଇ ପ୍ରଶ୍ନକଲେ ବାସୁକୀ–“କିଛି କହିବାକୁ ଚାହିଁ ଅସ୍ତିକା ?”

 

“ଭାଇ !”

 

–“କହ ।”

 

–“ଆପଣ ରାଜା ଜନ୍ମେଜୟଙ୍କର ଶପଥ ଶ୍ରବଣ କରିଛନ୍ତି ?”ଚକିତ ହୋଇ କହିଲେ ବାସୁକୀ–ହଁ, ସେଥିପାଇଁ ଶୁକ୍ଳାଷ୍ଟମୀର ଏ ଜୋତ୍ସ୍ନାବିଧୌତ ରଜନୀ ଅଭିଶାପ ପରି ମୋତେ ବିଦ୍ରୁପ କରୁଛି । ମୁଁ ନିଜେ ନାଗରାଜ ବାସୁକୀ । କିନ୍ତୁ କିପରି ନାଗ ବଂଶର ବିନାଶ ସ୍ଵଚକ୍ଷୁରେ ଦେଖିବି–ତାହାହିଁ ଚିନ୍ତା କରି ମୁଁ ବ୍ୟଥିତ ଅସ୍ତିକା ।”

 

–“ଏବଂ ଜାଣନ୍ତି ଯାଯାବର ବଂଶର ଶେଷ କୁଳପ୍ରଦୀପ ବୃଦ୍ଧ ତପସ୍ୱୀ ଜରତ୍‌କାରୁ ବିବାହ କରିବାକୁ ରାଜି ହୋଇଛନ୍ତି ?”

 

–“ହଁ, ତା’ ମଧ୍ୟ ଇତିମଧ୍ୟରେ ଶ୍ରବଣ କରିଛି । ସେଥିପାଇଁ ନାଗ ବଂଶ ଧ୍ଵଂସର ଦିନ ନିକଟତର ହୋଇଆସୁଥିବାର ଜାଣି ମୁଁ ଅଧିକ ବ୍ୟଥିତ ।”

 

–“ଏପରି ଦୁଃସମୟରେ ଆମର କ’ଣ କିଛି କର୍ତ୍ତବ୍ୟ ନାହିଁ ଭାଇ !”

 

–“କର୍ତ୍ତବ୍ୟ” ହସିଲେ ବାସୁକୀ । କହିଲେ–“ହଁ...ଅଛି, କିନ୍ତୁ ସେ କର୍ତ୍ତବ୍ୟ ଦୁରୂହ । ଜଗତ୍‌କାରୁଙ୍କର ଶପଥ ହେଲା–ଯଦି କୌଣସି ତାଙ୍କ ନାମର ସାମଞ୍ଜସ୍ୟ ଥିବା ସୁନ୍ଦରୀ ତାଙ୍କୁ ପ୍ରେମ ନିବେଦନ କରେ, ତେବେ ସେ ବିବାହ କରିବେ । ଏ କ୍ଷେତ୍ରରେ କୌଣସି ନାଗକନ୍ୟା ଆଗେଇ ଆସିଲେ ଜରତ୍‌କାରୁ ବିବାହ କରିବାକୁ ବାଧ୍ୟ ହେବେ । ଏ ବିବାହ ପରେ ତାଙ୍କ ଔରସରୁ ଯେଉଁ ପୁତ୍ର ଜାତ ହେବ–ସେ ହେବ ଯାଯାବର ଏ ନାଗ ବଂଶଜ । ତେଣୁ ମାତୃ କୂଳର ବିନାଶ ଲାଗି ସେ ସନ୍ତାନ ଜନ୍ମେଜୟଙ୍କର ମନ୍ତ୍ରଗୁରୁ ହେବାକୁ ରାଜି ହେବନାହିଁ ।”

 

–“ଠିକ୍ କହିଛନ୍ତ ଭାଇ ! ନାଗ ବଂଶର ରକ୍ଷା ଲାଗି ଆମକୁ ଏ ଦିଗ୍‌ରେ ଆଗେଇ ଯିବାକୁ ହେବ ।”

 

–କିନ୍ତୁ ଅସ୍ତିକା ! ମୁଁ ନିଜେ ନାଗରାଜ । ପ୍ରଜାକୂଳର ମଙ୍ଗଳ ମୋର କାମନା । ଜଣେ ସୁନ୍ଦରୀ ନାଗକନ୍ୟାକୁ ମୁଁ ବୃଦ୍ଧ ତପସ୍ଵୀ ଜରତ୍‌କାରୁଙ୍କ ସହିତ ବିବାହ କରିବା ପାଇଁ ନିର୍ଦ୍ଦେଶ ଦେବି କିପରି ?”

 

–“ନାଗକୁଳର ରକ୍ଷାଲାଗି ରାଜଧର୍ମ ପାଳନ କରିବାକୁ ହେବ ଭାଇ ।”

 

–“ଅସମ୍ଭବ । ନାଗକୁଳର ରକ୍ଷାଲାଗି ମୁଁ ରାଜା ହୋଇ ଜଣେ ଯୁବତୀର ଜୀବନକୁ ତିଳ ତିଳ ନଷ୍ଟ କରିବାର ନିଷ୍ଠୁର ନିର୍ଦ୍ଦେଶ ପ୍ରଦାନ କରି ନ ପାରେ ।”’

–“ଯଦି କୌଣସି ସୁନ୍ଦରୀ ନାଗ ତରୁଣୀ ନାଗ ବଂଶର ରକ୍ଷା ଲାଗି ସ୍ଵେଚ୍ଛାକୃତ ଭାବେ ନିଜକୁ ସମର୍ପି ଦିଏ ।”

ଚିନ୍ତିତ ହୋଇ କ୍ଷିପ୍ର ଗତିରେ ପଦଚାରଣ କଲେ ବାସୁକୀ । ତାଙ୍କ ଅଧର ଉତ୍ତରହୀନ ହୋଇପଡ଼ିଲା ।

ଆଉଥରେ ପ୍ରଶ୍ନ କଲେ କୁମାରୀ ଅସ୍ତିକା–“କହନ୍ତୁ ଭାଇ ! ତେବେ କ’ଣ ନାଗରାଜ ତା’ର ଗତିରୋଧ କରିବେ ? ଜଣେ କୁମାରୀର ଜୀବନ ବିନିମୟରେ ସମଗ୍ର ନାଗବଂଶ ରକ୍ଷାର ପ୍ରସ୍ତାବକୁ ନାପସନ୍ଦ କରିବେ ?”

–“ନାଁ”, କୁଣ୍ଠିତ ଚିତ୍ତରେ କହିଲେ ବାସୁକୀ ।

–“ତେବେ ମୁଁ ସେହି ନାଗବଂଶ ରକ୍ଷାକାରିଣୀ କୁମାରୀ ଅସ୍ତିକା । ବାଲ୍ୟକାଳରେ ତୁମେ ମୋତେ ଆଦରରେ ଡାକୁଥିଲ ଜରତ୍‌କାରୁ । ତେଣୁ ନାମର ସାମଞ୍ଜସ୍ୟ ଅଛି ଭାଇ । ଗୋଟିଏ ବିରାଟ ବଂଶର ରକ୍ଷାଲାଗି ମୋତେ ତୁମେ ବିଦାୟ ଦିଅ ।”

–“ଅସ୍ତିକା ! ତୁ ମୋର ଆଦରର ଭଗିନୀ । ମୁଁ ତୋତେ ପ୍ରାଣଠାରୁ ଅଧିକ ଭଲପାଏ । ତୋର ରୂପ ଏବଂ ସୌନ୍ଦର୍ଯ୍ୟ ପାଇଁ ଗର୍ବ ଅନୁଭବ କରେ । ଏ ରାଜ୍ୟର ସୁଶାସନ ପାଇଁ ମୁଁ ରାଣୀ ଏବଂ ମନ୍ତ୍ରୀଙ୍କ ପରିବର୍ତ୍ତେ ତୋର ପରାମର୍ଶ ଗ୍ରହଣ କରେ । କିନ୍ତୁ ଆଜି କି ୟୁକ୍ତି ନେଇ ମୁଁ ତୋତେ ଜଣେ ଜରାଜୀର୍ଣ୍ଣ ବୃଦ୍ଧ ତପସ୍ଵୀ ହସ୍ତରେ ଅର୍ପଣ କରିବି ଅସ୍ତିକା ? ନାଗରାଜ ବାସୁକୀ ଏପରି ହୃଦୟହୀନ ପ୍ରସ୍ତାବରେ ରାଜି ହୋଇ ନପାରେ । ବରଂ ଜନ୍ମେଜୟଙ୍କ ସର୍ପମେଧ ଯଜ୍ଞରେ ସମଗ୍ର ନାଗ ବଂଶର ଧ୍ୱଂସ ହୋଇଯାଉ ।”

–“ଭାଇ ! ତୁମେ ସାମାନ୍ୟ ଜଣେ ଭଉଣୀର ସେହ୍ନରେ ବିଭୋର ହୋଇ ବିରାଟ ନାଗବଂଶର ଭବିଷ୍ୟତ କଥା ଭୁଲିଯାଉଛ ।”

–“ଅସ୍ତିକା !!”

–“ମୋ ପ୍ରସ୍ତାବକୁ ସମର୍ଥନ କର ଭାଇ ! ଗୋଟିଏ ନାରୀର ସ୍ଵାର୍ଥତ୍ୟାଗରେ କୋଟିଏ ନାଗ ରକ୍ଷାପାଇ ଯାଆନ୍ତୁ ।”

ଆଉ ଉତ୍ତର ନ ଦେଇ କାନ୍ଦିଉଠିଲେ ବାସୁକୀ । ତାଙ୍କ ଗଣ୍ଡଦେଇ ବହିଆସିଲା ଦୁଇଧାର ଲୋତକ ।

ମମତା ପାଗଳ ଭାଇର ସ୍ନେହ ଦେଖି ବିଗଳିତ ହୋଇପଡ଼ିଲେ ଅସ୍ତିକା । ଆଗେଇଗଲେ ଭାଇଙ୍କ ନିକଟକୁ । ଆଖିରୁ ଲୁହ ପୋଛି ଦେଉ ଦେଉ କହିଲେ–“ବ୍ୟସ୍ତ ହୁଅନି ଭାଇ । ଜଗତ ପ୍ରସିଦ୍ଧ ତପସ୍ଵୀ ଜରତ୍‌କାରୁ ଜଣେ ସାମାନ୍ୟ ବ୍ୟକ୍ତି ନୁହନ୍ତି । ସେ ଶାସ୍ତ୍ରଜ୍ଞ ବ୍ରହ୍ମଚାରୀ-। ମୋର ସ୍ଵାମୀ ହେବାକୁ ସେ ଅନୁପଯୁକ୍ତ ନୁହନ୍ତି । କେବଳ ଆସକ୍ତିର ମୋହ ଛଡ଼ା ମୁଁ ଆଉ ସବୁ ତାଙ୍କଠାରୁ ଲାଭ କରିପାରିବି ଭାଇ । ଇତିହାସ ମୁକୁରରେ ମୋର ନାମ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିପାରିବ ।”

 

ମୁଣ୍ଡ ଟେକି ଉପରକୁ ଚାହିଁଲେ ନାଗରାଜ ବାସୁକୀ । ଆଶ୍ଚର୍ଯ୍ୟ ହେଲେ ଜଣେ ନାଗକନ୍ୟାର ଜାତି ପାଇଁ ଆତ୍ମୋତ୍ସର୍ଗ ଦେଖି । ଏଥର ଅଧରରେ ହସ ଫୁଟାଇ କହିଲେ ସେ–“ବଡ଼ ଭାଇ ହିସାବରେ ମୁଁ ଆର୍ଶୀବାଦ କରୁଛି ଅସ୍ତିକା, ତୁ ତୋର ସ୍ଵାର୍ଥତ୍ୟାଗର ଅଭିଯାନରେ ସଫଳ ହୋ-। ନାଗବଂଶକୁ ରକ୍ଷା କରି ସମଗ୍ର ଜଗତରେ ନମସ୍ୟା ହେବାର ଗୌରବ ଅର୍ଜନ କର-।”

 

ନାଗରାଜ ବାସୁକୀଙ୍କର ଆର୍ଶୀବାଦରେ ବିହ୍ଵଳିତ ହୋଇପଡ଼ିଲା କୁମାର ଅସ୍ତିକା । ନଇଁପଡ଼ି ଭାଇଙ୍କର ପଦଧୂଳି ନେଉ ନେଉ କହିଲା–“ମୁଁ ନିଶ୍ଚୟ ସଫଳ ହେବି ଭାଇ, ନିଜ ଉପରେ ମୋର ସେ ବିଶ୍ଵାସ ଅଛି । ପତି ରୂପେ ମୁଁ ଜରତ୍‌କାରୁଙ୍କୁ ଗ୍ରହଣ କରି କେବେହେଲେ ବୃଦ୍ଧ ବୋଲି ଘୃଣା କରିବି ନାହିଁ ।”

 

–“ଯାଅ ଅସ୍ତିକା ! କୋରକ ବନରେ ତସ୍ଵପୀ ଜରତ୍‌କାରୁଙ୍କୁ ସାକ୍ଷାତ କର ଅଭିସାରିକା ବେଶରେ ।”

 

–“ଯାଉଛି ଭାଇ ! କିନ୍ତୁ ମୋ ପାଇଁ ଯେପରି ତୁମ ଚକ୍ଷୁ ଲୋତକପୂର୍ଣ୍ଣ ନହୁଏ । ଏ ମୋର ଅନୁରୋଧ ।”

 

ସ୍ଥିର ଏବଂ ନିଶ୍ଚଳ ଚକ୍ଷୁରେ ଚାହଁ ରହିଲେ ନାଗରାଜ ବାସୁକୀ । ନୂପୁର ତାନରେ ପ୍ରମୋଦ ଉଦ୍ୟାନକୁ ଶବ୍ଦାୟିତ କରି ଅଷ୍ଟମୀ ଚନ୍ଦ୍ରର ଜ୍ୟୋତ୍ସ୍ନା ଚକିତ ରାତ୍ରିରେ ଆଗକୁ ଆଗେଇଲେ ଅସ୍ତିକା ନାଗ ବଂଶର ରକ୍ଷା ପାଇଁ ।

 

ନିଘଞ୍ଚ କୋରକ ବନର ଏକ ବୃକ୍ଷ ମୂଳରେ ଧ୍ୟାନରତ ତପସ୍ଵୀ ଜରତ୍‌କାରୁ । ବନର ହିଂସ୍ର ପଶୁଙ୍କ ପ୍ରତି ତାଙ୍କର ଭୟ ନାହିଁ । ଅଷ୍ଟାଙ୍ଗ ଯୋଗରେ ନିଜ ଚିତ୍ତକୁ ଆୟତ୍ତ କରି ସେ ଚକ୍ଷୁ ସମ୍ମୁଖରେ ଦେଖୁଛନ୍ତି ଚତୁର୍ଦ୍ଧାମୂର୍ତ୍ତିର ପରମ ବ୍ରହ୍ମଙ୍କୁ । ତାଙ୍କ ସାଧନାପୀଠରେ ଉପନୀତ ହୋଇ ବିଚଳିତ ହୋଇପଡ଼ିଲେ ଅସ୍ତିକା । ଏଇ ସେ ଆଜୀବନ ବ୍ରହ୍ମଚାରୀ ସନ୍ନ୍ୟାସୀ ଜରତ୍‌କାରୁ । ବୃଦ୍ଧ ଜରାଜୀର୍ଣ୍ଣ । ରୁକ୍ଷ କର୍କଶ ଲୋମଶ ଶରୀର ଅସ୍ଥିମାଳରେ ଆବୃତ୍ତ । ତାଙ୍କୁ ବରଣ କରିବେ ସେ ପତି ରୂପରେ । ଚହଲି ଉଠିଲା ଅସ୍ତିକାଙ୍କ ମନରାଜ୍ୟ । ଫେରିଯିବେ ସେ ଏ ନୂତନ ଅଭିସାର ପଥରୁ ?

 

ପରମୁହୂର୍ତ୍ତରେ ମନେପକାଇଲେ ସେ ନିଜର ଶପଥ । ସେ ଯେ ନାଗବଂଶ ରକ୍ଷା କରିବା ପାଇଁ ପାଦ କାଢ଼ି ଆଗେଇ ଆସିଛନ୍ତି । ପୁଣି ଦୁର୍ବଳତା କାହିଁକି ? ଏଇ ଜରାଜୀର୍ଣ୍ଣ ବୃଦ୍ଧ ତପସ୍ଵୀଙ୍କଠାରୁ ହିଁ ଖୋଜିବାକୁ ହେବ ଜୀବନର ପରିପୂର୍ଣ୍ଣ ମାଦକତା ।

 

ଆଉଥରେ ଆଖି ପୂରାଇ ଦେଖିନେଲେ ଅସ୍ତିକା ଏବଂ ଚିନ୍ତା କରିନେଲେ ନିଜର ଯୋଜନା । ସୂର୍ଯ୍ୟ ଅସ୍ତମିତ ହେଉଛନ୍ତି । ବନରାଜ୍ୟରେ ଅନ୍ଧକାର ଘୋଟିଆସୁଛି । ଏଥର ନିଶ୍ଚୟ ଜଗତ୍‌କାରୁ ତାଙ୍କ ଆସନରୁ ଉଠିବେ । ସ୍ନାନ କରିବାକୁ ଯିବେ ଝରଣା କୂଳକୁ ଏବଂ ତା’ପରେ ପୁଣି ଫେରିଆସିବେ ସନ୍ଧ୍ୟା ତର୍ପଣ ପାଇଁ । ଏ ସୁବର୍ଣ୍ଣ ସୁଯୋଗ ହରାଇଲେ ଅଧିକ ଗୋଟିଏ ଦିନ ଅପେକ୍ଷା କରିବାକୁ ହୋଇପାରେ । ଏହି ସମୟରେ ହିଁ ଝରଣା କୂଳର ଅଶ୍ୱତ୍‌ଥ ବୃକ୍ଷ ମୂଳରେ ନିଜ ପ୍ରେମ ନିବେଦନ ନେଇ ଜଗତ୍‍କାରୁଙ୍କୁ ସାକ୍ଷାତ କରିବାକୁ ହେବ ।

 

କାଳବିଳମ୍ବ ନ କରି ଅସ୍ତିକା ଛୁଟିଗଲେ ନିକଟବର୍ତ୍ତୀ ଝରଣା କୂଳର ଅଶ୍ଵତ୍‌ଥ ବୃକ୍ଷ ମୂଳକୁ । ଧ୍ୟାନ ଭାଙ୍ଗିଲା ଜରତ୍‌କାରୁଙ୍କର, ସ୍ନାନ କରିବା ପାଇଁ ଝରଣା କୂଳକୁ ଆଗେଇଲେ ଜଗତ୍‍କାରୁ ଏବଂ ଅଳ୍ପ ସମୟ ମଧ୍ୟରେ ସ୍ନାନ ଶେଷ କରି ବୈଦିକ ସ୍ତୋତ୍ର ପାଠ କରୁ କରୁ ସାଧନାପୀଠ ଆଡ଼କୁ ଆଗେଇଲେ ସେ । ଠିକ୍ ଏତିକିବେଳେ ସମ୍ମୁଖରେ ଦଣ୍ଡାୟମାନ ହେଲେ ନାଗକୁମାରୀ ସୁନ୍ଦରୀ ଅସ୍ତିକା । ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ଜରତ୍‌କାରୁ–“କିଏ ତୁମେ ?”

 

–“ମୁଁ ନାଗରାଜବାସୁକୀଙ୍କର ଭଗିନୀ ଅସ୍ତିକା ।”

 

–“ଏ ନିର୍ଜନ ଅରଣ୍ୟରେ ତୁମେ ଏକାକିନୀ କାହିଁକି ଅସ୍ତିକା ?”

 

–“ଆପଣଙ୍କ ନିକଟକୁ ଆସିଛି ମୋ ମନର ଅଭିପ୍ରାୟ ଜଣାଇବା ପାଇଁ ।”

 

–“ଅଭିପ୍ରାୟ !!”

 

–“ହଁ, ଆପଣଙ୍କ ନିକଟରେ ମୋର ଗୋଟିଏ ଭିକ୍ଷା ଅଛି ।”

 

–“ଏ ସନ୍ନ୍ୟାସୀ ତୁମକୁ କି ଭିକ୍ଷା ଦେଇପାରିବ ଅସ୍ତିକା ? ତୁମେ ଯେ ସକଳ ଐଶ୍ଵର୍ଯ୍ୟର ଅଧିକାରିଣୀ ନାଗକନ୍ୟା ।”

 

–ହଁ ମୋତେ କେବଳ ଆପଣ ଭିକ୍ଷା ଦାନ କରିପାରିବେ ସନ୍ନ୍ୟାସୀ । ସେଥିପାଇଁ ଏ ନିଘଞ୍ଚ ଅରଣ୍ୟ ପଥ ଅତିକ୍ରମ କରି ମୁଁ ଆପଣଙ୍କ ସାଧନାପୀଠକୁ ଧାଇଁଆସିଛି ।”

 

–“କୁହ ଅସ୍ତିକା ! ଏ ତପସ୍ଵୀ ନିକଟରେ ଯାହା ସମ୍ଭବ, ତାହା ସେ ନିଶ୍ଚୟ ତୁମକୁ ଦାନ କରିବ ।”

 

–“ଏ ତ୍ରିକାଳ ସନ୍ଧ୍ୟାରେ ଆପଣ ଶପଥ କରନ୍ତୁ ସନ୍ନ୍ୟାସୀ, ତେବେ ମୁଁ ମୋର ନିବେଦନ ଆପଣଙ୍କୁ ଜଣାଇବି ।”

 

–ଶପଥ କରୁଛି ଅସ୍ତିକା, ଜୀବନବ୍ୟାପୀ ତପସ୍ୟାର ପୁଣ୍ୟ ମଧ୍ୟ ମୁଁ ଦାନ କରିବା ପାଇଁ ପ୍ରସ୍ତୁତ ।”

 

–“ମୋର ପୁଣ୍ୟ ଲୋଡ଼ାନାହଁ ପ୍ରଭୁ ! ଲୋଡ଼ା ପାପ ।”

 

–“ଅସ୍ତିକା ? ?” ଜରତ୍‌କାରୁଙ୍କ ଭୂକୁଞ୍ଚିତ ହୋଇଗଲା ।”

 

“ହଁ ପ୍ରଭୁ ! ମୁଁ ଆପଣଙ୍କୁ ଅନାସକ୍ତିରୁ ଆସକ୍ତିକୁ ଟାଣିଆଣିବାକୁ ଚାହେଁ ।”

 

–“ତୁମ କଥା ମୁଁ ବୁଝିପାରୁନାହିଁ ଅସ୍ତିକା”

 

–“ଆପଣ ପିତୃପୁରୁଷଙ୍କ ନିକଟରେ ଶପଥ କରିଛନ୍ତି ତପସ୍ଵୀ । ନାମର ସାମଞ୍ଜସ୍ୟ ଥିବା କୌଣସି ନାରୀ ପ୍ରେମ ନିବେଦନ କଲେ ଆପଣ ଗ୍ରହଣ କରିବେ । ରିକ୍ତ ହସ୍ତରେ ଫେରେଇଦେବେ ନାହିଁ ।”

 

–“ହଁ, କିନ୍ତୁ ମୋର ସେ ଶପଥ ନିରର୍ଥକ । ଏ ଜରାଜୀର୍ଣ୍ଣ ବୃଦ୍ଧତପସ୍ଵୀକୁ ଜଣେ ନାରୀ ତା’ର ପ୍ରେମ ନିବେଦନ ଜଣାଇବ କାହିଁକି ?”

 

–“ସେପରି ତରୁଣୀ ମଧ୍ୟ ଏ ଜଗତରେ ଅଛନ୍ତି ତପସ୍ଵୀ ।”

 

“ଅସ୍ତିକା !!”

 

–“ହଁ, ମୁଁ ସେହି ତରୁଣୀ ନାଗକନ୍ୟା ଅସ୍ତିକା । ଜନ୍ମ ସମୟରେ ଆପଣ ନାଗରାଜଙ୍କ ସଭାରେ ମୋର ନାମ ରଖିଥଲେ ଜରତ୍‌କାରୁ । ତେଣୁ ନାମର ସାମଞ୍ଜସ୍ୟ ଅଛି ପ୍ରଭୁ ! ଆପଣ ମୋତେ ପତ୍ନୀ ରୂପରେ ଗ୍ରହଣ କରନ୍ତୁ ।”

 

କମ୍ପିତ ପଦରେ ପଛକୁ ଘୁଞ୍ଚିଆସିଲେ ଜରତ୍‌କାରୁ । ସେ ବିଶ୍ଵାସ କରପାରିଲେ ନାହିଁ ଯେ–ତାଙ୍କ ଭଳି ଜଣେ ବୃଦ୍ଧକୁ କୌଣସି ତରୁଣୀ ପତି ରୂପେ ବରଣ କରିପାରେ । ଆପତ୍ତି କରି କହିଉଠିଲେ ସେ–“ଅସ୍ତିକା ! ତୁମେ କ୍ଷଣିକ ଉତ୍ତେଜନାରେ ମସ୍ତବଡ଼ ଭୁଲ୍ କରୁଛ, ମୁଁ ଯେ ପତି ହେବାର ଯୋଗ୍ୟତାରୁ ବହୁ ଦୂରରେ । ମୋ ମନରେ କାମନା ନାହିଁ, ବାସନା ନାହିଁ, ଆସକ୍ତି ନାହିଁ । କଠୋର ଶିଳାଖଣ୍ଡ ପରି ମୁଁ ଶୁଷ୍କ । ମୋ ପରି ଏକ ସନ୍ନ୍ୟାସୀର ହୃଦୟରୁ ତୁମ ନାରୀତ୍ଵ ଆଘାତ ପାଇବା ଛଡ଼ା ଆଶ୍ଳେଷ ଲାଭ କରିପାରିବ ନାହିଁ ଅସ୍ତିକା । ତୁମ ଭିକ୍ଷା ତୁମେ ଫେରାଇନିଅ ।”

 

–ଆପଣ ଏ ତ୍ରିକାଳ ସନ୍ଧ୍ୟାରେ ଶପଥ କରିଛନ୍ତି ସନ୍ନ୍ୟାସୀ–ଯେ ମୋର ଅନୁରୋଧକୁ ଉପେକ୍ଷା କରିବେ ନାହିଁ ।

 

–“ଆଉ ଥରେ ତୁମେ ଚିନ୍ତାକର ଅସ୍ତିକା । ତୁମ ସୁଷମାମଣ୍ଡିତ ଯୌବନ ଏ ସନ୍ନ୍ୟାସୀଠାରୁ କିଛିଲାଭ କରିପାରିବ ନାହିଁ । ବରଂ ତିଳ ତିଳ ଜଳି ଜଳି ନିଃଶେଷ ହୋଇଯିବ ।”

 

–‘‘ସେହି ଜ୍ଵଳନ ହିଁ ମୋର ଆନନ୍ଦ । ଅନାସକ୍ତି ହିଁ ଆସକ୍ତି । ଦେହାତୀତ ଭାବ ହିଁ ଦେହଜ କ୍ଷୁଧା ।”

 

ଏଥର ବ୍ୟଥିତ ଗଳାରେ କହିଲେ ଜରତ୍‌କାରୁ–“ତେବେ ଠିକ୍ ଅଛି । ମୁଁ ତୁମର ଅନୁରୋଧ ରକ୍ଷାକରିବି ଅସ୍ତିକା । କିନ୍ତୁ ଗୋଟିଏ ସର୍ତ୍ତ ! ତୁମେ ଆଶ୍ରମର ସବୁ କାର୍ଯ୍ୟ ନିଜ ହସ୍ତରେ ସମାପନ କରିବ ଏବଂ ପ୍ରତ୍ୟେକ ସମୟରେ ତୁମେ ମୋର ଶିଳାବନ୍ଧୁର ବକ୍ଷରେ ପୁଷ୍ପମାଲ୍ୟପରି ବେଷ୍ଟିତା ହୋଇ ରହିଥ‌ିବ । ଯଦି କୌଣସି ଦିନ ତୁମେ ଏହାର ପ୍ରତିବାଦ କର, ତେବେ ମୁଁ ତୁମଠାରୁ ଚିରଦିନ ବିଦାୟ ନେଇ କୋରକ ବନରୁ ବାହୁଡ଼ିଯିବି ଦଣ୍ଡକ ବନ । ଏଥିରେ ତୁମେ ରାଜି ତ ?’

 

–“ମୁଁ ଆପଣଙ୍କ ସର୍ତ୍ତ ରକ୍ଷା ପାଇଁ ପ୍ରସ୍ତୁତ ପ୍ରଭୁ !”

 

ଆଉ କିଛି ଉତ୍ତର ନଥିଲା ଜରତ୍‌କାରୁଙ୍କର । କାଳବିଳମ୍ବ ନ କରି ଅସ୍ତିକା ନିଜ କଣ୍ଠର ମୁକ୍ତାହାରଟିକୁ ବାହାର କରି ଲମ୍ବାଇଦେଲେ ସନ୍ନ୍ୟାସୀ ଜରତ୍‌କାରୁଙ୍କ କଣ୍ଠରେ । ହସ୍ତ ପ୍ରସାରଣ କରି ନିଜ ବକ୍ଷ ଆଡ଼କୁ ଟାଣିନେଲେ ଜରତ୍‌କାରୁ ଅସ୍ତିକାଙ୍କୁ । ଏ ଆଶ୍ଳେଷରେ ନଥିଲା ଉଷ୍ମ ଉତ୍ତେଜନା ଅଥବା ପ୍ରାଣର ଭାବାବେଗ । ରସାଳ ଶାଳ ବୃକ୍ଷର ମୂଳକୁ କଠିନ ମାଙ୍କଡ଼ା ପଥର ଆବୃତ୍ତ କରି ରଖିଥିବା ପରି–ଅସ୍ତିକାକୁ ଆବୃତ୍ତ କରି ରଖିଥିଲା ଜରତ୍‌କାରୁଙ୍କ ରକ୍ତଶୂନ୍ୟ ଲୋଳିତ ବାହୁର ମାଂସପେଶୀ ।

 

ସେହି ସୁନ୍ଦରୀ ନାଗକୁମାରୀ ଅସ୍ତିକା, ଜରତ୍‌କାରୁଙ୍କ ଆଶ୍ରମବାସିନୀ ହୋଇ କଷ୍ଟ ସ୍ଵୀକାର କଲେ ନିଜ ଉଦ୍ଦେଶ୍ୟ ସାଧନ ପାଇଁ । ପ୍ରଭାତରୁ ଶଯ୍ୟା ତେଜି ସ୍ନାନକଲେ ଝରଣା ଜଳରେ ଏବଂ କାନନରୁ ବିବିଧ ପୁଷ୍ପ ଚୟନକରି ସଜାଇଦେଲେ ସାଧନା ମଣ୍ଡପ, ଖଞ୍ଜିଦେଲେ ସମସ୍ତ ସାମଗ୍ରୀ ଜରତ୍‌କାରୁଙ୍କ ତପସ୍ୟା ପାଇଁ । ଚଞ୍ଚଳତାହୀନ ଜରତ୍‌କାରୁ ଆଗେଇ ଆସନ୍ତି ସାଧନାପୀଠକୁ ଏବଂ ଅର୍ଦ୍ଧ ଉଲଗ୍ନା ଅସ୍ତିକାକୁ ନିଜ ବକ୍ଷ ଉପରକୁ ଟାଣି ନେଇ ଚିତ୍ତ ସ୍ଥିର ରଖନ୍ତି ପରମବ୍ରହ୍ମଙ୍କ ପଦ କମଳରେ । ଛଟପଟ ହୁଏ ଅସ୍ତିକାର ନାରୀତ୍ଵ । ପୌରୁଷହୀନ ଜରତ୍‌କାରୁଙ୍କ ବନ୍ଧୁର ବକ୍ଷରେ ଲୋଟି ନିଜର କୋମଳତା ଭୁଲେ ଅସ୍ତିକା । ତା’ର କାମନାର ଘୋଟକମାନେ ମାଂସାଳ ଉନ୍ନତ ମାଂସପେଶୀରେ ବିପ୍ଳବ ସୃଷ୍ଟି କରି ସ୍ଥିର ହୋଇଯାଆନ୍ତି ନିତିଦିନ । ତଥାପି ତପସ୍ଵୀ ଜରତ୍‌କାରୁଙ୍କ ହୃଦୟ ତରଳେ ନାହିଁ । ନର୍ବିକଳ୍ପ ପୁରୁଷାକାର ପରି ସେ ରହେ ସ୍ଥିର ଅଚଞ୍ଚଳ-

 

ବେଳକୁବେଳ ଦିନକୁ ଦିନ ଅସ୍ଥିର ହୁଏ ଅସ୍ତିକା । ଆର୍ତ୍ତନାଦ କରିଉଠେ ତା’ର ନାରୀତ୍ଵ ସନ୍ତାନର ଜନନୀ ହେବାପାଇଁ । କିନ୍ତୁ ପରିତ୍ୟକ୍ତ ମଣିନାଗ ଗୁହାପରି ସବୁ ହାର୍ଦ୍ଦିକତା ଲୋଟିପଡ଼େ ଜରତ୍‌କାରୁଙ୍କ ପଦତଳେ । ବ୍ୟଥିତ ଚିତ୍ତରେ ନିଜକୁ ଧିକ୍‌କାର କରେ ଅସ୍ତିକା ନିଜର ଅପାରଗତାକୁ-। ସେ ଶୁଷ୍କ ତରୁ ଶାଖାରେ ରସ ସଞ୍ଚାର କରିବାକୁ ଅକ୍ଷମା ହୋଇଛି, ସନ୍ୟାସୀର ମନରେ ପତି ହେବାର ବାସନା ସୃଷ୍ଟି କରିବାକୁ ଯାଇ ହାର ମାନିଛି । ବ୍ୟର୍ଥ ତେବେ ସକଳ ତ୍ୟାଗ…ସକଳ ଆୟୋଜନ ?

 

ଏମିତ କେତେ ଚିନ୍ତା କରୁ କରୁ ସେଦିନ ସନ୍ଧ୍ୟାରେ ଝରଣାରେ ସ୍ନାନ ଶେଷକରି ତର୍ପଣ ପାଇଁ ପ୍ରସ୍ତୁତ ହୋଇଛନ୍ତି ଅସ୍ତିକା । ହଠାତ୍ ପଶ୍ଚାତ୍ ଭାଗରେ ଉପସ୍ଥିତ ହୋଇଗଲେ ଜରତ୍‌କାରୁ ଏବଂ ନିଜ ବକ୍ଷଆଡ଼େ ଆଉଜାଇ ନେଲେ ଅସ୍ତିକାଙ୍କୁ ନିର୍ଲିପ୍ତ ଭାବାବେଗରେ ।

 

ଚମକପଡ଼ିଲେ ଅସ୍ତିକା । କହିଲେ–“ପ୍ରଭୁ ! ଏ ସେ ସନ୍ଧ୍ୟା ସମୟ । ଆପଣ ତର୍ପଣ ଶେଷ କରିନାହାନ୍ତି । ନାରୀ ଅଙ୍ଗ ସ୍ପର୍ଶରେ ସେ ତର୍ପଣ ନଷ୍ଟ ହୋଇଯିବ ।”

 

ବହୁ ଯୁଗ ବହୁ ବର୍ଷ ପରେ ଆଜି ହସିଲେ ତପସ୍ଵୀ ଜରତ୍‌କାରୁ । କହିଲେ–“ଅସ୍ତିକା ! ତୁମେ ଚିର ବ୍ରହ୍ମଚାରୀ ତପସ୍ଵୀ ଜରତ୍‌କାରୁଙ୍କୁ ସେ ଉପଦେଶ ଦେବାର କ୍ଷମତା ଅର୍ଜନ କରିଛି–ଏ କିଛି କମ୍ କଥା ନୁହେଁ । ଏବେ ତୁମେ ମୋର ସର୍ତ୍ତ ମନେପକାଅ । ସର୍ତ୍ତଥିଲା ଯେଉଁଦିନ ତୁମେ ମୋର କାର୍ଯ୍ୟରେ ପ୍ରତିବାଦ କରିବ–ସେଦିନ ମୁଁ କୋରକ ଅରଣ୍ୟ ଛାଡ଼ି ଚାଲିଯିବି । ଆଜି ସେଦିନ ଉପସ୍ଥିତ । ଆଉ ସନ୍ଧ୍ୟା ତର୍ପଣର ଆବଶ୍ୟକତା ନାହିଁ ଅସ୍ତିକା–ମୋତେ ତୁମେ ଆସକ୍ତିରୁ ମୁକ୍ତି ଦିଅ-। ମୁଁ ଦଣ୍ଡକ ଅରଣ୍ୟ ଅଭିମୁଖେ ଯାତ୍ରା କରେ ।”

 

କାତର ହୋଇପଡ଼ିଲେ ଅସ୍ତିକା, କହିଲେ–“ମୋର ଭୁଲ ହୋଇଯାଇଛି ପ୍ରଭୁ ! ମୋତେ କ୍ଷମା କରନ୍ତୁ । ପତ୍ନୀ ଆସନରୁ ମୋତେ ଦୂରକୁ ଠେଲି ନ ଦିଅନ୍ତୁ ।”

 

–“ସନ୍ନ୍ୟାସୀ କେବେ ପୁତ୍ର କନ୍ୟାପତ୍ନୀର ଧାର୍ମିକତା ବୁଝିବାକୁ ଚେଷ୍ଟା କରେନି ଅସ୍ତିକା-। ଜଗତର ସମସ୍ତେ ତା’ର ପୁତ୍ର କନ୍ୟା । ସେ ଏକ ସ୍ଥିତିହୀନ ବିସ୍ତୃତି, ବିସ୍ତୃତିହୀନ ସ୍ଥିତି । ଆଉ ଯୁକ୍ତି ନକରି ମୋତେ ମୁକ୍ତି ଦିଅ ଅସ୍ତିକା ।

 

–‘ପ୍ରଭୁ !!’ ଲୋତକପୂର୍ଣ୍ଣ ହୋଇଉଠିଲା ଅସ୍ତିକାଙ୍କ ଚକ୍ଷୁ । ତପସ୍ଵୀ ଜରତ୍‌କାରୁଙ୍କୁ ହରାଇ ନୁହେଁ...ନାଗ ବଂଶର ରକ୍ଷା ଉଦ୍ଦେଶ୍ୟରେ ।

 

କଠୋର ହୋଇ ଠିଆ ହୋଇଥିଲେ ଜରତ୍‌କାରୁ ।

 

ପୁଣି ମୁହଁ ଖୋଲିଲେ ଅସ୍ତିକା, କହିଲେ–“ଆପଣ ପୂର୍ବପୁରୁଷଙ୍କ ଶପଥ ଭୁଲିଯାଉଛନ୍ତି ସ୍ଵାମୀ । ଯାଯାବର ବଂଶ ଯେ ଏପର୍ଯ୍ୟନ୍ତ ଶିଶୁର କ୍ରନ୍ଦନରେ ମୁଖରିତ ହୋଇନାହିଁ । ସେହି ଶୁଭ ମୁହୂର୍ତ୍ତକୁ ଯେ ପୂର୍ବପୁରୁଷମାନେ ଅପେକ୍ଷା କରି ରହିଛନ୍ତି ଅର୍ଦ୍ଧ ସ୍ଵର୍ଗରେ ।”

 

ଆଖି ବୁଜିଲେ ଜରତ୍‌କାରୁ, ବୋଧହୁଏ ଅନୁମାନ କଲେ ସେ–ତାଙ୍କ ଶପଥ ପୂର୍ଣ୍ଣ ହୋଇନାହଁ । ଯାଯାବର ବଂଶର ରକ୍ଷା ହୋଇନାହିଁ । ଯାଯାବର ବଂଶର ରକ୍ଷା ହୋଇନାହିଁ । ତେଣୁ ତାଙ୍କୁ ମୁହୂର୍ତ୍ତକ ପାଇଁ ଆସକ୍ତିର ମୋହରେ ବନ୍ଦୀ ହେବାକୁ ପଡ଼ିବ । ନାରୀତ୍ଵର ସମ୍ମାନ ଜଣାଇବାକୁ ହେବ ।

 

ହାତ ବଢ଼ାଇ ଅସ୍ତିକାକୁ ନିଜ ବକ୍ଷ ଉପରେ ଜଡ଼ାଇ ଧରିଲେ ଜରତ୍‌କାରୁ ଏବଂ ଲୋଟିପଡ଼ିଲେ ସେହି ଝରଣା ତୀରର କୋମଳ ଦୂର୍ବାଦଳ ଉପରେ ।

 

ହସିଉଠିଲେ ସେବକ ଯୁବକ ଜରତ୍‌କାରୁ ଏବଂ ଅସ୍ତିକାଙ୍କ କାହାଣୀ ଚିନ୍ତା କରି । କିଏ ଜୟ କଲା ଶେଷରେ ? ଆସକ୍ତି ଅଥବା ଅନାସକ୍ତ ଭାବ ! ! ଦୋହଲିଗଲା ଯୁବକଙ୍କର ସମଗ୍ର ଶରୀର । ସେହି ଶୀହରଣରେ ନିଦ ଭାଙ୍ଗିଗଲା ପଦ୍ମାବତୀଙ୍କର । ଲଜ୍ଜା ଏବଂ ଅପମାନରେ ଅବଶ ହୋଇପଡ଼ିଲା ତାଙ୍କ ଶରୀର । ଛି...ଛି...ଏ କ’ଣ, ସେ ଯେ ପଦସେବା କରୁ କରୁ କ୍ଳାନ୍ତ ହୋଇ ଯୁବକଙ୍କ ପଦ ଉପରେ ଶୟନ କରିଛନ୍ତି । କ’ଣ ଭାବିଥିବେ ଯୁବକ ସନ୍ନ୍ୟାସୀ ଏ ଦାୟିତ୍ଵହୀନ ବ୍ୟବହାର ପାଇଁ ।

 

ଆଉ କ୍ଷଣେମାତ୍ର ଅପେକ୍ଷା ନକରି ପଦ୍ମାବତୀ ନିଦ ମଳମଳ ଆଖିରେ ସିଧାସଳଖ ଛୁଟିଗଲେ ବାଙ୍କୀମୁହାଣୀ ନଦୀକୁ ସ୍ନାନ ପାଇଁ । ଏଣେ ସେବକ ଯୁବକ ତୁଳନା କରୁଥିଲେ ସୁନ୍ଦରୀ ପଦ୍ମାବତୀଙ୍କୁ ନାଗକନ୍ୟା ଅସ୍ତିକାଙ୍କ ସହିତ । ନାଗକନ୍ୟା ଅସ୍ତିକା ପ୍ରେମ ନିବେଦନ କରୁଥିଲେ ବୃଦ୍ଧ ଜରତ୍‌କାରୁଙ୍କ ନିକଟରେ ନାଗବଂଶର ରକ୍ଷା ପାଇଁ । କିନ୍ତୁ ହୃଦୟର ଲାଲିତ୍ୟ ସମର୍ପଣ କରି ପ୍ରାଣବତ୍ତାର ନିବେଦନ କରୁଛି ପଦ୍ମାବତୀ ପିତାମାତାଙ୍କର ପରାମର୍ଶକ୍ରମେ ଏବଂ ଯାଯାବର ବଂଶର ରକ୍ଷା ପାଇଁ ଆସକ୍ତିର ମୋହରେ ବାନ୍ଧିହୋଇ ପଡ଼ିଥିଲେ ତପସ୍ଵୀ ଜରତ୍‌କାରୁ । କିନ୍ତୁ ମୁଁ...ସାନିଧ୍ୟର ସୁଗନ୍ଧରେ ଆକର୍ଷିତ ହେଉଛି ଆସକ୍ତି ଭିତରକୁ ।

 

ଉଠିଲେ ଯୁବକ ସନ୍ନ୍ୟାସୀ । ମନରେ ତାଙ୍କର ଅନେକ ସ୍ଵପ୍ନ ଅନେକ କଳ୍ପନା । ବାହାରକୁ ଲକ୍ଷ୍ୟକଲେ ସେ । ସୂର୍ଯ୍ୟ କିରଣ ବିଛାଡ଼ି ହୋଇପଡ଼ିଛି ଚତୁର୍ଦ୍ଦିଗରେ । ଭକ୍ତମାନେ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ଶ୍ରୀମନ୍ଦିରକୁ ଯାତ୍ରା କରି ସାରିଥିବେ ଏବଂ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଶେଷ ହୋଇଥିବ । ଶ୍ରୀକ୍ଷେତ୍ରକୁ ଆଗମନ ପରେ ଏଇ ପ୍ରଥମ ଦିନ–ଯେଉଁଦିନ ସେ ମଙ୍ଗଳ ଆଳତି ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ମନେ ମନେ ଲଜ୍ଜିତ ହେଲେ ଯୁବକ ସନ୍ନ୍ୟାସୀ । ପ୍ରସ୍ତୁତ ହେଲେ ସ୍ନାନକୁ ଯିବା ପାଇଁ ।

 

ଠିକ୍ ଏହି ସମୟରେ ସ୍ନାନ ଶେଷକରି କୁଟୀର ମଧ୍ୟରେ ପ୍ରବେଶ କଲେ ପଦ୍ମାବତୀ । ସ୍ଥିର ଅଚଞ୍ଚଳ ଦୃଷ୍ଟିରେ ଚାହିଁ ରହିଥିଲେ ଯୁବକ–ଦେଖୁଥିଲେ ପଦ୍ମାବତୀଙ୍କ ଅଙ୍ଗ ସୁଷମା । ଡାକିଲେ ସେ–ପଦ୍ମାବତୀ ! କୁଟୀର ମଧ୍ୟକୁ ପ୍ରବେଶ କରୁ କରୁ ଅଟକିଗଲେ ପଦ୍ମାବତୀ । କ୍ଷୀଣ କଣ୍ଠରେ କହିଲେ ଯୁବକ–“ଆଜି ଅନେକ ଡେରି ହୋଇଯାଇଛି । ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ଶ୍ରୀମନ୍ଦିରକୁ ଯାତ୍ରା କରିବି ମୁଁ । ତୁମେ ରାଧାମାଧବଙ୍କର ସେବା କରିଦେବ ।”

ସତୃଷ୍ଣ ନୟନରେ ଚାହିଁ ସମର୍ଥନ କଲେ ପଦ୍ମାବତୀ ! ଅଧିକ କିଛି ନ କହି ଆଗକୁ ଆଗେଇଲେ ଯୁବକ । ଯୁବକ ସନ୍ନ୍ୟାସୀ ଚାଲିଯିବା ପରେ ରାଧାମାଧବଙ୍କ ସେବାରେ ଲାଗିଗଲେ ପଦ୍ମାବତୀ । ସେହି ମୂର୍ତ୍ତି ଦେହରେ ସେ ଦେଖୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ । ତାଙ୍କ ଆଖି ଆଗରେ ନାଚିଉଠିଲା ପାହାନ୍ତି ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ଦୁଇ ପ୍ରହରର ଧୂପ, ମୁକୁନ୍ଦ ବଲ୍ଲଭ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ବେଶ । ପୁଣି ଚିନ୍ତା କରୁଥିଲେ ସେ–ଠାକୁରଙ୍କ ଦର୍ଶନ ଲାଗି ସାହାଣ ମେଲା ହୋଇଛି । ଜନଗହଳି ମଧ୍ୟରେ ସେ ଆଗେଇ ଚାଲିଛନ୍ତି ଠାକୁରଙ୍କ ଦର୍ଶନ ଉଦ୍ଦେଶ୍ୟରେ ।

ମନେକଲେ ପଦ୍ମାବତୀ, ସତେଅବା ରାଧାମାଧବ ମୂର୍ତ୍ତି ଶ୍ରୀଜଗନ୍ନାଥ ଓ ସୁଭଦ୍ରା ହୋଇ ସହାସ୍ୟ ବଦନରେ କହୁଛନ୍ତି ତାଙ୍କୁ–କାହାକୁ ଖୋଜୁଛ ପଦ୍ମାବତୀ ! ମୁଁ ଯେ ଏଇଠି ତୁମ ନିକଟରେ ବସିଛି । ମୋତେ ଭଲକରି ଦେଖ । ମୁହିଁ ଜଗନ୍ନାଥ, ରାଧାମାଧବ, ଗୋପାଳକୃଷ୍ଣ, ବନମାଳୀ, ସତ୍ୟ ଶିବ ସନାତନ, ସ୍ୱତ୍ତ୍ଵ ରଜ ତମ, ବ୍ରହ୍ମା ବିଷ୍ଣୁ, ମହେଶ୍ଵର, ସାକାର, ନିରାକାର, ଅଣାକାର, ବୌଦ୍ଧ, ଜୈନ, ଶୈବ, ଶାକ୍ତ, ଗାଣପତ୍ୟ ଧର୍ମର ମୂଳାଧାର ।

“ପୀତ କୁଙ୍କୁମ ବରଣ ସେହି ବ୍ରହ୍ମା ମୂର୍ତ୍ତି

ଡାହାଣେ ଶୁକଳ ବର୍ଣ୍ଣ ମହାଦେବ ଜ୍ୟୋତି,

ରୂପରେ ତ ନାରାୟଣ ବର୍ଣ୍ଣ ଅଟେ କଳା

ବ୍ରହ୍ମା ବିଷ୍ଣୁ ମହେଶ୍ଵର ତିନି ଦେବ ମେଳ ।

ବଳଭଦ୍ର ସୁଭଦ୍ରା ଏ କୃଷ୍ଣ ତିନି ରୂପ

ବଉଦ୍ଧ ରୂପରେ ହେଲେ ଏମନ୍ତ ସ୍ଵରୂପ ।”

 

ଆବେଗଭରା ଚିତ୍ତରେ ରାଧାମାଧବଙ୍କୁ ଅବଲୋକନ କରି ବିହ୍ଵଳତା ହେଲେ ପଦ୍ମାବତୀ-। ଏପରି ଏକ ପବିତ୍ର ପୀଠରେ ଅବସ୍ଥାନର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରୁଥିଲେ ସେ । ଏଇ ସେ ପବିତ୍ର ପୀଠ, ଯେଉଁ ପୀଠର ମହାତ୍ମ୍ୟ ସମ୍ପର୍କରେ ବିଭିନ୍ନ ପୁରାଣ ଶତମୁଖର-

 

“ଓଡ଼୍ୟାଖଂ ପ୍ରଥମଂ ପୀଠଂଦ୍ଵିତୀୟଂ ଜାଳଶୈଳକଂ

ତୃତୀୟଂ ପୂର୍ଣ୍ଣ ପୀଠନ୍ତୁ କାମରୂପଂ ଚତୁର୍ଥକଂ,

ଉଡ଼୍ର ପୀଠଂ ପଶ୍ଚିମେତୁ ତଥୈବୋଡ଼୍ରେଶ୍ଵରୀ ଶିବାଂ

କାତ୍ୟାୟିନିଂ ଜଗନ୍ନାଥ ମୋଢ଼େଶ ଚ ପ୍ରପୂଜୟତ୍ ।”

 

ମନେ ମନେ ହସିଲେ ପଦ୍ମାବତୀ । ପିତା ବିକ୍ରମଦେବ ସଂସ୍କୃତ ଅଧ୍ୟୟନ କରାଇବା ସମୟରେ ଉଦ୍ଦାତ୍ତ କଣ୍ଠରେ ଗାଉଥିଲେ ଏ ପୀଠର ମହାତ୍ମ୍ୟ–

 

“ଗୋକର୍ଣ୍ଣଂ ଗଜକର୍ଣ୍ଣଂଚ ତଥା ଚ ପୁରୁଷୋତ୍ତମଃ

ଦ୍ଵାରକା କୃଷ୍ଣ ତୀର୍ଥଂ ଚ ତଥାର୍ଦ୍ଦୁଦ ସରସ୍ଵତୀ ।”

 

ସେହି ପୁଣ୍ୟ ପୀଠ ଶ୍ରୀକ୍ଷେତ୍ରରେ ରାଧାମାଧବଙ୍କ ସେବକୀ ସେ । ତାଙ୍କଠାରୁ ଆଉ କିଏ ଅଛି ଭାଗ୍ୟବତୀ ? ଚକ୍ଷୁ ମୁଦ୍ରିତ କରି ଅନ୍ତରର ନିବେଦନ ରାଧାମାଧବଙ୍କୁ ଜଣାଇଲେ ପଦ୍ମାବତୀ । ଆଜି ତାଙ୍କ ମନ ଭିତରେ ଏକ ଅପୂର୍ବ ଶୀହରଣ ।

 

କେତେବେଳେ ସେବା ପୂଜାରେ ଦିନ ଶେଷ ହେଲା ତାଙ୍କୁ ଜଣାନାହଁ । ସୂର୍ଯ୍ୟାସ୍ତ ପରେ ପ୍ରକୃତିସ୍ଥ ହେଲେ ସେ । ସନ୍ଧ୍ୟା ଧୂପ ଶେଷକରି ବିଶ୍ରାମ ନେବା ପାଇଁ ପ୍ରସ୍ତୁତ ହେବାବେଳକୁ ମନେକଲେ–ଟିକେ ତାଳପତ୍ର ପୋଥିଗୁଡ଼ିକୁ ଖେଳାଇବେ । ତା’ ଦେହରେ ଯୁବକ ସନ୍ନ୍ୟାସୀ ଲେଖନୀ ଧରି କ’ଣ ଲେଖୁଛନ୍ତି ଦେଖିବେ । ପ୍ରତ୍ୟେକ ଦିନ ରାତିରେ ରାଧାମାଧବଙ୍କ ସେବା ଶେଷରେ ଯୁବକ ସନ୍ନ୍ୟାସୀ ଏଇ ପୋଥି ଖେଳାନ୍ତି । ସ୍ଥିର ଚିତ୍ତରେ ବସି ଲେଖନୀ ଚଳାନ୍ତି । ଲେଖୁଲେଖୁ କେତେବେଳେ ନିଦ ଆସେ ସେ ନିଜେ ବୋଧହୁଏ ଜାଣି ପାରନ୍ତି ନାହିଁ ।

 

କେତେ ବାସନା ଜାଗେ ମନ ଭିତରେ ପ୍ରଶ୍ନ କରିବେ ସନ୍ୟାସୀଙ୍କୁ–“କ’ଣ ଲେଖୁଛନ୍ତି, ଆପଣ ?”କିନ୍ତୁ ମନର ପ୍ରଶ୍ନ ମନରେ ରହିଯାଏ । ବାକ୍ୟ ସ୍ଫୁରେ ନାହିଁ । ବିଶ୍ରାମ ନିଅନ୍ତି ସନ୍ନ୍ୟାସୀ ।

 

ସେହି ତାଳପତ୍ର ପୋଥିକୁ ଖେଳାଇବେ ପଦ୍ମାବତୀ । ଆଉ ନିଜକୁ ସ୍ଥିର ରଖି ନପାରି ଉଠିଗଲେ ସେ । ଉପର ପୋଥିଟିକୁ ଉଠାଇ ଆଣି ବସିଲେ ଥରିଲା ଦୀପଶିଖା ସମ୍ମୁଖରେ ରାଧାମାଧବଙ୍କୁ ମୁହଁକରି, ଖେଳାଇଲେ ପତ୍ରଗୁଡ଼ିକ । ସୁନ୍ଦର ଅକ୍ଷରରେ ଲିଖିତ ସଂସ୍କୃତ ଶ୍ଳୋକ । ମହାପ୍ରଭୁଙ୍କ ଅବତାର ବର୍ଣ୍ଣନାରେ ଶତମୁଖର । ଆଉ ନିଜର ଲୋଭ ସମ୍ବରଣ କରିପାରିଲେ ନାହିଁ ସେ । ଏକ ଲୟରେ ବସି ଗାନକଲେ ସେହି ଶ୍ଳୋକ, ସୁଲଳିତ କଣ୍ଠରେ–

 

‘‘ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍

ବିହିତ ବହିତ୍ର ଚରକ୍ରମଖେଦମ୍

କେଶବ ଧୃତ ମୀନ ଶରୀର ଜୟ ଜଗଦୀଶ ହରେ ।

କ୍ଷିତରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ

ଧରଣୀଧରଣକିଣଚକ୍ରଗରିଷ୍ଠେ

କେଶବ ଧୃତ କଚ୍ଛପ ରୂପ ଜୟ ଜଗଦୀଶ ହରେ ।”

 

ପଦ୍ମାବତୀଙ୍କ ଗଣ୍ଡେଦେଇ ବହିଯାଉଥିଲା ଧାର ଧାର ଲୋତକ । ସେ ପ୍ରତ୍ୟେକ ପଦର ଶେଷରେ ମୁଣ୍ଡ ଅବନତ କରି ପ୍ରଣତି ଜଣାଉଥିଲେ ପ୍ରଭୁ ରାଧାମାଧବଙ୍କୁ ।

 

ଏତିକିବେଳେ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କଲେ ଯୁବକ ସନ୍ନ୍ୟାସୀ । କୁଟୀର ମଧ୍ୟକୁ ପ୍ରବେଶ କରୁ କରୁ ଆଶ୍ଵର୍ଯ୍ୟାନ୍ଵିତ ହୋଇପଡ଼ିଲେ ପଦ୍ମାବତୀଙ୍କର ସୁଲଳିର କଣ୍ଠର ଲହରରେ । ହାତରେ ଧରିଥିବା ଅବଢ଼ା କୁଡ଼ୁଆ ଦୁଇଟିକୁ ନୀରବରେ ଗୋଟିଏ କଣରେ ରଖିଦେଇ ଠିଆହୋଇ ରହିଲେ ତାଙ୍କ ପଶ୍ଚାତ୍‌ଭାଗରେ । ନିରବଚ୍ଛିନ୍ନ ଭାବରେ ସେମିତି ଦଶାବତାର ସଙ୍ଗୀତ ଗାନ କରୁଥାନ୍ତି ପଦ୍ମାବତୀ । ଚକ୍ଷୁ, ନିବଦ୍ଧ ଥାଏ, ତାଳପତ୍ର ପୋଥି ଉପରେ । ଧାର ଧାର ଲୋତକ ଗଣ୍ଡ ଧୌତକରି ସ୍ପର୍ଶ କରୁଥାଏ ହୃଦୟ ଦେଶ । ବିମୁଗ୍‌ଧ ଯୁବକ ସନ୍ନ୍ୟାସୀ ଅପଲକ ନେତ୍ରରେ ଚାହିଁଥାନ୍ତି ରାଧାମାଧବଙ୍କ ବିଗ୍ରହ ଆଡ଼େ । ତାଙ୍କ ନୟନରେ ମଧ୍ୟ ଲୋତକର ବନ୍ୟା । ନିଜ ରଚନାର ସଫଳ ପରିବେଷଣ ସେ କେବେ କାହା କଣ୍ଠରୁ ଶୁଣି ନଥିଲେ । ଆଜି ଏଇ ପ୍ରଥମ, ତେଣୁ ଆତ୍ମବିଭୋର ହେଉଥିଲେ ସେ । ମନେ ମନେ କହୁଥିଲେ–ଧନ୍ୟା ତୁମେ ପଦ୍ମାବତୀ ! ଧନ୍ୟ ତୁମର କଣ୍ଠର ଲାଲିତ୍ୟ ।

 

ଏପରି ସମୟରେ–ଗାନ ଶେଷକରି ରାଧାମାଧବଙ୍କ ଉଦ୍ଦେଶ୍ୟରେ ଭୂମିରେ ମୁଣ୍ଡ ଲଗାଇଲେ ପଦ୍ମାବତୀ ଏବଂ ଉଠିଲେ ପୋଥିଟି ଯଥା ସ୍ଥାନରେ ରଖିଦେଇ, ଯୁବକ ସନ୍ନ୍ୟାସୀ ଆସିବା ପୂର୍ବରୁ ଟିକେ ବିଶ୍ରାମ ନେବାପାଇଁ । ହଠାତ୍ ଅନୁଭବ କଲେ ସେ–ଯେମିତି ତାଙ୍କ ପଛରେ କିଏ ଠିଆହୋଇଛି କାୟା ପଛରେ ଛାୟା ପରି । ଚମକିପଡ଼ି ପଛକୁ ଚାହିଁଦେଲେ ସେ ।

 

ଏଁ...,ଯୁବକ ସନ୍ନ୍ୟାସୀ ସେ ପଶ୍ଚାତ୍‌ଭାଗରେ ଦଣ୍ଡାୟମାନ । କମ୍ପିତ ହେବାକୁ ଲାଗିଲା ପଦ୍ମାବତୀଙ୍କ ସମଗ୍ର ଶରୀର । ଅସ୍ଥିର ହୋଇ ସନ୍ନ୍ୟାସୀଙ୍କ ପଦତଳେ ପଡ଼ି କାକୁତି କଲେ ସେ–ପ୍ରଭୁ ! ମୋତେ କ୍ଷମା କରନ୍ତୁ ପ୍ରଭୁ ! ମୁଁ ଆପଣଙ୍କ ବିନା ଅନୁମତିରେ ପୋଥିଗୁଡ଼ିକୁ ଖେଳାଇବାର ଲୋଭ ସମ୍ବରଣ କରି ନପାରି ରାଧାମାଧବଙ୍କ ନିକଟରେ ଗାନ କରିଛି ।

 

ଅଧରରେ ହାସ୍ୟରେଖା ଫୁଟାଇ ପାଦ ତଳୁ ପଦ୍ମାବତୀଙ୍କୁ ଉଠାଇନେଲେ ଯୁବକ । କିଛି ସମୟ ଚାହିଁରହିଲେ ତାଙ୍କ ସୁନ୍ଦର ଗୌର ମୁଖ ପଙ୍କଜକୁ । କହିଲେ–ମୁଁ ଦୁଃଖିତ ନୁହେଁ ପଦ୍ମାବତୀ । ଆଜି ସବୁଠାରୁ ଅଧିକ ଆନନ୍ଦିତ । ତୁମେ ମୋର ମାନସ–ସନ୍ତାନର ଜନନୀ ସାଜି ସାଫଲ୍ୟର ସହିତ ଜନ୍ମ ଦେଇଛ । ରାଧାମାଧବଙ୍କୁ ପଦକମଳରେ ପରିବେଷଣ କରିଛ । ଆଉ ଅଧିକ କ’ଣ ମୁଁ ଚାହେଁ ?

 

–“ପ୍ରଭୁ !” ଚକ୍ଷୁ ଖୋଲି ଯୁବକଙ୍କ ଆଡ଼େ ଚାହିଁଲେ ପଦ୍ମାବତୀ ।

 

ଯୁବକ କହିଲେ–“ପଦ୍ମାବତୀ ପିତାମାତାଙ୍କୁ ଛାଡ଼ି ତୁମେ ଏ କୁଟୀରରେ ଅବସ୍ଥାନ କରିବା ପରେ ମୁଁ ବିଶେଷ ଖୁସି ନ ଥିଲି । ସାଂସାରିକ ଜଞ୍ଜାଳରେ ଛନ୍ଦି ହୋଇଯିବି ବୋଲି ଭୟ ଏବଂ ଆଶଙ୍କା କରୁଥିଲି; କିନ୍ତୁ ଆଜି ସେ ଆଶଙ୍କା ଅସତ୍ୟରେ ପରିଣତ ହୋଇଛି । ତୁମେ ଏ କୁଟୀରରେ ଅବସ୍ଥାନ କରି ମୋତେ ଧନ୍ୟ କରିଛ, ମୋ ସୃଷ୍ଟିକୁ ଜୀବନ୍ତ ଏବଂ ମୁଖର କରିଛ ।”

 

–“ଏ ଛାର ସେବିକାକୁ ପ୍ରଶଂସା କରନ୍ତୁ ନାହିଁ ପ୍ରଭୁ ।” କହିଲେ ପଦ୍ମାବତୀ ।

 

ବିଚଳିତ ହୋଇପଡ଼ିଲେ ଯୁବକ । କହିଲେ–“ତୁମେ ସୁନ୍ଦରୀ ! ସୁଗୁଣବତୀ । ଆଜି ଏହି ପବିତ୍ର ମୁହୂର୍ତ୍ତରେ କୁହ, ମୋ’ଠାରୁ ତୁମେ କ’ଣ ଚାହଁ ?”

 

–“କିଛି ନୁହେଁ ପ୍ରଭୁ ! କେବଳ ଚାହେଁ ମୁଁ ଚିରଦିନ ରାଧାମାଧବଙ୍କର ଏବଂ ଆପଣଙ୍କର ପଦ ସେବା ପାଇଁ ଏଇ କୁଟୀରରେ ରହିବି । ମୋତେ ଏତିକି ଭିକ୍ଷା ଦିଅନ୍ତୁ ପ୍ରଭୁ !”

 

ପରିପୂର୍ଣ୍ଣ ଦୃଷ୍ଟିରେ ପଦ୍ମାବତୀଙ୍କୁ ଚାହିଁଲେ ଯୁବକ ସନ୍ନ୍ୟାସୀ ଏବଂ ନିଜ ବକ୍ଷରେ ଜଡ଼ାଇଧରି କହିଲେ–“କେବଳ ସେବକୀ ନୁହେଁ ପଦ୍ମାବତୀ ! ଏଇ ରାଧାମାଧବଙ୍କୁ ସାକ୍ଷୀରଖି ମୁଁ ତୁମକୁ ଆଜିଠାରୁ ନିଜ ହୃଦୟରେ ସ୍ଥାନ ଦେଉଛି । ସାମାନ୍ୟ କୁଟୀରରେ ତୁମ ପାଇଁ ସ୍ଥାନ ଯଥେଷ୍ଟ ନୁହେଁ । ତୁମେ ମୋର ସେବିକା ନୁହଁ...ତୁମେ ମୋର ଉତ୍ସାହ, ଉଦ୍ଦୀପନା ଏବଂ ପ୍ରେରଣାର ଉତ୍ସ ।

 

ନିର୍ବାକ ନିଃସ୍ପନ୍ଦ ହୋଇ କିଛି ସମୟ ଯୁବକଙ୍କୁ ଚାହିଁରହିଲେ ପଦ୍ମାବତୀ ଏବଂ ନିଜକୁ ସ୍ଥିର ରଖି ନପାରି ମୁହୂର୍ତ୍ତକ ମଧ୍ୟରେ ରାଧାମାଧବଙ୍କ କଣ୍ଠରୁ ସୁଗନ୍ଧଯୁକ୍ତ ଚମ୍ପକ କୁସୁମର ମାଳାଟିଏ ଆଣି ଲମ୍ବାଇଦେଲେ ଯୁବକଙ୍କ କଣ୍ଠଦେଶରେ ।

 

ନିଜର ବାହୁ ଯୁଗଳକୁ ଲମ୍ବାଇଦେଲେ ଯୁବକ ପଦ୍ମାବତୀଙ୍କ କଣ୍ଠରେ ପୁଷ୍ପ ମାଲ୍ୟପରି । ବାକ୍‌ଶୂନ୍ୟ ଥିଲେ ଯୁବକ ଏବଂ ପଦ୍ମାବତୀ । ପବିତ୍ର ତ୍ରିବେଣୀ ସଙ୍ଗମ, ପଦ୍ମାବତୀଙ୍କ ନିଷ୍ଠା, ଯୁବକଙ୍କ ହାର୍ଦ୍ଦିକତା ଏବଂ ରାଧାମାଧବଙ୍କ ଶୁଭ ଦୃଷ୍ଟି ଏକ ଅପୂର୍ବ ସଙ୍ଗମ ସୃଷ୍ଟି କରିଥିଲା । ସ୍ଥାନଟିରେ ସେମିତି ବାହୁ ବନ୍ଧନରେ ଜଡ଼ାଇ ରଖି ଯୁବକ କହିଲେ–“ପଦ୍ମା ! ମୋର ଦୁର୍ବଳତା ଯୋଗୁ ତୁମେ ଭୁଲ୍ କରି ବସିଲ ।”

 

–“ଭୁଲ ?”ମୁହଁ ଉଠାଇଲେ ପଦ୍ମାବତୀ ।

 

–‘‘ହଁ ତୁମେ ଭୁଲ୍ କଲ ।”

 

–“ଭୁଲ୍, ଥିଲେ ମୋତେ କ୍ଷମା କରନ୍ତୁ ପ୍ରଭୁ ।”

 

–“ଏ ଭୁଲ୍ କ୍ଷମା ଚାହେଁ ନାହିଁ । ପରବର୍ତ୍ତୀ ଜୀବନରେ ଅନୁତାପ ଆଣିପାରେ !”

 

–“ଅନୁତାପ ?”

 

–“ହଁ ଅନୁତାପ ! କାରଣ ତୁମ ନିକଟରେ ମୁଁ ଅଜ୍ଞାତ କୁଳଶୀଳ ପରିଚୟହୀନ । ଏପରି ଜଣେ ପରିଚୟହୀନ ଯୁବକ ସନ୍ନ୍ୟାସୀକୁ ତୁମେ ଫୁଲମାଳ ଦେଇ ବରଣ କରି ଭୁଲ୍ କରିଛ ।”

 

–“ଆପଣ ହିଁ ମୋର ପରିଚୟ । ମୁଁ ଅଧିକ କି ପରିଚୟ ଚାହେଁ ପ୍ରଭୁ ?”

 

“ତୁମେ ସୁଗୁଣବତୀ ସତୀସାଧ୍ଵୀ ନାରୀ ।”

 

–‘‘ସେହି ନାରୀର ଶ୍ରେଷ୍ଠ ପରିଚୟ ହିଁ ସ୍ୱାମୀ ଦେବତା ।”

 

–“ପଦ୍ମାବତୀ !!”

 

–“କହନ୍ତୁ ପ୍ରଭୁ”

 

–“ତଥାପି ତଥାପି ତୁମେ ମୋର ପରିଚୟ ଜାଣିବା ଉଚିତ ପଦ୍ମା ! ତୁମେ ମୋର ଇହକାଳ ପରକାଳର ପତ୍ନୀ ହୋଇସାରିଛ ।”

 

–“ଆପଣଙ୍କ ଇଚ୍ଛା ହିଁ ମୋର ଇଚ୍ଛା ପ୍ରଭୁ ! କୁହନ୍ତୁ ନିଜ ଜୀବନର କାହାଣୀ । ସବୁ ଶୁଣିବି । ଧନ୍ୟା ହେବି ।”

 

ପଦ୍ମାବତୀଙ୍କ କଥାରେ ବିମୋହିତ ହୋଇ ଆସନ ଉପରେ ବସିପଡ଼ିଲେ ଯୁବକ ସନ୍ନ୍ୟାସୀ ଏବଂ ପଦ୍ମାବତୀଙ୍କ ହାତଧରି କୋଳରେ ବସାଇ ଦେଉ ଦେଉ କହିଲେ–“ମୁଁ ପବିତ୍ର ପ୍ରାଚୀ ନଦୀ ତୀର କେନ୍ଦୁବିଲ୍ଵ, ଗ୍ରାମର ଦରିଦ୍ର ବ୍ରାହ୍ମଣ ଭୋଜଦେବ ଶର୍ମାଙ୍କ ପୁତ୍ର ଜୟଦେବ ।”

 

ଯୁବକଙ୍କ କୋଳରେ ବସି ଆଖି ବୁଜି ଜୀବନ କାହାଣୀ ଶୁଣିବାକୁ ଚେଷ୍ଟା କରୁଥିଲେ ପଦ୍ମାବତୀ । ସମ୍ମୁଖରୁ ଚାହିଁରହିଥିଲେ ପ୍ରଭୁ ରାଧାମାଧବ ଆର୍ଶୀବାଦର ସ୍ରୋତ ଛୁଟାଇ ।

 

ତାଳ ତମାଳ କେନ୍ଦୁବିଲ୍ଵ, ବୃକ୍ଷ ଶୋଭିତ କ୍ଷୁଦ୍ର ପଲ୍ଲୀଗ୍ରାମ କେନ୍ଦୁବିଲ୍ଵ । ପାଟଳୀ ପୁଷ୍ପର ସୁଗନ୍ଧରେ ବେଳେବେଳେ ମହକିଉଠେ ଏ ଗ୍ରାମର ଲତାକୁଞ୍ଜ ! ଦଗହଜା ଶସ୍ୟ କ୍ଷେତ୍ରର ସବୁଜିମାରେ ଶିଶିରସ୍ନାତ ପ୍ରଭାତ ଚମକ ଖେଳାଏ ଅଧିବାସୀଙ୍କ ମନରେ । ପୁଲକିତ ହୁଅନ୍ତି ସେମାନେ ଅପରାହ୍ନର ପକ୍ଷୀର କାକଳିରେ ଏବଂ ଗୋଗୋଷ୍ଠ ବାହୁଡ଼ା ହମ୍ବାରଡ଼ିରେ ।

 

ଧାଡ଼ି ଧାଡ଼ି ଚାଳଘର ଘେରା କେନ୍ଦୁବିଲ୍ଵ, ଗ୍ରାମରେ ସନ୍ଧ୍ୟାର ଆଗମନ ସହିତ ମାଧବ, ବିଷ୍ଣୁ, ଲକ୍ଷ୍ମୀ, ନୃସିଂହ ଭୈରବ, ତାରା, ଦୂର୍ଗା, ଏବଂ ଚଣ୍ଡୀମନ୍ଦିର ମାନଙ୍କରୁ ଭାସିଆସେ ସ୍ତୋତ୍ର ପାଠ ଓ ଘଣ୍ଟଘଣ୍ଟାର ଆଳତି ଧ୍ଵନି । ଅନ୍ଧାର ଜମାଟ ବାନ୍ଧେ । ସ୍ଵପ୍ନ ଦେଖେ କେନ୍ଦୁବିଲ୍ଵ, ଗ୍ରାମ ଆଗାମୀ ଭବିଷ୍ୟତର ।

 

ସେହି ଗ୍ରାମର ଦରିଦ୍ର ଶାସ୍ତ୍ରବିଦ୍ ବ୍ରାହ୍ମଣ ମାଧବଦେବ ଶର୍ମା । ବୋଧହୁଏ ଏପରି ନାମରେ ନାମିତ ହୋଇଥିଲେ ସେ–ମାଧବଙ୍କ କୃପାରୁ ଜନ୍ମଲାଭ କରିଥିଲେ ବୋଲି । ଯଜମାନଙ୍କର ସେବାପୂଜା ଏବଂ ଭିକ୍ଷା ଥିଲା ତାଙ୍କ ବୃତ୍ତି । ସେବାପୂଜା ଏବଂ ଭିକ୍ଷାରୁ ଯାତ୍ରା ସେ ଲାଭ କରୁଥିଲେ, ସେଥିରେ ସଂସାର ଚଳାଇବାକୁ ଚେଷ୍ଟା କରୁଥିଲେ ସୁଗୃହିଣୀ ପତ୍ନୀ ଲକ୍ଷ୍ମୀ ଦେବୀ-। ରୁଗ୍‌ଣ ଭଗ୍ନ କୁଟୀରରେ ବାସ କରୁଥିଲେ ସେମାନେ ଆନନ୍ଦିତ ଚିତ୍ତରେ ।

 

ଭିକ୍ଷା ନ ମିଳିଲେ ଦୁଃଖ ନଥିଲା । ରାତିରେ ରାଧାମାଧବଙ୍କ ଭଜନ ଗାନ କରୁ କରୁ ନିଦ୍ରା ଯାଉଥଲେ ଜଳପାନ କରି ।

 

ଧନ ରତ୍ନ ସ୍ୱର୍ଣ୍ଣ ରୌପ୍ୟ ପ୍ରତି ସେମାନଙ୍କର ମୋହ ନଥିଲା । ସମ୍ପଦ ଥିଲା ନିଜ କୁଟୀର ଅଙ୍ଗନର ଗୋଟିଏ ନିମ୍ବ ଓ ଗୋଟିଏ ବିଲ୍ଵ ବୃକ୍ଷ । ସେହି ବୃକ୍ଷ ମୂଳେ ବସି ମାଧବଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିବା, ଭଜନ ଗାନ କରିବା ଶାରଦୀୟ ଜ୍ୟୋତ୍ସ୍ନାକୁ ଉପଭୋଗ କରିବା ଏବଂ ନିତିଦିନ ଉଦୟ ସୂର୍ଯ୍ୟଙ୍କୁ ପ୍ରଗତି ଜଣାଇବା ଥିଲା ମାଧବ ଦେବ ଓ ଲକ୍ଷ୍ମୀଦେବୀଙ୍କର ଅଭ୍ୟାସ । ଏହି ମାଧବ ଦେବ ଓ ଲକ୍ଷ୍ମୀଦେବୀଙ୍କର ଏକମାତ୍ର ପୁତ୍ରସନ୍ତାନ ଭୋଜଦେବ ଶର୍ମା ।

 

ଆବାଲ୍ୟରୁ ସେ ଶାନ୍ତ, ସରଳ ଏବଂ ମେଧାବୀ । ଶୈଶବରେ ମାତାଙ୍କ କୋଳରେ ବସି ପୁରାଣର କାହାଣୀ ଶ୍ରବଣ ଏବଂ ପିତାମାତାଙ୍କଠାରୁ ସଂସ୍କାର ଶିକ୍ଷା ତାଙ୍କ ଜ୍ଞାନକୁ କରିଥଲା ପ୍ରସାରିତ । ସାମାନ୍ୟ ବୟସ ହେବା ପରେ ସେ ପାଟଳୀ ପୁଷ୍ପ ଚୟନ କରି ଗ୍ରାମର ଦେବାଦେବୀଙ୍କୁ ମଣ୍ଡିତ କରିବା ଏବଂ ନିମ୍ବ ମୂଳରେ ବସି ବିଦ୍ୟା ଅଧ୍ୟୟନ କରିବାରେ ହୋଇଥିଲେ ବ୍ରତୀ ।

ଏପରି କିଛିଦିନ ବିତିବା ପରେ ହଠାତ୍ ମାଧବ ଦେବ ପୀଡ଼ିତ ହୋଇପଡ଼ିଲେ । ଔଷଧ ଏବଂ ପଥ୍ୟ ଅଭାବରେ ତାଙ୍କ ଶରୀର ଦୁର୍ବଳ ହୋଇପଡ଼ିଲା । ବ୍ୟସ୍ତ ହେଲେ ପତ୍ନୀ ଲକ୍ଷ୍ମୀଦେବୀ ସ୍ଵାମୀଙ୍କ ଶଯ୍ୟା ନିକଟରେ ବସି । ଦିନ ଦିନ, ରାତି ରାତି ଅନାହାରରେ କଟିଛି ସ୍ଵାମୀ ସ୍ତ୍ରୀ ଏବଂ ଶିଶୁପୁତ୍ର ଭୋଜଦେବଙ୍କର । କ’ଣ କରିବେ ସେମାନେ ? ଲୋତକପୂର୍ଣ୍ଣ ଚକ୍ଷୁରେ କହିଲେ ମାଧବ ଦେବ–‘ଲକ୍ଷ୍ମୀ ! ତୁମେ ଚିନ୍ତା କରନାହିଁ । କୁଟୀର ଅଙ୍ଗନର ନିମ୍ବପତ୍ର ଏବଂ ବିଲ୍ଵପତ୍ରକୁ ସିଦ୍ଧକରି ଭୋଜନ କର, ମୋତେ ମଧ୍ୟ ଭୋଜନ ପାଇଁ ଦିଅ । ମୁଁ ଆନନ୍ଦରେ ତାହା ମାଧବଙ୍କ ପ୍ରସାଦ ମନେକରି ଆହାର କରିବି ।”

ମାଧବଦେବଙ୍କ କଥା ଶୁଣି କାନ୍ଦିଉଠିଲେ ଲକ୍ଷ୍ମୀଦେବୀ, କହିଲେ–“ସ୍ଵାମୀ ! ଆପଣ ରୋଗଗ୍ରସ୍ଥ । ସେଥିରେ ପତ୍ର ଆହାର କରି ବଞ୍ଚିବେ କିପରି ? ମୋ ସଂସାର ସରିଯିବ, ଶିଶୁପୁତ୍ର ଭୋଜ ଅନାଥ ହୋଇଯିବ । ବରଂ ଜଳପାନ କରି ଦିନ କଟୁ । ପ୍ରଭୁ ମାଧବ ନିଶ୍ଚୟ ଆମ ଦୁଃଖ ଶୁଣିବେ । ଆପଣ ସୁସ୍ଥ ହୋଇଉଠିବେ ।”

ଲକ୍ଷ୍ମୀଦେବୀଙ୍କ ଆଶ୍ୱାସନାରେ ଶାନ୍ତହୋଇ ଶୟନ କରିବାକୁ ଉପକ୍ରମ କଲେ ମାଧବଦେବ । କିନ୍ତୁ ଠିକ୍ ସେହି ସମୟରେ ଶିଶୁପୁତ୍ର ଭୋଜଦେବ କହିଲେ–“ମାତା ! ମୋତେ ଅନୁମତି ଦିଅନ୍ତୁ, ମୁଁ ଆସନ୍ତାକାଲିଠାରୁ ଭିକ୍ଷାପାତ୍ର ଧରି ଭିକ୍ଷା କରି ଯିବି । ଆଖପାଖ ଗ୍ରାମମାନଙ୍କରୁ ଭିକ୍ଷା କରି ଫେରିଆସିବି । ସେହି ଭିକ୍ଷାନ୍ନରେ ଆମେ ଭୋଜନ କରିବା, ପିତାଙ୍କୁ ପଥ୍ୟ ଦେବା । ପିତା ଆରୋଗ୍ୟ ଲାଭ କରିବେ ।”

 

ଭୋଜଦେବଙ୍କ ଅନୁରୋଧରେ କମ୍ପି ଉଠିଲେ ଲକ୍ଷ୍ମୀଦେବୀ । କହିଲେ–“ବାବା ! ତୁ ଶିଶୁପୁତ୍ର । ଏକୁଟିଆ ଭିକ୍ଷାପାତ୍ର ଧରି କେଉଁଠିକୁ ଯିବୁ ? ତୋତେ ଛାଡ଼ି ମୁଁ ଏକୁଟିଆ ରହିବି କିପରି-?”

 

ଭୋଜଦେବ କିନ୍ତୁ ଅଳି କରି କହିଲେ–“ମୋ ଉପରେ ବିଶ୍ଵାସ କର ମାଆ । ମୁଁ ସବୁ କରିପାରିବି । ମନ୍ତ୍ରପାଠରେ ଦିଅଁ ପୂଜା କରିପାରିବି । ଭିକ୍ଷା ଗ୍ରହଣ କରି ଆର୍ଶୀବାଦ ଶ୍ଳୋକ ପାଠ କରି ପାରିବି ।”

 

ପୁତ୍ର ଠାରୁ ଏପରି ନିର୍ଭୀକ ଉତ୍ତର ଶୁଣି ନୀରବ ହୋଇଗଲେ ଲକ୍ଷ୍ମୀଦେବୀ । ମନେ ମନେ ପ୍ରାର୍ଥନା କଲେ ସେ–“ହେ ପ୍ରଭୁ ମାଧବ ! ତୁମେ ଭୋଜକୁ ସହାୟ ହୁଅ, ତା’ ଯାତ୍ରାପଥକୁ ସୁଗମ କର ।” ଏପରି ଚିନ୍ତା କରି କରି ସମଗ୍ର ରାତ୍ରିଟି ବିତିଗଲା । ପ୍ରଭାତରେ ଶଯ୍ୟା ତ୍ୟାଗ କରି ଦେଖିଲେ ସେ–ଶିଶୁପୁତ୍ର ଭୋଜ ସ୍ନାନ ଶେଷକରି, ହସ୍ତରେ ପିତାଙ୍କ ଭିକ୍ଷାପାତ୍ର ଧାରଣ କରି ବିଦାୟ ନେବାପାଇଁ ଉଦ୍ୟତ । ବିହ୍ଵଳିତା ହୋଇ ବିଦାୟଦେଲେ ଲକ୍ଷ୍ମୀଦେବୀ । ଆଗକୁ ଆଗେଇଲେ ଭୋଜ ମନରେ ସାହସ ସଞ୍ଚୟ କରି ।

 

ନରଣପୁର, ବ୍ରହ୍ମନଗ୍ର, ମହୁଖଣ୍ଡା, ଗିରଙ୍ଗ, ରୁଦ୍ରପୁର, ଅର୍ଦ୍ଧଆଶପୁର (ଅଡ଼ଶପୁର) ଏବଂ ନିଆଳି ପ୍ରଭୃତି ଗ୍ରାମକୁ ଯାତ୍ରା କଲେ ସେ । ମୁଖରୁ ଝରିପଡ଼ୁଥାଏ ସୁଲଳିତ କଣ୍ଠର ଆବେଦନ–“ଭିକ୍ଷାଂ ଦେହି, ଭିକ୍ଷାଂ ଦେହି ।”

 

କୋମଳମତି ବାଳକର ଭିକ୍ଷା ପାଇଁ ଡାକ ଶୁଣି ଆମୋଦିତ ହେଲେ ଗ୍ରାମବାସୀ ଏବଂ ଅକୁଣ୍ଠିତ ଚିତ୍ତରେ ଦାନ କଲେ ଭିକ୍ଷା ଥାଳରେ । ମାତ୍ର ଦୁଇପ୍ରହର ବେଳକୁ ଥାଳ ପୂର୍ଣ୍ଣ ହୋଇଗଲା-। ପୂର୍ଣ୍ଣ ଥାଳକୁ ବହନ କରି ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ିଲା ଭୋଜଦେବଙ୍କ ପକ୍ଷରେ । ତେଣୁ ଗୃହାଭିମୁଖେ ପ୍ରତ୍ୟାବର୍ତ୍ତନ କଲେ ସେ । ଏଣେ ନାରୀ ଲକ୍ଷ୍ମୀଦେବୀ ଅନାଇ ବସିଥାନ୍ତି ଶିଶୁପୁତ୍ରର ଫେରନ୍ତା ପଥକୁ । ଠିକ୍ ଅପରାହ୍ନର ଛାଇ ରତ ରତ ବେଳକୁ ଦେଖିଲେ ସେ–ଭୋଜଦେବ କାନ୍ଧରେ ଭିକ୍ଷାପାତ୍ରଟି ଧରିଚାଲିଛି ଗୋହିରୀ ବିଲରେ । ଆଉ ସମ୍ଭାଳି ପାରିଲେ ନାହିଁ ସେ ନିଜକୁ-। ଧାଇଁଗଲେ ବିଲ ମଧ୍ୟକୁ ଶିଶୁପୁତ୍ରକୁ ସାହାଯ୍ୟ କରିବା ପାଇଁ । ପୁତ୍ର ନିକଟରେ ପହଞ୍ଚି ଆଶ୍ଚର୍ଯ୍ୟାନ୍ଵିତ ହେଲେ ମାତା ଲକ୍ଷ୍ମୀଦେବୀ । କି ଆଶ୍ଚର୍ଯ୍ୟ ! ଶିଶୁ ଭୋଜଦେବ ଯେ ମାଧବଦେବଙ୍କ ଠାରୁ ଅଧିକ ଭିକ୍ଷା ସଂଗ୍ରହ କରିବାରେ ସକ୍ଷମ ହୋଇଛି !

 

ଭିକ୍ଷାପାତ୍ର ସହ ଭୋଜଦେବଙ୍କୁ କୋଳକରି ପକାଇଲେ ଲକ୍ଷ୍ମୀଦେବୀ, କହିଲେ– “ବାବା-! ଗୋଡ଼ ହାତ ଥକିପଡ଼ିବଣି, ଆ’ ମୁଁ କୋଳକର ନେବି ।’ ହସି ହସି ଉତ୍ତର ଦେଇ କହିଲେ ଭୋଜଦେବ–“ନାଇଁ ମାଆ ! ମୋର କୌଣସି ଅସୁବିଧା ହୋଇନାହିଁ । ପ୍ରାଚୀ ନଦୀ ତୀରରେ କେତୋଟି ଗ୍ରାମରୁ ଭିକ୍ଷା କରି ମୁଁ ଅର୍ଦ୍ଧଆଶପୁରରେ ପହଞ୍ଚିଲା ବେଳକୁ ଦିନ ଦୁଇ ପ୍ରହର-। ପେଟରେ କ୍ଷୁଧା ଯୋଗୁ ଆଉ ଚାଲିବାକୁ ଶକ୍ତି ପାଉନଥାଏ । ଏପରି ସମୟରେ ମୁଁ ପହଞ୍ଚଲି ନାରାୟଣ ସାଧବଙ୍କ ଦ୍ଵାରଦେଶରେ ଏବଂ ଡାକିଲି–“ଭିକ୍ଷାଂ ଦେହି ।” ଶିଶୁର କଣ୍ଠସ୍ଵର ଶୁଣି ପଦାକୁ ବାହାରିଆସିଲେ ନିଜେ ନାରାୟଣ ସାଧବ । ମୋତେ ଦେଖି ଅନେକ ପ୍ରଶ୍ନ ପଚାରିଲେ-I ଅନୁରୋଧ କରି ଭୋଜନ କରାଇଲେ–ଦକ୍ଷିଣା ଦେଲେ, ଭିକ୍ଷା ଥାଳରେ ଭିକ୍ଷା ଦେଲେ । ବିଶ୍ରାମ ନେବାକୁ ବାଧ୍ୟ କଲେ । ମୁଁ ବିଶ୍ରାମ ନେଲି । ଏହି ବିଶ୍ରାମ ସମୟରେ ସେ ମୋତେ ମହାପ୍ରଭୁ ମାଧବଙ୍କ ଭଜନ ଗାନ କରିବାକୁ କହିଲେ । ମୁଁ ଭଜନ ଗାନ କଲି । ସେହି ଭଜନ ଶୁଣି ନାରାୟଣ ସାଧବ ଆଉ କିଛି କଉଡ଼ି ଉପହାର ଦେବାକୁ ଚାହିଁଲେ । ମୁଁ ବାରଣ କରି କହିଲି–“ନାଇଁ ମହାଜନ-! ମୁଁ ଥରେ ଭିକ୍ଷା ଗ୍ରହଣ କରିସାରିଛି, ଆଉ ଗ୍ରହଣ କରିପାରିବି ନାହିଁ ।” ମୋର ଏ ଉତ୍ତରରେ ପ୍ରୀତ ହୋଇ ନାରାୟଣ ସାଧବ କହିଲେ–“ଭୋଜଦେବ ! ତୁମ ପାଇଁ ନାରାୟଣ ସାଧବର ଦ୍ଵାର ସବୁଦିନ ଉନ୍ମୁକ୍ତ । ତୁମେ ନିତିଦିନ ଭିକ୍ଷା ପାଇଁ ଆସିବ–ଭୋଜନ କରିବ, ଦକ୍ଷିଣା ଗ୍ରହଣ କରିବ ଏବଂ ଭଜନ ଗାନକରି ଗୃହକୁ ପ୍ରତ୍ୟାବର୍ତ୍ତନ କରିବ ।”ନାରାୟଣ ସାଧବଙ୍କ କଥାରେ ସମ୍ମତ ହେଲି ମୁଁ ।

 

ଭୋଜଦେବଙ୍କ କଥା ଶ୍ରବଣ କରି ଆନନ୍ଦିତା ହୋଇପଡ଼ିଲେ ଲକ୍ଷ୍ମୀଦେବୀ । କହିଲେ–“ନାରାୟଣ ସାଧବ ଜଣେ ଧର୍ମପ୍ରାଣ ବ୍ୟକ୍ତି । ତାଙ୍କର ସୁନାମ ସମଗ୍ର ପ୍ରାଚୀ ମଣ୍ଡଳରେ ବିଦିତ । ତୁ ତାଙ୍କ ଗୃହରେ ଭୋଜନ କରି ଏବଂ ଭଜନ ଗାନ କରି କିଛି ଭୁଲ କରିନାହୁଁ ।”ମାତାଙ୍କର ସମର୍ଥନ ଶୁଣି ଆହୁରି ପ୍ରୀତ ହେଲେ ଭୋଜଦେବ । କହିଲେ–“ମାଆ ! ପିତା ବୃଦ୍ଧ ହେଲେଣି, ପୁଣି ରୋଗଗ୍ରସ୍ତ । ଏଣିକି ସେ ଆଉ ଭିକ୍ଷା କରି ଯିବେ ନାହିଁ । ମୁଁ ଭିକ୍ଷା କରି ଯିବି । ରାତ୍ରିରେ ଗୃହକୁ ପ୍ରତ୍ୟାବର୍ତ୍ତନ କରି ସଂସ୍କୃତ ଅଧ୍ୟୟନ କରିବି । ତୁମେ ଭିକ୍ଷାନ୍ନ ରନ୍ଧନ କରି ଆମକୁ ପରିବେଷଣ କରିବ । ତା’ହେଲେ ଆମ ପରିବାରରେ ଆଉ ଦୁଃଖ ରହିବ ନାହିଁ ମାଆ ।

 

ଶିଶୁପୁତ୍ରର ପରାମର୍ଶ ଶୁଣି ଲୋତକପୂର୍ଣ୍ଣ ହୋଇଉଠିଲା ଲକ୍ଷ୍ମୀଦେବୀଙ୍କ ଚକ୍ଷୁଯୁଗଳ । ଗୋଟିଏ ହାତରେ ଭିକ୍ଷାପତ୍ର ଧରି ଅନ୍ୟ ହାତରେ ଭୋଜଦେବଙ୍କୁ କୋଳ କରି କହିଲେ ସେ–“ହଁ ବାବା ! ଏଣିକି ତୁ ହିଁ ଭିକ୍ଷା କରିଯିବୁ । ପିତା ଗୃହରେ ବିଶ୍ରାମ ନେବେ । କୁଳଦେବତା ରାଧାମାଧବଙ୍କର ସେବା କରିବେ ।”

 

ରାଧାମାଧବଙ୍କ ନାମ ଶ୍ରବଣରେ ଶୀହରଣ ଖେଳିଲା ଭୋଜଦେବଙ୍କ ମନ ଭିତରେ । ଚକ୍ଷୁ ସମ୍ମୁଖରେ ନାଚିଉଠିଲା ନିଜ କୁଟୀର ମଧ୍ୟରେ ଥିବା କ୍ଷୁଦ୍ର ପ୍ରସ୍ତର ନିର୍ମିତ ରାଧାମାଧବଙ୍କ ବିଗ୍ରହ । ଶୂନ୍ୟକୁ ହାତ ଟେକି ପ୍ରଣତି ଜଣାଇଲେ ସେ । କହିଲେ–“ମାଆ ! ଆମ କୁଟୀରରେ ତ ନିଜେ ପ୍ରଭୁରାଧାମାଧବ ବିରାଜିତ, ତେବେ ସେ ଆମ ଦୁଃଖ ଶୁଣୁନାହାନ୍ତି କାହିଁକି ?”

 

କୁଟୀର ଆଡ଼େ ପାଦ ବଢ଼ାଉ ବଢ଼ାଉ କହିଲେ ଲକ୍ଷ୍ମୀ ଦେବୀ । କିଏ କହିଲା ବାବା ! ସେ ଆମ ଦୁଃଖ ଶୁଣୁନାହାନ୍ତି ? ସେ ଯେ ଆମର ଦୁଃଖ ଦେଖୁଛନ୍ତି । ଆମକୁ ଘଣ୍ଟ ଘୋଡ଼େଇ ରଖିଛନ୍ତି । ନହେଲେ ଆମେ ଏ କେନ୍ଦୁବିଲ୍ଵ ଗ୍ରାମରେ ରହିଥାନ୍ତେ କେମିତି ?”

 

ମାତାଙ୍କ ଉତ୍ତର ଶୁଣି ମନେ ମନେ ଲଜ୍ଜିତ ହେଲେ ଭୋଜଦେବ । କହିଲେ–“ମାଆ, ଏମିତ ପ୍ରଶ୍ନ ପଚାରି ମୁଁ ଭୁଲ୍ କରିଦେଇଛି । ମୋତେ କ୍ଷମାକର ।”

 

ସ୍ନେହ ଗଦ୍‌ଗଦ୍ ଚିତ୍ତରେ ଭୋଜଦେବଙ୍କୁ ନିଜ ବକ୍ଷରେ ଜଡ଼ାଇଦେଲେ ଲକ୍ଷ୍ମୀଦେବୀ ଏବଂ ଅଧରରେ ଘନ ଘନ ସ୍ପର୍ଶ କଲେ କପାଳଦେଶ । ପରିତୃପ୍ତ ହେଲେ ଶିଶୁ ଭୋଜଦେବ ।

 

କୁଟୀରକୁ ଫେରିଆସିଲେ ମାତା ଓ ପୁତ୍ର । ଆନନ୍ଦିତ ହେଲେ ରୁଗ୍‌ଣ ମାଧବଦେବ ଶିଶୁପୁତ୍ର ଭୋଜଦେବର ସାଫଲ୍ୟ କାହାଣୀ ଶୁଣି । ତତ୍‌ପରେ ଲକ୍ଷ୍ମୀଦେବୀ ଭିକ୍ଷାନ୍ନରେ ପାକ ପ୍ରସ୍ତୁତି ପାଇଁ ଲାଗିପଡ଼ିଲେ ଏବଂ ଭୋଜଦେବ ନିକଟ ପୁଷ୍କରଣୀରେ ନିତ୍ୟକର୍ମ ଶେଷକରି ଭଜନ ଗାନକଲେ କୁଟୀର ମଧ୍ୟରେ ଥବା ରାଧାମାଧବଙ୍କ ମୂର୍ତ୍ତି ନିକଟରେ ବସି ! ଭଜନ ଶେଷରେ ମନଦେଲେ ସଂସ୍କୃତ ଅଧ୍ୟୟନରେ ।

 

ସମୟ କ୍ରମେ ମାଧବଦେବ ଶର୍ମା ସୁସ୍ଥ ହୋଇଉଠିଲେ । କୁଟୀର ସମ୍ମୁଖସ୍ଥ ନିମ୍ବ ବୃକ୍ଷ ମୂଳରେ ବସି ଦିନେ କହିଲେ–“ବାବା ଭୋଜ ! ଏବେ ମୁଁ ସୁସ୍ଥ ହୋଇଛି । ଭିକ୍ଷା କରିବା ପାଇଁ ନିକଟସ୍ଥ ଗ୍ରାମକୁ ଯାତ୍ରା କରିପାରିବି । ମୋତେ ଭିକ୍ଷାପାତ୍ର ଦେ, ମୁଁ ଯାଏ, ତୁ କୁଟୀରରେ ରହି ବିଦ୍ୟା ଶିକ୍ଷା କର ।”

 

ଭୋଜ କହିଲେ–“ପିତା ! ଏ ବୃଦ୍ଧ ବୟସରେ ଆପଣ ଗ୍ରାମକୁ ଗ୍ରାମ ଯାତ୍ରା କରି କ୍ଳାନ୍ତ ହେବେ କାହିଁକି ? ପୁନର୍ବାର ଶରୀର ପୀଡ଼ିତ ହୋଇପାରେ । ତେଣୁ ଆପଣ ଏଇ କୁଟୀରରେ ବିଶ୍ରାମ ନିଅନ୍ତୁ । ରାଧାମାଧବଙ୍କ ସେବାରେ ଦିନ କଟାନ୍ତୁ । ମୁଁ ଭିକ୍ଷା କରି ପାରିବାର ଚଳାଇପାରିବି ଏବଂ ସନ୍ଧ୍ୟାରେ ଅଧ୍ୟୟନ କରିବାରେ ଅସୁବିଧା ହେବନାହିଁ ।”

 

ଭୋଜଙ୍କ ଉତ୍ତର ଶୁଣି ଆନନ୍ଦିତ ହେଲେ ମାଧବଦେବ, କହିଲେ–ହଉ ବାବା । ତାହା ହିଁହେଉ । ତୁ ଆଖପାଖ ଗ୍ରାମର ଅଧିବାସୀମାନଙ୍କର ଆଦର ଅଭ୍ୟର୍ଥନା ଲାଭ କର ।

 

ପିତାଙ୍କ ଆର୍ଶୀବାଦରେ ସନ୍ତୋଷ ଲାଭ କଲେ ଭୋଜଦେବ । ସେହିଦିନଠାରୁ ନିତିଦିନ ପ୍ରଭାତରୁ ନିତ୍ୟକର୍ମ ଶେଷକରି ଯାତ୍ରା କଲେ ଭିକ୍ଷା ପାଇଁ । ପରିଚିତ ହୋଇଉଠିଲେ ସେ ସମଗ୍ର ଅଞ୍ଚଳରେ । ତାଙ୍କ କଣ୍ଠର ଭଜନ ସଂସ୍କୃତ ଶ୍ଳୋକ ଆବୃତ୍ତି ଏବଂ ଆର୍ଶୀବାଦ ବାଣୀ ଶ୍ରବଣ କରିବା ପାଇଁ ଉତ୍କଣ୍ଠିତ ହୋଇଉଠିଲେ ନିକଟବର୍ତ୍ତୀ ଗ୍ରାମବାସୀମାନେ ।

 

ପ୍ରତ୍ୟେକ ଦିନ ଅଳ୍ପ ସମୟ ମଧ୍ୟରେ ତାଙ୍କ ଭିକ୍ଷାପାତ୍ର ପୂର୍ଣ୍ଣ ହେଲା, ସେ ମଧ୍ୟାହ୍ନରେ ପହଞ୍ଚିଲେ ନାରାୟଣ ସାଧବଙ୍କ ଗୃହ ଦ୍ଵାରରେ । ସେଠାରେ ଭୋଜନ ଶେଷକରି ବିଶ୍ରାମ ଗ୍ରହଣ କଲେ ଏବଂ ଭିକ୍ଷା ଗ୍ରହଣ କରି ପ୍ରତ୍ୟାବର୍ତ୍ତନ କଲେ ନିଜ ଗ୍ରାମକୁ । ଏପରି ବହୁଦିନ କଲେ । କାଳକ୍ରମେ ଭୋଜଦେବ କୈଶୋରରେ ପଦାର୍ପଣ କଲେ ।

 

ସେଦିନ ଭୋଜଦେବ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଭିକ୍ଷା ଶେଷକରି ନାରାୟଣ ସାଧବଙ୍କ ଗୃହ ଅଙ୍ଗନରେ ପହଞ୍ଚିଲା ବେଳକୁ ଦେଖିଲେ–ନିଜେ ସାଧବ ଆସନ ପକାଇ ଏକୁଟିଆ ବସିଛନ୍ତି । ଚିନ୍ତା କରୁଛନ୍ତି ଆକାଶ ପାତାଳ ।

 

ଭୋଜଦେବଙ୍କୁ ଦେଖି ପକାଇ ଆନନ୍ଦିତ ହୋଇଉଠିଲେ ସେ–କହିଲେ, “ଭୋଜଦେବ ! ମୁଁ ତୁମରି କଥା ଚିନ୍ତା କରୁଥିଲି, ତୁମେ ଠିକ୍ ସମୟରେ ଆସି ଉପସ୍ଥିତ ହୋଇଛ । ତୁମ ପାଇଁ ଏକ ସ୍ଵତନ୍ତ୍ର ଆସନ ମଧ୍ୟ ରଖିଛି । ଉପବେଶନ କର ।”

 

ସାଧବଙ୍କ ଅନୁରୋଧରେ ଆସନ ଗ୍ରହଣ କଲେ ଭୋଜଦେବ । ଗଳା ଝାଡ଼ି ସାଧବ କହିଲେ–“ଭୋଜଦେବ ! ତୁମକୁ ମୁଁ ଏକ ପ୍ରସ୍ତାବ ଦେବି, ଗ୍ରହଣ କରିବ ?”

 

–“କହନ୍ତୁ” ଉତ୍କଣ୍ଠିତ ହୋଇ କହିଲେ ଭୋଜଦେବ ।

 

–“ତୁମେ ଜାଣ ମୁଁ” ଜଣେ ସାଧବ । ପ୍ରତ୍ୟେକ ବର୍ଷ ମୋର ବିରାଟ ବୋଇତ ହାତୀ, ଝୁଣା, କାଠ, ଶଙ୍ଖ, ପାଟବସ୍ତ୍ର ଏବଂ ହୀରା, ମୋତି ଇତ୍ୟାଦି ବଡ଼ମୂଲ୍ୟ ପଦାର୍ଥ ବହନ କରି ସୁଗଭୀରା ପ୍ରାଚୀ ନଦୀ ଭିତରେ ଛୁଟିଚାଲେ ବାଲି, ଜାଭା, ସୁମାତ୍ରା ଦ୍ଵୀପପୁଞ୍ଜକୁ । ଧନରତ୍ନ ଧରି ପ୍ରତ୍ୟାବର୍ତ୍ତନ କରେ ସମୁଦ୍ର ପଥରେ ।

 

–“ଜାଣେ ମହାଜନେ” କହିଲେ ଭୋଜଦେବ ।

 

–“ଏଇ ଯାତ୍ରା ଆରମ୍ଭ ହୁଏ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ଏବଂ ପ୍ରତ୍ୟାବର୍ତ୍ତନ ହୁଏ ଆଷାଢ଼ ମାସର ଆରମ୍ଭରେ ।”

 

–“ହଁ”....‘ତା’ ମଧ୍ୟ ଜାଣେ ।”

 

–‘‘ଏହି ଯାତ୍ରା ଉଦ୍ଦେଶ୍ୟରେ ବୋଇତର ପୂଜା ଏବଂ ଇଷ୍ଟଦେବଙ୍କ ପୂଜା ପାଇଁ ଆବଶ୍ୟକ ଜଣେ ଶାସ୍ତ୍ରଜ୍ଞ ବ୍ରାହ୍ମଣ ଯୁବକ । ସେଥିପାଇଁ ମୁଁ ମନେ ମନେ ତୁମକୁ ନିର୍ବାଚିତ କରିଛି । ତୁମେ ଯଦି ମୋ ସଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟୁଷରୁ ବୋଇତ ଯାତ୍ରା କରନ୍ତ ଏବଂ ସେବା ପୂଜାର ଭାର ଗ୍ରହଣ କରନ୍ତ, ତେବେ ମୁଁ ବିଶେଷ ଆନନ୍ଦିତ ହୁଅନ୍ତି ।”

 

ସାଧବଙ୍କ ପ୍ରସ୍ତାବ ଶୁଣି ଚିନ୍ତାକୁଳ ହୋଇ ବସିପଡ଼ିଲେ ଭୋଜଦେବ । ମନେ ମନେ ଭାବିଲେ ସେ–ପ୍ରସ୍ତାବ ମନ୍ଦ ନୁହେଁ । ନାରୟଣ ସାଧବ ଉତ୍ତମ ଧାର୍ମିକ ବ୍ୟକ୍ତି । ତାଙ୍କ ସହିତ ଯାତ୍ରା କଲେ ଅସୁବିଧା ହେବ ନାହିଁ । ଦ୍ଵିତୀୟରେ ବୋଇତ ଯାତ୍ରା କଲେ–ବୃଦ୍ଧ ପିତାମାତାଙ୍କୁ ଚଳାଇବା ପାଇଁ ଉପଯୁକ୍ତ କଉଡ଼ି ଲାଭ ହୋଇପାରେ । ତେଣୁ ପ୍ରତ୍ୟେକ ଦିନ ଭିକ୍ଷାପାତ୍ର ଧରି ଗ୍ରାମ ଗ୍ରାମ ବୁଲିବା ଅପେକ୍ଷା ବିଦେଶ ଯାତ୍ରା କଲେ କ୍ଷତି ନାହିଁ । ଦୀର୍ଘ ନିଶ୍ଵାସ ପକାଇ କହିଲେ ସେ–“ମହାଜନେ ! ଆପଣଙ୍କ ପ୍ରସ୍ତାବରେ ଅରାଜି ହେବାର ମୋର କିଛି ନାହିଁ । ଏପରି ପ୍ରସ୍ତାବକୁ ମୁଁ ସ୍ଵାଗତ କରୁଛି । କିନ୍ତୁ ପିତାମାତାଙ୍କ ଅନୁମତି ବିନା ମୁଁ ଯାତ୍ରା କରିପାରିବି ନାହଁ । ମୋତେ ସମୟ ଦିଅନ୍ତୁ । ଆସନ୍ତାକାଲି ମୁଁ ମୋର ପ୍ରତିଶ୍ରୁତି ଦେବି ।”

 

ଭୋଜଦେବଙ୍କ ଉତ୍ତର ଶୁଣି ଖୁସି ହେଲେ ସାଧବ । କହିଲେ–“ହଁ ଭୋଜଦେବ ! ତୁମେ ତୁମ ପିତାମାତାଙ୍କ ଠାରୁ ଅନୁମତି ଆଣ । ମୋ କଥା କୁହ । ସେ ଅରାଜି ହେବେ ନାହିଁ ।”

 

ଚଞ୍ଚଳ ହୋଇଉଠିଲା ଭୋଜଦେବଙ୍କ ମନ । ଉଠିପଡ଼ କହିଲେ ସେ–“ମହାଜନେ ! ଆପଣଙ୍କ ପ୍ରସ୍ତାବ ଶୁଣି ମନ ଚଞ୍ଚଳ ହୋଇଉଠିଛି । ଆଜି ଆଉ ମୁଁ ଆପଣଙ୍କ ଗୃହରେ ଭୋଜନ କରିବ ନାହିଁ । ଦିନ ଥାଉ ଥାଉ ଗ୍ରାମକୁ ଫେରଯାଉଛି । ପିତାମାତାଙ୍କୁ ସମସ୍ତ କଥା ଜଣାଇବି । ପୁଣି ଆସନ୍ତାକାଲି ପ୍ରଥମେ ଆପଣଙ୍କ ଗୃହକୁ ଆଗମନ କରି ନିଷ୍ପତ୍ତି ଶୁଣାଇବି ।”

 

ହସିଲେ ସାଧବ । କହିଲେ–“ଯାଅ ଭୋଜଦେବ ! ପିତାମାତାଙ୍କୁ ସମସ୍ତ ବିଷୟ ଅବଗତ କରାଅ । ମୋର ବିଶ୍ଵାସ ସେମାନେ ଆନନ୍ଦିତ ହେବେ ।”

 

ଆଉ ଅପେକ୍ଷା ନକରି ବାହୁଡ଼ିଲେ । ଭୋଜଦେବ ଗ୍ରାମ ଅଭିମୁଖେ । ସନ୍ଧ୍ୟାର ବହୁପୂର୍ବରୁ ପୁତ୍ରକୁ ଫେରିବାର ଦେଖି ଲକ୍ଷ୍ମୀଦେବ କହିଲେ–“ବାବା ? ଆଜି କ’ଣ କିଛି ଅସୁବିଧା ହେଲା ? ସହଳ ଫେରିଆସିଲୁ ଯେ ?”

 

ମାଆଙ୍କ କଥା ଶୁଣି ଭୋଜ କହିଲେ–“ନାଁ ମାଆ କଛି ଅସୁବିଧା ହୋଇନାହିଁ । ନାରାୟଣ ସାଧବଙ୍କର ଗୋଟିଏ ପ୍ରସ୍ତାବ ନେଇ ଚଞ୍ଚଳ ଫେରଆସିଛି । ସେଥିପାଇଁ ପିତା ଏବଂ ଆପଣଙ୍କର ଅନୁମତି ଲୋଡ଼ା ।”

 

–“ଅନୁମତି ?”ପ୍ରଶ୍ନ କଲେ ଲକ୍ଷ୍ମୀଦେବୀ ।

 

–ହଁ, ଆପଣମାନଙ୍କର ଅନୁମତି ବିନା ମୁଁ ସମ୍ମତି ଜଣାଇବି କିପରି ?”

 

ଭୋଜଦେବଙ୍କ କଣ୍ଠ ସ୍ଵର ଶୁଣି କୁଟୀର ବାହାରକୁ ଚାଲିଆସିଥିଲେ ମାଧବ ଦେବ । ଅପେକ୍ଷା କରିଥିଲେ ପୁତ୍ରର ପ୍ରସ୍ତାବ ଶ୍ରବଣ କରିବା ପାଇଁ । କୁଟୀର ଅଙ୍ଗନରେ ନିମ୍ବ ବୃକ୍ଷମୂଳେ ବସିପଡ଼ି ଭୋଜଦେବ କହିଲେ–“ପିତା, ଆମର ଅଭାବୀ ପରିବାର । ଗୋଟିଏ ଦିନ ଭିକ୍ଷାକରି ନଗଲେ ଉପବାସ, ସେଥିପାଇଁ ନାରୟଣ ସାଧବଙ୍କର ଗୋଟିଏ ପ୍ରସ୍ତାବ ନେଇ ଆସିଛି । ଆପଣ ଅନୁମତି ଦେଲେ ମୁଁ ସମ୍ମତି ଜଣାଇବି ।”

 

–‘‘କି ପ୍ରସ୍ତାବ ବାବା ?”

 

–“ସେ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟୁଷରୁ ବୋଇତ ନେଇ ବାଲି, ଜାଭା, ସୁମାତ୍ରା ଦେଶକୁ ଯାତ୍ରା କରିବେ । ତାଙ୍କ ବୋଇତର ପୂଜା ଏବଂ ଇଷ୍ଟଦେବଙ୍କ ସେବାପୂଜା ପାଇଁ ସେ ମୋତେ ସଙ୍ଗରେ ନେବା ଲାଗି ଅନୁରୋଧ କରୁଛନ୍ତି । ସେଥ‌ିପାଇଁ ଯଥେଷ୍ଟ ପାରିଶ୍ରମିକ ଦେବେ । ଆପଣ ଯଦି ଅନୁମତି ପ୍ରଦାନ କରନ୍ତୁ–ତେବେ ମୁଁ ସମ୍ମତି ଜଣାଇବି ।”

 

ଭୋଜଦେବଙ୍କ ପ୍ରସ୍ତାବ ଶୁଣି ଥକ୍‌କା ହୋଇ ବସିପଡ଼ିଲେ ମାଧବ ଦେବ । ଚିନ୍ତାକଲେ ସେ–“ସାତ ସମୁଦ୍ର ତେର ନଈ ସେପାରି ବାଲି ଜାଭା ଦେଶକୁ ଯିବାପାଇଁ ଏକମାସ ପୁତ୍ର ଭୋଜଦେବକୁ ଅନୁମତି ଦେବେ କିପରି ? ପର ମୁହୂର୍ତ୍ତରେ ନିଜକୁ ନିଜେ ସାନ୍ତ୍ୱନା ଦେଲେ ସେ–ନା...ନାଁ ଯାଉ, ବିଭିନ୍ନ ସ୍ଥାନ ଦେଖୁ, ଶାସ୍ତ୍ର ଚର୍ଚ୍ଚା କରୁ, ଜ୍ଞାନର ପରିସୀମା ବୃଦ୍ଧି କରୁ । ମୁଁ କେତେଦିନ ? ବୃଦ୍ଧ ହେଲିଣି । ଆଜି ଦେହ ଛାଡ଼ିଲେ କାଲିକି ଦୁଇଦିନ, ସେ ତା’ ନିଜ ସଂସାର ଗଢ଼ିବ । ଭବିଷ୍ୟତର ସ୍ଵପ୍ନ ଦେଖିବ, ମୁଁ ତା’ର ପ୍ରତିବନ୍ଧକ ହେବି କାହିଁକି ? ତେଣୁ ମୁହଁ ଖୋଲିଲେ ମାଧବ ଦେବ–‘ପ୍ରସ୍ତାବ ମନ୍ଦ ନୁହେଁ ବାବା ! ନାରୟଣ ସାଧବ ଉତ୍ତମ ବ୍ୟକ୍ତି । ତାଙ୍କ ସହିତ ଯାଅ । ବୋଇତ ଏବଂ ଠାକୁରଙ୍କ ସେବାପୂଜା କରି ତାଙ୍କୁ ସନ୍ତୁଷ୍ଟ କର । ତୁମର ସାଫଲ୍ୟ ଶୁଣିଲେ ମୁଁ ଆନନ୍ଦିତ ହେବି ।”

 

ପିତାଙ୍କ ନିର୍ଦ୍ଦେଶ ଶୁଣି ଆନନ୍ଦର ହେଲେ ଭୋଜଦେବ, ଠିଆହୋଇ ପିତାପୁତ୍ରଙ୍କ ଆଲୋଚନା ଶୁଣୁଥିଲେ ଲକ୍ଷ୍ମୀଦେବୀ–‘‘ବହ୍ଵଳିତା ହୋଇ ସେ ପଶିଗଲେ କୁଟୀର ମଧ୍ୟକୁ । ରାଧାମାଧବଙ୍କ ମୂର୍ତ୍ତି ନିକଟରେ ଆଣ୍ଠେଇ ପଡ଼ି ଡାକିଲେ–“ହେ ପ୍ରଭୁ ରାଧାମାଧବ ! ତୁମେ ଭୋଜକୁ ସାହାଯ୍ୟ କର । ତା’ ଯାତ୍ରାପଥକୁ ସଫଳ କର ।” ତାଙ୍କ ଚକ୍ଷୁଯୁଗଳରୁ ଗଡ଼ି ପଡ଼ୁଥିଲା ଆନନ୍ଦର ଅଶ୍ରୁ ।

 

ଏଣେ ଭୋଜଦେବଙ୍କର ମଧ୍ୟ ଆନନ୍ଦର ସୀମା ନଥାଏ । ସେ ବସି ବସି ଚିନ୍ତା କରୁଥାନ୍ତି ବୋଇତ ଯାତ୍ରା କଥା । ପ୍ରାଚୀ ନଦୀର ସ୍ରୋତରେ ସେ ଦେଖିଛନ୍ତି ଅନେକ ବୋଇତ । ମନରେ ଚିନ୍ତା କରିଛନ୍ତି ବହୁଥର ଦେଶ ବିଦେଶ ଯାତ୍ରା ପାଇଁ । ଆଜି ସେ ସ୍ଵପ୍ନ ସାର୍ଥକ ହେଉଛି–ଆଉ ଅଧିକ ଆନନ୍ଦ କ’ଣ ଅଛି ?

 

ନିରାପଦ ଉତ୍କଳୀୟ ଅର୍ଣ୍ଣବ ପୋତ । ଅର୍ଣ୍ଣବ ପୋତ ନିର୍ମାଣ ଏବଂ ପାରେ ସମୁଦ୍ର ଯାତ୍ରାରେ କୃତୀତ୍ଵ ଅର୍ଜନ କରିଛି ଏ ଜାତି । ମନେପଡ଼ିଲା ଭୋଜଦେବଙ୍କର ବ୍ରହ୍ମାଣ୍ଡ ପୁରାଣର ସେହି ଶ୍ଳୋକ–

 

“ବହୁଚକ୍ରାନ୍ଵିତାଃ ଶୀଘ୍ରଃ ଯନ୍ତ୍ରଗାଃ ଚାଳକାଶ୍ରିତାଃ

ବାଣିଜ୍ୟକରଣେ ଶକ୍ତାଃ ତ୍ରିପଞ୍ଚଶିଖରାନ୍ଵିତାଃ

ଦ୍ଵୀପାନ୍ତରଗତାୟାତାଃ ଯାବାମଳୟସିଂହଳ

ଗଙ୍ଗାସାଗରଚୀନେଷୁ ଯଦୃଚ୍ଛୟା ତଥାଗତିଃ ।”

 

ହସିଲେ ସେ । ଭାବିଲେ ଧନ୍ୟ ତୁମେ ଉତ୍କଳୀୟ ଜାତି । ଅପୂର୍ବ ଶୈଳୀରେ ନିର୍ମାଣ କରି ଶିଖିଛ ଅର୍ଣ୍ଣବ ପୋତ–

 

କୁର୍ମଯନ୍ତ୍ରଂ ନାବଯନ୍ତ୍ରଂ ମତ୍ସ୍ୟରୂପଂ ତୁ ପକ୍ଷିକଂ

ହ୍ରସ୍ଵଂ କାଷ୍ଠମୟଂ ଦେହଂ ତାମ୍ରପଟ୍ଟସୁରକ୍ଷିତଂ

ଲୌହଚକ୍ରଗତଂ ନିମ୍ନେ ଚକ୍ରବ୍ୟୁହସମନ୍ଵିତଂ

ବାୟୁନାଳପରିଣଦ୍ଧଂ ସଂକୋଚ ବିସ୍ତାରାକରଂ ।”

 

ପୋତର ନିମ୍ନ ଭାଗରେ ରହିଛି ଚକ୍ରବ୍ୟୁହ ଏବଂ କ୍ଷୁଦ୍ର ବୃହତ୍ ପରସ୍ପର ସଂଲଗ୍ନ ବହୁ ଯନ୍ତ୍ରାକାର ଚକ୍ର । ବାଷ୍ପଯନ୍ତ୍ର ଦୀପନ, ଜ୍ଵଳନ ଏବଂ ସ୍ଫୋଟନ ଦ୍ଵାରା ଚଳାଉଛି ଚକ୍ରମାନଙ୍କୁ । ବାୟୁର ଗତିଧାରଣ ପାଇଁ ଉଦ୍ଦିଷ୍ଟ ବାୟୁନାଳ । ଏହି ବାୟୁନାଳର ସଙ୍କୋଚନ ଏବଂ ପ୍ରସାରଣ ଫଳରେ ଗତି ନିୟନ୍ତ୍ରିତ ହେଉଛି ପୋତର । ନାବଯନ୍ତ୍ର ଦ୍ଵାରା ହେଉଛି ଗତି ଓ ଦିଗ ନିର୍ଣ୍ଣୟ । ମତ୍ସ୍ୟଯନ୍ତ୍ର ଦ୍ଵାରା ଦିଗ ନିରୂପଣ, ପକ୍ଷୀଯନ୍ତ୍ର ଦ୍ଵାରା ପବନର ଗତି ନିର୍ଦ୍ଧାରଣ ଏବଂ କୂର୍ମଯନ୍ତ୍ରଦ୍ଵାରା ପାଗ ନିରୂପଣ ।

 

ଉଠିଲେ ଭୋଜଦେବ ବିଶ୍ରାମ ଗ୍ରହଣ ପାଇଁ । ବୋଇତ କଥା ଚିନ୍ତା କରି ଚଞ୍ଚଳ ହେଉଛି ମନ । ଅସ୍ଥିର ହେଉଛି ଚିତ୍ତ । କିପରି ରାତ୍ରି ଶେଷହୋଇ ପ୍ରଭାତ ହେବ, ସେ ଯାଇ ନାରୟଣ ସାଧବଙ୍କୁ ସମ୍ମତି ଜଣାଇବେ, ସେହି କଥା ଚିନ୍ତା କରୁଛନ୍ତି ସେ ।

 

ଏମିତି ଚଞ୍ଚଳତା ମଧ୍ୟରେ ରାତ୍ରି ଶେଷ ହେଲା । ପ୍ରଭାତରୁ ନିଜର ନିତ୍ୟକର୍ମ ଶେଷକରି ଅର୍ଦ୍ଧଆଶପୁର ଯାତ୍ରାକଲେ କିଶୋର ଭୋଜଦେବ । ପ୍ରସ୍ତାବଟି ଦେଇ ବାସ୍ତବିକ ଅପେକ୍ଷା କରି ବସିଥିଲେ ନାରାୟଣ ସାଧବ । ଭୋଜଦେବଙ୍କୁ ଦେଖିପକାଇ କହିଲେ–“ପିତାମାତା ସମ୍ମତି ଦେଲେ ତ ଭୋଜଦେବ ?”

 

–“ହଁ, ସେମାନେ ସମ୍ମତି ଦେଲେ ମହାଜନେ !”

 

ଉତ୍ତର ଶୁଣି ଆନନ୍ଦରେ ଅଧୀର ହୋଇପଡ଼ିଲେ ସାଧବ । କହିଲେ–“ଭୋଜଦେବ ! ତୁମେ ଆଜି ଆଉ ଭିକ୍ଷା କରି ଯାଅନାହିଁ । କାର୍ତ୍ତିକ ପୂର୍ଣ୍ଣମୀ ମାତ୍ର ଦୁଇଦିନ ରହିଲା । ତେଣୁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହୁଅ । ପିତାମାତା ବୃଦ୍ଧ । ତୁମର ଅନୁପସ୍ଥିତିରେ ସେମାନେ ଚଳିବେ କିପରି ?ତେଣୁ କିଛି କଉଡ଼ି ଦେଉଛି ନେଇଯାଅ । ସେମାନେ ତାହାର ବିନିମୟରେ ଆଷାଢ଼ମାସ ପର୍ଯ୍ୟନ୍ତ ଚଳିବେ, କୌଣସି ଅସୁବିଧା ହେବ ନାହିଁ ।”

 

ସାଧବଙ୍କ କଥାରେ ଦୀର୍ଘ ନିଃଶ୍ଵାସ ପକାଇଲେ ଭୋଜଦେବ । ଜୀବନରେ ପ୍ରଥମ ଥର ପାଇଁ ନାରାୟଣ ସାଧବଙ୍କ ଅନୁକମ୍ପାର ଦାନ ଗ୍ରହଣ କରିବାକୁ ହେବ । ତଥାପି ଆପତ୍ତି ନକରି ସମ୍ମତ ହେଲେ ସେ, କାରଣ ସମୁଦ୍ର ଯାତ୍ରା ପାଇଁ ମନରେ ପ୍ରବଳ ଆଗ୍ରହ । ଭୋଜଦେବଙ୍କୁ ଆସନରେ ବସାଇ ଘର ଭିତରକୁ ଗଲେ ନାରାୟଣ ସାଧବ କଉଡ଼ି ପାଇଁ ।

 

ଅଳ୍ପ ସମୟ ମଧ୍ୟରେ କଉଡ଼ି ଧରି ପହଞ୍ଚିଲେ ନାରୟଣ ସାଧବ । ଭୋଜଦେବଙ୍କ ଭିକ୍ଷାପାତ୍ରରେ ତାହା ଦେଉ ଦେଉ କହିଲେ–‘ଭୋଜଦେବ ! ତମ ସହିତ ମୁଁ ଦୁଇଜଣ କୋଠିଆଙ୍କୁ ପଠାଉଛି । ସେମାନେ ଶଗଡ଼ରେ କିଛି ଚାଉଳ ଏବଂ କିଛି ବିରି, ମୁଗ ନେଇଯିବେ । ତୁମ କୁଟୀରରେ ରଖିଦେଇ ଆସିବେ । ସେଇ ଚାଉଳ ଏବଂ ବିରି, ମୁଗରେ ତୁମ ପିତାମାତା ନିର୍ବିଘ୍ନରେ ଆଠ ନଅ ମାସ ଚଳିବାରେ ଆଉ ଅସୁବିଧା ହେବ ନାହିଁ ।

 

କୃତଜ୍ଞତାରେ ପରିତୃପ୍ତ ହେଲେ ଭୋଜଦେବ । ଉଠିଲେ ପୁଣି ଗ୍ରାମକୁ ଫେରଯିବା ପାଇଁ-। ଏଣେ ସାଧବଙ୍କ କୋଠିଆମାନେ ପଛେ ପଛେ ଶଗଡ଼ ଧରି ବାହାରିପଡ଼ିଲେ । ନୌକାରେ ଶଗଡ଼ ପାରି କରିବାକୁ ହେବ । କାରଣ ନଦୀର ଅପରପାର୍ଶ୍ଵରେ କେନ୍ଦୁବିଲ୍ଵ ଗ୍ରାମ-। କିନ୍ତୁ ସେମାନଙ୍କୁ ଅପେକ୍ଷା ନକରି ଆଗେ ଆଗେ ଚାଲିବାରେ ଲାଗିଲେ ଭୋଜଦେବ ଗ୍ରାମ ଉଦ୍ଦେଶ୍ୟରେ । କୁଟୀର ନିକଟରେ ପହଞ୍ଚି ପିତାମାତାଙ୍କୁ ଜଣାଇଲେ ସବୁ କଥା । ସମସ୍ତ କଥା ଶ୍ରବଣ କରି ସନ୍ତୋଷ ଲାଭ କଲେ । ମାଧବ ଦେବ ଏବଂ ଲକ୍ଷ୍ମୀଦେବୀ । ସେହି ସମୟରୁ ଆରମ୍ଭ ହୋଇଗଲା ଭୋଜଦେବଙ୍କ ପ୍ରସ୍ତୁତି ବିଦେଶ ଯାତ୍ରା ପାଇଁ ।

 

ଠିକ୍‌ କାର୍ତ୍ତିକ ପୂର୍ଣ୍ଣମୀର ପୂର୍ବଦିନ ସନ୍ଧ୍ୟାରେ ଅର୍ଦ୍ଧଆଶପୁର ଯାତ୍ରା ପାଇଁ ବାହାରିପଡ଼ିଲେ-। ଭୋଜଦେବ । ମାତା ଲକ୍ଷ୍ମୀଦେବୀ ପୁତ୍ର ଭୋଜଦେବଙ୍କୁ ନିଜ କୋଳରେ ଆଉଜାଇ ଧରି କହିଲେ–“ବାବା ! ତୁ ମୋର ନୟନପିତୁଳା । ଘଡ଼ିଏ ତୁ ବାହାରକୁ ଗଲେ ମୋ ଅନ୍ତରରେ କୋହ ଭରିଯାଏ । ଆଜି ନୂଆ କରି ମୋ’ଠାରୁ ଅନ୍ତର ହୋଇ ବିଦେଶ ଯାଉଛୁ । ଦେହର ଯତ୍ନ ନେବୁ-। ଘରକଥା ମନରେ ପକାଇ କାନ୍ଦିବୁ ନାହିଁ । ତୋ’ ଆଖିରୁ ଲୁହ ଗଡ଼ିଲେ–ଏଠାରେ ଆମ ଆଖିରୁ ମଧ୍ୟ ଲୁହ ବହିବ । ଯାଆ ବାବା !ପ୍ରଭୁ ରାଧାମାଧବ ତୋତେ ପୁଣି ମଙ୍ଗଳରେ ଫେରାଇ ଆଣନ୍ତୁ-।”

 

ମାତାଙ୍କଠାରୁ ବିଦାୟ ନେବା ପରେ ପିତାଙ୍କ ପଦଧୂଳି ନେବାକୁ ଗଲେ ଭୋଜଦେବ । ସତୃଷ୍ଣ ନୟନରେ ଚାହିଁଥାନ୍ତି ପିତା ମାଧବ ଦେବ କିଶୋର ପୁତ୍ର ଭୋଜଙ୍କୁ । ମନେକରୁଥାନ୍ତି ସେ–ନାଁ...ନାଁ...କିଶୋର ପୁତ୍ରକୁ ବିଦେଶ ପଠାଇ ମୁଁ ବଞ୍ଚିପାରିବି ନାହିଁ । ଅଟକାଇ ରଖିବି ତାକୁ ଏଇ ଛୋଟ କୁଡ଼ିଆ ଭିତରେ । ପୁଣି ପର ମୁହୂର୍ତ୍ତରେ ଚିନ୍ତାକଲେ ସେ–ନାଁ, ଥରେ ନାରାୟଣ ସାଧବଙ୍କୁ ପ୍ରତିଶ୍ରୁତି ଦେଇସାରିଛି । ଆଉ ବାରଣ କରିବି କିପରି ? ଆନନ୍ଦରେ ସବୁ ଦୁଃଖ କଷ୍ଟ ସହ୍ୟ କରିବି ମୁଁ–ଯାଉ ପୁତ୍ର ଭୋଜ ତା’ର ଭବିଷ୍ୟତର ମଙ୍ଗଳ ପାଇଁ ।

 

ଏମିତ ଚିନ୍ତା କରୁ କରୁ ମାଧବ ଦେବ ଧାଇଁଗଲେ କୁଟୀରର ରାଧାମାଧବଙ୍କ ବିଗ୍ରହ ନିକଟକୁ । ନଇଁପଡ଼ି ଆସ୍ଥାନ ଉପରୁ ଆଣିଲେ ଗୋଟିଏ ଛୋଟ ଶାଳଗ୍ରାମ । ସେଇଟିକୁ ଭୋଜଦେବଙ୍କ ହାତକୁ ବଢ଼ାଇ ଦେଉ ଦେଉ କହିଲେ–‘ବାବା ! ପ୍ରଭୁ ରାଧାମାଧବଙ୍କ ପ୍ରତୀକ ଏଇ ଶାଳଗ୍ରାମ । ୟାକୁ ଯନ୍ତ୍ରରେ ରଖ । ବିପଦଆପଦ ବେଳେ ତାଙ୍କୁ ଡାକିବୁ, ସ୍ମରଣ କରିବୁ । ସେ ରାଧାମାଧବ ହୋଇ ତୋତେ ସାହାଯ୍ୟ କରିବେ । ବିପଦ ଏଡ଼ାଇଦେବେ ।”

 

ପିତାଙ୍କ ନିର୍ଦ୍ଦେଶ ଶୁଣି ଆଗ୍ରହରେ ଶାଳଗ୍ରାମଟିକୁ ନିଜ ଥଳିରେ ରଖିଲେ ଭୋଜଦେବ ଏବଂ ପାଦ ବଢ଼ାଇଲେ ଆଗକୁ । କୁଟୀର ଅଙ୍ଗନର ନିମ୍ବ ବୃକ୍ଷମୂଳରେ ଦଣ୍ଡାୟମାନ ହୋଇ ପୁତ୍ରର ଯାତ୍ରାପଥକୁ ଅନାଇ ରହିଥାନ୍ତି ମାଧବ ଦେବ ଏବଂ ଲକ୍ଷ୍ମୀଦେବୀ ।

 

କେନ୍ଦୁବିଲ୍ଵ ଗ୍ରାମର ଧୂଳି ଧୂସରିତ ଗ୍ରାମଦାଣ୍ଡ, ତାଳ, ତମାଳ, ନାରୀକେଳ, କେନ୍ଦୁବିଲ୍ଵ ଏବଂ ନିମ୍ବ ବୃକ୍ଷର ମୋହକୁ ପଛରେ ପକାଇ ଆଗେଇଲେ ଭୋଜଦେବ । ସେ ପ୍ରାଚୀ ତୀରରେ ପହଞ୍ଚିଲାବେଳକୁ ବୋଇତ ସଜ୍ଜିତ ହୋଇସାରିଥିଲା । ବହୁମୂଲ୍ୟ ବସ୍ତ୍ର, ହାତୀଦାନ୍ତ, କାରୁକାର୍ଯ୍ୟ ଖଚିତ ପଦାର୍ଥରେ ବୋଇତଟି ଭରପୂର ହୋଇଯାଇଥିଲା ।

 

ଏ ବୋଇତର ନାମ ଥିଲା ଉତ୍କଳିକା । ଶହେ ଚାଳିଶ ହାତ ଲମ୍ବ, ସତୁରୀ ହାତ ପ୍ରସ୍ଥ ଓ ପଞ୍ଚଷଠୀ ହାତ ଉଚ୍ଚତା ବିଶିଷ୍ଟ ବିଶାଳକାୟ ବୋଇତ ଚିତ୍ରିତ ହୋଇଥିଲା ନାନା ରଙ୍ଗରେ । ଅଗ୍ରଭାଗରେ ଶୋଭା ପାଉଥିଲା ଏକ ମନ୍ଦିର । ବୋଇତର ମଙ୍ଗ ଥିଲା ମୟୂରାକୃତି ବିଶିଷ୍ଟ । ନାବିକମାନେ ବସିଥିଲେ ମଙ୍ଗ ଉପରେ ।

 

ଭୋଜଦେବ ବୋଇତ ନିକଟରେ ପହଞ୍ଚିବା କ୍ଷଣି ନାରାୟଣ ସାଧବ କହିଲେ– “ଭୋଜ-! ଏବେ ତୁମେ ବୋଇତରେ ଦିଅଁ ପ୍ରତିଷ୍ଠା କର । ଆମ ଇଷ୍ଟଦେବୀ ଶ୍ରୀ ଦୁର୍ଗାଙ୍କର ପ୍ରତୀକ ସଦୃଶ ଆସ୍ଥାନ ଖଟୁଲିର ପୂଜା କର ଏବଂ ବୋଇତକୁ ମଙ୍ଗଳ ମନ୍ତ୍ରରେ ମାର୍ଜନା କର । ଆମେ ଠିକ୍ ପୂର୍ଣ୍ଣମୀର ସୂର୍ଯ୍ୟୋଦୟ ପୂର୍ବରୁ ଯାତ୍ରା ଆରମ୍ଭ କରିବା ।”

 

ସାଧବଙ୍କ କଥା ଶୁଣି କାମରେ ଲାଗିପଡ଼ିଲେ ଭୋଜଦେବ । ଠିକ୍ ସମ୍ମୁଖ ମଙ୍ଗ ନିକଟରେ ସେ ଶ୍ରୀଦୁର୍ଗାଙ୍କ ପ୍ରତୀକ ଖଟୁଲିଟି ସ୍ଥାପନ କରି ତା’ ଦେହରେ ନିଜ ପିତାଙ୍କ ପ୍ରଦତ୍ତ ରାଧାମାଧବଙ୍କ ପ୍ରତୀକ ଶାଳଗ୍ରାମ ସ୍ଥାପନ କଲେ ଏବଂ ଦିଅଁ ପ୍ରତିଷ୍ଠା ଶେଷରେ ମନ୍ତ୍ରପାଣି ସିଞ୍ଚନ କରି ବୋଇତର ମାର୍ଜନା କଲେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହୋଇଗଲା । ଏଥର ପାଟିକଲେ ନାରାୟଣ ସାଧବ ! “ନାବିକ ଦଳ ଶୁଭ ଯାତ୍ରାର ସମୟ ନିକଟ ହୋଇ ଆସୁଛି । ତୁମ୍ଭେମାନେ ପ୍ରସ୍ତୁତ ହୋଇଯାଅ,” ସାଧବଙ୍କ ଡାକରେ ପ୍ରସ୍ତୁତ ହୋଇଗଲେ ନାବିକମାନେ ।

 

ଏତିକିବେଳେ ହୁଳହୁଳି ହରିବୋଲ ନାଦ ଭିତରେ ବୋଇତ ନିକଟରେ ଆସି ଉପସ୍ଥିତ ହେଲେ ନାରାୟଣ ସାଧବଙ୍କର ଦୁଇ ପୁତ୍ର, ପୁତ୍ରବଧୂ ଏବଂ ପରିବାର ତଥା ଗ୍ରାମର ଅନ୍ୟାନ୍ୟ ଅଧିବାସୀମାନେ । ଭୋଜଦେବ, ନାରାୟଣ ସାଧବ ଓ ତାଙ୍କ ଦୁଇ ପୁତ୍ର ଠିଆହେଲେ ବୋଇତ ଉପରେ । ମହିଳାମାନେ ସେମାନଙ୍କ ମୁଣ୍ଡରେ ଚନ୍ଦନ, ସିନ୍ଦୂର ପିନ୍ଧାଇଦେଲେ । ବିବିଧ ସୁଗନ୍ଧଯୁକ୍ତ ପୁଷ୍ପରେ ମଣ୍ଡି ଦେଲେ । ଶଙ୍ଖ ହୁଳହୁଳି ସହିତ ବାଜିଉଠିଲା ବିଭିନ୍ନ ବାଦ୍ୟ । ଯାତ୍ରା ଆରମ୍ଭ କଲା ଉତ୍କଳିକା ମନ୍ଥର ଗତିରେ ପ୍ରାଚୀ ନଦୀର ଅନୁକୂଳ ସ୍ରୋତ ଅଭିମୁଖେ । ଆଲୋକିତ ହୋଇଥିଲା ପ୍ରାଚୀ କୂଳ ସହସ୍ର ଦୀପାଳୀରେ । ତରଙ୍ଗ ସୃଷ୍ଟି କରି ଅପର ତୀରରେ ପ୍ରତିଧ୍ଵନିତ ହେଉଥିଲା ଆ କା ମା ଭୈ ଶବ୍ଦ ।

 

ଧୀରେ ପଛରେ ପଡ଼ିରହିଲା ଅର୍ଦ୍ଧଆଶପୁର, ଜନ କୋଳାହଳ । ଅନୁକୂଳ ପବନର ପ୍ରବାହରେ ଗତି କଲା ବୋଇତ ପୂର୍ବାମ୍ବୁଧି ଅଭିମୁଖେ । ଆଖି ବୁଜି ସେମିତି ମଙ୍ଗଳ ସ୍ତୋତ୍ର ପାଠ କରୁଥିଲେ କିଶୋର ଭୋଜଦେବ ।

 

ବୋଇତ ଠିକ୍ ସମୁଦ୍ରରେ ପ୍ରବେଶ କରିବା ବେଳକୁ ନାରାୟଣ ସାଧବ କହିଲେ–“ନାବିକ ଦଳ ! କୂର୍ମ ଯନ୍ତ୍ର, ମତ୍ସ୍ୟ ଯନ୍ତ୍ର, ବାୟୁନାଳଏବଂ ନାବ ଯନ୍ତ୍ରଗୁଡ଼ିକୁ ପରୀକ୍ଷା କରିନିଅ । ଯେପରି ସମୁଦ୍ର ମଧ୍ୟରେ ଏସବୁ ଅସୁବିଧା ସୃଷ୍ଟି ନ କରେ, ଏବଂ ଜଗୁଆଳ ଦଳ ସତର୍କ ରୁହ । ଏବେ ଜଳଦସ୍ୟୁମାନେ ଧନରତ୍ନ ଆଶାରେ ଉତ୍କଳୀୟ ବୋଇତଗୁଡ଼ିକ ଉପରେ ଘନଘନ ଆକ୍ରମଣ କରୁଛନ୍ତି । ଧନ ଦୌଲତ ଲୁଟି ନେଉଛନ୍ତି, ତେଣୁ ତୁମ୍ଭେମାନେ ଭାଗ ଭାଗ ହୋଇ ବୋଇତ ଚାଳନା କର ଏବଂ ବିଶ୍ରାମ ଗ୍ରହଣ କର ।”

 

ସାଧବଙ୍କ ପରାମର୍ଶ ଅନୁସାରେ କେତେଜଣ ନାବିକ ବିଶ୍ରାମ ନେବାପାଇଁ ବାହାରିଗଲେ ଏବଂ ଅନ୍ୟମାନେ ଲାଗିଗଲେ ନିଜ ନିଜ କାର୍ଯ୍ୟରେ । ଚନ୍ଦ୍ରଭାଗା ତୀର ଉପକୂଳର ଲହରୀମାଳାକୁ ଅତିକ୍ରମ କରି ଶାନ୍ତ ସାଗର ମଧ୍ୟରେ ପ୍ରବେଶ କଲା ବୋଇତ । ପରିହାସ କରି କହିଲେ ସାଧବ–“ଭୋଜଦେବ ! କ’ଣ ପିତାମାତାଙ୍କ କଥା ମନରେ ପଡ଼ୁଛି ?”

 

ନୀଳ ଦରିଆର ଦୃଶ୍ୟ ଦେଖୁ ଦେଖୁ କହିଲେ ଭୋଜଦେବ–“ନାଇ ମହାଜନେ ! ଜୀବନରେ ପ୍ରଥମଥର ଅଥଳ ଦରିଆ ଦେଖି ପୁଲକିତ ହେଉଛି, ପିତାମାତାଙ୍କୁ ଭୁଲିବା ପାଇଁ ଚେଷ୍ଟା କରୁଛି ।”

 

ଆଉ ଟିକେ ହସିଲେ ସାଧବ, କହିଲେ–“ଏମିତି ଅନେକ ଦିନ ଏ ଦରିଆରେ ଭାସି ଭାସି ଯବ ଦ୍ଵୀପରେ ପହଞ୍ଚିବାକୁ ହେବ । କେତେ ଦୃଶ୍ୟ ଦେଖିବ । କେତେ ଜଳଜନ୍ତୁଙ୍କୁ ଚିହ୍ନିବ, ବ୍ୟସ୍ତ କାହିଁକି ? ଗତକାଲି ରାତ୍ରିରେ ବିଶ୍ରାମ ନେଇନାହଁ, ଯାଅ ବିଶ୍ରାମ ନିଅ । ପୁଣି ଅପରାହ୍ନରେ ବୋଇତ ଏବଂ ଦିଅଁଙ୍କର ପୂଜା କରିବ ।”

 

ଅନିଚ୍ଛା ସତ୍ତ୍ଵେ ସାଧବଙ୍କ ପରାମର୍ଶକ୍ରମେ ବିଶ୍ରାମ ନେବାପାଇଁ ଉଠିଗଲେ ଭୋଜଦେବ-

 

ଏମିତି ଅନେକ ଦିନର ସମୁଦ୍ର ଯାତ୍ରା ପରେ ବୋଇତ ଯାଇ ପହଞ୍ଚିଲା ଯବ ଦ୍ଵୀପରେ ।

 

ଯବ ଦ୍ଵୀପ ସହିତ କଳିଙ୍ଗ ତଥା ଉତ୍କଳର ବାଣିଜ୍ୟିକ ଓ ଧର୍ମଗତ ସମ୍ପର୍କ ଥିଲା ବହୁ ପୁରାତନ । ଶତାବ୍ଦୀ ଶତାବ୍ଦୀ ଧରି କଳିଙ୍ଗ ସାଧବମାନେ ଯବ ଦ୍ୱୀପରେ ବାଣିଜ୍ୟ କରୁଥିଲେ । ଏ ଦେଶର ଧର୍ମଧାରଣା ବହି ନେଉଥିଲେ ଯବ, ବାଲି, ସୁମାତ୍ରା ଇତ୍ୟାଦି ଦ୍ଵୀପପୁଞ୍ଜକୁ, ଫଳରେ ବୌଦ୍ଧ, ଶୈବ,ଶାକ୍ତ ଧର୍ମ ପ୍ରଚାରିତ ଏବଂ ପ୍ରସାର ହୋଇଥିଲା ଏ ସବୁ ଅଞ୍ଚଳରେ । ଯବ ଦ୍ଵୀପର ରାଜା ପୂର୍ଣ୍ଣ ବର୍ମାଙ୍କ ପିତା କଳିଙ୍ଗରୁ ଯାତ୍ରା କରି ସେଠାରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ । ଏହି ଯବ ଦ୍ଵୀପକୁ କଳିଙ୍ଗ ସାଧବଙ୍କର ନୌଯାତ୍ରା ପାଇଁ ସେ ଉତ୍‌କଳରେ ଖନନ କରିଥିଲେ ଚନ୍ଦ୍ରଭାଗା ଓ ଗୋମତୀ ନଦୀ । ଚନ୍ଦ୍ରଭାଗା ନଦୀ ସ୍ପର୍ଶ କରିଥିଲେ କୋଣାର୍କ ପୋତାଶ୍ରୟକୁ । ଯେଉଁଠାରୁ ନିର୍ବିଘ୍ନରେ ଯାତ୍ରା କରୁଥିଲେ କଳିଙ୍ଗ ପୋତଗୁଡ଼ିକ ଦେଶ ବିଦେଶରେ ବାଣିଜ୍ୟ ପାଇଁ ।

 

ସେହି ଯବ ଦ୍ଵୀପର ପୋତାଶ୍ରୟରେ ଉତ୍କଳିକା ପହଞ୍ଚିବା ପରେ ନାରାୟଣ ସାଧବ ନାବିକମାନଙ୍କୁ ଆଦେଶ ଦେଲେ ବିକ୍ରି ଉଦ୍ଦେଶ୍ୟରେ ପଣ୍ୟ ସାମଗ୍ରୀ ବହିନେବା ପାଇଁ । ଅବିଳମ୍ବେ ନାବିକମାନେ କାର୍ଯ୍ୟରେ ଲାଗିଗଲେ । ନାରାୟଣ ସାଧବ, ତାଙ୍କ ଦୁଇ ପୁତ୍ର ଏବଂ ଭୋଜଦେବ ପୋତରୁ ଅବତରଣ କରି ବିଶ୍ରାମ ନେଲେ କଳିଙ୍ଗାଗତ ବଣିକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୃହରେ-। ବହୁବର୍ଷ ତଳେ ଏ ଗୃହ ନିର୍ମାଣ କରିଥିଲେ ନାରାୟଣ ସାଧବ । ଏଠାରେ କିଛିଦିନ ବ୍ୟବସାୟ କରିବା ପରେ ନାରାୟଣ ସାଧବଙ୍କ ଆଦେଶକ୍ରମେ ଅର୍ଣ୍ଣବ ପୋତ ଉତ୍କଳିକା ଯାତ୍ରା କଲା ସୁମାତ୍ରା ଦ୍ଵୀପ । ସେଠାରେ କଳିଙ୍ଗ ପାଟବସ୍ତ୍ରର ଆଦର ଯଥେଷ୍ଟ । ହାତୀଦାନ୍ତର କାରୁକାର୍ଯ୍ୟ ପାଇଁ ମଧ୍ୟ ଲୋକଙ୍କର ଆଗ୍ରହ କହିଲେ ନସରେ । ତେଣୁ ହାତୀଦାନ୍ତ ଏବଂ ପାଟବସ୍ତ୍ର ଗୁଡ଼ିକ ସୁମାତ୍ରା ଉଦ୍ଦେଶ୍ୟରେ ଗଚ୍ଛିତ ହୋଇ ରହିଥିଲା ସାଧବଙ୍କ ନିର୍ଦ୍ଦେଶକ୍ରମେ ।

 

ସୁମାତ୍ରାରେ ପହଞ୍ଚିବା ପରେ ନାରାୟଣ ସାଧବ କହିଲେ–“ଭୋଜଦେବ ! ତୁମର ନିଷ୍ଠାପର ବୋଇତ ପୂଜା ଏବଂ ଦେବ ଆରାଧନାରେ ମୁଁ ମୁଗ୍‌ଧ । କୁହ, ସୁମାତ୍ରାରୁ ତୁମେ ତୁମ ବୃଦ୍ଧ ପିତାମାତାଙ୍କ ପାଇଁ କ’ଣ ନେବ ?”

 

ହସି ହସି ଭୋଜଦେବ କହିଲେ–“ମହାଜନେ ! ମୋର କିଛି ଲୋଡ଼ା ନାହିଁ । କେବଳ ଅନୁରୋଧ, ସୁମାତ୍ରାରେ ରାଧାମାଧବଙ୍କ ପୂଜାପାଇଁ ଗୋଟିଏ ମନ୍ଦିର ନିର୍ମିତ ହେଉ ।”

 

ଉତ୍ତର ଶୁଣି ଆନନ୍ଦିତ ହେଲେ ନାରାୟଣ ସାଧବ । କହିଲେ–“ତୁମ ପରାମର୍ଶ ମୁଁ ଗ୍ରହଣ କଲି ଭୋଜଦେବ ! କିନ୍ତୁ ଆମର ସ୍ଵଳ୍ପକାଳ ରହଣି ମଧ୍ୟରେ ମନ୍ଦିର କାର୍ଯ୍ୟ ଶେଷ ହେବନାହିଁ-। ତେଣୁ କେବଳ ପୂଜାର ପ୍ରବର୍ତ୍ତନ କରାଯିବ, ମନ୍ଦିର ନିର୍ମାଣ ପାଇଁ ଆୟୋଜନ କରାଯିବା, ଅନ୍ୟ ଥର ଆଗମନ ପୂର୍ବରୁ ଯେପରି ମନ୍ଦିର କାର୍ଯ୍ୟ ଶେଷ ହୋଇଯିବ ।”

 

ନାରାୟଣ ସାଧବଙ୍କ କଥାରେ ଆନନ୍ଦିତ ହେଲେ ଭୋଜଦେବ । କହିଲେ–“ହଁ ତାହା ହିଁ ହେଉ ।’’ ତା’ପରେ ସୁମାତ୍ରା ଦ୍ଵୀପର କେନ୍ଦ୍ର ଅଞ୍ଚଳରେ ବ୍ୟବସ୍ଥା କରାଗଲା ରାଧାମାଧବଙ୍କ ପୂଜା ପାଇଁ । ନିଜେ ଭୋଜଦେବ କଲେ ସମସ୍ତ ଆୟୋଜନ । ଏମିତି ବ୍ୟବସାୟ ଏବଂ ଧର୍ମକର୍ମରେ ସମୟ ଅତିବାହିତ ହୋଇ ଆଷାଢ଼ମାସ ପ୍ରବେଶ କରିବାକୁ ବସିଲା । ଦିନେ ନାରାୟଣ ସାଧବ କହିଲେ–“ଭୋଜଦେବ ! ଆଷାଢ଼ ଆଗତପ୍ରାୟ, କଳିଙ୍ଗରେ ରଜପର୍ବ ମହାସମାରୋହରେ ପାଳିତ ହେବ । ତୁମର କ’ଣ ଗ୍ରାମକୁ ଫେରିବା ପାଇଁ ଇଚ୍ଛା ହେଉନାହିଁ ?”

 

ସାଧବଙ୍କ ପ୍ରଶ୍ନରେ ଚମକି ପଡ଼ିଲେ ଭୋଜଦେବ । ଚକ୍ଷୁ ସମ୍ମୁଖରେ ନାଚିଉଠିଲା କେନ୍ଦୁବିଲ୍ଵ ଗ୍ରାମ । ନିଜ ବୃଦ୍ଧ ପିତାମାତାଙ୍କର ଛୋଟ କୁଟୀର କ’ଣ କରୁଥିବେ ସେମାନେ ? ପୁତ୍ର ବିହୁନେ ଶଯ୍ୟାଶାୟୀ ହୋଇନଥିବେ ତ ? କାହାର ମୁହଁ ଚାହିଁ ଦିନ କାଟୁଥିବେ ? ରାଧାମାଧବଙ୍କ ପୂଜା ପାଇଁ କିଏ ଯୋଗାଇ ଦେଉଥିବ ପାଟଳୀ ପୁଷ୍ପ ? ପିତାଙ୍କ ଦ୍ଵାରା ପ୍ରଦତ୍ତ ଶାଳଗ୍ରାମକୁ ଚାହିଁଲେ ଭୋଜଦେବ । ଏ ଦୀର୍ଘଦିନ ହେବ ସେ ରାଧାମାଧବ ଭାବି ପୂଜା କରୁଛନ୍ତି ଏହି ଶାଳଗ୍ରାମଙ୍କୁ । ତାଙ୍କ ସମ୍ମୁଖରେ ଭଜନ ଗାନ କରୁଛନ୍ତି । ଶୁଣି ଆନନ୍ଦିତ ହେଉଛନ୍ତି ନାରୟଣ ସାଧବ ।

 

ପୁଣି ପ୍ରଶ୍ନ କଲେ ସାଧବ–“କ’ଣ ଭାବୁଛ ଭୋଜଦେବ ?” ଅପ୍ରତିଭ ହୋଇପଡ଼ିଲେ ସେ । କହିଲେ–‘ହଁ’ ମହାଜନେ ! ଆଜି କାହିଁକି ପିତାମାତାଙ୍କ ସ୍ମୃତି ମନରେ ପଡ଼ି ବ୍ୟସ୍ତ ଲାଗୁଛି, ତାଙ୍କ କୋଳକୁ ଧାଇଁ ଯିବାପାଇଁ ଇଚ୍ଛା ହେଉଛି । ରଜ ପୂର୍ବର ଦୋଳି ଅପେକ୍ଷା ମାତାଙ୍କ କୋଳ ଅଧିକ ଆକର୍ଷଣ କରୁଛି ଏଇ ଦୂର ବିଦେଶରେ ।”

 

ହସିଲେ ନାରାୟଣ ସାଧବ, କହିଲେ–‘ତୁମେ ଠିକ୍ କହିଛ ଭୋଜଦେବ ! ମୋର ମଧ୍ୟ ପୁତ୍ର ବଧୂ ଏବଂ ସେମାନଙ୍କ ପୁତ୍ର କନ୍ୟାଙ୍କ କଥା ମନେପଡ଼ୁଛି । ଅର୍ଦ୍ଧଆଶପୁର ଧାଇଁ ଯାଇ ସେମାନଙ୍କୁ ଥରେ ଦେଖିନେବା ପାଇଁ ଇଚ୍ଛା ହେଉଛି । ତେଣୁ ଆଉ ବିଳମ୍ବ ନକରି ଶୁଭ ସମୟ ଦେଖି ଆମେ ଉତ୍କଳ ଅଭିମୁଖେ ଯାତ୍ରା କରିବା ।”

 

ଆଶ୍ଵସ୍ତ ହେଲେ ଭୋଜଦେବ । ନାରାୟଣ ସାଧବ ଆୟୋଜନ କଲେ ଫେରନ୍ତା ଯାତ୍ରାର । ନାବିକ ଏବଂ ସାଧବଙ୍କ ପୁତ୍ର ମଧ୍ୟ ବ୍ୟସ୍ତ ହେଉଥିଲେ ଗ୍ରାମକୁ ଫେରିବା ପାଇଁ । କିନ୍ତୁ ଅନୁରୋଧ କରିପାରୁ ନଥିଲେ ସାଧବଙ୍କୁ । ଭୋଜଦେବଙ୍କ ପରାମର୍ଶକ୍ରମେ ପ୍ରତ୍ୟାବର୍ତ୍ତନର ଦିନ ନିର୍ଦ୍ଧାରିତ ହେବା ପରେ ସମସ୍ତେ ପ୍ରଶଂସା କଲେ ଭୋଜଦେବଙ୍କୁ ।

 

ଅଳ୍ପଦିନ ମଧ୍ୟରେ ଉତ୍କଳିକା ବୋଇତ ଛାଡ଼ିଲା ସୁମାତ୍ରା ପୋତାଶ୍ରୟ ଅର୍ଦ୍ଧଆଶପୁର ଉଦ୍ଦେଶ୍ୟରେ । ସମୁଦ୍ର ମଧ୍ୟରେ ଗଜ ଗତିରେ ଦୋହଲି ଦୋହଲି ଚାଲିଲା ବୋଇତ । ସମସ୍ତଙ୍କ ମନ ଭିତରେ ଗ୍ରାମର ସ୍ଵପ୍ନ, ପରି–ବାରର ସ୍ଵପ୍ନ, ପ୍ରାଚୀ ନଦୀର ମାୟା । ପହଞ୍ଚିବା ଦିନ ଯେତେ ଆଗେଇ ଆସୁଥାଏ, ନାବିକ ଏବଂ ଭୋଜଦେବଙ୍କର ସହିତ ସାଧବଙ୍କ ଦୁଇ ପୁଅଙ୍କ ମନ ସେତେ ବ୍ୟସ୍ତ ହୋଇଉଠୁଥାଏ । ଏପରି ବୋଇତ ଚାଲିଥିବା ସମୟରେ ଦିନେ ନାରାୟଣ ସାଧବ କହିଲେ–‘ବୁଝିଲ ଭୋଜଦେବ ! ଆମ ବୋଇତ ପ୍ରାଚୀ ନଦୀ ସ୍ପର୍ଶ କରିବାକୁ ଆଉ ମାତ୍ର ଦୁଇଦିନ ବାକି ରହିଲା । ଦୁଇଦିନ ପରେ ତୁମର ଏ ବୋଇତଯାତ୍ରାର ସ୍ମୃତି ମନରେ ରହିବ ତ ?”

 

ହସିଲେ ଭୋଜଦେବ । କହିଲେ–“ଆପଣଙ୍କ ଦୟାରୁ ମୁଁ ଦୁଇ ଦେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କଲି । ଏ ଋଣ କ’ଣ କେବେ ଶୁଝିପାରିବି ? ଏ ସ୍ମୃତି କ’ଣ କେବେ ଭୁଲିହେବ ?”ନିଜର ପ୍ରଶଂସା ଶୁଣି ଟିକେ ନୀରବ ହୋଇଗଲେ ସାଧବ । ଏତିକିବେଳେ ବୋଇତର କୂର୍ମ ଯନ୍ତ୍ର ଚଳାଉଥିବା ଜଣେ ନାବିକ ଆସି କହିଲା–“ମହାଜନେ ! କଥା ସରିଗଲା, ଆମେ ଆଉ ଗାଁକୁ ଫେରିବା ସମ୍ଭବ ହେବନାହିଁ । ଏଇ ଅଥଳ ଦରିଆରେ ସମସ୍ତଙ୍କର ସଲୀଳ ସମାଧି ହୋଇଯିବ ।”

 

ଚମକି ପଡ଼ିଲେ ସାଧବ । କହିଲେ–‘କ’ଣ ହେଇଛି, ଭୟରେ ଏମିତି ଥରୁଛ କାହିଁକି ?”

 

ସେମିତି ଥରଥର ନାବିକ କହିଲା–“ପୂର୍ବ ଦିଗରୁ ଏକ ପ୍ରଚଣ୍ଡ ଝଡ଼ ଆମ ବୋଇତ ଆଡ଼େ ମାଡ଼ିଆସୁଛି ମହାଜନେ । ଆଉ ବୋଇତକୁ ସମ୍ଭାଳି ରଖିବା ସମ୍ଭବପର ନୁହେଁ । ମୁହୂର୍ତ୍ତକ ମଧ୍ୟରେ ସେ ଝଡ଼ ମାଡ଼ି ଆସି ସମଗ୍ର ପୋତଟିକୁ ଅଥଳ ଦରିଆରେ ବୁଡ଼ାଇଦେବ ।”

 

ଆଉ ବିଳମ୍ବ ନକରି କୂର୍ମ ଯନ୍ତ୍ର ନିକଟକୁ ଧାଇଁଗଲେ ନାରାୟଣ ସାଧବ । ଯନ୍ତ୍ର ଜରିଆରେ ଝଡ଼ର ସ୍ଵରୂପ ଦେଖି ଚିତ୍କାର କଲେ ସାଧବ–“ଗୋପାଳ, ମୁରଲୀ, ଗଙ୍ଗାଧର, ରତ୍ନାକର ବୋଇତର ପାଲ ଖୋଲିଦିଅ । ବୋଇତର ଦୁଇକଡ଼ରେ ବନ୍ଧାଯାଇଥିବା ଛୋଟଛୋଟ ନୌକାଗୁଡ଼ିକୁ ଖୋଲିଦିଅ । ବୋଇତର ମୋହ ଛାଡ଼ି, ସମସ୍ତେ ଏ ପ୍ରବଳ ଝଡ଼ରୁ ଆତ୍ମରକ୍ଷା ପାଇଁ ଚେଷ୍ଟା କର । ଧନରତ୍ନ କଥା ଭୁଲିଯାଅ । ମଙ୍ଗକୁ ପଶ୍ଚିମ ଆଡ଼କୁ ବୁଲାଇବା ପାଇଁ ଚେଷ୍ଟା କର ।”

 

ହଠାତ୍ ପ୍ରାଣ ବିକଳରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଗଲା ବୋଇତ ଭିତରେ । ବୋଇତର ଉତ୍ତରପଟ ନୌକାଗୁଡ଼ିକୁ ଖୋଲୁଖୋଲୁ ପାଟି କଲା ସାଧବଙ୍କ ସାନପୁଅ ଗଙ୍ଗାଧର–ବାବା ! ଆଉ ନୌକାଗୁଡ଼ିକୁ ଖୋଲି ହେଉନି । ପ୍ରବଳ ପବନରେ ମାସ୍ତଲ୍ ଦୋହଲି ଉଠୁଛି । ଅଗ୍ର ମନ୍ଦିର ଖଣ୍ଡ ଖଣ୍ଡ ହୋଇ ଗଳିପଡ଼ୁଛି । ବୋଇତ ଭିତରେ ପ୍ରବେଶ କରୁଛି ପ୍ରଚଣ୍ଡ ସାମୁଦ୍ରିକ ଲହରୀର ଜଳ ।

 

ଉତ୍ତର ଦେଲେ ସାଧବ–“ଆଉ ନୌକା ଖୋଲିବାକୁ ଅପଚେଷ୍ଟା କରନାହିଁ ଗଙ୍ଗାଧର । ବୋଇତ ଜଳମଗ୍ନ ହେଲେ–ପହଁରି ପହଁରି ଆତ୍ମରକ୍ଷା ପାଇଁ ଚେଷ୍ଟାକର । ନାବିକମାନଙ୍କୁ ଡାକି କୁହ–ସେମାନେ ବୋଇତ ପାଣିରେ ବୁଡ଼ିବା ପୂର୍ବରୁ ସମୁଦ୍ରକୁ ଝାସଦେଇ ପହଁରି ପହଁରି ଆତ୍ମରକ୍ଷା ପାଇଁ ଶେଷ ଚେଷ୍ଟା କରିବେ । ପ୍ରକୃତ ଝଡ଼ ଆସିନାହିଁ, କେବଳ ଝଡ଼ର ପୂର୍ବାଭାସ ସ୍ଵରୂପ ଯେଉଁ ପବନ ବଞ୍ଚିବାକୁ ଆରମ୍ଭ କରିଛି, ସେଥିରେ ବୋଇତ ଆକାଶକୁ ଉଠୁଛି ଏବଂ ପୁଣି ସମୁଦ୍ରର ଅତଳ ଗର୍ଭରେ ନିଶ୍ଚିହ୍ନ ହୋଇଯିବା ପରି ମନେହେଉଛି । ତୁମ୍ଭେମାନେ ସମସ୍ତେ ଆତ୍ମରକ୍ଷାର ଉପାୟ ଚିନ୍ତାକର ।”

 

ଏମିତି ବଡ଼ ପାଟିରେ ଚିତ୍କାର କରୁ କରୁ ନାରାୟଣ ସାଧବ ବୋଇତ ଏମୁଣ୍ଡରୁ ସେମୁଣ୍ଡକୁ ଧାଇଁବାରେ ଲାଗିଥିଲେ । ନାବିକମାନେ ନିଜ ନିଜର ସ୍ଥାନ ଛାଡ଼ି ବିକଳରେ ଅସ୍ଥିର ହୋଇଉଠୁଥିଲେ । ଏପରି ବିପଦ ସମୟରେ ପୁଣି ଥରେ କୂର୍ମଯନ୍ତ୍ର ଆଡ଼କୁ ଦୌଡ଼ିଆସିବା ବେଳେ ସାଧବ ଦେଖିଲେ ମଙ୍ଗ ଉପରେ ଇଷ୍ଟଦେବୀ ଶ୍ରୀଦୁର୍ଗାଙ୍କ ଆସ୍ଥାନ ଖଟୁଲି ନିକଟରେ ସ୍ଥିର ହୋଇ ବସିଛନ୍ତି ଭୋଜଦେବ । ଚକ୍ଷୁ ଯୁଗଳରୁ ବହିଯାଉଛି ଧାର ଧାର ଲୋତକ ।

 

ଚିତ୍କାର କଲେ ନାରାୟଣ ମାଧବ–ଭୋଜଦେବ ! ସ୍ଥିର ହୋଇ ବସିଛ କ’ଣ ? ଆତ୍ମରକ୍ଷା ପାଇଁ ଉପାୟ ଚିନ୍ତାକର । ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇପଡ଼ ।

 

ଏ ବିପଦ ସମୟରେ ମଧ୍ୟ ହସିଲେ ଭୋଜଦେବ । “କହିଲେ–କିଛି ହେବନାହିଁ ମହାଜନେ ! ମୋ ସମ୍ମୁଖରେ ଆସ୍ଥାନ ଖଟୁଲି ଉପରେ ସ୍ଵୟଂ ରାଧାମାଧବଙ୍କ ପ୍ରତୀକ ଶାଳଗ୍ରାମ ଅଛନ୍ତି । ସେ ସବୁ ବିପଦ ଖଣ୍ଡନ କରିବେ । ଝଡ଼ ତା’ ବାଟରେ ଚାଲିଯିବ । ବୋଇତ ରକ୍ଷା ପାଇଯିବ । ଆପଣ ବ୍ୟସ୍ତ ନହୋଇ ସେହି ରାଧାମାଧବଙ୍କୁ ଡାକନ୍ତୁ ।”

 

ଚମକ ପଡ଼ିଲେ ସାଧବ । କହିଲେ–“ଏ ପ୍ରଳୟ ଝଡ଼ରୁ କ’ଣ ରାଧାମାଧବ ରକ୍ଷା କରିପାରିବେ ଭୋଜଦେବ ?”

 

–“ପାରିବେ ମହାଜନେ ! ସେ ସବୁ ପାରିବେ ।”

 

–“ଭୋଜଦେବ ?” ବିସ୍ମିତ ହୋଇ କହିଉଠିଲେ ସାଧବ ।

 

–“ଆତ୍ମରକ୍ଷା ପାଇଁ ଡହକ ବିକଳ ହୋଇ ଝଡ଼ରେ ପ୍ରାଣଦେବା ଅପେକ୍ଷା ରାଧାମାଧବଙ୍କ ମହିମା ଗାନ କରି କରି ପ୍ରାଣଦେବା ଭଲ ।”

 

ଚାଞ୍ଚଲ୍ୟ ଖେଳିଗଲା ସାଧବଙ୍କ ପ୍ରାଣରେ । ପରକ୍ଷଣରେ ଚିତ୍କାର କରି ଡାକିଲେ ସେ–“ଗୋପାଳ, ମୂରଲୀ, ଗଙ୍ଗାଧର, ରତ୍ନାକର ! ଆଉ ଆତ୍ମରକ୍ଷା ପାଇଁ ଚେଷ୍ଟା ନକରି ଏଇ ମଙ୍ଗ ଉପରକୁ ଆସ । ଆସ୍ଥାନ ଖଟୁଲି ସମ୍ମୁଖରେ ବସି ପ୍ରଭୁ ରାଧାମାଧବଙ୍କୁ ଦୁଃଖ ଜଣାଅ । ଭୋଜଦେବଙ୍କ ସହିତ ସ୍ଵର ମିଳାଇ ମହିମା ଗାନକର । ସେ ଦୁଃଖ ମୋଚନ କରିବେ ।”

 

ସାଧବଙ୍କ ଡାକ ଶୁଣି ନାବିକ ଦଳ ଏବଂ ଦୁଇପୁତ୍ର ଛୁଟିଆସିଲେ ମଙ୍ଗ ନିକଟକୁ । ସଜଳ ନେତ୍ରରେ ସମସ୍ତେ ଚାହିଁରହିଲେ ରାଧାମାଧବଙ୍କ ପ୍ରତୀକ ଶାଳଗ୍ରାମକୁ ଏବଂ ଭୋଜଦେବଙ୍କ ସହିତ ସ୍ଵର ମିଳାଇ ଆରମ୍ଭ କଲେ ମହିମା କୀର୍ତ୍ତନ ।

 

ପବନର ପ୍ରଖର ଗତିରେ ପୂର୍ବପରି ନାଚୁଥାଏ ବୋଇତ ଏବଂ ବୋଇତ ମଧ୍ୟରେ ପଶୁଥାଏ ସାମୁଦ୍ରିକ ଲହରୀମାଳାର ଜଳ ।

 

ସେମିତି ରାଧାମାଧବଙ୍କ ମହିମା କୀର୍ତ୍ତନ କରୁ କରୁ ବହୁ ସମସ୍ତେ ବିତିଗଲା ଆଖିବୁଜି ଡାକୁଥାନ୍ତି ସମସ୍ତେ–ବିପଦରୁ ରକ୍ଷାକର ରାଧାମାଧବ, ବିପଦରୁ ରକ୍ଷାକର ।

 

ମନେକରୁଥାନ୍ତି ଭୋଜଦେବ–ସତେ ଅବା ସେ ବସିଛନ୍ତି ତାଙ୍କ ଛୋଟ କୁଟୀରର ରାଧାମାଧବ ମୂର୍ତ୍ତି ନିକଟରେ । ଜଣାଉଛନ୍ତି ନିଜ ଅନ୍ତରର ବେଦନା । ଦୁଃଖ ଶୁଣିଛନ୍ତି ରାଧାମାଧବ-। କହିଛନ୍ତି ସହାସ୍ୟ ବଦନରେ–“ବ୍ୟସ୍ତ ହୁଅ ନାହିଁ ଭୋଜଦେବ । ପ୍ରବଳ ସାମୁଦ୍ରିକ ଝଡ଼କୁ ମୁଁ ଆକର୍ଷଣ କରିନେଉଛି । ତୁମେ ନିରାପଦ ରୁହ । ବୋଇତ ରକ୍ଷା ପାଇଯାଉ ।”

 

ଏତିକିବେଳେ ହଠାତ୍ ଆଖି ଖୋଲିଛନ୍ତି ସାଧବ–ଏଁ ସମୁଦ୍ର ଯେ ନିର୍ମଳ ହୋଇଯାଇଛି-। ବୋଇତ ଶାନ୍ତ ହୋଇଯାଇଛି । ଚତୁର୍ଦ୍ଦିଗରେ ବିଛାଡ଼ି ହୋଇ ପଡ଼ିଛି ଅପରାହ୍ନର ସୂର୍ଯ୍ୟକିରଣ-। ଭାବବିହ୍ଵଳିତ ହୋଇ ଚିତ୍କାର କଲେ ସାଧବ–“ଧନ୍ୟ ଧନ୍ୟ ଭୋଜଦେବ ! ତୁମ ଡାକରେ ପ୍ରଭୁ ରାଧାମାଧବ ଝଡ଼କୁ ଦୁରେଇ ନେଇଛନ୍ତି । ଏବେ ବୋଇତ ନିରାପଦ, ସମୁଦ୍ର ଶାନ୍ତ-। ଚକ୍ଷୁ ଖୋଲ ଭୋଜଦେବ ! ଟିକେ ଚତୁର୍ଦ୍ଦିଗର ଶୋଭା ଦର୍ଶନ କର ।”

 

ସାଧବଙ୍କ ଡାକରେ ସମସ୍ତେ ଆଖି ଖୋଲିଲେ । ଆଶ୍ଚର୍ଯ୍ୟ ହେଲେ ସ୍ଥିର ସମୁଦ୍ରର ପ୍ରଶାନ୍ତ ନୀଳିମାକୁ ଲକ୍ଷ୍ୟ କରି । କାହିଁ ସେ ପ୍ରଳୟଙ୍କରୀ ଝଡ଼ ! ଲୋମହର୍ଷଣକାରୀ ଦୃଶ୍ୟ ? କାହିଁ ସେ ଉତ୍ତାଳ ତରଙ୍ଗ ? ?

 

ଶତମୁଖରେ ସମସ୍ତେ ପ୍ରଶଂସା କରିବାରେ ଲାଗିଲେ ଭୋଜଦେବଙ୍କୁ । ନାରାୟଣ ସାଧବ କହିଲେ–“ତୁମର ନିଷ୍ଠା ଏବଂ ଐକାନ୍ତିକ ଭକ୍ତିରେ ପ୍ରଭୁ ରାଧାମାଧବ ଆମ ଦୁଃଖ ଶୁଣିଛନ୍ତି ଭୋଜଦେବ ଆସନ୍ନ ବିପଦକୁ ଦୂରେଇ ନେଇଛନ୍ତି । ଅନେକ ବହୁମୂଲ୍ୟ ଜୀବନ ରକ୍ଷାପାଇ ଯାଇଛି-। ତୁମକୁ ପ୍ରତିବଦଳରେ ମୁଁ କି ଦାନ ଦେଇ ଋଣ ଶୁଝିବି କୁହ ଭୋଜଦେବ ? ଏ ବିଦେଶରୁ ଆନିତ ସମସ୍ତ ଧନରତ୍ନ ତୁମର । ତୁମେ ଏସବୁ ଏହି ବୋଇତ ମଧ୍ୟରେ ଗ୍ରହଣ କର ।”

 

ଶାନ୍ତ ଚିତ୍ତରେ ହସିଉଠିଲେ କିଶୋର ଭୋଜଦେବ । କହିଲେ–‘ମୁଁ କିଛି କରିନାହିଁ ମହାଜନେ ! ଏସବୁ ସେହି ପ୍ରଭୁ ରାଧାମାଧବଙ୍କ ମହିମା । ତାଙ୍କୁ କେବଳ ମୁଁ ଦୁଃଖ ଜଣାଇଛି । ଏ ଧନରତ୍ନ ଉପରେ ମୋର କି ଅଧିକାର ? ଅଧିକାରୀ ହେଉଛନ୍ତି କେବଳ ସେହି ପ୍ରଭୁ ରାଧାମାଧବ-

 

–“ତଥାପି ତୁମ ଭକ୍ତିଦାନର ପ୍ରତିଦାନ ସ୍ଵରୁପ ଏ ଧନରତ୍ନ ତୁମେ ଗ୍ରହଣ କର ଭୋଜଦେବ ।”

 

–‘‘ଅନାବଶ୍ୟକ ମୋର ଧନସମ୍ପଦ ମହାଜନେ ।”

 

–“କିନ୍ତୁ ଥରେ ଦାନ କରିସାରିବା ପରେ–ମୁଁ ସେ ଏ ଧନସମ୍ପଦ ଆଉ ଗୃହକୁ ନେବିନାହିଁ ଭୋଜଦେବ ।”

 

–“ତେବେ ମୋର ଅନୁରୋଧ ରକ୍ଷାକରନ୍ତୁ ମହାଜନେ ! ଏହି ଧନ ସମ୍ପଦରେ ପ୍ରାଚୀ ନଦୀ ତୀର ଅର୍ଦ୍ଧଆଶପୁର ଗ୍ରାମରେ ଏକ ରାଧାମାଧବଙ୍କ ମନ୍ଦିର ନିର୍ମିତ ହେଉ । ଦିଅଁ ପ୍ରତିଷ୍ଠା ହୁଅନ୍ତୁ । ମୋତେ ସେହି ମନ୍ଦିରର ପୂଜକ ଭାବେ ସେବା କରିବାର ସୁଯୋଗ ଦିଆଯାଉ ।”

 

ଆନନ୍ଦରେ ବିଭୋର ହୋଇପଡ଼ିଲେ ସାଧବ । କହିଲେ–“ହଁ, ତାହା ହିଁ ହେବ । ତୁମ ପରାମର୍ଶ ଅନୁସାରେ ଅର୍ଦ୍ଧଆଶପୁରରେ ରାଧାମାଧବଙ୍କ ମନ୍ଦିର ନିର୍ମିତ ହେବ । ଦିଅଁ ପ୍ରତିଷ୍ଠିତ ହେବେ ଏବଂ ତୁମେ ହେବ ତା’ର ପୂଜକ ।”

 

ସାଧବଙ୍କ ନିଷ୍ପତ୍ତିରେ ବିଚଳିତ ହୋଇପଡ଼ିଲେ ସମସ୍ତେ । ହାତ ଉଠାଇ ନମସ୍କାର ଜଣାଇଲେ ସେହି ରାଧାମାଧବଙ୍କ ପ୍ରତୀକ ଶାଳଗ୍ରାମଙ୍କୁ ।

 

ଧୀରେ ବୋଇତ ଚନ୍ଦ୍ରଭାଗା ଉପକୂଳ ଛୁଇଁ ପ୍ରାଚୀ ନଦୀର ସ୍ରୋତରେ ପ୍ରବେଶ କଲା । ନଇଁପଡ଼ି ପ୍ରାଚୀ ନଦୀର ପବିତ୍ର ଜଳକୁ ଆଣି ମୁଣ୍ଡରେ ମାରୁମାରୁ କହିଲେ ଭୋଜଦେବ– ମହାଜନେ-! ଏ ପୁଣ୍ୟତୋୟା ପ୍ରାଚୀ ନଦୀ ଇତିହାସ ପ୍ରସିଦ୍ଧ । ତା’ କୂଳରେ ଜନ୍ମହୋଇ ଆମ ଜୀବନ ଧନ୍ୟ ହୋଇଛି । ବିଗତ ନଅଶହ ବର୍ଷର ଇତିହାସ ବହନ କରି ଏ ନଦୀ ପ୍ରବାହିତା ।

 

ମନେ ମନେ ଚିନ୍ତାକଲେ ସାଧବ–ହଁ । ଆମେ ପବିତ୍ର ପୁଣ୍ୟତୋୟା ପ୍ରାଚୀ ନଦୀ ତୀରରେ ଜନ୍ମଲାଭ କରି ଧନ୍ୟ ହୋଇଛେ ।

 

ଇତିହାସ ପ୍ରସିଦ୍ଧ ପ୍ରାଚୀ ନଦୀ । ଉତ୍ପତ୍ତି ତା’ର ମହାନଦୀର ନରାଜ ନିକଟରୁ । ପୂର୍ବେ ମହାନଦୀର ନାମ ଥିଲା ଚିତ୍ରୋତ୍ପଳା । ସେହି ଚିତ୍ରୋତ୍ପଳାରୁ ବାହାରି କୁଆଖାଇ ନଦୀର ଦକ୍ଷିଣରେ ଗମ୍ଭାରିଗଣ୍ଡ ନାମରେ ଖ୍ୟାତ ହୋଇ ଭଙ୍ଗାରପୁରଠାରେ କୁଶଭଦ୍ରା ନଦୀ ସହିତ ମିଶିଛି ପ୍ରାଚୀ । ଭଙ୍ଗାରପୁର ଦକ୍ଷିଣକୁ ଏହା ସୋଲନଦୀ ନାମରେ ଖ୍ୟାତ ହୋଇ ଗୋବିନ୍ଦରାମ ପାଟଣାଠାରେ ଦେବୀ ନଦୀ ସହିତ ମିଶିଯାଇଛି । ଏହାପରେ ବନେରୀ ଏବଂ କାଳିଆଘାଇ ନାମରେ ଦୁଇ ଧାର ହୋଇ ପଡ଼ିଛି ସମୁଦ୍ରରେ ।

 

ଏହି ନଦୀ ତୀରରେ ଗଢ଼ିଉଠିଛି ଶୈବ, ଶାକ୍ତ, ବୌଦ୍ଧ, ଜୈନ ଏବଂ ମାଧବ ପୂଜାର ପରମ୍ପରା । ନୀଆଳି ଶୋଭନେଶ୍ଵର ବେଢ଼ାର ମାଧବମୂର୍ତ୍ତି, ନୀଆଳି ବ୍ରହ୍ମ ମନ୍ଦିରର ଜଗମୋହନ ଭିତରେ ଥିବା ମାଧବ ମୂର୍ତ୍ତି, କୋରକରାର ମାଧବ ମୂର୍ତ୍ତି, ଚହଟର ଲଳିତ ମାଧବ ମୂର୍ତ୍ତି, ଅମରେଶ୍ୱର ଜଗମୋହନ ଭିତରେ ଥିବା ମାଧବ ମୂର୍ତ୍ତି, ପୀତପଡ଼ାର ମାଧବ ମୂର୍ତ୍ତି, ସୁହାଗପୁର ରାମେଶ୍ଵର ମନ୍ଦିରର ନାଟ ମନ୍ଦିରରେ ଥିବା ମାଧବ ମୂର୍ତ୍ତି, ନିବାରଣପୁର ଗ୍ରାମେଶ୍ଵର ମନ୍ଦିରର ମାଧବ ମୂର୍ତ୍ତି, ନୀଳକଣ୍ଠପୁର ମନ୍ଦିରର ମାଧବ ମୂର୍ତ୍ତି, କାକଟପୁର ମଙ୍ଗଳାଙ୍କ ମନ୍ଦିର ବେଢ଼ାରେ ଥିବା ମାଧବ ମୂର୍ତ୍ତି, ଲତାହରଣ ଗ୍ରାମର ମାଧବ ମୂର୍ତ୍ତି, ମୁଦ୍‌ଗଳ ମାଧବ ଗ୍ରାମର ମାଧବ ମୂର୍ତ୍ତି, ସୋମେଶ୍ଵର ମନ୍ଦିରର ମାଧବ ମୂର୍ତ୍ତି, କୃଷ୍ଣପ୍ରସାଦ ଗଡ଼ର ବିଶ୍ଵନାଥ ମନ୍ଦିରର ମାଧବ ମୂର୍ତ୍ତି, କେନ୍ଦୁଲିର ମାଧବ ମୂର୍ତ୍ତି, କଣ୍ଟାପଡ଼ା ଗୋକର୍ଣ୍ଣେଶ୍ଵର ମନ୍ଦିରର ମାଧବ ମୂର୍ତ୍ତି, ବେଲରା ଗ୍ରାମର ମାଧବ ମୂର୍ତ୍ତି, ରଘୁନାଥପୁରର ମାଧବ ମୂର୍ତ୍ତି, ନାଶିକେଶ୍ଵର ଶିବ ମନ୍ଦିର ଉପରେ ଥିବା ମାଧବ ମୂର୍ତ୍ତି, ମାଧବ ପୂଜାର ପରମ୍ପରା ବହନ କରେ । ଏହି ନଦୀ ତୀର ଅର୍ଦ୍ଧଆଶପୁର ସ୍ୱପ୍ନେଶ୍ଵର ମନ୍ଦିରର ଋଷଭନାଥ ମୂର୍ତ୍ତି, ବିଭିନ୍ନ ସ୍ଥାନର ଯକ୍ଷ–କ୍ଷକ୍ଷିଣୀ ମୂର୍ତ୍ତି, ବିଷ୍ଣୁ, ମୂର୍ତ୍ତି, ବୁଦ୍ଧ ମୂର୍ତ୍ତି, କେନ୍ଦୁବିଲ୍ଵର ଅମ୍ବିକା, କାକଟପୁର ମଙ୍ଗଳା, ଚଉରାଶୀର ବାରାହୀ, କାକଟପୁରର ଦ୍ଵିଭୁଜା ମହିଷାମର୍ଦ୍ଦିନୀ ଦୁର୍ଗା, ମୋତିଆ ଗ୍ରାମର ଚତୁର୍ଭୁଜା ଦୁର୍ଗା, ପିତାପଡ଼ାର ଅଙ୍ଗେଶ୍ଵର ମନ୍ଦିରର ଅଷ୍ଟଭୁଜା ଚାମଣ୍ଡା, କାକଟପୁରର ଦଶଭୁଜା ଚାମଣ୍ଡା, ନୂଆଗାଁର ଦଶଭୁଜା ଚାମଣ୍ଡା ଏବଂ ଶୋଭନେଶ୍ଵର, ନୀଳକଣ୍ଠେଶ୍ଵର, ସିଦ୍ଧେଶ୍ଵର, ଦକ୍ଷିଣେଶ୍ଵର, ରାମେଶ୍ଵର, ବେଲେଶ୍ଵର, ତ୍ରିବେଣୀଶ୍ୱର, ଗୋକର୍ଣ୍ଣେଶ୍ଵର, ଅନ୍ଧ କପିଳେଶ୍ଵର, ଅମରେଶ୍ଵର, ଈଶ୍ଵରନାଥ, ନାଟେଶ୍ଵର ପ୍ରାଚୀ ନଦୀର ମହାତ୍ମ୍ୟକୁ ବୃଦ୍ଧି କରିଛି ।

 

ଧୀରେ ଧୀରେ ସେହି ପ୍ରାଚୀ ନଦୀର ଅର୍ଦ୍ଧଆଶପୁର ଘାଟରେ ଲାଗିଲା ବୋଇତ । ସେତେବେଳକୁ ଅର୍ଦ୍ଧଆଶପୁରର ଲୋକେ ଏବଂ ସାଧବଙ୍କ ଘରର କୁଳବଧୂମାନେ ଜମା ହୋଇଯାଇଥିଲେ ନଦୀ ତୀରରେ । ହରିବୋଲ ହୁଳହୁଳି ନାଦରେ କମ୍ପୁଥିଲା ତୀରଦେଶ । ଦୀପ ଧରି ବନ୍ଦାଉଥିଲେ କୁଳବଧୂମାନେ ।

 

ବୋଇତରୁ ଅବତରଣ କରି ବଡ଼ ପାଟିରେ ଡାକ ଦେଲେ ସାଧବ–“ଭୋଜଦେବ ! ଏ ବୋଇତର ଧନରତ୍ନ ଆଉ ଘରକୁ ଯିବ ନାହିଁ । ଏହି ନଦୀ ଘାଟରେ ଗଚ୍ଛିତ ହୋଇ ରହିବ । ତୁମେ ମନ୍ଦିର ନିର୍ମାଣ ଏବଂ ମାଧବ ମୂର୍ତ୍ତି ପ୍ରତିଷ୍ଠାର ବ୍ୟବସ୍ଥା କର ।”

 

ଭୋଜଦେବ କହିଲେ–“ହଁ ମହାଜନେ ! ଏ ପ୍ରାଚୀ ନଦୀ ତଟରେ ଥିବା ଗନ୍ତାଘରେ ଧନରତ୍ନ ଗଚ୍ଛିତ ରହୁ । ଆମେ ମନ୍ଦିର ନିର୍ମାଣର ସମସ୍ତ ବ୍ୟବସ୍ଥା କରିବା ।”

Unknown

 

ଭୋଜଦେବଙ୍କ କଥାରେ ସମ୍ମତି ଜଣାଇ ନାରାୟଣ ସାଧବ କୋଠିଆମାନଙ୍କୁ ଆଦେଶ ଦେଲେ ବିଦେଶାଗତ ଧନରତ୍ନକୁ ଗନ୍ତାଘରେ ସାଇତି ରଖିବା ପାଇଁ ଏବଂ ନିଜେ ଧୀରେ ଧୀରେ ପୁତ୍ର ପୁତ୍ରବଧୂମାନଙ୍କ ସହିତ ଆଗେଇଲେ ଗୃହାଭିମୁଖେ ।

 

ଏଣେ ଭୋଜଦେବ ମଧ୍ୟ ପ୍ରାଚୀ ନଦୀ ପାର ହୋଇ ଚାଲିଲେ ନିଜଗ୍ରାମ କେନ୍ଦୁବିଲ୍ଵ । ଅନେକ ଦିନ ପରେ ବୃଦ୍ଧ ପିତାମାତାଙ୍କୁ ଦର୍ଶନ କରି ପଦଧୂଳି ନେବା ପାଇଁ ମନରେ ତାଙ୍କର ବିକଳତା । ଚିନ୍ତା କରୁଛନ୍ତି ସେ–ପିତାମାତାଙ୍କ ନିକଟରେ ବର୍ଣ୍ଣନା କରିବେ ତାଙ୍କ ବିଦେଶ ଯାତ୍ରାର କାହାଣୀ । ରାଧାମାଧବଙ୍କ କୃପାରୁ ଅଦ୍ଭୁତ ରକମ୍ ବିପଦରୁ ରକ୍ଷାପାଇ ଯାଇଥିବାର ଅଭିଜ୍ଞତା ।

 

ପାଦ ବଢ଼ାଇଲେ ଭୋଜଦେବ । ସେହି ପରିଚିତ କେନ୍ଦୁବିଲ୍ଵ ଗ୍ରାମ । ତାଳ ତମାଳ କେନ୍ଦୁ ଏବଂ ବିଲ୍ଵ ବୃକ୍ଷର ଶୋଭା । ଧୂଳି ଧୂସରିତ ରାସ୍ତା, ଦିଗହଜା ଶସ୍ୟକ୍ଷେତ୍ର ସ୍ଵାଗତ କରିବ ତାଙ୍କୁ । ହାତ ଉଠାଇଲେ ଭୋଜଦେବ ପ୍ରଭୁ ରାଧାମାଧବଙ୍କ ଉଦ୍ଦେଶ୍ୟରେ ।

 

କିନ୍ତୁ ଏ କ’ଣ ଦେଖୁଛନ୍ତି ଭୋଜଦେବ ? ବିଶାଳ ବିଶାଳ ତାଳତମାଳ ନାରୀକେଳ ଅଶ୍ଵତ୍‌ଥ ଏବଂ ବଟବୃକ୍ଷଗୁଡ଼ିକ ସେ ଭୂମିରେ ଲୋଟିପଡ଼ିଛି । ପ୍ରଳୟ ଭୂମିକମ୍ପ ପରେ ଏକ ସମୃଦ୍ଧ ନଗରୀ ଧୂଳିସାତ୍‌ ହୋଇଯିବା ପରି ଦୂରରୁ ଦିଶୁଛି କେନ୍ଦୁବିଲ୍ଵ ଗ୍ରାମର ଧ୍ଵଂସ ସ୍ତୂପ । ସତେଅବା ଜନଶୂନ୍ୟ ସମଗ୍ର ଗ୍ରାମ । ଆଶ୍ଚର୍ଯ୍ୟାନ୍ଵିତ ହୋଇ ଗ୍ରାମର ଉପାନ୍ତରେ ମୁକ ବଧିର ପରି ଠିଆ ହୋଇଗଲେ ଭୋଜଦେବ ।

 

ଠିକ୍ ଏତିକିବେଳେ କେନ୍ଦୁବିଲ୍ଵ ଗ୍ରାମର ମୁଖିଆ ସୋମଦେବ ପୂଜା ଶେଷକରି ଅମ୍ବିକାଙ୍କ ମନ୍ଦିରରୁ ବାହାରି ଆସୁଥିଲେ । ପ୍ରଣତି ଜଣାଇଲେ ଭୋଜଦେବ । ଚମକି ପଡ଼ିଲେ ମୁଖିଆ ସୋମଦେବ । କହିଲେ–ବାବା ଭୋଜ ! କୁଆଡ଼େ ଚାଲିଯାଇଥିଲୁ ତୁ ? ଆଉ ଘରଆଡ଼େ ଯାଉଛୁ କାହିଁକି ? କ’ଣ ଅଛି ତୋ’ ପାଇଁ ?

 

କଥାଟା ବୁଝି ନପାରି ସ୍ଥିର ହୋଇ ଠିଆହୋଇ ରହିଲେ ଭୋଜଦେବ । ନିକଟିକୁ ଲାଗି ଆସି ସୋମଦେବ କହିଲେ–‘ବାବା ! ଗତ ଦୁଇଦିନ ତଳେ ଏ ଗାଁ ଉପରେ ବହିଗଲା ଏକ ପ୍ରବଳ ବାତ୍ୟା । ସେ ବାତ୍ୟାରେ ଆଖପାଖ ଗ୍ରାମର ବହୁ ଘରଦ୍ୱାର ଭାଙ୍ଗିଲା । ଗୋରୁଗାଈ, ଛେଳି ମେଣ୍ଢା ମଣିଷ ପ୍ରାଣ ହରାଇଲେ । ଏବେ ସାରା ଗାଁ ଗୋଟିଏ ମଶାଣିରେ ପରିଣତ ହୋଇଛି ।”

 

–“ପିତା ମାତା କେମିତି ଅଛନ୍ତି କାକା ?” ପ୍ରଶ୍ନ କଲେ ଭୋଜଦେବ ।

 

ଦୀର୍ଘନିଃଶ୍ଵାସ ପକାଇ ଉପରକୁ ଚାହିଁଲେ ସୋମଦେବ । ତାଙ୍କ ଆଖିରୁ ବହିଆସିଲା ଦୁଇଟୋପା ଲୁହ । କହିଲେ–ବାବା ! ‘‘ସବୁ ଶେଷ ହୋଇଯାଉଛି । ସବୁ ଶେଷ ହୋଇଯାଇଛି ।”

 

ସୋମଦେବଙ୍କ କଥା ଶୁଣୁଶୁଣୁ ପଥର ପାଲଟି ଯାଇଥିଲେ ଭୋଜଦେବ । ଇଚ୍ଛା ହେଉଥିଲା–ସେ ଫେରିଯାଇ ପ୍ରାଚୀ ନଦୀକୁ ଡେଇଁ ପ୍ରାଣ ହରାଇବେ । ମନେପକାଇଲେ ଭୋଜଦେବ–ବୋଇତ ଉପରେ ବସି ରାଧାମାଧବଙ୍କୁ ଡାକୁଥିବାବେଳେ କି ଭୟଙ୍କର ଗଣ୍ଡରେ ପ୍ରବାହିତ ହେଉଥିଲା ଝଡ଼ । ସେ ଝଡ଼ ବୋଇତକୁ ଛାଡ଼ି ଗାଁ ଆଡ଼େ ମାଡ଼ିଆସିଛି । ଶହ ଶହ ଘରଦ୍ଵାର ଧନ ଜୀବନ ହାନି କରି ପୁଣି ଫେରିଯାଇଛି । ଆଉ ସେ ଗାଁକୁ ଫେରିବେ କାହିଁକି ?

 

ମୁହଁ ଖୋଲି କହିଲେ ମୁଖିଆ ସୋମଦେବ । “ବାବା ଭୋଜ ! ବାପା ମାଆ କ’ଣ ସବୁଦିନେ ଥାଆନ୍ତେ । ସେମାନେ ବୁଢ଼ା ବୁଢ଼ୀ ହୋଇଥିଲେ । ଝଡ଼ର ପ୍ରକୋପରୁ ଆତ୍ମରକ୍ଷା କରିବାକୁ ହେଲେ ଅସମର୍ଥ । ଫଳରେ କାନ୍ଥତଳେ ତାଙ୍କ ପ୍ରାଣଗଲା । ଘର ଭାଙ୍ଗିଲା, କେବଳ ରାଧାମାଧବଙ୍କ ବିଗ୍ରହ ଦୁଇଟି ଅକ୍ଷତ ଅବସ୍ଥାରେ ରହିଯାଇଛି । ସେମାନଙ୍କୁ ମୁଁ ନେଇ ଘରେ ରଖି ପୂଜା କରୁଛି । ଏବେ ମୁଁ ପିତାମାତାଙ୍କ ଶୁଦ୍ଧିକ୍ରିୟା ଶେଷକରି । ଭଙ୍ଗା ଘରକୁ ସଜାଡ଼ । ମୂର୍ତ୍ତିମାନଙ୍କୁ ଆଣି ସ୍ଥାପନ କରି ପୂଜା କର I”

 

ଭୋଜଦେବଙ୍କୁ ସୋମଦେବଙ୍କ ପରାମର୍ଶ ଶୁଭୁନଥିଲା । ସେ ଆଗେଇ ଯାଉଥିଲେ ଆଗକୁ ଥରେ ଭିଟାମାଟି ଏବଂ ଭଙ୍ଗା କୁଡ଼ିଆକୁ ଦେଖିନେବା ପାଇଁ ।

 

ଭିଟାମାଟି ନିକଟରେ ପହଞ୍ଚି ଅଟକିଗଲେ ଭୋଜଦେବ । ସବୁ ଶେଷ ହୋଇଯାଇଛି–କେବଳ ମୂକସାକ୍ଷୀ ପରି ଠିଆହୋଇ ରହିଛି ସେହି ପୁରୁଣା ନିମ୍ବ ବୃକ୍ଷ । କହୁଛି ସେ–କୁଆଡ଼େ ଯାଇଥିଲୁ ଭୋଜ ! ଝଡ଼ରେ ସବୁ ଶେଷ ହୋଇଗଲା–ମାଧବ ଦେବ ଏବଂ ଲକ୍ଷ୍ମୀଦେବୀ ଝଡ଼ ସହିତ ଯୁଦ୍ଧ କରି କରି ହାରିଗଲେ । କେବଳ ମୁଁ ରହିଗଲି ବାବା–ତୋତେ ଥରେ ଦେଖିବା ପାଇଁ ।

 

ଭୋଜଙ୍କ ନୟନରୁ ଝରଝର ହୋଇ ଝରିପଡ଼ିଲା ଲୋତକ । ନିମ୍ବ ଗଛଟାକୁ କୁଣ୍ଢେଇ ଧରି କାନ୍ଦିଲେ ସେ । କହିଲେ–ଦଦେଇ ! ତୁମେ ଥାଉଁ ଥାଉଁ ବାପା ମାଆଙ୍କୁ ବଞ୍ଚେଇ ପାରିଲ ନାହିଁ-?

 

ଧୀର ପବନରେ ମୁଣ୍ଡ ହଲେଇ କହିଲା ନିମ୍ବଗଛ–ନାଁ...ବାବା ! ପାରିଲି ନାହଁ...ପାରିଲି ନାହିଁ । ଝଡ଼ ସହିତ ଯୁଦ୍ଧ କରି କରି ମୋ ପତ୍ର ଝଡ଼ିଲା, ଡାଳ ଭାଙ୍ଗିଲା, ଥୁଣ୍ଟା ହୋଇ ଚାହିଁଥିଲେ ମୁଁ-। ସେମାନେ ବିକଳରେ ମୋ’ ମୂଳକୁ ଧାଇଁଆସି ପାରିଲେ ନାହିଁ । ଶେଷରେ ପ୍ରାଣ ବିସର୍ଜନ କଲେ କାନ୍ଥ ତଳେ ।

 

ନିମ୍ବ ଗଛକୁ ଛାଡ଼ି ମାଟିରେ ମୁଣ୍ଡ ଲଗାଇଲେ ଭୋଜଦେବ । ଏବେ କ’ଣ କରିବେ ? କୁଆଡ଼େ ଯିବେ ? କେଉଁଠି ରହିବେ ? ଏମିତି ଅନେକ ପ୍ରଶ୍ନ । ଅନେକ ଅନୁଶୋଚନା । ଶେଷରେ ନିମ୍ବ ଗଛକୁ ଆଉଜି ବସିପଡ଼ିଲେ ଭୋଜଦେବ ।

 

ଏହି ସମୟରେ ଜମା ହୋଇପଡ଼ିଲେ ଗାଁ ଲୋକେ । ବଖାଣି ବସିଲେ ଝଡ଼ର କାହାଣୀ-। କାନ ଡେରି ସବୁ ଶୁଣୁଥିଲେ ଭୋଜଦେବ ଏବଂ ଅନୁମାନ କରୁଥିଲେ–ଝଡ଼ରେ କେବଳ ପିତାମାତା ନୁହେଁ–ଅନେକ ଲୋକ ମରିଛନ୍ତି । ଅନେକ ଘର ଭାଙ୍ଗିଛି । ତେଣୁ ଧୈର୍ଯ୍ୟହରା ନହୋଇ ଭବିଷ୍ୟତ କଥା ଚିନ୍ତା କରିବାକୁ ହେବ । ଭଙ୍ଗା କୁଡ଼ିଆକୁ ସଜାଡ଼ି ପୁଣି ନୂଆ କୁଡ଼ିଆ ଖଣ୍ଡେ ତିଆରି କରିବାକୁ ପଡ଼ିବ । ଏଥର ବସିବା ସ୍ଥାନରୁ ଉଠିଲେ ଭୋଜଦେବ । ମୁହାଁଇଲେ ଗାଁ ଭିତରକୁ । ପଛେ ପଛେ ଚାଲିଥାନ୍ତି ଗାଁ ଲୋକେ । ଆଖିରୁ ଲୁହ ଗଡ଼ାଇ, ଶ୍ମଶାନ ପ୍ରାୟ ଗ୍ରାମର ଦୃଶ୍ୟ ଦେଖି ଦେଖି ଶେଷ ମୁଣ୍ଡରେ ପହଞ୍ଚିଲେ ଭୋଜଦେବ । ତା’ପରେ ଫେରିଲେ ଏକମୁହାଁ ହୋଇ ।

 

ଆଉ ନିଜ ଭିଟାମାଟି ନିକଟରେ ନ ଅଟକି ସିଧାସଳଖ ଚାଲିଲେ ଅର୍ଦ୍ଧଆଶପୁର ।

 

ସେତେବେଳକୁ ନାରାୟଣ ସାଧବ ନିଜ ଘର ପିଣ୍ଡାରେ ବସି ଝଡ଼ର କାହାଣୀ ଶୁଣୁଥାନ୍ତି ଏବଂ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କଥା ଜାଣି ମନରେ ଦୁଃଖ କରୁଥାନ୍ତି । ଏପରି ସମୟରେ ଭୋଜଦେବଙ୍କୁ ଦେଖିପକାଇ ଆସନରୁ ଉଠିପଡ଼ି କହିଲେ ସେ–ମୁଁ ତୁମ କଥା ଚିନ୍ତା କରୁଥିଲି ଭୋଜଦେବ ! ପିତାମାତା କିପରି ଅଛନ୍ତି ?

 

ନିର୍ବାକ୍ ହୋଇ ନାରାୟଣ ସାଧବଙ୍କୁ ଚାହିଁରହିଲେ ଭୋଜଦେବ । ସେତିକିରୁ ସବୁ ବୁଝିନେଲେ ସାଧବ । କହିଲେ–ଝଡ଼ ଆମକୁ ନେବା ପାଇଁ ସମୁଦ୍ରରେ ଉଠିଥିଲା ଭୋଜଦେବ । ରାଧାମାଧବଙ୍କୁ ଡାକି ଆମେ ତା’ କବଳରୁ ରକ୍ଷା ପାଇଲେ । କିନ୍ତୁ ଆମ ପାଇଁ ଆତ୍ମଦାନ ଦେଲେ ତୁମ ପିତାମାତାଙ୍କ ସହିତ ଅନେକ ନିରୀହ ଗ୍ରାମବାସୀ । ଇତିମଧ୍ୟରେ ମୁଁ ଝଡ଼ର ଭୟଙ୍କର କାହାଣୀ ଶୁଣି ସାରିଛି । ଯେଉଁମାନେ ଝଡ଼ର ପାଟିରୁ ରକ୍ଷାପାଇ ଯାଇଛନ୍ତି–ସେମାନେ ପେଟ ବିକଳରେ ହେଉଛନ୍ତି ଆତୁର, ବାସଗୃହ ସହିତ ଖାଦ୍ୟଶସ୍ୟ ମଧ୍ୟ ନଷ୍ଟ ହୋଇଯାଇଛି ।

 

–“ଏ ଦୁର୍ଦ୍ଦିନରେ କ’ଣ ଆମର କିଛି କର୍ତ୍ତବ୍ୟ ନାହଁ ମହାଜନେ !” କହିଲେ ଭୋଜଦେବ-

 

–“ହଁ...କର୍ତ୍ତବ୍ୟ ଅଛି । ମୋର ପଞ୍ଚାବନ ମଉଜାର କୋଠଆମାର ଭୋକିଲା ଲୋକଙ୍କ ପାଇଁ ଖୋଲିଦେବି । ସ୍ଥାନେ ସ୍ଥାନେ ଅନ୍ନ ଛତ୍ର ଦେବି ।”

 

–“ଏମିତି କେତେ ଦିନ ଦାନ ଦେଇ ଆପଣ ଲୋକଙ୍କୁ ବଞ୍ଚାଇପାରିବେ ମହାଜନେ ?

 

–“ତେବେ ମୋ ଦ୍ଵାରା ଆଉ ଅଧିକ କ’ଣ ସମ୍ଭବ ହେବ ଭୋଜଦେବ ?”

 

–“ହଠାତ୍‍ ଲୋକଙ୍କୁ ବଞ୍ଚାଇବା ପାଇଁ ଅନ୍ନ ଛତ୍ର ଦିଆଯାଉ । କିନ୍ତୁ ଏ ଅନ୍ନ ଛତ୍ର ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ ।”

 

–“ତେବେ ?” ପ୍ରଶ୍ନ କରି ଅନାଇ ରହିଲେ ନାରାୟଣ ସାଧବ ।

 

–“ଆସନ୍ତା ଦିନେ ଦୁଇଦିନ ମଧ୍ୟରେ କଳ୍ପିତ ରାଧାମାଧବଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ । ବର୍ଷ ବର୍ଷ ଧରି ଏ କାର୍ଯ୍ୟ ଲାଗିବ । ଲୋକେ ଖଟିବେ ଖାଇବେ । ପୁଣି ଆଗାମୀ ବର୍ଷ ଫସଲ ଅମଳ ପର୍ଯ୍ୟନ୍ତ ଆଉ ସମସ୍ୟା ରହିବ ନାହିଁ ।

 

ଭୋଜଦେବଙ୍କ ପ୍ରସ୍ତାବ ଶୁଣି ହସିଉଠିଲେ ନାରାୟଣ ସାଧବ । କହିଲେ–“ତୁମେ ଠିକ୍ କହିଛ ଭୋଜଦେବ ! ତାହା ହିଁ ହେବ; କିନ୍ତୁ ତୁମ ପିତାମାତାଙ୍କ ଶୁଦ୍ଧିକ୍ରିୟା ଶେଷ ପରେ ଏ କାର୍ଯ୍ୟ ଆରମ୍ଭ ହେବ, ସେଦିନ ପର୍ଯ୍ୟନ୍ତ ଅନ୍ନ ଛତ୍ର ଦିଆଯାଉ । ତୁମେ ନିଜେ କେନ୍ଦୁବିଲ୍ଵ ଗ୍ରାମ ନିକଟରେରହି ଏହି ଅନ୍ନ ଛତ୍ର ପରିଚାଳନା କର । ସେହି ହେଉ ତୁମ ପିତାମାତାଙ୍କ ଅତ୍ମାର ସଦ୍‌ଗତି ପାଇଁ କାର୍ଯ୍ୟ ।”

 

ନାରାୟଣ ସାଧବଙ୍କ ପରାମର୍ଶରେ ସନ୍ତୁଷ୍ଟ ହୋଇ ଫେରିଲେ ଭୋଜଦେବ । ପରଦିନ ସକାଳୁ ଅର୍ଦ୍ଧଆଶପୁର ଏବଂ ନିକଟବର୍ତ୍ତୀ ଖମାରମାନଙ୍କରୁ ଶଗଡ଼ ଶଗଡ଼ ଧାନ ଚାଉଳ ଆସି ପହଞ୍ଚିଲା କେନ୍ଦୁବିଲ୍ଵ ଗ୍ରାମରେ । ନିଜେ ଭୋଜଦେବ କେନ୍ଦୁବିଲ୍ଵର ଅମ୍ବା ମନ୍ଦିର ନିକଟରେ ବସି ଆୟୋଜନ କଲେ ଅନ୍ନ ଛତ୍ରର । ଲୋକେ ଭାବିଲେ–ଏସବୁ ମାଆ ଅମ୍ବାଙ୍କର ଦାନ ।

 

କେନ୍ଦୁବିଲ୍ଵ ଗ୍ରାମର ଦୁଇ ଭଗିନୀ ଦେବୀ ଅମ୍ବା ଏବଂ ଅମ୍ବାଳିକା, ଅଶେଷ ଗୁଣ ସମ୍ପନ୍ନା ପ୍ରତ୍ୟକ୍ଷ ଦେବୀ । ଅମ୍ବାଙ୍କ ଦୁଇ ହସ୍ତରେ ପଦ୍ମ, ଅନ୍ୟ ଦୁଇହସ୍ତରୁ ଗୋଟିଏ ହସ୍ତରେ କଢ଼ିକା ଏବଂ ଅନ୍ୟ ହସ୍ତରେ ଅଭୟ ମୁଦ୍ରା । ଦେବୀ ପଦ୍ମାସନରେ ଉପବିଷ୍ଟା ଓ ମସ୍ତକ ସପ୍ତଫଣା ଦ୍ଵାରା ଆବୃତ୍ତ । ସେହିପରି ଅମ୍ବିକାଙ୍କ ମୂର୍ତ୍ତି ମଧ୍ୟ ସୁଶୋଭିତ । ଏଇ ପୀଠରେ ଅନ୍ନ ଛତ୍ରକୁ ଲୋକେ ମା’ ଅମ୍ବାଙ୍କର ପ୍ରସାଦ ଭାବି ସେବନ କରିବାକୁ କୁଣ୍ଠା କଲେ ନାହିଁ ।

କାରଣ ସେତେବେଳେ କୁଳୀନ ସଦ୍‌ବଂଶଜ ଲୋକେ ଆହାର ବିନା ମୃତ୍ୟୁବରଣ କରୁଥିଲେ ମଧ୍ୟ ଅନ୍ନ ଛତ୍ରରେ ଭୋଜନ କରିବାକୁ ପସନ୍ଦ କରୁନଥିଲେ । ସେମାନେ ଭାବୁଥିଲେ–ଲୋକେ ଛତ୍ର ଖାଇଲେ ଜାତି ଯିବ । ଲୋକେ ହେବେ ଛତରଖିଆ ।

ଏମିତି କେତେଦିନ ବିତିଗଲା । ଭୋଜଦେବ ପିତାମାତାଙ୍କ ଶୁଦ୍ଧିକାର୍ଯ୍ୟ ଶେଷ କଲେ ଏବଂ ଅନ୍ନ ଛତ୍ର ବନ୍ଦ କରି ପହିଞ୍ଚିଲେ ନାରାୟଣ ସାଧବଙ୍କ ନିକଟରେ । ନାରାୟଣ ସାଧବ କହିଲେ–“ଭୋଜଦେବ ! ମୁଁ ଅର୍ଦ୍ଧଆଶପୁର ନିକଟ ପ୍ରାଚୀ ତୀରରେ ରାଧାମାଧବଙ୍କ ମନ୍ଦିର ନିର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣ କରିସାରିଛି ଏବଂ ସୁନ୍ଦର ଗ୍ରାମର ବଳଭଦ୍ର ବିଶ୍ୱକର୍ମାଙ୍କୁ ଶିଳ୍ପୀ ଭାବରେ ବରଣ କରି ମନ୍ଦିର ନିର୍ମାଣର ଦାୟିତ୍ଵ ପ୍ରଦାନ କରିଛି । ଏଣେ ନାବିକମାନଙ୍କୁ ପ୍ରାଚୀ ନଦୀର ପ୍ରତିକୂଳ ସ୍ରୋତରେ ପଠାଇଛି ନରାଜ ପାହାଡ଼ । ସେମାନେ ସେଠାରୁ ମନ୍ଦିର ଉପଯୋଗୀ ପଥର ଅନୁକୂଳ ସ୍ରୋତରେ ବହିଆଣିବେ । ଆଉ କୌଣସି ଅସୁବିଧା ହେବନାହିଁ ।

ସାଧବଙ୍କ କଥାରେ ଆନନ୍ଦିତ ହେଲେ ଭୋଜଦେବ । କହିଲେ–“ମୋର କିଛି କହିବାର ନାହିଁ ମହାଜନେ ! କେବଳ ଏତିକି ଅନୁରୋଧ–ଶୀଘ୍ର ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଗଲେ ଲୋକେ କାମକରି ପେଟ ପୋଷିପାରିବେ ।”

ହସିଲେ ସାଧବ । କହିଲେ–“ହଁ...,ସେଇଥିପାଇଁ ତୁମ ଆଗମନ ପୂର୍ବରୁ ମୁଁ ଏସବୁ ବ୍ୟବସ୍ଥା କରିସାରିଛି । ତା’ ସହିତ ଗଜପତି ଠାକୁର ରାଜାଙ୍କ ନିକଟକୁ ମଧ୍ୟ ମନ୍ଦିର ନିର୍ମାଣ ସମ୍ପର୍କରେ ସନ୍ଦେଶ ପଠାଇଛି । ସେ କିଛି ସାହାଯ୍ୟ କରିପାରିଲେ ମନ୍ଦିର ନିର୍ମାଣ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରିବ ।”

–“ଭଲ କରିଛନ୍ତି ମହାଜନେ, ଅତି କମ୍‌ରେ ଜଣେ ବିଶ୍ଵସ୍ତ ପ୍ରଜା ଭାବରେ ଏଭଳି ଏକ ବିରାଟ କାର୍ଯ୍ୟ ସମ୍ପର୍କରେ ରାଜାଙ୍କୁ ଅବଗତ କରାଇ ବୁଦ୍ଧିମତାର ପରିଚୟ ଦେଇଛନ୍ତି ।”

ନିଜର ପ୍ରଶଂସା ଶୁଣି ଆଉଟିକେ ଆନନ୍ଦିତ ହେଲେ ନାରାୟଣ ସାଧବ । କହିଲେ–“ଭୋଜଦେବ ! ମୋ ସାଙ୍ଗରେ ପ୍ରାଚୀ ନଦୀ ତୀରକୁ ଆସ । ମୁଁ ତୁମକୁ ନିର୍ବାଚିତ ସ୍ଥାନ ଦେଖାଇଦେବି ।”

ଆପତ୍ତି ନକରି ସାଧବଙ୍କ ସହିତ ପ୍ରାଚୀ ତୀରକୁ ଆଗେଇଲେ ଭୋଜଦେବ । ନଦୀ କୂଳରେ ଗୋଟିଏ ଛୋଟ ବଟ ବୃକ୍ଷ ମୂଳରେ ଦଣ୍ଡାୟମାନ ହୋଇ ସାଧବ କହିଲେ–“ଭୋଜଦେବ ! ଏହି ବଟ ବୃକ୍ଷ ମୂଳରେ ପ୍ରସ୍ତରରେଏକ ଚଉତରା ନିର୍ମିତ ହେବ । ତୁମେ ସେହି ଚଉତରା ଉପରେ ବସି ନିର୍ମାଣ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବ । ଏଇ ସମ୍ମୁଖରେ ମନ୍ଦିରଟି ଗଢ଼ିଉଠିବ । ସେ ମନ୍ଦିର ବିଶାଳକାୟ ନହେଲେ ମଧ୍ୟ ଉତ୍କଳୀ ଶିଳ୍ପୀର ପରାକାଷ୍ଠା ଦେଖାଇ କାରୁକାର୍ଯ୍ୟ ବିମଣ୍ଡିତ ହେବ । ସେତିକିରେ ମୁଁ ହେବି ସନ୍ତୁଷ୍ଟ ।”

ଭୋଜଦେବ କହିଲେ–“ଆପଣ ନିଶ୍ଚିତ ରୁହନ୍ତୁ ମହାଜନେ ! ପ୍ରଭୁ ରାଧାମାଧବଙ୍କ ଦୟାରୁ ସବୁକିଛି ସୁରୁଖୁରୁରେ ହୋଇଯିବ । ମାଧବ ପୀଠରେ କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବ ନାହିଁ ।”’ ମାଧବଙ୍କ ନାମ ଉଚ୍ଚାରିତ ହେବାର ଶୁଣି ଚମକି ପଡ଼ିଲେ ନାରାୟଣ ସାଧବ । ସତରେ–ଏ ପୀଠ ମାଧବଙ୍କ ପୀଠ । ନିଆଳୀ ନିକଟ ମାଧବ ଗ୍ରାମରେ ପ୍ରତିଷ୍ଠିତ ପ୍ରଭୁମାଧବ ।

 

ପଦ୍ମପୁରାଣ କହେ–ଦିନେ ଏ ସ୍ଥାନଥିଲା ଘନ ଜଙ୍ଗଲ ପରିପୂର୍ଣ୍ଣ । ଜନବସତି ନଥିଲା । ସେହି ଜଙ୍ଗଲରେ ମାଧବଙ୍କୁ ପୂଜା କରୁଥିଲା ଅଗଦୈତ୍ୟ । ଏ ପୂଜା ପ୍ରଥମେ ଆରମ୍ଭ ହୋଇଥିଲା ଦ୍ଵାପର ଯୁଗରେ ।

 

ଏହାପୂର୍ବରୁ ଶ୍ରୀ ମାଧବ ସ୍ଵର୍ଗରେ ଇନ୍ଦ୍ରଙ୍କ ଖଟୁଲି ଦେବତା ରୂପେ ପୂଜା ପାଉଥିଲେ । ଲଙ୍କପତି ରାବଣ ସ୍ୱର୍ଗ ଆକ୍ରମଣ କରି ଇନ୍ଦ୍ରପୁରୀରୁ ମାଧବଙ୍କୁ ଅପହରଣ କରି ଆଣିଥିଲେ । କିନ୍ତୁ ରାବଣ ସାନଭାଇ ବିଭୀଷଣ ଥିଲେ ବିଷ୍ଣୁ ଉପାସକ । ସେ ମାଧବଙ୍କ ମୂର୍ତ୍ତିକୁ ଦର୍ଶନ କରି ନିଜକୁ କୃତାର୍ଥ ମଣିଲେ ଏବଂ ନିଜ ବନ୍ଧୁ, ଅଗଦୈତ୍ୟକୁ ଗୋପନରେ ପୂଜା କରିବା ପାଇଁ ବିଗ୍ରହଟି ପ୍ରଦାନ କଲେ । ଅଗଦୈତ୍ୟ ମୂର୍ତ୍ତିଟି ଗ୍ରହଣ କରି ଘନ ଜଙ୍ଗଲ ପରିପୂର୍ଣ୍ଣ ପ୍ରାଚୀ ନଦୀ ତୀର ମଣିକର୍ଣ୍ଣକା ତୀର୍ଥକୁ ଆସିଲେ ଏବଂ ସେଠାରେ ନିତିଦିନ ପୂଜା କରି ଜଳ ମଧ୍ୟରେ ବିଗ୍ରହଙ୍କୁ ଲୁଚାଇ ରଖିଲେ ।

 

ଦ୍ଵାପର ଯୁଗରେ ପାଣ୍ଡବମାନେ ପଶାଖେଳରେ ରାଜସୁଖ ହରାଇ ବନବାସ କରିବା ସମୟରେ ଉତ୍କଳର ମଣିକର୍ଣ୍ଣିକା ତୀର୍ଥରେ ପହଞ୍ଚି ରାତ୍ରିଯାପନ କଲେ, ପାଣ୍ଡବମାନଙ୍କ ସହିତ ଥାନ୍ତି ଲୋମଶ ମୁନି । ସେ ବଖାଣି ବସିଲେ ମଣିକର୍ଣ୍ଣିକା ତୀର୍ଥର ମହାତ୍ମ୍ୟ । ଅଗ୍ରଜ ଯୁଧିଷ୍ଠିର ମଣିକର୍ଣ୍ଣକା ତୀର୍ଥର ମହାତ୍ମ୍ୟ ଶୁଣି ମାଧବ ବିଗ୍ରହଙ୍କର ଦର୍ଶନ ପାଇବା ପାଇଁ ବିକଳ ହୋଇଉଠିଲେ ଏବଂ ଗ୍ରାମଙ୍କୁ ଆଦେଶ ଦେଲେ ଜଳ ମଧ୍ୟରୁ ମାଧବ ବିଗ୍ରହ ଉଦ୍ଧାର କରିବା ପାଇଁ ।

 

ଭୀମ ଦକ୍ଷିଣାବର୍ତ୍ତ କରି ଗଦା ବୁଲାଇ ପ୍ରାର୍ଥୀ ଗର୍ଭରୁ ମାଧବମୂର୍ତ୍ତିଙ୍କର ଅନୁସନ୍ଧାନ କଲେ । କିନ୍ତୁ କିଛି ଫଳ ହେଲାନାହଁ । ଶେଷରେ ଲୋମଶ ମୁନିଙ୍କ ପରମର୍ଶମେ ବାମାବର୍ତ୍ତ କରି ଗଦା ବୁଲାଇ ଲାଭ କଲେ ମାଧବଙ୍କୁ । ଆନନ୍ଦରେ ଅଧୀର ହୋଇପଡ଼ିଲେ ଯୁଧିଷ୍ଠିର । ସଙ୍ଗେ ସଙ୍ଗେ ଲାଗିଗଲେ ମାଧବଙ୍କ ପୂଜାରେ I କିନ୍ତୁ ଏକଥା ଜାଣି ବାଧାଦେବାକୁ ଚେଷ୍ଟାକଲା ଅଗଦୈତ୍ୟ । ଫଳରେ ଭୀମ କ୍ରୋଧାନ୍ୱିତ ହୋଇ ହତ୍ୟାକଲେ ଅଗଦୈତ୍ୟକୁ ଏବଂ ପ୍ରତିଷ୍ଠିତ ହେଲେ ମାଧବ ବିଗ୍ରହ ମାଘମାସ ଶୁକ୍ଳପକ୍ଷ ଭୌମୀ ଏକାଦଶୀ ତିଥିରେ । ସେହି ପବିତ୍ର ମାଧବ କ୍ଷେତ୍ର ପ୍ରାଚୀ ତୀରରେ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ହେବ । ମୁଖଶାଳା, ନାଟମନ୍ଦିର ଏବଂ ମୁଖ୍ୟ ମନ୍ଦିର କରି ମନ୍ଦିରକୁ ତିନୋଟି ଭାଗରେ ବିଭକ୍ତ କରିବାକୁ ପଡ଼ିବ । ପ୍ରତ୍ୟେକ ମନ୍ଦିର ଗାତ୍ରରେ ଉତ୍କଳୀ ଶିଳ୍ପୀର ଶିଳ୍ପ ନୈପୁଣ୍ୟ ଫୁଟାଇବାକୁ ହେବ ।

ମାଧବଙ୍କ ଭାବାନ୍ତର ଲକ୍ଷ୍ୟ କରି ଭୋଜଦେବ କହିଲେ–“ମହାଜନେ ! କ’ଣ ଚିନ୍ତା କରୁଛନ୍ତି ? ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ । ଆପଣଙ୍କ କଳ୍ପିତ ରାଧାମାଧବଙ୍କ ବିଗ୍ରହ ମନ୍ଦିରରେ ଶୋଭା ପାଇବେ ।”

–“ସବୁ ବୁଝୁଛି ଭୋଜଦେବ ! କିନ୍ତୁ କଳ୍ପିତ ମନ୍ଦିର ପାଇଁ ମୋର ଧନରତ୍ନ ଯଥେଷ୍ଟ ହେବ ତ ? ଯଦି ନିଅଣ୍ଟ ପଡ଼େ–ତେବେ କ’ଣ ମନ୍ଦିର କାର୍ଯ୍ୟ ଅଧାରୁ ରହିଯିବ ?”

–“ନାଁ...ମହାଜନେ ! ଏ ନଦୀ ଦେଇ ବହୁ ସାଧବ ବାଣିଜ୍ୟ ପାଇଁ ଦେଶ ବିଦେଶକୁ ଯାତ୍ରା କରୁଛନ୍ତି । ସେମାନଙ୍କୁ ଅନୁରୋଧ କରିବା କିଛି ଦାନପାଇଁ ଏବଂ ଅନେକ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଏହି ନଦୀ ଦେଇ ପ୍ରସ୍ତର ବୋଝେଇ ନୌକା ଯାତ୍ରା କରୁଛି । ସେ ନାବିକମାନଙ୍କୁ ଅନୁରୋଧ କରିବା ଖଣ୍ଡେ ଖଣ୍ଡେ ପ୍ରସ୍ତର ଦାନ କରିବା ପାଇଁ ।”

 

ହସିଲେ ସାଧବ । କହିଲେ–“ଏମିତି ଅତ୍ୟଧିକ ଚାନ୍ଦା ଭେଦା ଏବଂ କର ଆଦାୟ ଯୋଗୁ ଆମ ରାଜ୍ୟର ନୌବାଣିଜ୍ୟ ଧୀରେ ଧୀରେ ମନ୍ଥର ହୋଇଆସିଲାଣି । ପ୍ରସ୍ତର ବୋଝେଇ ନୌକାରୁ ଜୋରଜବରଦସ୍ତ ଲୋକେ ପ୍ରସ୍ତର ନେଇଯାଇ ଗୃହ ନିର୍ମାଣ କରୁଥିବାରୁ ମନ୍ଦିର ନିର୍ମାଣ ମଧ୍ୟ ଶୀଥିଳ ହୋଇଆସିଲାଣି । ଆମେ ସବୁକଥା ଜାଣିଶୁଣି ତାହା ହିଁ କରିବା କିପରି ?”

 

–“ତେବେ ଏକ ମହତ୍‌ ଉଦ୍ଦେଶ୍ୟରେ ଆମେ ଗ୍ରାମକୁ ଗ୍ରାମ ବୁଲି ଭିକ୍ଷା କରିବା ମହାଜନେ ! କହିଲେ ଭୋଜଦେବ ।

 

ଦୀର୍ଘ ନିଃଶ୍ଵାସ ପକାଇ ସାଧବ କଲେ–“ହଉ, ସବୁ ସେହି ପ୍ରଭୁ ରାଧାମାଧବଙ୍କ ଇଚ୍ଛା-।”

 

ଏତିକିବେଳେ ପ୍ରାଚୀ ନଦୀର ଉପର ମୁଣ୍ଡରେ ଦେଖାଗଲା ଏକ ପ୍ରସ୍ତର ବୋଝେଇ ନୌକା । ପାଟିକଲେ ସାଧବ–“ଆସିଗଲା, ଆସିଗଲା ଭୋଜଦେବ । ଆମର ପ୍ରସ୍ତର ବୋଝେଇ ପ୍ରଥମ ନଉକା ଆସିଗଲା । ଏବେ ଶିଳ୍ପୀଙ୍କ ସଙ୍ଗରେ ପରାମର୍ଶ କରି ତୁମେ ଶୁଭଦାନ ଉତ୍ସବର ଅୟୋଜନ କର । କାର୍ଯ୍ୟ ଆରମ୍ଭ କର । ମୁଁ କେବଳ ନିମିତ୍ତ ମାତ୍ର ।”

 

ନୌକାଟି ଆଡ଼କୁ ଚାହିଁ ଆକାଶ ପାତାଳ ଚିନ୍ତା କରୁଥିଲେ ଭୋଜଦେବ । ତାଙ୍କ ସ୍ଵପ୍ନ ସଫଳ ହେଉଛି । ତାଙ୍କ କାମନା ଚରିତାର୍ଥ ହେଉଛି–ସେ ଆତ୍ମସନ୍ତୋଷ ଲାଭ ନ କରିବେ କାହିଁକି-?

 

ଏମିତ କେତେ ଆଳାପ ଆଲୋଚନା ଶେଷରେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ ନାରାୟଣ ସାଧବ ଏବଂ ଭୋଜଦେବ ।

 

ପରଦିନଠାରୁ ଶୁଭ ଦିଆଯାଇ ଆରମ୍ଭ ହେଲା ମନ୍ଦିର ନିର୍ମାଣ କାର୍ଯ୍ୟ । ସେତେବେଳକୁ ଭୋଜଦେବ ନିଜ ଗ୍ରାମର ଭଗ୍ନ କୁଟୀରକୁ ସଜାଡ଼ି ଇଷ୍ଟଦେବ ରାଧାମାଧବଙ୍କୁ ସ୍ଥାପନ କରିସାରିଥାନ୍ତି । ତେଣୁ ପ୍ରତ୍ୟେକ ଦିନ ସକାଳୁ ଉଠି ପ୍ରାଚୀ ନଦୀରେ ସ୍ନାନ ଶେଷକରି ପ୍ରଥମେ ନିଜ କୁଟୀର ମଧ୍ୟରେ ରାଧାମାଧବଙ୍କ ସେବା ପୂଜା କରନ୍ତି ଏବଂ ତା’ ପରେ ଚାଳନ୍ତି ଅର୍ଦ୍ଧଆଶପୁର । ସେହି ବଟ ବୃକ୍ଷ ମୂଳର ଚଉତରା ଉପରେ ବସି ତନଖି କରନ୍ତି ମନ୍ଦିର ତୋଳା କାର୍ଯ୍ୟ । କାର୍ଯ୍ୟରତ ଥା’ନ୍ତି ଅସଂଖ୍ୟ ଉତ୍କଳୀ ବିନ୍ଧାଣୀ ।

 

ସମୟ ବିଶେଷର ସେହି ବଟ ମୂଳକୁ ଆସି ଆଳାପ କରନ୍ତି ନାରାୟଣ ସାଧବ, କହନ୍ତି–‘ଭୋଜଦେବ ! ମୁଁ ସାଧବ । ବେପାର ବଣିଜ ମୋର ଧର୍ମ । ଖାଉଟୀଠାରୁ ଲାଭ ଉଠାଇ ଆମେ ବଡ଼ଲୋକ । ତଥାପି ମୋ’ରି ପରି କେତେଜଣ ସାଧବ ସେ ଏ ଜାତିର ଗୌରବ–ଏଥିରେ ସନ୍ଦେହ ନାହିଁ ।” ସାଧବଙ୍କ କଥା ଶୁଣି ମୁଣ୍ଡ ଉଠାଇ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁ ରହନ୍ତି ଭୋଜଦେବ-! କହିବସନ୍ତି ନାରାୟଣ ସାଧବ–“ଜାଣିଛ ଭୋଜଦେବ ! ମାଆ କାକଟେୟୀ ମଧ୍ୟ ମୋ’ରି ପରି ଜଣେ ସାଧବଙ୍କ ଦ୍ଵାରା ପୂଜିତା ?”

 

–“ମାଆ କାକଟେୟୀ ?”

 

–‘‘ହଁ...ମାଆ କାକଟେୟୀ ପ୍ରଥମ ସିଂହଳରେ ପୂଜା ପାଉଥିଲେ । ସେଠାରେ ବୌଦ୍ଧମାନେ ତାଙ୍କୁ ତାରା ରୂପେ ପୂଜା କରୁଥିଲେ । ଏହି ସିଂହଳ ସହିତ ଆମ ଉତ୍କଳର ନୌବାଣିଜ୍ୟ ଚଲୁଥିଲା । ତେଣୁ ଦଧିବାମନ ନାମକ ଜଣେ ସାଧବ ଦେବୀ କାକଟେୟୀଙ୍କୁ ନିଜ ବୋଇତରେ ସିଂହଳରୁ ଉତ୍କଳକୁ ଘେନି ଆସିବାକୁ ଯତ୍ନ କଲେ ! ବୋଇତ ଆସୁଥିବା ସମୟରେ ଏହି ପ୍ରାଚୀ ନଦୀର ଗଭୀର ଗଣ୍ଡରେ ଓଲଟି ପଡ଼ିଲା । ନାବିକମାନେ ପ୍ରାଣ ହରାଇଲେ । ତା’ ସହିତ ଦେବୀ କାକଟେୟୀ ମଧ୍ୟ ବୁଡ଼ିରହିଲେ ପାଣି ଭିତରେ । ଏମିତି କିଛିଦିନ ବିତିଗଲା । ଆଉଜଣେ ସାଧବ ବୋଇତ ଧରି ସିଂହଳରୁ ଫେରୁଥିବା ସମୟରେ ସେହି ଗଭୀର ଗଣ୍ଡରେ ବୋଇତ ଲାଗି ରହିଲା । ଆଉ ଆଗକୁ ଚଳିଲା ନାହିଁ କି ପଛକୁ ହଟିଲା ନାହିଁ । ଚିନ୍ତିତ ହୋଇପଡ଼ିଲେ ସାଧବ । ବାଧ୍ୟ ହୋଇ ସେଦିନ ରାତ୍ରିଯାପନ କରିବାକୁ ପଡ଼ିଲା ନଦୀ ଗର୍ଭରେ । ଅର୍ଦ୍ଧରାତ୍ରରେ ସାଧବ ସ୍ଵପ୍ନ ଦେଖିଲେ–ହେ ସାଧବ ! ମୁଁ ଦେବୀ କାକଟେୟୀ ଏ ଜଳ ମଧ୍ୟରେ ରହିଛି । ମୋତେ ତୁମେ ଜଳରୁ ଉଦ୍ଧାର କର । ମନ୍ଦିରରେ ପ୍ରତିଷ୍ଠା କରି ପୂଜା କର । ମୁଁ ଆଦ୍ୟାଶକ୍ତି ମଙ୍ଗଳା ।

 

ଏ ସ୍ଵପ୍ନାଦେଶ ପରେ ସାଧବ ସକାଳୁ ସମଗ୍ର ଜଳ ଭାଗରେ ମାଆ କାକଟେୟୀଙ୍କୁ ଖୋଜିଲେ । ଶେଷରେ ମିଳିଲେ ମାଆ କାକଟେୟୀ । ତାଙ୍କୁ ପ୍ରତିଷ୍ଠା କଲେ ସାଧବ ପ୍ରାଚୀ ନଦୀ ତୀରରେ ।

 

କାହାଣୀଟି ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଭୋଜଦେବ, କହିଲେ–“ମହାଜନେ ! ଆପଣ ଜାଣିଥିବେ–ଯେତେବେଳେ ଦେବୀ ଦୁର୍ଗା ମହିଷାସୁର ସହିତ ଦୀର୍ଘକାଳ ଧରି ଲଢ଼େଇ କରି ମଧ୍ୟ ତାକୁ ବଧ କରିପାରିଲେ ନାହଁ, ସେହି ସମୟରେ ଦୁର୍ଗାଙ୍କ ଅନ୍ତସ୍ଥଳରୁ ଦେବୀ ମଙ୍ଗଳା ଆବିର୍ଭୂତା ହୋଇ ବ୍ରହ୍ମାଙ୍କ ବର ବିଷୟ ସୂଚାଇ ଦେଇଥିଲେ ଏବଂ ଉଲଗ୍ନା ହୋଇ ମହିଷାକୁ ମାରିବା ପାଇଁ ପ୍ରାର୍ଥନା କରିଥିଲେ । ତେଣୁ ମାଆ ଦୁର୍ଗା ମଙ୍ଗଳାଙ୍କୁ ସର୍ବମଙ୍ଗଳା ଆଖ୍ୟା ଦେଇ ଜଗତବାସୀଙ୍କର ମଙ୍ଗଳଦାୟିନୀ ରୂପେ ପୂଜା ପାଇବା ପାଇଁ ବର ପ୍ରଦାନ କରିଥିଲେ । ଫଳରେ ଦେବୀ ମଙ୍ଗଳା ଏବଂ ଦୁର୍ଗା ଅଭିନ୍ନା ।”

 

ନାରାୟଣ ସାଧବ କଲେ–“ହଁ ଭୋଜଦେବ ! ପୁଣ୍ୟ ପୀଠ ଏ ପ୍ରାଚୀ ତଟ ଏ ପୀଠରେ ଶୈବ, ବୈଷ୍ଣବ, ବୌଦ୍ଧ, ଜୈନ୍ୟ ଧର୍ମର ସମନ୍ଵୟ ଘଟିଛି । ଏଇ ନଦୀର ତୀରରେ ତ୍ରିବେଣୀ ତୀର୍ଥ, ଗୋକର୍ଣ୍ଣିକା ତୀର୍ଥ, ଚନ୍ଦ୍ରଭାଗା ତୀର୍ଥ ପୁଣି ବିଶ୍ଵାମିତ୍ରାଶ୍ରମ, ଦଧିଚି ଆଶ୍ରମ, ବଶିଷ୍ଠାଶ୍ରମ, ମୃଦୁଗଲ ଆଶ୍ରମ, ଚର୍ପଟୀନାଥ ଆଶ୍ରମ, କପିଳମୁନି ଆଶ୍ରମ ବିରାଜିତ । ଏସବୁ ଦେବଦେବୀ ପୀଠ, ତୀର୍ଥ ଏବଂ ଆଶ୍ରମଗୁଡ଼ିକ ପାଇଁ ମାଧବ କୁଳର ଦାନ କମ୍ ନୁହେଁ । କିନ୍ତୁ ତଥାପି ମୁଁ ସନ୍ଦେହ କରୁଛି ଭୋଜଦେବ ! ଉତ୍କଳର ଏ ଗୌରବୋଜ୍ଜଳ ପରମ୍ପରା ଦିନେ ଧୂଳିରେ ମିଶିଯିବ ।”

 

–“ମହାଜନେ !” ଚମକି ପଡ଼ିଲେ ଭୋଜଦେବ ।

 

–“ହଁ ଭୋଜଦେବ ! ଜଳଦସ୍ୟୁମାନଙ୍କର ଘନ ଘନ ଆକ୍ରମଣ, ଅନ୍ୟାୟକର ଆଦାୟ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କର ବଳପୂର୍ବକ ଚାନ୍ଦା ଆଦାୟ ଦିନେ ଏ ବିରାଟ ପରମ୍ପରାକୁ ନଷ୍ଟ କରିଦେବ । ବିଭିନ୍ନ ସ୍ଥାନରେ ଗଢ଼ିଉଠୁଥିବା କୀର୍ତ୍ତି ସମୂହକୁ ସଂରକ୍ଷିତ କରି ରଖିବା ମଧ୍ୟ ହେବ କଷ୍ଟସାଧ୍ୟ ।

 

ନାରାୟଣ ସାଧବଙ୍କ ଭବିଷ୍ୟତ ବାଣୀକୁ ମନେ ମନେ ଚିନ୍ତାକରି ବିସ୍ମିତ ହେଲେ ଭୋଜଦେବ । ତେବେ କ’ଣ ବିରାଟ ଉତ୍କଳୀୟ ସଭ୍ୟତା ମାଟିରେ ମିଶିଯିବ ?

 

ପୁଣି ମୁହଁ ଖୋଲିଲେ ସାଧବ । କହିଲେ–“ମୁଁ ମୂର୍ଖ ଧନଲୋଭୀ ସାଧବ ବଂଶର ଲୋକ-। କିନ୍ତୁ ବାସ୍ତବରେ ଧନ ପ୍ରତି ମୋର ଆସକ୍ତି ନାହିଁ । ଉପାର୍ଜନ ମୋର କର୍ତ୍ତବ୍ୟ ବୋଲି ମୁଁ ଧନ ଉପାର୍ଜନ କରୁଛି । ଏ ଉପାର୍ଜିତ ଧନ ମଧ୍ୟ ରହିବ ନାହିଁ । ଭବିଷ୍ୟତ ବଂଶଧରମାନେ ସବୁ ଶେଷ କରିଦେବେ । ସେଇଥିପାଇଁ ତୁମ ପ୍ରସ୍ତାବରେ ରାଜି ହୋଇ ଏପରି ଏକ କୀର୍ତ୍ତି ରଖିଯିବାକୁ ମୁଁ ପ୍ରସ୍ତୁତ ହୋଇଛି ।”

 

–“ମନ୍ଦିର ନିର୍ମାଣ ଏବଂ ଦେବ ପୀଠ ପ୍ରତିଷ୍ଠାରେ ଅଶେଷ ପୁଣ୍ୟ ହେବ ମହାଜନେ । ସେ ପୁଣ୍ୟର ମୂଲ୍ୟ ଆପଣଙ୍କ ଉପାର୍ଜିତ ଧନର ମୂଲ୍ୟଠାରୁ ଯଥେଷ୍ଟ ଅଧିକ ।” କହିଲେ ଭୋଜଦେବ ।

 

ଭୋଜଦେବଙ୍କର ଏ ଯୁକ୍ତିରେ ହସିଉଠିଲେ ସାଧବ । କହିଲେ–“ପୁଣ୍ୟତୋୟା ପ୍ରାଚୀ ନଦୀ ତଟରେ ଯେତେ ଦେବଦେବୀ ମନ୍ଦିର, ଯେତେ ଆଶ୍ରମ, ଯେତେ ଦେବଦେବୀ ମୂର୍ତ୍ତି–ସବୁ କ’ଣ ସେହି ପୁଣ୍ୟର ପ୍ରତିଫଳ ନୁହେଁ ? କିନ୍ତୁ କିଏ ହେବ ଚିରସ୍ଥାୟୀ ? ଏ ଧାମର ଜୈନ ପୀଠରେ ବୌଦ୍ଧଦେବତା ମୁଣ୍ଡ ଟେକିଛନ୍ତି, ବୌଦ୍ଧମୂର୍ତ୍ତିରେ ସିନ୍ଦୁର ଲଗାଯାଇ ସେ ଶାକ୍ତ ଦେବୀ ମୂର୍ତ୍ତିରେ ପରିଣତ ହୋଇଛନ୍ତି । ଶାକ୍ତ ପୀଠ ସ୍ଥାନରେ ଗଢ଼ିଉଠିଛି ଶୈବ ମତବାଦର ଶିବ ଲିଙ୍ଗ । ପୁଣି ଶୈବ ଶାକ୍ତ ବୌଦ୍ଧ ଜୈନ ଧର୍ମର ପୁଣ୍ୟକୁ ଠୁଳ କରି ମୁଣ୍ଡ କରି ବୈଷ୍ଣବ ରାଧାମାଧବ ପୂଜା । କେହି ସ୍ଥାୟୀ ନୁହେଁ ସେ ଭୋଜଦେବ ।”

 

ଠିକ୍ ସେମିତି ଜୈନ ତୀର୍ଥଙ୍କରଙ୍କ ଆଶ୍ରମରେ ପୂଜିତ ହୋଇଛନ୍ତି ବୌଦ୍ଧ ସିଦ୍ଧାଚାର୍ଯ୍ୟ ଏବଂ ସିଦ୍ଧାଚାର୍ଯ୍ୟଙ୍କ ପୀଠରେ ଆତ୍ମପ୍ରକାଶ କରିଛନ୍ତି ନାଥଧର୍ମୀ ଆଚାର୍ଯ୍ୟମାନେ । ପୁଣି ଯୁଗ ବଦଳିଛି । ନାଥଧର୍ମୀ ଆଚାର୍ଯ୍ୟଙ୍କ ସ୍ଥାନରେ ଅବଧୂତ ପନ୍ଥୀ ସାଧକ କିମ୍ବା ବୈଷ୍ଣବ ଧର୍ମାବଲମ୍ବୀ ସନ୍ଥମାନେ ସେମାନଙ୍କର ମତବାଦର ପ୍ରଚାର ଓ ପ୍ରସାର କରିଛନ୍ତି । ତଥାପି ଏ ଏସବୁ ଅଳିକ, କ୍ଷଣସ୍ଥାୟୀ । ଏପରିକି ବହୁ ଶାସ୍ତ୍ରରେ ସମୃଦ୍ଧ ସଂସ୍କୃତ ଭାଷ ଦିନେ କ୍ଷୟପ୍ରାପ୍ତ ହେବ । ଲୋକ ସଂସ୍କୃତ ଓ ସଂସ୍କୃତହୀନ ହୋଇ ବୁଲିବେ ଏଇ ପ୍ରାଚୀ ନଦୀ ତଟରେ ।

 

ନାରାୟଣ ସାଧବଙ୍କ ଭବିଷ୍ୟତ ବାଣୀ ବ୍ୟସ୍ତ କଲା ଭୋଜଦେବଙ୍କୁ । କହିଲେ ସେ–“ମହାଜନେ ! ଆପଣଙ୍କ ଭବିଷ୍ୟତବାଣୀ ମୋର ଆଖି ଖୋଲିଦେଇଛି । ମୁଁ ଭାବୁଛି–ମନ୍ଦିର ପ୍ରତିଷ୍ଠା ସହିତ ମୁଁ ଏହି ବଟ ବୃକ୍ଷ ମୂଳରେ ଗୋଟିଏ ସଂସ୍କୃତ ବିଦ୍ୟାପୀଠ ଆରମ୍ଭ କରିବି । ସଂସ୍କୃତ ଏବଂ ଶାସ୍ତ୍ର ଚର୍ଚ୍ଚା ପାଇଁ ନିଜେ ଦାୟିତ୍ଵରେ ରହିବି । ଅନ୍ୟାନ୍ୟ ପଣ୍ଡିତମାନଙ୍କୁ ଏ ସ୍ଥାନକୁ ଆମନ୍ତ୍ରଣ କରିବି ।”

 

ଆହୁରି ହସିଲେ ସାଧବ । କହିଲେ–“ତୁମ ଯୁବସୁଲଭ ଊଦ୍ଦୀପନାରେ ମୁଁ ପ୍ରୀତ ଭୋଜଦେବ । ସାଂସ୍କୃତିକ ଶିକ୍ଷା ବୋଧହୁଏ ସଭ୍ୟତାକୁ କିଛିଦିନ ବଞ୍ଚାଇ ରଖିପାରେ । ତଥାପି ସେ ମଧ୍ୟ ଅସ୍ଥାୟୀ । ଦିନେ ଏଇ ଉତ୍କଳରେ ତ ଗଢ଼ିଉଠିଥିଲା ବିରାଟ ପୁଷ୍ପଗିରି ବୌଦ୍ଧ ବିହାର । କିନ୍ତୁ କାହିଁ ତା’ର ଚିହ୍ନ ବର୍ଣ୍ଣ ? କାହାନ୍ତି ସେ ହୀନଯାନୀ, ମହାଯାନୀ, ବଜ୍ରଯାନୀ ସିଦ୍ଧ ପୁରୁଷଗଣ ?କାଳର ଅନନ୍ତ ଗର୍ଭରେ ସମସ୍ତେ ବିଲୀନ । ଆମେ କେବଳ ସେହି ଇତିହାସକୁ ଘାଣ୍ଟିବା ଛଡ଼ା ଆଉ ବାଟ ନାହିଁ ।”

 

ବ୍ୟସ୍ତ ହୋଇଉଠିଲେ ଭୋଜଦେବ । କହିଲେ–“ଆପଣ ସମ୍ପୂର୍ଣ୍ଣ ନୈରାଶ୍ୟବାଦୀ ହୋଇପଡ଼ିଛନ୍ତି ମହାଜନେ । ମନେପକାନ୍ତୁ–ଆପଣଙ୍କୁ ଯେଉଁ ରାଧାମାଧବ ପ୍ରଳୟଙ୍କର ଝଡ଼ ମୁହଁରୁ ରକ୍ଷା କରିପାରିଲେ ସେ ଇଚ୍ଛାକଲେ ସବୁ କରିପାରିବେ । ତାଙ୍କ ଆର୍ଶୀବାଦରେ କାଳର କୁଟୀଳ ଗତି ସରଳ ହୋଇପାରେ ।”

 

ରାଧାମାଧବଙ୍କ କଥା ଶୁଣି ଟିକେ ଚିନ୍ତିତ ହୋଇପଡ଼ିଲେ ସାଧବ । ହଁ...ରାଧାମାଧବ ପ୍ରତ୍ୟକ୍ଷ ଦେବତା । ତାଙ୍କ ଆର୍ଶୀବାଦ ଏବଂ କରୁଣା ଭିକ୍ଷା ହିଁ କାମ୍ୟ । ତେଣିକି କିଏ ସ୍ଥାୟୀ, କ’ଣ ଅସ୍ଥାୟୀ ତା’ର ବିଚାର କରିବ ଅନନ୍ତ ସମୟ ସ୍ରୋତ ।

 

ଏତିକିବେଳେ ପଛପଟୁ ଡାକ ପକାଇଲେ ବଳଭଦ୍ର ବିଶ୍ଵାକର୍ମ । ଏ ପାଖକୁ ଆସନ୍ତୁ ମହାଜନେ ! ଦେଖିଯାଆନ୍ତୁ କଳିଙ୍ଗ ଶିଳ୍ପୀର କଳା ଚାତୁରୀ ।

 

ଡାକ ଶୁଣି ଉଠିଗଲେ ଭୋଜଦେବ ଏବଂ ନାରାୟଣ ସାଧବ । ଆଶ୍ଚର୍ଯ୍ୟ ହେଲେ ସେମାନେ ମୂର୍ତ୍ତିଟି ଦେଖି । ଅପୂର୍ବ ମୂର୍ତ୍ତିର ଲାଲିତ୍ୟ । ସଦ୍ୟସ୍ନାତା ନବବଧୂ ହସ୍ତରେ କୁସୁମାଞ୍ଜଳି ଧରି ଆଗେଇ ଯାଉଛି ଦେବ ମନ୍ଦିର ନିକଟକୁ । କଟୀଦେଶ ମଣ୍ଡନ କରି ଲମ୍ବିଯାଉଛି କେଶଗୁଚ୍ଛ । ଅଙ୍ଗରେ ଜଡ଼ିଯାଇଛି ଝୀନ ବସନ । ମୁଖମଣ୍ଡଳରେ ପ୍ରଶାନ୍ତି । ଅଧରରେ ପ୍ରସ୍ଫୁଟିତ କୁସୁମର ସୁଷମା ଏବଂ ନିମିଳିତ ଚକ୍ଷୁରେ ବିମୁଗ୍‌ଧ ଭଗବତ୍ ଭକ୍ତିର ତରଙ୍ଗ । ଏକ ଲୟରେ ମୂର୍ତ୍ତିଟି ଆଡ଼େ ଚାହିଁ ରହିଥିଲେ ନାରାୟଣ ସାଧବ । ତାଙ୍କ ଧ୍ୟାନ ଭଗ୍ନ କରି କହିଲେ ଭୋଜଦେବ–“ଦେଖନ୍ତୁ ମହାଜନେ ! ଦକ୍ଷିଣପାର୍ଶ୍ଵର ପ୍ରସ୍ତର ଖଣ୍ଡକୁ ଲକ୍ଷ୍ୟ କରନ୍ତୁ । ଉତ୍କଳୀୟ ନୌବାଣିଜ୍ୟର ପରମ୍ପରା ଖୋଦିତ । ଅଥଳ ସାଗରର ତରଙ୍ଗମାଳା ଭେଦ କରି ଆଗେଇ ଚାଲିଛି ବୋଇତଟି ଧନରତ୍ନରେ ଭରପୂର ହୋଇ । ଆନନ୍ଦ ଚିତ୍ତରେ ବୋଇତକୁ ଆଗେଇ ନେଉଛନ୍ତି ନାବିକମାନେ । ବୋଇତ ଭିତରେ ଉପବିଷ୍ଟ ଜଣେ ସାଧବ ।”

 

ହସିଉଠିଲେ ନାରୟଣ ସାଧବ । କହିଲେ–“ହଁ ଏସବୁ କାହାଣୀ ହୋଇ ରହିଯିବ ଭୋଜଦେବ । ସାଧବ ସାଧବ ବଂଶ ଏ ଦେଶରୁ ନିଶ୍ଚିହ୍ନ ହୋଇଯିବେ ।”

 

ଆଉ ଥରେ ସାଧବଙ୍କର ଏ ନୈରାଶ୍ୟକର ଭବିଷ୍ୟତ ବାଣୀ ଶୁଣିବ୍ୟସ୍ତ ହୋଇପଡ଼ିଲେ ଭୋଜଦେବ । କହିଲେ–“ମହାଜନେ ! ଆପଣ ଆଉ ଏ ବୃଥା ଆଶଙ୍କା ପ୍ରକାଶ କରନ୍ତୁ ନାହିଁ । ଉତ୍କଳୀୟ ନୌବାଣିଜ୍ୟର ପରମ୍ପରା ନିଶ୍ଚିହ୍ନ ହୋଇଯାଇପାରେ । କିନ୍ତୁ ଇତିହାସ ମୁକୁରରେ ଏ ପରମ୍ପରାର ଗୌରବ ଶତମୁଖରେ ନିନାଦିତ ହୋଇଉଠିବ ଯୁଗ ଯୁଗ ପାଇଁ ।”

 

ଭୋଜଦେବଙ୍କର ବାରମ୍ବାର ଆଶାବାଦୀ ଯୁକ୍ତିରେ ଦୀର୍ଘ ନିଃଶ୍ଵାସ ପକାଇ ମନ୍ଦିରର ଚତୁର୍ଦ୍ଦିଗ ବୁଲି କଳିଙ୍ଗ କାରୀଗରର କଳା ନୈପୁଣ୍ୟ ଦେଖିବାକୁ ଚେଷ୍ଟା କଲେ ନାରୟଣ ସାଧବ ।

 

ଏମିତି ରାତିଦିନ ଚାଲିଲା ମନ୍ଦିରର ନିର୍ମାଣ କାର୍ଯ୍ୟ । ନରାଜ ପାହାଡ଼ରୁ ନୌକାରେ ପଥର ବୁହା ହୋଇ ଆସୁଥିଲା । ଶିଳ୍ପୀ ଏବଂ ଶ୍ରମିକମାନେ ଘରଦ୍ଵାର ପିଲା ଛୁଆଙ୍କୁ ଭୁଲି ଲାଗିଥିଲେ କାମରେ । ସେହି ବଟ ବୃକ୍ଷ ମୂଳରେ ବସି ମନ୍ଦିରର ନିର୍ମାଣ କାର୍ଯ୍ୟ ଦେଖୁ ଦେଖୁ ଆତ୍ମହରା ହେଉଥିଲେ ଭୋଜଦେବ ।

 

ମନ୍ଦିରର ଦଧନଉତି ବସିବା ପାଇଁ ଆଉ କିଛିଦିନ ବାକିଥାଏ–ଦିନେ ସାଧବ କହିଲେ–“ଭୋଜଦେବ ! କାର୍ଯ୍ୟ ଶେଷ ପ୍ରାୟ । ଏବେ ଦିଅଁ ନିର୍ମାଣର ସମୟ ଆସିଛି । ମୁଁ ଭାବୁଛି ଅର୍ଦ୍ଧଆଶପୁରର ଶାସ୍ତ୍ରଜ୍ଞ ପଣ୍ଡିତ ଜଗନ୍ନାଥ ମିଶ୍ର ଶର୍ମାଙ୍କୁ ବୃନ୍ଦାବନ ପଠାଇବା । ସେ ବୃନ୍ଦାବନରୁ ଦୁଇଟି ରାଧାମାଧବ ମୂର୍ତ୍ତି ଘେନି ଫେରିବେ ।”

 

ସାଧବଙ୍କ ପ୍ରସ୍ତାବ ଶୁଣି ହସିଲେ ଭୋଜଦେବ । କହିଲେ–“ନାଇଁ ମହାଜନେ ! ରାଧାମାଧବଙ୍କ ମୂର୍ତ୍ତି ପାଇଁ ବୃନ୍ଦାବନ ଯାତ୍ରା କରିବାର ଆବଶ୍ୟକତା ନାହିଁ । ନିଜେ ବଳଭଦ୍ର ବିଶ୍ଵକର୍ମାଙ୍କୁ ସେ ଦାୟିତ୍ଵ ଦିଆଯାଉ । ସେ କଳା ମୁଗୁନି ପଥରରେ ଏଇଠି ମୂର୍ତ୍ତି ଗଠନ କରିବେ ।”

 

ସାମାନ୍ୟ ଚିନ୍ତାକରି ସମ୍ମତ ହେଲେ ସାଧବ । କହିଲେ–“ହଁ ତାହା ହିଁ ହେଉ । ବଳଭଦ୍ର ବିଶ୍ଵକର୍ମା ଏ ଗୁରୁ ଦାୟିତ୍ଵ ବହନ କରନ୍ତୁ ।”

 

ପଛରେ ଠିଆହୋଇ ସବୁ ଶୁଣୁଥିଲେ ବିଶ୍ଵକର୍ମା । କହିଲେ–“କଳିଙ୍ଗ ଶିଳ୍ପୀର ନିହାଣ ମୂନ ଉପରେ ବିଶ୍ଵାସ ରଖନ୍ତୁ ମହାଜନେ । ପ୍ରଭୁ ରାଧାମାଧବଙ୍କ କୃପାରୁ ସେ ସବୁ କରିପାରିବ । ବୃନ୍ଦାବନ ବିହାରୀ ମାଧବଙ୍କୁ ଜୀବନ୍ୟାସ ଦେଇପାରିବ ଏ ମାଧବ ପୀଠରେ ।”

 

ଶିଳ୍ପୀଙ୍କ ନିର୍ଭୀକ ଉତ୍ତରରେ ଆନନ୍ଦିତ ହୋଇପଡ଼ିଲେ ଭୋଜଦେବ । କହିଲେ–“ଆସନ୍ତାକାଲି ଠାରୁ ଦରିଦ୍ରନାରାୟଣ ସେବା ପରେ ମାଧବଙ୍କ ବିଗ୍ରହ ନିର୍ମିତ ହେଉ ମହାଜନେ । ନଦୀ ତୀରର ଏକ ନିର୍ଜନ ଏକାନ୍ତ ପ୍ରକୋଷ୍ଠରେ ଶିଳ୍ପୀ ବଳଭଦ୍ର ବିଶ୍ଵକର୍ମା ତାଙ୍କ କଳ୍ପନାର ମାଧବଙ୍କୁ ରୂପପ୍ରଦାନ କରନ୍ତୁ । ସେ ଉଦ୍ଦେଶ୍ୟରେ ତାଙ୍କ ପାଇଁ ସ୍ଵତନ୍ତ୍ର ହବିଷାନ୍ନର ବ୍ୟବସ୍ଥା ହେଉ ।”

 

ସଙ୍ଗେ ସଙ୍ଗେ ଏ ପ୍ରସ୍ତାବରେ ସମ୍ମତ ହେଲେ ନାରୟଣ ସାଧବ । ପ୍ରାଚୀ ନଦୀ ତୀରର ଏକ ନିର୍ଜନ ପ୍ରକୋଷ୍ଠ ନିର୍ଦ୍ଧାରିତ ହେଲା । ହବିଷାନ୍ନ ଭୋଜନ ପାଇଁ ସମସ୍ତ ବ୍ୟବସ୍ଥା କରିଦିଆଗଲା-। ପରଦିନ ବଳଭଦ୍ର ବିଶ୍ଵକର୍ମା ନୂତନ ବସ୍ତ୍ର ପରିଧାନ କରି ଅନ୍ତରରେ ପ୍ରଭୁ ରାଧାମାଧବଙ୍କ ରୂପ କଳ୍ପନା କରୁ କରୁ ପ୍ରବେଶ କଲେ ପ୍ରକୋଷ୍ଠ ମଧ୍ୟରେ । କହିଲେ–‘ମହାଜନେ ! ଆଜିଠାରୁ ଏ ପ୍ରକୋଷ୍ଠକୁ କେହି ଆସିବେ ନାହିଁ । କେବଳ ଜଣେ ବୈଦିକ ବ୍ରାହ୍ମଣ ହବିଷାନ୍ନ ପ୍ରସ୍ତୁତ କରି ରାଧାମାଧବଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେବାପରେ ମୋତେ ସେବନ ପାଇଁ ଦେବେ-। ଦିନରେ ମାତ୍ର ଥରେ ନୈବେଦ୍ୟ ସେବନ କରି ମୁଁ ମୂର୍ତ୍ତି ଗଠନ କରିବି ।

 

ଶିଳ୍ପୀଙ୍କ ଅନୁରୋଧ ଶୁଣି ଆନନ୍ଦିତ ହେଲେ ନାରାୟଣ ସାଧବ । ସମସ୍ତ ବ୍ୟବସ୍ଥା କରିଦେଲେ ଶିଳ୍ପୀଙ୍କ ପାଇଁ । ନିଜେ ଭୋଜଦେବ ହବିଷାନ୍ନ ପ୍ରସ୍ତୁତିର ଦାୟିତ୍ଵ ଗ୍ରହଣ କଲେ । ମନ୍ଦିରର ଦଧିନଉତି ନିର୍ମାଣ ସହିତ ଚାଲିଲା ମୂର୍ତ୍ତି ଗଠନ ।

 

କିଶୋର ଭୋଜଦେବ ଏବେ ଯୁବକ ଭୋଜଦେବ । ପୁଣ୍ୟତୋୟା ପ୍ରାଚୀ ନଦୀ ତୀରରେ ବସି ସେ ଅନେକ ସମୟରେ ଦେଖିବାକୁ ଚେଷ୍ଟା କରୁଛନ୍ତି ନୀଳ ଜଳରାଶିର ଶୋଭା, ନବନିର୍ମିତ ରାଧାମାଧବଙ୍କ ମନ୍ଦିରର କାରୁକାର୍ଯ୍ୟ । ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ସେ । ପର ମୁହୂର୍ତ୍ତରେ ତାଙ୍କୁ ଆନମନା କରୁଛି କେନ୍ଦୁବିଲ୍ଵ ଗ୍ରାମର ତାଳ ତମାଳ ବୃଦ୍ଧ, ଧୂଳି ଧୂସରିତ ରାସ୍ତା ଏବଂ ନିଜ କ୍ଷୁଦ୍ର କୁଟୀର ସହିତ ସେହି ନିମ୍ବ ବୃକ୍ଷ । ଇଚ୍ଛା କରୁଛନ୍ତି ସେ–ଥରେ ଗାଁ ଆଡ଼େ ବୁଲିଆସିବା ପାଇଁ । କୁଟୀରର ରାଧାମାଧବଙ୍କୁ ଦର୍ଶନ କରିବା ପାଇଁ ।

 

ପୁଣି ପ୍ରଶ୍ନ ଉଠୁଛି ମନ ଭିତରେ–କକା ସୋମଦେବ କୁଟୀରର ରାଧାମାଧବଙ୍କ ସେବା ପୂଜା ନିୟମିତ କରୁଛନ୍ତି ତ ? ସନ୍ତୁଷ୍ଟ ଅଛନ୍ତି ତ ପ୍ରଭୁ ରାଧାମାଧବ ? ଶିଳ୍ପୀ ବଳଭଦ୍ର ବିଶ୍ୱକର୍ମାଙ୍କ ପାଇଁ ହବିଷାନ୍ନ ପ୍ରସ୍ତୁତର ଦାୟିତ୍ଵ ନେବା ଦିନଠାରୁ ସେ ସୋମଦେବଙ୍କୁ ଦେଇ ଆସିଛନ୍ତି ପ୍ରଭୁ ରାଧାମାଧବଙ୍କ ଦାୟିତ୍ଵ । କାରଣ ବ୍ରତ ଧାରଣ କରି ହବିଷାନ୍ନ ପ୍ରସ୍ତୁତ କଲେ ଆଉ ନଦୀ ପାର ହୋଇ ଗ୍ରାମକୁ ଯାତ୍ରା କରିହବ ନାହିଁ କିମ୍ବା ବ୍ରତ ଧାରଣ ସ୍ଥାନ ଭିନ୍ନ ଅନ୍ୟତ୍ର ରାତ୍ରିଯାପନ କରିହେବ ନାହଁ । ସେଥିପାଇଁ ବିକଳ୍ପ ବ୍ୟବସ୍ଥା କରଛନ୍ତି ଭୋଜଦେବ ।

 

ମନ ମାନୁନାହିଁ । ହୃଦୟ ସ୍ଥିର ହେଉନାହିଁ । ପ୍ରତ୍ୟେକ ମୂହୁର୍ତ୍ତରେ ନାଚୁଛନ୍ତି ପ୍ରଭୁ ରାଧାମାଧବ ଚକ୍ଷୁ ସମ୍ମୁଖରେ । କିନ୍ତୁ ବ୍ରତ ଛାଡ଼ି ଗ୍ରାମକୁ ଧାଇଁଯିବା ପାଇଁ ଉପାୟ ନାହିଁ । କେବଳ ଦୀର୍ଘ ନିଃଶ୍ଵାସ ପକାଇ ବସିରହିଲେ ଭୋଜଦେବ ।

 

ଏମିତି ସମୟରେ ଭୋଜଦେବଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ ଶିଳ୍ପୀ ବଳଭଦ୍ର ବିଶ୍ଵକର୍ମା । ଦୀର୍ଘଦିନର ଅକ୍ଳାନ୍ତ ପରିଶ୍ରମ ପରେ ତାଙ୍କ ଶରୀର ଅବଶ, କ୍ଳାନ୍ତ । ତଥାପି ମୁଖମଣ୍ଡଳରେ ପ୍ରଶାନ୍ତି ଏବଂ ଆଲୌକିକ ଦିବ୍ୟଜ୍ୟୋତି । ସହାସ୍ୟ ବଦନରେ କହିଲେ ସେ–“ଭକ୍ତ ଭୋଜଦେବ ! ଆପଣଙ୍କ କଳ୍ପନାର ମାଧବଙ୍କୁ ମୁଁ ନିହାଣ ମୁନରେ ରୂପଦେଇ ପ୍ରାଣବନ୍ତ କରିବାକୁ ଚେଷ୍ଟା କରିଛି । ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । କେବଳ ବୃନ୍ଦାବନରୁ ଧାତୁ ନିର୍ମିତ ରାଧା ମୂର୍ତ୍ତିଟିଏ ଆଣି ମାଧବଙ୍କ ନିକଟରେ ସ୍ଥାପନ କରିବାକୁ ହେବ । ଆସନ୍ତୁ, ଥରେ ସେ ମୂର୍ତ୍ତିଙ୍କୁ ଦର୍ଶନ କରନ୍ତୁ ।”

 

ବଳଭଦ୍ର ବିଶ୍ୱକର୍ମାଙ୍କ ଅନୁରୋଧ ଶୁଣୁ ଶୁଣୁ ଆବେଗଭରା ଚିତ୍ତରେ ସେ କୋଠରି ମଧ୍ୟକୁ ଧାଇଁଗଲେ ଭୋଜଦେବ । ବିଗ୍ରହଙ୍କ ଉପରେ ଆବୃତ୍ତ ନୂତନ ପାଟ ବସ୍ତ୍ରଟି ଖୋଲିଦେଇ ଦର୍ଶନ କରୁ କରୁ ବିହ୍ଵଳିତ ହୋଇପଡ଼ିଲେ ଭୋଜଦେବ । କି ସୌମ୍ୟ, ଶାନ୍ତ, ସୁଠାମ ମୂର୍ତ୍ତି ! ସତେ ଅବାକଳ୍ପନା ରୂପ ନେଇଛି ବାସ୍ତବ ହୋଇ ।

 

ଭୋଜଦେବଙ୍କ ଗଣ୍ଡଦେଇ ବୋହିଆସିଲା ଆନନ୍ଦାଶ୍ରୁ । ମାଧବବିଗ୍ରହଙ୍କ ପାଦଧରି ଲମ୍ବହୋଇ ଭୂମିଉପରେ ଗଡ଼ିବାକୁ ଲାଗିଲେ ସେ । ଡାକୁଥିଲେ ଉଚ୍ଚ କଣ୍ଠରେ । ହେ ପ୍ରଭୁ ମାଧବ ! ତୁମେ ମନ୍ଦିରରେ ବିରାଜମାନ କରି ଏ ଧାମକୁ ପବିତ୍ର କର । ପ୍ରାଚୀ ତୀରକୁ ସ୍ମରଣୀୟ କର । ଦୀନଦୁଃଖୀଙ୍କର ଦାରିଦ୍ର୍ୟ ମୋଚନ କର । ଅସଂଖ୍ୟ ଭକ୍ତଜନଙ୍କ ହୃଦୟକୁ ଆମୋଦିତ କର ।

 

ମୂର୍ତ୍ତି ଗଠନ ଶେଷ ହୋଇଛି ବୋଲି ସମ୍ବାଦ ଶ୍ରବଣ କରି ସେଠାରେ ଉପସ୍ଥିତ ହୋଇସାରିଥିଲେ ନାରାୟଣ ସାଧବ । ତାଙ୍କ ଚକ୍ଷୁ ନିବଦ୍ଧ ଥିଲା ମାଧବ ବିଗ୍ରହଙ୍କ ଚକ୍ଷୁ ଯୁଗଳ ଉପରେ । ହଠାତ୍‍ ପ୍ରକୃତିସ୍ଥ ହୋଇ ବିଗଳିତ କଣ୍ଠରେ କହିଲେ ସେ– ‘‘ଭୋଜଦେବ ! ବଳଭଦ୍ର ବିଶ୍ଵକର୍ମା ବାସ୍ତବିକ କଳିଙ୍ଗ ଶିଳ୍ପୀର ବଂଶଧର । ତାଙ୍କ ବିଗ୍ରହ ନିର୍ମାଣ କୌଶଳ ଅପୂର୍ବ । ଯୁଗ ଯୁଗ ପାଇଁ ସେ ସ୍ମରଣୀୟ ହୋଇ ରହିବେ ଏହି ମହନୀୟ କୀର୍ତ୍ତି ପାଇଁ ।”

 

ସାଧବଙ୍କ କଣ୍ଠସ୍ଵର ଶୁଣି ଉଠିବସିଲେ ଭୋଜଦେବ । କହିଲେ–“ଏବେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ମହାଜନେ । ଆଉ ବିଳମ୍ବ କରି ଲାଭ ନାହିଁ । ଶୁଭ ଦିନ ଦେଖି ମନ୍ଦିର ପ୍ରତିଷ୍ଠା କରିବା, ଦିଅଁ ସ୍ଥାପନ କରିବା ।”

 

ମୁଣ୍ଡ ହଲାଇ ସମର୍ଥନ କଲେ ସାଧବ ! କହିଲେ–“ହଁ ଭୋଜଦେବ ! ଯଥା ଶୀଘ୍ର ସବୁକାମ ଶେଷ କରିବାକୁ ହେବ । କିନ୍ତୁ ମୁଁ ପଣ୍ଡିତ ଜଗନ୍ନାଥ ମିଶ୍ର ଶର୍ମାଙ୍କୁ ବୃନ୍ଦାବନ ପଠାଇଛି । ସେ ଧାତୁ ନିର୍ମିତ ମାତୃଶକ୍ତି ରାଧାଙ୍କରଏକ ବିଗ୍ରହ ଧରି ଆସିବେ । ସେ ବିଗ୍ରହ ପହଞ୍ଚିଲେ–ଏକ ସମୟରେ ପ୍ରତିଷ୍ଠା କାର୍ଯ୍ୟ ହେବ ସହଜ ।”

 

ସର୍ବବିଧ କାର୍ଯ୍ୟରେ ସାଧବଙ୍କର ଆଗୁଆ ପଦକ୍ଷେପ ଆନନ୍ଦିତ କରୁଥିଲା ଭୋଜଦେବଙ୍କୁ । ମନେ ମନେ ପ୍ରଶଂସା କରୁଥିଲେ ସେ ଶତମୁଖ ହୋଇ ।

ଏତିକିବେଳେ କହିଲେ ନାରାୟଣ ସାଧବ–“ଭୋଜଦେବ ! ଆମର କଳ୍ପନା ଅନୁସାରେ କାର୍ଯ୍ୟ ଶେଷ ହୋଇଛି । କେବଳ ବାକି ଅଛି ପ୍ରତିଷ୍ଠା କାର୍ଯ୍ୟ । କିନ୍ତୁ ପ୍ରତିଷ୍ଠା ପୂର୍ବରୁ ଆଉ ଏକ ମହାନ ମାଙ୍ଗଳିକ ଅନୁଷ୍ଠାନ ଶେଷ କରିବାକୁ ହେବ ?”

–“କି ମାଙ୍ଗଳିକ ଅନୁଷ୍ଠାନ ?” ପ୍ରଶ୍ନ ପଚାରି ଚାହିଁ ରହିଲେ ଭୋଜଦେବ ।”

–“ଯାହା ତୁମେ ଏ ପର୍ଯ୍ୟନ୍ତ କଳ୍ପନା କରିପାରିନାହଁ ।”

–“ବୁଝି ପାରିଲି ନାହିଁ ମହାଜନେ !”

–“ତୁମେ ରାଧାମାଧବଙ୍କ ପ୍ରେମ ବିଦଗ୍‌ଧ ପ୍ରାଣ ସେ କଥା ଚିନ୍ତା କରିବାକୁ ବୋଧହୁଏ ସମୟ ପାଇନାହିଁ ।”

–“କୋଉ କଥା ମହାଜନେ ??”

–“ତୁମେ ଶାସ୍ତ୍ରଜ୍ଞ, ପଣ୍ଡିତ ।”

–“ମୋତେ ଅଯଥା ପ୍ରଶଂସା କରନ୍ତୁ ନାହିଁ ମହାଜନେ ।”

–“ମୁଁ ପ୍ରଶଂସା କରୁନାହଁ ଭୋଜଦେବ ! କହୁଛି ଶାସ୍ତ୍ରର ବିଧିବିଧାନ କଥା ।”

–“ମୁଁ କ’ଣ ଶାସ୍ତ୍ରର ବିଧିବିଧାନରୁ ବାହାରି କିଛି କାର୍ଯ୍ୟ ଅଲକ୍ଷ୍ୟରେ କରିପକାଇଛି ମହାଜନେ ?”

–“ହଁ ବୋଧହୁଏ ତୁମେ ସେ କଥା ଚିନ୍ତା କରିପାରିନାହଁ ।”

–“କୋଉ କଥା ?”କହିଲେ ଭୋଜଦେବ ।

–‘‘ତୁମେ ନିଜେ ସଙ୍କଳ୍ପ କରି ମନ୍ଦିର ଏବଂ ଦିଅଁ ପ୍ରତିଷ୍ଠା କରିବ ତ ?”

–“ହଁ, ସେ ପାଇଁ ତ ମୁଁ ପୂର୍ବରୁ ପ୍ରତିଶ୍ରୁତି ପ୍ରଦାନ କରିଛି ।”

–“ଜଣେ ଅବିବାହିତ ଯୁବକର ସଂକଳ୍ପ ଧାରଣ କ’ଣ ଶାସ୍ତ୍ରସମ୍ମତ ?”

–“ମହାଜନେ !”

–“ଆଶ୍ଚର୍ଯ୍ୟ ହୁଅନାହଁ ଭୋଜଦେବ ! କୁହ, ମୋର ପରାମର୍ଶ କ’ଣ ଅଯୌକ୍ତିକ ?”

ସାଧବଙ୍କ କଥା ଶୁଣି ସ୍ଥିର ମଣ୍ଡଳ ନିର୍ବାକ୍ ହୋଇଗଲେ ଭୋଜଦେବ । ଚିନ୍ତାକରି ବସିଲେ ସେ ଆକାଶ ପାତାଳ । ତାଙ୍କ ଚିନ୍ତାରେ ବାଧା ସୃଷ୍ଟି କରି କହିଲେ ନାରାୟଣ ସାଧବ–“ମନ୍ଦିର ପ୍ରତିଷ୍ଠା ପୂର୍ବରୁ ତୁମକୁ ବିବାହ କରିବାକୁ ହେବ ଭୋଜଦେବ । ତୁମେ ସସ୍ତ୍ରୀକ ସଂକଳ୍ପ ଧାରଣ କରିବ ପ୍ରତିଷ୍ଠା ଉତ୍ସବରେ ।”

–“କିନ୍ତୁ ଏ ତ ଅସମ୍ଭବ କଥା ମହାଜନେ ! ମୁଁ ଧନହୀନ, ଗୃହହୀନ, ପିତୃମାତୃହୀନ କୁଟୀର ବାସୀ । ମୋତେ କିଏ କାହିଁକି କନ୍ୟା ପ୍ରଦାନ କରିବେ ?”

 

–“ସେ ପାଇଁ ତୁମେ ଚିନ୍ତାକର ନାହିଁ ଭୋଜଦେବ ! ମୁଁ କନ୍ୟା ନିର୍ବାଚନ କରିସାରଛି । କେବଳ ତୁମର ସମ୍ମତି ଆବଶ୍ୟକ ।”

 

–“କନ୍ୟା ନିର୍ବାଚନ କରିସାରିଛନ୍ତି ?”

 

–“ହଁ...ସୁନ୍ଦରୀ, ସୁଶ୍ରୀ, ସର୍ବଗୁଣ ସମ୍ପନ୍ନ ଶିକ୍ଷିତା କନ୍ୟା ।”

 

–“ମହାଜନେ !”

 

–“ଆଶ୍ଚର୍ଯ୍ୟ ହୁଅ ନାହିଁ ଭୋଜଦେବ ! ଅର୍ଦ୍ଧଆଶପୁରର ଶାସ୍ତ୍ରଜ୍ଞ ପଣ୍ଡିତ ଜଗନ୍ନାଥ ମିଶ୍ର ଶର୍ମାଙ୍କ କନିଷ୍ଠା କନ୍ୟା ରମାଦେବୀ ହେବେ ତୁମର ଧର୍ମ ପତ୍ନୀ । ଏ ପ୍ରସ୍ତାବରେ ତୁମେ ସମ୍ମତ ତ-?”

 

ବଗଳିତ ହୋଇପଡ଼ିଲେ ଭୋଜଦେବ । କହିଲେ–“ମୋର ଆପତ୍ତି କରିବାର କିଛି ନାହିଁ ମହାଜନେ ! ବରଂ ମୁଁ ଆପଣଙ୍କ ମହନୀୟ ଉଦାର ହୃଦୟ ନିକଟରେ କୃତଜ୍ଞ । ମୋତେ ଆପଣ ଜୀବନ ବ୍ୟାପୀ ଋଣୀ କରିଦେଲେ ।”

 

ହସିଲେ ନାରାୟଣ ସାଧବ । କହିଲେ “ସବୁ ସେହି ପ୍ରଭୁ ରାଧାମାଧବଙ୍କ କରୁଣା ଭୋଜଦେବ ! ତାଙ୍କର ଦୟାରୁ ହିଁ ସବୁ ହେଉଛି ଏବଂ ହେବ । ଆମେ କେବଳ ତାଙ୍କ କରୁଣାର ବାହକ ।”

 

ଭୋଜଦେବ ଏବଂ ନାରାୟଣ ସାଧବଙ୍କର ଏମିତି ଆଲୋଚନା ଚାଲିଥିବା ସମୟରେ ହଠାତ୍ ବାହାରୁ ଶୁଣାଗଲା ଜନକୋଳାହଳ । ଆଶ୍ଚର୍ଯ୍ୟ ହୋଇ ବାହାରକୁ ଚାହିଁଲେ ସାଧବ । ଜଣେ ଯୁବକ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କରୁକରୁ କହିଲା–‘‘ମହାଜନେ ! ପ୍ରଭୁ ମାଧବଙ୍କ ବିଗ୍ରହ ନିର୍ମାଣ ଶେଷ ହୋଇଛି ଜାଣି ଲୋକେ ଭିଡ଼ ଜମାଇଛନ୍ତି, ଦର୍ଶନ କରିବା ଉଦ୍ଦେଶ୍ୟରେ । ତେଣେ ପଣ୍ଡିତ ଜଗନ୍ନାଥ ମିଶ୍ର ଶର୍ମା ମହୋଦୟ ମଧ୍ୟ ମାଆ ରାଧାଙ୍କ ବିଗ୍ରହ ଘେନି ବୃନ୍ଦାବନରୁ ଆସି ପହଞ୍ଚିଲେଣି-। ପାଟବସ୍ତ୍ରରେ ସେ ରାଧାଦେବୀଙ୍କୁ ଘୋଡ଼ାଇ ରଖିଛନ୍ତି । ଲୋକଙ୍କୁ କହୁଛନ୍ତି–ମହାଜନେ ଆଦେଶ ନ ଦେଲେ ବିଗ୍ରହଙ୍କ ଉପରୁ ପାଟବସ୍ତ୍ର ଖୋଲାଯିବ ନାହିଁ ।”

 

ଯୁବକଙ୍କ କଥା ଶୁଣି ପ୍ରକୋଷ୍ଠର ବାହାରକୁ ବାହାରି ଆସିଲେ ନାରାୟଣ ସାଧବ । ଲୋକଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି କହିଲେ–‘‘ବନ୍ଧୁଗଣ ! ଆପଣମାନଙ୍କ ପାଇଁ ମୁଁ ରାଧାମାଧବଙ୍କ ମନ୍ଦିର ନିର୍ମିତ ହୋଇଛି । ଆପଣମାନେ ସବୁଦିନ ଦର୍ଶନ କରିବାର ସୁଯୋଗ ଲାଭ କରିବେ । କିନ୍ତୁ ପ୍ରତିଷ୍ଠା ପୂର୍ବରୁ ଦିଅଁ ଦର୍ଶନ ଶାସ୍ତ୍ରାନୁମୋଦିତ ନୁହେଁ । ତେଣୁ ଦୟାକରି ଆପଣମାନେ ଫେରିଯାଆନ୍ତୁ । ଆଗାମୀ ଶୁକ୍ଳପକ୍ଷ ଅଷ୍ଟମୀ ଦିନ ମନ୍ଦିର ଏବଂ ଦିଅଁ ପ୍ରତିଷ୍ଠା ପରେ ଦର୍ଶନ କରିବେ-।”

 

ସାଧବଙ୍କ ଅନୁରୋଧକ୍ରମେ ଫେରିବାରେ ଲାଗିଲେ । ସ୍ଥାନୀୟ ବାସିନ୍ଦା । ସେମାନଙ୍କର ମୁହଁରୁ ଝରିପଡ଼ୁଥିଲା ସାଧବଙ୍କ ପ୍ରଶଂସା । ଏମିତି ସମୟରେ ସେଠାରେ ଉପସ୍ଥିତ ହେଲେ ପଣ୍ଡିତ ଜଗନ୍ନାଥ ମିଶ୍ର ଶର୍ମା ଏବଂ ବର୍ଣ୍ଣନା କରି ବସିଲେ ଏକ ବୃନ୍ଦାବନ ଯାହାର କାହାଣୀ ଓ ଦେବୀ ରାଧାଙ୍କୁ ଲାଭ କରିବାର ସାଫଲ୍ୟ । କାନ ଡେରି ସମସ୍ତ ବିବରଣ ଶୁଣୁଥିଲେ ନାରାୟଣ ସାଧବ ।

 

ପଣ୍ଡିତ ମିଶ୍ର କହିଲେ–“ମହାଜନେ ! ଆପଣଙ୍କ ପରାମର୍ଶ ଅନୁସାରେ ମୁଁ ବହୁ ସ୍ଥାନରେ ମାତା ରାଧାଙ୍କର ବିଗ୍ରହର ଅନୁସନ୍ଧାନ କଲି । କିନ୍ତୁ କୌଣସି ମୂର୍ତ୍ତି ଦେଖି ମୋର ମନ ସନ୍ତୋଷ ଲାଭ କଲା ନାହିଁ । ଭାବିଲି ମୋତେ ଖାଲି ହାତରେ ଫେରିଯିବାକୁ ପଡ଼ିବ । ଏମିତି ବହୁଦିନ ବୁଲି ବୁଲି ହତାଶ ହୋଇ ଦିନେ ରାତିରେ ଯମୁନା ନଦୀର ବାଲୁକା ଶଯ୍ୟାରେ ଶୟନ କରିଛି–ଦେଖିଲି ସ୍ୱପ୍ନ । ‘‘ହେ କଳିଙ୍ଗାଗତ ବ୍ରାହ୍ମଣ ! ତୁମେ ରାଈବିନୋଦିନୀ ରାଧାଙ୍କ ଉଦ୍ଦେଶ୍ୟରେ ବୃନ୍ଦାବନ ଆଗମନ କରିଛି ତେବେ ତାଙ୍କର ଠାବ ନକରି ବାଲୁକା ଉପରେ ଶୟନ କରିଛି କିପରି ? ସେ କ’ଣ ସହଜରେ ମିଳବାର ପଦାର୍ଥ !”

 

ତେଣୁ ସେହି ସ୍ୱପ୍ନରେ ବ୍ୟସ୍ତ ହୋଇ କହିଲେ ମୁଁ–‘‘ପ୍ରଭୁ ! ରାଧାଦେବୀଙ୍କ ଅନୁସନ୍ଧାନ କରି କରି ଯେ ମୁଁ କ୍ଳାନ୍ତ, ଅବଶ । ଆଉ କେଉଁଠୁଁ କିପରି ଲାଭ କରିବି ତାଙ୍କୁ ? ତାଙ୍କ ବିନା ଯେ ମନ୍ଦିର ପ୍ରତିଷ୍ଠା ସମ୍ଭବ ହେବ ନାହିଁ ।”

 

ହସିଲେ ସେ ସ୍ଵପ୍ନର ଦେବତା । କହିଲେ–“ମୋ ବିଗ୍ରହ ଉପଯୁକ୍ତ ଆହ୍ଲାଦିନୀ ଶକ୍ତିର ରାଧା ଉପଯୁକ୍ତ ସ୍ଥାନରେ ସଂରକ୍ଷିତ ବିପ୍ର । ତୁମେ ନଦୀର ପଶ୍ଚିମପଟେ କିଛିବାଟ ବାଲୁକା ଶଯ୍ୟା ଉପରେ ଚାଲି ଚାଲି ଯାଇ ଏକ ପୁରାତନ ବଟ ବୃକ୍ଷ ମୂଳ ନିକଟରେ ତଟଦେଶକୁ ଉଠ । ସେଠାରେ ଜଣେ ସନ୍ନ୍ୟାସୀଙ୍କ ଆଶ୍ରମ । ସେ ସନ୍ନ୍ୟାସୀ ଜରାଜୀର୍ଣ୍ଣ...ବୃଦ୍ଧ । କିଛିଦିନ ତଳେ ସେ ସେହି ଆହ୍ଲାଦିନୀ ଶକ୍ତିର ସ୍ଵରୁପା ଏକ ଧାତୁ ନିର୍ମିତ ରାଧାମୂର୍ତ୍ତି ନଦୀ ଗର୍ଭରୁ ପ୍ରାପ୍ତ ହୋଇଛନ୍ତି । ବୟସ ଦୃଷ୍ଟିରୁ ପୂଜା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ତେଣୁ ସେ ଚାହାନ୍ତି–ମୂର୍ତ୍ତିଟି କୌଣସି ଉପଯୁକ୍ତ ବ୍ୟକ୍ତିଙ୍କୁପ୍ରଦାନ କରିବେ । ତୁମେ ସେଠାକୁ ଯାଅ, ତାଙ୍କୁ ଅନୁରୋଧ ଜଣାଅ । ସେ ଆଗ୍ରହରେ ମୂର୍ତ୍ତିଟି ପ୍ରଦାନ କରିବେ ।”

 

ଏ ସ୍ୱପ୍ନ ଦେଖିବା ପରେ ଧଡ଼ପଡ଼ ହୋଇ ଉଠି ମୁଁ ସିଧାସଳଖ ଚାଲିଲି ପଶ୍ଚିମପଟ ବାଲୁକାରାଶି ଉପରେ । ଅନତି ଦୂରରେ ଦେଖିଲି ସେହି ପୁରାତନ ବଟବୃକ୍ଷ । ଆଉ ଅପେକ୍ଷା ନକରି ତଟଦେଶକୁ ଉଠିଲି । ସମ୍ମୁଖରେ ଦେଖିଲି ଏକ ସନ୍ନ୍ୟାସୀଙ୍କ କ୍ଷୁଦ୍ର ଆଶ୍ରମ । କାଳ ବିଳମ୍ବ ନକରି ଉଠିଗଲି ଆଶ୍ରମ ନିକଟକୁ । ଦେଖିଲି–ଜଣେ ଅଶିତି ବର୍ଷର ବୃଦ୍ଧ ସନ୍ନ୍ୟାସୀ ଧ୍ୟାନ ରତ । ତେଣୁ ନୀରବରେ ବସିରହିଲି ମୁଁ ।

 

ଅନେକ ସମୟ ପରେ ଚକ୍ଷୁ ଖୋଲିଲେ ସନ୍ନ୍ୟାସୀ–ହଠାତ୍ ମୋତେ ଦେଖିପକାଇ ହସିଦେଇ କହିଲେ–‘‘ତୁମେ ଆସିଗଲ ବାବା । ଅନେକ ଦିନ ହେଲା ମୁଁ ତୁମକୁ ଅପେକ୍ଷା କରିଥିଲି-।”

 

“ମାନେ ?” ଆଶ୍ଚର୍ଯ୍ୟ ହେଲି ମୁଁ ।

 

ସନ୍ନ୍ୟାସୀ କହିଲେ–“ରାଈବିନୋଦିନୀଙ୍କୁ ତୁମ ହାତରେ ଟେକି ନ ଦେବା ପର୍ଯ୍ୟନ୍ତ ଶାନ୍ତିରେ ଶେଷ ନିଃଶ୍ୱାସ କିପରି ତ୍ୟାଗ କରିଥାନ୍ତି ବିପ୍ର ! ମୋତେ ପ୍ରଭୁଙ୍କର ଆଦେଶ ଥିଲା–ତୁମ ହସ୍ତରେ ରାଈବିନୋଦିନୀଙ୍କୁ ପ୍ରଦାନ କରିବା ପରେ ହିମାଳୟକୁ ଯାତ୍ରା କରିବି । ଏଥର ମୋର କର୍ତ୍ତବ୍ୟ ଶେଷ ହୋଇଛି । ତମେ ବିଗ୍ରହ ଗ୍ରହଣ କର ।”

 

ସନ୍ନ୍ୟାସୀଙ୍କ କଥା ଶୁଣୁ ଶୁଣୁ ରୋମାଞ୍ଚ ସୃଷ୍ଟି ହେଉଥିଲା ମୋର ସମଗ୍ର ଶରୀରରେ । ବିମୁଗ୍‌ଧ ଚିତ୍ତରେ ମୁଁ ଚାହିଁଥିଲି ସେମିତି ।

 

ସନ୍ନ୍ୟାସୀ କିନ୍ତୁ ମୋର ଉତ୍ତରକୁ ଅପେକ୍ଷା ନକରି ଆସନରୁ ଉଠିଲେ । ପୂଜା ଖଟୁଲି ଉପରେ ସ୍ଥାପିତା ରାଧିକାଙ୍କୁ ଉଠାଇ ନିଜ ହୃଦୟରେ ବାରମ୍ବାର ଲଗାଇ କହିଲେ–‘‘ମାଆ ! ତୋର ନିର୍ଦ୍ଦେଶ ଅନୁସାରେ ନିଜର କନ୍ୟା ପରି ତୋତେ ଏଇ କ୍ଷୁଦ୍ର ଆଶ୍ରମରେ କେବଳ ଭକ୍ତି ଏବଂ ସ୍ନେହ ଦେଇ ରଖିଆସିଲି । ଏଇ ସମୟ ଭିତରେ କିଛି ଭୁଲ୍ ଠିକ୍ ହୋଇପାରିଥାଏ ମାଆ । ମୋତେ ତୋର କ୍ଷମା ଗୁଣରେ କ୍ଷମା ଦେବୁ । ଏବେ ତୋତେ ଗ୍ରହଣ କରିବାର ଲୋକ ଆସିଛି । ତୁ ଯେଉଁ ବର୍ଣ୍ଣନା ସ୍ୱପ୍ନରେ ଜଣାଇଥିଲୁ–ଠିକ୍ ସେହି ବର୍ଣ୍ଣନାର ମଣିଷ ସେ । ପୁଣି କଳିଙ୍ଗାଗତ ନିଶ୍ଚୟ । ପୁଣ୍ୟତୋୟା ପ୍ରାଚୀ ନଦୀ ତୀରରେ ଅବସ୍ଥାନ କରିବାକୁ ତୋର ଇଚ୍ଛା ଥିଲା ମାଆ । ଏ ଆଗନ୍ତୁକ ନିଶ୍ଚୟ ସେହି ପ୍ରାଚୀ ତୀରର । ଯାଆ ମାଆ ! ଏ ଜୀର୍ଣ୍ଣ କୁଟୀରରୁ ବିଦାୟ ନେଇ ମନ୍ଦିରର ଶୋଭା ବର୍ଦ୍ଧନ କର ।

 

ଏମିତି କହୁ କହୁ ଗଦ୍‌ଗଦ୍ କଣ୍ଠରେ ବାଷ୍ପରୁଦ୍ଧ ହୋଇ କ୍ରନ୍ଦନ କରୁଥିଲେ ସନ୍ୟାସୀ । କହୁଥିଲେ ସେ ବାରମ୍ବାର–ମୋର କର୍ତ୍ତବ୍ୟ ଶେଷ ହୋଇଗଲା ମାଆ । ଏବେ ମୋତେ ବିଦାୟ ଦେ-। ମୁଁ ଶାନ୍ତିରେ ମୋର ଯାତ୍ରାପଥରେ ଆଗେଇଯାଏ ।

 

ସନ୍ନ୍ୟାସୀଙ୍କ ଆବେଗଭରା ସଂଳାପରେ ପୁଲକିତ ହୋଇଉଠିଥିଲା ମୋର ସମଗ୍ର ଶରୀର । ଧାଇଁ ଯାଇ ଆହ୍ଲାଦିନୀ ଶକ୍ତି ମାଆ ରାଧାଙ୍କୁ ସନ୍ନ୍ୟାସୀଙ୍କ ହସରୁ ଗ୍ରହଣ କଲି ମୁଁ । ଆଃ...ପ୍ରତିମା ମୋର ଅଙ୍ଗ ସ୍ପର୍ଶକଲା ପରେ ଯେଉଁ ଚାଞ୍ଚଲ୍ୟ, ଯେଉଁ ବିମୁଗ୍‌ତା–ତା’ ବର୍ଣ୍ଣନାତୀତ, ସତେ ଅବା ଏକ ଅଲୌକିକ ଶକ୍ତି ସଞ୍ଚରିତ ହେଉଛି ମୋର ଅଙ୍ଗ ପ୍ରତ୍ୟଙ୍ଗରେ । ପ୍ରତିମାଙ୍କୁ ହସ୍ତରେ ଧାରଣ କରି ବାକ୍‌ଶୂନ୍ୟ ହୋଇ ଅନାଇ ରହିଥିଲି ମୁଁ ସନ୍ନ୍ୟାସୀଙ୍କୁ ।

 

ବୃଦ୍ଧ ସନ୍ନ୍ୟାସୀ ଆଉ କିଛି ଉତ୍ତର ନ ଦେଇ ପାଦ ବଢ଼ାଇଲେ ଆଗକୁ । ଉଚ୍ଚ କଣ୍ଠରେ କହୁଥିଲେ ବାରମ୍ବାର–‘‘ମୋର ଦାୟିତ୍ୱ ଶେଷ ହୋଇଯାଇଛି ମାଆ, ଏବେ ମୁଁ ଚାଲିଲି ମୋର ଗନ୍ତବ୍ୟ ପଥରେ । ତୋର ଅଭୀଷ୍ଟ ସ୍ଥାନକୁ ତୁ ଯାତ୍ରାକର ମାଆ । ଏ ସନ୍ୟାସୀକୁ ମୁକ୍ତି ଦେ ।”

 

ମୁଁ ଅନାଇ ରହିଥିଲି ଅପଲକ ନେତ୍ରରେ । ସେ ଅଦୃଶ୍ୟ ହୋଇଗଲେ ମୋର ନୟନ ପଥରୁ । ତା’ପରେ ଅଣ୍ଟାରୁ ଗାମୁଛା ଖୋଲି ମାଆ ରାଧାଙ୍କୁ ଆବୃତ୍ତ କଲି ମୁଁ ଏବଂ ମସ୍ତକରେ ବହନ କରି ପ୍ରତ୍ୟାବର୍ତ୍ତନ କଲି ଗୃହାଭିମୁଖେ । ପଥ କ୍ଳାନ୍ତି ମୋତେ ଅବଶ କରିନାହିଁ ମହାଜନେ ! ନିର୍ବିଘ୍ନରେ ଗୃହରେ ପହଞ୍ଚି ପ୍ରତିମାଙ୍କୁ ଖଟୁଲି ଉପରେ ରଖି ନୂତନ ପାଟବସ୍ତ୍ରରେ ଆବୃତ୍ତ କରି ଧାଇଁ ଆସିଛି ଖବର ଦେବା ପାଇଁ ।

 

କାହାଣୀଟି ଶୁଣି ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ନାରାୟଣ ସାଧବ ।–‘ମାଆ ତୁମେ ଆସିଗଲ’–‘ମାଆ ତୁମେ ଆସିଗଲ’ ବୋଲି ଉଚ୍ଚାରଣ କରି କରି ପଣ୍ଡିତ ଜଗନ୍ନାଥ ମିଶ୍ର ଶର୍ମାଙ୍କ ଘରଆଡ଼େ ଏକମୁହାଁ ହୋଇ ଧାଇଁବାରେ ଲାଗିଲେ । ପଛେ ପଛେ ଚାଲିଲେ ଭୋଜଦେବ, ଜଗନ୍ନାଥ ମିଶ୍ର ଏବଂ ଶିଳ୍ପୀ ବଳଭଦ୍ର ବିଶ୍ୱକର୍ମା ।

 

ଜଗନ୍ନାଥ ମିଶ୍ର ଶର୍ମାଙ୍କ ଦାଣ୍ଡଘର ଭିତରକୁ ପଶିଯାଇ ଭୂମିରେ ଲୋଟିପଡ଼ିଲେ ସାଧବ, କହିଲେ–ପ୍ରାଚୀ ତୀରକୁ ଆଗମନ କରି ତୁମେ ଏ ଧାମକୁ ପବିତ୍ର କରନ୍ତୁ ମାଆ । ଥରେ ଦର୍ଶନ ଦେଇ ଏ ଅଧମର ନୟନ ମନକୁ ସାର୍ଥକ କର ।

 

ଝରୁଥିଲା ଆନନ୍ଦାଶ୍ରୁ ପ୍ରତ୍ୟେକଙ୍କ ଚକ୍ଷୁରୁ । ଭାବ ବିଦଗ୍‌ଧ ଜଗନ୍ନାଥ ମିଶ୍ର–ଆବୃତ୍ତ ପାଟ ବସ୍ତ୍ରଟିକୁ ବିଗ୍ରହଙ୍କ ଉପରୁ କାଢ଼ିନେଇ ପାଟିକଲେ–ଦେଖିନିଅ, ଥରେ ନୟନ ପୂରାଇ ଦେଖିନିଅ ସାଧବ ! ଏଇ ସେହି ରାଈବିନୋଦିନୀ ଆହ୍ଲାଦିନୀ ଶକ୍ତି, ମାଆ ରାଧିକା ସୁନ୍ଦରୀ । ଭୂମିରୁ ଉଠି ପଦ୍ମକୋରକ ଜିଣା ପଦଯୁଗଳକୁ ନିର୍ବେଦ ନୟନରେ ଅନାଇ ରହିଥିଲେ ନାରୟଣ ସାଧବ, ଭୋଜଦେବ ଏବଂ ବଳଭଦ୍ର ବିଶ୍ୱକର୍ମା । କାହାରି କଣ୍ଠରେ ଭାଷା ନଥିଲା । ସତେ ଅବା ଏକ ଦିବ୍ୟ ଆନନ୍ଦର ସ୍ରୋତରେ ଭାସମାନ ସମସ୍ତେ ।

 

ଏମିତି ଅନେକ ସମସ୍ତ ବିତିଗଲା । ପ୍ରକୃତିସ୍ଥ ହୋଇ କହିଲେ ନାରାୟଣ ସାଧବ–‘‘ପଣ୍ଡିତ ମିଶ୍ର ! ଆପଣ ନାହିଁନଥିବା ପ୍ରଶଂସନୀୟ କାର୍ଯ୍ୟ କରି ଏ ଅଞ୍ଚଳର ନମସ୍ୟ । କିନ୍ତୁ ଏତିକିରେ ଆପଣଙ୍କର କର୍ତ୍ତବ୍ୟ ଶେଷ ହୋଇନାହିଁ ।”

 

–‘‘ତେବେ ?”ସାଧବଙ୍କୁ ଅନାଇ ରହିଲେ ଜଗନ୍ନାଥ ମିଶ୍ର ଶର୍ମା ।

 

–“ଆପଣଙ୍କର ସାହାଯ୍ୟ ବିନା ମନ୍ଦିର ଏବଂ ଦିଅଁ ପ୍ରତିଷ୍ଠା ସମ୍ଭବପର ହେବନାହଁ ପଣ୍ଡିତ ମହାଶୟ ।”

 

–‘‘ଆଦେଶ କର ମହାଜନେ ! ମୋ ଦ୍ୱାରା ଯାହା ସମ୍ଭବ, ତାହା କରିବା ପାଇଁ ମୁଁ ପ୍ରସ୍ତୁତ ।”

 

–‘‘ଆପଣ ଜାଣନ୍ତି–ସର୍ତ୍ତ ଅନୁସାରେ ବିପ୍ର ଭୋଜଦେବ ମନ୍ଦିର ଏବଂ ଦିଅଁ ପ୍ରତିଷ୍ଠା ପାଇଁ ସଂକଳ୍ପ ଗ୍ରହଣ କରିବେ ।”

 

–‘‘ଜାଣେ ମହାଜନେ ?”

 

–‘‘କିନ୍ତୁ ସେ ଯେ ଅବିବାହିତ । ଅବିବାହିତ ବସ୍ତ୍ର କ’ଣ ସଂକଳ୍ପ ଗ୍ରହଣ କରିବା ପାଇଁ ଉପଯୁକ୍ତ ?”

 

–“ନାଁ...ତାହା ଶାସ୍ତ୍ରସମ୍ମତ ହେବ ନାହିଁ ।”

 

–“ତେଣୁ ମୋର ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସ୍ତାବ ରହିଛି ପଣ୍ଡିତ ମହାଶୟ ।”

 

–“ପ୍ରସ୍ତାବ ?”

 

–“ହଁ, ଆପଣଙ୍କର କନିଷ୍ଠା କନ୍ୟା ସୁନ୍ଦରୀ ଗୁଣବତୀ ରମାଦେବୀଙ୍କୁ ଆପଣ ଟେକିଦେବେ ଯୁବକ ଭୋଜଦେବଙ୍କ ହସ୍ତରେ ।”

 

ଆନନ୍ଦରେ ଅଧୀର ହୋଇ କହିଉଠିଲେ ଜଗନ୍ନାଥ ମିଶ୍ର ଶର୍ମା–“ମୁଁ ସୁଯୋଗ୍ୟ ଜାମାତାଟିଏ ଲାଭ କରି ପ୍ରୀତ ହେବି ମହାଜନେ ! କନ୍ୟା ରାମା ମଧ୍ୟ ଭାଗ୍ୟବତୀ ବୋଲି ମୁଁ ବିବେଚନା କରିବି ।”

 

ଜଗନ୍ନାଥ ମିଶ୍ର ଶର୍ମାଙ୍କ ଉତ୍ତର ଶୁଣି ତଳକୁ ମୁହଁ କଲେ ଭୋଜଦେବ ।

 

ଆନନ୍ଦିତ ଚିତ୍ତରେ କହିଲେ ନାରାୟଣ ସାଧବ–“ତେବେ ଆଉ ବିଳମ୍ବ ନ କରି ବିବାହର ଆୟୋଜନରେ ଲାଗିପଡ଼ନ୍ତୁ ପଣ୍ଡିତ ମହାଶୟ । ଆଗାମୀ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥିର ଦିବା ଦଶ ଦଣ୍ଡରେ ମାହେନ୍ଦ୍ରବେଳା । ସେହି ପବିତ୍ର ମୁହୂର୍ତ୍ତରେ ଭୋଜଦେବ ପାଣିଗ୍ରହଣ କରିବେ ରାମାଦେବୀଙ୍କର ।

 

–“ଆପଣ ନିଶ୍ଚିନ୍ତ ରୁହନ୍ତୁ ମହାଜନେ ! ମୁଁ ସବୁର ଆୟୋଜନ କରୁଛି ।”

 

–‘‘ପଣ୍ଡିତ ମହାଶୟ !”

 

–‘‘କେବଳ ସେତିକି ନୁହେଁ ମହାଜନେ ! ମୁଁ ଜାଣେ–ଭୋଜଦେବ ପିତୃମାତୃହୀନ । ଏକରକମ୍‌ର ଗୃହହୀନ କୁଟୀରବାସୀ । ତେଣୁ କେନ୍ଦୁବିଲ୍ୱ ଗ୍ରାମରେ ତାଙ୍କ ବିବାହର ଆୟୋଜନ କରିବାର ଆବଶ୍ୟକତା ନାହିଁ । ଏଇ ଅର୍ଦ୍ଧଆଶପୁରରେ ସବୁ କାର୍ଯ୍ୟ ଶେଷ ହେବ । ଆପଣ ବର ପିତା ହୋଇ ମୋର ଦାନ ଗ୍ରହଣ କରିବେ । ତା’ପରେ ସସମ୍ମାନେ ବରକନ୍ୟା ଯାତ୍ରା କରିବେ କେନ୍ଦୁବିଲ୍ୱ ।”

 

–“ସାଧୁ…ସାଧୁ…ଜଗନ୍ନାଥ ମିଶ୍ର ମହୋଦୟ । ମନ୍ଦିର ପ୍ରତିଷ୍ଠା ଏବଂ ଦିଅଁ ପ୍ରତିଷ୍ଠା ପାଇଁ ଆପଣଙ୍କ ଅବଦାନ ଅବସ୍ମରଣୀୟ ।” କହିଉଠିଲେ ନାରାୟଣ ସାଧବ ।

 

–“ମୋତେ ପ୍ରଶଂସା କରନ୍ତୁ ନାହିଁ ମହାଜନେ ! ମୁଁ ଭିକ୍ଷୁକ ବ୍ରାହ୍ମଣ । ଯାହା ଉଚିତ ମନେକରୁଛି ତାହା କରୁଛି । ଏସବୁ ସେହି ବାବାମାଧବଙ୍କ ପ୍ରେରଣା ।”

 

–“ପଣ୍ଡିତ ମହାଶୟ !”

 

–‘‘ଆଉ ବିଳମ୍ବ ନକରି ଯାଆନ୍ତୁ ମହାଜନେ ! ଭୋଜଦେବଙ୍କ ପକ୍ଷରୁ ଆପଣ ବିବାହର ଆୟୋଜନ କରନ୍ତୁ । କେନ୍ଦୁବିଲ୍ୱ ଶାସନର ବ୍ରାହ୍ମଣମାନଙ୍କୁ ସମ୍ବାଦ ଦିଅନ୍ତୁ । ସେମାନଙ୍କ ଉପସ୍ଥିତିରେ ହିଁ ବିବାହ ଅନୁଷ୍ଠିତ ହେବ ।” କହିଲେ ଜଗନ୍ନାଥ ମିଶ୍ର ଶର୍ମା ।

 

ଭୋଜଦେବଙ୍କ ସହିତ ଉତ୍‌ଫୁଲିତ ଚିତ୍ତରେ ନିଜ ଗୃହ ଅଭିମୁଖେ ଆଗେଇଲେ ନାରାୟଣ ସାଧବ । ଲାଗିପଡ଼ିଲେ ବିବାହର ସମସ୍ତ ଆୟୋଜନରେ । ଆମନ୍ତ୍ରଣ କଲେ କେନ୍ଦୁବିଲ୍ୱ ଗ୍ରାମର ଶାସନୀ ବ୍ରାହ୍ମଣମାନଙ୍କୁ ।

 

ନିର୍ଦ୍ଧାରିତ ଦିନ ଅର୍ଦ୍ଧଆଶପୁର ଜଗନ୍ନାଥ ମିଶ୍ର ଶର୍ମାଙ୍କ ଗୃହରେ ବିବାହ ଅନୁଷ୍ଠିତ ହେଲା ମହାସମାରୋହରେ । ବିବାହ ପରେ ଭୋଜଦେବ ଏବଂ ରାମାଦେବୀ ଯାତ୍ରାକଲେ କେନ୍ଦୁବିଲ୍ୱ ଗ୍ରାମ-। ସୁଶ୍ରୀ ସୁନ୍ଦରୀ ରମାଦେବୀଙ୍କୁ ଦେଖି ଆନନ୍ଦିତ ହେଲେ କେନ୍ଦୁବିଲ୍ୱ ଗ୍ରାମର ଶାସନୀ ବ୍ରାହ୍ମଣ–ସୋମଦେବ, ଚେତନଦେବ, ବ୍ରହ୍ମଦେବ ଏବଂ ଅନ୍ୟମାନେ । ସେମାନେ ଭାବିଲେ–ସତେ ଅବା ମାଆ ଲକ୍ଷ୍ମୀଦେବୀ ବିରାଜମାନ କଲେ ଧୂଳି ଧୂସରିତ କେନ୍ଦୁବିଲ୍ୱ ଗ୍ରାମରେ ।

 

ତା’ ପରେ ମାଘମାସ ଶୁକ୍ଳ ଅଷ୍ଟମୀ ତିଥିରେ ନବ ନିର୍ମିତ ମନ୍ଦିର ଏବଂପ୍ରଭୁ ରାଧାମାଧବଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହେଲା । ନିଜେ ଭୋଜଦେବ କର୍ତ୍ତା ହୋଇ ସଂକଳ୍ପ ଧାରଣ କଲେ । ଶତ ଶତ ଦରିଦ୍ର ଜନସାଧାରଣ ପ୍ରସାଦ ସେବନ କରି ଜୟ ଜୟକାରରେ ନିନାଦିତ କଲେ ସମଗ୍ର ପ୍ରାଚୀ ଭୂଖଣ୍ଡ । ନିଜକୁ କୃତ୍ୟ କୃତ୍ୟ ମଣିଲେ ନାରାୟଣ ସାଧବ । ନିଜ ନିର୍ମିତ ରାଧାମାଧବଙ୍କ ମନ୍ଦିରକୁ ନିତିଦିନ ଶତ ଶତ ଭକ୍ତଙ୍କର ଆଗମନ ଦେଖି ପ୍ରୀତ ହେଲେ ସେ-। ମନେ ମନେ ଚିନ୍ତାକଲେ–ତାଙ୍କ ଶ୍ରମ ସାର୍ଥକ ହୋଇଛି । ତାଙ୍କ ଜୀବନ ଧନ୍ୟ ହୋଇଛି-। ଆଉ ଆସକ୍ତିର ମୋହରେ ଘାଣ୍ଟି ହୋଇ ବାର୍ଦ୍ଧକ୍ୟର ଯନ୍ତ୍ରଣା ଅନୁଭବ କରି ଲାଭ ନାହିଁ-। ସେହି ଆଲୌକିକ ଦିବ୍ୟ ଆନନ୍ଦ ପାଇଁ ଅମର ଧାମକୁ ଗତି କରିବା ହିଁ ଶ୍ରେୟସ୍କର ।

 

ସତକୁ ସତ ମନ୍ଦିର ଏବଂ ଦିଅଁ ପ୍ରତିଷ୍ଠାର ମାତ୍ର ଅଳ୍ପଦିନ ପରେ ରାଧାମାଧବଙ୍କ ଗୁଣ କୀର୍ତ୍ତନ କରୁ କରୁ ଇହଲୀଳା ସମ୍ବରଣ କଲେ ବୃଦ୍ଧ ଧାର୍ମିକ ନାରାୟଣ ସାଧବ । ତେଣୁ ମନ୍ଦିରର ସମସ୍ତ ଦାୟିତ୍ଵ ନ୍ୟସ୍ତ ହେଲା ଯୁବକ ଭୋଜଦେବଙ୍କ ଉପରେ । ଏ ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ ଚଳାଇବା ପାଇଁ ଯନ୍ତ୍ରକଲେ ଭୋଜଦେବ ।

 

ନିତିଦିନ ସେ ପ୍ରଭାତରୁ ପ୍ରାଚୀ ନଦୀରେ ସ୍ନାନ ଶେଷକରି କେନ୍ଦୁବିଲ୍ୱ କୁଟୀରକୁ ଫେରିଲେ । ପତ୍ନୀ ରାମାଦେବୀଙ୍କ ଦ୍ୱାରା ସଂଗୃହୀତ କୁସୁମରେ କୁଟୀରର ରାଧାମାଧବଙ୍କୁ ମଣ୍ଡି ଦେଲେ ଏବଂ ପୂଜା ଶେଷ କରି ଚାଲିଲେ ଅର୍ଦ୍ଧଆଶପୁର । ସେଠାରେ ପ୍ରଭୁ ରାଧାମାଧବଙ୍କ ପୂଜା ଶେଷକରି ପ୍ରାଚୀ ତୀରର ବଟ ବୃକ୍ଷମୂଳରେ ସ୍ଥାନୀୟ ଶିଶୁମାନଙ୍କୁ ସଂସ୍କୃତ ଶିକ୍ଷା ଦେବାରେ ଲାଗିଲେ ଏବଂ ପୁରାଣ ପାଠକରି ଭକ୍ତଜନଙ୍କୁ ଶୁଣାଇଲେ । ଏମିତି କିଛିଦିନ ଅତିବାହିତ ହେବା ପରେ ଭୋଜଦେବଙ୍କ ଖ୍ୟାତି ସମଗ୍ର ଅଞ୍ଚଳରେ ବ୍ୟାପିଗଲେ । ଲୋକେ ତାଙ୍କୁ ଚଳନ୍ତି ମାଧବ ବୋଲି ବିଚାର କଲେ ।

 

ଏଣେ ସଦ୍‌ଗୁଣ ସମ୍ପନ୍ନା ରାମାଦେବୀ ନିତିଦିନ ଘରେ ପତିଦେବତାଙ୍କୁ ଅପେକ୍ଷା କରି ବସିଥାନ୍ତି । ଭୋଜଦେବ ଠାକୁରଙ୍କ ପହୁଡ଼ ପକାଇ ପ୍ରସାଦ ସହିତ ଫେରିବା ପରେ, ସେ ପରଶି ଦିଅନ୍ତି ସ୍ୱାମୀଙ୍କୁ । ସେବନ କରନ୍ତି ଭୋଜଦେବ । ଯାହା ବଳେ ତାହା ଭୋଜନ କରନ୍ତି ସେ ନିଜେ । ସେତିକରେ ତାଙ୍କର ଅପାର ଆନନ୍ଦ, ପରମ ପରିତୃପ୍ତି । ତାଙ୍କ ମନରେ କୌଣସି ଦିନ ଅସନ୍ତୋଷ ନଥାଏ–ଆପତ୍ତି ନଥାଏ କିମ୍ବା ଅଭିଯୋଗ ନଥାଏ ।

 

ଏଥିପାଇଁ ଦିନେ ଦିନେ ପରିହାସ କରନ୍ତି ଭୋଜଦେବ–“ପ୍ରିୟା ରାମା ! ସମଗ୍ର ଦିନ ମୋର ଅନୁପସ୍ଥିତିରେ ତୁମ ମନରେ ଆଘାତ ଲାଗିଥିବ ନିଶ୍ଚୟ ।” ହସି ହସି କହନ୍ତି ରାମାଦେବୀ–“ମୋ ନିକଟରେ ତ କୁଟୀର ମଧ୍ୟରେ ପ୍ରଭୁ ରାଧାମାଧବ ରହିଛନ୍ତି–ଆପଣ ତ ମୋର ଅନ୍ତରରେ ସଦାସର୍ବଦା ବିରାଜିତ–ମୁଁ ଏକୁଟିଆ ହେବି କାହିଁକି ? ଅବସର ପାଇଲେ ମୁଁ ରାଧାମାଧବଙ୍କ ସହିତ ଆଳାପ କରୁଛି–ଆପଣଙ୍କ ରୂପ କଳ୍ପନା କରି ଆମୋଦିତ ହେଉଛି । ମୋର ଆଉ ଦୁଃଖ କ’ଣ ?

 

ରାମାଦେବୀଙ୍କର ଏ ଉତ୍ତର ଶୁଣି ମନେ ମନେ ଲଜ୍ଜିତ ହୁଅନ୍ତି ଭୋଜଦେବ । କହନ୍ତି–“ହଁ ରାମା ! ତୁମେ ଯେତେବେଳେ ଜଣେ ଭିକ୍ଷୁକ ବ୍ରାହ୍ମଣର ହାତ ଧରନ୍ତି–ସେତେବେଳେ କଳ୍ପନାର ଇନ୍ଦ୍ରପୁରୀ ରଚନା ନକଲେ–ରାଧାମାଧବଙ୍କୁ ନିଜର ନକଲେ–ଏ ଯୌବନ ସୁଲଭ ଜୀବନ ବିତାଇବ କିପରି ?”

 

ଦୁଃଖ କରନ୍ତି ରାମାଦେବୀ । କହନ୍ତି–“ସ୍ୱାମୀ ! ମୋର ଧନ ଦୌଲତ କିମ୍ବା ଇନ୍ଦ୍ରପୁରୀର ଆଶା ନାହିଁ । ଯୌବନର ମାଦକଭରା ସ୍ପର୍ଶରେ ମଧ୍ୟ ମୁଁ ଅଧୀର ନୁହେଁ । ମୋର ଜୀବନ ରାଧାମାଧବ, ପ୍ରାଣ ଆପଣ । ରାଧାମାଧବଙ୍କ ବିନା ମୋର ଜୀବନ ଅକାରଣ–ଆପଣଙ୍କ ବିହୁନେ ମୁଁ ପ୍ରାଣହୀନ । ଏଇ ଦୁଇ ସମ୍ପଦ ହିଁ ମୋର ସର୍ବସ୍ୱ ।”

 

ରାମାଦେବୀଙ୍କ ହୃଦୟ ଖୋଲା ଅଭିବ୍ୟକ୍ତିରେ ଉଲ୍ଲସିତ ହୋଇଉଠନ୍ତି ଭୋଜଦେବ । ଟେକିନିଅନ୍ତ ରାମାଦେବୀଙ୍କୁ ନିଜ କୋଳ ଉପରକୁ । ସଲଜ ନୟନ ମୁଦ୍ରିତ କରି ବିମୁଗ୍‌ଧ ହୁଅନ୍ତି ପତ୍ନୀ ରାମାଦେବୀ ।

 

ଏମିତି ବିତିବାରେ ଲାଗେ ବିପ୍ର ଭୋଜଦେବଙ୍କ ଜୀବନ । ଯୁବକ ଭୋଜଦେବ ବୟସ୍କ ଭୋଜଦେବରେ ପରିଣତ ହେଲେ । ଯୌବନ ସୁଲଭ ଉଦ୍ଦୀପନା କ୍ଷୀଣ ହୋଇଆସିଲା । ଶାସ୍ତ୍ର ଚର୍ଚ୍ଚା ଏବଂ ଭଗବତ୍ ଭକ୍ତି ତାଙ୍କ ହୃଦୟ କମଳରେ ଅଲୌକିକ ଦିବ୍ୟ ଶକ୍ତିର ସଞ୍ଚାର କଲା । ତେଣୁ ବେଳେବେଳେ ପ୍ରାଚୀ ତୀରର ବଟ ବୃକ୍ଷ ମୂଳରେ ବସି ଚତୁର୍ଦ୍ଦିଗର ପ୍ରକୃତି ସୁନ୍ଦରୀଙ୍କୁ ଲକ୍ଷ୍ୟ କରୁ କରୁ ଅଭିଭୂତ ହୋଇପଡ଼ନ୍ତି ସେ । ତାଳ, ତମାଳ, ନାରୀକେଳ, ଅଶ୍ୱତ୍‌ଥ, ବଟ ବୃକ୍ଷର ଶୋଭା ଆତ୍ମହରା କରେ ତାଙ୍କୁ । ପାଟଳୀ ପୁଷ୍ପ ଏବଂ ଜୁଈ ଜାଈ ମଧୁମାଳତୀ ଲତା ଆକର୍ଷଣ କରେ ତାଙ୍କ ପ୍ରାଣକୁ । ସତେଅବା ଅନ୍ତର ମଧ୍ୟରୁ ସୋତସ୍ଵିନୀ ଧାରା ହୋଇ ନିର୍ଗତ ହୁଏ କବିତ୍ୱ । ଅନାଇ ଚାହାଁନ୍ତି ସେ ପ୍ରବହମାନା ପ୍ରାଚୀ ନଦୀକୁ । ମନେ ମନେ କହନ୍ତି ଅପୂର୍ବ ଉଦ୍ଦୀପନାରେ–‘‘ମାଆ ପ୍ରାଚୀ ସୁନ୍ଦରୀ ! ତୁମେ ଯୁଗ ଯୁଗ ପାଇଁ ଏମିତି ଚିରସ୍ରୋତା ହୋଇ ବହୁଥାଅ । ତୁମରି ଗର୍ଭରେ ବୋଇତ ମେଲି ବାଣିଜ୍ୟ କରୁଥାନ୍ତି ଉତ୍କଳୀୟ ସାଧବଗଣ । ବୋହି ଆଣନ୍ତୁ ଧନରତ୍ନ ମଣିମୁକ୍ତା । ସମୃଦ୍ଧିଶାଳୀ କରନ୍ତୁ ଏ ଦେଶକୁ । ଗଢ଼ିଉଠୁ ମଧ୍ୟ ନୂତନ କୀର୍ତ୍ତି ସମୂହ ତମରି ତଟଦେଶରେ ।”

 

ତା’ପରେ ଯାତ୍ରୀଙ୍କ ସମାଗମରେ ଧ୍ୟାନ ଭାଙ୍ଗେ ତାଙ୍କର । ଉଠନ୍ତି ସେ ରାଧାମାଧବଙ୍କୁ ପ୍ରଣତି ଜଣାଇ ।

 

ସେଦିନ ଏମିତି ବଟ ବୃକ୍ଷ ମୂଳରେ ବସି ଅନେକ କିଛି ଚିନ୍ତା କରି କରି ଉଠିଲେ ଭୋଜଦେବ । ରାଧାମାଧବଙ୍କ ରାତ୍ରିସେବା ଶେଷକରି ପହୁଡ଼ ପକାଇ ଫେରିଲେ କେନ୍ଦୁବିଲ୍ୱ । କୁଟୀର ମଧ୍ୟରେ ପ୍ରବେଶ କରୁ କରୁ ଦେଖିଲେ ପ୍ରିୟା ରାମାଦେବୀ ଥରିଲା ଦୀପଶିଖା ସମ୍ମୁଖରେ ବସିଛନ୍ତି । ଧାର ଧାର ହୋଇ ଗଡ଼ିପଡ଼ୁଛି ଲୋତକ ଚକ୍ଷୁ ଯୁଗଳରୁ । ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଲେ ଭୋଜଦେବ ? –ଏଁ…ରାମା କ୍ରନ୍ଦନରତା ! କି ଦୁଃଖ ଜାତ ହୋଇଛି ତାଙ୍କ ମନ ଭିତରେ ?

 

ହଠାତ୍ ସ୍ଵାମୀଙ୍କୁ ଦେଖି ଅପ୍ରସ୍ତୁତ ହୋଇ ନୟନରୁ ଲୁହ ପୋଛିଲେ ରାମାଦେବୀ ।

 

ନିକଟକୁ ଲାଗିଆସି ଚୁର୍ଣ୍ଣ କୁନ୍ତଳ ଉପରେ ହସ୍ତ ସଞ୍ଚାଳନ କରି ପ୍ରଶ୍ନ–କଲେ ଭୋଜଦେବ–‘‘ତୁମେ କାନ୍ଦୁଛ ରାମା ? କ’ଣ ହୋଇଛି ତୁମର, କୁହ…କୁହ ରାମା ।”

 

ଅନ୍ତରର ବେଦନା ଗୋପନ ରଖିବାକୁ ଯତ୍ନ କଲେ ରାମାଦେବୀ । କହିଲେ, “ନାଁ…ସ୍ୱାମୀ ! ମୋତେ କ୍ଷମାଦେବେ । ଏକ ଦୁର୍ବଳ ମୁହୂର୍ତ୍ତର ଭାବାନ୍ତର ପାଇଁ ମୁଁ ଦୁଃଖିତା ।”

 

–‘କିନ୍ତୁ କାହିଁକ ଏ ଦୁଃଖ ? ଗୋପନ ନରଖି ପ୍ରକାଶ କର ରାମା ।”

 

–“ସ୍ୱାମୀ !!”

 

–“କୁହ ରାମା ! ଏ ଦରିଦ୍ର ସ୍ୱାମୀର କୁଟୀର କ’ଣ ତୁମକୁ ସୁଖ ପ୍ରଦାନ କରିପାରୁ ନାହିଁ-?”

 

–“ମୋତେ ଏମିତି ପ୍ରଶ୍ନ ପଚାରି ଆଘାତ ଦିଅନ୍ତୁ ନାହିଁ ସ୍ୱାମୀ !”

 

–‘‘ସତ କହୁଛି ରାମା । ମୁଁ ଅନୁରୋଧ କରିଥିଲେ ବିତ୍ତଶାଳୀ ନାରାୟଣ ସାଧବ ମୋ କୁଟୀର ସ୍ଥାନରେ ବିରାଟ ଅଟ୍ଟାଳିକା ନିର୍ମାଣ କରିଦେଇ ପାରିଥାନ୍ତେ । ଜମିବାଡ଼ ମଧ୍ୟ ଖଞ୍ଜି ଦେଇ ପାରିଥାନ୍ତେ । ଏ ଅଭିଳାଷ–ସେ ଅନେକ ଥର ମୋ ଆଗରେ ପ୍ରକାଶ କରିଛନ୍ତି । କିନ୍ତୁ ମୁଁ ତାଙ୍କୁ ବାରମ୍ବାର କହିଛି–‘‘ମହାଜନେ ! ମୋତେ ସମ୍ପଦର ମୋହ ଦେଖାନ୍ତୁ ନାହିଁ । କୁଟୀର ସ୍ଥାନରେ ମୋର ଅଟ୍ଟାଳିକାର ଆବଶ୍ୟକତା ନାହିଁ । ମୁଁ ଚିର କୁଟୀର ବାସୀ ହେବାକୁ ଚାହେଁ । ଭିକ୍ଷୁକ ବ୍ରାହ୍ମଣ ପରି ଜୀବନ ବିତାଇବାକୁ ଚାହେଁ । ମୋ ନିକଟରୁ ଦାରିଦ୍ର୍ୟ କାଢ଼ିନେଇ ପ୍ରାଚୁର୍ଯ୍ୟ ଭରିଦେଲେ–ମୁଁ ଆପଣଙ୍କଠାରୁ ଦୂରେଇ ଯିବି । ଏ କଥା ଶୁଣି ଆନନ୍ଦିତ ହୋଇଛନ୍ତି ସାଧବ ଏବଂ ଅକ୍ଷୁଣ୍ଣ ରଖିଛନ୍ତି ମୋ ବ୍ୟକ୍ତିଗତ ଜୀବନର ସ୍ୱାତନ୍ତ୍ର୍ୟ ।

 

–“ମୋତେ କ୍ଷମା କରନ୍ତୁ ସ୍ୱାମୀ ! ସମ୍ପଦ ଲୋଭ ପାଇଁ ମୋ ନୟନରୁ ଲୋତକ ଝରିନାହିଁ । ପ୍ରାସାଦ ବାସିନୀ ହେବାପାଇଁ ମନରେ ମୋହ ଜାତ ହୋଇନାହିଁ ।”

 

–‘‘ତେବେ ?” ପ୍ରଶ୍ନ କଲେ ଭୋଜଦେବ ।

 

ଅନିଚ୍ଛା ସତ୍ତ୍ୱେ ମୁହଁ ଖୋଲିଲେ ରାମାଦେବୀ । କହିଲେ–‘‘ସ୍ୱାମୀ ! ଆପଣଙ୍କ ନିକଟରେ ମୋର ଗୋପନୀୟ କିଛି ନାହିଁ । ମୁଁ ନିଶ୍ଚୟ ପ୍ରକାଶ କରିବି । କିନ୍ତୁ ହଠାତ୍ ମୋ ମନରେ ଏ ଭାବାନ୍ତର କାହିଁକି–ତା’ ମୁଁ ନିଜେ ମଧ୍ୟ ଜାଣେ ନାହିଁ ।”

 

–‘‘କୁହ ରାମା–କେଉଁଥିପାଇଁ ତୁମେ ଚିନ୍ତାକୁଳା ।”

 

–‘‘ଏଇ କେତେଦିନ ହେବ ସବୁ ଥାଇ ମୁଁ କିଛି ନଥିଲା ପରି ଅନୁଭବ କରୁଛି ସ୍ୱାମୀ !”

 

–‘‘ରାମା !!”

 

–“ହଁ ସ୍ଵାମୀ ! ବିବାହ ପରେ ଅନେକ ବର୍ଷ ବିତିଯାଇଛି, ପ୍ରଭୁ ରାଧାମାଧବଙ୍କ ସେବା ପୂଜାରେ ଆମର ତିଳେହେଲେ ତ୍ରୁଟି ନାହିଁ, ତଥାପି ପ୍ରଭୁ ରାଧାମାଧବ ଆମ ଦୁଃଖ ଶୁଣି ନାହାନ୍ତି ସ୍ୱାମୀ ।”

 

–‘‘ତୁମେ କ’ଣ କହିବାକୁ ଚାହଁ ରାମା ?”

 

–‘‘ସନ୍ତାନହୀନା ମାତାର ଜୀବନ ମୋତେ ଦୁଃଖ ଦେଇଛି ସ୍ଵାମୀ । ମୋର ଅଲକ୍ଷ୍ୟରେ ଅନ୍ତର ବିଦ୍ରୋହୀ ହୋଇଉଠୁଛି । ଜାଣେ ନାହଁ...ହଠାତ୍ ସନ୍ତାନ ପାଇଁ ପ୍ରାଣରେଏ ବିକଳତା କାହିଁକି-।”

 

ରାମାଦେବୀଙ୍କ ଉତ୍ତରରେ ନିର୍ବାକ୍ ହୋଇ ସ୍ଥାଣୁ ପରି ଠିଆ ହୋଇଗଲେ ଭୋଜଦେବ । ଅନୁମାନ କରିନେଲେ ସନ୍ତାନ ପାଇଁ ନାରୀ ହୃଦୟର ଯନ୍ତ୍ରଣା । ପ୍ରଭୁ ରାଧାମାଧବଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି କହିଲେ ସେ–‘‘ତୁମେ ରାଧାମାଧବଙ୍କୁ ଦୋଷ ଦିଅ ନାହିଁ ରାମା ! ସେ ନିଶ୍ଚୟ ତୁମ ଦୁଃଖ ଶୁଣିବେ । କୋଳ ମଣ୍ଡନ କରିବେ । ସବୁ କେବଳ ତାଙ୍କର କରୁଣା ।” ସ୍ଵାମୀଙ୍କ ଉତ୍ତରରେ ଅଧୀର ହୋଇ ପାଦତଳେ ଲୋଟିପଡ଼ି କହିଲେ ରାମାଦେବୀ–“ମୋତେ କ୍ଷମା ଦେବ ସ୍ଵାମୀ ! ଏକ ଅହେତୁକ ଉଦ୍ଦୀପନାରେ ମୁଁ ମୋର ଅବ୍ୟକ୍ତ ମନର ଭାବ ପ୍ରକାଶ କରିପକାଇଛି । ପ୍ରଭୁ ରାଧାମାଧବଙ୍କୁ ଦୋଷ ଦେଇଛି ।”

 

ହସିଲେ ଭୋଜଦେବ । କହିଲେ–‘‘ତୁମେ କିଛି ଭୁଲ କରିନାହଁ ରାମା ! ବରଂ ମୋତେ ଚେତାଇଦେଇ ଠିକ୍ କରିଛ । ମୁଁ ମଧ୍ୟ ତୁମ ସହିତ ଏକ ହୋଇ ଦୁଃଖ ଜଣାଇବାର ସୁଯୋଗ ଲାଭ କରିଛି ।”

 

ଏପରି ସାନ୍ତ୍ୱନା ଦେଉ ଦେଉ ରାମାଦେବୀଙ୍କୁ ନିଜ ବକ୍ଷ ଆଡ଼େ ଆଉଜାଇ ଆଣିଲେ ଭୋଜଦେବ । ନିଜର ଗୋପନ ମନୋଭାବ ପ୍ରକାଶ କରି ଆତ୍ମସନ୍ତୋଷ କରୁଥିଲେ ସତୀ ରାମାଦେବୀ ।

 

ତା’ପରେ ପ୍ରସାଦ ସେବନ ଶେଷକରି କୁଟୀରରେ ଶୟନ କଲେ ଭୋଜଦେବ ଏବଂ ରାମାଦେବୀ । କିନ୍ତୁ ଭୋଜଦେବଙ୍କୁ ନିଦ୍ରାଦେବୀ କୋଳାଗ୍ରତ କରୁନାହାନ୍ତି । ଚିନ୍ତାସାଗରରେ ନିମଗ୍ନ ସେ । ତେବେ କ’ଣ ସେ ଚିରଦିନ ନିଃସନ୍ତାନ ରହିଯିବେ ? ପ୍ରଭୁ ରାଧାମାଧବ ତାଙ୍କ କୋଳ ମଣ୍ଡନ କରିବେ ନାହିଁ ? ଦିବାରାତ୍ରି ଏମିତି ରାମାଦେବୀଙ୍କ ନୟନରୁ ଗଡ଼ୁଥିବ ଲୋତକର ଧାର ! ଅସ୍ଥିର ହୋଇଉଠିଲେ ଭୋଜଦେବ । ଲକ୍ଷ୍ୟକଲେ–ମନର ବେତନା ପ୍ରକାଶ କରିସାରିବା ପରେ ନିଶ୍ଚିନ୍ତ ନିଦ୍ରାରେ ଅଭିଭୂତା ପ୍ରିୟା ସୁନ୍ଦରୀ ରାମା । କିନ୍ତୁ ତାଙ୍କ ପ୍ରାଣର କାରୁଣ୍ୟ ସଞ୍ଚରିତ ହୋଇଛି ସ୍ୱାମୀ ଭୋଜଦେବଙ୍କ ହୃଦୟକୁ । ସେ ଅନୁଭବ କରୁଛନ୍ତି–ସତେଅବା ସନ୍ତାନହୀନ ଏକାକୀ ଜୀବନ ଦୁର୍ବିସହ–ଦୁଶ୍ଚିନ୍ତାମଗ୍ନ ।

 

ଶଯ୍ୟା ଉପରେ ପଡ଼ି ଏପରି ଡହଳ ବିକଳ ହେଉ ହେଉ ନିଦ୍ରିତ ହୋଇଛନ୍ତି ଭୋଜଦେବ । ଦେଖିଛନ୍ତି ସ୍ଵପ୍ନ–ସମ୍ମୁଖରେ ବିରାଜିତ ସ୍ୱୟଂଜଗତର ଠାକୁର ଜଗନ୍ନାଥ । କହୁଛନ୍ତି ସହାସ୍ୟ ବଦନରେ–‘‘ସେବକ ଭୋଜ ! ତୁମେ ସନ୍ତାନ ପାଇଁ ଦୁଃଖ କରୁଛ ? ମୁଁ କ’ଣ ତୁମର ସନ୍ତାନ ନୁହେଁ ? ମୋ’ଠାରୁ କ’ଣ ତୁମେ ଅପତ୍ୟ ସ୍ନେହ ଲାଭକରି ପାରୁନାହିଁ ? ମୁଁ ହିଁ ତୁମ ଆରାଧ୍ୟ ଦେବତା ମାଧବ । ପୂଜିତ ଏମିତି ବହୁ ନାମରେ….ବହୁ ରୂପରେ । ଥରେ ଚିନ୍ତା କର ଭୋଜ ! ମୋର ସେହି ଅତୀତରେ ନୀଳମାଧବ ରୂପ କଥା । ଶବର ବିଶ୍ଵାବସୁଙ୍କୁ କ’ଣ ମୁଁ ଅପତ୍ୟ ସ୍ନେହ ଦେଇନଥିଲି ? ତାଙ୍କ ଅଇଁଠା ଫଳ ହାତ ପତାଇ ଗ୍ରହଣ କରୁନଥିଲି ? ତେବେ ତୁମେ ଦୁଃଖିତ କାହିଁକି ? ପୁଣି ମନେପକାଅ ଭୋଜ ! ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କଥା । ସେ ପରା ଭିକ୍ଷା ମାଗିଥିଲେ–ମୋତେ ନିଃସନ୍ତାନ କରି ପ୍ରଭୁ ! ମନ୍ଦିର ପ୍ରତିଷ୍ଠା ଏବଂ ଦିଅଁ ପ୍ରତିଷ୍ଠାର ଗୌରବ ନେବା ପାଇଁ ମୋ ବଂଶରେ କେହି ନରହନ୍ତୁ । ତେବେ ତୁମେ ସନ୍ତାନ ପାଇଁ ବିକଳ କାହିଁକ ଭୋଜ ?

 

ଅବଶ୍ୟ ତୁମକୁ ମୁଁ ନିଃସନ୍ତାନ ରଖିବ ନାହିଁ । ତୁମେ ହେବ ଏକବିଶ୍ଵ ବିଖ୍ୟାତ ସୁଯୋଗ୍ୟ ସନ୍ତାନର ଜନକ । ସାଂସାରିକ ଆସକ୍ତି ତାଙ୍କୁ ବାନ୍ଧି ରଖିପାରିବ ନାହିଁ । ମୋର ଅପୂର୍ବ ମାଧୁର୍ଯ୍ୟ ଭକ୍ତିର ଜୟଗାନ କରିକରି ସେ ସନ୍ତାନ ହେବ କାଳଜୟୀ । ତୁମେ ସେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରୁହ ଭୋଜଦେବ ! ମନରୁ ଦୁଃଖ ଏବଂ ଅନୁତାପ ଦୂର କର ।”

 

ହଠାତ୍ ନିଦ୍ରା ତେଜିଉଠିଲେ ଭୋଜଦେବ । ତାଙ୍କ ସମଗ୍ର ଶରୀରରେ ଲୋମାଞ୍ଚ । ଆଃ...ସେ କି ଅପୂର୍ବ ଦୃଶ୍ୟ ! ସ୍ୱୟଂ ବିଶ୍ୱକର୍ତ୍ତା ଜଗନ୍ନାଥ ଚକ୍ଷୁ ସମ୍ମୁଖରେ । କାତର ହୋଇ ଡାକ ଛାଡ଼ିଲେ ଭୋଜଦେବ–‘‘ପ୍ରଭୁ ମାଧବ…ପ୍ରଭୁ ଜଗନ୍ନାଥ ।”

 

ଚମକିପଡ଼ିଲେ ରାମାଦେବୀ... ‘‘କ’ଣ ହେଲା...କ’ଣ ହେଲା ସ୍ଵାମୀ ? ରାତ୍ରିର ଶେଷ ପ୍ରହରରେ ଆପଣ ଏମିତି ଅସ୍ଥିର ହୋଇ ଡାକ ଛାଡ଼ୁଛନ୍ତି ଯେ– ?”

 

–“ହଁ ପ୍ରିୟା ରାମା ! ସେ ମୋ ଡାକ ଶୁଣି ଆସିଥିଲେ । ଅନ୍ତରର ବେଦନା ଜାଣି ସାନ୍ତ୍ୱନା ପ୍ରଦାନ କରିଦେଇଗଲେ ।”

 

–‘‘ସ୍ୱାମୀ ! ଆପଣ ବିଭ୍ରାନ୍ତ ହୋଇନାହାନ୍ତି ତ ?”

 

–“ନାଁ ରାମା ! ସତରେ ଏ ଦରିଦ୍ର କୁଟୀରକୁ ସେ ଆସିଥିଲେ ସାନ୍ତ୍ୱନା ଦେବାପାଇଁ । ମିଳେଇଗଲେ ଅନ୍ଧାର ଭିତରେ ଏ କୁଟୀରକୁ ପବିତ୍ର କରି । କହିଲେ–ତୁମର ଏକ ବିଶ୍ୱବିଖ୍ୟାତ ସନ୍ତାନ ଜନ୍ମହେବ ଭୋଜଦେବ ! ସେ ଶୁଭ ସମୟକୁ ଅପେକ୍ଷା କର ।”

 

–“ଏଁ ପ୍ରଭୁ ରାଧାମାଧବ ଆମ ଦୁଃଖ ଶୁଣିଛନ୍ତି ! ! ଆମ ନିବେଦନ ଗ୍ରହଣ କରିଛନ୍ତି ?”

 

–ହଁ, ସେ ସବୁ ଶୁଣିଛନ୍ତି ରାମା ! ସାନ୍ତ୍ୱନା ଦେଇଯାଇଛନ୍ତି ଶୁଭମୁହୂର୍ତ୍ତକୁ ଅପେକ୍ଷା କରିବା ପାଇଁ ।”

 

ଆଉ ନିଜକୁ ସମ୍ଭାଳି ନପାରି ରାଧାମାଧବଙ୍କ ପାଦତଳେ ଲୋଟି ପଡ଼ିଲେ ରାମାଦେବୀ–କହିଲେ ପାଟିକରି–“ମୋତେ କ୍ଷମା କର ପ୍ରଭୁ, ମୋତେ କ୍ଷମା କର ।”

 

ରାମାଦେବୀଙ୍କୁ ଭୂମିରୁ ଉଠାଇ ନିଜ ବକ୍ଷ ଦେହରେ ଜଡ଼ାଇ ଧରୁ ଧରୁ କହିଲେ ଭୋଜଦେବ–“ତୁମେ ବ୍ୟସ୍ତ ହୁଅନାହିଁ ରାମା ! ପ୍ରଭୁ ରାଧାମାଧବ କ’ଣ କାହାରି ଉପରେ କ୍ଷୋଭ ପ୍ରକାଶ କରନ୍ତି ? ସେ ଯେ ପ୍ରେମର ମୂର୍ତ୍ତି, ମାଧୁର୍ଯ୍ୟର ମୂର୍ତ୍ତି, କରୁଣାର ମୂର୍ତ୍ତି, ପ୍ରତିଶୋଧ, ପ୍ରତିହିଂସା ଏବଂ ଆତ୍ମଅହମିକାପୂର୍ଣ୍ଣ ମଣିଷକୁ ସେ ଦର୍ଶନ ଦିଅନ୍ତି ନାହିଁ । ସେ ଚିରଦିନ ବନ୍ଧା ଭକ୍ତିର ରଜ୍ଜୁରେ ।”

 

ପତି ଦେବତାଙ୍କ ବକ୍ଷରେ ମୁଣ୍ଡ ରଖି ବିଗଳିତା ହେଉଥିଲେ ରାମାଦେବୀ ପ୍ରଭୁ ରାଧାମାଧବଙ୍କର ଅପାର କରୁଣା ପାଇଁ । ଆଖିରୁ ଲୁହ ପୋଛି ହସିବାକୁ ଚେଷ୍ଟା କରୁଥିଲେ ସେ ।

 

ଆଉ କାଳ ବିଳମ୍ବ ନକରି ପ୍ରାଚୀ ନଦୀରେ ସ୍ନାନ ପାଇଁ ବାହାରିଗଲେ ଭୋଜଦେବ । ଆଜି ସତେ ଯେମିତି ତାଙ୍କୁ ସବୁକିଛି ନୂଆ ନୂଆ ଲାଗୁଛି । ସବୁ ଶୋଭନୀୟ ଦିଶୁଛି । କ୍ଷୁଦ୍ର କେନ୍ଦୁବିଲ୍ୱ ଗ୍ରାମ ତାଙ୍କ ପାଇଁ ପରିଣତ ହୋଇଛି ସ୍ୱର୍ଗ ଧାମରେ । ତାଳ ତମାଳ ନାରୀକେଳ ବୃକ୍ଷରାଜି ଭୋଜଦେବଙ୍କ ମନରେ ଭ୍ରମ ତୋଳୁଛି–ସ୍ୱର୍ଗର ନନ୍ଦନକାନନର ପାରିଜାତ ବୃକ୍ଷ ପରି । ହସୁଛନ୍ତି ସେ ଅହେତୁକୀ ଆନନ୍ଦରେ ।

 

ସ୍ନାନ ଉଦ୍ଦେଶ୍ୟରେ ପ୍ରାଚୀ ନଦୀର ଜଳ ମଧ୍ୟରେ ପ୍ରବେଶ କରି ଚମକି ପଡ଼ିଲେ ଭୋଜଦେବ । ସତେଅବା ତରଙ୍ଗହୀନ ନୀଳ ଜଳରାଶି ଉପରେ ନାଚୁଛି ଦେବ ଦେବ ଜଗନ୍ନାଥଙ୍କ ସ୍ଵରୂପ–କହୁଛନ୍ତି ସେ–“ମୁଁ ଜଗନ୍ନାଥ…ମୁଁ ହିଁ ମାଧବ । ପୂଜିତ ବହୁ ରୂପରେ । ତୁମେ କ’ଣ ମୋତେ ଚିହ୍ନିପାରୁନାହଁ ଭୋଜଦେବ ?”

 

ପୁଣି ନିଜକୁ ନିଜେ ସାନ୍ତ୍ୱନା ଦେଉଛନ୍ତି ଭୋଜଦେବ । ନାଁ...ଶ୍ରୀ ଜଗନ୍ନାଥଙ୍କ ସ୍ୱରୂପ ନୁହେଁ, ଜଳ ମଧ୍ୟରେ ନିଜର ପ୍ରତିବିମ୍ବ ଭ୍ରମ ତୋଳୁଛି ମନ ଭିତରେ । ଆହୁରି ହସିବାକୁ ଚେଷ୍ଟା କରିଛନ୍ତି ଭୋଜଦେବ ।

 

ସ୍ନାନ ଶେଷକରି ଫେରିଛନ୍ତି କୁଟୀରକୁ ଏବଂ ଆରମ୍ଭ କରିଛନ୍ତି କୁଟୀରର ରାଧାମାଧବଙ୍କ ପୂଜା । ଅନୁଭବ କରିଛନ୍ତି ସେ–ସତେଅବା କୁଟୀରର ରାଧାମାଧବ କହୁଛନ୍ତି–ଭୋଜଦେବ ! ମୁଁ ମଧ୍ୟ ସେହି ଆରାଧ୍ୟ ଜଗନ୍ନାଥ । ମୋର ସେବା ଜଗନ୍ନାଥଙ୍କ ସେବା । ତୁମରେ ସେବକଙ୍କୁ ମୁଁ କଦାପି ସନ୍ତାନହୀନ ଭାବରେ ସନ୍ତପ୍ତ ହେବାକୁ ଦେବିନାହିଁ ଭୋଜଦେବ ! ଅପେକ୍ଷା କର । ଶୁଭ ମୁହୂର୍ତ୍ତରେ ସନ୍ତାନ ଲାଭ କରିବ ।

 

ଆଉ ନିଜକୁ ସମ୍ଭାଳି ନପାରି ଭୂମିରେ ଢୋ ଢୋ କରି ମୁଣ୍ଡ ପିଟିଲେ ଭୋଜଦେବ । କହିଲେ–“ମୋର ସନ୍ତାନ ଭିକ୍ଷା ଲୋଡ଼ା ନାହିଁ ପ୍ରଭୁ ! ତୁମର ସେବା ପାଇଁ ତୁମେ ତୁମକୁ ଜନ୍ମଦିଅ । ସେତିକିରେ ମୋର ସନ୍ତୋଷ ।”

 

ହାତଯୋଡ଼ି ଠାକୁରଙ୍କୁ ପ୍ରଣତି ଜଣାଇ କହିଲେ ରାମାଦେବୀ–“କ’ଣ ହେଲା…କ’ଣ ହେଲା ପ୍ରଭୁ ! ଏମିତି ବ୍ୟସ୍ତ ହେଉଛନ୍ତି କାହିଁକି ?”

 

–‘‘କିଛି ନୁହେଁ...କିଛି ନୁହେଁ ରାମା ! ସେହି ଠାକୁର ରାଧାମାଧବ ମୁଁ ପାଗଳ କରିଛନ୍ତି ମୋତେ’’ କହିଲେ ଭୋଜଦେବ । ତା’ପରେ–ପୂଜା ଶେଷକରି ଏକମୁହାଁ ହୋଇ ଚାଲିରେ ଅର୍ଦ୍ଧଆଶପୁର ।

 

ସେଠାରେ ମଧ୍ୟ ମନପ୍ରାଣ ଦେଇ ସେବା କଲେ ଠାକୁରଙ୍କର ଏବଂ ସେବା ପୂଜା ଶେଷରେ ଆସି ଏକୁଟିଆ ବସିରହିଲେ ବଟ ବୃକ୍ଷ ମୂଳର ଚଉତରା ଉପରେ । ଏଥର ହସିଲେ ଭୋଜଦେବ ଗୀତାର ସେହି ଅମର ଶ୍ଳୋକ ମନରେ ପକାଇ–

 

‘‘ସମୋଽହଂ ସର୍ବଭୁତେଷୁ ନ ମେ ଦ୍ୱେଷ୍ୟୋସ୍ତି ନ ପ୍ରିୟଃ

ସେ ଭଜନ୍ତି ତୁ ମାଂ ଭକ୍ତ୍ୟା ମୟିତେ ତେଷୁ ଚାପ୍ୟହମ୍ ।”

 

ସେ ସର୍ବଜ୍ଞାତା ଚିନ୍ତାମଣି । ଭାବକୁ ନିକଟ ଅଭାବକୁ ଦୂର । ଭକ୍ତ ଯେଉଁଠି ଯେପରି ତାଙ୍କୁ ଭାବେ–ସେ ସେଠାରେ ସେମିତି ଦର୍ଶନ ପ୍ରଦାନ କରନ୍ତି । ଯାହାର ଭାବ ନାହିଁ ସେ ଭଗବାନଙ୍କୁ ଲାଭ କରିପାରିବ କିପରି ?

 

ଏତିକିବେଳେ ଚଉତରା ଉପରେ ରୁଣ୍ଡ ହୋଇଗଲେ ସଂସ୍କୃତ ଶିକ୍ଷା ଆଜି ନୂଆ କରି ଭୋଜଦେବ ସଂସ୍କୃତ ଭାଷାର ଧାତୁରୂପ, ଶବ୍ଦ ରୂପ କିମ୍ବା ବାକ୍ୟ ଯୋଜନା ସମ୍ପର୍କରେ ଶିକ୍ଷା ପ୍ରଦାନ ନ କରି–ଅନର୍ଗଳ କହିଚାଲିଲେ ବେଦ, ଉପନିଷଦ, ଆରଣ୍ୟକ, ବ୍ରାହ୍ମଣ, ସୂତ୍ର ଗ୍ରନ୍ଥ ଏବଂ ଗୀତା, ମହାଭାରତ, ରାମାୟଣ, ଭାଗବତ, ଭବିଷ୍ୟ, ମତ୍ସ୍ୟ, ମାର୍କଣ୍ଡ, ବ୍ରହ୍ମାଣ୍ଡ, ବ୍ରହ୍ମ, ବ୍ରହ୍ମ ବୈବର୍ତ୍ତ, ବାୟୁ, ବରାହ, ବାମନ, ବିଷ୍ଣୁ, ନାରଦ, ଲିଙ୍ଗ, ପଦ୍ମ, ଅଗ୍ନି, ଗରୁଡ଼, କୂର୍ମ, ସ୍କନ୍ଦ ପୁରାଣରେ ଭଗବଦ୍‍ ଚେତନାର ସତ୍ତା । ରାଧାମାଧବଙ୍କ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଅଟକି ରହିଲେ ଏ ସର୍ବଶାସ୍ତ୍ର ଭଗବଦ୍ ପ୍ରବଚନ ଶୁଣି । ଧନ୍ୟ ଧନ୍ୟ କଲେ ଆଗନ୍ତୁକମାନେ ଭୋଜଦେବଙ୍କ ଅଗାଧ ପାଣ୍ଡିତ୍ୟରେ ମୁଗ୍‌ଧ ହୋଇ ।

 

ଏହାପରେ ଭୋଜଦେବ ଭକ୍ତଜନଙ୍କର ଅନୁରୋଧ କ୍ରମେ ପ୍ରତ୍ୟେକ ଦିନ ଛାତ୍ରମାନଙ୍କୁ ସଂସ୍କୃତ ଶିକ୍ଷା ଦେଇସାରି ପ୍ରବଚନ ଦେଲେ ବିଭିନ୍ନ ଶାସ୍ତ୍ର ଉପରେ ।

 

“ତ୍ୱମାଦିଦେବଃ ପୁରୁଷଃ ପୁରାଣଃ

ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍

ବେତ୍ତାଽସି ବେଦଂ ଚ ପରଂ ଚ ଧାମ

ତ୍ୱୟା ତତଂ ବିଶ୍ୱମନନ୍ତ ରୂପ ।”

 

ହେ ଭଗବାନ ମାଧବ ! ତୁମେ ଆଦିଦେବ, ତୁମେ ଅନାଦି ପୁରୁଷ, ତୁମେ ଏ ବିଶ୍ୱ ଭୁବନର ପରମ ଆଧାର, ତୁମେ ଜ୍ଞାତା, ତୁମେ ଜ୍ଞେୟ, ତୁମେ ପରମ ଗତି, ତୁମେ ବିସ୍ତାରିତ ବିଶ୍ୱ ଏବଂ ଅନନ୍ତ ଶରୀର ।

 

ପ୍ରବଚନ ଶ୍ରବଣ କରି ଆନନ୍ଦିତ ହେଲେ ଭକ୍ତ ଜନ । ଦିନକୁ ଦିନ ଖ୍ୟାତି ବୃଦ୍ଧି ପାଇବାକୁ ଲାଗିଲା ଭୋଜଦେବଙ୍କର । ଦିବାରାତ୍ରି କେବଳ ଭକ୍ତି ରସରେ ଅବଗାହନ କରିବାରେ ଲାଗିଲେ ସେ ।

 

ଏମିତି କେତେଦିନ ବିତିବା ପରେ ଗର୍ଭ ଲକ୍ଷଣ ପରିଦୃଷ୍ଟ ହେଲା ରାମାଦେବୀଙ୍କର । ତାଙ୍କ ତନୁଶ୍ରୀରୁ ବିଚ୍ଛୁରିତ ହେଲା ଏକ ଅପୂର୍ବ ଜ୍ୟୋତି । ସେ ଜ୍ୟୋତି ଆଲୋକିତ କଲା କେନ୍ଦୁବିଲ୍ଵ ଗ୍ରାମର କ୍ଷୁଦ୍ର କୁଟୀରକୁ । ରାମାଦେବୀଙ୍କୁ ଲକ୍ଷ୍ୟ କରି କହିଲେ ଭୋଜଦେବ–‘‘ରାମା ! ଏବେ ପ୍ରଭୁ ଜଗନ୍ନାଥ ରୂପୀ ମାଧବଙ୍କ କରୁଣା ଫଳବତୀ ହୋଇଛି । ତୁମେ ତାଙ୍କୁ ଭଜନ କର–ତାଙ୍କ ଗୁଣ କୀର୍ତ୍ତନ କର । ସେ ଲାଘବ କରିବେ ସମସ୍ତ ବେଦନା ।”

 

ସ୍ଵାମୀଙ୍କ ନିର୍ଦ୍ଦେଶରେ ପ୍ରଭୁ ରାଧାମାଧବଙ୍କୁ ଶୟନେ ସପନେ ଭଜନ କରିବାକୁ ଲାଗିଲେ ରାମାଦେବୀ । କ୍ଷୁଦ୍ର କୁଟୀର ପରିଣତ ହେଲା ଶାନ୍ତିର ଆସ୍ପଦରେ ।

 

ସମୟକ୍ରମେ ଶୁକ୍ଳ ଦ୍ଵାଦଶୀ ତିଥିରେ ପ୍ରଭୁ ରାଧାମାଧବଙ୍କ ଉଦ୍ଦେଶ୍ୟରେ ଭକ୍ତଜନ ଜୟ ଜୟ କାରରେ ମେଦିନୀ କମ୍ପାଉଥିବା ସମୟରେ ଜନ୍ମଲାଭ କଲା ଏକ ଦିବ୍ୟ ଜ୍ୟୋତି ସମ୍ପନ୍ନ ପୁତ୍ର । ଆନନ୍ଦରେ ଅଭିଭୂତ ହୋଇପଡ଼ିଲେ ଭୋଜଦେବ ଏବଂ ରାମାଦେବୀ ନବଜାତ ଶିଶୁ ପୁତ୍ରର ମୁଖକମଳ ଦର୍ଶନ କରି ।

 

ସନ୍ତାନ ଜନ୍ମର ସମ୍ବାଦ ପ୍ରଚାରିତ ହେବାପରେ କୁଟୀର ଦ୍ୱାରରେ ରୁଣ୍ଡ ହୋଇଗଲେ କେନ୍ଦୁବିଲ୍ୱ ଗ୍ରାମର ଅଧିବାସୀ । ସନ୍ତୋଷ ଲାଭ କଲେ ପୁତ୍ର ମୁଖଦର୍ଶନ କରି । ବୃଦ୍ଧ ସୋମଦେବ ଭବିଷ୍ୟତ ବାଣୀ ଶୁଣାଇ ଜ୍ୟୋତିଷ ଶାସ୍ତ୍ରର ପଂକ୍ତି ଉଦ୍ଧାର କରି କହିଲେ–ଭୋଜ ଦେବ ! ଏ ସନ୍ତାନ ହେବ ଭଗବତ୍‍ପ୍ରେମୀ ଅନାସକ୍ତ ପୁରୁଷ । ସାଂସାରିକ ସୁଖ ତାକୁ ବାନ୍ଧି ରଖିପାରିବ ନାହିଁ । ପାଣ୍ଡିତ୍ୟ ଓ କବିତ୍ୱରେ ସେ ଗୌରବ ବୃଦ୍ଧି କରିବ ସମଗ୍ର ଉତ୍କଳ ଖଣ୍ଡର ।

 

ସୋମଦେବଙ୍କ ଭବିଷ୍ୟତ ବାଣୀରେ ମୁଗ୍‌ଧ ହୋଇ କହିଲେ ଭୋଜଦେବ–“ଆପଣଙ୍କ ଆର୍ଶୀବାଦରେ ଶିଶୁ ଦୀର୍ଘଜୀବୀ ହେଉ କକା । ଏ ଗ୍ରାମର ମର୍ଯ୍ୟାଦା ବୃଦ୍ଧି କରୁ ।”

 

–“ସନ୍ତାନର ଜନ୍ମ ମୁହୂର୍ତ୍ତ ଏବଂ ଅଙ୍ଗ ଲକ୍ଷଣରୁ ମୁଁ ବେଶ୍ ଅନୁମାନ କରୁଛି ଭୋଜ ! ଏ ଉତ୍କଳ ଖଣ୍ଡର ସେ ହେବ ଉଜ୍ଜ୍ଵଳ ତାରକା । ତା’ଉପରେ ସ୍ୱୟଂ ଭଗବାନ ମାଧବଙ୍କର ଆର୍ଶୀବାଦ ଝରିପଡ଼ୁଛି । ମୁଁ କି ଛାର ! ତଥାପି ମୁଁ ଛୋଟ ଅନୁରୋଧଟିଏ କରୁଛି ଭୋଜ !”

 

–“କୁହନ୍ତୁ କକା ! ଅନୁରୋଧ ନୁହେଁ, ଆଦେଶ କରନ୍ତୁ–ମୁଁ ପାଳନ କରିବି ।”

 

–‘‘ଭଗବାନ ମାଧବଙ୍କର ଜୟ ଜୟକାର ଧ୍ଵନି ସହ ସନ୍ଧ୍ୟା ଆଳତି ସମୟରେ ଜନ୍ମ ହୋଇଛି ସନ୍ତାନ । ତେଣୁ ତା’ର ଶ୍ରଦ୍ଧା ନାମ ରହୁ ଜୟଦେବ ।”

 

–“ଆପଣଙ୍କ ଆଦେଶ ଅନୁସାରେ–ନାମକରଣ ଉତ୍ସବ ଦିନ ତାର ନାମ ଜୟ ରହିବ କକା ! ସେ ପ୍ରତିଶ୍ରୁତି ମୁଁ ଦେଉଛି ।”

 

ଆନନ୍ଦିତ ହୋଇ କୁଟୀର ଦ୍ଵାରରୁ ପ୍ରତ୍ୟାବର୍ତ୍ତନ କଲେ ବୃଦ୍ଧ ସୋମଦେବ ଏବଂ ଅନ୍ୟମାନେ ।

 

ତା’ପରେ ବିଧି ଅନୁସାରେ ପୁତ୍ରର ନାମକରଣ ଉତ୍ସବ ଅନୁଷ୍ଠିତ ହେଲା ଏବଂ ନାମ ରହିଲା ଜୟଦେବ । ନବଜାତ ଶିଶୁର କ୍ରନ୍ଦନ ଧ୍ୱନିରେ ହସିଉଠିଲା କେନ୍ଦିବିଲ୍ୱ ଗ୍ରାମର ସେହି କ୍ଷୁଦ୍ର କୁଟୀର । ପୁତ୍ରର ମୁଖ ଦର୍ଶନ କରି ବିମୁଗ୍‌ଧ ହେଲେ ସତୀ ରାମାଦେବୀ । ବେଳେ ବେଳେ କୁଟୀର ସମ୍ମୁଖସ୍ଥ ନିମ୍ବ ବୃକ୍ଷ ମୂଳରେ ବସି, ପୁତ୍ରକୁ କୋଳରେ ଧରି ସେ ବୁଣିଲେ ସ୍ଵପ୍ନର ଇନ୍ଦ୍ରଜାଲ । ହୀରା, ନୀଳା, ମୋତି ମାଣିକ୍ୟ ସାମ୍ରାଜ୍ୟ ନୁହେଁ–ପ୍ରଭୁ ରାଧାମାଧବଙ୍କ ଅପାର କରୁଣାର ମହାତ୍ମ୍ୟ ।

 

ଏଣେ ଭୋଜଦେବଙ୍କର ଭକ୍ତି ଏବଂ ନିଷ୍ଠା ମଧ୍ୟ ଦ୍ୱିଗୁଣିତ ହୋଇଉଠିଲା । ସେ ଅନ୍ତରେ ବାହାରେ ଅନୁଭବ କଲେ ସେହି ମାଧବ ରୂପୀ ଜଗନ୍ନାଥଙ୍କୁ ଏବଂ ଜଗନ୍ନାଥ ରୂପୀ ମାଧବଙ୍କୁ । କୁଟୀରର ରାଧାମାଧବଙ୍କୁ ଚାହିଁଲେ ତାଙ୍କୁ ଦିଶିଲେ ଜଗନ୍ନାଥ ଏବଂ ଅର୍ଦ୍ଧଆଶପୁର ମନ୍ଦିରରେ ପ୍ରବେଶ କରି ମନେକଲେ ସେ–ସତେଅବା ପାଦ ପକାଉଛନ୍ତି ଶ୍ରୀମନ୍ଦିର ମଧ୍ୟକୁ । ଅବଶ୍ୟ ଏପରି ଭାବାନ୍ତର ଯୋଗୁ ବେଳେବେଳେ ଲଜ୍ଜିତ ହେଉଥିଲେ ସେ ।

 

ଏମିତି ସମୟ ବିତିବାରେ ଲାଗିଲା । ଚନ୍ଦ୍ରକଳା ପରି ବଢ଼ିବାରେ ଲାଗିଲା ଆଦରର ସନ୍ତାନ ଜୟଦେବ । ଦରୋଟି ଭାଷାରେ କଥା କହିବାକୁ ଆରମ୍ଭ କଲା ସେ । ବିମୋହିତା ହେଲେ ରାମାଦେବୀ । ରାଧାମାଧବଙ୍କ ନିକଟରେ ସନ୍ଧ୍ୟା ଦୀପ ଦେଉଁ ଦେଉଁ ଶିଖାଇଲେ ସନ୍ତାନକୁ–ଦୀପଂ ଜ୍ୟୋତି ପରମବ୍ରହ୍ମ...ଦୀପଂ ଜ୍ୟୋତି ଜନାର୍ଦ୍ଦନ । ଜିଭ ଲେଉଟୁ ନଥିଲେ ମଧ୍ୟ କହିବାକୁ ଚେଷ୍ଟା କରୁଥିଲା ଶିଶୁ ଜୟଦେବ ଏବଂ ହାତ ଯୋଡ଼ି ପ୍ରଣତି ଜଣାଉଥିଲା ରାଧାମାଧବଙ୍କୁ ।

 

ଧୀରେ ଧୀରେ ଠୁକୁ ଠୁକୁ ଚାଲି ଚାଲି କେନ୍ଦୁବିଲ୍ୱ ଗ୍ରାମର ଦାଣ୍ଡକୁ ଆସିଲା ସେ । କିନ୍ତୁ ତାକୁ ଅନ୍ୟ ଶିଶୁମାନଙ୍କ ସହିତ ଧୂଳି ବାଲିରେ କ୍ରୀଡ଼ା କରିବାକୁ ଭଲ ଲାଗୁନଥିଲା । ଶୈଶବରୁ ଆକର୍ଷଣ କରୁଥିଲା ସେହି ପାଟଳୀ ପୁତ୍ରର ସୌନ୍ଦର୍ଯ୍ୟ, ତାଳ ତମାଳ ନାରୀକେଳ ବୃକ୍ଷର ଶୋଭା । ଅନ୍ୟ ଶିଶୁମାନଙ୍କର ମେଳ ଛାଡ଼ି ମାଧବୀଲତାର କୁଞ୍ଜକୁ ଅନାଇ ରହୁଥିଲା ସେ । ଆଶ୍ଚର୍ଯ୍ୟ ହେଉଥିଲେ ରାମାଦେବ ଶିଶୁପୁତ୍ରର ଏ ଅଦ୍ଭୁତ ମନୋଭାବ ଲକ୍ଷ୍ୟ କରି । ବେଳେବେଳେ କହୁଥିଲେ ଭୋଜଦେବଙ୍କୁ–‘‘ସ୍ୱାମୀ ! ଆମ ଜୟ କ’ଣ ସତରେ ସଂସାର କରିବ ନାହିଁ ?”

 

ହସୁଥିଲେ ଭୋଜଦେବ ପରି ତୃପ୍ତ ପିତୃତ୍ୱରେ । କହୁଥିଲେ ନୟନ ମୁଦ୍ରିତ କରି–ଦେଖିବ ରୁହ ରାମା ! ପଙ୍କ ଦେହରୁ ପଦ୍ମ ଜାତ ହେବା ପରି, ଅଖ୍ୟାତ କେନ୍ଦୁବିଲ୍ୱ ଗ୍ରାମରୁ ସମଗ୍ର ଉତ୍କଳକୁ ଉଦ୍‌ଭାସିତ କରିବ ଆମ ଜୟ ।

 

ବୁଝା ଅବୁଝା ମନରେ ଦୀର୍ଘ ନିଃଶ୍ୱାସ ପକାଇ ନୀରବ ହୋଇଯାଇଥିଲେ ରାମାଦେବୀ ।

ଏମିତି ପଞ୍ଚମ ବର୍ଷରେ ପଦାର୍ପଣ କଲେ ଜୟଦେବ । ଧୀରେ ଧୀରେ ପ୍ରଭୁ ରାଧାମାଧବଙ୍କ ପ୍ରତି ତାଙ୍କର ଅନୁରକ୍ତି ବୃଦ୍ଧି ପାଇବାରେ ଲାଗିଲା । ଏ ଭାବ ଲକ୍ଷ୍ୟ କରି ପ୍ରୀତ ହେଉଥିଲେ ଭୋଜଦେବ । ଦିନେ ପତ୍ନୀ ରାମାଦେବୀଙ୍କୁ କହିଲେ–“ରାମା ! ଜୟର ବିଦ୍ୟା ଶିକ୍ଷା ପାଇଁ ବୟସ ହୋଇଛି । ଏଣିକି ମୁଁ ତାକୁ ସଙ୍ଗରେ ଧରି ସକାଳୁ ଅର୍ଦ୍ଧଆଶପୁର ଯାତ୍ରା କରିବ । ସେଠାରେ ସେ ଅକ୍ଷର ଶିକ୍ଷା କରିବ, ବିଭିନ୍ନ ଶାସ୍ତ୍ରର ଆଲୋଚନା ଶୁଣିବ । ରାଧାମାଧବଙ୍କ ପ୍ରସାଦ ସେବନ କରିବ ଏବଂ ରାତ୍ରିରେ କୁଟୀରକୁ ପ୍ରତ୍ୟାବର୍ତ୍ତନ କରିବ ।

ପ୍ରଥମେ ଏପରି ପ୍ରସ୍ତାବରେ ରାଜି ହେବାପାଇଁ କୁଣ୍ଠିତା ହେଉଥିଲେ ରାମାଦେବୀ । କାରଣ ସେ ଶିଶୁପୁତ୍ରକୁ ଛାଡ଼ି ଏକୁଟିଆ ରହିବେ କିପରି ? କିନ୍ତୁ ରାମାଙ୍କ ମନୋଭାବ ବେଶ୍ ଅନୁମାନ କରିନେଲେ ଭୋଜଦେବ । କହିଲେ–“ପ୍ରଭୁ ରାଧାମାଧବ ରୂପୀ ଜଗନ୍ନାଥଙ୍କ ନିର୍ଦ୍ଦେଶ କଥା ମନରେ ପକାଅ ରାମା ! ସେ ଆଦେଶ ଦେଇଛନ୍ତି–ତୁମେ ପୂତ୍ରକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବ–ବିଭିନ୍ନ ଶାସ୍ତ୍ରରେ ପାରଦର୍ଶୀ କରିବ । ମୁଁ ସେ ଆଦେଶକୁ ଅନ୍ୟଥା କରିବି କିପରି ?”

ପ୍ରଭୁ ରାଧାମାଧବଙ୍କ ସ୍ଵପ୍ନାଦେଶ କଥା ମନରେ ପକାଇ ବିଚଳିତା ହୋଇପଡ଼ିଲେ । ରାମାଦେବୀ–“କହିଲେ ନାଁ ସ୍ୱାମୀ ! ମୁଁ ଆପଣଙ୍କ ପ୍ରସ୍ତାବର ବିରୋଧ କରୁନାହିଁ । କେବଳ ଅପତ୍ୟ ସ୍ନେହ ସାମାନ୍ୟ ଦୁଃଖ ଜାତ କରୁଛି ମନ ଭିତରେ ।”

ହସି ହସି କହିଲେ ଭୋଜଦେବ–“ଆଉ କେତେଦିନ ଜୟ ତୁମ କୋଳରେ ପଶିରହିବ ରାମା ! ସେ ତ ପୁଣି ବିଦ୍ୟା ଶିକ୍ଷା କରିବ, ସଂସାରକୁ ଜାଣିବା ପାଇଁ ଚେଷ୍ଟା କରିବ । ମଣିଷ ପରି ମଣିଷ ହେବାକୁ ତୁମ କୋଳରୁ ଦୂରେଇ ରହିବ ?

କାନ୍ଦିଉଠିଲେ ରାମାଦେବୀ, କହିଲେ–“ମୋତେ କ୍ଷମା କରନ୍ତୁ ସ୍ୱାମୀ ! ମାତୃ ହୃଦୟର ସ୍ନେହ ମୋତେ ଅନ୍ଧ କରିପକାଇଛି । ସେଇଥିପାଇଁ ମନରେ ଭାବାନ୍ତର । କିନ୍ତୁ ସାମାନ୍ୟ କିଛିଦିନ ଅତିବାହିତ ହେବା ପରେ ସବୁ ଅଭ୍ୟାସରେ ପରିଣତ ହୋଇଯିବ । ଆଉ ଦୁଃଖ ହେବ ନାହିଁ । ଆପଣ ଆସନ୍ତାକାଲିଠାରୁ ତାକୁ ସଙ୍ଗରେ ଘେନିଯାଆନ୍ତୁ ।”

ତାହା ହିଁ ହେଲା । ପରଦିନଠାରୁ ଜୟଦେବ ପିତାଙ୍କ ସଙ୍ଗରେ ଯାତ୍ରାକଲେ ଅର୍ଦ୍ଧଆଶପୁର । ସେଠାରେ ପ୍ରଭୁ ରାଧାମାଧବଙ୍କ ସେବା ପୂଜା ଦେଖିଲେ, ସକ୍ରୀୟ ଅଂଶ ଗ୍ରହଣ କଲେ ଏବଂ ଅକ୍ଷର ଶିକ୍ଷା କଲେ ସେହି ବଟ ବୃକ୍ଷମୂଳର ଚଉତରା ଉପରେ । ଅଳ୍ପ ଦିନ ମଧ୍ୟରେ ସେ ଅକ୍ଷର ଶିକ୍ଷା ଶେଷକରି ସଂସ୍କୃତ ଅଧ୍ୟୟନରେ ମନଦେଲେ ।

ପୁତ୍ରର ବିଦ୍ୟା ଶିକ୍ଷା ପ୍ରତି ଆଗ୍ରହ ଏବଂ ବିଚକ୍ଷଣ ମେଧାଶକ୍ତି ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଭୋଜଦେବ । ସାମାନ୍ୟ କେତେଦିନ ମଧ୍ୟରେ ସଂସ୍କୃତ ଶବ୍ଦ କୋଷ, ବ୍ୟାକରଣ ଗ୍ରନ୍ଥ, ଅଳଙ୍କାର ଗ୍ରନ୍ଥ ଗୁଡ଼ିକରେ ସେ ଅର୍ଜନ କଲେ ଅଗାଧ ପାଣ୍ଡିତ୍ୟ । ଶିକ୍ଷାରତ ଅନ୍ୟାନ୍ୟ ଛାତ୍ରମାନଙ୍କ ମଧ୍ୟରେ ସେ ହେଲେ ଅଗ୍ରଗାମୀ ।

 

ପୁତ୍ରର ଆଶୁ ଆହରଣ ଶକ୍ତି ଏବଂ ଭାବବୋଧରେ ମୁଗ୍‌ଧ ହେଲେ ଭୋଜଦେବ । ତା’ପରେ ଅଧ୍ୟୟନ କରାଇଲେ ବେଦ, ଉପନିଷଦ, ଆରଣ୍ୟକ, ବ୍ରାହ୍ମଣ, ଗୀତ, ରାମାୟଣ, ମହାଭାରତ ଏବଂ ଭରତଙ୍କ ନାଟ୍ୟଶାସ୍ତ୍ର ଓ ମାଧୁର୍ଯ୍ୟ ଭକ୍ତି ଆଶ୍ରିତ ଭାଗବତ ଗ୍ରନ୍ଥସମୂହ । ସେସବୁ ଗ୍ରନ୍ଥ ଅଧ୍ୟୟନ କରି ବେଳେବେଳେ ଅଦ୍ଭୁତ ପ୍ରଶ୍ନ କଲେ ଜୟଦେବ–‘‘ପିତା ! ମହାଭାରତର ଐଶ୍ୱର୍ଯ୍ୟ ଭକ୍ତିର ଶ୍ରୀକୃଷ୍ଣ ଅପେକ୍ଷା ଭଗବତରେ ମାଧୁର୍ଯ୍ୟ ଭକ୍ତିର ଆଧାର ଗୋପୀବଲ୍ଲଭ ମାଧବ ମୋତେ ଅଧିକ ଆକର୍ଷଣ କରୁଛନ୍ତି କାହିଁକି ?”

 

ପ୍ରଶ୍ନ ଶୁଣି ଆଚମ୍ବିତ ହୁଅନ୍ତି ଭୋଜଦେବ । ଶିଶୁ ପୁତ୍ର ଜୟଦେବ ରାମାୟଣ ମହାଭାରତ ଏବଂ ଭାଗବତ ଇତ୍ୟାଦି ଗ୍ରନ୍ଥର କେବଳ କାହାଣୀ ଶୁଣି ନାହଁ, ଅନ୍ତର୍ନିହିତ ଦର୍ଶନର ପର୍ଯ୍ୟାଲୋଚନା କରୁଛି । ତେଣୁ ସାନ୍ତ୍ୱନା ଦେଇକହନ୍ତି ସେ–“ତୁ ସବୁ ନିଜେ ନିଜେ ବୁଝିପାରିବୁ ଜୟ-। ଗୀତାରେ ଅର୍ଜ୍ଜୁନଙ୍କ ବିଷାଦ ଯୋଗ, ସାଂଖ୍ୟ ଯୋଗ, କର୍ମଯୋଗ, କର୍ମ–ଜ୍ଞାନ ଯୋଗ, କର୍ମ ସନ୍ନ୍ୟାସ ଯୋଗ, ଧ୍ୟାନ ଯୋଗ, ଜ୍ଞାନ–ବିଜ୍ଞାନ ଯୋଗ, ଅକ୍ଷର ବ୍ରହ୍ମଯୋଗ, ରାଜବିଦ୍ୟା ଯୋଗ, ବିଭୂତି ଯୋଗ, ବିଶ୍ୱରୂପ ଦର୍ଶନ ଯୋଗ, ଭକ୍ତି ଯୋଗ, କ୍ଷେତ୍ର–କ୍ଷେତ୍ରଜ୍ଞ ବିଭାଗ ଯୋଗ, ଗୁଣତ୍ରୟ ବିଭାଗ ଯୋଗ, ପୁରୁଷୋତ୍ତମ ଯୋଗ, ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ଓ ମୋକ୍ଷ ଯୋଗରେ ଯେଉଁ ଜୀବନ ଦର୍ଶନ ଭଗବାନ ଶ୍ରୀକୃଷ୍ଣଙ୍କୁ ସୃଷ୍ଟି ସ୍ଥିତି ଲୟର କାରଣ ରୂପେ ପ୍ରତିପାଦିତ କରିଛି–ତାହା ପ୍ରେମ ଭକ୍ତିର ଉତ୍ସ ହୋଇ ଅନ୍ତରକୁ ପ୍ଳାବିତ କରିଛି ଭାଗବତ ଗ୍ରନ୍ଥରେ । ଭାଗବତ ଗ୍ରନ୍ଥରେ ଜ୍ଞାନ ପରିବର୍ତ୍ତେ କଥିତ ହୃଦୟର କାହାଣୀ ।”

 

ପିତାଙ୍କ ଉତ୍ତର ଶ୍ରବଣ କରି ଆନନ୍ଦିତ ହୋଇଛନ୍ତି ଜୟଦେବ । ଅନ୍ତରରେ ସ୍ଥାପନ କରିଛନ୍ତି ସେହି ଗୋପୀବଲ୍ଲଭ ମାଧବରୂପୀ ଜଗନ୍ନାଥଙ୍କୁ ।

 

ଆହୁରି ଉତ୍ସାହିତ ହୋଇ ଉତ୍ତରୋତ୍ତର ଶିକ୍ଷା ଦେବାକୁ ଯତ୍ନ କରିଛନ୍ତି ଭୋଜଦେବ । ଦିନକୁ ଦିନ ନୂତନ ନୂତନ ଗ୍ରନ୍ଥ ପାଠ କରିଛନ୍ତି–ସେହି ବ୍ରହ୍ମ ରୂପୀ ନାରାୟଣଙ୍କର ଅନୁସନ୍ଧାନ କରିବାକୁ ଚେଷ୍ଟା କରିଛନ୍ତି ଜୟଦେବ ।

 

ପ୍ରଭାତରୁ ପ୍ରାଚୀ ନଦୀରେ ସ୍ନାନ ଶେଷକରି କୁଟୀରର ରାଧାମାଧବଙ୍କ ସେବା ପରେ ଅର୍ଦ୍ଧଆଶପୁର ଯାତ୍ରା କରନ୍ତି ସେ । ପିତା ମନ୍ଦିରରେ ରାଧାମାଧବଙ୍କ ସେବା ପୂଜା କରୁଥିବା ସମୟରେ ବସିରହିଛନ୍ତି ହାତ ଯୋଡ଼ି ନୟନ ମୁଦ୍ରିତ କରି । ହୃଦୟ କମଳରେ ସ୍ଥାନ ଦିଅନ୍ତି ସେହି ଯୁଗଳ ମୂର୍ତ୍ତିଙ୍କୁ । ତା’ପରେ…, ଅଧ୍ୟୟନ କରିବା ପାଇଁ ଆସନ୍ତି ବଟ ବୃକ୍ଷମୂଳର ଚଉତରା ଉପରକୁ-। ଅଧ୍ୟୟନ ଶେଷ ହୁଏ । ଶିକ୍ଷାଲାଭ କରୁଥିବା ଛାତ୍ରମାନେ ବାହୁଡ଼ି ଯାଆନ୍ତି ନିଜ ନିଜ ଗୃହକୁ-। ପିତା ଭୋଜଦେବ ମଧ୍ୟ ବିଶ୍ରାମ ଗ୍ରହଣ କରନ୍ତି ମନ୍ଦିର ମଧ୍ୟରେ । କିନ୍ତୁ କିଶୋର ଜୟଦେବ–ବସିରହନ୍ତି ବଟ ବୃକ୍ଷମୂଳର ଚଉତରା ଉପରେ ଧ୍ୟାନରତ ସନ୍ନ୍ୟାସୀ ଭଳି । ଦର୍ଶନ କରନ୍ତୁ ପ୍ରାଚୀ ନଦୀ ତଟର ବୃକ୍ଷରାଜିର ଶୋଭା, ମନେକରନ୍ତି ସେ–ସତେଅବା ନୀଳ ଶ୍ୟାମଳ କାନ୍ତିର ପ୍ରକୃତି ପୁରୁଷ ଶକ୍ତି ରୂପା ପ୍ରାଚୀ ନଦୀକୁ କୋଳାଗ୍ରତ କର ଶୋଭାବନ୍ତ କରିଛି ସମଗ୍ର ଅଞ୍ଚଳଟିକୁ-। ଭାବାତୀତ ଆବେଗରେ ବିଦଗ୍‌ଧ ହୋଇଉଠନ୍ତି ସେ–କବିତ୍ୱର ସ୍ରୋତସ୍ୱିନୀ ମନ୍ଦାକିନୀ ପ୍ରବାହିତା ହେବାକୁ ଆରମ୍ଭ କରେ ତାଙ୍କ କଣ୍ଠରୁ, ଗାନ କରନ୍ତି ସେ ସୁଲଳିତ କଣ୍ଠର ଅପୂର୍ବ ଲହରରେ–

 

‘‘ଦୁଇ ତନୁ ସମଯୋଗ ସମୟେ ସୁଖଭୋଗ

ପୟୋଦର ମନ୍ଦିର କି ହୋଇଛି ମେଳି

ହେମରେ କଳଙ୍କ ଲଗ୍ନ ଯେସନେ ହୋୟେ ନିମଗ୍ନ

ତେସନ ରୂପେ ରାଧାମାଧବ ତେଳି

ବଢ଼ି ଲୋକ ସୁରତି ରସ

ଚଳିଲେ ମାନନୀ ତା’ କର ୟେ ନିଜ ଦୋଷ ।

ଗୋ କଷ୍ଟେ ରହିଲେ ହରି ଗୋଧେନୁ ପଲ ଆବୋରି

ଭଣେ ଜୟଦେବ କବି ସେ ପାଦେ ସିର ।”

 

ଏ ସୁଲଳିତ କଣ୍ଠର ଆବେଗଭରା ମାଧୁରୀରେ ଆକର୍ଷିତ ହୋଇଆସନ୍ତି ଭକ୍ତ ଜନ । ଚଉତରାର ଚତୁଃପାର୍ଶ୍ୱରେ ବେଢ଼ି ଶ୍ରବଣ କରନ୍ତି ଭକ୍ତିରସାପ୍ଲୁତ ସଙ୍ଗୀତ । ଧନ୍ୟ ଧନ୍ୟ କରନ୍ତି ଜୟଦେବଙ୍କୁ ।

 

ବେଳେବେଳେ ପିତା ଭୋଜଦେବ ମଧ୍ୟ ବିଭୋର ହୋଇଉଠନ୍ତି ପୁତ୍ରର ସଙ୍ଗୀତ ଲହରରେ । ବିଶ୍ରାମ ନେଉ ନେଉ ଉଠିବସନ୍ତି ସେ ସଙ୍ଗୀତ ଶ୍ରବଣ କରିବା ପାଇଁ । ଆଶୀର୍ବାଦ କରନ୍ତି ମନେ ମନେ । ପରମୁହୂର୍ତ୍ତରେ ଭାବାନ୍ତର ଜାତ ହୁଏ ତାଙ୍କ ଅନ୍ତରରେ–ତେବେ କ’ଣ ସତରେ ମୋର ଜୟ ସାଂସାରିକ ସୁଖକୁ ଜଳାଞ୍ଜଳି ଦେଇ ଦୈବୀ ଶକ୍ତିର ଅନୁସନ୍ଧାନ ପାଇଁ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିବ ? କେନ୍ଦୁବିଲ୍ୱ ଗ୍ରାମ ଏବଂ ଏ ରାଧାମାଧବଙ୍କ ମନ୍ଦିର ତାକୁ ବାନ୍ଧି ରଖିପାରିବ ନାହିଁ ?

 

ଏପରି ଭାବାନ୍ତର ଯୋଗୁ ନିଜକୁ ନିଜେ ଲଜ୍ଜିତ ହୁଅନ୍ତି ସେ । ନାଁ...ନାଁ...ମୁଁ ଏ କ’ଣ ଚିନ୍ତା କରୁଛି ? ଜୟ ଯେ ପ୍ରଭୁ ଜଗନ୍ନାଥଙ୍କ ପ୍ରେରିତ ସନ୍ତାନ । ସେ ଯେଉଁ ପଥ ଦେଖାଇବେ–ସେହି ପଥର ପଥିକ ହେବ ଜୟ । ସେଥିରେ ମୋ ମନରେ ଅନୁଶୋଚନା କାହିଁକ ? ପିତା ଭାବରେ ବରଂ ମୋର ଆନନ୍ଦିତ ହେବାର କଥା । ଉତ୍ସାହ ଉଦ୍ଦୀପନା, ପ୍ରେରଣା ଯୋଗାଇବାର କଥା–ନୈସର୍ଗିକ ଏବଂ ଦିବ୍ୟାଲୋକର ଅନୁସନ୍ଧାନ ପାଇଁ ।

 

ବଟ ବୃକ୍ଷମୂଳର ଚଉତରା ଉପରୁ ପ୍ରତ୍ୟାବର୍ତ୍ତନ କରନ୍ତି ଜୟଦେବ ଏବଂ ଭାବାବିଷ୍ଟ ପିତାଙ୍କୁ ଦେଖି ପ୍ରଶ୍ନ କରନ୍ତ–‘‘ପିତା ! କେଉଁ ଚିନ୍ତାରେ ଅଧୀର ଆପଣ ?”

 

ଜୟଦେବଙ୍କ ପ୍ରଶ୍ନରେ ସଚେତ ହୋଇଉଠନ୍ତି ଭୋଜଦେବ । ତାଙ୍କ ମସ୍ତକରେ ହସ୍ତ ସଞ୍ଚାଳନ କରି କହନ୍ତି–ନାଇଁ ବାବା ! ତୋର ଭକ୍ତି, ପ୍ରେମାଶ୍ରିତ ସଙ୍ଗୀତ ମୋର ବାହ୍ୟଜ୍ଞାନ ହରଣ କରି ଏକ ଦିବ୍ୟରାଜ୍ୟକୁ ଘେନିଯାଇଥିଲା । ଅନ୍ତରର ନିଭୃତ ପ୍ରଦେଶରେ ମୁଁ ଅନୁଭବ କରୁଥିଲି ସେହି ପ୍ରଭୁ ରାଧାମାଧବଙ୍କୁ, ତାଙ୍କ ଯମୁନା କୂଳର କେଳିକୁଞ୍ଜକୁ । ଏ ସଙ୍ଗୀତ ପ୍ରମାଦପୁର୍ଣ୍ଣ ହୋଇପାରେ ନାହିଁ ବାବା !”

 

ପିତା ଭୋଜଦେବଙ୍କର ସନ୍ତୋଷରେ ଆନନ୍ଦିତ ହୁଅନ୍ତି ଜୟଦେବ । ଏମିତି ଗଡ଼ି ଚାଲେ ସମୟ ସ୍ରୋତ । କିଶୋର ଜୟଦେବ ଯୌବନରେ ପଦାର୍ପଣ କରନ୍ତି । ବେଳେବେଳେ ନିଜ କୁଟୀରର ରାଧାମାଧବଙ୍କ ପୂଜା କରୁ କରୁ କହନ୍ତି–‘‘ପିତା ! ଆପଣ ଆଜି ଗୃହରେ ବିଶ୍ରାମ ଗ୍ରହଣ କରନ୍ତୁ । ମୁଁ ଅର୍ଦ୍ଧଆଶପୁରରେ ଠାକୁରଙ୍କ ନୀତି ଶେଷକରି ରାତ୍ରିରେ ପ୍ରତ୍ୟାବର୍ତ୍ତନ କରିବି ।”

 

ପୁତ୍ର ଉପରେ ଅଗାଧ ବିଶ୍ଵାସ ରଖି ସମ୍ମତ ହୁଅନ୍ତି ଭୋଜଦେବ । କୁଟୀରରେ ରାଧାମାଧବଙ୍କ ସେବା ଶେଷରେ ଜୟଦେବ ଯାତ୍ରା କରନ୍ତି ଅର୍ଦ୍ଧଆଶପୁର ।

 

ସେଠାରେ ଠାକୁରଙ୍କ ପୂଜା ଶେଷକରି ବସିରହନ୍ତି ସେହି ବଟ ବୃକ୍ଷମୂଳରେ । ଲେଖନୀ ଧରି ଲେଖନ୍ତି ତାଳପତ୍ର ପୋଥିରେ ଏବଂ ଗାନ କରନ୍ତି ରାଧାମାଧବଙ୍କ ଗୁଣକୀର୍ତ୍ତନ ସମ୍ବଳିତ ଲିଖିତ ସଙ୍ଗୀତ ।

 

ଆଗନ୍ତୁକ ଯାତ୍ରୀମାନେ ପ୍ରଚାର କରନ୍ତି–‘‘ଜୟଦେବଙ୍କ ଶ୍ରବଣ ପାଇଁ ନର ଦେହ ଧାରଣ କରି ଅପେକ୍ଷା କରିଛନ୍ତି ପ୍ରଭୁ ରାଧାମାଧବ ।” ଏ ପ୍ରଶ୍ନର ଶ୍ରବଣ କରି ଅବିଶ୍ୱାସ କରନ୍ତି ନାହଁ ଭୋଜଦେବ । କାରଣ ଜୟଦେବଙ୍କ ସଙ୍ଗୀତ ଶ୍ରବଣ ପାଇଁ ଆଖପାଖର ଚିହ୍ନା ଅଚିହ୍ନା ଲୋକେ ରୁଣ୍ଡ ହୁଅନ୍ତି ଚଉତରାର ଚତୁର୍ଦ୍ଦିଗରେ । କିଏ କହିବ–ତାଙ୍କ ମଧ୍ୟରେ ନିଜେ ରାଧାମାଧବ ନରଦେହ ଧାରଣ କରି ଲୁଚି ଲୁଚି ସଙ୍ଗୀତ ଶ୍ରବଣ କରୁନଥିବେ ବୋଲି ? ସେ ଭକ୍ତର ଭଗବାନ, ପ୍ରେମର ଆଧାର । ଯେଉଁଠି ଭକ୍ତି ଏବଂ ପ୍ରେମ ସମ୍ମିଶ୍ରିତ ହୋଇ ମନ୍ଦାକିନୀ ଧାରା ଛୁଟାଇଛି ସେଠାରେ ତାଙ୍କ ଉପସ୍ଥିତି ବିଚିତ୍ର ନୁହେଁ ।

 

କିନ୍ତୁ ଏସବୁ ପ୍ରଚାରରେ ବିଚଳିତ ହୁଅନ୍ତି ନାହିଁ ଜୟଦେବ ! କର୍ତ୍ତବ୍ୟନିଷ୍ଠ ସେବକ ଭାବରେ ସେ ନିତି ନିତି କରିଚାଲନ୍ତି ନିଜର କାର୍ଯ୍ୟ । ଏମିତି ଚାଲିଥାଏ ତାଙ୍କ ଜୀବନ ।

 

ସେଦିନ ମାର୍ଗଶୀର ମାସ ସୋମବାର । ପ୍ରସାଦ ସେବନ ପରେ କୁଟୀରରେ ବିଶ୍ରାମ ନେବାକୁ ଉଦ୍ୟତ ହେଉଥିଲେ ଭୋଜଦେବ । ପଦସେବା କରୁଥିଲେ ବୃଦ୍ଧା ରାମାଦେବୀ ଏବଂ ଦୀପଶିଖା ସମ୍ମୁଖରେ ବସି ତାଳପତ୍ରର ପୋଥି ଖେଳାଉଥିଲେ ଜୟଦେବ । ଏପରି ସମୟରେ ଧୀର ଗଳାରେ ଭୋଜଦେବ କହିଲେ–‘‘ଜୟ ! ତୋର ବିଦ୍ୟା ଶିକ୍ଷା ସମ୍ପୂର୍ଣ୍ଣ ହୋଇଛି । ଠାକୁରଙ୍କ ସେବା ପୂଜା କରିବାର ବିଧିବିଧାନ ତୁ ଶିକ୍ଷା କରିସାରିଛୁ । ତୋର ଭକ୍ତିରେ ମଧ୍ୟ ମୁଁ ସନ୍ତୁଷ୍ଟ ।”

 

–‘‘ମୋତେ ପ୍ରଶଂସା କରନ୍ତୁ ନାହିଁ ପିତା ! ମୋର ଶିକ୍ଷା ତଥାପି ଅସମ୍ପୂର୍ଣ୍ଣ । ମୋର ଭକ୍ତି ଆସକ୍ତି ପୂର୍ଣ୍ଣ ।”

 

–‘‘ମୁଁ ତୋତେ ପ୍ରଶଂସା କରୁନାହଁ ଜୟ ! ଆର୍ଶୀବାଦ କରୁଛି, ତା’ ସହିତ ଗୋଟିଏ ଛୋଟ ଅନୁରୋଧ ଜଣାଉଛି ।”

 

–“ଅନୁରୋଧ ନୁହେଁ…ଆଦେଶ କରନ୍ତୁ ପିତା ।”

 

–“ଆଦେଶ ଦ୍ୱାରା ଭକ୍ତିର ସଞ୍ଚାର ହୁଏ ନାହିଁ ଜୟ ! ଅନୁରକ୍ତିରେ ହିଁ ଭକ୍ତି ।”

 

–‘‘ମନୋଭାବ ପ୍ରକାଶ କରନ୍ତୁ ପିତା !”

 

–“ମୋର ବୟସ ହୋଇଛି । ଭାରତରେ ବିଭିନ୍ନ ତୀର୍ଥ ପର୍ଯ୍ୟଟନ କରି ଧର୍ମ ଅର୍ଜନ କରିବାପାଇଁ ମନରେ ପ୍ରବଳ ଆଗ୍ରହ । କିନ୍ତୁ ପ୍ରଭୁ ରାଧାମାଧବଙ୍କୁ ଛାଡ଼ି ମୁଁ ଯିବି କିପରି ଜୟ ? ସେମାନେ ଯେ ମୋର ଶିଶୁ ସନ୍ତାନଙ୍କଠାରୁ ଆହୁରି ନିଜର ।”

 

ସାମାନ୍ୟ ସମୟ ନୀରବ ହୋଇଗଲେ ଜୟଦେବ । କହିଲେ–“ଆପଣ ଚିନ୍ତା କରନ୍ତୁ ନାହିଁ ପିତା ! ମୁଁ ପ୍ରଭୁ ରାଧାମାଧବଙ୍କର ସେବା ପୂଜା କରିବି । ମାତାଙ୍କର ସେବା କରିବି । ଆପଣ ଚିନ୍ତା ନ କରି ତୀର୍ଥ ପର୍ଯ୍ୟଟନରେ ବାହାରି ଯାଆନ୍ତୁ ।”

 

ହସିଲେ । ଭୋଜଦେବ ପରିତୃପ୍ତିର ଆନନ୍ଦରେ । କହିଲେ–“ମୁଁ ଜାଣେ ଜୟ ! ତୁ ମୋ’ଠାରୁ ଅଧିକ ସବୁ କାମ ତୁଲାଇ ପାରିବୁ । ପ୍ରଭୁ ରାଧାମାଧବଙ୍କୁ ସନ୍ତୁଷ୍ଟ କରି ପାରିବୁ । ସେହି ବିଶ୍ଵାସ ରଖି ମୁଁ ମୋର ମନୋଭାବ ପ୍ରକାଶ କରିଥିଲେ । ଏବେ ମୁଁ ମୁକ୍ତ ଜୟ ! ଏଇ ମାର୍ଗଶୀର ମାସ ଦ୍ୱିତୀୟା ତିଥିରେ ମୁଁ ମୋର ଯାତ୍ରା ଆରମ୍ଭ କରିବି । ତେଣୁ ଆସନ୍ତାକାଲିଠାରୁ କୁଟୀର ଏବଂ ଅର୍ଦ୍ଧଆଶପୁରର ରାଧାମାଧବଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ତୋ’ ଉପରେ ।”

 

ମୁଣ୍ଡ ନୁଆଇଁ ସମର୍ଥନ କଲେ ଜୟଦେବ । ସଜଳ ନୟନରେ ଚାହିଁଥିଲେ ରାମାଦେବୀ ପୁତ୍ର ଜୟଦେବଙ୍କୁ ।

 

ଠିକ୍ ମାର୍ଗଶୀର ମାସ ‘ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ତୀର୍ଥ ପର୍ଯ୍ୟଟନ ପାଇଁ ବାହାରିପଡ଼ିଲେ ବୃଦ୍ଧ ଭୋଜଦେବ । ସଙ୍ଗରେ ଧରିଲେ ଗୋଟିଏ ଭିକ୍ଷାପାତ୍ର ଏବଂ କେତେଖଣ୍ଡ ବସ୍ତ୍ର । ଅଶ୍ରୁପୂର୍ଣ୍ଣ ନୟନରେ ପଦଧୂଳି ନେଲେ ପତ୍ନୀ ରାମାଦେବୀ ଏବଂ ପୁତ୍ର ଜୟଦେବ । ଗ୍ରାମର ପ୍ରଭୁ ନୃସିଂହ ଓ ମାଆ ଅମ୍ବାଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ପ୍ରଣତି ଜଣାଇ ଭୋଜଦେବ କହିଲେ–ରାମା ! ତୁମେ ଦୁଃଖ କର ନାହିଁ । ତୁମ ନୟନରୁ ଅଶ୍ରୁ ଝରିଲେ ମୋ ତୀର୍ଥଯାତ୍ରା ଅକାରଣ ହୋଇଯିବ । ଆନନ୍ଦିତ ମନରେ ତୁମେ ମୋତେ ବିଦାୟ ଦିଅ ।

 

–‘‘ଏ ଦୀର୍ଘ ତୀର୍ଥ ଯାତ୍ରା ପାଇଁ କ’ଣ କିଛି ପାଥେୟ ନେବେ ନାହିଁ ସ୍ୱାମୀ ?” ପ୍ରଶ୍ନ କଲେ ରାମାଦେବୀ !

 

ହସି ହସି ଭୋଜଦେବ ଉତ୍ତର ଦେଲେ–“ନାହିଁ ରାମା ! ମୋର ପାଥେୟର ଆବଶ୍ୟକ ନାହିଁ । ଭିକ୍ଷା କରି କରି ମୁଁ ମୋର ପାଥେୟ ସଂଗ୍ରହ କରିବି । ଏ ପ୍ରାଚୀ କ୍ଷେତ୍ରରୁ ଯାତ୍ରା ଆରମ୍ଭ କରି ପହଞ୍ଚିବି ଦେବୀ ବିରୋଜା କ୍ଷେତ୍ରରେ । ସେଠାରେ ଦଶାଶ୍ୱମେଧ ଘାଟରେ ସ୍ନାନ କରି ଆଗେଇବି ରେମୁଣାର କ୍ଷୀର ଚୋର ଗୋପୀନାଥ ଧାମକୁ । ସେଠାରୁ ସିଧା ଚାଲିବି ତ୍ରିବେଣୀ ସଙ୍ଗମ ଅଭିମୁଖେ । ଏଠାରେ ପିତୃ ତର୍ପଣ ଶେଷକରି ଚାଲିବି ବଦ୍ରିନାଥ । ବଦ୍ରିନାଥରେ କିଛିଦିନ ଅବସ୍ଥାନ କରି ଆସିବି ସୋମନାଥଙ୍କ ଦର୍ଶନ ପାଇଁ । ସେଠାରୁ ଯାତ୍ରା କରିବି କାଶୀ ବିଶ୍ୱନାଥ । ଏଠାରେ କିଛିଦିନ ଅବସ୍ଥାନ କରିବା ପରେ ପ୍ରତ୍ୟାବର୍ତ୍ତନ କରିବି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ । ତା’ପରେ ଫେରିବି କେନ୍ଦୁବିଲ୍ୱ ।”

 

Unknown

ପିତାଙ୍କ ତୀର୍ଥଯାତ୍ରାର ବିବରଣୀ ଶୁଣି ଆମୋଦିତ ହେଉଥିଲେ ଜୟଦେବ । ଭାବୁଥିଲେ ସେ–ସତେଅବା ପିତାଙ୍କର ତୀର୍ଥଯାତ୍ରା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଧାଇଁଯିବେ ସେ ପୁରୁଷୋତ୍ତମ କ୍ଷେତ୍ର । କିନ୍ତୁ ପର ମୁହୂର୍ତ୍ତରେ ପିତାଙ୍କ ଅନୁରୋଧ ଓ ନିର୍ଦ୍ଦେଶ ସଂଯତ କରୁଥିଲା ତାଙ୍କ ଭାବନାର ଅଶ୍ଵମାନଙ୍କୁ । ପ୍ରକୃତିସ୍ଥ ହେଉଥିଲେ ସେ ।

 

ଗୋଡ଼ କାଢ଼ିଲେ ଭୋଜଦେବ । ଅନାଇ ରହିଥିଲେ ରାମାଦେବୀ ଏବଂ ଜୟଦେବ ସେ ଦୃଷ୍ଟି ପଥରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ । କାହାର ମୁହଁରେ ଭାଷା ନଥିଲା । ନୟନରେ ଲୋତକ ନଥିଲା–ସତେଅବା ସ୍ଥାଣୁ ପାଲଟି ଯାଇଥିଲେ ସେମାନେ ।

 

ଏତିକିବେଳେ ଜୟଦେବଙ୍କ ଧ୍ୟାନ ଭଙ୍ଗ କରି କହିଉଠିଲେ ରାମାଦେବୀ–“ଜୟ ! ଆଜି ପିତାଙ୍କୁ ବିଦାୟ ଦେଉଁ ଦେଉଁ ଅନେକ ଡେରି ହୋଇଯାଇଛି । ତୋତେ ଶୀଘ୍ର କୁଟୀରର ରାଧାମାଧବଙ୍କ ପୂଜା ଶେଷ କରି ଅର୍ଦ୍ଧଆଶପୁର ଯାତ୍ରା କରିବାକୁ ହେବ । ଆଉ ଡେରି ନ କରି ଶୀଘ୍ର କାର୍ଯ୍ୟ ଶେଷକର ବାବା । ବର୍ତ୍ତମାନ ତୋ’ ମୁଣ୍ଡରେ ସବୁ ଦାୟିତ୍ୱ ।”

 

ସାମାନ୍ୟ ଲଜ୍ଜିତ ହୋଇ ସଚେତନ ହୋଇଉଠିଲେ ଜୟଦେବ । କହିଲେ–‘‘ହଁ ମାଆ ! ଆପଣ ନିଶ୍ଚିନ୍ତ ରହନ୍ତୁ । ମୁଁ ସବୁ କାମ ତୁଲାଇନେବି ।”

 

ପୁତ୍ରର ଉତ୍ତର ଶୁଣି ନୀରବରେ କୁଟୀର ମଧ୍ୟକୁ ଯାଇ ରାଧାମାଧବଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇଲେ ରାମାଦେବୀ, ସ୍ଵାମୀଦେବତାଙ୍କ ମଙ୍ଗଳକାମନା କରି ଏବଂ ଜୟଦେବ କୁଟୀରର ରାଧାମାଧବଙ୍କ ସେବା ଶେଷକରି ଯାତ୍ରା କଲେ ଅର୍ଦ୍ଧଆଶପୁର ।

 

ମନ୍ଦିରର ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟରେ ସକାଳର ଧୂପ ଦେଉ ଦେଉ ଚମକି ଉଠିଲେ ଜୟଦେବ । ଏ କ’ଣ ? ମାଧବଙ୍କ ମୂର୍ତ୍ତି ସ୍ଥାନରେ ସେ ସ୍ୱୟଂ ଜଗନ୍ନାଥ ! ପ୍ରୀତି ସ୍ଵରୂପା ରାଧାଦେବୀଙ୍କ ଆସ୍ଥାନରେ ବିରାଜିତା ମାଆ ସୁଭଦ୍ରା । ଆଖି ପୋଛି ପୁଣି ଚାହିଁଲେ ଜୟଦେବ । କିନ୍ତୁ ଅପରବର୍ତ୍ତିତ ସେ ସ୍ଵରୂପ–ଜଗନ୍ନାଥ ଏବଂ ସୁଭଦ୍ରା । ଦକ୍ଷିଣ ଭାଗକୁ ଅସ୍ପଷ୍ଟ ହୋଇ ମନ୍ଦିରର କାନ୍ଥରେ ବିରାଜିତ ଅନନ୍ତ ରୂପୀ ବଳଭଦ୍ର । ଛଳ ଛଳ ହୋଇଉଠିଲା ଜୟଦେବଙ୍କ ନୟନ ଯୁଗଳ । ବିଗ୍ରହଙ୍କ ନିକଟକୁ ଆଗେଇଗଲେ ସେ । ସତେଅବା ଏକାତ୍ମ ହୋଇ ମିଶିଯିବେ ସେ ବିଗ୍ରହମାନଙ୍କ ଦେହରେ ।

 

ସହାସ୍ୟ ବଦନରେ କହୁଥିଲେ ବିଗ୍ରହମାନେ–“ତୁମେ କାହାକୁ ଖୋଜୁଛ ଜୟଦେବ ? ଆମେ ସେହି ବ୍ରହ୍ମା ବିଷ୍ଣୁ, ମହେଶ୍ୱର, ସତ୍ୟ ଶିବ ସୁନ୍ଦର, ଅ ଉ ମ, ଆଦି ଅନାଦି ଅଣାକାର, ସାକାର ନିରାକାର ପରମବ୍ରହ୍ମ, ସତ୍ତ୍ୱ ରଜ ତମ, ଜୀବ ପରମ ବ୍ରହ୍ମ, ରାଧାମାଧବ ମହାଶୂନ୍ୟ ପୁଣି ଜଗନ୍ନାଥ ବଳଭଦ୍ର ସୁଭଦ୍ରା । ତୁମେ ଆମକୁ ନିଜର କରିଛ ଜୟଦେବ ! ଆମେ ତୁମର ପ୍ରେମ ଭକ୍ତିରେ ବନ୍ଧା । ଆସ...ଏବେ ଆମ ସହିତ ଏକ ହୁଅ । ତୁମ ଜୟଗାନରେ ଆମ କର୍ଣ୍ଣ ପବିତ୍ର ହେଉ ।”

 

ଥରିବାକୁ ଲାଗିଲା ଜୟଦେବଙ୍କ ସମଗ୍ର ଶରୀର । ଆର୍ତ୍ତ କଣ୍ଠରେ ଗାଇଉଠିଲେ ସେ–

 

“ବ୍ରଜ ସୁଖ ସାଗର ପ୍ରେମ ଉଜ୍ଜାଗର

ନାଗର ବହୁରସ ରଙ୍ଗ

ନବଘନ ସୁନ୍ଦର ସରସ ମନୋହର

ସୁଲଳିତ ଲଳିତ ତ୍ରିଭଙ୍ଗ

ରସିକ ରସାୟନ ରସବତୀ ଜୀବନ

ରସମୟ ରାସବିହାରୀ

ପୁଚ୍ଛ ମୁକୁଟ ଶିର ପୀତାମ୍ବର ଧର

ମୁରଲୀଧର ଗିରିଧାରୀ ।

ଶ୍ରୀ ଜୟଦେବ ଭଣତି ମିତ ଗୀତଂ

ଜୟ ଜୟ ଆନନ୍ଦ କନ୍ଦେ

ରହିତେ ଚରଣ କମଳେ ଶରଣ

ଶୋଭାକୃତ ଜନ ବନ୍ଦେ ।”

 

ଗୀତ ଶେଷରେ ସତେଅବା କହୁଛନ୍ତି ଶ୍ରୀ ରାଧାମାଧବ–“ଭକ୍ତ ଜୟଦେବ ! ପ୍ରାଚୀ ଭୂଖଣ୍ଡର ଏ ରାଧାମାଧବ ମନ୍ଦିର ଏବଂ ବଟ ବୃକ୍ଷମୂଳର ଚଉତରା ଉପରେ ତୁମର ସାଧନା ଶେଷ ହୋଇଛି । ଏବେ ତୁମେ ମୋର ପବିତ୍ର ଧାମ ଶ୍ରୀକ୍ଷେତ୍ରକୁ ଆଗମନ କର ଭକ୍ତ ! ତୁମ କଣ୍ଠର ଅପୂର୍ବ ସଙ୍ଗୀତ ଶ୍ରବଣ ପାଇଁ ମୁଁ ଉତ୍କଣ୍ଠିତ । ନିତିଦିନ ତୁମର କଣ୍ଠର ସଙ୍ଗୀତ ଶ୍ରବଣ ପାଇଁ ମୁଁ ଧାଇଁଆସୁଛି ପ୍ରାଚୀ ତୀରର ଏଇ ବଟ ବୃକ୍ଷମୂଳକୁ । ତେଣୁ ପୂଜକ ବଡ଼ପଣ୍ଡା ଚଳୁ ଦେହରେ ମୋର ସ୍ୱରୂପ ଦର୍ଶନ କରି ନପାରି ହେଉଛନ୍ତି ହତାଶ । ଛପନ ପଉଟି ଭୋଗ ମାରା ହେଉଛି ମୋର ବିହୁନେ । ଆଉ କେତେଦିନ ମୁଁ ତୁମର ଆଗମନକୁ ଅପେକ୍ଷା କରିବି ଭକ୍ତ ? ଏବେ ପ୍ରସ୍ତୁତ ହୋଇପଡ଼ ।”

 

କାତର ଭାବେ ଚିତ୍କାର କଲେ ଜୟଦେବ–“ପ୍ରଭୁ ! ପିତାଙ୍କର ଆଗମନ ପରେ ମୁଁ ଶ୍ରୀକ୍ଷେତ୍ର ଯାତ୍ରା କରିବି ପ୍ରଭୁ ! ଅନ୍ତରର ଭକ୍ତିନିଗାଡ଼ି ପରଶିଦେବି ଆପଣଙ୍କ ପଦ ତଳେ । ଯାପନ କରି ସନ୍ନ୍ୟାସୀ ଜୀବନ ଆପଣଙ୍କ ସେବାପାଇଁ ।”

 

ଆଶ୍ଚର୍ଯ୍ୟ ହେଲେ ଭକ୍ତବୃନ୍ଦ । ଏ କ’ଣ ? ଯୁବକ ଜୟଦେବ କ’ଣ ପାଗଳ ହୋଇଗଲେ-? ରାଧାମାଧବଙ୍କ ମୂର୍ତ୍ତିଙ୍କୁ ଚାହିଁ କ୍ରନ୍ଦନ କରୁଛନ୍ତି କାହିଁକି ? ହାତରେ ପ୍ରଦୀପ ଧରି ବନ୍ଦାପନା ନକରି ସ୍ଥାଣୁ ହୋଇଯାଇଛନ୍ତି କାହିଁକି ?

 

କ’ଣ ବୁଝିବେ ମନ୍ଦିରକୁ ଆଗତ ଭକ୍ତଜନ । ସେମାନଙ୍କ ମନରେ କେବଳ ପ୍ରଶ୍ନବାଚୀ, ଯୁକ୍ତି ଏବଂ ପ୍ରତିଯୁକ୍ତିର ବ୍ୟଗ୍ରତା ।

 

ଶେଷରେ ପ୍ରଦୀପ ସ୍ଥାପନ କରି ଲୋଟିପଡ଼ିଲେ ଜୟଦେବ । ସାନ୍ତ୍ୱାନା ଦେଉଥିଲେ ସେହି ଦୈବୀଶକ୍ତି । ବ୍ୟସ୍ତ ହୁଅ ନାହିଁ ଜୟଦେବ ! ତୁମେ ପିତାଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ । ଏ ସମୟରେ ବ୍ୟସ୍ତ ହେଉଛ କାହିଁକି ? ସେ ସମୟକୁ ଅପେକ୍ଷା କର । ତା’ପରେ ଯାତ୍ରା କରିବ ଶ୍ରୀକ୍ଷେତ୍ର ଯୁବକ ସନ୍ନ୍ୟାସୀ ରୂପେ ।

 

ଉଠିଲେ ଜୟଦେବ ନୟନରୁ ଲୋତକ ପୋଛି ଏବଂ ଲାଗିଲେ ସେବାକାର୍ଯ୍ୟରେ ।

 

ଏମିତି ଅନେକ ଦିନ ବିତିବା ପରେ ଦିନେ ଦିନେ କୁଟୀରରେ ମାତାଙ୍କୁ ପ୍ରଶ୍ନ କରନ୍ତି ଜୟଦେବ–“ମାତା ! ପିତା କେବେ ତୀର୍ଥ ପର୍ଯ୍ୟଟନରୁ ପ୍ରତ୍ୟାବର୍ତ୍ତନ କରିବେ ?”

 

ପ୍ରଶ୍ନ ଶୁଣି ହଠାତ୍ ଆନ୍ଦୋଳିତ ହୋଇଉଠେ ବୃଦ୍ଧା ରାମାଦେବୀଙ୍କ ମନ । ଦୁଃଖରେ ଭାଙ୍ଗିପଡ଼ି କହନ୍ତି ସେ–“ମୁଁ କେମିତି ଜାଣିବ ଜୟ ! ତାଙ୍କ ବାଟକୁ ଚାହିଁଚାହିଁ ମୋ ଆଖିପାଣି ଆଖିରେ ମଲାଣି । ଦିବା ରାତ୍ରି କେବଳ ରାଧାମାଧବଙ୍କୁ ଜଣାଉଛି ତାଙ୍କର କଥା । ସେ ନିରାପଦରେ ଧର୍ମ ଅର୍ଜନ କରି ଫେରିଆସନ୍ତୁ, ଏହା ହିଁ ମୋର କାମନା ।”

 

ମାତାଙ୍କ ଉତ୍ତରରେ ଭାଙ୍ଗିପଡ଼ନ୍ତି ଜୟଦେବ । ବୃଦ୍ଧା ମାତାଙ୍କ ନୟନର ଲୋତକ ଆଘାତ ଦିଏ ତାଙ୍କ ମନରେ । ଦୀର୍ଘନିଃଶ୍ୱାସ ପକାଇ କେବଳ ରାଧାମାଧବଙ୍କ ଉଦ୍ଦେଶ୍ୟରେ ହାତ ଉଠାନ୍ତି ସେ । ପୁଣି ଆଗେଇ ଚାଲନ୍ତି କର୍ତ୍ତବ୍ୟର ତାଡ଼ନାରେ ।

 

ସେଦିନ ଅର୍ଦ୍ଧଆଶପୁର ପ୍ରାଚୀ ତଟ ବଟ ବୃକ୍ଷମୂଳରେ ବସି ଲେଖନୀ ଧରି ତାଳପତ୍ର ପୋଥିରେ ନିଜର ଭାବରାଜିକୁ ରୂପ ଦେଉଥାନ୍ତି ଜୟଦେବ । ନୈବ୍ୟକ୍ତିକ ଆନନ୍ଦରେ ପୁଲକିତ ହେଉଥାଏ ତାଙ୍କ ଶରୀର । ଏପରି ଏକ ଦୁର୍ଲଭ ମୁହୂର୍ତ୍ତରେ ବଟ ବୃକ୍ଷମୂଳରେ ଉପସ୍ଥିତ ହେଲେ ଜଣେ ସନ୍ନ୍ୟାସୀ । ମସ୍ତକରେ ଜଟାଭାର, ଅଙ୍ଗରେ ବିଭୂତି, ହୃଦୟରେ ପ୍ରଶାନ୍ତି ।

 

ପୋଥିରୁ ମୁଣ୍ଡ ଟେକି ସନ୍ନ୍ୟାସୀଙ୍କ ଆଡ଼େ ଚାହିଁ ରହିଲେ ଜୟଦେବ । ଧୀର ଗଳାରେ ପ୍ରଶ୍ନ କଲେ ସନ୍ନ୍ୟାସୀ–“ତୁମର ପରିଚୟ ଜାଣିପାରେ କି ଯୁବକ ?”

 

–‘‘ମୁଁ ବିପ୍ର ଭୋଜଦେବ ସୁତ ଜୟଦେବ ।”

 

ତା’ପରେ ଶାନ୍ତ ହୋଇ ଚଉତରା ଉପରେ ବସିଲେ ସନ୍ନ୍ୟାସୀ । କହିଲେ ମୁଁ ତୁମକୁ ଏକ ଦୁଃଖଦାୟକ ସମ୍ବାଦ ଦେବାକୁ ଆସିଛି ଜୟଦେବ । ’

 

–“ଦୁଃଖଦାୟକ ସମ୍ବାଦ ?”

–“ହଁ ।”

–“କିନ୍ତୁ ଜୟଦେବର ହୃଦୟରେ ଯେ ଦୁଃଖ, ଶୋକ ଏବଂ ଆନନ୍ଦର ପ୍ରଭେଦ ନାହିଁ ସନ୍ନ୍ୟାସୀ ! ସେ ସବୁଟାକୁ ଗ୍ରହଣ କରେ ଭଗବାନଙ୍କ ଆର୍ଶୀବାଦ ବୋଲି ।”

–ତୁମର ଉତ୍ତର ଶୁଣି ମୁଁ ଆନନ୍ଦିତ ଜୟଦେବ ? ତେବେ ଶ୍ରବଣ କର ମୋର ସମସ୍ତ ବିବରଣୀ ।”

–“କୁହନ୍ତୁ ସନ୍ୟାସୀ ।”

–“ମୁଁ ବଦ୍ରିନାଥର ଆଜୀବନ ସନ୍ନ୍ୟାସୀ କାମାଚାର୍ଯ୍ୟ । ଜୀବନରେ ବହୁ ତୀର୍ଥ ପର୍ଯ୍ୟଟନ ପରେ ଆଶ୍ରୟ ଘେନିଛି ବଦ୍ରିନାଥର ଏକ କ୍ଷୁଦ୍ର ଆଶ୍ରମରେ ଶେଷ ଜୀବନ ଅତିବାହିତ କରିବା ପାଇଁ-।”

–‘‘ତେବେ ଏ ବୃଦ୍ଧ ବୟସରେ ପୁଣି ଦୀର୍ଘପଥ ଅତିକ୍ରମ ପ୍ରାଚୀ ଭୂଖଣ୍ଡକୁ ଆଗମନ କଲେ କାହିଁକି ସନ୍ନ୍ୟାସୀ ?”

–“କହୁଛି ଜୟଦେବ ! ପ୍ରାଚୀ ଭୂଖଣ୍ଡକୁ ଆଗମନ ନକରି ମୋର ଆଉ ଉପାୟ ନଥିଲା-।”

–“କାହିଁକି ସନ୍ନ୍ୟାସୀ ?”

–“ତୁମର ପିତା ଭୋଜଦେବ ସଙ୍ଗମ ତୀର୍ଥରୁ ଯାତ୍ରା କରିଥିଲେ ବଦ୍ରିନାଥ । ସେଠାରେ ହଠାତ୍‌ ଜ୍ଵର ରୋଗରେ ପୀଡ଼ିତ ହୋଇ ଗୋଟିଏ ବୃକ୍ଷମୂଳରେ ଆଶ୍ରୟ ଗ୍ରହଣ କରିଥିଲେ । ଏତିକିବେଳେ ପୀଡ଼ିତ ଭୋଜଦେବଙ୍କୁ ଅସହାୟ ଅବସ୍ଥାରେ ଦେଖି ମୁଁ ପଚାରି ବୁଝିଲି ସମସ୍ତ ବିବରଣଏବଂ ଘେନି ଆସିଲି ନିଜ କୁଟୀରକୁ ।”

–“ତା’ପରେ କ’ଣ ହେଲା ସନ୍ନ୍ୟାସୀ ।”

–‘‘ବଡ଼ ସେବାକଲି ଭୋଜଦେବଙ୍କର । କିନ୍ତୁ କିଛି ଫଳ ହେଲା ନାହିଁ ଜୟଦେବ ! ରାଧାମାଧବଙ୍କ ଗୁଣ କୀର୍ତ୍ତନ କରୁ କରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଚୈତ୍ରମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ମୋର ନିର୍ଜନ କୁଟୀରରେ ।”

–“ସନ୍ନ୍ୟାସୀ ?”କମ୍ପି ଉଠିଲେ ଜୟଦେବ ।

–“ହଁ ଜୟଦେବ ! ତାଙ୍କର ଶେଷ କୃତ୍ୟ ସମାପନ କରି ମୁଁ ଯାତ୍ରା ଆରମ୍ଭ କଲି ପ୍ରାଚୀ ଖଣ୍ଡ ଉଦ୍ଦେଶ୍ୟରେ ତୁମକୁ ସନ୍ଦେଶ ଦେବା ପାଇଁ । ଏବେ ମୋର କର୍ତ୍ତବ୍ୟ ଶେଷ ହୋଇଛି । ମୁଁ ଏହି ପ୍ରାଚୀ ନଦୀର ଗୋକର୍ଣ୍ଣିକା ତୀର୍ଥରେ ସ୍ନାନ ଶେଷ କରି ପ୍ରତ୍ୟାବର୍ତ୍ତନ କରିବ ବଦ୍ରିନାଥ ।”

ଆଉ କିଛି ଶୁଭୁନଥିଲା ଜୟଦେବଙ୍କୁ । ଭୂପତିତ ହୋଇଥିଲା ତାଙ୍କ ହସ୍ତରେ ତାଳପତ୍ର ପୋଥି । ଉତ୍ତେଜନାର ଶିହରଣ ମଧ୍ୟରେ ଦଣ୍ଡାୟମାନ ହୋଇଯାଇଥିଲେ ସେ ।

ସମ୍ବାଦଟି ଯଥା ସ୍ଥାନରେ ଜଣାଇଦେବା ପରେ ଗୋକର୍ଣ୍ଣିକା ତୀର୍ଥ ଅଭିମୁଖେ ଯାତ୍ରା କରିଥିଲେ ଆଗନ୍ତୁକ ସନ୍ନ୍ୟାସୀ କାମାଚାର୍ଯ୍ୟ ।

ଚାହୁଁ ଚାହୁଁ ମୁଖରୁ ମୁଖକୁ ବ୍ୟାପିଗଲା ଏ ଦୁଃସମ୍ବାଦ । ରୁଣ୍ଡ ହୋଇଗଲେ ଅର୍ଦ୍ଧଆଶପୁରର ଗ୍ରାମବାସୀ ଜୟଦେବଙ୍କର ଚତୁର୍ଦ୍ଦିଗରେ । ପଚାରିଗଲେ କିଏ କେତେ ପ୍ରଶ୍ନ ! ଭୋଜଦେବଙ୍କର କିପରି ବିୟୋଗ ଘଟିଲା ? କାହିଁକି ହଠାତ୍ ବିୟୋଗ ଘଟିଲା ? କେଉଁଠି ବିୟୋଗ ଘଟିଲା ? ସମ୍ବାଦ ଘେନି ଆସିଲା କିଏ ?

କି ଉତ୍ତର ଦେବେ ସେ ଗ୍ରାମବାସୀଙ୍କୁ ? ଅବଶ୍ୟ ଗ୍ରାମବାସୀଙ୍କୁ ଉତ୍ତର ଦେଇ ବିଦାୟ ଦେବା ତାଙ୍କ ନିକଟରେ ଜଟିଳ ନଥିଲା । କଷ୍ଟକର ଅବସ୍ଥା ସୃଷ୍ଟି କରିଥିଲେ ମାତା ରାମାଦେବୀଙ୍କୁ ସମ୍ବାଦ ପରିବେଷଣ । ଚିନ୍ତା କରୁଥିଲେ ସେ–ପୁତ୍ର ହୋଇ କିପରି ମାତାଙ୍କୁ ଜଣାଇବେ ଏ ଦୁଃସମ୍ବାଦ । ଶେଷରେ ସ୍ଥିରକଲେ ଜୟଦେବ–ମନ୍ଦିରର ମାଳାକାର ଆନନ୍ଦ ହସ୍ତରେ ପ୍ରଥମେ ମାତାଙ୍କ ନିକଟକୁ ସମ୍ବାଦ ପ୍ରେରଣ କରିବେ କେନ୍ଦୁବିଲ୍ୱ ଗ୍ରାମ । ତତ୍‌ପରେ ସେ ନିଜେ ଯାଇ ପହଞ୍ଚିବେ କୁଟୀରରେ ।

ତଦନୁସାରେ ମାଳାକାର ଆନନ୍ଦକୁ ଡାକି କହିଲେ ସେ–“ଆନନ୍ଦ ! ତୁମ ଉପରେ ଏକ ଗୁରୁଦାୟିତ୍ୱ ଅର୍ପଣ କରିବି । ତୁମେ ପାଳନ କରିପାରିବ ?”

–‘‘ଆଦେଶ କରନ୍ତୁ ନନା ।” କହିଲା ଆନନ୍ଦ ।

–‘‘ମୋର ଅନୁରୋଧ ରକ୍ଷାକରି ପ୍ରଥମେ ତୁମେ କେନ୍ଦୁବିଲ୍ୱ ଗ୍ରାମକୁ ଯାଇ ମାତାଙ୍କୁ ପିତାଙ୍କର ମୃତ୍ୟୁ ସମ୍ବାଦ ଜଣାଇଦିଅ ଆନନ୍ଦ, ତତ୍‌ପରେ ମୁଁ କୁଟୀରରେ ଉପସ୍ଥିତ ହେବି ।”

ଜୟଦେବଙ୍କ ଅନୁରୋଧ ଶ୍ରବଣ କରୁ କରୁ କେନ୍ଦୁବିଲ୍ୱ ଯାତ୍ରା ପାଇଁ ପ୍ରସ୍ତୁତ ହୋଇପଡ଼ି କହିଲା ଆନନ୍ଦ–“ଆପଣ ଠିକ୍ କହିଛନ୍ତ ନନା ! ପୁଅ ହୋଇ ବାପାଙ୍କ ମୃତ୍ୟୁ ଖବର ଆପଣ ନିଜେ ମାଆଙ୍କୁ ଦେବେ କେମିତି ? ମୁଁ ପ୍ରଥମେ ଯାଇ ସମ୍ବାଦ ଦେଉଛି । ଆପଣ ମୋର ପଛେ ପଛେ ଆସନ୍ତୁ ।”

ଆଉ ଅପେକ୍ଷା ନକରି ଚାଲିବାରେ ଲାଗିଲା ଆନନ୍ଦ, ପଛେ ପଛେ ଜୟଦେବ ।

ଆନନ୍ଦ କେନ୍ଦୁବିଲ୍ୱରେ ପହଞ୍ଚିଲାବେଳକୁ ବୃଦ୍ଧା ରାମାଦେବୀ କୁଟୀରର ଦ୍ୱାରଦେଶରେ ହସ୍ତ ସ୍ଥାପନ କରି ଅନାଇ ରହିଥିଲେ ବାହାରକୁ । ଆନନ୍ଦକୁ ଦେଖିପକାଇ କହିଉଠିଲେ ଥରିଲା କଣ୍ଠରେ–କ’ଣ କିଛି ସମ୍ବାଦ ଘେନିଆସିଛ ଆନନ୍ଦ ?

–‘ହଁ ମାଆ ।’ କହିଲା ଆନନ୍ଦ ।

–‘‘ଜୟର କ’ଣ କିଛି ଅସୁବିଧା ହୋଇଛି ଆନନ୍ଦ ?” କମ୍ପିତ କଣ୍ଠରେ କହିଉଠିଲେ ରାମାଦେବୀ ।

–“ନାଁ ମାଆ । ବଦ୍ରିନାଥରୁ ସମ୍ବାଦ ଆସିଛି, ବଡ଼ନନା ଭୋଜଦେବ ଆଉ ଇହଜଗତରେ ନାହାନ୍ତି ।” ଏତକ କହିସାରି ଆଉ ସେ ଅପେକ୍ଷା ନକରି ଫେରିପଡ଼ିଲା ଆନନ୍ଦ । ବୃଦ୍ଧା ରାମାଦେବୀଙ୍କ ନୟନର ଲୋତକ ଦେଖିବା ପାଇଁ ଧୈର୍ଯ୍ୟ ନଥିଲା ତା’ର ।

 

ପରମୁହୂର୍ତ୍ତରେ କୁଟୀର ଦ୍ୱାରରେ ଉପସ୍ଥିତ ହୋଇଗଲେ ଜୟଦେବ । ଦେଖିଲେ–ମାତା ରାମାଦେବୀ ସେମିତି ସ୍ଥାଣୁଭଳି ଦଣ୍ଡାୟମାନ ହୋଇଛନ୍ତି କୁଟୀରର ଦ୍ୱାରକୁ ହସ୍ତରେ ଧାରଣ କରି ।

 

ତେଣୁ ଧୀର ଗଳାରେ ଡାକିଲେ ଜୟଦେବ–“ମାତା !”

 

ଉତ୍ତରହୀନା ରାମାଦେବୀ ।

 

ବ୍ୟଥିତ ଗଳାରେ ପୁଣି ଡାକିଲେ ଜୟଦେବ–“ମାତା ! ଚିରଦିନ ପିତା ଆମକୁ ଛାଡ଼ି ଚାଲିଯାଇଛନ୍ତି ।”

 

ତଥାପି ଉତ୍ତର ନାହିଁ ରାମାଦେବୀଙ୍କର । ଚମକି ପଡ଼ିଲେ ଜୟଦେବ । ଏକ ଉତ୍ତେଜନାରେ ଦ୍ୱାରଦେଶକୁ ଉଠିଯାଇ ହାତରେ ହଲାଇଦେଇ ଡାକିଲେ ଉଚ୍ଚକଣ୍ଠରେ–‘‘ମାଆ…ମାଆ….”

 

ଜୟଦେବଙ୍କ ସ୍ପର୍ଶ ଫଳରେ ଭୂମିରେ ଲୋଟିପଡ଼ିଲା ମାତା ରାମାଦେବୀଙ୍କ ଜୀବନହୀନ ସ୍ଥୂଳ ଶରୀର । ଆଶ୍ଚର୍ଯ୍ୟ ବିମୂଢ଼ ହୋଇ ଅନାଇ ରହିଥିଲେ ଜୟଦେବ ମାତାଙ୍କ ଭୂପତିତ ଶରୀରକୁ-। ତାଙ୍କ ନୟନ ଯୁଗଳରୁ ବହି ଆସୁଥିଲା ଦୁଇଧାର ଲୋତକ–ପତି ଭକ୍ତିର ଅପୂର୍ବ ପରାକାଷ୍ଠା ଦେଖି । ରାଧାମାଧବଙ୍କ ବିଗ୍ରହ ଆଡ଼େ ଚାହିଁ ମୂକ ବଧିର ପଥର ପାଲଟି ଯାଉଥିଲେ ସେ-

 

ଅଳ୍ପକ୍ଷଣ ମଧ୍ୟରେ ଏ ଦୁଃସମ୍ବାଦ ପ୍ରଚାରିତ ହୋଇଗଲା ସମଗ୍ର କେନ୍ଦୁବିଲ୍ୱ ଗ୍ରାମରେ । କୁଟୀର ଦ୍ଵାରରେ ଜମା ହୋଇଗଲେ ଗ୍ରାମବାସୀ । ସାନ୍ତ୍ୱନା ଦେବାପାଇଁ ନାନା ଉପଦେଶ ବାଢ଼ିଲେ ଜୟଦେବଙ୍କ ଉଦ୍ଦେଶ୍ୟରେ । ସବୁ ଶୁଣି ନ ଶୁଣିବା ପରି ନୀରବରେ ବସି ରହିଥିଲେ ଜୟଦେବ ପ୍ରଭୁ ରାଧାମାଧବଙ୍କ ବିଗ୍ରହ ସମ୍ମୁଖରେ । ବୋଧହୁଏ କହୁଥିଲେ ପ୍ରାର୍ଥନା କରି–ପିତୃମାତୃହୀନ ହୋଇ ମୋର ଦୁଃଖ ନାହିଁ ପ୍ରଭୁ । ଏଣିକି ମୁଁ କେନ୍ଦୁବିଲ୍ୱ ଏବଂ ଅର୍ଦ୍ଧଆଶପୁରର ମୋହ ତ୍ୟାଗ କରି ଆପଣଙ୍କ ନିକଟକୁ ଛୁଟିଯାଇ ପାରିବି ।” କିନ୍ତୁ–ଧର୍ମପ୍ରାଣ ପିତା ଓ ଧର୍ମପ୍ରାଣ ମାତାଙ୍କର ଆତ୍ମାର ସଦ୍‌ଗତି କର ପ୍ରଭୁ । ପରମ ଧାମରେ ତାଙ୍କୁ ସସମ୍ମାନେ ସ୍ଥାନ ପ୍ରଦାନ କର ।

 

ତା’ପରେ ଧ୍ୟାନରୁ ଉଠିଲେ ଜୟଦେବ । ଧୀର ଗଳାରେ କହିଲେ–“ଆପଣମାନେ ମାତାଙ୍କର ଶବ ସଂସ୍କାର କରିବାରେ ସାହାଯ୍ୟ କରନ୍ତୁ । ଏଥିପାଇଁ ଆବଶ୍ୟକ ଆୟୋଜନର ବ୍ୟବସ୍ଥା କରନ୍ତୁ ।”

 

ଯୁବକ ଜୟଦେବଙ୍କ ଅନୁରୋଧରେ ଉଦ୍‌ବୁଦ୍ଧ ହୋଇ ଅଣ୍ଟା ଭିଡ଼ିଲେ ବୟସ୍କ ଗ୍ରାମବାସୀ-। ଲାଗିଗଲେ ଶବାଧାର ପ୍ରସ୍ତୁତି କାର୍ଯ୍ୟରେ । ଅଳ୍ପ ସମୟ ମଧ୍ୟରେ ସବୁ ପ୍ରସ୍ତୁତ ହୋଇଗଲା-। ବିରାଟ ଶବ ଶୋଭାଯାତ୍ରାରେ ଶ୍ମଶାନ ଅଭିମୁଖେ ଆଗେଇଲେ ଗ୍ରାମବାସୀ ।

 

ପ୍ରାଚୀ ତୀରର ଶ୍ମଶାନରେ ଶବଦାହ କରି ସ୍ନାନ ଶେଷରେ ବାହୁଡ଼ିଲେ ସମସ୍ତେ । ସବୁରି ମୁଖରୁ ଝରିପଡ଼ୁଥିଲା ସତୀ ରାମାଦେବୀଙ୍କର ପତି ଭକ୍ତିର ଉଚ୍ଚ ପ୍ରଶଂସା । ଏବଂ ନିଷ୍ଠାପର ଭଗବତ୍ ଭକ୍ତିର କାହାଣୀ ।

 

କିନ୍ତୁ ସ୍ଥିର ଏବଂ ନୀରବ ରହିଥିଲେ ଯୁବକ ଜୟଦେବ । ପିତା-ମାତାଙ୍କ ବିୟୋଗ କିମ୍ବା ଗ୍ରାମବାସୀଙ୍କ ପ୍ରଶଂସା ତାଙ୍କୁ ବିଚଳିତ କରିପାରୁ ନଥିଲା । ସେ ବିଚରଣ କରୁଥିଲେ ଏକ ଦେହାତୀତ ଏବଂ ମନାତୀତ ରାଜ୍ୟରେ ।

 

ତତ୍‌ପରେ ଆରମ୍ଭ ହେଲା ଶୁଦ୍ଧିକ୍ରିୟାର କାର୍ଯ୍ୟ । ଜୟଦେବ ଏ ସବୁ ସାମାଜିକ ବିଧିବିଧାନକୁ ପସନ୍ଦ କରୁନଥିଲେ । ସେ ଭାବୁଥିଲେ ଆତ୍ମାର ସଦ୍‌ଗତି ପାଇଁ ପ୍ରଭୁ ରାଧାମାଧବଙ୍କ ନିକଟରେ ନିବେଦନ ହିଁ ଶ୍ରେଷ୍ଠ ଶୁଦ୍ଧିକ୍ରିୟା । କିନ୍ତୁ ଗ୍ରାମବାସୀଙ୍କ ମନରେ ଦୁଃଖ ନ ଦେଇ ବୟସ୍କ ବ୍ୟକ୍ତିମାନଙ୍କର ପରାମର୍ଶକ୍ରମେ ସେ ସମାପନ କଲେ ସମସ୍ତ କାର୍ଯ୍ୟ । ଏପରି ତେର ଚଉଦ ଦିନ ଅତିବାହିତ ହୋଇଗଲା । ସେଦିନ ପ୍ରଭାତରୁ ଜୟଦେବ ପ୍ରାଚୀ ନଦୀରେ ସ୍ନାନ ଶେଷ କରି କୁଟୀରକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ମନେକଲେ–ସତେଅବା ନିଜ କର୍ତ୍ତବ୍ୟରେ ଅବହେଳା କରିଛନ୍ତି । ଅର୍ଦ୍ଧଆଶପୁରରେ ପ୍ରଭୁ ରାଧାମାଧବଙ୍କ ସେବା ପୂଜାର କୌଣସି ବିକଳ୍ପ ବ୍ୟବସ୍ଥା କରି ନ ଆସି ଭ୍ରମ କରିଛନ୍ତି । ଏଥିପାଇଁ ତାଙ୍କୁ କ୍ଷମା ଦେବେ ନାହିଁ ପ୍ରଭୁ ରାଧାମାଧବ କିମ୍ବା ଗ୍ରାମବାସୀ-

 

ଅସ୍ଥିର ହୋଇଉଠିଲେ ସେ । କ୍ଷିପ୍ର ଗତିରେ କୁଟୀରକୁ ଆଗମନ କରି, କୁଟୀରର ରାଧାମାଧବଙ୍କୁ ଜଣାଇଲେ ନିଜର ଦୁଃଖ ଏବଂ ଆଉ କାଳ ବିଳମ୍ବନ କରିଚାଲିଲେ ଅର୍ଦ୍ଧଆଶପୁର । ସେତେବେଳକୁ ଦିବା ଦୁଇଘଡ଼ି ହୋଇସାରିଥିଲା ଏବଂ ମନ୍ଦିରରେ ଆରମ୍ଭ ହୋଇଥିଲା ସକାଳର ଧୂପ ।

 

ମନ୍ଦିରଭିତରକୁ ପଶିଯାଇ ହାତଯୋଡ଼ି ଠିଆହୋଇ ରହିଲେ ଜୟଦେବ । ଅନୁଭବ କଲେ ସେ–ସତେଅବା କହୁଛନ୍ତି ପ୍ରଭୁ ରାଧାମାଧବ–“ତୁମର କିଛି ଭୁଲ ହୋଇନାହିଁ ଜୟଦେବ ! ପିତାଙ୍କର ମୃତ୍ୟୁ ସମ୍ବାଦ ପାଇ ତୁମେ ମୋର ସେବା ପାଇଁ ବିକଳ୍ପ ବ୍ୟବସ୍ଥା କରିଥାନ୍ତ କିପରି ? ସହଜାତ ମାନବିକ ଉଦ୍ଦୀପନାରେ ତୁମେ ଗ୍ରାମକୁ ଯାତ୍ରା କରି ଠିକ୍ କରିଛ । ସେଥିରେ ମନ ଦୁଃଖ କରୁଛ କାହିଁକ ? ବରଂ ତୁମକୁ ଏ ବନ୍ଧନରୁ ମୁଁ ମୁକ୍ତି ଦେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି । ତୁମେ ପ୍ରସ୍ତୁତ ହୁଅ ଜୟଦେବ…ପ୍ରସ୍ତୁତ ହୁଅ ।”

 

ଲମ୍ବ ହୋଇ ମନ୍ଦିରର ଚଟାଣରେ ଗଡ଼ିଗଲେ ଜୟଦେବ ଭଗବାନ ମାଧବଙ୍କର କରୁଣାମୟ ନୟନ ଦର୍ଶନ କରି ।

 

ଈଶ୍ୱର ଗ୍ରାମର ପଣ୍ଡିତ ପୂଜକ ଲକ୍ଷେଶ୍ୱର ରଥ ଶର୍ମା ସକାଳ ଧୂପ ଶେଷକରି ବୁଲିପଡ଼ିବା ବେଳକୁ ଆବିଷ୍କାର କଲେ ଯୁବକ ଜୟଦେବଙ୍କୁ । ବିଗଳିତ କଣ୍ଠରେ କହିଲେ ସେ–“ଜୟଦେବ ! ଆପଣଙ୍କ ଦୁଃସମୟରେ ଠାକୁରଙ୍କ ନୀତି ଏବଂ ସେବା ପୂଜା ସୁଚାରୁରୂପେ ଚଳାଇବା ପାଇଁ ମୋତେ ଅନୁରୋଧ ଜଣାଇଥିଲେ ଅର୍ଦ୍ଧଆଶପୁର ଗ୍ରାମବାସୀ । ସେ ଅନୁରୋଧ ମୁଁ ଏଡ଼ାଇ ପାରଲି ନାହିଁ । ବିନା ଦ୍ୱିଧାରେ ଧାଇଁଆସିଲି ପ୍ରଭୁ ରାଧାମାଧବଙ୍କ ଆକର୍ଷଣରେ । କିନ୍ତୁ ମୁଁ ଜାଣେ ନାହିଁ…ତାଙ୍କ ସେବା ପୂଜା ଠିକ୍ ଭାବେ ସମାହିତ ହୋଇପାରିଛି କି ନାହିଁ । ଏବେ ମୋର କର୍ତ୍ତବ୍ୟ ଶେଷ ହୋଇଛି ଜୟଦେବ । ଆପଣ ଆପଣଙ୍କ ଦାୟିତ୍ଵ ଗ୍ରହଣ କରନ୍ତୁ । ମୁଁ ବିଦାୟ ନିଏ-।”

 

ରଥଶର୍ମାଙ୍କ ଅନୁରୋଧ ଶ୍ରବଣ କରି ଥରେ ପ୍ରଭୁ ରାଧାମାଧବଙ୍କୁ ଅପଲକ ନେତ୍ରରେ ଚାହିଁଲେ ଜୟଦେବ । କହୁଥିଲେ ପ୍ରଭୁ ରାଧାମାଧବ ଆଉ ବିଳମ୍ବ କାହିଁକି ଜୟଦେବ ? ଏଇ ତ ଅପୂର୍ବ ସୁଯୋଗ । ତୁମେ ତୁମ ମନୋଭାବ ବ୍ୟକ୍ତ କର । ଅର୍ଦ୍ଧଆଶପୁର, କେନ୍ଦୁବିଲ୍ୱ ଗ୍ରାମ ଏବଂ ପ୍ରାଚୀ ଭୂଖଣ୍ଡରୁ ମୁକ୍ତ ହୁଅ ଏକ ବୃହତ୍ତର ବିଶ୍ୱର ଅନୁସନ୍ଧାନରେ ।

 

ବାଷ୍ପରୁଦ୍ଧ କଣ୍ଠରେ କହିଉଠିଲେ ଜୟଦେବ–“ପଣ୍ଡିତ ରଥଶର୍ମା ମହାଶୟ ! ଠାକୁରଙ୍କ ଉଦ୍ଦେଶ୍ୟରେ ଆପଣ ସକାଳ ଧୂପ ଦେଉଥିବା ସମୟରେ ମୁଁ ଲକ୍ଷ୍ୟ କରିଛି ଆପଣଙ୍କ ସାଫଲ୍ୟ । ଆପଣ ଜଣେ ଉପଯୁକ୍ତ ସେବକ ।”

 

–‘‘ମୋତେ ବୃଥା ପ୍ରଶଂସା କରନ୍ତୁ ନାହିଁ ଜୟଦେବ !”

 

–“ମୁଁ ପ୍ରଶଂସା କରୁନାହଁ ରଥଶର୍ମା ମହାଶୟ । ଅନୁଭବ କରିଥିବା ଅନୁଭୁତି ହିଁ ପ୍ରକାଶ କରୁଛି ।”

 

–‘‘ଆପଣଙ୍କ ପ୍ରଶଂସା ମୋର ପାଥେୟ ଜୟଦେବ !”

 

–“ପଣ୍ଡିତ ରଥଶର୍ମା ମହାଶୟ !”

 

–‘‘କୁହନ୍ତୁ ଜୟଦେବ !”

 

–‘‘ମୋର ଗୋଟିଏ ଅନୁରୋଧ ରହିଛି । ଆପଣ ରକ୍ଷାକରି ପାରିବେ ?”

 

–‘‘ଅନୁରୋଧ ?” ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁରହିଲେ ରଥଶର୍ମା ମହାଶୟ ।

 

–“ହଁ ଅନୁରୋଧ । ମୋର ଅନୁରୋଧ ରକ୍ଷା କରିବା ପାଇଁ ଆପଣ ହଁ କେବଳ ଉପଯୁକ୍ତ ବ୍ୟକ୍ତି ।”

 

–‘‘କହନ୍ତୁ ଜୟଦେବ !”

 

–‘ଶ୍ରୀକ୍ଷେତ୍ରରେ କିଛି କାଳ ଅବସ୍ଥାନ କରିବା ପାଇଁ ମୁଁ ମନରେ ଆଶା ପୋଷଣ କରିଛି-। କିନ୍ତୁ ପ୍ରତିବନ୍ଧକ ହିଁ ମୋତେ ନିବୃତ୍ତ କରୁଛି ଏ ଆଶାରୁ ।”

 

–“ପ୍ରତିବନ୍ଧକ ?”

 

–ହଁ...,ଏଇ ପ୍ରଭୁ ରାଧାମାଧବଙ୍କ ସେବା ହିଁ ହୋଇଛି । ମୋର ପ୍ରତିବନ୍ଧକ । ଆପଣ ମୋତେ ସାହାଯ୍ୟ କରିପାରିବେ ରଥଶର୍ମା ମହୋଦୟ ?”

 

–‘‘କୁହନ୍ତୁ ମୁଁ କି ସାହାଯ୍ୟ କରିପାରିବି ?”

 

–“ଆଜିଠାରୁ ଆପଣ ପ୍ରଭୁ ରାଧାମାଧବଙ୍କ ସେବା ପୂଜାର ଦାୟିତ୍ଵ ଗ୍ରହଣ କରିବେ । ମୁଁ ମୁକ୍ତ ହୋଇ ଶ୍ରୀକ୍ଷେତ୍ର ଯାତ୍ରା କରିବି ।”

 

–“ସାଧୁ ଜୟଦେବ !” ଆଶ୍ଚର୍ଯ୍ୟ ହୋଇପଡ଼ିଲେ ରଥଶର୍ମା ।

 

–“ଅମତ ହୁଅନ୍ତୁ ନାହିଁ ରଥଶର୍ମା ମହୋଦୟ ! ଏ ମୋର ଅନ୍ତରର ଅଭିଳାଷ ।”

 

ହସିଲେ ଲକ୍ଷେଶ୍ୱର ରଥଶର୍ମା ପରିତୃପ୍ତିର ହସ । କହିଲେ–“ପ୍ରଭୁ ରାଧାମାଧବଙ୍କ ସେବା ପୂଜାର ଦାୟିତ୍ୱ ଗ୍ରହଣ ପାଇଁ ମୋର ଅମତ ହେବାର ପ୍ରଶ୍ନ ଉଠୁନାହିଁ ଜୟଦେବ ! ବରଂ ମୁଁ ଅଶେଷ ଆନନ୍ଦିତ । ଆପଣଙ୍କ ମହନୀୟତା ପାଇଁ ମୁଁ କୃତ୍ୟ କୃତ୍ୟ ।”

 

–“ରଥଶର୍ମା ମହୋଦୟ !”

 

–“ହଁ ଜୟଦେବ ! ଜୀବନରେ ସୁକୃତ ନଥିଲେ ଏ ସୁଯୋଗ ଲାଭ ହୁଏ ନାହିଁ । ମୋ ଉପରେ ପ୍ରଭୁ ରାଧାମାଧବଙ୍କର ଅଶେଷ କରୁଣା ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ।”

 

ଏଥର ଜୀବନରେ ପ୍ରଥମ ଥର ପାଇଁ ମନ ଖୋଲି ହସିଲେ ଜୟଦେବ । କହିଲେ–

 

“ମୋତେ ମୁକ୍ତି ଦେଇ ଆପଣ ଧନ୍ୟ ହୋଇଛନ୍ତି ରଥଶର୍ମା ମହାଶୟ । ଜୀବନ ବ୍ୟାପୀ ମୁଁ ଆପଣଙ୍କ ନିକଟରେ ଋଣୀ ହୋଇଗଲି ।”

 

ତା’ପରେ ରାଧାମାଧବଙ୍କ ବିଗ୍ରହ ନିକଟିକୁ ଧାଇଁ ଯାଇ କୁଣ୍ଢାଇ ଧରିଲେ ଜୟଦେବ । ରୋଦନ କରିଉଠିଲେ ଉଚ୍ଚ କଣ୍ଠରେ–“ପ୍ରଭୁ ! ମୋତେ ବିଦାୟ ଦିଅ ପ୍ରଭୁ ! ମୁଁ ଯାତ୍ରା କରେ ଆପଣଙ୍କ ସେହି ପବିତ୍ର ଧାମକୁ ।”

 

କିନ୍ତୁ ସହାସ୍ୟ ବଦନରେ ସତେଥିବା କହୁଥିଲେ ସେ ବିଗ୍ରହ–ତୁମେ କାହାଠାରୁ ବିଦାୟ ନେଉଛ ଜୟଦେବ–ମୁଁ ଯେ ସେହି ଅକ୍ଷର ବ୍ରହ୍ମ, ଦ୍ଵାଦଶ ମାଧବ, ଏକାଦଶ ରୁଦ୍ର, ସହସ୍ର ନାମର କଷ୍ଣ, ପୁରୁଷୋତ୍ତମ ଜଗନ୍ନାଥ । ତୁମେ ମୋ ନିକଟକୁ ଯାଉଛ । ନାମରୁ ଅନାମକୁ ଯାଉଛି । ଆସ ଜୟଦେବ ! ମୋହ ବିଜଡ଼ିତ ସଂସାରର ଆସକ୍ତିକୁ ଜଳାଞ୍ଜଳି ଦିଅ । ହୃଦୟ କମଳରେ ମୋତେ ସ୍ଥାନ ଦିଅ । ପ୍ରେମ ରସରେ ଜଗତକୁ ଭସାଇଦିଅ । ଆଗେଇ ଆସି ଜୟଦେବ…ଆଗେଇ ଆସ ।

 

ନୟନ ମୁଦ୍ରିତ କରି ମନ୍ଦିରର ଚଟାଣରୁ ଧୂଳି ଆଣି ମୁଣ୍ଡରେ ମାରିଲେ ଜୟଦେବ । ତତ୍‌ପରେ ଲଳିତ କଣ୍ଠରେ ଭଜନ ଗାନ କରି କରି ବହିର୍ଗତ ହେଲେ ମନ୍ଦିରୁ । ଅଶ୍ରୁପୂରିତ ଲୋଚନରେ ଅନାଇ ରହିଥିଲେ ଆଗନ୍ତୁକ ଭକ୍ତଜନ ।

 

ପ୍ରାଚୀ ନଦୀ ପାର ହୋଇ ସେ ଉପସ୍ଥିତ ହେଲେ କେନ୍ଦୁବିଲ୍ୱ ଗ୍ରାମରେ । ଆଜି ତାଙ୍କ ମନ ଭିତରେ ଏକ ନୂତନ ଅନୁଭୂତି, ନୂତନ ପ୍ରେରଣା, ନୂତନ ଉଦ୍ଦୀପନା । ସେ କେନ୍ଦୁବିଲ୍ୱର ଚିର ପରିଚିତ ତାଳ ତମାଳ ନାରୀକେଳ ବୃକ୍ଷର ଶୋଭା ଏବଂ ଜୁଇ ଜାଇ ମାଳତୀ ମାଧବୀ ପାଟଳୀ ପୁଷ୍ପର ମାଧୁରୀ ସହିତ ଧୂଳି ଧୂସରିତ ରାସ୍ତାର ମୋହ ତ୍ୟାଗକରି ପାଦ ବଢ଼ାଇବେ ଆଗକୁ । ସଙ୍ଗରେ ନେବେ ସେହି ଅତି ଆପଣାର କୁଟୀରବାସୀ ଇଷ୍ଟଦେବ ରାଧାମାଧବଙ୍କୁ ।

 

ପହଞ୍ଚିଲେ ଜୟଦେବ କୁଟୀର ସମ୍ମୁଖସ୍ଥ ସେହି ପୁରାତନ ନିମ୍ବ ବୃକ୍ଷମୂଳରେ, କୁଣ୍ଢାଇ ଧରିଲେ ବୃକ୍ଷଟିକୁ ନିଜ ବକ୍ଷ ଦେଶରେ–କହି ଚାଲିଥିଲେ ଆବେଗଭରା କଣ୍ଠରେ–କକା ! ବିଦାୟ ନେଉଛି କକା ! ଆଦରର ଜୟକୁ ଚିରଦିନ ପାଇଁ ଭୁଲିଯିବ । ଭୁଲିଯିବ ତା’ର ସ୍ମୃତି । ବୋଧହୁଏ ଜୟଦେବଙ୍କର ଏ ଆବେଗଭରା ଆବେଦନରେ କାନ୍ଦୁଥିଲା ନିମ୍ବ ବୃକ୍ଷ ଆକାଶକୁ ଚାହିଁ ।

 

ତା’ପରେ କୁଟୀର ମଧ୍ୟକୁ ପ୍ରବେଶ କଲେ ଜୟଦେବ । ଲମ୍ବ ହୋଇପଡ଼ିଗଲେ କୁଟୀରର ରାଧାମାଧବଙ୍କ ପାଦତଳେ । ବ୍ୟକ୍ତ କଲେ ମନର ବାସନା–ପ୍ରଭୁ ରାଧାମାଧବ ! ମୁଁ ଗାଁ ଗଣ୍ଡା, ଘରଦ୍ୱାର, ଏ ନୈସର୍ଗିକ ପରିବେଶ ଛାଡ଼ିଚାଲିଯାଇପାରେ । କିନ୍ତୁ ଆପଣଙ୍କୁ ପର କରିପାରିବି ନାହିଁ ପ୍ରଭୁ ! ଆପଣ ମୋର ଏକାନ୍ତ ନିଜର । ସୁଦାମାର ଖୁଦ କଣିକାରେ ଆପଣ ପ୍ରୀତ ହୋଇଥିଲେ । ସେମିତି ମୋର ଭିକ୍ଷାର୍ଜିତ ନୈବେଦ୍ୟ, ନୟନର ଅଶ୍ରୁଜଳ, ଅନ୍ତରର ଭକ୍ତ ଅର୍ଘ୍ୟରେ ସନ୍ତୁଷ୍ଟ ହୋଇ ମୋ ସହିତ ଯାତ୍ରା ଆରମ୍ଭ କରନ୍ତୁ ପ୍ରଭୁ ! ଏ କେନ୍ଦୁବିଲ୍ୱର ଅଧିବାସୀ ନ ଜାଣନ୍ତୁ–ମୁଁ କୁଆଡ଼େ ଯାଉଛି…କାହିଁକି ଯାଉଛି ? କେତେବେଳେ ଯାଉଛି ?

 

ସେମାନେ ଜାଣିଲେ ମୋ ଅନ୍ତରରେ ମୋହ ଜାତ ହେବ । ଆସକ୍ତି ଜାଲରେ ମୁଁ ବାନ୍ଧିହୋଇ ପଡ଼ିବି । ତେଣୁ କାଳବିଳମ୍ବ ନକରି ପ୍ରସ୍ତୁତ ହୋଇପଡ଼ ପ୍ରଭୁ–ମୋର ଭିକ୍ଷା ଝୁଲିରେ ଅବସ୍ଥାନ କରିବା ପାଇଁ ।

 

ଭୂମିରୁ ଉଠି ଠାକୁରଙ୍କ ଆଡ଼େ ଚାହିଁଲେ ଜୟଦେବ । ଅନୁଭବ କଲେ ସେ–ସତେ ଅବା କହିଛନ୍ତି ପ୍ରେମର ଦେବତା ରାଧାମାଧବ । ମୁଁ ସୁଦୃଶ୍ୟ ମନ୍ଦିର, ବହୁମୂଲ୍ୟ ଅଙ୍ଗଭୂଷଣ କିମ୍ବା ସୁସ୍ୱାଦୁ ନୈବେଦ୍ୟରେ ସନ୍ତୋଷ ଲାଭ କରେ ନାହିଁ ଜୟ । ଭକ୍ତିରେ ମୁଁ ବନ୍ଧା । ମୁଁ ଶବର ଅଇଁଠା ଖିଆ, ସୁଦାମାର ଖୁଦ କଣିକା ଖିଆ ଭକ୍ତର ଭଗବାନ । ତୋର ଝୁଲାମୁଣି ମୋର ଦିବ୍ୟ ଆସ୍ଥାନ ଜୟଦେବ । ଆନନ୍ଦରେ ମୋତେ ସଙ୍ଗରେ ଘେନି ଯାତ୍ରା କର । ମୁଁ ସେହି ଝୁଲାମୁଣି ଭିତରେ ଥାଇ ହେବି ତୋର ସହଚର ।

 

ଏଥର ବିହ୍ୱଳିତ ଚିତ୍ତରେ ଉଠିଲେ ଜୟଦେବ । ନିଜର ଭିକ୍ଷା ଝୁଲିରେ ସ୍ଥାପନ କଲେ ପ୍ରଭୁ ରାଧାମାଧବଙ୍କୁ ଏବଂ ଭିକ୍ଷା ପାତ୍ରଟିଏ ହସ୍ତରେ ଧାରଣ କରି ପ୍ରଣତି ଜଣାଇଲେ ପ୍ରାଚୀ ଧାମ, କେନ୍ଦୁବିଲ୍ୱ ଗ୍ରାମ, ବାବା ନୃସିଂହ, ମାଆ ଅମ୍ବିକା ଓ ପୀଠର ଅନ୍ୟାନ୍ୟ ଦେବଦେବୀମାନଙ୍କୁ । ତତ୍‌ପରେ ରାଧାମାଧବଙ୍କର ଅପୂର୍ବ ଲୀଳା କୀର୍ତ୍ତନ କରୁ କରୁ ପାଦ କାଢ଼ିଲେ କେନ୍ଦୁବିଲ୍ୱ ଗ୍ରାମରୁ ।

 

କେନ୍ଦୁବିଲ୍ୱର ଅଧିବାସୀ ଜାଣିପାରିଲେ ନାହିଁ–କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ଯୁବକ ସନ୍ନ୍ୟାସୀ ଜୟଦେବ, ଶିଶୁ ପୁତ୍ରଧୂବଙ୍କ ପରି ଭଗବତ୍ ଅନୁସନ୍ଧାନରେ । ବୋଧହୁଏ ଜୟଦେବଙ୍କ ଅଦୃଶ୍ୟ ହେବାର ସମ୍ବାଦ ଜାଣିପରେ ନାନା କଳ୍ପନା ଜଳ୍ପନା କରିଥିବେ ସେମାନେ ! କିନ୍ତୁ ପ୍ରାଚୀ ଖଣ୍ଡ ଏବଂ କେନ୍ଦୁବିଲ୍ୱ ଗ୍ରାମର ମୋହ ତ୍ୟାଗ କରି ମୁଖରେ ଅଖଣ୍ଡ ନାମ ସଂକୀର୍ତ୍ତନ ଗାନ କରି କରି ଯୁବକ ସନ୍ନ୍ୟାସୀ ଜୟଦେବ ଯାତ୍ରା କଲେ ପୁରୁଷୋତ୍ତମ କ୍ଷେତ୍ର । ପଥ କ୍ଳାନ୍ତି ତାଙ୍କୁ ଅବଶ କଲା ନାହିଁ । ପେଟର କ୍ଷୁଧା ତାଙ୍କୁ ଦୁର୍ବଳ କରିପାରିଲା ନାହିଁ । ଭଗବତ୍ ଶକ୍ତିର ପ୍ରଚୋଦନାରେ ସେ ଆଗେଇବାରେ ଲାଗିଲେ ଆଗକୁ । ଆକର୍ଷଣ କରୁଥିଲା ତାଙ୍କୁ ନୀଳଚକ୍ର, ପତିତପାବନ ନେତ, ନୀଳଶୈଳର ଶ୍ରୀମନ୍ଦିର, ବଡ଼ଦାଣ୍ଡର ପବିତ୍ର ଭକ୍ତଜନଙ୍କ ପଦରଜ, ବାଇଶି ପାବଚ୍ଛ ଏବଂ ସେହି ଚକାନୟନ ।

 

ବହୁ ପଥ ଅତିକ୍ରମ ପରେ ଶେଷରେ ନୃସିଂହ ପୀଠ ଶଙ୍ଖକ୍ଷେତ୍ର ପୁରୁଷୋତ୍ତମରେ ପାଦଦେଲେ ଯୁବକ ସନ୍ନ୍ୟାସୀ ଜୟଦେବ । ଲୋଟିପଡ଼ିଲେ ବଡ଼ଦାଣ୍ଡରେ ନୀଳଚକ୍ରକୁ ଚାହିଁ । ଫର ଫର ହୋଇ ଉଡ଼ୁଥିଲା ପତିତପାବନ ନେତ । କହୁଥିଲା ସ୍ୱାଗତ ଜଣାଇ–ଆସିଗଲ…, ଆସିଗଲ ଯୁବକ ସନ୍ନ୍ୟାସୀ ? ଆଉ ସେ ବଡ଼ଦାଣ୍ଡରେ ଅପେକ୍ଷା କରିଛ କାହିଁକି ? ଥରେ ମୋ’ ନିକଟକୁ ଆସ । ମୁଁ ତୁମକୁ ଆଖି ପୂରାଇ ଦେଖିନିଏ । ତୁମ ଭଜନ ଗାନରେ କର୍ଣ୍ଣମନ ରସାୟନ କରେ ।

 

ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଜୟଦେବ । ଗାଇ ଉଠିଲେ ଅପୂର୍ବ ଲହରରେ–

 

“ନଳିନୀ ଦଳେ କୃଷ୍ଣ କରି ଶୟନ

ଦେଖି ସୁଫଳ କର ବେନି ନୟନ ।

ଦେଖ ହରିଙ୍କ ଶୋଭା ବହୁ ମଧୁର

କି ପାଇଁ କରୁ ସଖି ମନ ବିଧୂର I

ଭଣିଲେ ଜୟଦେବ ଅତି ଲଳିତ

ସୁଜନେ ଶୁଣି ଏହା ହେବ ମୁକତ

ଶୁଣ ସଜନୀ

ମାଧବେ ମାନ ତୁ ନ କର ମାନିନୀ ।”

 

ଏମିତି ସଙ୍ଗୀତ ଗାନ କରୁ କରୁ ପ୍ରବେଶ କଲେ ଶ୍ରୀମନ୍ଦିର ମଧ୍ୟକୁ । ତାଙ୍କ କଣ୍ଠର ଲାଳିତ୍ୟରେ ବିମୋହିତ ହୋଇ ଅନାଇ ରହିଥିଲେ ଭକ୍ତଜନ ।

 

ଆଗେଇ ଗଲେ ଜୟଦେବ ରତ୍ନବେଦୀ ନିକଟ ପର୍ଯ୍ୟନ୍ତ । ସତେଅବା ଗଙ୍ଗା ସହିତ ଯମୁନାର ସଙ୍ଗମ, ଭକ୍ତ ସହିତ ଭଗବାନଙ୍କର ମିଳନ । ବୋଧହୁଏ ଚକାନୟନରୁ ଝରୁଥିଲା ଝର ଝର ଲୋତକ ଆକାଂକ୍ଷିତ ଭକ୍ତି ଜୟଦେବଙ୍କୁ ଦର୍ଶନ କରି । ଝରିପଡ଼ୁଥିଲା ପୁଷ୍ପରାଜି ବିଗ୍ରହମାନଙ୍କ ଉପରୁ । ଭାବବିଦଗ୍‌ଧ ଜୟଦେବ ଅନାଇ ରହିଥିଲେ ବିମୂଢ଼ ହୋଇ । କହୁଥିଲେ ବିଗ୍ରହମାନେ ଅକୁହା ଭଷାରେ–“ଉତ୍କଳୀ ଭାଷାରେ ରଚିତ ତୁମ ଦୁର୍ଲଭ ସଙ୍ଗୀତରାଜି କେବଳ ଉତ୍କଳ ଖଣ୍ଡରେ ସୀମିତ ରହିଯିବ ଜୟଦେବ । ତୁମେ ଉତ୍କଳୀ ଭାଷା ତ୍ୟାଗ କରି ସାର୍ବଜନୀନ ଆବେଦନ ପାଇଁ ଦେବ ଭାଷା ସଂସ୍କୃତରେ ଅମର ପଦାଦଳୀ ରଚନା କର । ମୋର ପ୍ରେମ ବିଦଗ୍‌ଧ ଲୀଳା ରାଜିକୁ ରୂପ ପ୍ରଦାନ କର । ମୁଁ ଯେ ଶ୍ରବଣ ପ୍ରୟାସୀ ଜୟଦେବ, ସେଥିପାଇଁ ତୁମକୁ ଏ ଶ୍ରୀକ୍ଷେତ୍ରକୁ ଆମନ୍ତ୍ରଣ କରିଛି ।”

 

–‘ଆପଣଙ୍କ ନିର୍ଦ୍ଦେଶ ମୁଁ ଗ୍ରହଣ କଲି ପ୍ରଭୁ ! ଆଜିଠାରୁ ଦେବଭାଷା ସଂସ୍କୃତ ହେବ ମୋର ସାଧନାର ମାଧ୍ୟମ । ମୋର କଣ୍ଠରେ ବସି ଆପଣ ଯାହା କହିବେ, ମୁଁ ତାହା ଲେଖନୀ ଓ ତାଳପତ୍ର ଧରି ରୂପଦେବି ।” କହୁ କହୁ ନୟନ ମୁଦ୍ରିତ କରି ଶତଦଳ ପଦ୍ମର ବ୍ରହ୍ମରନ୍ଦ୍ରରେ ଦର୍ଶନ କରୁଥିଲେ ଜୟଦେବ ଚକାନୟନଙ୍କୁ ।

 

ତା’ପରେ ଶ୍ରୀମନ୍ଦିରରୁ ବହିର୍ଗତ ହେଲେ ସେ । ବୁଲିଲେ ଶ୍ରୀକ୍ଷେତ୍ରର ବହୁ ସ୍ଥାନ ଭଜନ ଗାନ କରି କରି । ଯେଉଁଠାରୁ ସେ ଯାତ୍ରା କରୁଥିଲେ, ସେଠାକାର ଭକ୍ତଜନ ପ୍ରୀତ ହେଉଥିଲେ ଭଜନ ଗାନ ଶ୍ରବଣ କରି । ଭିକ୍ଷାଦାନ କରୁଥିଲେ ଆନନ୍ଦ ଚିତ୍ତରେ । ପ୍ରାପ୍ତ ଭିକ୍ଷା ପଦାର୍ଥକୁ ଶ୍ରୀ ଜୟଦେବ ପୁଣି ଆଗ୍ରହରେ ବିତରଣ କରୁଥିଲେ ଭିକ୍ଷାର୍ଥୀ ଦରିଦ୍ର ରୋଗଗ୍ରସ୍ଥ ବ୍ୟକ୍ତିମାନଙ୍କୁ ।

 

ଏମିତି ଭ୍ରମଣ କରୁ କରୁ ଲୋକନାଥ ପୀଠ, ଚକ୍ରତୀର୍ଥ, ସ୍ଵର୍ଗଦ୍ଵାର, ମହୋଦଧି, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ, ମାଉସୀ ମାଆ ମନ୍ଦିର, ଗୁଣ୍ଡିଚା ମନ୍ଦିର, ମହାବେଦୀ ଇତ୍ୟାଦି ସ୍ଥାନ ଦର୍ଶନ କରି ବାଙ୍କୀମୁହାଣୀ ନଦୀର ଶରଧା ବାଲି ଉପରେ ବିଶ୍ରାମ ଗ୍ରହଣ କଲେ ସେ, ହଠାତ୍ ତାଙ୍କ ମନରେ ପ୍ରଶ୍ନ ଉଠିଲା–ମୁଁ ଏହି ବାଙ୍କୀମୁହାଣୀ ନଦୀ ତୀରରେ ଅବସ୍ଥାନ କରିବି । ଏକ କ୍ଷୁଦ୍ର କୁଟୀର ନିର୍ମାଣ କରିବି । ନିତିଦିନ ଏଇ ନଦୀରେ ସ୍ନାନ କରି ଯାତ୍ରା କରିବି । ଶ୍ରୀମନ୍ଦିର ଦିଅଁ ଦର୍ଶନ ପାଇଁ ।

 

ଆନନ୍ଦିତ ହୋଇଉଠିଲା ମନ । ଝଲାମୁଣିରୁ ଇଷ୍ଟଦେବ ରାଧାମାଧବଙ୍କୁ ବାହାର କରି ବାଲୁକା ଉପରେ ସ୍ଥାପନ କଲେ ସେ, ଆରମ୍ଭ କଲେ ପୂଜାପାଠ । ଜଣେ ଯୁବକ ସନ୍ନ୍ୟାସୀର ଏ ଭକ୍ତିପୂର୍ଣ୍ଣ ପୂଜାପାଠ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲେ ବାଙ୍କୀମୁହାଣୀ ନଦୀରେ ସ୍ନାନରତ ଭକ୍ତ ସମାଜ ।

 

ସେହିଦିନଠାରୁ ଶରଧାବାଲି ହେଲା ଜୟଦେବଙ୍କର ବିଶ୍ରାମସ୍ଥଳୀ । ପ୍ରଭାତରୁ ବାଙ୍କୀମୁହାଣୀ ନଦୀରେ ସ୍ନାନ କରି ନିଜ ଆରାଧ୍ୟ ରାଧାମାଧବଙ୍କ ସେବାପରେ ଯାତ୍ରା କରନ୍ତି ସେ ଶ୍ରୀମନ୍ଦିର । ଭଜନ ଗାନ କରନ୍ତି ମୁକ୍ତିମଣ୍ଡପ ସମୀପରେ ବସି ଏବଂ ପ୍ରତ୍ୟାବର୍ତ୍ତନ କରନ୍ତି ରାତ୍ରିରେ-। ଏ ଭଜନ ଶ୍ରବଣ କରି ବଦାନ୍ୟ ବ୍ୟକ୍ତିମାନେ ଦାନ ରଚନ୍ତି ଭିକ୍ଷା । କିନ୍ତୁ ସେ ଭିକ୍ଷାର୍ଜିତ ଅର୍ଥକୁ ଜୟଦେବ ପୁଣି ବିତରଣ କରନ୍ତି ଅଥର୍ବ ଦରିଦ୍ର ପଙ୍ଗୁ, ବ୍ୟକ୍ତିମାନଙ୍କୁ ।

 

ଏପରି କିଛିଦିନ ଅତିକ୍ରାନ୍ତ ହେବାପରେ ଜଣେ ବଦାନ୍ୟ ଭକ୍ତ ଜୟଦେବଙ୍କ ନିକଟକୁ ଆସି ପ୍ରଶ୍ନ କଲେ–“ଯୁବକ ସନ୍ନ୍ୟାସୀ ! ମୁଁ ନିତିଦିନ ଦେଖୁଛି ଆପଣ ଭଜନ ଗାନ କରୁଛନ୍ତି । ଦାନ ରୂପେ ଲାଭ କରୁଥିବା ଅର୍ଥକୁ ପୁଣି ବିତରଣ କରି ଦେଉଛନ୍ତି । ଆପଣ ନିଜ ପାଇଁ ଆହାର ସଂଗ୍ରହ କରୁଛନ୍ତି କିପରି ?”

 

ସହାସ୍ୟ ବଦନରେ କହିଲେ ଜୟଦେବ–“ମୋ ପାଇଁ ଅର୍ଥର ଆବଶ୍ୟକତା ନାହିଁ । ଜଗନ୍ନାଥଙ୍କ ଅପାର କରୁଣା ହିଁ ମୋର ଅମୂଲ୍ୟ ସମ୍ପଦ । ସେହି କରୁଣା ଫଳରେ ମୋର କ୍ଷୁଧା ନିବାରିତ ହେଉଛି । ଜଣେ ସୂପକାର ମଧ୍ୟାହ୍ନ ଧୂପ ପରେ କିଛି ମହାପ୍ରସାଦ ଏ ଭିକ୍ଷା ପାତ୍ରରେ ଦେଇଯାଉଛନ୍ତି । ସେତିକିରେ ଚଳିଯାଉଛି ମୋର ସମଗ୍ର ଦିନ ।”

 

ଏ କଥା ଶ୍ରବଣ କରି ଚମକି ପଡ଼ିଲେ ବଦାନ୍ୟ ବ୍ୟକ୍ତି I ଭାବିଲେ ମନେ ମନେ–ଦୀର୍ଘଦିନ ହେବ ତ ମୁଁ ଶ୍ରୀଜଗନ୍ନାଥଙ୍କ କରୁଣା ଆଶାରେ ମୁକ୍ତିମଣ୍ଡପ ନିକଟରେ ଠିକ୍ ଯୁବକ ସନ୍ନ୍ୟାସୀଙ୍କ ନିକଟକୁ ଲାଗି ବସିରହୁଛି ପ୍ରଭାତରୁ ରାତ୍ରି ପର୍ଯ୍ୟନ୍ତ । ତେବେ କେତେବେଳେ କେଉଁ ସୂପକାର ତାଙ୍କୁ ପ୍ରସାଦ ପ୍ରଦାନ କରୁଛନ୍ତି ? କାହିଁକି ଅବା ଦେଉଛନ୍ତି ବିନା ମୂଲ୍ୟରେ ?ଏ ନିଶ୍ଚୟ ସେହି ଜଗତର ନାଥ ଜଗନ୍ନାଥଙ୍କର ଲୀଳା । ସେ ଅଲକ୍ଷ୍ୟରେ ଆସୁଛନ୍ତି ଏବଂ ଭକ୍ତ ଯୁବକ ସନ୍ନ୍ୟାସୀଙ୍କ ଭିକ୍ଷା ଥାଳରେ ପ୍ରସାଦ ପୂର୍ଣ୍ଣକରି ଫେରିଯାଉଛନ୍ତି ।

 

ତା’ପରେ କହିଲେ ହାତଯୋଡ଼ି–“ସନ୍ନ୍ୟାସୀ ! ମୁଁ ଗୋଟିଏ ପ୍ରଶ୍ନ ପଚାରିବି, ଉତ୍ତର ଦେବେ ?”

 

–“ପଚାରନ୍ତୁ” ହସି ହସି କହିଲେ ଜୟଦେବ ।

 

–“ଆପଣଙ୍କ ଆଶ୍ରମ କେଉଁଠାରେ ?”

 

–“ଶରଧାବାଲି ମୋର ଆଶ୍ରମ ।”

 

–‘‘ବର୍ଷା କାକର ଖରାରେ କ’ଣ ଆପଣ ଶରଧାବାଲିରେ ଆଶ୍ରୟ ନିଅନ୍ତି ?”

 

–“ହଁ..., ଋତୁଚକ୍ରର ଆବର୍ତ୍ତନ ମୋର ଭକ୍ତିରେ ବାଧା ସୃଷ୍ଟି କରିପାରେ ନାହିଁ ।

 

–“ତେବେ ମୋର ଗୋଟିଏ ଅନୁରୋଧ ରକ୍ଷା କରିବେ ସନ୍ନ୍ୟାସୀ ?”

 

–‘‘କହନ୍ତୁ, ରକ୍ଷାକରିବାକୁ ନିଶ୍ଚୟ ଚେଷ୍ଟା କରିବି ।”

 

–“ଆପଣ ଭଗବାନ ଜଗନ୍ନାଥଙ୍କର ଜଣେ ନିରତ ସେବକ I ମୁଁ ମଧ୍ୟ । କିନ୍ତୁ ପାର୍ଥକ୍ୟ ହେଉଛି–ଆପଣଙ୍କ ପରି ଆସକ୍ତିହୀନ ସ୍ତରକୁ ମୁଁ ଯାଇପାରି ନାହିଁ ।”

 

–‘‘ମୋତେ ବୃଥା ପ୍ରଶଂସା କରନ୍ତୁ ନାହିଁ ମହାଶୟ ।”

 

–“ମୁଁ ପ୍ରଶଂସା କରୁନାହିଁ ସନ୍ନ୍ୟାସୀ ! କହୁଛି ହୃଦୟର କଥା ।”

 

–‘‘କହନ୍ତୁ କ’ଣ କହିବାକୁ ଚାହାନ୍ତି ?”

 

–ମୁଁ ଜଣେ ବିଭବଶାଳୀ ବ୍ୟକ୍ତି । ତେଣୁ ହୁଏତ ଭଗବାନଙ୍କର ନିକଟତର ହେବାକୁ ମୋତେ ସମୟ ଲାଗୁଛି ।”

 

“ନାଁ...ଭ୍ରମ କରୁଛନ୍ତି ମହାଶୟ ! ଭଗବାନ ଧନବାନ ଧନହୀନର ବିଚାର କରନ୍ତୁ ନାହିଁ । ସେ ବିଚାର କରନ୍ତିଭାବ ଅଭାବର, ସେ ଭାବକୁ ନିକଟ ଅଭାବକୁ ଦୂର ।”

 

–ଠିକ୍ କହିଛନ୍ତି ସନ୍ନ୍ୟାସୀ । ତଥାପି ମୁଁ ଭାବର ପାବଚ୍ଛରେ ଆରୋହଣ କରି ତାଙ୍କ ନିକଟରେ ପହଞ୍ଚିପାରି ନାହିଁ ।”

 

–‘‘ଆପଣଙ୍କର ଏହି ଭାବ ହିଁ ଭାବର ପ୍ରତୀକ ମହାଶୟ ।”

 

ଏତକ ଶୁଣୁ ଶୁଣୁ ଭଦ୍ରବ୍ୟକ୍ତି ଯୁବକ ସନ୍ନ୍ୟାସୀ ଜୟଦେବଙ୍କ ପଦଧୂଳି ନେଇ ମୁଣ୍ଡରେ ଲଗାଇଲେ । କହିଲେ–“ସନ୍ନ୍ୟାସୀ ! ଆପଣଙ୍କ କଥା ମୁଁ ଶ୍ରବଣ କରିଛି ଏବଂ ଏକ ପ୍ରସ୍ତାବ ଦେବାପାଇଁ ମନରେ ସ୍ଥିର କରିଛି । ଦୟାକରି ଗ୍ରହଣ କଲେ ଅପାର ଆନନ୍ଦ ଅନୁଭବ କରନ୍ତି ।”

 

–“କୁହନ୍ତୁ ମହାଶୟ !”

 

–“ପ୍ରସ୍ତାବ ଗ୍ରହଣ ନକଲେ ମନରେ ଦୁଃଖ ଜାତ ହେବ ନିଶ୍ଚୟ ।”

 

–“ପ୍ରତିଶ୍ରୁତି ଦେଉଛି ମୁଁ, ପ୍ରସ୍ତାବ ନିଶ୍ଚୟ ଗ୍ରହଣ କରିବି ।”

 

–“ଆପଣଙ୍କ ଆଶ୍ରୟସ୍ଥଳ ବାଙ୍କୀମୁହାଣୀ ନଦୀ ତଟରେ ମୁଁ ଏକ କ୍ଷୁଦ୍ର କୁଟୀର ନିର୍ମାଣ କରିଦେବି । ସେଠାରେ ଆପଣ ଅବସ୍ଥାନ କରିବେ ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା ଧୂପ ଉଠିବା ପରେ ସେବନ ପାଇଁ ଦୁଇଟି ମହାପ୍ରସାଦ କୁଡ଼ୁଆ ଆପଣଙ୍କ ପାଇଁ ଖଞ୍ଜା କରିଦେବି । ତାହା ଗ୍ରହଣ କରିବେ । ଜଣେ ଧନଶାଳୀ ବ୍ୟକ୍ତିର ଦାନ ବୋଲି ପ୍ରତ୍ୟାଖ୍ୟାନ କରିବେ ନାହିଁ ।”

 

ପ୍ରସ୍ତାବଟି ଶ୍ରବଣକରି ସାମାନ୍ୟ ସମୟ ଚିନ୍ତାକଲେ ଜୟଦେବ । ତା’ପରେ ଦୀର୍ଘନିଃଶ୍ୱାସ ପକାଇ କହିଲେ–“ସବୁ ସେହି ମହାପ୍ରଭୁଙ୍କର କରୁଣା ମହାଶୟ ! ତାଙ୍କରି ଇଚ୍ଛା ହିଁ ପୂର୍ଣ୍ଣ ହେଉ !”

 

ଆନନ୍ଦର ହୋଇଉଠିଲେ ଭଦ୍ରବ୍ୟକ୍ତି । କହିଲେ–“ଆସନ୍ତାକାଲି କୁଟୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସନ୍ନ୍ୟାସୀ ! ମୁଁ ନିଜେ ଉପସ୍ଥିତ ରହି ସେ କାର୍ଯ୍ୟର ତଦାରଖ କରିବି ।”

 

ନୀରବ ରହିଲେ ଯୁବକ ସନ୍ନ୍ୟାସୀ ଜୟଦେବ । ଭାବିଲେ ମନେ ମନେ ହୁଏତ ସେହି ପ୍ରଭୁ ଜଗନ୍ନାଥଙ୍କର ଦୟା । ତେଣୁ ଆପତ୍ତି କରିବା ପାଇଁ ଆଉ କଣ୍ଠରେ ଭାଷା ନଥିଲା ତାଙ୍କର ।

 

ପରଦିନ ଭଦ୍ରବ୍ୟକ୍ତି ନିଜେ ବାଙ୍କୀମୁହାଣୀ ନଦୀ ବନ୍ଧରେ ଉପସ୍ଥିତ ରହି କୁଟୀର ନିର୍ମାଣ କରିଦେଲେ, ସନ୍ଧ୍ୟା ଧୂପ ଶେଷରେ ଦୁଇଟି ଅବଢ଼ା କୁଡ଼ୁଆର ଖଞ୍ଜା କରିଦେଲେ ।

 

ଏଇ ସୁଯୋଗ ଲାଭକରି ଜୟଦେବ ଇଷ୍ଟଦେବ ଆରାଧ୍ୟ ରାଧାମାଧବଙ୍କୁ ସ୍ଥାପନ କଲେ କୁଟୀର ମଧ୍ୟରେ ଏବଂ ଗ୍ରହଣ କଲେ ଖଞ୍ଜା ଯାଇଥିବା ଅବଢ଼ା କୁଡ଼ୁଆ ।

 

ସେହିଦିନଠାରୁ ପ୍ରଭାତରୁ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ଜୟଦେବ ପ୍ରତ୍ୟାବର୍ତ୍ତନ କରନ୍ତି କୁଟୀରକୁ । ସେଠାରେ ରାଧାମାଧବଙ୍କ ସେବାଶେଷରେ ଯାତ୍ରା କରନ୍ତି ଶ୍ରୀମନ୍ଦିର । ଶ୍ରୀମନ୍ଦିରରେ ଭଜନ ଗାନ କରି କରି ସମୟ ବିତେ । ତା’ପରେ ଅବଢ଼ା କୁଡ଼ୁଆ ଦୁଇଟି ଧରି ଫେରନ୍ତି ରାତ୍ରିରେ ସେହି କ୍ଷୁଦ୍ର କୂଟୀରକୁ ।

 

ଯୁବକ ସନ୍ନ୍ୟାସୀଙ୍କ କୋଳରୁ ମୁଣ୍ଡ ଉଠାଇ କହିଲେ ପଦ୍ମାବତୀ–“ପ୍ରଭୁ ! ଆପଣଙ୍କ କାହାଣୀ ଶ୍ରବଣ କରୁ କରୁ ରାତ୍ରି ଶେଷ ହୋଇଯାଇଛି । ଚତୁର୍ଦ୍ଦିଗରେ ବିଛାଡ଼ି ହୋଇପଡ଼ିଛି ସୂର୍ଯ୍ୟକିରଣ । ଆଉ ନଦୀରେ ସ୍ନାନ ଶେଷକରି ରାଧାମାଧବଙ୍କ ପୂଜା ପରେ ଶ୍ରୀମନ୍ଦିରରେ ସକାଳ ଧୂପ ସମୟରେ ପହଞ୍ଚିବା ସମ୍ଭବପର ହେବନାହିଁ ।”

 

ପଦ୍ମାବତୀଙ୍କ କଥାରେ ଅପ୍ରସ୍ତୁତ ହୋଇପଡ଼ିଲେ ଜୟଦେବ । କହିଲେ–“ମୁଁ ନିଜର କାହାଣୀ କହୁ କହୁ ବାହ୍ୟଜ୍ଞାନ ହରାଇଥିଲି ପଦ୍ମା ! ଫଳରେ ସମଗ୍ର ରଜନୀ ଗୋଟିଏ ମୁହୂର୍ତ୍ତ ପରି ବିତିଯାଇଛି । କର୍ତ୍ତବ୍ୟ ମଧ୍ୟ ଭୁଲିଯାଇଛି ମୁଁ ।”

 

–“ନାଁ ପ୍ରଭୁ, ଆପଣ କର୍ତ୍ତବ୍ୟହୀନ ହୋଇନାହାନ୍ତି । କର୍ତ୍ତବ୍ୟ ପାଳନପାଇଁ ନୂତନ ସମ୍ଭାବନା ସୃଷ୍ଟି ହୋଇଛି ।”

 

–“ତୁମ କଥା ମୁଁ ବୁଝିପାରିଲି ନାହିଁ ପଦ୍ମା !”

 

–“ପ୍ରଭୁ ! ମହାପ୍ରଭୁ ଜଗନ୍ନାଥଙ୍କର ଆଦେଶ–ଆପଣ ତାଙ୍କର ଜୟଗାନ କରିବେ । ତାଙ୍କ ଗୁଣ କୀର୍ତ୍ତନ କରିବେ । ଦୁର୍ଲଭ ଗୋବିନ୍ଦ ଗାଥାକୁ ଲେଖନୀ ମୁନରେ ରୂପ ଦେବେ । କିନ୍ତୁ ପ୍ରଭାତରୁ ରାତ୍ରି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବିତାଇଲେ ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ କିପରି ପ୍ରଭୁ ?”

 

–“ପଦ୍ମାବତୀ ! ତୁମେ କ’ଣ କହୁଛ ମୁଁ ଶ୍ରୀମନ୍ଦିରକୁ ଯାତ୍ରା ନକରି କୁଟୀରରେ ବସି ରହିବି ?”

 

–“ନା ପ୍ରଭୁ ! ଆପଣ ବ୍ରାହ୍ମମୁହୂର୍ତ୍ତରୁ ନିଦ୍ରା ତେଜି ସେହି ଅପୂର୍ବର ରସମୟ ଗୀତଗୋବିନ୍ଦ ରଚନାରେ ସମାଧିସ୍ଥ ହେବେ । ତତ୍ପରେ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ରାଧାମାଧବଙ୍କ ପୂଜା କରିବେ ଏବଂ ଯାତ୍ରା କରିବେ ଶ୍ରୀମନ୍ଦିର । ପୁଣି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ରଚନା କରିବେ ସେହି ଅମର ସଙ୍ଗୀତ ।”

 

ଆନନ୍ଦିତ ହୋଇଉଠିଲେ ଜୟଦେବ । କହିଲେ–“ତୁମେ ଠିକ୍‍ କହିଛ ପଦ୍ମା ! ଆଜିଠାରୁ ତାହାହିଁ ହେବ । ମୁଁ ପ୍ରଥମେ ବ୍ରାହ୍ମମୂହୂର୍ତ୍ତରୁ ବସିବି ମୋର ସାଧନାରେ ଗୋବିନ୍ଦ ଗାଥା ବର୍ଣ୍ଣନା ପାଇଁ । ତା’ପରେ ଆଗେଇବି କର୍ତ୍ତବ୍ୟ ପଥରେ ।”

 

–“ତେବେ ମୁଁ ଆସନ ପକାଇଦେଉଛି । ତାଳପତ୍ର ଖେଦା ଏବଂ ଲେଖନୀ ସଜାଡ଼ି ରଖୁଛି । ଆପଣ ସାଧନାରେ ବସନ୍ତୁ ପ୍ରଭୁ ।” କହୁ କହୁ ଆସନ ପକାଇ ତାଳପତ୍ର ପୋଥି ଏବଂ ଲେଖନୀ ସଜାଇ ରଖିଦେଲେ ପଦ୍ମାବତୀ ।

 

ଭାବବିଦଗ୍‌ଧ ଜୟଦେବ ଉଠିଯାଇ ବସିଲେ ଆସନ ଉପରେ । ଆରମ୍ଭ କଲେ ଗୀତଗୋବିନ୍ଦର ସେହି ଅମର ଅଜେୟ ଅବିନଶ୍ୱର ପଂକ୍ତି–

 

“ମେଘୈର୍ମେଦୁରିମମ୍ବରଂ ବନଭୂବଃ ଶ୍ୟାମସ୍ତମାଳଦ୍ରୂମୈ

ନକ୍ତଂ ଭୀରୁରୟଂ ତ୍ୱମେବ ତଦିମଂ ରାଧେ ଗୃହଂ ପ୍ରାପୟ

ଇତ୍‌ଥଂ ନନ୍ଦନୀଦେଶତଶ୍ଚଳିତୟେଃ ପ୍ରତ୍ୟଧ୍ୱକୁଞ୍ଜଦ୍ରୂମଂ

ରାଧାମାଧବୟୋ ଜୟନ୍ତି ଯମୁନା କୂଳେ ରହଃ କେଳୟଃ

ବାଗ୍‌ଦେବତା ଚରିତ ଚିତ୍ରର ଚିତ୍ତସଦ୍ମା

ପଦ୍ମବତୀ ଚରଣ ଚାରଣ ଚକ୍ରବର୍ତ୍ତୀ ।”

 

ତତ୍ପରେ ଲେଖା ବନ୍ଦ କରି ଉଠିଗଲେ ଜୟଦେବ ବାଙ୍କୀମୁହାଣୀ ନଦୀରେ ସ୍ନାନ ପାଇଁ । ପଦ୍ମାବତୀ ସଜାଇ ରଖିଲେ ତାଳପତ୍ର ପୋଥି ଏବଂଲେଖନୀକୁ ଯଥା ସ୍ଥାନରେ I ଅଳ୍ପ ସମୟ ମଧ୍ୟରେ ଯୁବକ ସନ୍ନ୍ୟାସୀ ଜୟଦେବ ସ୍ନାନ ଶେଷକରି ଫେରିଆସି କୁଟୀରର ରାଧାମାଧବଙ୍କ ସେବାରେ ବସିଲେ ଓ ସେବାଶେଷରେ ପଦ୍ମାବତୀଙ୍କଠାରୁ ବିଦାୟ ନେଇ ଯାତ୍ରା କଲେ ଶ୍ରୀମନ୍ଦିର ।

 

ଜୟଦେବ ଶ୍ରୀମନ୍ଦିରକୁ ଯାତ୍ରା କରିବା ପରେ ସତୀ ପଦ୍ମାବତୀ ପ୍ରଭୁ ରାଧାମାଧବଙ୍କୁ ପ୍ରସ୍ଫୁଟିତ କୁସୁମ ରାଜିରେ ମଣ୍ଡିଦେଇ ଭକ୍ତିଭରା ଚିତ୍ତରେ ପ୍ରଣତି ଜଣାଇଲେ ଏବଂ ସଜାଡ଼ି ବସିଲେ କୁଟୀରର ଆସବାବପତ୍ର ।

 

ଏସବୁ ନିତିଦିନର କାର୍ଯ୍ୟ ଶେଷ ପରେ ବିଶ୍ରାମ ନେବା ପାଇଁ ଆସନ ପକାଇ ବସିଲେ ପଦ୍ମାବତୀ । ହଠାତ୍ ତାଙ୍କ ମନରେ ଆଗ୍ରହ ଜାତ ହେଲା ସ୍ୱାମୀଙ୍କ ରଚିତ ନୂତନ ଶ୍ଳୋକ ପାଠ କରିବା ପାଇଁ । ଉଠିଯାଇ ପୋଥିଟିକୁ ଆଣି ପାଠକରି ବସିଲେ ସେ । ଚମକି ପଡ଼ିଲେ ଶେଷ ପଦଟି ପାଠ କରି । ଏ କ’ଣ ଲେଖିଛନ୍ତି ସ୍ୱାମୀ ! ! ଭକ୍ତ ଶିରୋମଣି କବିଶ୍ରେଷ୍ଠ ଜୟଦେବ କ’ଣ ଛାର ପଦ୍ମାବତୀର ଚରଣ ସେବକ ? ଅସମ୍ଭବ, ଶୃଙ୍ଗାର ରସାଶ୍ରିତ ପବିତ୍ର ଗୋବିନ୍ଦ ଗାଥାରେ ଛାର ପଦ୍ମାବତୀ ସ୍ଥାନ ପାଇପାରି ନପାରେ । ଏପରି ପଦ ସଂଯୋଜନାରେ ଅପବିତ୍ର ହୋଇଯିବ ଗୋବିନ୍ଦ ଗାଥା ।

 

ଉତ୍ତେଜନାରେ ଠିଆହୋଇପଡ଼ି କ୍ଷିପ୍ର ଗତିରେ ପଦଚାରଣ କରିବାକୁ ଲାଗିଲେ ସେ । ଭାବୁଥିଲେ ମନେ ମନେ–ଲିଖିତ ପୋଥିର ପତ୍ରଟିକୁ ଟିକ୍‍ଟିକ୍ କରି ଛଡ଼ାଇ ବାଙ୍କୀମୁହାଣୀ ନଦୀରେ ଭସାଇଦେବ । ସାମାନ୍ୟ ଜଣେ ରମଣୀ ହୋଇ ଜୟଦେବଙ୍କ ପରି ବିରାଟ ପ୍ରତିଭା ଦେହରେ କଳଙ୍କର ପ୍ରଲେପ ଦେବାକୁ ମୁଁ କିଏ ?

 

କିନ୍ତୁ ପର ମୁହୂର୍ତ୍ତରେ ବାଧା ଦେଉଥିଲା ବିବେକ । ଏ କ’ଣ ଚିନ୍ତା କରୁଛ ପଦ୍ମାବତୀ ! ଜୟଦେବ ସେ ସାମାନ୍ୟ ବ୍ୟକ୍ତି ନୁହଁନ୍ତି । ତାଙ୍କ ରଚନାରେ ତ୍ରୁଟି ଥାଇ ନପାରେ । ମେ ଏପରି ପଦ ସଂଯୋଜନା କାହିଁକି କରିଛନ୍ତି–ଥରେ ତାଙ୍କୁ ପଚାରି ବୁଝ । ତା’ପରେ ଅଭିଯୋଗ କର ।

 

ଏଥର ବ୍ୟସ୍ତ ହୋଇ ମୁହଁମାଡ଼ି ଭୂମି ଉପରେ ଶୋଇପଡ଼ିଲେ ପଦ୍ମାବତୀ । ମୁଣ୍ଡ ଉପରେ ମାଡ଼ି ବସୁଥିଲା ଦୁଶ୍ଚିନ୍ତାର ଭୂତ । ଆଖିରୁ ଲୋତକ ଝରି ଭିଜାଇ ଦେଉଥିଲା ଗଣ୍ଡଦେଶ । ଘନଘନ ବହୁଥିଲା ନିଃଶ୍ୱାସ ହୃଦୟ ଥରାଇ । ଏମିତି ବହୁ ସମୟ ଶୟନ କରିବା ପରେ ନିଦ୍ରିତା ହୋଇଛନ୍ତି ସେ । ଦିନ ଶେଷ ହୋଇ ରାତ୍ରି ଆସିଛି । ତଥାପି ନିଦ୍ରା ଭଙ୍ଗ ହୋଇନାହିଁ ! ଅନେକ ଦିନର ନିଦ୍ରାହୀନ ଶରୀରର କ୍ଳାନ୍ତି ହିଁ ତାଙ୍କୁ ବିଶ୍ରାମ ଯୋଗାଇଛି ଅଲକ୍ଷ୍ୟରେ ।

 

ଏଣେ ଶ୍ରୀମନ୍ଦିରରେ ଭଜନ ଗାନ ଶେଷକରି ହାତରେ ଦୁଇଟି ଅବଢ଼ା କୁଡ଼ୁଆ ଧରି ଫେରିଛନ୍ତି ଜୟଦେବ । କୁଟୀରର ମାଟି ଚଟାଣ ଉପରେ ସୁନ୍ଦରୀ ପଦ୍ମାବତୀ ଶୟନ କରିଥିବାର ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଛନ୍ତି ସେ । କୁଡ଼ୁଆ ଦୁଇଟିକୁ ସଜାଡ଼ି ରଖି ଧୀର ଗଳାରେ ଡାକିଛନ୍ତି ଜୟଦେବ–“ପ୍ରିୟେ ପଦ୍ମା ! ଗତ କେତେଦିନ ଉନିଦ୍ର ରହି ଖୁବ୍‌ କ୍ଳାନ୍ତ ହୋଇପଡ଼ିଛ ତୁମେ । ଉଠ ପ୍ରିୟେ ! ମହାପ୍ରସାଦ ସେବନ କରି ପୁଣି ଶୟନ କର ।”

ଜୟଦେବଙ୍କ ଡାକରେ ଚମକି ଲଜ୍ଜିତା ହୋଇ ଉଠିପଡ଼ିଲେ ପଦ୍ମାବତୀ । ପ୍ରଶ୍ନ କଲେ ଜୟଦେବ–“ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ିଛ ତୁମେ । ନୁହେଁ ?

–“ନାଁ ପ୍ରଭୁ, ମୁଁ କ୍ଳାନ୍ତ ନୁହେଁ ଅନୁତପ୍ତ ।”

–“ଅନୁତପ୍ତ ?”

–“ହଁ ପ୍ରଭୁ ! ଆପଣଙ୍କ କୁଟୀରରେ ଆଶ୍ରୟ ଗ୍ରହଣ କରି ମୁଁ ଅନୁତପ୍ତ ।”

–“ପଦ୍ମାବତୀ !!” କମ୍ପିତ ହେବାରେ ଲାଗିଲା ଜୟଦେବଙ୍କର ସମଗ୍ର ଶରୀର ।

–‘‘ମୁଁ ଜଣେ ଛାର ଅକିଞ୍ଚନ ଯୁବତୀ ! ଏ ଆଶ୍ରମରେ ସ୍ଥାନଲାଭ କରି ଆଶ୍ରମକୁ ଅପବିତ୍ର କରିଛି ପ୍ରଭୁ !”

–“ତୁମର ଏ ଉକ୍ତି ମୁଁ ସହ୍ୟକରି ପାରୁନାହିଁ ପଦ୍ମା, ମୁଁ ଯେ ତୁମ ପ୍ରେମ ବନ୍ଧନରେ ବନ୍ଦୀ ହୋଇସାରିଛି ।”

“ସେଥିପାଇଁ ମୁଁ ଲଜ୍ଜିତା ପ୍ରଭୁ ।”

–“କିନ୍ତୁ କାହିଁକି ? ମୁଁ କି ଅପରାଧ କଲି ପଦ୍ମା ?”

–“ଆପଣ ଅପରାଧ କରିନାହାନ୍ତି ପ୍ରଭୁ ! ଅପରାଧ କରିଛି ମୁଁ ।”

–“ତୁମେ କି ଅପରାଧ କରିଛ ପଦ୍ମା–କୁହ ? ସେ ଅପରାଧର ମଧ୍ୟ ମୁଁ ଭାଗୀଦାର ହେବି ।”

–“ପ୍ରଭୁ !”

–“କୁହ ପଦ୍ମା ।

–“ମୁଁ ଯେ ଆପଣଙ୍କର ପଦ ସେବିକା, ପ୍ରଭୁ ରାଧାମାଧବଙ୍କର ପଦସେବିକା ।”

–“ମୁଁ ମଧ୍ୟ ତୁମର ସେବକ ଏବଂ ପ୍ରଭୁ ରାଧାମାଧବଙ୍କର ସେବକ ।”

–“ନାଁ...ନାଁ...ଆପଣ ପଦ୍ମାବତୀ ଚରଣଚାରଣ ଚକ୍ରବର୍ତ୍ତୀ ନୁହନ୍ତି ପ୍ରଭୁ ! ଆପଣ ରାଧାମାଧବଙ୍କ ଚରଣଚାରଣ ଚକ୍ରବର୍ତ୍ତୀ । ମୁଁ ଆପଣଙ୍କ ପଦସେବିକା । ଏଭଳି ରଚନା ପାଇଁ ଅପରାଧ ମୋର ପ୍ରଭୁ ! ମୋତେ କ୍ଷମାକରନ୍ତୁ ।”

 

ପଦ୍ମାବତୀଙ୍କ ମନ ଦୁଃଖର କାରଣ ବୁଝି ହସିଲେ ଜୟଦେବ । କହିଲେ–“ନାଁ ପ୍ରିୟେ ! ମୋ ରଚନାରେ ଭ୍ରମ ନାହିଁ । କ୍ଷଣିକ ଉତ୍ତେଜନାରେ ମୁଁ ଏପରି ରଚନା କରିନାହିଁ । ଅପୂର୍ବ ଶୃଙ୍ଗାର ରସ ସମ୍ବଳିତ ରାଧା ଗୋବିନ୍ଦଙ୍କ ଲୀଳାକୁ ରୂପ ଦେବା ପାଇଁ ତୁମେ ହେବ ଶକ୍ତିସ୍ୱରୂପା । ମୋର କାବ୍ୟ ସୃଷ୍ଟି ସମୟରେ ରାଈବିନୋଦିନୀ ଆହ୍ଲାଦିନୀ ଶକ୍ତି ରାଧା ବିରାଜିତା ହେବେ ତୁମରି ଅଙ୍ଗରେ-। ତାଙ୍କୁ ହିଁ ମାନସ ଚକ୍ଷୁରେ ଦର୍ଶନ କରି ମୁଁ ରଚନା କରିବି ମୋର ସେହି ପରିକଳ୍ପିତ ଗୋବିନ୍ଦ ଗାଥା ।”

 

–“ପ୍ରଭୁ !” ଅପଲକ ନେତ୍ରରେ ଚାହିଁଥିଲେ ପଦ୍ମାବତୀ ।

 

–“ଏଥର କୁହ ପଦ୍ମାବତୀ ! ମୁଁ ତୁମର ପଦସେବକ ଏବଂ ତୁମେ ମୋର ପଦସେବିକା କି ନୁହଁ ?”

 

ଲଳିତ ଅଧର ପୁଟରେ ହସ ଫୁଟାଇ ଅପଲକ ନେତ୍ରରେ ଚାହିଁ ରହିଲେ ପଦ୍ମାବତୀ ।

 

ପଦ୍ମାବତୀଙ୍କ ଚୂର୍ଣ୍ଣ କୁନ୍ତଳ ଉପରେ ହସ୍ତ ସଞ୍ଚାଳନ କରି କହିଲେ କାବ୍ୟ ଶିଳ୍ପୀ ଜୟଦେବ–‘‘ପ୍ରିୟେ ପଦ୍ମା ! ତୁମର ନିର୍ମଳ ପ୍ରେମ ରସକୁ ଆଧାର ରୂପେ ଗ୍ରହଣ କରି ମୁଁ ରଚନା କରିବି ଏହି ଶୃଙ୍ଗାର ରସ ଶ୍ରେଷ୍ଠ ଗୋବିନ୍ଦ ଗାଥା । ନବ ରସ ମଧ୍ୟରେ ଶ୍ରେଷ୍ଠ ରସ ଶୃଙ୍ଗାର । ତା’ର ବିସ୍ତୁତ ବର୍ଣ୍ଣନାରେ ପ୍ରୀତିପଦ ହେବ ଏହି କାବ୍ୟ । ଏପରିକି ଶୃଙ୍ଗାର ରସର ଶ୍ରେଷ୍ଠ କବି ଗୋବର୍ଦ୍ଧନାଚାର୍ଯ୍ୟଙ୍କ ରଚନାକୁ ଏ ରଚନା ବଳିପଡ଼ିବ ।”

 

–‘‘କେବଳ କ’ଣ ଶୃଙ୍ଗାର ରସ ପାଇଁ ଶ୍ରେଷ୍ଠ ବିବେଚିତ ହେବ ଗୀତଗୋବିନ୍ଦ ?” କହିଲେ ପଦ୍ମାବତୀ ।

 

–“ନାଁ ପ୍ରିୟେ ! ଲଳିତ ପଦ ସଂଯୋଜନା ଏବଂ ସାଙ୍ଗୀତିକତାରେ ଗୀତ ଗୋବିନ୍ଦ, କବି ଉମାପତି ଏବଂ ସଙ୍ଗୀତ ବିଶାରଦ ଧୋୟୀଙ୍କୁ ମଧ୍ୟ ବଳିପଡ଼ିବ । ଅବତାରୀ ଶ୍ରୀକୃଷ୍ଣ ହେବେ କାବ୍ୟର ନାୟକ ଏବଂ ପ୍ରେମମୟୀ ରାଧିକା ସୁନ୍ଦରୀ ହେବେ ନାୟିକା ।”

 

–ତେବେ କ’ଣ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ବିବରଣରୁ ପୁଣି କାବ୍ୟ ଆରମ୍ଭ ହେବ ?”

 

–ନାଁ ପ୍ରିୟେ ! ଶ୍ରୀକୃଷ୍ଣ ଏବଂ ରାଧିକା ସୁନ୍ଦରଙ୍କର ପ୍ରଥମ ଚାରିଚକ୍ଷୁ ମିଳନର ସୂଚନା ମୁଁ ପ୍ରଦାନ କରିଛି । ତା’ପରେ ପୂର୍ବ ରଚିତ ଦଶଅବତାର ଶ୍ଳୋକ ତାହା ଦେହରେ ଯୋଡ଼ାଯିବ ଓ ମିଳନ ପରେ ବିଚ୍ଛେଦ ହୋଇ ପୁନର୍ମିଳନରେ ଶେଷ ହେବ କାବ୍ୟ ।”

 

–ସବୁ ଶୁଣି ଆନନ୍ଦିତ ହେଲି ପ୍ରଭୁ ! ଅଜ୍ଞାନ ଗୁଣରେ ମୋର ଅଭିଯୋଗ ପାଇଁ ମୋତେ କ୍ଷମା କରନ୍ତୁ ।’’

 

ହସିଲେ ଜୟଦେବ । କହିଲେ–“ନାଇଁ ପ୍ରିୟେ ! ମନରେ ପ୍ରଶ୍ନ ଉଠିବା ପରେ ମନର କୋହ ମନରେ ଚାପି ନରଖି ଠିକ୍ କରିଛ । ତୁମର ଭ୍ରମ ଦୂର ହୋଇଛି ।”

 

ଜୟଦେବଙ୍କ ଉତ୍ତରରେ ଆନନ୍ଦିତା ହେଲେ ପଦ୍ମାବତୀ । ଆଉ କାଳବିଳମ୍ବ ନକରି ବ୍ୟବସ୍ଥା କଲେ ପ୍ରସାଦ ସେବନର । ପ୍ରସାଦ ସେବନ ପରେ ପଦ୍ମାବତୀ ପକାଇଦେଲେ ସାଧନା ପାଇଁ ଆସନ, ରଖିଦେଲେ ତାଳପତ୍ର ପୋଥି ଏବଂ ଲେଖନ ।

 

ବିଭୁ ପ୍ରେମବିଦଗ୍‌ଧ ଜୟଦେବ ବସିଥିଲେ ଶ୍ରୀ ଗୀତଗୋବିନ୍ଦ ରଚନାପାଇଁ । ଲେଖିଲେ ସେ–

 

“ଶ୍ରୀତକମଳା କୁଚମଣ୍ଡଳ ! ଧୃତ କୁଣ୍ଡଳ

କଳିତ ଲଳିତ ବନମାଳ ! ଜୟ ଜୟ ଦେବ ହରେ ।

ଦିନମଣିମଣ୍ଡଳମଣ୍ଡନ ! ଭବ ଖଣ୍ଡନ

ମୁନିଜନ ମାନସ ହଂସ ! ଜୟ ଜୟ ଦେବ ହରେ ।

କାଳୀୟ ବିଷଧର ଗଞ୍ଜନ ! ଜନରଞ୍ଜନ

ଯଦୁକୁଳନଳିନ ଦିନେଶ ! ଜୟ ଜୟ ଦେବ ହରେ ।”

 

ଶ୍ରୀ ଗୀତଗୋବିନ୍ଦ ରଚନା କରୁ କରୁ କ୍ଳାନ୍ତ ହୋଇ ପୋଥି ଉପରେ ମୁଣ୍ଡ ରଖି ନିଦ୍ରିତ ହୋଇପଡ଼ିଲେ ଜୟଦେବ । ସେତେବେଳକୁ ପ୍ରୀତସ୍ୱରୂପା ସତୀ ପଦ୍ମାବତୀ ମଧ୍ୟ ନିଦ୍ରାରେ ଅଚେତ ହୋଇପଡ଼ିଥିଲେ କୁଟୀରର କାନ୍ଥକୁ ଆଉଜି । ହଠାତ୍ ଏକ ସ୍ଵପ୍ନ ଦେଖିଲେ ସେ–ରାଈ ବିନୋଦିନୀ ରାଧିକା ଶ୍ରୀକୃଷ୍ଣଙ୍କ ବିହୁନେ ନିର୍ଜନ କୁଞ୍ଜଲତା ତଳେ ବିରହ ଜ୍ୱାଳାରେ ସନ୍ତାପିତ ହେଉଥିବା ବେଳେ ତୁମେ ଆନନ୍ଦରେ ଶୟନ କରିଛ କିପରି ? ଉଠ ସତୀ । ସହଚରୀ ସାଜି ସୁହାଗିନୀ ରାଧିକାଙ୍କୁ ବ୍ରଜବାଳୀ କୁଞ୍ଜର ସନ୍ଦେଶ ପ୍ରଦାନ କର ।

 

ନିଦ ଭାଙ୍ଗିଗଲା ପଦ୍ମାବତୀଙ୍କର । ଦେଖିଲେ ସେ–ପୋଥି ଉପରେ ମୁଣ୍ଡ ରଖି ଶୟନ କରିଛନ୍ତି ପତି ଜୟଦେବ । ରାତ୍ରି ଶେଷ ହୋଇଆସିଛି । ବିକଳରେ ଡାକିଲେ ସେ–ପ୍ରଭୁ ! ବ୍ରାହ୍ମ ମୁହୂର୍ତ୍ତ ଉପସ୍ଥିତ । ଉଠନ୍ତୁ ପ୍ରଭୁ, ବିରହଣୀ ରାଧିକାଙ୍କୁ ସନ୍ଦେଶ ପ୍ରଦାନ କରନ୍ତୁ ସେହି ବରଜବିହାରୀ ବନମାଳୀଙ୍କ ସମ୍ପର୍କରେ ।

 

ନିଦ୍ରା, ତେଜି ଉଠିଲେ ଜୟଦେବ । ଅପ୍ରସ୍ତୁତ ହୋଇପଡ଼ିଲେ ନିଜର ଅସଂଯତ ଶୟନ ପାଇଁ । କହିଲେ–ପ୍ରିୟେ ! ଋତୁରାଜ ବସନ୍ତ ସମୟରେ, ବ୍ରଜବାଳୀ କୁଞ୍ଜରେ ପ୍ରଭୁ ଶ୍ରୀକୃଷ୍ଣ ବିହାର କରୁଥିବା ସମୟରେ ସତୀ ଶିରୋମଣି ରାଧିକାଙ୍କ ଦୁଃଖ ମୋତେ ଅବଶ କରିପକାଇଲା । କେତେବେଳେ ନିଦ୍ରାରେ ଅଚେତ ହୋଇପଡ଼ିଲି–ମୁଁ ନିଜେ ଜାଣିପାରିଲି ନାହଁ ।

 

–“ମୁଁ ସଖୀ ସାଜି ବିରହଣୀ ରାଧିକାଙ୍କ ନିକଟରେ ବ୍ରଜବାଳୀ କୁଞ୍ଜରେ କୁଞ୍ଜବିହାରୀଙ୍କ ରୂପ ବର୍ଣ୍ଣନା କରୁଛି ପ୍ରଭୁ ! ଆପଣ ଲେଖନୀ ଧରନ୍ତୁ । ଆରମ୍ଭ କରନ୍ତୁ ସେହି ଅମର କାହାଣୀ–ବସନ୍ତ ରାସର ବିବରଣୀ ।”

 

–“ଠିକ୍ କହିଛ ପ୍ରିୟେ । ତୁମେ ରାଧିକାଙ୍କ ନିକଟରେ କୁଞ୍ଜବିହାରୀଙ୍କ ରୂପ ବର୍ଣ୍ଣନା କରିବ, କିନ୍ତୁ ପ୍ରଥମେ ବାଙ୍କୀମୁହାଣୀ ନଦୀର ତଟଦେଶରୁ ରାଧାମାଧବଙ୍କ ପୂଜା ପାଇଁ ପୁଷ୍ପ ଚୟନ କରି ଆଣ, ମୁଁ ବସୁଛି ମୋର ସାଧନାରେ ।”

 

ଜୟଦେବଙ୍କ କଥା ଶୁଣି ଉଠିଗଲେ ପଦ୍ମାବତୀ ବାଙ୍କୀମୁହାଣୀ ନଦୀରେ ସ୍ନାନକରି ପୁଷ୍ପ ଚୟନ ପାଇଁ । ଦେଖିଲେ ଜୟଦେବ ବ୍ରଜବାଳୀ କୁଞ୍ଜରେ କୁଞ୍ଜବିହାରୀଙ୍କ କାହାଣୀ–

 

“ଲଳିତ ଲବଙ୍ଗଲତାପରିଶୀଳନକୋମଳମଳୟସମୀରେ ।

ମଧୁକରନିକରକରମ୍ବିତ କୋକିଳକୁଜିତକୁଞ୍ଜକୁଟୀରେ ।

ବିହରତିହରିରିହ ସରସବସନ୍ତେ

ନୃତ୍ୟତି ଯୁବତିଜନେନ ସମଂ ସଖି । ବିରହିଜନସ୍ୟ ଦୂରନ୍ତେ ।”

 

ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷରେ ସଦ୍ୟ ପ୍ରଷ୍ପୁଟିତ କୁସୁମ ଚୟନ କରି ପଦ୍ମାବତୀ ପ୍ରତ୍ୟାବର୍ତ୍ତନ କରିବା ପରେ ସାଧନାରୁ ଉଠିଲେ ଜୟଦେବ ଏବଂ ଯାତ୍ରା କଲେ ସ୍ନାନ ପାଇଁ । ଏଇ ଅବସରରେ କୁଟୀରଟିରେ ଜଳସିଞ୍ଚନ କରି ଧୌତ କଲେ ପଦ୍ମାବତୀ । ସଜାଇଦେଲେ ପ୍ରଭୁ ରାଧାମାଧବଙ୍କୁ ବିବିଧ ପୁଷ୍ପରେ । ନଦୀରୁ ପ୍ରତ୍ୟାବର୍ତ୍ତନ କରି ପୂଜାରେ ବସିଲେ ସେବକ ଜୟଦେବ-। ତା’ପରେ ଯାତ୍ରାକଲେ ଶ୍ରୀମନ୍ଦିର ଅଭିମୁଖେ ।

 

ଆଉ କାଳବିଳମ୍ବ ନକରି ସତୀ ପଦ୍ମାବତୀ ଆସନରେ ବସି ଗାନକଲେ ସେହି ସଦ୍ୟ ରଚିତ, ଶ୍ରୀ ଗୀତଗୋବିନ୍ଦ ।

 

“ଚନ୍ଦନ ଚର୍ଚ୍ଚିତନୀଳକଳେବର ପୀତବସନବନମାଳୀ

କେଳଚଳନ୍ମଣିକୁଣ୍ଡଳମଣ୍ଡିତ ଗଣ୍ଡଯୁଗସ୍ମିତଶାଳୀ ।

ହରିରିହ ମୁଗ୍‌ଧବଧନିକରେ

ବିଳସିତ ବିଳାସିନୀ କେଳିପୁରେ ।”

 

ଏତିକିବେଳେ କୁଟୀର ଦ୍ଵାରରେ ଡାକ ଛାଡ଼ିଲେ ଦୁଇ ଶିଶୁ “ମାଆ ! ଆମେ ଭୋକିଲା, କ’ଣ ଖାଇବାକୁ ଦିଅ ମାଆ !”

 

ଡାକ ଶୁଣି ଧ୍ୟାନ ଭାଙ୍ଗିଗଲା ପଦ୍ମାବତୀଙ୍କର । ଉଠିପଡ଼ି କୁଟୀର ବାହାରକୁ ଆସିଲେ ସେ । ଦେଖିଲେ ଦୁଇଟି ଶିଶୁ ହାତ ପତାଇ ମାଗୁଛନ୍ତି ଆହାର । କ’ଣ କରିବେ ? କ’ଣ ଦେବେ ସେ ? କ୍ଷୁଧାର୍ତ୍ତ ଅତିଥିଙ୍କୁ ଖାଲି ହାତରେ ଫେରାଇଦେବେ କେମିତି ? ଆଖିରୁ ଲୁହ ଖସିଲା ପଦ୍ମାବତୀଙ୍କର । କଣ୍ଠ ଥରାଇ କହିଲେ ସେ–“ବାବା ! ମୋ ପାଖରେ କିଛି ନାହିଁ । କ’ଣ ଦେବି ତୁମକୁ ଖାଇବା ପାଇଁ ?”

 

–“ତୁମ ଖାଇବା ଜିନିଷରୁ ଆମକୁ କିଛି ଦିଅ ମାଆ ! ଆମେ କାଲିଠାରୁ କିଛି ଖାଇନାହୁଁ-। ଛୁଆ ଲୋକ । ଭୋକ ସମ୍ଭାଳି ହେଉନାହିଁ ।”

 

ଭୋ ଭୋ ହୋଇ କାନ୍ଦିଉଠିଲେ ପଦ୍ମାବତୀ । କହିଲେ–“ବାବା ! ମୋର ମଧ୍ୟ କିଛି ଖାଇବାକୁ ନାହିଁ । ସ୍ଵାମୀ ଶ୍ରୀମନ୍ଦିର ଯାଇଛନ୍ତି । ରାତ୍ରିରେ ଫେରିବେ । ସେ ଯେଉଁ ଅବଢ଼ା କୁଡ଼ୁଆ ଆଣିବେ–ତାହା ହିଁ ହେବ ଆମ ଦୁଇଜଣଙ୍କର ଆହାର ।”

 

“ତା’ହେଲେ କିଛି କଉଡ଼ି ଦିଅ ମାଆ, ଆମେ ଖାଇବା ଜିନିଷ କିଣି ଖାଇବୁ”–କହିଲା ବଡ଼ ପିଲାଟି ।

 

–“କଉଡ଼ି ମୁଁ କେଉଁଠୁ ଆଣିବି ବାବା ! କହିଲି ପରା–ମୋ ପାଖରେ କଛି ନାହିଁ ।”

 

–“ତୁମ ସ୍ୱାମୀ କ’ଣ କିଛି ରେଜଗାର କରନ୍ତି ନାହିଁ ମାଆ ?”

 

ଅପ୍ରସ୍ତୁତ ହୋଇପଡ଼ିଲେ ପଦ୍ମାବତୀ । କଥାଟାକୁ ବୁଲେଇ କହିଲେ “ନାଁ ବାବା ! ଆମର ଭରସା ସେହି ପ୍ରଭୁ ଜଗନ୍ନାଥ ।”

 

–“ଜଗନ୍ନାଥ କ’ଣ ପେଟ ପାଇଁ ଅନ୍ନ ସଂଗ୍ରହକୁ ବାରଣ କରିଛନ୍ତି ମାଆ ? ତୁମ ସ୍ୱାମୀ ଆମ ଭଳି ଭିକ ମାଗୁନାହାନ୍ତି ? ପେଟ ପାଇଁ ଭିକ ମାଗିବା ତ ପାପ ନୁହେଁ ।”

 

ଦୀର୍ଘନିଃଶ୍ୱାସ ପକାଇ ବାଳକ ଦୁଇଟିଙ୍କୁ ଅନାଇ ରହିଥଲେ ପଦ୍ମାବତୀ । ମୁହଁ ବୁଲାଇ ହାତ ପତାଇ ଭିକ୍ଷା ମାଗି ମାଗି ଅଦୃଶ୍ୟ ହୋଇଗଲେ ସେମାନେ । ଏମିତି ଅନେକ ସମୟ ବିତିଗଲା–ନିଜକୁ ନିଜେ କହିଉଠିଲେ ପଦ୍ମାବତୀ–ବାଳକମାନେ ଠିକ୍ କଥା କହଛନ୍ତି । ଭିକ୍ଷାକରି ପେଟ ପୋଷିବା ତ ପାପ ନୁହେଁ । ତା’ହେଲେ ଦିନସାରା ଉପବାସ ରହି ରାତ୍ରିରେ ସେହି ଦୁଇଟି ଅବଢ଼ା କୁଡ଼ୁଆକୁ ଅନାଇ ରହିଥିବୁ କାହିଁକି ? ଜଗନ୍ନାଥଙ୍କ ସେବା, ରାଧାମାଧବଙ୍କ ସେବା ଏବଂ ଗୀତଗୋବିନ୍ଦ ରଚନା ସହିତ କ’ଣ କିଛି ଉପାର୍ଜନ କରିହେବ ନାହଁ ? ପେଟ ପୋଷି ହେବନାହିଁ ? କ୍ଷୁଧାର୍ତ୍ତ ଅତିଥିଙ୍କର କ୍ଷୁଧା ନିବାରଣ କରିହେବ ନାହିଁ ? ସେହି ଜଗନ୍ନାଥଙ୍କ କରୁଣାରୁ ସବୁ ସମ୍ଭବ ହେବ ।

 

ଏକ ଉତ୍ତେଜନାରେ କୁଟୀର ବାହାରୁ ଭିତରକୁ ପଶି ଆସି କାନ୍ଥକୁ ଆଉଜି ବସିପଡ଼ିଲେ ପଦ୍ମାବତୀ । ଅବଚେତନ ମନ ଭିତରେ ଲହଡ଼ି ଭାଙ୍ଗୁଥିଲା ଭାବନାର ଅସଂଖ୍ୟ ଜୁଆର । ଏମିତି ସମଗ୍ର ଦିନ ବିତିଗଲା ।

 

ରାତ୍ରିର ଦ୍ୱିତୀୟ ପ୍ରହରରେ ଶୂନ୍ୟ ହସ୍ତରେ କୁଟୀରରେ ପ୍ରବେଶ କଲେ ଜୟଦେବ । ତାଙ୍କ ମନରେ ମଧ୍ୟ ସବୁଦିନର ସରସତା ନଥିଲା । ଧୀର ଗଳାରେ କହିଲେ ସେ–“ପ୍ରିୟେ ପଦ୍ମା ! ମୁଁ ଜଣେ ଉପାର୍ଜନହୀନ ଅପଦାର୍ଥ ସ୍ଵାମୀ । ତୁମକୁ ଗୋଟାଏ ଓଳି ଆହାର ଯୋଗାଇବା ମଧ୍ୟ ମୋ ପକ୍ଷରେ ସମ୍ଭବପର ହୋଇନାହିଁ ।”

 

–“ସ୍ଵାମୀ !” ଚମକିପଡ଼ି କହିଉଠିଲେ ପଦ୍ମାବତୀ ।

 

–“ହଁ ପଦ୍ମା । ଆଜି ଶୂନ୍ୟ ହସ୍ତରେ ମୁଁ ଫେରିଛି । କେବଳ ବାଙ୍କୀମୁହାଣୀ ନଦୀର ଜଳ ପାନକରି ଶୟନ କରିବା ଛଡ଼ା ଆଉ ଉପାୟ ନାହିଁ ପଦ୍ମା !”

 

–“ସେଥିପାଇଁ ମୋ ମନରେ ଦୁଃଖ ନାହିଁ ପ୍ରଭୁ !”

 

–“ମୁଁ ଜାଣେ–କ୍ଷୁଧାରେ ତୁମେ ଅଧୀରା ନୁହଁ, ତଥାପି ।”

 

–“କୁହନ୍ତୁ ପ୍ରଭୁ !”

 

–“ମୋର ଭଜନଗାନ ଶୁଣି ଜଣେ ବଦାନ୍ୟ ବ୍ୟକ୍ତି ପାରେଶ୍ୱର ଆଚାର୍ଯ୍ୟ ମୋ ପାଇଁ ନିତିଦିନ ଦୁଇଟି ଅବଢ଼ା କୁଡ଼ୁଆ ଖଞ୍ଜାକରି ଦେଇଥିଲେ । ପ୍ରତ୍ୟେକ ଦିନ ରାତ୍ରିରେ ମୁଁ ତାହା ଲାଭ କରୁଥିଲି । କିନ୍ତୁ ଗତ ରାତିରେ ଭକ୍ତ ପାରେଶ୍ୱର ଆଚାର୍ଯ୍ୟଙ୍କର ଦେହାନ୍ତ ହୋଇଯାଇଛି ପ୍ରିୟେ ! ତେଣୁ ସୂପକାର ଆଉ ଅବଢ଼ା କୁଡ଼ୁଆ ଦେବାପାଇଁ ନିଷିଦ୍ଧ କରି ଦେଇଛନ୍ତି ।”

 

–“ଏଥିପାଇଁ ଦୁଃଖ ନାହିଁ ପ୍ରଭୁ ! ଏଇ କଥା ଚିନ୍ତା କରି ଆଜି ମଧ୍ୟ ମୁଁ ଚିନ୍ତିତା ।”

 

–“ତୁମେ ଚିନ୍ତିତା ?”

 

–“ହଁ ପ୍ରଭୁ ! ମୁଁ ଜାଣିଥିଲି ଯେ ଆମକୁ ଆଜି ଉପବାସରେ ରାତ୍ରିଯାପନ କରିବାକୁ ହେବ ।”

 

–“କାହିଁକି ପ୍ରିୟେ ?”

 

–ଦୁଇଟି କ୍ଷୁଧାର୍ତ୍ତ ଶିଶୁ ଆହାର ଭିକ୍ଷାକରି ଏ ଦ୍ୱାରରେ ଉପସ୍ଥିତ ହୋଇଥିଲେ ପ୍ରଭୁ ! ମୁଁ ତାଙ୍କୁ ସେମିତି ଶୂନ୍ୟ ହସ୍ତରେ ଫେରାଇ ଦେବାକୁ ବାଧ୍ୟ ହୋଇଥିଲି ।”

 

–“ପଦ୍ମାବତୀ !”

 

–“ହଁ ପ୍ରଭୁ ! ସେ ପାଇଁ ମୁଁ ଗୋଟିଏ ପ୍ରସ୍ତାବ ଦେବି । ଆପଣ ଗ୍ରହଣ କରିବେ ?”

 

–“କୁହ ପଦ୍ମା ।”

 

–ଏଣିକ ପ୍ରତ୍ୟେକ ଦିନ ବ୍ରାହ୍ମମୁହୂର୍ତ୍ତରୁ ଆପଣ ଶ୍ରୀ ଗୀତଗୋବିନ୍ଦ ରଚନା କରିବେ, ତା’ପରେ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷ କରି ଭିକ୍ଷାଥାଳି ଧରି ଭିକ୍ଷାକରି ଯିବେ । ସେହି ସମସ୍ତ ମଧ୍ୟରେ ମୁଁ ଭିକ୍ଷାର୍ଜିତ ତଣ୍ଡୁଳ ରନ୍ଧନ କରି ରଖିଥିବି । ଆପଣ ପ୍ରତ୍ୟାବର୍ତ୍ତନ କରି ଭୋଜନ କରିବେ ଏବଂ ଶ୍ରୀମନ୍ଦିର ଯାତ୍ରା କରିବେ । କେବଳ ଆସନ୍ତାକାଲି ଆପଣଙ୍କୁ ଦୁଇଦିନ ପାଇଁ ତଣ୍ଡୁଳ ସଂଗ୍ରହ କରିବାକୁ ହେବ । ତା’ହେଲେ ଆଉ ଅସୁବିଧା ହେବନାହିଁ । ରନ୍ଧନ ଶେଷରେ ପରଦିନ ପାଇଁ କିଛି ତଣ୍ଡୁଳ ସଞ୍ଚିତ କରି ରଖିହେବ । ସେହି ତଣ୍ଡୁଳ ଆପଣ ପରଦିନ ଭିକ୍ଷା କରିବା ପାଇଁ ଯାତ୍ରା କରିବା ସମୟରେ ସିଦ୍ଧ କରି ହେବ ।”

 

–“ତୁମ ପ୍ରସ୍ତାବ ମୁଁ ଗ୍ରହଣ କରୁଛି ପଦ୍ମା !”

 

–“ପ୍ରଭୁ ! ଏପରି କଲେ ଅନ୍ତତଃ କ୍ଷୁଧାର୍ତ୍ତ ଭିକ୍ଷାର୍ଥୀମାନେ ଏ ଦ୍ୱାରରୁ ଶୂନ୍ୟ ହସ୍ତରେ ପ୍ରତ୍ୟାବର୍ତ୍ତନ କରିବେ ନାହିଁ ।”

 

–“ମନ ଦୁଃଖ କରନାହିଁ ପ୍ରିୟେ ପଦ୍ମା ! ଆସନ୍ତାକାଲିଠାରୁ ତାହା ହିଁ ହେବ ।”

 

ଆନନ୍ଦିତା ହେଲେ ସତୀ ପଦ୍ମାବତୀ । ମାଟି ପାତ୍ରରେ ବାଙ୍କୀମୁହାଣୀ ନଦୀର ଜଳ ଆଣି ରଖିଦେଲେ ସ୍ଵାମୀ ଜୟଦେବଙ୍କ ନିକଟରେ । ସନ୍ତୋଷ ଚିତ୍ତରେ ସେ ଜଳ ପାନକରି ଆସନରେ ବସି ଗୋବିନ୍ଦ ଗାଥା ରଚନାରେ ମନ ଦେଲେ ଜୟଦେବ ।

 

ଯମୁନା କୂଳର କୁଞ୍ଜ କାନନରେ ବସିଛନ୍ତି ମୋହନ ମୁରଲୀଧାରୀ ବେଣୁପାଣୀ । ମଳୟ ପବନର ଶୀତଳ ପ୍ରବାହ, ଲତାକୁଞ୍ଜର ମନୋରମ ପରିବେଶ ଏବଂ କୋକିଳର କୁହୁତାନ ପ୍ରେମ ରସର ମନ୍ଦାକିନୀ ଛୁଟାଇଛି କଳାକାହୁଁଙ୍କ ହୃଦୟରେ I ବିକଳ ହୋଇଛନ୍ତି ସେ ବୃଷଭାନୁ ଜେମା ରାଧିକା ସୁନ୍ଦରୀଙ୍କ ପାଇଁ । ଏତିକିବେଳେ ଯମୁନାକୂଳର କେଳି କୁଞ୍ଜରେ ପହଞ୍ଚିଛି ରାଧିକାଙ୍କ ସହଚରୀ । ସ୍ୱଚକ୍ଷୁରେ ସେ ଦର୍ଶନ କରିଛି କାମ ବିଦଗ୍‌ଧ ଶ୍ରୀକୃଷ୍ଣଙ୍କୁ । ବ୍ୟଥିତ ହୋଇଛି ତା’ର ହୃଦୟ । ଆଉ କାଳବିଳମ୍ବ ନକରି ଫେରଛି ସେ ସହଚରୀ ମାନମୟୀ ରାଧିକାଙ୍କ କୁଞ୍ଜକୁ । ବଖାଣି ବସିଛି ବିରହୀ କୃଷ୍ଣଙ୍କ ପ୍ରେମ ସନ୍ତପ୍ତ ଜୀବନ ବୃତ୍ତାନ୍ତ ।

 

“ବସତିବିପିନବିତାନେ ତ୍ୟଜତି ଲଳିତମପି ଧାମ

ଲୁଠତି ଧରଣୀ ଶୟନେ ବହୁ ବିଳପତି ତବ ନାମ ।”

 

ସହଚରୀଠାରୁ ବିରହୀ ଶ୍ରୀକୃଷ୍ଣଙ୍କ କାହାଣୀ ଶ୍ରବଣ କରି ପ୍ରଶ୍ନ କରିଛନ୍ତି ମାନମୟୀ ରାଧିକା–ସଖୀ ! ସତେ କ’ଣ ବନଚାରୀ ବନମାଳୀ ମୋ ବିରହରେ ବଦଗ୍‌ଧ ?

 

ଉତ୍ତର ଦେଇଛି ସହଚରୀ–“ହଁ ରାଧିକେ, ତୁମର ଚନ୍ଦ୍ରମୁଖ, ଆନତ ଚକ୍ଷୁ, ମନୋରମ ବକ୍ଷୋଜ, ଗୌର ଅଙ୍ଗଲତାରେ ଆଶାୟୀ ସେ ବଂଶୀଧାରୀ । ଭୃଙ୍ଗ ଯେପରି ପ୍ରସ୍ଫୁଟିତ କୁସୁମର ମଧୁ ପାଇଁ ବିକଳ–ସେମିତି ତୁମର ଅଙ୍ଗ ସୁଖ ପାଇଁ ବ୍ୟଥିତ ନନ୍ଦସୁତ ଗିରିଧାରୀ କଳାକାହ୍ନୁ ।”

 

“ରତିସୁଖସାରେ ଗତମଭିସାରେ ମଦନମନୋହରବେଶଂ

ନକୁରୁ ନିତମ୍ବିନୀ ଗମନବିଳମ୍ବନମନୁସର ତଂ ହୃଦୟେଶଂ

ଧୀରସମୀରେ ଯମୁନାତୀରେ ବସତି ବନେ ବନମାଳୀ

ପୀନପୟୋଧରପରିସରମର୍ଦ୍ଦନଚଞ୍ଚଳକରଯୁଗଶାଳୀ ।”

 

ସଖି ! ଆଉ ବିଳମ୍ବ ନ କରି ରାଧା ବିରହୀ କୃଷ୍ଣଙ୍କ ପ୍ରାଣରେ ଶୀତଳତା ଭରି ଦେବାପାଇଁ ଯମୁନା କୂଳର କୁଞ୍ଜବନକୁ ଯାତ୍ରା କର । ଗଙ୍ଗା ଯମୁନାର ପବିତ୍ର ସଙ୍ଗମ ପରି ସଙ୍ଗଠିତ ହେଉ ପ୍ରକୃତି ପୁରୁଷର ମିଳନ ।

 

ସହଚରୀର ହୃଦୟବିଦାରକ କୃଷ୍ଣ ବିରହ ବର୍ଣ୍ଣନାରେ କାତର ହୋଇଛନ୍ତି ଶ୍ରୀମତୀ ରାଧିକା ସୁନ୍ଦରୀ ।

 

ଏତିକିବେଳେ ହଠାତ୍ ଅନୁରୋଧ ଜଣାଇଛନ୍ତି ସତୀ ପଦ୍ମାବତୀ “ପ୍ରଭୁ ! ଅନେକ ରାତି ହୋଇଛି, ଏବେ ବିଶ୍ରାମ ଗ୍ରହଣ କରନ୍ତୁ । ପଦ୍ମାବତୀ ଅନୁରୋଧରେ ପ୍ରକୃତିସ୍ଥ ହୋଇଛନ୍ତି ଜୟଦେବ-। ଆଖି କୋଣରୁ ବହିଆସୁଥିବା ଲୁହ ପୋଛି କହିଛନ୍ତି–“ପ୍ରିୟ ! ବିଶ୍ୱମୋହନକାରୀ ବେଣୁପାଣି ଶ୍ରୀକୃଷ୍ଣଙ୍କ ବିରହ ଜ୍ୱାଳା ମୋ ଅନ୍ତରରେ ବିଳାପର ଭାବୋଦ୍‌ବେଗ ସୃଷ୍ଟି କରିଥିଲା । ମୁଁ ବାହ୍ୟଜ୍ଞାନ ହରାଇ ତାଙ୍କ ଦୁଃଖରେ ସମଦୁଃଖୀ ହୋଇ ବିଚରଣ କରୁଥିଲି ସେହି ଯମୁନା ତୀରର କୁଞ୍ଜବନରେ-। ତୁମର ଅନୁରୋଧ ମୋତେ ପ୍ରକୃତିସ୍ଥ କରିଛି ପ୍ରିୟେ ।”

 

ତା’ପରେ ଉଠିଲେ ଜୟଦେବ ବିଶ୍ରାମ ଗ୍ରହଣ ପାଇଁ । ପଦସେବା କରିବାରେ ଲାଗିଲେ ସତୀ ପଦ୍ମାବତୀ ।

 

ଏମିତି ପ୍ରତ୍ୟେକ ଦିନ ବ୍ରାହ୍ମମୁହୂର୍ତ୍ତରୁ ଗୀତଗୋବିନ୍ଦ ରଚନାରେ ସମାଧିସ୍ଥ ହୁଅନ୍ତି ଜୟଦେବ । ତତ୍‌ପରେ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ଯାତ୍ରା କରନ୍ତି ଭିକ୍ଷାକରିବା ପାଇଁ-। ଏହି ସମୟ ମଧ୍ୟରେ ବାଙ୍କୀମୁହାଣୀ ନଦୀ ତଟର ପୁରୁଣୀ, ମଦରଙ୍ଗା, କାନଶିରୀ ଏବଂ ମୁଟିଶାଗ ସଂଗ୍ରହ କରି ଆଣନ୍ତି ପଦ୍ମାବତୀ । ସିଦ୍ଧକରନ୍ତି ଭିକ୍ଷାର୍ଜିତ ତଣ୍ଡୁଳ ଏବଂ ଶାକ ସ୍ଵାମୀଙ୍କ ପାଇଁ-। ଭିକ୍ଷାରୁ ପ୍ରତ୍ୟାବର୍ତ୍ତନ କରି ଆନନ୍ଦ ଚିତ୍ତରେ ତାହା ସେବନ କରନ୍ତି ଜୟଦେବ ଏବଂ ଯାତ୍ରା କରନ୍ତି ଶ୍ରୀମନ୍ଦିର । ଯାହା ବଳିପଡ଼େ ତାହା ଭୋଜନ କରି ପରିତୃପ୍ତି ଲାଭ କରନ୍ତି ସତୀ ପଦ୍ମାବତୀ-। ତତ୍‌ପରେ ବସିପଡ଼ନ୍ତି ଲିଖିତ ଗୀତଗୋବିନ୍ଦ ଗାନ ପାଇଁ ।

 

ଏମିତି ଦିନ ବିତିବାରେ ଲାଗେ ।

 

ସେଦିନ ଶୁକ୍ଳପକ୍ଷ ତୃତୀୟା ତିଥି । ଜୟଦେବ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ଯାତ୍ରା କଲେ ଥାଳ ଧରି ଭିକ୍ଷା ପାଇଁ । ସତୀ ପଦ୍ମାବତୀ ନଦୀ ତଟରୁ ଶାଗ ସଂଗ୍ରହ କରି ପାକ ପ୍ରସ୍ତୁତ କଲେ ଏବଂ ଅପେକ୍ଷା କରି ରହିଲେ ସ୍ଵାମୀଙ୍କ ଆଗମନକୁ । ଏତିକିବେଳେ କୁଟୀର ଦ୍ୱାରରେ ଉପସ୍ଥିତ ହେଲେ ସେଇ ଦୁଇଟି ଶିଶୁ–ମାଗିଲେ ହାତ ପତାଇ–“ମାଆ ! ଆମେ ଭୋକିଲା, କିଛି ଖାଇବାକୁ ଦିଅ ମାଆ ।”

 

ଡାକ ଶୁଣି ବ୍ୟଥିତା ହୋଇପଡ଼ିଲେ ପଦ୍ମାବତୀ । ସେହି କ୍ଷୁଧାର୍ତ୍ତ ବାଳକ ଦୁଇଟି । କ’ଣ କରିବେ ସେ ? ସ୍ୱାମୀ ଯେ ଏ ପର୍ଯ୍ୟନ୍ତ ଭୋଜନ କରିନାହାନ୍ତି । ସେ ଅନ୍ୟଙ୍କୁ ଭୋଜନ ପାଇଁ ପରଶି ଦେବେ କିପରି ? ଖାଦ୍ୟ ଉଚ୍ଚିଷ୍ଟ ହୋଇଯିବ ।

 

କୁଟୀର ବାହାରକୁ ଆସିଲେ ପଦ୍ମାବତୀ । ଅନାଇ ରହିଲେ ବାଳକ ଦୁଇଟିଙ୍କୁ । ସୁନ୍ଦର ସୁଠାମ ରୂପ । ବିମୋହିତା ହୋଇପଡ଼ିଲେ ସେ–କହିଲେ ବାଳକ ! ସ୍ଵାମୀ ଏପର୍ଯ୍ୟନ୍ତ ଫେରିନାହାନ୍ତି-। ଆହାର ଗ୍ରହଣ କରିନାହାନ୍ତି । ତୁମେ ଅପେକ୍ଷା କର । ସେ ଆସି ଭୋଜନ ଶେଷ କରନ୍ତୁ । ଯାହା ବଳିବ–ତାହା ମୁଁ ତୁମକୁ ପରଷିଦେବି ।

 

କାନ୍ଦିଉଠିଲା ବଡ଼ ବାଳକଟି । କହିଲା–“ମାଆ ! ଭୋକରେ ଆମ ପେଟ ଆଉଟୁ ପାଉଟୁ ହେଉଛି । ଆମେ କେତେ ସମୟ ଅପେକ୍ଷା କରିବୁ ? ଆମକୁ ମୁଠାଏ ଖାଇବାକୁ ଦିଅ ମାଆ । ଖାଇସାରି ଆମେ ଗୁଣ୍ଡିଚା ମନ୍ଦିର ନିକଟ ବଟ ବୃକ୍ଷ ମୂଳରେ ବିଶ୍ରାମ ନେବୁ ।”

 

ହତବାକ ହୋଇପଡ଼ିଲେ ପଦ୍ମାବତୀ । କି ଉତ୍ତର ଦେବେ ସେ ? କ’ଣ କହି ସାନ୍ତ୍ୱନା ଦେବେ ବାଳକ ଦୁଇଟିଙ୍କୁ ।

 

ଏତିକିବେଳେ କୁଟୀର ଦ୍ୱାରକୁ ଉଠିଆସି ଅଳି କରିବା ଭଙ୍ଗୀରେ କହିଲା ଛୋଟ ଶିଶୁ–“ଆମେ ଯଦି ତୁମର ଦୁଇ ଛୋଟ ପୁଅ ହୋଇଥାନ୍ତୁ–ତେବେ କ’ଣ ତୁମେ ଆମକୁ ଭୋକିଲା ରଖନ୍ତ, ମାଆ ! ପିତାଙ୍କ ଆଗମନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦିଅନ୍ତ । କୁହ ମାଆ ! ଆମେ କ’ଣ ତୁମର ପୁଅ ନୋହୁଁ ?”

 

ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ପଦ୍ମାବତୀ । କହିଲେ–“ନାଁ...ନାଁ...ମୋତେ କ୍ଷମା କର ବାଳକ ! ଆସ...ତୁମେ କୁଟୀର ମଧ୍ୟକୁ ଆସ । ମୁଁ ଶାକ ଅନ୍ନ ପରଷି ଦେବି । ତୁମେ ଆନନ୍ଦରେ ଭୋଜନ କରି ଫେରିବ ।”

 

ପଦ୍ମାବତୀଙ୍କ ଉତ୍ତର ଶୁଣି ଆନନ୍ଦରେ ଡେଇଁ ଡେଇଁ କୁଟୀର ମଧ୍ୟକୁ ପଶିଗଲେ ଦୁଇଟିଯାକ ବାଳକ । ଆସନ ପକାଇଦେଲେ ପଦ୍ମାବତୀ । ପରଷିଦେଲେ ସିଦ୍ଧ ଶାକ ଅନ୍ନ । ଭୋଜନ କରୁ କରୁ ସାନ ବାଳକଟି କହିଲା–“ଆମେ ଅନେକ ଦିନ ହେଲା ଅନାହାରରେ ଥିଲୁ । ତୁମ ଶାକଅନ୍ନ ଆମକୁ ଅଶେଷ ପରିତୃପ୍ତି ଦେଇଛି ମାଆ !” ଠିକ୍ ସେତିକିବେଳେ ବଡ଼ ପିଲାଟି କହିଲା–“ମାଆ ! ଆମେ ତ ସବୁ ଖାଇଦେବୁ ତୁମ ସ୍ଵାମୀ ଏବଂ ତୁମେ କ’ଣ ଖାଇବ ?”

 

ଆଖି ବୁଜି ଉତ୍ତରଦେଲେ ପଦ୍ମାବତୀ–“ଅନାହାରରେ ରହିବା ଆମର ଅଭ୍ୟାସ ବାଳକ-! ବାଙ୍କୀମୁହାଣୀ ନଦୀର ଜଳପାନ କରି ନିର୍ବିଘ୍ନରେ ଆମେ ଦିନ କଟାଇ ପାରିବୁ ।”

 

ବଳିପଡ଼ି କହିଲା ସାନ ପିଲା–“ମୁଁ କିନ୍ତୁ ଭୋକ ସହିପାରେ ନାହିଁ ମାଆ ! ପେଟ ବିକଳରେ ଯେଉଁଠି ପାରେ ସେଠି ହାତ ପତାଏ । ଅବଶ୍ୟ ଧନଶାଳୀ ବଡ଼ ଲୋକଙ୍କ ଦୁଆରେ ପତର ପକାଏ ନାହିଁ । ତୁମର ପରି ଗରିବ ଲୋକଙ୍କ ଘରେ ଭୋଜନ କରେ ଆନନ୍ଦରେ । ଏଇ ବଡ଼ଦାଣ୍ଡ କଡ଼ର ପ୍ରାସାଦବାସୀ ଜଣେ ଧନଶାଳୀ ଲୋକ ଛେନା ମନୋହର ନବାତ ଯାଚୁଥିଲା ମାଆ ! ତାକୁ ଭୋଜନ କରିବା ପାଇଁ ମନ ବଳିଲା ନାହିଁ । ତୃପ୍ତିଦେଲା ତୁମ ଶାକ ଅନ୍ନ ।”

 

ପିଲାଟିର କଥାରେ ଆମୋଦିତା ହୋଇ ପ୍ରଶ୍ନ କଲେ ପଦ୍ମାବତୀ–“ତୁମ ନାମ କ’ଣ ବାଳକ ? ଘର କେଉଁ ଗ୍ରାମରେ ?”

 

ଭୋଜନ ପାତ୍ରରୁ ମୁଣ୍ଡ ଉଠାଇ ଉତ୍ତର ଦେଲା ବଡ଼ ବାଳକ–“ମୋ ନାମ ବଳୀ । ଏ ମୋର ସାନଭାଇ ପେଟ ବିକଳିଆ ବନମାଳୀ । ଆମ ଘର ଏଇ ନୀଳାଚଳରେ । ବାପା ମାଆ କେହି ନାହାନ୍ତି । ଏମିତ ମାଗି ଯାଚି ଖାଇ ଚଳିଯାଉ ଆମେ ।”

 

ଦୀର୍ଘ ନିଃଶ୍ୱାସ ପକାଇଲେ ପଦ୍ମାବତୀ । ଆହା...କି ନିର୍ଦ୍ଦୟ ଭଗବାନ ! ପିତୃମାତୃହୀନ ବାଳୁତ ଶିଶୁ ଦୁଇଟିଙ୍କୁ ଆହାର ମୁଠାଏ ଯୋଗାଇ ଦେଇପାରୁନାହଁ ତୁମେ ? ମନର କଥା କିନ୍ତୁ ମନରେ ମରିଗଲା ତାଙ୍କର । ନୀରବ ରହିଲେ ସେ ।

 

ପେଟରେ ହାତ ବୁଲାଇ ଉଠିଲେ ବାଳକ ଦୁଇ । କହିଲେ–“ମାଆ ! ଆମେ ତ ହାଣ୍ଡି ଖାଲି କରି ସବୁ ଖାଇଦେଲୁ । ତୁମ ସ୍ୱାମୀ ଏବଂ ତୁମେ ଆମକୁ ଗାଳି ଦେବ ନାହଁ ମାଆ ! ଏମିତି ଭୋକ ଲାଗିଲେ ଆମେ ତୁମ ଦ୍ୱାରକୁ ଆସିବୁ ।”

 

କାନ୍ଦିଉଠିଲା ପଦ୍ମାବତୀଙ୍କ ହୃଦୟ । ମାତୃ ହୃଦୟର ସ୍ନେହ ନିଗାଡ଼ି କହିଲେ ସେ–“ହଁ ବାବା ! ତୁମେ ଆସନ୍ତାକାଲି ଆସିବ । ମୁଁ ତୁମ ପାଇଁ ଶାଗ ଭାତ ରଖିଥିବି । ତୁମେ ଆନନ୍ଦରେ ଭୋଜନ କରି ଫେରିବ । କମ୍‍ ବେଶି କହିବ ନାହିଁ ।”

 

–“ଆସିବୁ, ଆସନ୍ତାକାଲି ନିଶ୍ଚୟ ଆସିବୁ ମାଆ !” କହିଲା ସାନ ପିଲାଟି ।

 

ତା’ପରେ ଦୁଇଟିଯାକ ବାଳକ ଓହ୍ଲାଇଗଲେ କୁଟୀରର ପିଣ୍ଡା ତଳକୁ ଏବଂ ମିଶିଗଲେ ବଡ଼ଦାଣ୍ଡର ଜନଗହଳି ମଧ୍ୟରେ । ନିର୍ନିମେଷ ନୟନରେ ସେ ଆଡ଼କୁ ଅନାଇ ରହିଥିଲେ ପଦ୍ମାବତୀ-

 

ଏପରି ସମୟରେ ଦ୍ୱାରଦେଶରେ ଉପସ୍ଥିତ ହେଲେ ଜୟଦେବ । ପ୍ରଶ୍ନକଲେ ପଦ୍ମାବତୀଙ୍କୁ ଦେଖି–“କାହାକୁ ଅପେକ୍ଷା କରିଛ ପଦ୍ମା ?”

 

–“ନାଇଁ ପ୍ରଭୁ ! ଦୁଇଟି କ୍ଷୁଧାର୍ତ୍ତ ବାଳୁତ ଶିଶୁ ଆହାର ଭିକ୍ଷାକରି ଆସିଥିଲେ । ସେହିମାନଙ୍କ ଫେରନ୍ତା ପଥକୁ ମୁଁ ଅନାଇ ରହିଥିଲି ।”

 

“ସେମାନଙ୍କୁ ଆହାର ପ୍ରଦାନ କଲି ତ”

 

“ହଁ ପ୍ରଭୁ ! ତାଙ୍କର ବିକଳତା ଦେଖି ଆଉ ସହିପାରିଲି ନାହିଁ । ସିଦ୍ଧଶାକ ଅନ୍ନ ପରିବେଷଣ କରିଦେଲି ।”

 

Unknown

–“ଭଲ କରିଛ ପଦ୍ମା ! ଭୋକିଲା ଲୋକକୁ ଭୋଜନ ଦାନ କରି ଅଶେଷ ଧର୍ମ ଅର୍ଜନ କରିଛ । ଏବେ ମୋତେ ଶାକ ଅନ୍ନ ପରଶି ଦିଅ । ମୁଁ ଭୋଜନ କରି ଶ୍ରୀମନ୍ଦିର ଯାତ୍ରା କରେ ।”

 

ଉତ୍ତର ନ ଦେଇ ଠିଆହୋଇ ରହିଲେ ପଦ୍ମାବତୀ ।

 

ଆଶ୍ଚର୍ଯ୍ୟ ହୋଇ କହିଲେ ଜୟଦେବ–“କ’ଣ ହେଲା ପ୍ରିୟେ ପଦ୍ମା ? ବ୍ୟଥିତା ହେଉଛି କାହିଁକି ?”

 

–କ୍ଷୁଧାର୍ତ୍ତ ବାଳକ ଦୁଇଟି ସବୁଶାକ ଅନ୍ନଭୋଜନ କରିଦେଇଛନ୍ତି ପ୍ରଭୁ ! ଆମ ପାଇଁ କିଛି ନାହିଁ ।”

 

ହସିଲେ ଜୟଦେବ । କହିଲେ–“ଏଥିପାଇଁ ଦୁଃଖ କରୁଛ କାହିଁକି ପଦ୍ମା ? ସେହି ଅନ୍ନ ପାତ୍ରରେ ବାଙ୍କୀମୁହାଣୀ ନଦୀର ଜଳ ପୂର୍ଣ୍ଣକରି ମୋତେ ଦିଅ । ମୁଁ ଆନନ୍ଦରେ ତାହା ପାନକରି ଶ୍ରୀମନ୍ଦିର ଯାତ୍ରା କରିବି ।”

 

ଅସ୍ଥିର ଚିତ୍ତରେ ଅନ୍ନ ପାତ୍ରରେ ଜଳପୂର୍ଣ୍ଣ କରିବା ପାଇଁ ଧାଇଁଗଲେ ପଦ୍ମାବତୀ । ହଠାତ୍ ଚମକିଉଠିଲେ ଅନ୍ନ ପାତ୍ରକୁ ଦେଖି । ପୁଣି ପ୍ରଶ୍ନ କଲେ ଜୟଦେବ–“କ’ଣ ହେଲା ପଦ୍ମା ?”

 

ଥରି ଥରି କହିଲେ ପଦ୍ମାବତୀ–“ମୁଁ ବିଚିତ୍ର ଦୃଶ୍ୟ ଦେଖୁଛି ପ୍ରଭୁ !”

 

–“ବିଚିତ୍ର ଦୃଶ୍ୟ ?”

 

“ହଁ ପ୍ରଭୁ !” ଅନ୍ନପାତ୍ର ଦେହର ସବୁ ଅନ୍ନ ମୁଁ ବାଳକ ଦୁଇଜଣଙ୍କୁ ପରଷି ଦେଇଥିଲା । ସେମାନେ ଆନନ୍ଦରେ ଭୋଜନ କରି ଫେରିଯାଇଥିଲେ । କିନ୍ତୁ...”

 

–“କ’ଣ ହୋଇଛି ପଦ୍ମା ?”

 

–“ଏବେ ଦେଖୁଛି ଅନ୍ନପାତ୍ର ସେମିତି ପୂର୍ଣ୍ଣ ରହିଛି ପ୍ରଭୁ ! ସେ ପାତ୍ରରୁ ମହକି ଉଠୁଛି ମହାପ୍ରସାଦର ସୁବାସ ।”

 

–“ଏଁ କ’ଣ କହିଲ...କ’ଣ କହିଲ ପଦ୍ମା ? ତେବେ କ’ଣ ଆସିଥିଲେ–ଜଗାବଳିଆ ଏଇ ଦରିଦ୍ର କୁଟୀରକୁ ବାଳକ ବେଶରେ !ତୁମେ ଧନ୍ୟା ହୋଇଛ ପଦ୍ମା ତାଙ୍କୁ ଦର୍ଶନ କରି ।

 

କହୁ କହୁ କୁଟୀରର ଧୂଳି ଦେହରେ ଗଡ଼ିବାକୁ ଲାଗିଲେ ଜୟଦେବ । ପଦ୍ମାବତୀଙ୍କ ନୟନରୁ ଝରିପଡ଼ୁଥିଲା ଆନନ୍ଦାଶ୍ରୁ । ସ୍ୱାମୀଙ୍କୁ ଅନାଇ କହିଲେ ସେ–“ଏସବୁ ଆପଣଙ୍କ ମହିମା ପ୍ରଭୁ ! ପବିତ୍ର ଗୋବିନ୍ଦ ଗାଥା ଶ୍ରବଣ କରିବା ପାଇଁ ଏ କୁଟୀରରେ ପାଦ ଦେଇଛନ୍ତି ସେ । ପୁଣି କଥା ଦେଇଯାଇଛନ୍ତି–ଆସନ୍ତାକାଲି ଏ କୁଟୀରକୁ ଆଗମନ କରିବେ ଶାକଅନ୍ନ ଭୋଜନ ପାଇଁ ।”

 

ଭୂମିରୁ ଉଠି ଜୟଦେବ ସତୃଷ୍ଣ ନୟନରେ ଅନାଇ ରହିଲେ ପଦ୍ମାବତୀଙ୍କୁ । କହିଲେ–“ତୁମ ସୁସ୍ୱାଦୁ ଶାକ ଅନ୍ନରେ ତାଙ୍କର ଲୋଭଜାତ ହୋଇଛି ପଦ୍ମା ! ଶ୍ରୀମନ୍ଦିରର ସରଲବଣୀ ନବାତ ଛାଡ଼ି ସେ ଧାଇଁ ଆସିଛନ୍ତି ତୁମ ହସ୍ତ ପ୍ରସ୍ତୁତ ଶାକ ଅନ୍ନଭୋଜନ ପାଇଁ । ଆସନ୍ତା କାଲି ତୁମେ ତାଙ୍କୁ ଆହୁରେ ଯତ୍ନରେ ଭୋଜନ କରାଅ ପଦ୍ମା ! ସେ ପାଦ ପକାଇ ପବିତ୍ର କରି ଯାଆନ୍ତୁ ଏ କୁଟୀରକୁ ।”

ସ୍ଵାମୀଙ୍କ କଥାରେ ଉଲ୍ଲସିତା ହୋଇଉଠିଲେ ପଦ୍ମାବତୀ । ମାଟିପାତ୍ରର ମହାପ୍ରସାଦ ରୂପୀ ଶାକଅନ୍ନକୁ ଆଣି ପରଷିଦେଲେ ସ୍ଵାମୀଙ୍କୁ । ମହାଆନନ୍ଦରେ ତାହା ଭୋଜନ କଲେ ଜୟଦେବ ଏବଂ ଯାତ୍ରା କଲେ ଶ୍ରୀମନ୍ଦିର । ତା’ପରେ ନିଜେ ପଦ୍ମାବତୀ ମଧ୍ୟ ସେବନ କଲେ ସେହି ଶାକଅନ୍ନ । ଭୋଜନ ସମୟରେ ତାଙ୍କ ଚକ୍ଷୁ ସମ୍ମୁଖରେ ନାଚିଉଠୁଥିଲା ସେହି ବାଳୁତ ଶିଶୁ ଦୁଇଟିଙ୍କର ସ୍ୱରୂପ । ଜଣେ ଗୌର ହାସ୍ୟମୁଖର ଦିବ୍ୟଜ୍ୟୋତି ସମ୍ପନ୍ନ ବାଳକ, ଆଉ ଜଣେ ଶ୍ୟାମଘନ ଶୋଭାବନ୍ତ କମନୀୟକାନ୍ତିମାନ ବାଳକ । ସତେଅବା କୃଷ୍ଣ ଧବଳ ବର୍ଷର ଶେଷ ପ୍ରତୀକ ସେମାନେ । ଚମକିପଡ଼ଲେ ପଦ୍ମାବତୀ–ଶାକଅନ୍ନ ତାଙ୍କ ମନରେ ଭ୍ରମ ତୋଳିଲା ସେହି କୃଷ୍ଣ ଧବଳ ମୂର୍ତ୍ତି ହୋଇ । ଭୋଜନ ପାତ୍ରକୁ ଅନାଇ ରହିଲେ ସେ ଏକଲୟରେ । ଝର ଝର ହୋଇ ନୟନରୁ ଝରିପଡ଼ିଲା ଲୋତକ ଏକ ଅପୂର୍ବ ମାଦକତାରେ । କହିଉଠିଲେ ସେ–ଆସ, ପୁଣି କାଲି ଆସ ବାଳକ ! ମୁଁ ତୁମମାନଙ୍କୁ କୋଳରେ ବସାଇ ଭୋଜନ କରାଇବ । ଧନ୍ୟା ହେବି ତୁମକୁ ଦର୍ଶନ କରି ।

ଏମିତି ଭାବାନ୍ତର ମଧ୍ୟରେ ସମଗ୍ର ଦିନ ବତିଗଲା । ପରଦିନ ପ୍ରଭାତରୁ ପଦ୍ମାବତୀ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ଲାଗିଗଲେ ସୁମଧୁର ଶାଗ ଗୋଟାଇବାରେ । ବିବିଧ ଶାଗରେ ନିଜ ପଣତ କାନି ଭର୍ତ୍ତିକରି କୁଟୀରକୁ ପ୍ରତ୍ୟାବର୍ତ୍ତନ କଲେ ସେ । ରନ୍ଧନ କଲେ ସଯତ୍ନରେ ସେହି ବାଳକମାନଙ୍କ କଥା ମନରେ ପକାଇ । ଅଳ୍ପ ସମୟ ମଧ୍ୟରେ ଶାକ ଏବଂ ଅନ୍ନ ପ୍ରସ୍ତୁତ ହୋଇଗଲା । କୁଟୀର ଦ୍ୱାରରେ ବସି ଅପେକ୍ଷା କଲେ ସେ ବାଳକଦ୍ୱୟଙ୍କୁ ।

ଦିନ ଦୁଇପ୍ରହର ହେଲା । ତଥାପି ତାଙ୍କର ଦେଖାନାହିଁ । ବିକଳ ହେଲେ ପଦ୍ମାବତୀ । କହିଲେ ମନେ ମନେ–“ପ୍ରଭୁ ! କେତେ ଯତ୍ନରେ ମୁଁ ଶାକଅନ୍ନ ପ୍ରସ୍ତୁତ କରିଛି । ତୁମେ କ’ଣ ଆଜି ଏ କୁଟୀରରେ ପାଦ ଦେବ ନାହିଁ ? ଶାକଅନ୍ନ ଭୋଜନ କରିବ ନାହିଁ ? ମୋର ଭକ୍ତି ଏବଂ ଆତିଥ୍ୟରେ କ’ଣ ତ୍ରୁଟି ରହିଗଲା ପ୍ରଭୁ !” ତଥାପି ଦେଖାନାହିଁ ସେ ବାଳକମାନଙ୍କର । କାନ୍ଦିଉଠୁଥିଲା ପଦ୍ମାବତୀଙ୍କର ହୃଦୟ ।

ଏତିକିବେଳେ ଭିକ୍ଷା ଶେଷକରି କୁଟୀରକୁ ଫେରିଲେ ଜୟଦେବ । କୁଟୀର ଦ୍ୱାରରେ ପଦ୍ମାବତୀଙ୍କୁ ଦେଖି ପ୍ରଶ୍ନକଲେ–“ଆଜି ସେମାନେ ଆସିଥିଲେ ପଦ୍ମା ?” ହତାଶରେ ଦୀର୍ଘନିଶ୍ୱାସ ପକାଇ କହିଲେ ପଦ୍ମାବତୀ–“ନାଁ ପ୍ରଭୁ ! ସେମାନେ ମୋତେ ଠକିଦେଲେ । ମୋର ସମଗ୍ର ଦିନ ଅପେକ୍ଷାକରି କରି ବିତିଗଲା । ତଥାପି ଆସିଲେ ନାହିଁ ।”

ହସିଲେ ଜୟଦେବ, କହିଲେ–“ଦୁଃଖ କରନାହିଁ ପଦ୍ମା ! ତୁମ ଭକ୍ତି ଏବଂ ପ୍ରେମରେ ବନ୍ଧା ସେମାନେ, ଆଜି ନ ହେଲେ ମଧ୍ୟ ପୁଣି କେବେ ଆସିବେ । ଦୁଃଖ କରୁଛ କାହିଁକ ? ଆମ କୁଟୀର ସବୁଦିନ ତାଙ୍କ ପାଇଁ ଉନ୍ମୁକ୍ତ ରହୁ ।”

ସ୍ୱାମୀଙ୍କ କଥାରେ ନିଜକୁ ଶାନ୍ତ୍ୱନା ଦେଉଥିଲେ ପଦ୍ମାବତୀ । କହିଲେ ଜୟଦେବ–“ଆଜି ଭିକ୍ଷା କରୁ କରୁ ଡେରି ହୋଇଯାଇଛି ପଦ୍ମା ! ମୋତେ କ’ଣ ଟିକେ ଆହାର କରିବା ପାଇଁ ଦିଅ । ମୁଁ ଶ୍ରୀମନ୍ଦିର ଯାତ୍ରା କରିବି ! ସ୍ୱାମୀଙ୍କୁ ଭୋଜନ ପରଷିଦେବା ପାଇଁ ମନେ ମନେ କୁଣ୍ଠିତା ହେଉଥିଲେ ପଦ୍ମାବତୀ–କାରଣ ସେ ଭାବୁଥିଲେ–ସ୍ୱାମୀ ଭୋଜନ କରିବା ପରେ ଶାକଅନ୍ନ ଉଚ୍ଛିଷ୍ଟ ହୋଇଯିବ । ଯଦି ସେ ବାଳକ ଦୁଇଜଣ ଆଗମନ କରନ୍ତି–ତେବେ କ’ଣ ତାଙ୍କୁ ଉଚ୍ଛିଷ୍ଟ ପ୍ରଦାନ କରିବି ?”

ପଦ୍ମାବତୀଙ୍କ ମନୋଭାବ ଲକ୍ଷ୍ୟ କରି କହିଲେ ଜୟଦେବ–“ମୁଁ ବୁଝୁଛି ପଦ୍ମା ! ତୁମେ ବ୍ୟସ୍ତ ହେଉଛ ସେ ବାଳକମାନଙ୍କ ପାଇଁ । କିନ୍ତୁ ସେମାନେ ଆଉ ଆସିବେ ନାହିଁ ପଦ୍ମା ! ମନୁଆଁ ଦିଅଁ ସେ । କେତେବେଳେ ତାଙ୍କ ମନ ହେବ କୁଟୀରରେ ପାଦ ପକାଇବା ପାଇଁ ତାହା କହିହେବ ନାହିଁ ।”

 

ସ୍ୱାମୀଙ୍କ କଥାରେ ଆଶ୍ୱସ୍ତ ହୋଇ ଭୋଜନ ପରଷିଦେଲେ ପଦ୍ମାବତୀ । ଆନନ୍ଦରେ ତାହା ସେବନ କରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କଲେ ଜୟଦେବ । ସ୍ଵାମୀଙ୍କ ଉଚ୍ଛିଷ୍ଟ ପତ୍ରରେ ଶାକଅନ୍ନ ବାଢ଼ି ଆଣିଲେ ସେ ନିଜେ ଭୋଜନ ପାଇଁ । ଏପରି ସମୟରେ କୁଟୀର ଦ୍ୱାରରେ ଡାକିଲା ଜଣେ ବୃଦ୍ଧ ଭିକ୍ଷାର୍ଥୀ–“ମାଆ, ମୁଠିଏ ଖାଇବାକୁ ଦିଅ ମାଆ ।”

 

ବାହାରକୁ ଚାହିଁଲେ ପଦ୍ମାବତୀ ! ଜରାଜୀର୍ଣ୍ଣ ବୃଦ୍ଧ ଜଣେ । ଆଖିରୁ ଗଡ଼ୁଛି ଲୋତକ । ଚକ୍ଷୁ କୋଟରଗତ । ଚର୍ମ ଲୋଳିତ । ଗୋଟି ଗୋଟି ଗଣି ହୋଇଯାଉଛି ପଞ୍ଜରା ହାଡ଼ । ଡାକୁଛି ବିକଳରେ–“ମାଆ, ଦୁଇଦିନ ହେଲା ଖାଇ ନାହିଁ । ମୁଠିଏ ଖାଇବାକୁ ଦିଅ ମାଆ ?”

 

କ’ଣ କରିବେ ପଦ୍ମାବତୀ ? ନିଜେ ଆହାର ସେବନ ନକଲେ ଦୁଃଖ ନାହିଁ । କିନ୍ତୁ ଭିକ୍ଷାର୍ଥୀକୁ ଉଚ୍ଛିଷ୍ଟ ଶାକଅନ୍ନ ଦେବେ କିପରି ?

 

ଏ ଚିନ୍ତାରେ ବାଧାଦେଇ ପୁଣି ଡାକିଲା ବୃଦ୍ଧ... “ମାଆ, ପେଟ ପୋଡ଼ିଯାଉଛି । କିଛି ଖାଇବାକୁ ଦିଅ ମାଆ ।”

 

ଆଉ ନିଜକୁ ସମ୍ଭାଳି ନପାରି ବାହାରକୁ ଆସିଲେ ପଦ୍ମାବତୀ । କହିଲେ–“ବାବା ! କୁଟୀରରେ କିଛି ନାହିଁ । ସ୍ୱାମୀଙ୍କ ଉଚ୍ଛିଷ୍ଟ ଅନ୍ନ ମୁଁ ଭୋଜନ କରିବାକୁ ଯାଉଛି ! ତୁମକୁ ଆଉ କ’ଣ ଦେବି ବାବା ?”

–“ଭିକାରୀର ଅଇଁଠା ପ୍ରତି ଘୃଣା ନାହିଁ ମାଆ ! ପେଟ ପୋଡ଼ିଯାଉଛି । ସେଇଥିରୁ ମୁଠିଏ ଦିଅ । ଭୋଜନ କରି ମୋ ଜୀବନ ବଞ୍ଚିଯାଉ !”

ଅନିଚ୍ଛା ସତ୍ତ୍ୱେ ବୃଦ୍ଧକୁ ଭିତରକୁ ଡାକିଲେ ପଦ୍ମାବତୀ । କହିଲେ–“ଆସ ବାବା ! ଯଦି ଘୃଣା ନାହିଁ, ତେବେ ଏଇ ପତ୍ରରେ ଭୋଜନ କର ।”

ଥରି ଥରି କୁଟୀର ପିଣ୍ଡାକୁ ଉଠିଲା ବୃଦ୍ଧ । କହିଲା–“ମୁଁ ଅଚ୍ଛବ ଅଛୁଆଁ ଭିକାରୀ ମା ! ତୁମ କୁଟୀରରେ ଦିଅଁ ଅଛନ୍ତି । କୁଟୀର ଭିତରକୁ ଯିବି କାହିଁକି ? ଏଇ ପିଣ୍ଡାରେ ମୋତେ ବାଢ଼ିଦିଅ-। ମୁଁ ଆନନ୍ଦରେ ଭୋଜନ କରିବି ।”

ଥରିଲା କଣ୍ଠରେ କହିଲେ ପଦ୍ମାବତୀ–“ନାଇଁ ବାବା ! ତୁମେ ମଣିଷ, ଛୁଆଁ ଅଛୁଆଁ କ’ଣ-? କୁଟୀର ଭିତରକୁ ଆସ, ଆନନ୍ଦରେ ବସି ଆହାର ସେବନ କର । ନଡ଼ିଆ ଚଟେଇରେ ବିଶ୍ରାମ ଗ୍ରହଣ କର । ତା’ପରେ ଅନ୍ୟତ୍ର ଯାତ୍ରା କରିବ ।”

ପଦ୍ମାବତୀଙ୍କ କଥାରେ ଆନନ୍ଦିତ ହୋଇ କୁଟୀର ମଧ୍ୟକୁ ପଶିଗଲା ବୃଦ୍ଧ । ଆସନରେ ବସି ଆନନ୍ଦରେ ଭୋଜନ କଲା ଜୟଦେବଙ୍କ ଉଚ୍ଛିଷ୍ଟ ଶାକଅନ୍ନ । ଦୁଇଦିନର ଭୋକିଲା ବୃଦ୍ଧ ସେ । ମୁହୂର୍ତ୍ତକ ମଧ୍ୟରେ ଶେଷ କରିଦେଲା ଶାକ ଅନ୍ନ ।

ଧୀର ଗଳାରେ କହିଲେ ପଦ୍ମାବତୀ–“ବାବା ! ଆଉ କିଛି ନାହିଁ । ଶାକଅନ୍ନ ପାତ୍ର ଖାଲି-। ଏବେ ମାଟି ପାତ୍ରରେ କିଛି ଜଳ ଦେଉଛି । ପାନକରି କୁଟୀର ଦ୍ଵାରରେ ବିଶ୍ରାମ କର । ତା’ପରେ ଅନ୍ୟ ସ୍ଥାନକୁ ଯାତ୍ରା କରିବ ।”

 

ହସି ହସି କହିଲା ବୃଦ୍ଧ–“ହଁ ମାଆ, ଜୀବନ ରହିଗଲା । ଏବେ ଜଳ ଟିକେ ଦିଅ । ପାନକରି ଅନ୍ୟ ସ୍ଥାନକୁ ଯାତ୍ରା କରିବି । ମୋତେ ଅନେକ ବାଟ ଯିବାକୁ ହେବ ।”

 

ମାଟି ପାତ୍ରରେ ଜଳ ଆଣି ବୃଦ୍ଧ ନିକଟରେ ରଖିଦେଲେ ପଦ୍ମାବତୀ । ଆନନ୍ଦରେ ପାନକଲା ବୃଦ୍ଧ । ଉଠାଇବାକୁ ବସିଲା ଉଚ୍ଛିଷ୍ଟ ପତ୍ର ।

 

ବାରଣ କଲେ ପଦ୍ମାବତୀ, କହିଲେ–“ନାଇଁ ବାବା ! ଆଜି ତୁମେ ମୋର ଅତିଥି । ତୁମ ଅଇଁଠାପତ୍ର ଉଠାଇଲେ ମୋର ଧର୍ମ ହେବ । ତୁମେ ସେମିତି ଉଠିଯାଅ ବାବା ! ମୁଖ ଧୌତ କରି କୁଟୀର ଦ୍ୱାରରେ ବିଶ୍ରାମ କର ।”

 

ବୃଦ୍ଧ କହିଲା–“ନାଇଁ ମାଆ, ମୋତେ ଅନେକ ବାଟ ଯିବାକୁ ହେବ । ବିଶ୍ରାମ କରିବାକୁ ସମୟ ନାହିଁ ।” କହୁ କହୁ ମାଟି ପାତ୍ରର ଜଳରେ ହାତ ଧୋଇ ବଡ଼ଦାଣ୍ଡ ଉପରକୁ ଓହ୍ଲାଇଗଲା ବୃଦ୍ଧ-। ସେଆଡ଼କୁ ଅନାଇ ରହିଥିଲେ ପଦ୍ମାବତୀ । ଆହା ଅଶିତି ବର୍ଷର ବୃଦ୍ଧ...ପେଟ ବିକଳରେ ପାଦରେ ଚାଲି ଚାଲି ଭିକ ମାଗିବାକୁ ବାଧ୍ୟ ହେଉଛି ସିନା । ସେଥିରେ ମଧ୍ୟ ପେଟ ପୁରୁନାହିଁ-। କି ବିଚିତ୍ର ଲୀଳା ତୁମର ଭଗବାନ !

 

ମୁହଁ ବୁଲାଇଲେ ପଦ୍ମାବତୀ ବୃଦ୍ଧଙ୍କ ଅଇଁଠାପତ୍ର ଉଠାଇବା ପାଇଁ । ଚମକି ପଡ଼ିଲେ ସେ–“ଏଁ...ଏ କି ଅଦ୍ଭୁତ କଥା । ପତ୍ରରେ ସେ ସେମିତି ଅକ୍ଷୁର୍ଣ୍ଣ ରହିଛି ଶାକଅନ୍ନ । ମହକି ଉଠୁଛି ମହାପ୍ରସାଦର ମହକ ।”

 

ବିକଳରେ ଭୂମି ଉପରେ ଲୋଟିଗଲେ ପଦ୍ମାବତୀ । ପ୍ରଭୁ, ଏ କି ମାୟା ପ୍ରଭୁ ! ତୁମେ ସ୍ୱାମୀଙ୍କ ଉଚ୍ଛିଷ୍ଟ ଭୋଜନ କରି ଫେରିଗଲ ? ଏ ପାତକ ମୋତେ ଲାଗିବ ପ୍ରଭୁ । ମୋତେ କ୍ଷମାକର…ମୋତେ କ୍ଷମାକର । ତୁମର ମାୟା ମୁଁ ବୁଝିପାରି ନାହିଁ ପ୍ରଭୁ ! କି ସୁଖ ଲାଭ କଲ ଉଚ୍ଛିଷ୍ଟ ଭୋଜନ କରି ?

 

ଅନେକ ସମୟ ପରେ ପ୍ରକୃତିସ୍ଥା ହେଲେ ପଦ୍ମାବତୀ । ବୃଦ୍ଧ ବସିଥିବା ଆସନରୁ ଲଗାଇଲେ ନିଜ ମଥାରେ ଏବଂ ସଜାଇ ରଖିଲେ ଶ୍ରୀରାଧାମାଧବଙ୍କ ଖଟୁଲି ନିକଟରେ । ତା’ପରେ ମହା ଆନନ୍ଦରେ ଭୋଜନ କଲେ ସେହି ଶାକଅନ୍ନ ମହାପ୍ରସାଦ ଭାବି ।

 

ଭୋଜନ ଶେଷରେ ରାଧାମାଧବଙ୍କ ସମ୍ମୁଖରେ ବସିଲେ ପଦ୍ମାବତୀ ଏବଂ ଗାନ କରିବାକୁ ଲାଗିଲେ ଅମୀୟ ଗୀତିମୟ ଗାଥା ଶ୍ରୀ ଗୀତଗୋବିନ୍ଦ–

 

“ଶ୍ଳିଷ୍ୟତି ଚୁମ୍ୱତି ଜଳଧରକଳ୍ପଂ

ହରିରୂପ ଗତଇତି ତିମିରମନଳ୍ପଂ ।

ଭବତି ବିଲମ୍ବିନୀ ବିଗଳିତଲଜ୍ଜା

ବିଳପତି ରୋଦତି ବାସକ ସଜ୍ଜା ।

ଶ୍ରୀ ଜୟଦେବ କବେରିଦ ମୁଦିତଂ

ରସିକଜନଂ ତନୁତାମତି ମୁଦିତଂ ।

 

ଦିନ ଯାଇ ରାତି ଆସିଛି । ଗୀତଗୋବିନ୍ଦର ରସ ଆସ୍ୱାଦନ କରି ନିଜକୁ ଭୁଲିଛନ୍ତି ପଦ୍ମାବତୀ । ଭୁଲିଯାଇଛନ୍ତି ରାଧାମାଧବଙ୍କ ସନ୍ଧ୍ୟା ଆଳତି କଥା । ହଠାତ୍ ଲକ୍ଷ୍ୟ କରିଛନ୍ତି ସେ–ସତେଅବା ଭିଡ଼ ଜମିଉଠିଛି ତାଙ୍କ କୁଟୀର ସମ୍ମୁଖରେ । କଥାଟା କ’ଣ ଜାଣିବା ପାଇଁ ଉତ୍କଣ୍ଠିତା ହୋଇଉଠିଛନ୍ତି ପଦ୍ମାବତୀ । ମୁଣ୍ଡରେ ଲଗାଇ ଯଥା ସ୍ଥାନରେ ରଖିଛନ୍ତି ପୋଥିଟି ।

 

ପଦାକୁ ବାହାରି ଆସିଛନ୍ତି ସେ । ତାଙ୍କ କାନରେ ପଡ଼ିଛି ଶତମୁଖର ପ୍ରଶଂସା । ଅନୁମାନ କରିଛନ୍ତି ମନେ ମନେ ମଧୁମୟ ରସଭରା ଗୀତଗୋବିନ୍ଦ ଶ୍ରବଣ ପାଇଁ ରୁଣ୍ଡ ହୋଇଛନ୍ତି ବଡ଼ଦାଣ୍ଡର ଭକ୍ତଜନ । ଆଗକୁ ଆଗେଇ ଆସି କହିପକାଇଛନ୍ତି ଜଣେ ବୟସ୍କ ବ୍ୟକ୍ତି–ମାଆ ! ତୁମ ବୀଣାଜିଣା କଣ୍ଠର ରାଧାକୃଷ୍ଣ ଲୀଳା ଗୀତ ମୋତେ ପାଗଳ କରିଦେଇଛି । ଏମିତି ନିତି ନିତି ସନ୍ଧ୍ୟାରେ ତୁମେ ମହାପ୍ରଭୁଙ୍କ ଲୀଳା ଗାନକର ମାଆ ! ଆମେ ଶ୍ରବଣ କରି କୃତାର୍ଥ ହେବୁ ।

 

ଭଦ୍ରବ୍ୟକ୍ତିଙ୍କ ସନ୍ତୋଷରେ ଆନନ୍ଦିତା ହୋଇଛନ୍ତି ନିଜେ ପଦ୍ମାବତୀ । କହଛନ୍ତି ଧୀର ଗଳାରେ–“ହଁ ବାବା ! ମୁଁ” ସବୁଦିନ ପ୍ରଭୁଙ୍କ ଲୀଳା ଗାନ କରିବି । ଆପଣ ଆସିବେ, ଶ୍ରବଣ କରି ଆନନ୍ଦିତ ହେବେ ।” ପଦ୍ମାବତୀଙ୍କ ଉତ୍ତରରେ ପ୍ରୀତ ହୋଇ ଆର୍ଶୀବାଦ କରି କରି ଫେରିଯାଇଛନ୍ତି ବୟସ୍କ ବ୍ୟକ୍ତି ।

 

ତା’ପରେ ଦୀପ ଲଗାଇ ପ୍ରଭୁ ରାଧାମାଧବଙ୍କର ଆଳତିର ଆୟୋଜନ କରିଛନ୍ତି ପଦ୍ମାବତୀ ଏବଂ ଅପେକ୍ଷା କରି ବସିଛନ୍ତି ସ୍ଵାମୀଙ୍କ ଫେରନ୍ତା ପଥକୁ ।

 

ସେଦିନ କୁଟୀରକୁ ଫେରୁ ଫେରୁ ଅନେକ ଡେରି ହୋଇଛି ଜୟଦେବଙ୍କର । ଅଭିଯୋଗ କରିଛନ୍ତି ପଦ୍ମାବତୀ–“ପ୍ରଭୁ ! ଆଜି ଏତେ ଡେରି କଲେ କାହିଁକି ? ସନ୍ଧ୍ୟା ପ୍ରହରରୁ ମୁଁ ଆପଣଙ୍କ ପଥ ଚାହିଁ ଅପେକ୍ଷା କରି ବସିଛି ।”

 

ପଦ୍ମାବତୀଙ୍କ ମୁଖାରବିନ୍ଦକୁ ଚାହିଁ ହସିଲେ ଜୟଦେବ । କହିଲେ... “ପ୍ରିୟେ ! ତୁମେ କ’ଣ ସେ ହଟିଆ ଜଗା ବଳିଆ କଥା ଜାଣିନାହଁ । ଆଜି ମଧ୍ୟାହ୍ନ ଧୂପ ବେଳେ କେଉଁଆଡ଼େ ପାରିଧି କରି ଚାଲିଯାଇଥିଲେ । ଫଳରେ ବଡ଼ପଣ୍ଡା ଚଳୁରେ ଦର୍ଶନ ପାଇଲେ ନାହିଁ । ସମ୍ପୂର୍ଣ୍ଣ ଭୋଗ ମାରା ହେଲା । ପୁଣି ପ୍ରସ୍ତୁତ ହେଲା ମଧ୍ୟାହ୍ନ ଧୂପ । ସେ ଧୂପ ପରେ ସନ୍ଧ୍ୟା ଧୂପ ହେଉ ହେଉ ରାତି ଅନେକ । ସନ୍ଧ୍ୟା ଧୂପ ପୂର୍ବରୁ ମୁଁ ଆସିବି କିପରି ?”

 

ସ୍ୱାମୀ କଥା ଶୁଣି ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ପଦ୍ମାବତୀ । କହି ବସିଲେ ଶାକଅନ୍ନ ଭୋଜନର କାହାଣୀ । ପତ୍ନୀ ପଦ୍ମାବତୀଙ୍କୁ ନିଜ ବକ୍ଷରେ ଜଡ଼ାଇ ଧରି କହିଲେ ଜୟଦେବ–“ତୁମେ ଅଶେଷ ଭାଗ୍ୟବତୀ ପଦ୍ମା ! ବାରମ୍ବାର ତାଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରୁଛ । ସାନିଧ୍ୟ ଲାଭ କରି ପବିତ୍ର ହେଉଛ । ମୁଁ ତୁମର ସେହି ପବିତ୍ର ଦେହକୁ ବକ୍ଷରେ ଜଡ଼ାଇ ଧରି ଧନ୍ୟ ହେଉଛି ପଦ୍ମା ! ତୁମେ ମୋର ଆନନ୍ଦଦାୟିନୀ ପ୍ରେମ ବିଦଗ୍‌ଧା କୃଷ୍ଣପ୍ରିୟା ପତ୍ନୀ ପଦ୍ମାବତୀ ।”

 

ପତ୍ନୀ ଜୟଦେବଙ୍କ ମୁହଁରେ ହାତ ଦେଇ ପଦ୍ମାବତୀ କହିଲେ–“ଛି ସ୍ୱାମୀ !ମୋତେ ଆଉ ପ୍ରଶଂସା କରନ୍ତୁ ନାହିଁ । ମୋର ସମସ୍ତ ସୁଫଳ ଯେ ଆପଣଙ୍କ ପାଇଁ ?”

 

–“ହଁ ସଖା ପଦ୍ମାବତୀ ! ଆମ ପ୍ରେମରସର ନିର୍ମଳ ମନ୍ଦାକିନୀ ଏ କୁଟୀରକୁ ପ୍ଳାବିତ କରୁଛି । କିନ୍ତୁ ଗୀତଗୋବିନ୍ଦ ମହାକାବ୍ୟରେ ଯେ ବିରହଣୀ ରାଈବିନୋଦିନୀ ରାଧିକା କୃଷ୍ଣ ବିରହରେ ଜର୍ଜରିତା ଏବଂ ଗୋପୀବଲ୍ଲଭ ଶ୍ରୀକୃଷ୍ଣ ରାଧିକାଙ୍କ ବିହୁନେ ମର୍ମାହତ, ସେ କଥା ଚିନ୍ତା କରୁଛ ତ ? ଆଜି ଦଶମ ସର୍ଗ ଆରମ୍ଭ ହେବ ପ୍ରିୟେ ! ସ୍ଵୟଂ ଗୋପୀନାଥ ରାଧାକାନ୍ତ ଆଗମନ କରିବେ ରାଧାଙ୍କ କୁଞ୍ଜକୁ ପ୍ରେମ ଭିକ୍ଷା କରି ମାନମୟୀ ରାଧିକାଙ୍କ ମାନଭଞ୍ଜନ ପାଇଁ ।”

 

–“ମୋର ଗୋଟିଏ ଭିକ୍ଷା ଅଛି ପ୍ରଭୁ ।”

 

–“କୁହ ପ୍ରିୟେ !”

 

–“ଆଜି ସ୍ଵୟଂ ପ୍ରଭୁ ଜଗନ୍ନାଥ ଏ କୁଟୀରକୁ ଆଗମନ କରି ମୋତେ ପ୍ରେମରସରେ ବହ୍ୱଳିତ କରିଦେଇଛନ୍ତି । ମୁଁ ଆଉ ତାଙ୍କ ବିରହ ଜ୍ୱାଳା, ପ୍ରେମଭିକ୍ଷା, ଆକୁଳ ମିନତି ସହ୍ୟ କରିପାରିବି ନାହିଁ ପ୍ରଭୁ ! ଅନ୍ତତଃ ଆଜି ରାତିଟି ଅମୃତ ଲଗ୍ନପରି ବିତିଯାଉ । ଆସନ୍ତାକାଲି ପ୍ରଭାତରୁ ଆପଣ ଆରମ୍ଭ କରିବେ ବିରହୀ ଶ୍ରୀକୃଷ୍ଣଙ୍କ ପ୍ରେମଭିକ୍ଷା ମାନମୟୀ ରାଧିକାଙ୍କ ନିକଟରେ-।”

 

ପଦ୍ମାବତୀଙ୍କ ଅନୁରୋଧ ଶୁଣି ହସିଲେ ଜୟଦେବ । କହିଲେ–“ହଉ, ତୁମର କଥା ରହୁ ପଦ୍ମା ! ସହଚରୀଠାରୁ ସମ୍ବାଦ ଶ୍ରବଣ କରି ନିଜ ଚକ୍ଷୁରେ ଗୋପୀକା ଗହଣରେ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ କାନନ ପଥ ଅତିକ୍ରମ କରି ଆଗେଇ ଯାଉଛନ୍ତି ରାଧିକା । ଦେଖିଛନ୍ତି ଗୋପୀବଲ୍ଲଭଙ୍କୁ, ସନ୍ତାପିତ ହୋଇଛି ପ୍ରାଣ । ଦେଖିନେଇଛନ୍ତି ମଧ୍ୟ ଶ୍ରୀକୃଷ୍ଣ ପ୍ରେମମୟୀ ରାଧିକାଙ୍କୁ-। ଜାଗରିତ ହୋଇଛି ପ୍ରେମର ବାସନା ରାଧିକାଙ୍କ ପାଇଁ । ଅସାର ହୋଇଛି କୁଞ୍ଜଲତାର କୋମଳତା, କୋକିଳର କୁହୁତାନ । ଶେଷରେ ରାଧାକୁଞ୍ଜକୁ ବିଜେ କରିବେ ରାଧାକାନ୍ତ । ଏ ଏକ ଅପୂର୍ବ ମୁହୂର୍ତ୍ତର ବର୍ଣ୍ଣନା ପ୍ରିୟେ ! ସ୍ଵୟଂ ଜଗତର ନାଥ ବନମାଳୀ ପ୍ରେମ ଭିକ୍ଷା କରିବେ ଶକ୍ତିସ୍ୱରୂପା ରାଧିକା ସୁନ୍ଦରୀଙ୍କୁ ।”

 

–“ମୁଁ ମଧ୍ୟ ଆଜି ମାନ କରିବି ପ୍ରଭୁ ! ଆପଣ ମୋର ମାନ ତେଜିବେ ।”

 

–“ପଦ୍ମାବତୀ ??”

 

–“ହଁ ପ୍ରଭୁ ! ଅନେକ ଦିନ ହେବ ମୁଁ ଶ୍ରୀକ୍ଷେତ୍ରରେ ଏଇ କୁଟୀରର ସେବିକା ହୋଇ ଦିନ କାଟିଲିଣି ! କିନ୍ତୁ ଦିନେ ହେଲେ ତ ଆପଣ ମୋତେ ଶ୍ରୀମନ୍ଦିରକୁ ନେଲେ ନାହିଁ । ଦିଅଁ ଦର୍ଶନ କରାଇଲେ ନାହିଁ ।”

 

“ତୁମେ ତ’ ଜୀବନ୍ତ ଦିଅଁ ଦର୍ଶନ କରୁଛ ପଦ୍ମା ! ଆଉ ଦାରୁଦିଅଁ ଦର୍ଶନ ପାଇଁ ମନରେ ଅଭିମାନ କାହିଁକି ?”

 

–“ହଁ ପ୍ରଭୁ ! ଦିନେ ଆପଣ ମୋ ନିକଟରେ ଥିଲେ ଦାରୁ ଦିଅଁ । କିନ୍ତୁ ପୁଣି ଜୀବନ୍ତ ଦିଅଁ ହୋଇ ଆପଣ ମୋତେ ପଦ ସେବାର ସ୍ଵାଧୀନତା ପ୍ରଦାନ କରିଛନ୍ତି । ସେମିତି ଜୀବନ୍ତ ଦିଅଁଙ୍କୁ ବାଳକ ରୂପରେ ବୃଦ୍ଧ ରୂପରେ ମୁଁ ଦେଖିବାର ସୁଯୋଗ ଲାଭ କରିଛି ପ୍ରଭୁ ! ଏବେ ଦାରୁ ରୂପରେ ଦେଖିବାପାଇଁ ମନରେ ଅଭିଳାଷ ।”

 

–“ଅପେକ୍ଷାକର ପଦ୍ମା ! ଯେଉଁଦିନ ଶ୍ରୀଗୀତଗୋବିନ୍ଦ ମହାକାବ୍ୟଶେଷ ହେବ, ସେଦିନ ପ୍ରଥମେ ତୁମେ ହିଁ ତାହା ଗାନ କରିବ ଶ୍ରୀମନ୍ଦିର ଭିତରେ ।”

 

–“ସତରେ ମୋତେ ଏ ସୁଯୋଗ ମିଳିବ ପ୍ରଭୁ ?

 

–“ହଁ ପଦ୍ମା ! ଗୀତଗୋବିନ୍ଦର ତାଳେ ତାଳେ ପାଦ ପକାଇ ନାଚିବ ତୁମେ, ଗାନ କରିବ ସେହି ଅପୂର୍ବ ଲୀଳାର ମାଧୁରୀ । ନିକଟରେ ବସି ପଖାଉଜରେ ତାଳ ଦେବି ମୁଁ କବି ଜୟଦେବ ।”

 

–“ମୋର ପ୍ରାଣ ଧନ୍ୟ ହୋଇଯିବ ପ୍ରଭୁ ! ଜୀବନ କୃତାର୍ଥ ହୋଇଯିବ ।”

 

କହୁ କହୁ ଆତ୍ମହରା ହେଉଥିଲେ ସତୀପଦ୍ମାବତୀ । ବିହ୍ଵଳିତ ହେଉଥିଲେ ଜୟଦେବ ପଦ୍ମାଙ୍କର ସୁଷମାଭଙ୍ଗା ଅଙ୍ଗଲତାର ସ୍ପର୍ଶରେ । ବିରହଣୀ ରାଈ ରାଧିକା ଏବଂ ବିରହବିଧୂର ନବଘନ ବନମାଳୀଙ୍କର ଆତ୍ମା ସହିତ ଆତ୍ମାର ମିଳନ ପରି ନିବିଡ଼ ପ୍ରେମାଲିଙ୍ଗନରେ ଆବଦ୍ଧ ଥିଲେ ଜୟଦେବ ଓ ପଦ୍ମାବତୀ ।

 

ଏମିତି ନିବିଡ଼ ଆଶ୍ଳେଷ ମଧ୍ୟରେ ସମଗ୍ର ରାତ୍ରିଟି ବିତିଯାଇଛି । ପରଦିନ ବ୍ରାହ୍ମ ମୁହୂର୍ତ୍ତରୁ ଜୟଦେବ ବସିଛନ୍ତି ସାଧନାରେ ଗୀତଗୋବିନ୍ଦର ଦଶମ ସର୍ଗରେ ଗୋବିନ୍ଦଙ୍କ ଆତ୍ମସମର୍ପଣ ବିଷୟ ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ । ପ୍ରଦୋଷରେ ମାନମୟୀ ରାଧାଙ୍କ ସମ୍ମୁଖରେ ଦଣ୍ଡାୟମାନ ରାଈ ପ୍ରାଣବନ୍ଧୁ ଶ୍ରୀକୃଷ୍ଣ । ଅମୋଦିତ ସେ ଶ୍ରୀରାଧାଙ୍କ ମୁଖକମଳ ଦର୍ଶନକରି । ଅନୁରୋଧ କରିଛନ୍ତି କାତର ହୋଇ–ମାନ ତେଜ ମାନମୟୀ ! କାମ ଅନଳରେ ମୁଁ ଦଗ୍‌ଧିଭୂତ । ମୋତେ ତୁମେ ପ୍ରେମ ସୁଧା ପାନ କରାଇ ସଂଜୀବିତ କର ! ମୁଖରେ ହାସ୍ୟରେଖା ଫୁଟାଇ ହୃଦୟକୁ ଶୀତଳ କର । ମୋ ଚିତ୍ତ ଚକୋର ତୁମ ଅଙ୍ଗଲତାର ସ୍ନିଗ୍‌ଧ ଜ୍ୟୋତ୍ସ୍ନା ପାଇଁ ବ୍ୟାକୁଳ । ଥରେ ନୟନ ଟେକି ଚାହଁ ସତୀ । ଅନ୍ୟ କୁଞ୍ଜରେ ବିହାର କରିବାର ଅପରାଧ ପାଇଁ ମୋତେ ଶାସ୍ତି ପ୍ରଦାନ କର । ମୋତେ ତୁମ ଭୁଜଲତାରେ ବାନ୍ଧି ପରାଭବ ଦିଅ ସତୀ । ଅଧରର ଦଂଶନରେ କ୍ଷତବିକ୍ଷତ କର ସମଗ୍ର ଶରୀର । ତୁମେ ଯେ ମୋ ଅଙ୍ଗର ଭୂଷଣ, ହୃଦୟର ରତ୍ନ । ତୁମ ପଦକମଳ ବଢ଼ାଇଦିଅ ସଖୀ ମୁଁ ଅଳତାରେ ରଞ୍ଜିତ କରେ ସେ ପଦଯୁଗଳକୁ–

 

“ସ୍ଥଳକମଳଗଞ୍ଜନଂ ମମହୃଦୟରଞ୍ଜନଂ

ଜନିତରତିରଙ୍ଗ ପରଭାଗଂ

ଭଣମସୃଣବାଣି–କରବାଣି ଚରଣଦ୍ଵୟଂ

ସରସଲସଦ୍‌ଲକ୍ତରାଗଂ ।”

 

ତଥାପି ମାନ ମୋଚିତ ହୋଇନାହିଁ ମାନମୟୀ ରାଧିକା ସୁନ୍ଦରୀଙ୍କର । କଠୋର ହୃଦୟା ଅଭିମାନିନୀ ଭଳି ବସିରହିଛନ୍ତି ସେ କୃଷ୍ଣଙ୍କ କାକୁତି ମିନତୀ ଭରା ପ୍ରେମଭିକ୍ଷାକୁ ବେଖାତିର କରି । ତା’ପରେ ଚମକି ପଡ଼ିଲେ ଜୟଦେବ । କ’ଣ ଲେଖିବେ ଆଉ ମାନମୟୀଙ୍କ ମାନ ମୋଚନ ପାଇଁ ? ମଦନ ଗରଳରେ ଜର୍ଜରିତ ମୁଁ ସତୀ ! ତୁମ ଚରଣ ମୋର ଶିରରେ ସ୍ଥାପନ କର । ସେ ଗରଳ ଖଣ୍ଡିତ ହେଉ । କାମଦୀପ୍ତ ଅଙ୍ଗ ହେଉ ଶୀତଳ ।

 

ଛି ଛି...ଏକଥା ସେ ଲେଖିବେ କିପରି ? ବ୍ରହ୍ମାଣ୍ଡ ଠାକୁର ଅବତାର ଶ୍ରୀକୃଷ୍ଣ କ’ଣ କାମଚର୍ଯ୍ୟା ପାଇଁ ଶିରରେ ସ୍ଥାପନ କରିବେ ଗୋପକାମିନୀ ରାଧିକାଙ୍କ ପଦଯୁଗଳ । ନାଁ ନାଁ...ଏପରି ଅସମ୍ଭବ ବର୍ଣ୍ଣନା ସେ ଲେଖିପାରିବେ ନାହଁ ମହାକାବ୍ୟ ଗୀତଗୋବିନ୍ଦରେ । ଶେଷରେ ହତାଶ ହୋଇଉଠିଲେ ଜୟଦେବ ।

 

ପ୍ରଶ୍ନ କଲେ ପଦ୍ମାବତୀ–“କ’ଣ ହେଲା ପ୍ରଭୁ ! ଆଜି ଏତେଶୀଘ୍ର ସାଧନାରୁ ଉଠିପଡ଼ିଲେ ଯେ ?

 

ଉତ୍ତର ଦେଲେ ଜୟଦେବ–‘‘କମବିଦଗ୍‌ଧ କୃଷ୍ଣଙ୍କୁ ମୁଁ ଶୋଚନୀୟ ଭାବେ ଦୁର୍ବଳମନା କରିବାକୁ ସକ୍ଷମ ହେଉନାହଁ ପଦ୍ମା । ମୋର ବିବେକ ମୋତେ ବାଧା ଦେଉଛି । କଣ୍ଠରେ ସ୍ଫୁରୁଥିବା ପଦ ସଂଯୋଜନା ମୋର ବିବେକରେ ଆଘାତ ଦେଉଛି । ଏପରି ଦମନୀୟ ଭାବେ ମୁଁ ଜଗତ ଦୁର୍ଲଭମାଧବଙ୍କୁ ନାରୀ ପଦତଳେ ପକାଇ ପାରୁନାହିଁ ପଦ୍ମା । ତେଣୁ ଆଜି ଏଇଠି ରହୁ ଗୀତଗୋବିନ୍ଦ ରଚନା । ପୁଣି ଉପଯୁକ୍ତ ସୁଚିନ୍ତିତ ପଦ ସଂଯୋଜନାରେ ମୁଁ ପୂରଣ କରିବି ଦଶମ ସର୍ଗ ।”

 

–“ତେବେ କ’ଣ ପୋଥିକୁ ଯଥା ସ୍ଥାନରେ ରଖିଦେବି ପ୍ରଭୁ ?”

 

–“ହଁ ପଦ୍ମା ! ତୁମେ ପୋଥିଟିକୁ ସଜାଡ଼ି ରଖ । ମୁଁ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ଆସୁଛି ।”

 

–“କହୁ କହୁ ନଦୀ ଆଡ଼େ ଆଗେଇଲେ ଜୟଦେବ । ପୋଥିଟିକୁ ସଜାଡ଼ି ରଖିଲେ ସତୀ ପଦ୍ମାବତୀ ।”

 

ମାତ୍ର ଅଳ୍ପ ସମୟ ପରେ ପୁଣି ଫେରିଆସିଲେ ଜୟଦେବ । ଅପ୍ରସ୍ତୁତ ହୋଇ ପ୍ରଶ୍ନକଲେ ପଦ୍ମାବତୀ–“ପ୍ରଭୁ ! ସ୍ନାନ କରିବାପାଇଁ ଯାଉ ଯାଉ ପୁଣି ଫେରିଆସିଲେ କାହିଁକି ?” ଅଧରରେ ହସ ଫୁଟାଇ କହିଲେ ଜୟଦେବ–“ଯେଉଁ ପଦ ସଂଯୋଜନା ପାଇଁ ଅନେକ ସମୟ ଧରି ଚିନ୍ତିତ ଥିଲା ତାହା ପଥ ମଧ୍ୟରେ ସ୍ମରଣକୁ ଆସିଛି ସତୀ ! ତୁମେ ପୋଥିଟି ମୋ ହାତକୁ ବଢ଼ାଇଦିଅ । ମୁଁ ତାହା ପୂରଣ କରି ସ୍ନାନ କରିବାକୁ ଚାଲିଯିବି ।”

 

ଆଗ୍ରହରେ ପୋଥିଟି ବଢ଼ାଇଦେଲେ ପଦ୍ମାବତୀ । ଲେଖିବସିଲେ ଜୟଦେବ ଲେଖନୀ ମୁନରେ ।

 

ପଦଟି ଲେଖି ସାରିବା ପରେ ଉଠିଗଲେ ଜୟଦେବ ସ୍ନାନ ଉଦ୍ଦେଶ୍ୟରେ । ପୋଥିଟିକୁ ପୁଣି ସଜାଡ଼ି ରଖିଲେ ସଙ୍ଗେ ପଦ୍ମାବତୀ ଏବଂ ଆସନ ଉଠାଇ ଗୃହ ମାର୍ଜନା କରିବା ପାଇଁ ବୁଲିପଡ଼ିବା ବେଳକୁ ଲକ୍ଷ୍ୟ କଲେ ଫେରୁଛନ୍ତି ସ୍ୱାମୀ ଜୟଦେବ ସ୍ନାନ ଶେଷକରି । ଆଶ୍ଚର୍ଯ୍ୟନ୍ଵିତା ହୋଇପଡ଼ିଲେ ସେ । ଚମକି ପ୍ରଶ୍ନ କଲେ–“ପ୍ରଭୁ ! ଆପଣ ସଙ୍ଗେ ସଙ୍ଗେ ଯାଉ ଯାଉ ସ୍ନାନ ଶେଷକରି ଫେରିଲେ କିପରି ?”

 

–“କ’ଣ କହୁଛ ପଦ୍ମାବତୀ ? ମୁଁ ତ କିଛି ବୁଝି ପାରୁନାହିଁ ।”

 

–“ଆପଣ ସ୍ନାନ ପାଇଁ ଯାଉ ଯାଉ ଉପଯୁକ୍ତ ପଦ ସ୍ମରଣରେ ଆସିଗଲା ବୋଲି ଫେରିଆସିଲେ, ପୋଥିଟି ନେଇ ପଦ ସଂଯୋଜନା କଲେ ଏବଂ ସ୍ନାନ ପାଇଁ ଯାତ୍ରା କଲେ । କିନ୍ତୁ ମାତ୍ର ମୁହୂର୍ତ୍ତକ ମଧ୍ୟରେ ପୁଣି ସ୍ନାନ ଶେଷକରି ପ୍ରତ୍ୟାବର୍ତ୍ତନ କଲେ କିପରି ?”

 

–“ମୁଁ ସ୍ନାନ ପାଇଁ ଯାଉ ଯାଉ ଫେରି ଆସିଲି ? ପୁଣି ପଦ ସଂଯୋଜନା କଲି ? ଏ କ’ଣ କହୁଛ ପଦ୍ମାବତୀ ! ମୁଁ ତ ଆଉ ଫେରି ନାହିଁ । ଭାରାକ୍ରାନ୍ତ ମନରେ ସ୍ନାନ କରୁ କରୁ ବରଂ ବିଳମ୍ବ ହୋଇଛି ।” କହିଲେ ଜୟଦେବ ।

 

ଆହୁରି ଆଶ୍ଚର୍ଯ୍ୟ ହେଲେ ପଦ୍ମାବତୀ । କହିଲେ–“ମୁଁ ମିଥ୍ୟା କହୁନାହିଁ ପ୍ରଭୁ । ଆପଣ ଯେ ଫେରିଲେ, ନୂତନ ପଦ ସଂଯୋଜନା କଲେ ।”

 

–‘‘ତୁମ ମନରେ ଭ୍ରମ ଜାତ ହୋଇଛି ପଦ୍ମା, ପ୍ରେମ ବିଦଗ୍‌ଧ କୃଷ୍ଣ ତୁମକୁ ଆନମନା କରିଛନ୍ତି ।”

 

–“ନାଇଁ ପ୍ରଭୁ ! ଆପଣ ପୋଥି ଦେଖନ୍ତୁ । ନିଜ ପଦ ସଂଯୋଜନା ପାଠ କରନ୍ତୁ । ମୋର ମତିଭ୍ରମ ହୋଇନାହିଁ ପ୍ରଭୁ ! ମୁଁ ଆପଣଙ୍କୁ ଦେଖିଛି । ଆପଣ ଆସନରେ ବସି ପଦ ସଂଯୋଜନା କରିଛନ୍ତି ।”

 

ପଦ୍ମାବତୀଙ୍କର ବାରମ୍ବାର ଏ ଉକ୍ତିରେ ଚକିତ ହୋଇପଡ଼ିଲେ ଜୟଦେବ । ଏକ ଉତ୍ତେଜନାରେ ଆଗେଇଯାଇ ଉଠାଇ ଆଣିଲେ ପୋଥି । ଖେଳାଇ ପକାଇଲେ ଦଶମ ସର୍ଗର ପଦଗୁଡ଼ିକୁ । ଯେଉଁଠି ଅଟକି ରହିଥିଲା ତାଙ୍କ ଲେଖନୀ । ଏ କ’ଣ ? ମନର ପରିକଳ୍ପିତ ସେ ପଦ ଯେ ପୂରଣ ହୋଇଯାଇଛି–

 

“ସ୍ମରଗରଳଖଣ୍ଡନଂ ମମ ଶିରସି ମଣ୍ଡନଂ

ଦେହି ପଦପଲ୍ଲବ ମୁଦାରଂ ।”

 

ପୋଥିଟିକୁ ଧରି ଭୂମିରେ ଗଡ଼ିବାକୁ ଲାଗିଲେ ଜୟଦେବ । କହିଉଠିଲେ ଚିତ୍କାର କର–“ବାରମ୍ବାର ତୁମେ ପ୍ରଭୁ ଶ୍ରୀକୃଷ୍ଣ ରୂପୀ ଜଗନ୍ନାଥଙ୍କୁ ବହୁ ରୂପରେ ଦର୍ଶନ କରି ଧନ୍ୟା ହୋଇଛ ପଦ୍ମା । ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟ ରଚନା କରି ମୁଁ ମଧ୍ୟ ଧନ୍ୟ ହୋଇଛି ।”

–“ମୁଁ କିଛି ବୁଝିପାରୁ ନାହିଁ ପ୍ରଭୁ ! ଭଗବାନଙ୍କର ବିଚିତ୍ର ଲୀଳାକୁ ହୃଦୟଙ୍ଗମ କରିବା ପାଇଁ ମୁଁ ଅକ୍ଷମା ହେଉଛି ।”

–“ଆଉ ଅବୋଧ୍ୟ କରୁ ନାହଁ ପଦ୍ମା ! ଯେଉଁ ପଦର ସଂଯୋଜନା ପାଇଁ ମୁଁ ଥିଲି କୁଣ୍ଠିତ, ସେହି ପଦର ପୂରଣ କରିଛନ୍ତି ସେ ନିଜେ ମୋର ରୂପ ଧରି ତାଙ୍କ ନିଜ ହସ୍ତରେ । ଦେଖିବ ଆସ ପଦ୍ମା ! ତାଙ୍କ ସ୍ଵହସ୍ତ ଲିଖିତ ବର୍ଣ୍ଣମାଳା । ଅଭିମାନୀନି ରାଧିକାଙ୍କର ମାନ ଭଞ୍ଜନ ପାଇଁ ସେ ନିଜେ ଲେଖନୀ ଧରିଛନ୍ତି । ରାଈ ବିନୋଦିନୀଙ୍କ ପଦଯୁଗଳକୁ ସ୍ଥାପନ କରିଛନ୍ତି ନିଜ ମସ୍ତକରେ ।”

–“ପ୍ରଭୁ ! ଏ କୁଟୀର ପବିତ୍ର ହୋଇଗଲା ପ୍ରଭୁ ।”

କିନ୍ତୁ ଜୟଦେବଙ୍କୁ ଶୁଭୁ ନଥିଲା ପଦ୍ମାଙ୍କ କଥା । ସେ ବାରମ୍ବାର ଉଦ୍ଦାତ୍ତ କଣ୍ଠରେ ଗାନ କରୁଥିଲେ ସେହି ଅବିନଶ୍ଵର ପଂକ୍ତି ।

“ସ୍ମରଗରଳଖଣ୍ଡନଂ ମମ ଶିରସି ମଣ୍ଡନଂ

ଦେହି ପଦପଲ୍ଲବ ମୁଦାରଂ ।”

ଚିନ୍ତା କରୁଥିଲେ ଜୟଦେବ–ପଦ୍ମାବତୀଙ୍କ ଚରଣ ଯୁଗଳକୁ ଆଣି ନିଜେ ମସ୍ତକରେ ସ୍ଥାପନ କରିବା ପାଇଁ । କହୁଥିଲେ ବିଦଗ୍‌ଧ ଭାବାବେଗରେ–“ମୁଁ ନିଜକୁ ପଦ୍ମାବତୀ ଚରଣ ଚାରଣ ଚକ୍ରବର୍ତ୍ତୀ ଭାବେ ପରିଚିତ କରାଇ ଠିକ୍‍ କରିଛି ପଦ୍ମା ! ତୁମେ ଶକ୍ତି ସ୍ଵରୁପା । ରାଧା ରୂପିଣୀ ଭାବବିହ୍ଵଳା ପ୍ରେମିକା, ରସବତୀ ନାରୀଶକ୍ତି । ଆସ ପଦ୍ମା ! ତୁମକୁ ବାହୁବନ୍ଧନରେ ଆଲିଙ୍ଗନ କରି ଧନ୍ୟ ହେଉ କବି ଜୟଦେବ ।

ଲୌହ ଚୁମ୍ବକକୁ ଆକର୍ଷଣ କରିବା ପରେ ଜୟଦେବଙ୍କ ପ୍ରଶସ୍ତ ବକ୍ଷ ଉପରେ ମିଶିଗଲେ ପଦ୍ମାବତୀ । ବାହ୍ୟ ଜ୍ଞାନ ହରାଇଥିଲେ ସେମାନେ ପରମାତ୍ମିକ ପ୍ରେମାଲିଙ୍ଗନରେ । ତାଙ୍କ ମାନସପଟରେ ନାଚୁଥିଲେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ଏକହୋଇ ଲୋଟିପଡ଼ିଲେ ସେମାନେ କୁଟୀରର ରାଧାମାଧବଙ୍କ ପଦତଳେ । ଗାଉଥିଲେ ଉଚ୍ଚ କଣ୍ଠରେ–

 

ଚନ୍ଦନ ଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ

 

ଏମିତ ଅନେକ ସମୟ ବିତିଯିବା ପରେ ପ୍ରକୃତିସ୍ଥ ହେଲେ ଜୟଦେବ । କହିଲେ ଧୀର ଗଳାରେ–“ପ୍ରିୟେ ପଦ୍ମା ! ଆଜି ଏକ ପବିତ୍ର ଦିବସ, ସ୍ନାନପୂର୍ଣ୍ଣିମା । ମହାପ୍ରଭୁ ଜଗନ୍ନାଥ ଆଜି ସ୍ନାନ ଶେଷରେ ଅଣବସର ଗୃହରେ ଅବସ୍ଥାନ କରିବେ । ଆଉ ଆସନ୍ତା ପନ୍ଦର ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଦର୍ଶନ ମିଳିବ ନାହିଁ । ପୁଣି ନେତ୍ରୋତ୍ସବ ପରେ ନବଯୌବନ ଦର୍ଶନ ଦେଇ ଶ୍ରୀଗୁଣ୍ଡିଚାଯାତ୍ରାରେ ବିଜେ କରିବେ ପ୍ରଭୁ ଜଗନ୍ନାଥ । ତେଣୁ ଆଜିଠାରୁ ଶ୍ରୀ ଗୀତଗୋବିନ୍ଦ ରଚନା ବନ୍ଦ ରହିବ ପ୍ରିୟେ । ପୁଣି ବାହୁଡ଼ା ଯାତ୍ରାରେ ଠାକୁରମାନେ ଶ୍ରୀମନ୍ଦିରକୁ ଯାତ୍ରା କରିବା ପରେ ଆରମ୍ଭ ହେବ ଗୀତଗୋବିନ୍ଦର ଅବଶିଷ୍ଟାଂଶ ।”

 

–“ସ୍ନାନ ପୂର୍ଣ୍ଣିମାର ମହାତ୍ମ୍ୟ ଶ୍ରବଣ ପାଇଁ ମନରେ ଆଗ୍ରହ ଜାତ ହୋଇଛି ପ୍ରଭୁ !”

 

–‘‘ଶୁଣ ପଦ୍ମା ! ଆନନ୍ଦ ବଜାର ନିକଟରେ ଠାକୁରଙ୍କର ସ୍ନାନମଣ୍ଡପ । ଏ ମଣ୍ଡପରେ ଠାକୁରମାନେ ବିରାଜମାନ କରିବା ପାଇଁ ସିଂହାସନ ନିର୍ମିତ ହୋଇଛି । ସିଂହାସନକୁ ବିଜେ କରିବା ପାଇଁ ପାବଚ୍ଛ ଶ୍ରେଣୀ ରହିଛି । ମଣ୍ଡପଟି ଅତି ଉଚ୍ଚରେ ଅବସ୍ଥିତ । ତେଣୁ ଭକ୍ତ ଜନ ଦିଅଁ ଦର୍ଶନ କରିବାରେ ଅସୁବିଧା ହୁଏ ନାହିଁ ।”

–“ମଣ୍ଡପ ଉପରେ କ’ଣ ଦିଅଁ ସ୍ନାନ କରନ୍ତି ସ୍ୱାମୀ !”

–“ହଁ ପଦ୍ମା ! ପୂର୍ଣ୍ଣିମାର ପୂର୍ବଦିନ ସୁନା ଗୋସେଇଁ ଏବଂ ମୁଦିରସ୍ତ ସୁନା କୂଅରୁ ଶହେ ଆଠଟି ନୂଆ କୁମ୍ଭରେ ଗରାବଡ଼ୁ ସେବକମାନଙ୍କ ଦ୍ଵାରା ଜଳ ଅଣାଇ ଭୋଗ ମଣ୍ଡପରେ ଅଧିବାସ କରାଇ ରଖିଥାନ୍ତି । ଘଟୁଆରୀ ଚନ୍ଦନ, କର୍ପୂର, ବେଶର ଏବଂ ଚୂଆ ଇତ୍ୟାଦି ଏହି ଜଳରେ ମିଶାଇ ରଖେ । ଗରାବଡ଼ୁମାନେ ଶହେ ଆଠ କୁମ୍ଭରେ ଶହେ ଆଠ ନଡ଼ିଆ ଓ ଶହେ ଆଠ କରିଆ ରଖନ୍ତି-। ତେଣୁ ସେହି ପୂର୍ବଦିନ ରାତିରେ ବଡ଼ସିଂହାର ବେଶ ପରେ ଠାକୁରମାନଙ୍କର ପହୁଡ଼ କରାନଯାଇ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇଥାଏ । ତା’ପରେ କୋଠ ସୁଆଁସିଆମାନେ ଠାକୁରମାନଙ୍କୁ ରତ୍ନସିଂହାସନରୁ ବିଜେ କରାଇବା ପାଇଁ କଳାହାଟ ଦ୍ଵାର ଠାରୁ ରତ୍ନ ସିଂହାସନ ପର୍ଯ୍ୟନ୍ତ ଚାରମାଳ ବାନ୍ଧନ୍ତି । ଏହା ପୂର୍ଣ୍ଣିମା ଦିନ ସକାଳୁ ପୂଜାପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ତ ତିନି ଠାକୁରଙ୍କ ବାଡ଼ରେ ମଙ୍ଗଳାର୍ପଣ କରିବା ପରେ ଦଇତାମାନେ ଠାକୁରଙ୍କ ଦେହରେ ଡୋରି ଲାଗି କରନ୍ତି-। ତା’ପରେ ଘଣ୍ଟ କାହାଳୀ ଏବଂ ବାଦ୍ୟ ସହିତ ଆରମ୍ଭ ହୁଏ ପହଣ୍ଡି ବିଜେ ।”

–“ଶ୍ରୀଗୁଣ୍ଡିଚା କିମ୍ବା ବାହୁଡ଼ାରେ ସିନା ପହଣ୍ଡି ହୁଏ, ସ୍ନାନ ଉତ୍ସବରେ କି ପହଣ୍ଡି ହୁଏ ପ୍ରଭୂ ?” କହିଲେ ପଦ୍ମାବତୀ ।

–“ହଁ ସଖି ! ଏ ଦିନ ମଧ୍ୟ ଠାକୁର ସ୍ନାନ ମଣ୍ଡପକୁ ବିଜେ କରନ୍ତି–ଧାଡ଼ି ପହଣ୍ଡିରେ । ପ୍ରଥମେ ସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରନ୍ତି । ପରେ ପରେ ବିଜେ କରନ୍ତି ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଏବଂ ମଦନମୋହନ । ମଦନମୋହନଙ୍କୁ ବିଜେ କରାନ୍ତି ବ୍ରାହ୍ମଣମାନେ । କିନ୍ତୁ ଅନ୍ୟ ତିନି ଠାକୁରଙ୍କୁ ବିଜେ କରନ୍ତି ଦଇତାମାନେ । ପହଣ୍ଡି ବିଜେ ସମୟରେ ଛାମୁ ଖୁଣ୍ଟିଆ ସ୍ୱାଗତ କରେ ମଣିମା ମଣିମା ଡାକି ।

 

ସ୍ନାନ ବେଦୀରେ ଠାକୁରମାନେ ପହଞ୍ଚିଲେ ରୁଦ୍ଧା ହୁଅନ୍ତି ଏବଂ ଚାଲେ ଦୈନିକ ନୀତି । ଶେଷରେ ଠାକୁରଙ୍କୁ ଜଳ ଲାଗି କରନ୍ତି ପୂଜା ପଣ୍ଡାମାନେ । ତା’ପରେ ଠାକୁରଙ୍କର ଦୁର୍ଲଭ ଗଜ ବେଶ ।”

 

–“ଗଜ ବେଶ ?” ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ପଦ୍ମାବତୀ ।

 

–“ହଁ ପ୍ରିୟେ ! କଥିତ ଅଛି ଯେ ମହାରାଷ୍ଟ୍ରର ଗଣେଶ ଭକ୍ତ ପଣ୍ଡିତ ଗଣପତି ଭଟ୍ଟ ଆଗମନ କରିଥିଲେ ଶ୍ରୀକ୍ଷେତ୍ର । ତାଙ୍କର ପାଣ୍ଡିତ୍ୟ ଏବଂ ବାଗ୍ମିତା ପାଇଁ ସେ ରାଜାଙ୍କ ଦ୍ଵାରା ହେଲେ ସମ୍ମାନିତ । ରାଜା ତାଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ଅନୁରୋଧ କଲେ । ଯୋଗକୁ ସେଦିନ ଥିଲା ସ୍ନାନ ପୂର୍ଣ୍ଣିମା । ଗଣପତି ଭଟ୍ଟ ସ୍ନାନ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରି ମର୍ମାହତ ହେଲେ । କାରଣ ଆରାଧ୍ୟ ଦେବତା ଗଣେଶଙ୍କୁ ସେ ଦର୍ଶନ କରିପାରିଲେ ନାହିଁ । ନୈରାଶ୍ୟରେ ସେ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଶୁଣିଲେ ଶୂନ୍ୟବାଣୀ–ଭକ୍ତ ଗଣପତି ଭଟ୍ଟ ! ମୁଁ ମଧ୍ୟ ତୁମର ସେ ଆରାଧ୍ୟ ଗଜାନନ । ମୋତେ ଭଲକରି ଦର୍ଶନ କର । ଏପରି ଶୂନ୍ୟବାଣୀ ପରେ ଫେରିଆସି ପୁଣି ଦର୍ଶନ କଲେ ଗଣପତି ଭଟ୍ଟ । ଦେଖିଲେ ସେ–ଏ ଦିଅଁ ଆଉ କେହି ନୁହଁନ୍ତି–ତାଙ୍କର ସେହି ପୂର୍ଣ୍ଣବ୍ରହ୍ମ ଗଜାନନ ।”

 

ଠାକୁରଙ୍କ ସ୍ନାନ ପୂର୍ଣ୍ଣିମାର ମହିମା ଶ୍ରବଣ କରି ବ୍ୟସ୍ତ ହୋଇ କହିଲେ ପଦ୍ମାବତୀ–“ସ୍ୱାମୀ ! ସ୍ନାନ କରି ତ ଠାକୁର ଅନବସରରେ ଦୀର୍ଘ ଦିନ ରହିବେ । ଆପଣ ଆଉ ଦର୍ଶନ କରିବେ କାହାଙ୍କୁ ?”

 

–“ମୁଁ ଆସନ୍ତା କାଲିଠାରୁ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ବ୍ରହ୍ମଗିରି ଯାତ୍ରା କରିବି ପ୍ରିୟେ ! ସେଠାରେ ପ୍ରତ୍ୟେକ ଦିନ ଆଲୁଆରନାଥଙ୍କୁ ଦର୍ଶନ କରି ଫେରିବି ଭିକ୍ଷା କରି କରି-।”

 

–“ବ୍ରହ୍ମଗିରି କାହିଁକ ଯାତ୍ରା କରିବେ ପ୍ରଭୁ ?”

 

–“ବ୍ରହ୍ମଗିରିର ମହାତ୍ମ୍ୟ ତୁମେ ଜାଣିନାହଁ ପଦ୍ମା ! ମହାରାଜ ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିସାରିବା ପରେ ପ୍ରତିଷ୍ଠା ପାଇଁ ସ୍ଵର୍ଗରୁ ଅଣାଇଥିଲେ ସ୍ଵୟଂ ବ୍ରହ୍ମାଙ୍କୁ । ସେ ସ୍ଵର୍ଗରୁ ଅବତରଣ କରି ପ୍ରଥମେ ପଦାର୍ପଣ କରିଥିଲେ ବ୍ରହ୍ମଗିରି ଉପରେ । ସେହି ପବିତ୍ର ବ୍ରହ୍ମଗିରିରେ ପୂଜିତ ପ୍ରଭୁ ଆଲୁଆରନାଥ । କଥିତ ଅଛି ଯେ–ଠାକୁର ଅଣବସରରେ ଥିବା ସମୟରେ ଆଲୁଆରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ଫଳ ଲାଭ ହୁଏ ।”

 

ସ୍ଵାମୀଙ୍କଠାରୁ ମହାପ୍ରଭୁ ଜଗନ୍ନାଥଙ୍କ କାହାଣୀ ଶ୍ରବଣ କରି ବିଗଳିତା ହୋଇପଡ଼ିଲେ ପଦ୍ମାବତୀ । କହିଲେ–“ଆପଣ ଆଉ ବିଳମ୍ବ ନକରି ଶ୍ରୀମନ୍ଦିରକୁ ଯାତ୍ରା କରନ୍ତୁ ପ୍ରଭୂ ! ସ୍ନାନୋତ୍ସବ ଦର୍ଶନ କରନ୍ତୁ ।”

 

ଦୀର୍ଘ ନିଃଶ୍ଵାସ ପକାଇ କହିଲେ ଜୟଦେବ–“ହଁ ପ୍ରିୟେ ! ମୁଁ ଶ୍ରୀମନ୍ଦିର ଯାତ୍ରା କରୁଛି । କିନ୍ତୁ ଆଜି ମୋ ମନରେ ଏକ ଅଦ୍ଭୁତ ବାସନା ।”

 

–“କୁହନ୍ତୁ ସ୍ୱାମୀ !”

 

–‘‘ଆଜି ପୂର୍ଣ୍ଣମୀ ହୋଇଥିଲେ ମଧ୍ୟ ତୁମ ହସ୍ତ ସିଦ୍ଧ ଶାକ ଅନ୍ନ ଭୋଜନ ପାଇଁ ମୋ ମନରେ ବ୍ୟାକୁଳତା । ତୁମେ ବାଙ୍କୀମୁହାଣୀ ନଦୀ ତଟରୁ ଶାକ ସଂଗ୍ରହ କରି ରନ୍ଧନର ଆୟୋଜନ କର ପ୍ରିୟେ ! ମୁଁ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରି ଭୋଜନ କରିବି ।”

 

ଆନନ୍ଦିତା ହୋଇ କହିଲେ ପଦ୍ମାବତୀ–“ମୁଁ ଶାକ ଅନ୍ନ ପ୍ରସ୍ତୁତ କରୁଛି ପ୍ରଭୁ ! ଆପଣ ଶ୍ରୀମନ୍ଦିର ଯାତ୍ରା କରନ୍ତୁ ।”

 

ପଦ୍ମାବତୀଙ୍କ ଠାରୁ ବିଦାୟ ନେଇ କୁଟୀରର ରାଧାମାଧବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କଲେ ଜୟଦେବ । ବାଙ୍କୀମୁହାଣୀ ନଦୀ ତଟକୁ ଆଗେଇଲେ ସତୀ ପଦ୍ମାବତୀ ଶାକ ସଂଗ୍ରହ ପାଇଁ ।

 

ନଦୀ ତଟରୁ ବିଭିନ୍ନ ଶାକ ସଂଗ୍ରହ କରି ପ୍ରତ୍ୟାବର୍ତ୍ତନ କଲେ ସେ ଏବଂ ସଯତ୍ନରେ ରନ୍ଧନ କଲେ ସ୍ୱାମୀଙ୍କ ଉଦ୍ଦେଶ୍ୟରେ । ତା’ପରେ ଅପେକ୍ଷା କରି ରହିଲେ ସ୍ୱାମୀଙ୍କ ଆଗମନକୁ ।

 

ସେଦିନ ସ୍ନାନଯାତ୍ରା ଦର୍ଶନ କରି ଅନେକ ଡେରିରେ ଫେରିଲେ ଜୟଦେବ । କୁଟୀରରେ ପହଞ୍ଚୁ ପହଞ୍ଚୁ କହିଲେ–“ପ୍ରିୟେ ପଦ୍ମାବତୀ ! ଆଜି ହଠାତ୍ କାହିଁକି ମୁଁ କ୍ଳାନ୍ତ ଅନୁଭବ କରୁଛି । ତେଣୁ ଶ୍ରୀରାଧାମାଧବଙ୍କ ସେବା ପରେ ଶାକ ଅନ୍ନ ଭୋଜନ କରି ବିଶ୍ରାମ ଗ୍ରହଣ କରିବି-।”

 

ହସିଲେ ସତୀ ପଦ୍ମାବତୀ । କହିଲେ–“ଆପଣ ଆଜି ଅବସନ୍ନ ହୋଇପଡ଼ିବେ ବୋଲି ମୁଁ ଅନୁମାନ କରିଥିଲି ସ୍ୱାମୀ ?”

 

–“କାହିଁକି ପଦ୍ମା ?”

 

–“ପବିତ୍ର ସ୍ନାନ ଉତ୍ସବ ପରେ ଠାକୁର ଅଣବସରରେ ବିଶ୍ରାମ ଗ୍ରହଣ କରିବେ । ଲେକାଚାର ଅନୁସାରେ ସେ ଜ୍ଵର ରୋଗରେ ହେବେ ପୀଡ଼ିତ । ସେହି ଦୁଃଖ ହିଁ ଆପଣମାନଙ୍କୁ ଅବସନ୍ନ କରିବ ବୋଲି ମୁଁ ଚିନ୍ତା କରୁଥିଲି ପ୍ରଭୁ ।”

 

–“ହଁ ପଦ୍ମା ! ଶ୍ରୀ ଠାକୁରଙ୍କ କ୍ରୀଡ଼ାରେ ମୁଁ ମଧ୍ୟ ପୀଡ଼ିତ । ତାଙ୍କର ସ୍ମୃତି ମୋତେ କରୁଛି ପାଗଳ । ତୁମେ ମନେପକାଅ ପଦ୍ମା ! ତୁମରି ହସ୍ତର ପ୍ରସ୍ତୁତ ଶାକଅନ୍ନ ଭୋଜନ କରିବା ପାଇଁ ପ୍ରଥମେ ଜଗାବଳିଆ ପାଦ ଦେଇଥିଲେ ଏଇ କୁଟୀରରେ । ସେହି ସ୍ମୃତି ମୋତେ ଆଜି ଆଗ୍ରହୀ କରିଛି ଏ ପୂର୍ଣ୍ଣମୀ ତିଥିରେ ଶାକ ଅନ୍ନଭୋଜନ ପାଇଁ ।”

 

–“ଆପଣଙ୍କ ଇଚ୍ଛା ଅନୁସାରେ ମୁଁ ପ୍ରସ୍ତୁତ କରି ରଖିଛି ପ୍ରଭୁ ! ଆପଣ ରାଧାମାଧବଙ୍କ ସେବା ଶେଷକରି ଭୋଜନ କରନ୍ତୁ ଏବଂ ବିଶ୍ରାମ ଗ୍ରହଣ କରନ୍ତୁ ।”

 

ପଦ୍ମାବତୀଙ୍କ ଅନୁରୋଧ କ୍ରମେ ଠାକୁରଙ୍କ ସେବା ଶେଷରେ ଭୋଜନରେ ବସିଲେ ଜୟଦେବ । ଏହି ସମୟ ମଧ୍ୟରେ ନଡ଼ିଆ ଚଟେଇର ଶଯ୍ୟା ବଢ଼େଇଦେଲେ ପଦ୍ମାବତୀ । ଭୋଜନ ଶେଷରେ ବିଶ୍ରାମ ପାଇଁ ଶଯ୍ୟା ଉପରକୁ ଉଠିଗଲେ ଜୟଦେବ । ସ୍ଵାମୀଙ୍କ ଉଚ୍ଛିଷ୍ଟ ପାତ୍ରରେ ବଳିଥିବା ଶାକ ଅନ୍ନ ସେବନ କରି ପଦ ସେବାରେ ଲାଗିଗଲେ ସତୀ ପଦ୍ମାବତୀ ।

 

ଅନେକ ଦିନ ପରେ ଆଜି ଦେହ ମନ ଭାବନା କଳ୍ପନା ଅବସନ୍ନ ଜୟଦେବଙ୍କର ।

 

ଶଯ୍ୟାରେ ଶୟନ କରୁ କରୁ କେତେବେଳେ ତାଙ୍କୁ ନିଦ୍ରା ଆଚ୍ଛନ୍ନ କରିଛି ସେକଥା ଅନୁଭବ କରିପାରି ନାହାନ୍ତି ସେ । ଏଣେ ସୁନ୍ଦରୀ ପଦ୍ମାବତୀ ପଦ ସେବା କରୁ କରୁ ମଧ୍ୟ ଢଳିପଡ଼ିଛନ୍ତି ସ୍ଵାମୀଙ୍କ ପଦଯୁଗଳ ଉପରେ ।

 

ହଠାତ୍‌ ପ୍ରଭାତରେ ବାଙ୍କୀମୁହାଣୀ ନଦୀର ସ୍ନାନରତ ଭକ୍ତଜନଙ୍କ କୋଳାହଳ ଶୁଣି ଚମକି ପଡ଼ିଛନ୍ତି ପଦ୍ମାବତୀ । କୋମଳ କଣ୍ଠରେ କହିଛନ୍ତି ସେ–“ସ୍ୱାମୀ ! ଅନେକ ଡେରି ହୋଇଯାଇଛି । ଏବେ ଶଯ୍ୟାତ୍ୟାଗ କରନ୍ତୁ ।”

 

ବହୁ କଷ୍ଟରେ ଉଠି ଶଯ୍ୟା ଉପରେ ବସିଛନ୍ତି ଜୟଦେବ । ଅନୁଭବ କରିଛନ୍ତି ସେ–ସତେଅବା ଗୋଟିଏ ରାତିରେ ତାଙ୍କ ଦେହର ଶକ୍ତି ହ୍ରାସପାଇଛି । ସେ ଦଣ୍ଡାୟମାନ ହେବା ପାଇଁ ଅକ୍ଷମ । ଆହତ ଚକ୍ଷୁରେ ବେଦନା ଭରି ଧୀର ଗଳାରେ କହିଛନ୍ତି ସେ–“ପ୍ରିୟେ ପଦ୍ମା ! ମୋତେ ଟିକେ ସାହାଯ୍ୟ କର । ମୁଁ ଠିଆ ହେବି ।”

 

ଆଶ୍ଚର୍ଯ୍ୟାନ୍ଵିତା ହୋଇଛନ୍ତି ପଦ୍ମାବତୀ–“କ’ଣ ହେଲା ପ୍ରଭୁ ?”

 

–”ମୁଁ ଉଠି ପାରୁନାହିଁ ପଦ୍ମା !”

 

–“ମାନେ ?”

 

ବ୍ୟସ୍ତ ବିବ୍ରତ ହୋଇ ସ୍ୱାମୀଙ୍କ ନିକଟକୁ ଛୁଟି ଆସିଛନ୍ତି ସତୀ ପଦ୍ମାବତୀ । ଦେହରେ ହାତ ପକାଇ ଚମକି ପଡ଼ିଛନ୍ତି ସେ–“ଆପଣଙ୍କ ଦେହରେ ଯେ ଜ୍ଵର ଭର୍ତ୍ତି ହୋଇଛି ପ୍ରଭୁ ! ଉତ୍ତାପର ଜ୍ଵାଳାରେ ସମଗ୍ର ଶରୀର ଥରିବାରେ ଲାଗିଛି । ଏ କି ଆଚମ୍ବିତ କଥା ! ଏବେ ମୁଁ କ’ଣ କରିବି ?”

 

–ବ୍ୟସ୍ତ ହୁଅନାହିଁ ପଦ୍ମା ! ଜଗତ ଠାକୁର ଜଗନ୍ନାଥଙ୍କ ସହିତ ମଧ୍ୟ ମୋତେ ଜ୍ଵର ରୋଗ ଆକ୍ରମଣ କରିଛି । ପୁଣି ନେତ୍ରୋତ୍ସବ ସମୟକୁ ଏ ଜ୍ଵର ରୋଗ ଆରୋଗ୍ୟ ହୋଇଯିବ । ତୁମେ ବ୍ୟସ୍ତ ହେଉଛ କାହିଁକି ?”

 

କାନ୍ଦୁ କାନ୍ଦୁ ହସୁଥିଲେ ପଦ୍ମାବତୀ ସ୍ଵାମୀ ଜୟଦେବଙ୍କ ଭାବାବେଗ ଲକ୍ଷ୍ୟକରି । ପ୍ରଭୁ ଜଗନ୍ନାଥଙ୍କ ସହିତ ଏକାତ୍ମ ହୋଇଛନ୍ତି ସେ । ତାଙ୍କ ଦୁଃଖରେ ଦୁଃଖୀ, ତାଙ୍କ ସୁଖରେ ସୁଖୀ, ତାଙ୍କ ଆନନ୍ଦରେ ଆନନ୍ଦିତ ପୁଣି ତାଙ୍କ ନିରାନନ୍ଦରେ ଅସହ୍ୟ ଯନ୍ତ୍ରଣାରେ ଦଗ୍‌ଧୀଭୂତ । ଆବେଗଭରା କଣ୍ଠରେ କହିଲେ ସେ–“ପ୍ରଭୁ ! ଜଗତ ଠାକୁର ଜଗନ୍ନାଥଙ୍କ ସହିତ ଆପଣ ସମ୍ପୂର୍ଣ୍ଣ ପୀଡ଼ିତ । ବିଶ୍ରାମ ଗ୍ରହଣ କରନ୍ତୁ । ଆଉ ବ୍ରହ୍ମଗିରି ଯାତ୍ରାକରିବା ସମ୍ଭବପର ହେବ ନାହିଁ । ସେପାଇଁ ମନରେ ଶୋଚନା କରନ୍ତୁ ନାହିଁ ସ୍ୱାମୀ ! ଏଇ ପୀଡ଼ିତ ଅବସ୍ଥାରେ ପ୍ରଭୁ ରାଧାମାଧବଙ୍କୁ ଦର୍ଶନ କରି ସନ୍ତୁଷ୍ଟ ହୁଅନ୍ତୁ । ସେହି ରାଧାମାଧବ ହିଁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ ହୋଇ ।”

 

ହସିଲେ ଜୟଦେବ । କହିଲେ–“ହଁ ପଦ୍ମା ! ତୁମେ ଠିକ୍ କହିଛ । ମୁଁ ସମ୍ପୂର୍ଣ୍ଣ ବିଶ୍ରାମ ଗ୍ରହଣ କରିବି । ଜ୍ଵର ଆରୋଗ୍ୟ ପାଇଁ ମଧ୍ୟ ଔଷଧ ଏବଂ ପଥ୍ୟ ସେବନ କରିବି ।”

 

–“ତା’ହେଲେ କୌଣସି ବୈଦ୍ୟରାଜଙ୍କୁ ମୁଁ ଏ କୁଟୀରକୁ ଆମନ୍ତ୍ରଣ କରି ଆଣୁଛି ପ୍ରଭୁ !”

 

ଆଉ ଟିକେ ହସିଲେ ଜୟଦେବ । କହିଲେ–“କୌଣସି ବୈଦ୍ୟରାଜଙ୍କୁ ଆମନ୍ତ୍ରଣ କରି ଆଣିବାର ଆବଶ୍ୟକତା ନାହିଁ ପଦ୍ମା ! ମୁଁ ମଧ୍ୟ ଜଣେ ବୈଦ୍ୟଶାସ୍ତ୍ରବିଦ୍ । ମୋ ରଚିତ ‘ରସାମୃତ’ ବୈଦ୍ୟ ଶାସ୍ତ୍ରର ଏକ ଅମୂଲ୍ୟ ଗ୍ରନ୍ଥ । ଆବଶ୍ୟକ ହେଲେ ଔଷଧ ବ୍ୟବସ୍ଥା ମୁଁ ନିଜେ କରିବି ।”

 

ଚକିତା ହେଲେ ପଦ୍ମାବତୀ । କହିଲେ–“ରାଧାମାଧବଙ୍କ ପବିତ୍ର ପ୍ରେମଗାଥା ବ୍ୟତୀତ ଆପଣ କ’ଣ ଅନ୍ୟାନ୍ୟ ରଚନାରେ ମଧ୍ୟ ହାତ ଦେଇଛନ୍ତି ସ୍ୱାମୀ ?”

 

“ହଁ ପଦ୍ମା ! ତ୍ରିପୁରା ସୁନ୍ଦରୀ ସ୍ତୋତ୍ର, ନ୍ୟାୟମଞ୍ଜରୀ ସାର, ଗଙ୍ଗାଷ୍ଟପଦୀ, ଈଶତତ୍ତ୍ଵ ବ୍ୟାକରଣ, ଅଳଙ୍କାର ଶତକ, ରସାମୃତ ବୈଦ୍ୟଶାସ୍ତ୍ର ଏବଂ ବହୁ ଭଜନ ଜଣାଣ ମୁଁ ରଚନା କରିଛି । କିନ୍ତୁ ଏ ସବୁଥିରେ ମୋର ଆତ୍ମା ସନ୍ତୋଷ ଲାଭ କରିନାହିଁ । ହୃଦୟ କମଳରେ ଏକ ଅଭିନବ ଦ୍ଵେତନା ସୃଷ୍ଟି କରିଛନ୍ତି ରାଧାମାଧବ । ତେଣୁ ତାଙ୍କୁ ହିଁ ଶେଷରେ ଗ୍ରହଣ କରିଛି ପରମ ଆରାଧ୍ୟ ଭାବେ ।”

 

–“ଆପଣଙ୍କ ପ୍ରବର୍ତ୍ତିତ ନିର୍ମଳ ସୁଧା ଭକ୍ତିର ଭାବୋଦ୍‌ବେଗରେ ମୁଁ ଆତ୍ମହରା ସ୍ୱାମୀ ।”

 

–‘‘ଏଇ ଭାବୋଦ୍‌ବେଗ ସକଳ ପ୍ରାଣରେ ମନ୍ଦାକିନୀର ସ୍ରୋତ ଛୁଟାଇଲେ ମୋର ଶ୍ରମ ସାର୍ଥକ ହେବ ପଦ୍ମା ! ତୁମେ ଜାଣ–ମହାପୁରୁଷ ତଥାଗତ ବୁଦ୍ଧଙ୍କ ଦ୍ଵାରା ପ୍ରବର୍ତ୍ତିତ ବୌଦ୍ଧ ଧର୍ମ ବହୁ ଭାଗରେ ବିଭକ୍ତ ହୋଇ ଶେଷରେ ତାନ୍ତ୍ରିକ ବାମାଚାରୀମାନଙ୍କ ହାତରେ ପଡ଼ିଛି । ସେମାନେ ସାତ୍ତ୍ୱିକତା ପରିହାର କରି ପ୍ରଚାର କରିଛନ୍ତି–

 

“ମଦ୍ୟଂ ମାଂସଂ ତଥା ମତ୍ସ୍ୟଂ ମୁଦ୍ରା ମୈଥୁନ ମେବ ଚ ।

ମକାର ପଞ୍ଚକଂ ଚୈବ ମହାପାତକନାଶନମ୍ ।”

 

ତେଣୁ ବୈଦିକ କର୍ମକାଣ୍ଡରେ ପଶୁବଳୀର ବିରୋଧ କରି ସୃଷ୍ଟି ଲାଭକରିଥିଲା ଯେଉଁ ବୌଦ୍ଧଧର୍ମ ତା’ ଗଣଜୀବନକୁ ନଷ୍ଟ କରିଛି ପଶୁବଳୀ, ମଦ୍ୟ, ମାଂସ ଆହାର ଏବଂ ଯଥେଚ୍ଛାଚାର ମୈଥୁନ ଚର୍ଯ୍ୟାରେ । ଏଇ ତାନ୍ତ୍ରିକମାନଙ୍କର ମତ ହେଲା ମୈଥୁନରେ ରେତ ସ୍ଖଳନର ସମୟ ହିଁ ଦ୍ରବ୍ୟ ବ୍ରହ୍ମଦର୍ଶନର ସମୟ । ମୁଁ ଏ ସାମାଜିକ ଅଧୋପତନକୁ ସହ୍ୟକରି ପାରୁନାହିଁ ପ୍ରିୟେ ! ଭାଗବତ, ବ୍ରହ୍ମବୈବର୍ତ୍ତ ପୁରାଣ ଏବଂ ହରିବଂଶରେ କୀର୍ତ୍ତିତ ବିଷ୍ଣୁ ଗାଥାକୁ ମୁଁ ଆଧାର ରୂପେ ଗ୍ରହଣ କରି ବିତରଣ କରିବାକୁ ଚେଷ୍ଟାକରୁଛି ପବିତ୍ର କୃଷ୍ଣ ପ୍ରେମ ରସ ।

 

–“ମହାପ୍ରଭୁ ବୁଦ୍ଧ ତେବେ କ’ଣ ବିଷୁ, ଅଂଶୀ ସ୍ଵାମୀ ?”

 

–“ହଁ ପ୍ରିୟେ । ସେହି ଶ୍ରୀକୃଷ୍ଣ, ଶ୍ରୀବିଷ୍ଣୁ ଶ୍ରୀମାଧବ, ଶ୍ରୀଜଗନ୍ନାଥ ଏବଂ ବୃଦ୍ଧ । ନଷ୍ଟ ବାମାଚାରୀ ତାନ୍ତ୍ରିକମାନେ ବିଭ୍ରାନ୍ତ ହୋଇଛନ୍ତି ବିଭୂତି ପ୍ରଦର୍ଶନ କରି କାମନାର ଚରିତାର୍ଥ ପାଇଁ । ନାରୀ ଶକ୍ତିକୁ ସେମାନେ ଚିତ୍ରଣ କରିଛନ୍ତି ସଂହାରିଣୀ ଶକ୍ତି ରୂପେ ! କିନ୍ତୁ ନାରୀ ଯେ ବୈଷ୍ଣବ, ଆଦ୍ୟାଶକ୍ତି, ମହାମାୟୀ, ଜଗନ୍ନାଥ, ବିଷ୍ଣୁ, ତଥା ମାଧବଙ୍କ ସହିତ ଏକାତ୍ମ, ଅଭିନ୍ନ, ସେମାନେ ଏକଥା ଭୁଲିଯାଇଛନ୍ତି । ମୋର ଗୋବିନ୍ଦଗାଥା ତା’ର ପ୍ରମାଣ ଦେବ ପ୍ରିୟେ !”

 

ଜୟଦେବଙ୍କ ତାତ୍ତ୍ୱିକ ରାଧାକୃଷ୍ଣ ତତ୍ତ୍ଵ ବ୍ୟାଖ୍ୟାରେ ଆନନ୍ଦିତା ହେଲେ ପଦ୍ମାବତୀ । କହିଲେ–“ମୁଁ ସବୁ ବୁଝିଲି ସ୍ୱାମୀ ! ମୋର ବିଶ୍ଵାସ, ଆପଣଙ୍କ ଦର୍ଶନ ହିଁ ଆକୃଷ୍ଟ କରିବ ଭକ୍ତଜନଙ୍କୁ-।”

 

ପଦ୍ମବତୀଙ୍କ ଭବିଷ୍ୟତ ବାଣୀରେ ସନ୍ତୁଷ୍ଟ ହୋଇ ପୁଣି ବିଶ୍ରାମ ନେବାକୁ ଉଦ୍ୟତ ହେଲେ ଜୟଦେବ ।

 

ସେଦିନ ରାତି ବିତିଲା । ପରଦିନ ପ୍ରଭାତରୁ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ପ୍ରଭୁ ରାଧାମାଧବଙ୍କୁ କୁସୁମରେ ମଣ୍ଡି ଦେଉ ଦେଉ କହିଲେ ପଦ୍ମାବତୀ–“ସ୍ୱାମୀ ! ଆପଣ ପୀଡ଼ିତ-। ଭିକ୍ଷା କରି ଯିବା ଆପଣଙ୍କ ପକ୍ଷରେ ସମ୍ଭବପର ହେବ ନାହିଁ । ମୋତେ ଅନୁମତି ପ୍ରଦାନ କରନ୍ତୁ । ଆଜି ମୁଁ ଭିକ୍ଷା କରିବା ପାଇଁ ଯାତ୍ରା କରେ ।”

 

ପଦ୍ମାବତୀଙ୍କ ଅନୁରୋଧରେ ବ୍ୟସ୍ତ ହୋଇପଡ଼ିଲେ ଜୟଦେବ, କହିଲେ–“ନାହିଁ ପ୍ରିୟେ-! ତୁମକୁ ଭିକ୍ଷା ପାଇଁ ପ୍ରେରଣ କରି ମୁଁ ଶାନ୍ତିରେ ବିଶ୍ରାମ ଗ୍ରହଣ କରିପାରିବି ନାହିଁ । ତୁମେ ବିଚଳିତା ହୁଅ ନାହିଁ । ମୁଁ ପୀଡ଼ିତ ଥିବା ପର୍ଯ୍ୟନ୍ତ ସକାଳୁ ଭିକ୍ଷାପାତ୍ର ଧରି ଅଳ୍ପ ବାଟ ଯାତ୍ରା କରିବି-। ଯାହା ମିଳିବ ସେଥିରେ ଆମେ ଚଳିଯିବାକୁ ଚେଷ୍ଟା କରିବା ।”

 

ସ୍ୱାମୀଙ୍କ କଥାର ପ୍ରତିବାଦ କରିପାରିଲେ ନାହିଁ ପଦ୍ମାବତୀ । ନୀରବ ହୋଇଗଲେ ସେ-। ତେଣୁ ଭିକ୍ଷା ଝୁଲି ଧରି ଭଜନ ଗାନ କରି କରି ଧୀରେ ଧୀରେ ଆଗେଇଲେ ଜୟଦେବ-। ଅଳ୍ପ ସମୟ ମଧ୍ୟରେ ଯାହା ଭିକ୍ଷା ମିଳିଲା, ସେତିକି ଧରି ଫେରିଆସିଲେ କୁଟୀରକୁ-। ସେହି ଭିକ୍ଷା ଲବ୍‌ଧ ତଣ୍ଡୁଳ ସିଦ୍ଧ କରି ଆନନ୍ଦରେ ସ୍ୱାମୀଙ୍କୁ ପରଷିଦେଲେ ପଦ୍ମାବତୀ ।

 

ଏପରି ଦୀର୍ଘ ଚଉଦ ଦିନ ବିତିଗଲା । ତଥାପି ଜୟଦେବଙ୍କ ଜ୍ଵରର ଉପଶମ ହେଲା ନାହଁ । କିନ୍ତୁ କ’ଣ କରିବେ ସେ ? ଭିକ୍ଷା ପାଇଁ ବାହାରକୁ ନଗଲେ ଯେ ଉପବାସ ରହିଯିବେ ପତ୍ନୀ ପଦ୍ମାବତୀ । ବାଧ୍ୟ ହୋଇ ଚତୁର୍ଦ୍ଦଶୀ ଦିନ ମଧ୍ୟ କାନ୍ଧରେ ଭିକ୍ଷା ଝୁଲି ଧରି କ୍ଷୀଣ କଣ୍ଠରେ ଭଜନ ଗାନ କରି କରି ଆଗେଇଲେ ଜୟଦେବ । କଣ୍ଠ ଥରୁଥାଏ, ଦେହ ଦୋହଲି ଉଠୁଥାଏ । ଠିକ୍ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟରେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ସେ । ଟଳିପଡ଼ିଲେ ଭୂମି ଉପରେ ।

 

ସେତେବେଳେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଜଳରେ ମୁଖ ଧୌତ କରି କ୍ଳାନ୍ତି ଅପନୋଦନ କରୁଥିଲେ ରାଜପାରିଷଦ ପରାଶର ରାଜଗୁରୁ । ଭିକ୍ଷୁକ ସନ୍ନ୍ୟାସୀ ଜୟଦେବ ଟଳିପଡ଼ିବାର ଦେଖି ଧାଇଁଆସିଲେ ସେ ମୁହୂର୍ତ୍ତକ ମଧ୍ୟରେ । ତୋଳିନେଲେ ଭୂମି ଉପରୁ । ସେ ବହୁଦିନରୁ ଜାଣିଥିଲେ ଭକ୍ତ ଜୟଦେବଙ୍କୁ । କାରଣ ଶ୍ରୀମନ୍ଦିରକୁ ଯାତ୍ରା କରିବା ତାଙ୍କର ନିତିଦିନର ଅଭ୍ୟାସ ଥିଲା । ଏଇ ଶ୍ରୀମନ୍ଦିରରେ ସେ ଶୁଣନ୍ତି ଭକ୍ତ ଜୟଦେବଙ୍କର ଅପୂର୍ବ କଣ୍ଠର ଲାଳିତ୍ୟ । ପୁଣି ପ୍ରଭାତରୁ ବାଙ୍କୀମୁହାଣୀ ନଦୀରେ ସ୍ନାନ ସମୟରେ ମଧ୍ୟ ସେ ବହୁଥର ଦେଖିଛନ୍ତି ଜୟଦେବଙ୍କୁ ଏବଂ ଦେଖିଛନ୍ତି ତାଙ୍କ କ୍ଷୁଦ୍ର କୁଟୀର । ଅନେକ ସମୟରେ ଜୟଦେବ ଏବଂ ପଦ୍ମାବତୀଙ୍କ କଣ୍ଠର ଶ୍ରୀରାଧାମାଧବ ଲୀଳାମୃତ ଶ୍ରବଣ ପାଇଁ ଦଣ୍ଡାୟମାନ ରହିଛନ୍ତି କୁଟୀର ଦ୍ଵାରରେ ।

 

ତେଣୁ ବିବ୍ରତ ହୋଇପଡ଼ିଲେ ପରାଶର ରାଜଗୁରୁ । ଦେହରେ ହାତ ବୁଲାଇ ଦେଖିଲେ ସେ–ଅସମ୍ଭବ ତାତି । ଆଉ ଅପେକ୍ଷା ନକରି ଭକ୍ତ ଜୟଦେବଙ୍କୁ କାନ୍ଧରେ ପକାଇ ବାଙ୍କୀମୁହାଣୀ ନଦୀ ତୀର କୁଟୀର ନିକଟକୁ ଧାଇଁଆସିଲେ ସେ ।

 

କୁଟୀର ଦ୍ଵାରରେ ସ୍ଵାମୀ ଦେବତାଙ୍କୁ ଏପରି ଅବସ୍ଥାରେ ଦେଖି ବିକଳରେ ଚିତ୍କାର କରି ଉଠିଲେ ପଦ୍ମାବତୀ । ସାନ୍ତ୍ୱାନା ଦେଇ କହିଉଠିଲେ ପରାଶର ରାଜଗୁରୁ–“ଭଗିନୀ ! ତୁମର ସ୍ୱାମୀଙ୍କୁ ମୁଁ ଅଜଣା ହେଲେ ମଧ୍ୟ ସେ ମୋର ଘନିଷ୍ଠ ବନ୍ଧୁ । ମୁଁ ତାଙ୍କୁ ଜାଣେ ବହୁଦିନରୁ । ତାଙ୍କ ପାଇଁ ତୁମେ ବ୍ୟସ୍ତ ହୁଅନାହିଁ । ସେ ନିଶ୍ଚୟ ଅଳ୍ପଦିନ ମଧ୍ୟରେ ଆରୋଗ୍ୟ ଲାଭ କରିବେ । ଆଜିଠାରୁ ସେ ଭିକ୍ଷା ପାଇଁ ଯିବେ ନାହିଁ । ଆରୋଶ୍ୟ ହେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ମୁଁ ତୁଲାଇବି ।”

–“ଆପଣଙ୍କ ପରିଚୟ ମୁଁ ପାଇପାରିଲି ନାହିଁ । ମହାଶୟ !”କହିଲେ ପଦ୍ମାବତୀ ।

–“ମୁଁ ଜଣେ ରାଜକର୍ମଚାରୀ–ପରାଶର ରାଜଗୁରୁ । ଭଗବାନ ଜଗନ୍ନାଥଙ୍କ କରୁଣା ଭିକାରୀ ।”

ଆଉ ଅଧିକ କିଛି ପ୍ରଶ୍ନ ନ ପଚାରି ସ୍ଵାମୀଙ୍କୁ ନେଇ ଶଯ୍ୟାରେ ଶୁଆଇଦେଲେ ପଦ୍ମାବତୀ । ପଦ ସେବାକରି ବସିଲେ ଅଧୀର ହୋଇ । ସେତେବେଳେ ସଂଜ୍ଞାହୀନ ଥିଲେ ଭକ୍ତ ଜୟଦେବ ।

ବନ୍ଧୁ, ପରାଶର ରାଜଗୁରୁ ଆଉ କୁଟୀରରୁ ବାହୁଡ଼ି ନ ଆସି ବସିରହିଲେ ଜୟଦେବଙ୍କ କୁଟୀରରେ । ଏମିତି ଦୁଇଦିନ କଟିଯିବାକୁ ବସିଲା । ତଥାପି ଭକ୍ତ ଜୟଦେବ ଆଖି ଖୋଲୁ ନାହାନ୍ତି-। ତୃତୀୟ ଦିନ ମଧ୍ୟାହ୍ନରେ ହଠାତ୍‌ ଆଖି ଖୋଲିଲେ ଜୟଦେବ । ଉଠି ବସିଲେ ଶଯ୍ୟା ଉପରେ-। ଆନନ୍ଦରେ ଅଧୀର ହୋଇ ସ୍ୱାମୀଙ୍କ ମୁଖକମଳରେ ହାତ ବୁଲାଇ ରାଧାମାଧବଙ୍କୁ ଅନାଇ ରହିଲେ ପଦ୍ମାବତୀ ।

ଆସନ ଉପରୁ ଉଠିପଡ଼ି ନିଜର ପରିଚୟ ଦେଉ ଦେଉ କହିଲେ । ପରାଶର ରାଜଗୁରୁ–‘ମୁଁ ଆପଣଙ୍କର ଜଣେ ଜଗନ୍ନାଥପ୍ରେମୀ ବନ୍ଧୁ, ଜୟଦେବ ଗୋସ୍ଵାମୀ ! ମୋର ନାମ ପରାଶର ରାଜଗୁରୁ । ସେଦିନ ଆପଣ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟରେ ସଂଜ୍ଞା ହରାଇଲା ପରେ–ମୁଁ ଉଠାଇ ଆଣିଥିଲି କୁଟୀର ମଧ୍ୟକୁ ।”

ହସିଲେ ଜୟଦେବ ଆନ୍ତରିକତାର ହସ । କହିଲେ–“ମୁଁ ଆପଣଙ୍କ ନିକଟରେ କୃତଜ୍ଞ ବନ୍ଧୁ, ରାଜଗୁରୁ ମହାଶୟ ।”

ତା’ପରେ ପଦ୍ମାବତୀଙ୍କ ଆଡ଼େ ସହାସ୍ୟ ବଦନରେ ଚାହିଁ କହିଲେ–“ନେତ୍ରୋତ୍ସବ ପରେ ନବଯୌବନ ଦର୍ଶନର ସମୟ ଉପଗତ ହୋଇଛି ପରା ? ମୁଁ ମନ୍ଦିରକୁ ଯାତ୍ରା କରୁଛି ପ୍ରିୟେ ପଦ୍ମା ! ମହାପ୍ରଭୁଙ୍କୁ ଦର୍ଶନ କରିବି ।”

–“ଆପଣ ଯେ ପୀଡ଼ିତ !” କହିଲେ ପରାଶର ରାଜଗୁରୁ ।

ଆଉଟିକେ ହସିଲେ ଜୟଦେବ । କହିଲେ–“ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ପୀଡ଼ିତ ଥିଲେ, ତେଣୁ ମୁଁ ପୀଡ଼ିତ ଥିଲି । ଏବେ ସେ ସୁସ୍ଥ ହୋଇଉଠିଛନ୍ତି, ମୁଁ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି ରାଜଗୁରୁ ମହାଶୟ ।”

–“କିନ୍ତୁ ଆପଣ ଏପର୍ଯ୍ୟନ୍ତ ଯେ ସଂଜ୍ଞାହୀନ ଥିଲେ ସ୍ଵାମୀ” କହିଲେ ପଦ୍ମାବତୀ ।

–“ହଁ ପ୍ରିୟେ ! ମୁଁ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲି । କିନ୍ତୁ ଏ ଅଳ୍ପକ୍ଷଣ ତଳେ ସେ ସ୍ୱପ୍ନରେ ଦେଖାଦେଲେ–କହିଲେ ଆଉ କେତେ ସମୟ ପୀଡ଼ିତ ରହି ଶୟନ କରିବ ଜୟଦେବ ! ନବଯୌବନ ଦର୍ଶନର ସମୟ ଉପସ୍ଥିତ । ଏବେ ଉଠ । ଶ୍ରୀମନ୍ଦିରକୁ ଯାତ୍ରା କର । ତାଙ୍କ ନିର୍ଦ୍ଦେଶକୁ ଅମାନ୍ୟ କର, ଆମନ୍ତ୍ରଣକୁ ଉପେକ୍ଷା କରି ମୁଁ ଶୟନ କରି ରହିବି କିପରି ପ୍ରିୟେ ?”

 

ଜୟଦେବଙ୍କ ଭାବବିଦଗ୍‌ଧ ପ୍ରାଣର ଅଦ୍ଭୁତ କାହାଣୀ ଶ୍ରବଣ କରି ଲୋତକପୂର୍ଣ୍ଣ ହୋଇଉଠୁଥିଲା ପରାଶର ରାଜଗୁରୁଙ୍କ ଚକ୍ଷୁ । କହିଲେ ସେ–“ଚାଲନ୍ତୁ...ଚାଲନ୍ତୁ ବନ୍ଧୁ, ମହାପ୍ରଭୁଙ୍କ ଆମନ୍ତ୍ରଣ ରକ୍ଷାକରି ଥରେ ଦର୍ଶନ କରି ନୟନ ମନ ପବିତ୍ର କରି ଆସନ୍ତୁ । ଅସୁସ୍ଥତା ଆପେ ଆପେ ଦୂର ହୋଇଯିବ ।”

 

ଉଠିଲେ ଜୟଦେବ ଅପୂର୍ବ ଶକ୍ତି ସଞ୍ଚୟ କରି ଶ୍ରୀମନ୍ଦିର ଯାତ୍ରା ପାଇଁ । ଅନାଇ ରହିଥିଲେ ପତ୍ନୀ ପଦ୍ମାବତୀ ଆଶ୍ଚର୍ଯ୍ୟ ବିମୂଢ଼ ଚକ୍ଷୁରେ ।

 

ନବଯୌବନ ଦର୍ଶନ କରି ଫେରିଲାବେଳକୁ ବେଶ୍ ଉତ୍‌ଫୁଲ୍ଲିତ ଦିଶୁଥିଲେ ଗୋସ୍ଵାମୀ ଜୟଦେବ । ତାଙ୍କ ମୁଖରେ ଅବସାଦର ଚିହ୍ନ ନଥିଲା କିମ୍ବା ଶରୀର କ୍ଳାନ୍ତ ଅବସନ୍ନ ବୋଲି ଅନୁଭୂତ ହେଉନଥିଲା । ତାଙ୍କ ଜ୍ଵର ବ୍ୟାଧିର ଏ ଅଦ୍ଭୁତ ଆରୋଗ୍ୟ ଲକ୍ଷଣ ମନରେ କୌତୁହଳ ସୃଷ୍ଟି କରିଥିଲା ପଦ୍ମାବତୀଙ୍କର ।

 

ପରଦିନ ମଧ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା ଦର୍ଶନ କରିବା ପାଇଁ ଯାତ୍ରା କରିଥିଲେ ଜୟଦେବ । ଠାକୁରମାନେ ପହଣ୍ଡିରେ ବିଜେ କରି ରଥ ଆରୋହଣ କରିବା ପରେ ଡାକ ଛାଡ଼ିଥିଲେ ଭକ୍ତଜନ–ଦର୍ଶନ ଦେଇ ନୟନ ମନକୁ ଆମର ପବିତ୍ର କର ମହାବାହୁ ! ଏ ପତିତଜନଙ୍କୁ ଉଦ୍ଧାର କର । ଏଇ ଦୁର୍ଲଭ ମୁହୂର୍ତ୍ତରେ ରଥ ଦଉଡ଼ିରେ ହାତ ପକାଇ କୃତ୍ୟ କୃତ୍ୟ ହୋଇଥିଲେ ସନ୍ନ୍ୟାସୀ ଗୋସ୍ଵାମୀ ଜୟଦେବ । ତାଳଧ୍ଵଜ, ଦେବଦଳନ ଏବଂ ନନ୍ଦିଘୋଷ ରଥ ଗଡ଼ିଚାଲିଥିଲା ବଡ଼ଦାଣ୍ଡ ଉପରେ ଘର୍ ଘର୍‍ ନାଦକରି ବିଜୟ ଗର୍ବରେ । ଘଣ୍ଟ ଘଣ୍ଟା କାହାଳୀ ଭେରୀ ତୁରୀରେ କମ୍ପୁଥିଲା ସମଗ୍ର ବଡ଼ଦାଣ୍ଡ-

 

ଅଟକିଲା ତିନିରଥ ବାଙ୍କୀମୁହାଣୀ ନଦୀତୀର ବଳଗଣ୍ଡି ନିକଟରେ । ରଥରୁ ଓହ୍ଳାଇ ଚାପରେ ବିଜେକଲେ ଠାକୁରମାନେ । ପୁଣି ଅନ୍ୟ ତିନିଗୋଟି ରଥରେ ବିଜେକଲେ ନଦୀର ଅପରପାର୍ଶ୍ଵରେ । ରଥ ଲାଗିଲା ଗୁଣ୍ଡିଚା ମନ୍ଦିର ନିକଟରେ । ତା’ପରେ ଆନନ୍ଦର ହୋଇ ସେଦିନ ପ୍ରତ୍ୟାବର୍ତ୍ତନ କଲେ ଜୟଦେବ ।

 

ପରଦିନ ଠାରୁ ଶ୍ରୀଜୟଦେବ ସ୍ନାନ ଶେଷରେ ବାଙ୍କୀମୁହାଣୀ ନଦୀ ପାରହୋଇ ଯାତ୍ରା କଲେ ଗୁଣ୍ଡିଚାମନ୍ଦିର ଦିଅଁ ଦର୍ଶନ ପାଇଁ । ଏମିତି ନବଦିନ ଯାତ୍ରା ଶେଷ ହୋଇଗଲା । ଦଶମୀ ଦିନ ଠାକୁରମାନେ ବିଜେକଲେ ବାହୁଡ଼ା ଯାତ୍ରାରେ । ବଡ଼ଠାକୁର ବଳଭଦ୍ର ଏବଂ ସୁଭଦ୍ରାଙ୍କ ରଥ ବଡ଼ଦେଉଳର ସିଂହଦ୍ଵାର ନିକଟରେ ପହଞ୍ଚିବା ବେଳକୁ ଜଗନ୍ନାଥଙ୍କ ରଥ ଅଟକିଲା କିଛି ଦୂରରେ । ଏହି ସମୟରେ ଦେଶ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଆସିଲେ ଚାହାଣି ମଣ୍ଡପ ଉପରକୁ । ଏଠାରୁ ଜଗନ୍ନାଥଙ୍କ ରଥକୁ ଦର୍ଶନକରି ଆଗମନ କଲେ ରଥ ନିକଟକୁ । ପରିକ୍ରମା କଲେ ରଥ ଚାରିପଟେ । ତତ୍‌ପରେ ପ୍ରତ୍ୟାବର୍ତ୍ତନ କଲେ ମନ୍ଦିରକୁ ।

 

ଏସବୁ ଉତ୍ସବ ଦର୍ଶନ କଲେ ଶ୍ରୀ ଜୟଦେବ ।

 

ତହିଁ ପରଦିନ ଠାକୁରମାନେ ଶ୍ରୀମନ୍ଦିରର ସିଂହଦ୍ଵାର ନିକଟରେ ରଥରେ ବିଜେକଲେ । ଏକାଦଶୀ ଦିନ ଅଧର ପଣା ଏବଂ ସୁନାବେଶ ପରେ ଦ୍ୱାଦଶୀ ଦିନ ଠାକୁରମାନେ ବିଜେକଲେ ରତ୍ନବେଦୀ ନିକଟକୁ । ବଳଭଦ୍ର ଏବଂ ସୁଭଦ୍ରା ମନ୍ଦିର ଭିତରକୁ ବିଜେ କରିବା ପରେ ଜୟ ବିଜୟ ଦ୍ଵାର ବନ୍ଦ କରି ରଖିଲେ ମାଆ ଲକ୍ଷ୍ମୀ, ଫଳରେ ଅଟକି ରହିଲେ ପ୍ରଭୁ ଜଗନ୍ନାଥ ।

 

ଲକ୍ଷ୍ମୀଦେବୀଙ୍କୁ ଛାଡ଼ି ଭ୍ରାତା ଓ ଭଗିନୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିର ବାହାରକୁ ଯାତ୍ରା କରିଥିବାରୁ ମନରେ ମାଆ ଲକ୍ଷ୍ମୀ ଦେବୀଙ୍କର ଅଭିମାନ । ତେଣୁ ଅଭିଯୋଗ କଲେ ସେ–

 

“ଆସନ୍ତୁ ବଡ଼ ଠାକୁରେ ପଶନ୍ତୁ ଘରେ

କାଳିଆ ରହିଥାଆନ୍ତୁ ପାଚେରୀ ତଳେ ।”

 

ପରେ କଳି ତୁଟିଲା । ଭଣ୍ଡାର ଘରେ ବିଜେକଲେ ମହାଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ।

 

ବାହାରକୁ ଆସିଲେ ଶ୍ରୀ ଜୟଦେବ । ଆଷାଢ଼ର ବର୍ଷଣମୁଖୀ ରାତ୍ରି ତାଙ୍କ ପ୍ରାଣରେ ସୃଷ୍ଟି କଲେ ବିରହ ଏବଂ ମିଳନର ଅପୂର୍ବ ସଂଘର୍ଷ । ମନେକଲେ ସେ–ଶ୍ରୀ ଗୀତଗୋବିନ୍ଦର ଦଶମ ସର୍ଗରେ ବିରହ ଜର୍ଜରିତ କୃଷ୍ଣଙ୍କୁ ସେ ଦୀର୍ଘଦିନ ଏକୁଟିଆ ଛାଡ଼ି ଅନ୍ୟାୟ କରିଛନ୍ତି । ତାଙ୍କ ବିରହ ଦଗ୍‌ଧ ପ୍ରାଣରେ ଶୀତଳ ସୁଧା ପ୍ରେମର ମନ୍ଦାକିନୀ ଛୁଟାଇ ଶାନ୍ତ କରିବାକୁ ହେବ । ସହଚରୀର ମୁଖରେ ପ୍ରେମମୟୀ ରାଧାଙ୍କୁ ଶୁଣାଇବାକୁ ହେବ କୃଷ୍ଣପ୍ରେମର ମହାତ୍ମ୍ୟ ଏବଂ ରାଧା ବିଦଗ୍‌ଧ କୃଷ୍ଣ ପ୍ରେମର କାହାଣୀ ।

 

ଏକମୁହାଁ ହୋଇ କୁଟୀର ଆଡ଼େ ଧାଇଁବାରେ ଲାଗିଲେ ଜୟଦେବ । ସେତେବେଳକୁ ଆଷାଢ଼ର ଘନ ଘନ ବର୍ଷା ପାଣିରେ ପିଶ୍ଚଳ ବଡ଼ଦାଣ୍ଡ । ନିର୍ଜନ ବାଙ୍କୀମୁହାଣୀ ନଦୀକୂଳ । ଆର୍ଦ୍ର ଶରୀରରେ କୁଟୀର ମଧ୍ୟକୁ ପ୍ରବେଶ କରୁ କରୁ ଉଚ୍ଚ କଣ୍ଠରେ କହିଉଠିଲେ ସେ–“ପ୍ରିୟେ ପଦ୍ମା ! ଜଗତ ଦୁର୍ଲଭ ଶ୍ରୀକୃଷ୍ଣଙ୍କ ପ୍ରାଣରେ ଆଷାଢ଼ର ଶୀତଳତା ଭରିଦେବାକୁ ହେବ । ଅନେକ ଦିନ ହେବ ସେ ଆକାଙ୍‌କ୍ଷିତ ରାଧା ପ୍ରେମ ପାଇଁ । ଭଣ୍ଡାରଘରେ ଜଗତର ନାଥ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀଦେବୀଙ୍କ ମିଳନ ମୁହୂର୍ତ୍ତରେ ମାନମୟୀ ରାଧିକାଙ୍କ ପ୍ରାଣରୁ ମାନ ଦୂର କରି ମିଳନର ଆକାଙ୍‌କ୍ଷା ଜାତ କରିବାକୁ ହେବ ଏବଂ ତାଙ୍କୁ ସୁବେଶ କରି ପ୍ରେରଣ କରିବାକୁ ହେବ ଶ୍ରୀକୃଷ୍ଣଙ୍କ କୁଞ୍ଜକୁ । ତୁମେ ଆସନ ପକାଇଦିଅ, ଲେଖନୀ ରଖିଦିଅ ପ୍ରିୟେ ! ମୁଁ ଆରମ୍ଭ କରେ ସେହି ପବିତ୍ର ଗାଥାର ଏକାଦଶ ସର୍ଗ ।”

 

ସ୍ୱାମୀଙ୍କ ଭାବାବେଗ ଲକ୍ଷ୍ୟକରି ଆସନ ପାତିଦେଲେ ସତୀ ପଦ୍ମାବତୀ ଏବଂ ସଜାଇ ରଖିଲେ ଲେଖନ । ବସିଲେ ଜୟଦେବ ନିଜର ସାଧନାରେ–

 

‘‘ବିରଚିତଚାଟୁବଚନରଚନଂ ଚରଣେରଚିତପ୍ରଣିପାତଂ

ସମ୍ପ୍ରତି ମଞ୍ଜୁଳ ବଞ୍ଜୁଳ ଶ୍ରୀମତି କେଳିଶୟନ ମନୁଜାତଂ

ମୁଗ୍‌ଧେମଧୁମଥନମନୁଗତମନୁସର ରାଧିକେ ।”

 

ସଖୀ ରାଧିକେ ! କେତେ ଅନୁନୟ ବିନୟ କରି ତୁମ ପାଦ ତଳେ ପଡ଼ି ମାନଭିକ୍ଷା କରିଛନ୍ତି ଶ୍ରୀକୃଷ୍ଣ । ଫେରିଯାଇ ନିଜ କୁଞ୍ଜକୁ ବିଭିନ୍ନ କୁସୁମ ଏବଂ ପଲ୍ଲବରେ ସଜ୍ଜିତ କରି ଅପେକ୍ଷା କରିଛନ୍ତି ତୁମକୁ । ଆଉ ଅଭିମାନ କରନାହିଁ ସଖୀ ! ଗଭାରେ କୁସୁମ ଖୋଷି, କଟୀରେ ମେଖଳା ପିନ୍ଧି, ନୟନରେ ମାଦକତା ଭରି ଯାତ୍ରା କର ତାଙ୍କ କୁଞ୍ଜକୁ । ତୁମ ଅଙ୍ଗ’ ସଙ୍ଗ ଲାଭକରି ଶାନ୍ତହେଉ ତାଙ୍କ ଉତପ୍ତ ବିରହୀ ପ୍ରାଣ ।

 

ସହଚରୀର ଏ ବିନୟବାଣୀରେ ଭାବାନ୍ତର ସୃଷ୍ଟି ହୋଇଛି ଶ୍ରୀମତି ରାଧିକାଙ୍କ ହୃଦୟରେ । ଲଜ୍ଜା ତ୍ୟାଗ କରି ସୁସଜ୍ଜିତ କରିଛନ୍ତି ନିଜକୁ ଏବଂ ନିର୍ଜନ ରାତ୍ରିର ଅନ୍ଧକାର ମଧ୍ୟରେ ଯାତ୍ରା କରିଛନ୍ତି କେଳି କୁଞ୍ଜକୁ । ମନ ଭିତରେ କେଳିର ଲାଳସା,ଏବଂ ଦେହ ଏବଂ ଦେହାତୀତ ଭାବର ଉଦ୍ଦୀପନା !

 

ଏମିତି ସମଗ୍ର ରାତ୍ରି ଶେଷ ହୋଇଯାଇଛି । ପରଦିନ ବ୍ରାହ୍ମ ମୁହୂର୍ତ୍ତରୁ ପୁଣି ସାଧନାରେ ବସିଛନ୍ତି ଜୟଦେବ । ତାଙ୍କ ପ୍ରାଣକୁ ଆଚ୍ଛନ୍ନ କରି ରଖିଛି ଦ୍ଵାଦଶ ସର୍ଗର ସୁପ୍ରୀତ ପିତାମ୍ବରଙ୍କ ପ୍ରଣୟ ଲାଳସା ।

 

‘‘କିଶଳୟଶୟନତଳେ କୁରୁ କାମିନିଚରଣନଳିନବିନିବେଶଂ

ତବ ପଦପଲ୍ଲବ ବୈରୀପରାଭବମିଦମନୁଭବବତୁ ସୁବେଶଂ

କ୍ଷଣମଧୁନା ନାରାୟଣମନୁ ଗତ ମନୁସର ରାଧିକେ ।”

 

ରାଈବିନୋଦିନୀ ଶ୍ରୀରାଧାଙ୍କ ପ୍ରାଣର ନିଗୂଢ଼ ରମଣାଭିଳାଷ ଜାଣି ଗୋପୀବଲ୍ଲବ ଶ୍ରୀକୃଷ୍ଣ ଆମୋଦିତ କରିଛନ୍ତି ମଧୁର ସମ୍ଭାଷଣରେ ଏବଂ ମୁଗ୍‌ଧ କରିଛନ୍ତି ସୁରତିର ସରସତାରେ ।

 

ରତି ଏବଂ ବିପରୀତ ରତି ଯୁଦ୍ଧରେ କ୍ଷତବିକ୍ଷତ ହୋଇଛି ଉଭୟଙ୍କ ଶରୀର । ଚ୍ଛିନ୍ନ ବିଚ୍ଛିନ୍ନ ହୋଇଛି ଅଙ୍ଗସଜ୍ଜା । ଶେଷରେ କ୍ଳାନ୍ତ, ଅବସନ୍ନ ରାଧିକା ଅନୁରୋଧ କରିଛନ୍ତି ରସଭୋଗୀ ଶ୍ରୀକୃଷ୍ଣଙ୍କୁ । ମୋତେ ସୁବେଶ କରି ଦିଅ ଗୋପୀବଲ୍ଲଭ, ମୋ ଗଭାରେ ଖୋଷିଦିଅ କୁସୁମ, କଟୀରେ କଟୀମେଖଳା । ମୁଁ ବାହୁଡ଼ି ଯିବି ମୋର କୁଞ୍ଜକୁ ।

 

ଏଥର କ୍ଳାନ୍ତ ହୋଇଉଠିଛନ୍ତି ଜୟଦେବ । କହିଛନ୍ତି–‘ପ୍ରିୟେ ପଦ୍ମା ! ଆଜି ଏଇଠି ଗୀତଗୋବିନ୍ଦର ରଚନା ରହୁ । ଆସନ୍ତାକାଲି ଲେଖିବି ପବିତ୍ର ଗୋବିନ୍ଦ ଗାଥାର ଶେଷ ପର୍ଯ୍ୟାୟ ।”

 

ହସି ହସି କହିଲେ ପଦ୍ମାବତୀ–“ପ୍ରଭୁ ! ରାଧାକୃଷ୍ଣଙ୍କ କେଳିରସ ଆପଣଙ୍କୁ ଅବସନ୍ନ କରି ପକାଇଛି । ଆଜି ବିଶ୍ରାମ ଗ୍ରହଣ କରନ୍ତୁ । ଆସନ୍ତାକାଲି ସମ୍ପୂର୍ଣ୍ଣ କରିବେ ଗୀତଗୋବିନ୍ଦ ।”

 

ସାଧନାରୁ ଉଠିଲେ ଜୟଦେବ । ବାଙ୍କୀମୁହାଣୀ ନଦୀରେ ସ୍ନାନଶେଷକରିକୁଟୀରର ରାଧାମାଧବଙ୍କ ପୂଜା ପରେ ଯାତ୍ରାକଲେ ଭିକ୍ଷାପାଇଁ ।

 

ଭିକ୍ଷାରୁ ଫେରିଲା ବେଳକୁ ଲକ୍ଷ୍ୟକଲେ ସେ–“ନିବିଷ୍ଟ ଚିତ୍ତରେ ବସି ନବ ରଚିତ ଶ୍ଳୋକଗୁଡ଼ିକୁ ପାଠ କରୁଛନ୍ତି ସତୀ ପଦ୍ମାବତୀ । ପରିହାସ କରି କହିଉଠିଲେ ଜୟଦେବ–“ପ୍ରିୟେ ! ସୁରତି ଦାନ ପାଇଁ ତୁମେ କେବେ ଏମିତି ନିଜକୁ ସୁସଜ୍ଜିତା କରି ଜୟଦେବର ହୃଦୟ କୁଞ୍ଜକୁ ଅଭିସାର କରିଛ ତ ?”

 

ଜୟଦେବଙ୍କ ବଚନ ଶ୍ରବଣ କରି ଦଣ୍ଡାୟମାନ ହୋଇପଡ଼ିଲେ ଲଜ୍ଜାନତା ପଦ୍ମାବତୀ । ତାଙ୍କ ନୟନ କୋଣରେ ଖେଳିବୁଲିଲା ମୃଗିଣୀର ଚାଞ୍ଚଲ୍ୟ । ଅଧର ପୁଟରେ ମୃଦୁହାସ୍ୟ ଫୁଟାଇ ନିରୁତ୍ତର ରହିଲେ ସେ । ଆସନ ପକାଇଦେଲେ ସ୍ଵାମୀଙ୍କ ଭୋଜନ ପାଇଁ । ଆହାର ସେବନ କଲେ ଜୟଦେବ ଏବଂ ବିଶ୍ରାମ ଗ୍ରହଣ କଲେ ଆନନ୍ଦିତ ଚିତ୍ତରେ ।

 

ନିଦ୍ରା ଭଙ୍ଗ ହେଲା ବେଳକୁ ଦେଖିଲେ ସେ–ରାତି ଅନେକ ହୋଇଛି । ପ୍ରଭୁ ରାଧାମାଧବଙ୍କ ସେବା ଶେଷ କରିଛନ୍ତି ପତ୍ନୀ ପଦ୍ମାବତୀ । ବଡ଼ଦାଣ୍ଡର ଜନଗହଳି ମଧ୍ୟ କମି ଆସିଛି । କୁଟୀରକୁ କେବଳ ଆଲୋକିତ କରୁଛି ଥରିଲା ଦୀପର ଶିଖା ।

 

ମୁଖ ଧୌତ କରି ଚତୁର୍ଦ୍ଦିଗକୁ ଚାହିଁଲେ କବି ଜୟଦେବ । କାହାନ୍ତି ସତୀ ପଦ୍ମାବତୀ ? ଡାକିଲେ ଧୀର ଗଳାରେ–“ପ୍ରିୟେ ପଦ୍ମା !”

 

କୁଟୀରର ବାହାରୁ ଧୀର ପଦପାତରେ ଆଗେଇ ଆସିଲେ ସତୀ ପଦ୍ମାବତୀ ।

 

ଚମକି ପଡ଼ିଲେ ଜୟଦେବ । ଏଁ...ସେ ରାଇ ବିନୋଦିନୀ ରାଧିକାଙ୍କୁ କୃଷ୍ଣ କୁଞ୍ଜରେ ଦେଖୁ ନାହାନ୍ତି ତ ? ଗଭାରେ ଚମ୍ପକ କଳୀ, ନୟନରେ କଜ୍ଜଳ ଗାର, କଟୀଦେଶରେ କନିଅର ପୁଷ୍ପର ମେଖଳା, ଉନ୍ନତ ବକ୍ଷ ଉପରେ ସୁଗନ୍ଧ ମଲ୍ଲି କୁସୁମର ମାଳ, ପଦରେ ନୂପୁର ପରି କୁନ୍ଦକଳୀର ବଳୟ । କିଏ ତୁମେ ? କୃଷ୍ଣ ବିନୋଦିନୀ ଅଭିସାରିଣୀ ରାଧିକେ ?

 

ବୀଣାଜଣା କଣ୍ଠରେ କୋମଳ ଶିହରଣ ତୋଳି ପ୍ରତ୍ୟୁତ୍ତର–“ନାହିଁ ପ୍ରଭୁ ! କବି ପତ୍ନୀ ପଦ୍ମାବତୀ ।”

 

ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଜୟଦେବ । ଟାଣିଆଣିଲେ ପଦ୍ମାବତୀଙ୍କୁ ନିଜ ବକ୍ଷ ଉପରକୁ । ମନେ କରୁଥିଲେ ସେ–ସତେଅବା ଆବିର୍ଭୂତ ହୋଇଛନ୍ତି ରସରାଜ ଶ୍ରୀକୃଷ୍ଣ ତାଙ୍କ ହୃଦୟମଣ୍ଡଳରେ ରାଧାରୁପୀ ପଦ୍ମାବତୀଙ୍କୁ କେଳିରସର ଉତ୍ତାଳ ତରଙ୍ଗରେ ପ୍ଳାବିତ କରିବା ପାଇଁ । ଉଦ୍‌ବେଳିତ ହେଉଥିଲା କୁଟୀରର ବାୟୁମଣ୍ଡଳ ଅଭିନବ ରସ ଆସ୍ୱାଦନ ପାଇଁ ।

 

ଶେଷ ହୋଇଗଲା ସମଗ୍ର ରାତ୍ରି ଜୟଦେବ ଏବଂ ପଦ୍ମାବତୀଙ୍କ ପ୍ରେମାନୁଭୂତିରେ ।

 

ବ୍ରାହ୍ମମୁହୂର୍ତ୍ତରେ ଅନୁରୋଧ କରିଉଠିଲେ ପଦ୍ମାବତୀ–“ପ୍ରଭୁ ! କୃଷ୍ଣକୁଞ୍ଜରୁ ରାଧାରାଣୀ ବାହୁଡ଼ିବେ । ସେହି ପ୍ରେମ ରସରେ ଅବଗାହନ କରିବେ ରସିକଜନ । ଆଉ ବିଳମ୍ବ କାହିଁକି ପ୍ରଭୁ ? ଏବେ ଶେଷ କରନ୍ତୁ ଅପୂର୍ବ ଲୀଳାରସାମୃତ ଗୀତଗୋବିନ୍ଦ ।”

 

ପଦ୍ମାବତୀଙ୍କ ଅନୁରୋଧରେ ଉଠିଲେ ଜୟଦେବ । କହିଲେ–“ଆଜି ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ଗୀତଗୋବିନ୍ଦ ସମ୍ପୂର୍ଣ୍ଣ କରିବାପାଇଁ ସମାଧିସ୍ଥ ହେବି ପ୍ରିୟେ ! ତୁମେ ଆସନ ପକାଇଦିଅ, ଲେଖନୀ ସଜାଇ ରଖ । ମୁଁ ସ୍ନାନ ଶେଷ କରି ଆସୁଛି ।”

 

ସ୍ୱାମୀଙ୍କ ନିର୍ଦ୍ଦେଶାନୁସାରେ ଆସନ ପକାଇ ଲେଖନୀ ଓ ପୋଥି ସଜାଡ଼ି ରଖିଲେ ପଦ୍ମାବତୀ । ବାଙ୍କୀମୁହାଣୀ ନଦୀରୁ ଫେରି ଶ୍ରୀରାଧାମାଧବଙ୍କ ସେବା ପରେ ସାଧନାରେ ବସିଲେ ଜୟଦେବ । ଲେଖିଲେ ସେ, ଶ୍ରୀକୃଷ୍ଣ ପୁଣି ରତିକ୍ଳାନ୍ତା ସ୍ଵାଧୀନଭତୃକା ରାଧିକାଙ୍କୁ ସୁବେଶ କରାଇଦେବାର କାହାଣୀ ଏବଂ ପବିତ୍ର ଗୀତଗୋବିନ୍ଦ ଗ୍ରନ୍ଥର ଶେଷ ପର୍ଯ୍ୟାୟରେ ଲେଖିଲେ ସେ–

 

“ସାନନ୍ଦକ୍ରନ୍ଦକାନ୍ତାଧରଧରଣୀ ତଳଂ ଗଚ୍ଛଯାଚ୍ଛନ୍ତି ଯାବଦ୍

ଭାବଂ ଶୃଙ୍ଗାରସାରସ୍ଵତସିହ ଜୟଦେବସ୍ୟ ମୁଖ ବିଶ୍ଵଗ୍‍ବଚାଂସି ।

ଶ୍ରୀ ଭୋଜଦେବ ପ୍ରଭବସ୍ୟ ରାମାଦେବୀସୁତ ଶ୍ରୀ ଜୟଦେବକସ୍ୟ

ପରାଶରାଦି ପ୍ରିୟବନ୍ଧୁ କଣ୍ଠେ ଶ୍ରୀଗୀତଗୋବିନ୍ଦକବିତ୍ଵମସ୍ତୁ ।”

 

ଆନନ୍ଦ ବିଭୋର ଚିତ୍ତରେ ଉଠିପଡ଼ି ପଦ୍ମାବତୀଙ୍କୁ ଆଲିଙ୍ଗନ ପାଶରେ ବାନ୍ଧି କହିଉଠିଲେ ସେ–“ପ୍ରିୟେ ପଦ୍ମା ! ଏବେ ଗୀତଗୋବିନ୍ଦ ମହାପୁରାଣ ଶେଷ ହୋଇଛି । ଆଜି ତୁମେ ଶ୍ରୀମନ୍ଦିରକୁ ଯାତ୍ରା କରିବ ପ୍ରିୟେ ! ଅପୂର୍ବ ଓଡ଼ିଶୀ ନୃତ୍ୟରେ ପାଦ ପକାଇ ଗାନ କରିବ ଗୀତଗୋବିନ୍ଦ ନାଟ ମନ୍ଦିରରେ । ପଖାଉଜରେ ତାଳ ଦେଇ ସ୍ମରଣ କରିବି ମୁଁ ସେହି ଜଗତଦୁର୍ଲଭ ଗୋପୀବଲ୍ଲଭ ଶ୍ରୀକୃଷ୍ଣ ରୂପୀ ଜଗନ୍ନାଥଙ୍କୁ ।”

 

–“ତେବେ ମୋର ସେ ସୌଭଗ୍ୟର ଦିନ ଉପଗତ ହୋଇଛି ପ୍ରଭୁ ?”କହିଲେ ପଦ୍ମାବତୀ ।

 

–“ହଁ ପ୍ରିୟେ ! ଆଜି ରାତ୍ରିର ପବିତ୍ର ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ପ୍ରଥମେ ପରିବେଶିତ ହେବ ଗୀତଗୋବିନ୍ଦ ତୁମରି କଣ୍ଠରେ ।”

 

ହାତଯୋଡ଼ି ରାଧାମାଧବଙ୍କୁ ପ୍ରଣତି ଜଣାଉଥିଲେ ପଦ୍ମାବତୀ ପରିତୃପ୍ତ ଆତ୍ମସନ୍ତୋଷରେ ।

 

ଦେବଦେବ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ଅର୍ପଣକରି ପଖାଉଜର ତାଳେ ତାଳେ ପାଦ ପକାଇ ଅପୂର୍ବ ଲାଲିତ୍ୟଭରା କଣ୍ଠରେ ଗାନ କରିଉଠିଲେ ପଦ୍ମାବତୀ ଅବତାରୀ ଶ୍ରୀକୃଷ୍ଣଙ୍କ ମହିମା–“ପ୍ରଳୟ ପୟୋଧିଜଳେ ଧୃତବାନସୀବେଦଂ” ପ୍ରକମ୍ପିତ ହେବାରେ ଲାଗିଲା ନାଟମନ୍ଦିର । ଅପଲକ ନେତ୍ରରେ ସମ୍ମୁଖରୁ ଅନାଇ ରହିଥିଲେ ଚକାଡ଼ୋଳା ନୀଳାଚଳନାଥ ଶ୍ରୀ ଜଗନ୍ନାଥ ନିଜ ମହିମା କୀର୍ତ୍ତନର ଶ୍ରବଣ ପାଇଁ । ସତେଅବା ଚକ୍ଷୁଶ୍ରବା ହୋଇଉଠିଥିଲେ ସେ–ସେହି ପରମ ମୁହୂର୍ତ୍ତରେ ।

 

ପ୍ରଳୟକାଳର ମୁଦ୍ରା ପ୍ରଦର୍ଶନ କରି ନୃତ୍ୟ ଭଙ୍ଗୀରେ ଦଣ୍ଡାୟମାନା ରାଧାସ୍ଵରୂପିଣୀ ପଦ୍ମାବତୀ । କବରୀରେ ଚମ୍ପକ କୁସୁମର ଶୋଭା, ମଣିବନ୍ଧରେ ମଲ୍ଲିମାଳା, ବାହୁବେଷ୍ଟନ କରିଛି ମଧୁମାଳତୀ କୁସୁମ, କଣ୍ଠ,ଦେଶରେ ଜୁଇ ଜାଇ ହେନା କୁସୁମର ମାଳା, କୁଟୀରେ କୁନ୍ଦ, ଅପରଜିତା, କାମିନୀ ପୁଷ୍ପର ମେଖଳା ଏବଂ ପଦଯୁଗଳରେ ରୁଣୁଝୁଣୁରୁ ଘୁଙ୍ଗୁରର ବିତାନ । ଚକ୍ଷୁ ଯୁଗଳରୁ ଝରୁଛି ପ୍ରଳୟର ଦାବାନଳ, ପଦ୍ମକୋରକ ଜିଣା ଅଙ୍ଗୁଳିର ମୁଦ୍ରାରେ ଜନ୍ମ ନେଇଛନ୍ତି ମୀନରୂପୀ ମହାପ୍ରଭୁ ମହାବାହୁ । ଦାନବ ଶଙ୍ଖାସୁରର ହସ୍ତରୁ ଉଦ୍ଧାର କରିଛନ୍ତି ଚତୁର୍ବେଦ । ପୁଣି କଚ୍ଛପ ରୂପଧାରଣ କରିଛନ୍ତି ମହାବାହୁ ଏବଂ ଶୂକର ରୂପରେ ରକ୍ଷା କରିଛନ୍ତି ସେ ଜଳମଗ୍ନା ଧରିତ୍ରୀ ଦେବୀଙ୍କୁ । ନରସିଂହ ରୂପଧରି ଦୈତ୍ୟ ହିରଣ୍ୟକଶିପୁକୁ ନଖରେ ବିଦାରଣ କରି ଉଶ୍ଵାସ କରିଛନ୍ତି ମହୀଭାରା !

 

ସତୀ ପଦ୍ମାବତୀଙ୍କ ଦଶାବତାର ନୃତ୍ୟ ଏବଂ ସଙ୍ଗୀତ ସହିତ ଜୟଦେବଙ୍କ ଗୁରୁଗମ୍ଭୀର ପଖାଉଜ ନାଦ ପ୍ରତିଧ୍ଵନିତ ହୋଇଛି ନାଟ ମନ୍ଦିରରେ । ଆକର୍ଷିତ ହୋଇ ଆସିଛନ୍ତି ଭକ୍ତଜନ ଏ ଦୁର୍ଲଭ ସଙ୍ଗୀତର ସ୍ଵର ଲହରରେ । ସ୍ୱଳ୍ପ ସମୟ ମଧ୍ୟରେ ଭିଡ଼ ଜମିଯାଇଛି ନାଟ ମନ୍ଦିରରେ । ତଥାପି ଆକର୍ଷିତ ହେବାରେ ଲାଗିଛି ଜନସ୍ରୋତ । ମନ୍ଦିର, ମନ୍ଦିର ବେଢ଼ା ଏବଂ ବଡ଼ଦାଣ୍ଡର ଭକ୍ତଜନ ମଧ୍ୟ ଧାଇଁବାରେ ଲାଗିଛନ୍ତି ଏ ଅଭିନବ ଚେତନାର ସଙ୍ଗୀତ ଶ୍ରବଣ ପାଇଁ ।

 

ଶେଷରେ ବିଗଳିତ ହୋଇଉଠିଛି ବିଦୁଷୀ ପଦ୍ମାବତୀଙ୍କ ହୃଦୟ । ଗଦ୍‌ଗଦ୍ କଣ୍ଠରେ ଲୋତକପୂର୍ଣ୍ଣ ଚକ୍ଷୁ ତୋଳି ଗାନ କରିଛନ୍ତି ସେ–

 

“ଶ୍ରୀ ଜୟଦେବକବେରିଦ ମୁଦିତ ମୁଦାରଂ

ଶୃଣୁ ଶୁଭଦଂ ସୁଖଦଂ ଭବସାରଂ

କେଶବ ଧୃତ ! ଦଶବଧରୂପ ଜୟ ଜଗଦ୍ଦୀଶ ହରେ ।”

 

ଆଉ ନିଜକୁ ସମ୍ଭାଳି ପାରି ନାହାନ୍ତି ସେ । ଲୋଟିପଡ଼ିଛନ୍ତି ନାଟ୍ୟମନ୍ଦିରର ଚଟାଣ ଉପରେ । ତୋଳିଧରିଛନ୍ତି ଜୟଦେବ ବିଦଗ୍‌ଧା ପଦ୍ମାବତ୍ନୀଙ୍କୁ ନିଜ ବାହୁଯୁଗଳରେ ।

ତରଙ୍ଗ ପରି ଚତୁର୍ଦ୍ଦିଗରେ ଖେଳିଯାଇଛି ଏ ସଙ୍ଗୀତ ଏବଂ ନୃତ୍ୟର ପ୍ରଶଂସା । ଲୋକେ ଭିଡ଼ ଭିତରୁ ଆଗେଇ ଆସି ଅନୁରୋଧ ଜଣାଇଛନ୍ତି ଜୟଦେବଙ୍କୁ–“ବିପ୍ର ! ଏ ଦୁର୍ଲଭ ସଙ୍ଗୀତ ନିତିଦିନ ନାଟମନ୍ଦିରରେ ପରିବେଷିତ ହେଉ । ଆମେ ଶ୍ରବଣ କରି କୃତାର୍ଥ ହେବୁ ।”

ସାଦର ସମ୍ମତି ଜଣାଇ ପତ୍ନୀ ପଦ୍ମାବତୀଙ୍କୁ ସଙ୍ଗରେ ଧରି ଜୟଦେବ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କୁଟୀରକୁ । ବିହ୍ଵଳିତ ହୋଇପଡ଼ିଛନ୍ତି ସେ ଗୀତଗୋବିନ୍ଦର ସାଫଲ୍ୟ ପାଇଁ । ଭୂରି ଭୂରି ପ୍ରଶଂସା କରିଛନ୍ତି ସେ ପଦ୍ମାବତୀଙ୍କୁ ।

ଧୀରେ ଧୀରେ ଲୋକମୁଖରୁ ଲୋକମୁଖକୁ ସମ୍ପ୍ରସାରିତ ହୋଇଛି ଏ ସମ୍ବାଦ । ଆକୁଳ ହୋଇଛନ୍ତି ଭକ୍ତଜନ ପରଦିନ ସେହି ଗୋବିନ୍ଦ ଗାଥୀ ଶ୍ରବଣ ପାଇଁ ।

ପରଦିନ ସନ୍ଧ୍ୟା ପୂର୍ବରୁ ଭରପୂର ହୋଇଉଠିଛି ନାଟମନ୍ଦିର, ଶ୍ରୀମନ୍ଦିରର ବେଢ଼ା । ଲମ୍ବି ଯାଇଛି ଜନସମୁଦ୍ର ବଡ଼ଦାଣ୍ଡ ପର୍ଯ୍ୟନ୍ତ ବାଇଶିପାହାଚ ଦେଇ । ସମସ୍ତଙ୍କ ମୁଖରେ ସେହି ଗୋଟିଏ ପ୍ରଶ୍ନ–କେତେବେଳେ ଆରମ୍ଭ ହେବ ଶ୍ରୀ ଗୀତଗୋବିନ୍ଦ ?

ଏତିକିବେଳେ ଶ୍ରୋତା ଏବଂ ଦର୍ଶକଙ୍କ ମନରେ ଚାଞ୍ଚଲ୍ୟ ଖେଳାଇ ପ୍ରବେଶ କଲେ ଜୟଦେବ ଓ ପଦ୍ମାବତୀ । ସୁଶୋଭିତା ପଦ୍ମାବତୀ ନର୍ତ୍ତକୀ ବେଶରେ । ଅନାଇ ରହିଲେ ଦର୍ଶନମଣ୍ଡଳୀ ମୁଗ୍‌ଧ ହୋଇ । ମନେ କରୁଥିଲେ ସେମାନେ–ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି କି ଗୋପବଲ୍ଲଭୀ ଜେମା ରାଧାରାଣୀ ?

ଆପେ ଆପେ ନାଟମନ୍ଦିର ପର୍ଯ୍ୟନ୍ତ ପରିଷ୍କାର ହୋଇଗଲା ପଥ । ଆଗେଇ ଗଲେ ଜୟଦେବ ଏବଂ ପଦ୍ମାବତୀ । କାଳ ବିଳମ୍ବ ନକରି ପଖାଉଜରେ ତାଳ ଦେଲେ ସଙ୍ଗୀତ ଶେଖର ଜୟଦେବ । ଭକ୍ତିଭରା ଚିତ୍ତରେ ପୁଷ୍ପାଞ୍ଜଳି ଅର୍ପଣ କରି ଆରମ୍ଭ କଲେ ପଦ୍ମାବତୀ ଶ୍ୟାମସୁନ୍ଦରଙ୍କ ଜୟଗାନ ମଙ୍ଗଳଗୁଜ୍ଜରୀ ରାଗରେ–

“ମଧୁମୁରନରକବିନାଶନ ! ଗରୁଡ଼ାସନ

ସୁରକୁଳକେଳିନିନିଦାନଂ । ଜୟ ଜୟ ଦେବ ହରେ ।”

ଆଜି ଚତୁର୍ଦ୍ଦିଗରୁ ଶ୍ରୋତା ଏବଂ ଦର୍ଶକମାନେ ପୁଷ୍ପ ବୃଷ୍ଟି କଲେ ଜୟଦେବ ଓ ପଦ୍ମାବତୀଙ୍କ ଉପରେ । ସତେଅବା ସ୍ଵର୍ଗଧାମରୁ ଦେବଗଣ ପୁଷ୍ପ ବୃଷ୍ଟି କରୁଥିଲେ । ନାଟମନ୍ଦିରରେ ଗୀତଗୋବିନ୍ଦର ସାଫଲ୍ୟ ପାଇଁ ।

ଉପସ୍ଥିତ ଋତୁରାଜ ବସନ୍ତ । ରାଈ ବିନୋଦିନୀ ରାଧିକାଙ୍କ ହୃଦୟରେ ପ୍ରାଣବଲ୍ଲଭ ଶ୍ରୀକୃଷ୍ଣଙ୍କ ପାଇଁ ବ୍ୟାକୁଳତା । ଶୋକାକୁଳ ହୋଇଛନ୍ତି ସତୀ ପଦ୍ମାବତୀ ରାଧିକାଙ୍କ ବିରହ ଜ୍ଵାଳାରେ-। ହେୟ ମନେକରୁଛନ୍ତି ସେ କୁସୁମ ସମ୍ଭାର, ସମର୍ଥନର ଉପହାର । ଗଣ୍ଡଦେଶ ଦେଇ ବହିଯାଉଛି ଧାର ଧାରଲୋତକ ବକ୍ଷ ଭିଜାଇ ।

ଦର୍ଶକ ଏବଂ ଶ୍ରୋତାଙ୍କ ପ୍ରାଣରେ ମଧ୍ୟ ବିକଳତା । ଏକ କାରୁଣ୍ୟର ପରିବେଶ ମଧ୍ୟରେ ସ୍ତବ୍‌ଧ ନାଟମନ୍ଦିର । ହାହାକାରରେ ଭରିଯାଇଛି ସମସ୍ତଙ୍କ ହୃଦୟରାଜ୍ୟ । ରାଧିକା ସୁନ୍ଦରୀଙ୍କ ହୃଦୟର କାମାନଳ ଦହନରେ ଦଗ୍‍ଧୀଭୂତ ପ୍ରତ୍ୟେକ ଶ୍ରୋତାଙ୍କ ପ୍ରାଣ ।

 

ଏଥର ପାଦର ଗତି ଅଟକିଛି ସତୀ ପଦ୍ମାବତୀଙ୍କର ଗୀତଗୋବିନ୍ଦର ଦ୍ଵିତୀୟ ସର୍ଗର ଶେଷ ପାଦରେ–

 

“ସାଧୁତ୍ଵଦ୍ ବଇନଂ ସୁଧାମୟମିତି ବ୍ୟହୃତ୍ୟ ଗୀତସ୍ତୁତି

ବ୍ୟାଜାଦୁଦ୍ କଟଚୁମ୍ବିତ ମୁଁ ତ ମନୋହାରୀ ହରିଃ ପାତୁବଃ ।”

 

ଭୂପତିତା ହୋଇଛନ୍ତି ସେ ମହାବାହୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ । ଧନ୍ୟ ଧନ୍ୟ କରି ବାହୁଡ଼ିବାକୁ ଆରମ୍ଭ କରିଛନ୍ତି ଶ୍ରୋତାବୃନ୍ଦ ।

 

ତତ୍‌ପରେ ପ୍ରତ୍ୟେକ ଦିନ ରାତ୍ରିରେ ଗୀତଗୋବିନ୍ଦ ପରିବେଷଣ ପାଇଁ ନାଟମନ୍ଦିରକୁ ଯାତ୍ରା କରିଛନ୍ତି ଶ୍ରୀ ଜୟଦେବ ଓ ପଦ୍ମାବତୀ । ଅପେକ୍ଷାକରି ରହିଛନ୍ତି ଭକ୍ତଜନ ଏ ସୁଧାମୟ ଗୀତ ଶ୍ରବଣ ପାଇଁ । ଗୀତଗୋବିନ୍ଦର ଖ୍ୟାତି ପ୍ରସାରିତ ହୋଇଛି ପ୍ରତ୍ୟେକ ଜନପଦକୁ ।

 

ସମୟକ୍ରମେ ଗୀତଗୋବିନ୍ଦର ସାଫଲ୍ୟ ଓ ସୁନାମ ସମ୍ପର୍କରେ ଶ୍ରବଣ କରିଛନ୍ତି ଗଜପତି କାମାର୍ଣ୍ଣବଦେବ ଙ୍କ ସଭାପଣ୍ଡିତ ବାଚସ୍ପତି ଦିବାକର ମିଶ୍ର ଶର୍ମା । ଗୀତଗୋବିନ୍ଦର ଏପରି ସୁନାମ ଅସହ୍ୟ ବୋଧ ହୋଇଛି ତାଙ୍କୁ । ନିଜେ ସେ ଉଦ୍ୟତ ହୋଇଛନ୍ତି ନାଟମନ୍ଦିରକୁ ଯାତ୍ରାକରି ଗୀତଗୋବିନ୍ଦ ଶ୍ରବଣ ପାଇଁ ।

 

ସେଦିନ କୃଷ୍ଣପକ୍ଷ ତୃତୀୟା ରାତ୍ରି । ଗୋପନରେ ନାଟମନ୍ଦିର ଦେହରେ ଉପସ୍ଥିତ ହେଲେ ରାଜକବି ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ପ୍ରଥମେ ରୂପବତୀ ପଦ୍ମାବତୀଙ୍କୁ ଦେଖି ଚମକି ପଡ଼ିଲେ ସେ । କିଏ ଏହି ସୁନ୍ଦରୀ ସୁଶ୍ରୀ ମନୋହାରିଣୀ ରମଣୀ ? ବିଶ୍ଵବିନିନ୍ଦିତା ସୁନ୍ଦର ବୌଦ୍ଧ ଭିକ୍ଷୂଣୀ ଅମ୍ବାପଲ୍ଲୀ ? ସ୍ଵର୍ଗ ଅପ୍‌ସରୀ ମେନକା ? ଉର୍ବଶୀ ? କିମ୍ବା ମଦନ ରାଜାର ପୁଲଶର ରତିଦେବୀ ?

 

ଚହଳି ଉଠୁଥିଲା ତର୍କ ବାଚସ୍ପତି ଦିବାକର ମିଶ୍ରଶର୍ମାଙ୍କ ହୃଦୟତନ୍ତ୍ରୀ । ଭାବୁଥିଲେ ସେ–ଅର୍ପଣ କରିବେ ଏ ସୁନ୍ଦରୀକୁ ମହାରାଜ କାମାର୍ଣ୍ଣବଦେବ ଙ୍କ ନିକଟରେ ଉପଭୋଗ ପାଇଁ ? ପୁଣି ପରମୁହୂର୍ତ୍ତରେ ନିଜକୁ ନିଜେ ସଂଯତ ହେଉଥିଲେ ସେ–ନାଁ...ଭକ୍ତବତ୍ସଳ ଗଙ୍ଗବଂଶୀ ରାଜା କାମାର୍ଣ୍ଣବଦେବ ଧର୍ମପରାୟଣ । ପର ନାରୀର ଅଙ୍ଗ ସ୍ପର୍ଶର ସେ ବିରୋଧୀ । ତେବେ ? ଅନେକ ପ୍ରଶ୍ନ, ମନରେ ଉଙ୍କି ମାରିଲା ତର୍କ ବାଚସ୍ପତିଙ୍କର ।

 

ହରଣ କରିବେ ସେ ସୁନ୍ଦରୀ ନାରୀ ମୂର୍ତ୍ତିକୁ ପ୍ରଲୋଭନ ଦେଖାଇ ? କିମ୍ବା ମୋହ ଜଗାଇବେ ସେନାପତି ବଜ୍ରବାହୁଙ୍କ ମନରେ ଅଙ୍ଗସୁଖ ଲାଭ ପାଇଁ ? ଏମିତି କେତେ ଚିନ୍ତାରେ ଦିବାକର ମିଶ୍ର ଶର୍ମାଙ୍କ ମନ ଆନ୍ଦୋଳିତ ହେଉଥିବା ସମୟରେ–ପଖାଉଜର ତାଳେ ତାଳେ ପାଦର ନୂପୁର ରୁଣୁ ଝୁଣୁ କରି ଗାନକରି ଉଠିଲେ ପଦ୍ମାବତୀ–

 

‘‘ରତିସୁଖସାରେ ଗତମଭିସାରେ ମଦନମନୋହର ବେଶଂ ।

ନକୁରୁ ନିତମ୍ବିନୀ ଗମନ ବିଳମ୍ବନ ମନୁସର ତଂ ହୃଦୟେଶଂ

ଧୀରସମୀରେ ଯମୁନାତୀରେ ବସତି ବନେ ବନମାଳୀ

ପୀନପୟୋଧର ପରିସରମର୍ଦ୍ଦନ ଚଞ୍ଚଳ କରଯୁଗଶାଳୀ ।”

 

ଈର୍ଷା ଜର୍ଜରିତ ଭାବୋଦ୍ ବେଗରେ ଚାହିଁ ରହିଥିଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ତାଙ୍କ ଚକ୍ଷୁରୁ ନିର୍ଗତ ହେଉଥିଲା ଅଗ୍ନି ସ୍ଫୁଲିଙ୍ଗ ପ୍ରଜ୍ଵଳିତ ଦାବାନଳ ଭଳି । ସେ ଅଗ୍ନି ଦଗ୍‌ଧୀଭୂତ କରୁଥିଲା ହୃଦୟ ମଣ୍ଡଳକୁ । ସ୍ଵୟଂ ରାଜକବି ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ଥାଉଁ ଥାଉଁ କିଏ ଏହି ଅଜ୍ଞାତ କୁଳଶୀଳ କବି ଜୟଦେବ ? ଯାହାର ପ୍ରଶଂସାର ଡିଣ୍ଡିମ ସମଗ୍ର ଶ୍ରୀକ୍ଷେତ୍ରର ପ୍ରତ୍ୟେକ ଭକ୍ତଜନଙ୍କ ହୃଦୟରେ ଅନୁରଣିତ । ଅସମ୍ଭବ ଏ ଦାରୁଣ ଯନ୍ତ୍ରଣା ସହ୍ୟ କରିବା ।

 

ବନ୍ଦ କରିବାକୁ ହେବ ଶ୍ରୀ ଗୀତଗୋବିନ୍ଦର ପରିବେଷଣ । ବନ୍ଦ କରିବାକୁ ହେବ ନୃତ୍ୟ ଗୀତ ଶ୍ରୀମନ୍ଦିର ମଧ୍ୟରୁ । ଚିତ୍କାର କରିଉଠିଲେ ବାଚସ୍ପତି ଦିବାକର ମିଶ୍ର ଶର୍ମା–‘‘ବନ୍ଦ କର ଏ ଅଶ୍ଳୀଳ ସଙ୍ଗୀତ ପରିବେଷଣ, ବାରାଙ୍ଗନା ନୃତ୍ୟ ନାଟମନ୍ଦିର ଦେହରେ । ଅପବିତ୍ର ହୋଇଛି ନୀଳାଚଳ ।”

 

ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ଚିତ୍କାରରେ ଅଟକିଗଲା ସତୀ ପଦ୍ମାବତୀଙ୍କ ଚଳଚଞ୍ଚଳ ପଦର ନୂପୁର । ବନ୍ଦ ହୋଇଗଲା ଶ୍ରୀ ଜୟଦେବଙ୍କ ପଖାଉଜ ବାଦ୍ୟ ।

 

ସମଗ୍ର ଜନସମୁଦ୍ରର ଚକ୍ଷୁ ନିବଦ୍ଧ ହୋଇଗଲା ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ଉପରେ । ପୁଣି ଥରେ ପାଟିକରି ଉଠିଲେ ସେ–‘‘ନାଟମନ୍ଦିର ତ୍ୟାଗକର ବାରାଙ୍ଗନା ! ଗୁଞ୍ଜରି ଉଠୁ ତୁମ କଣ୍ଠର ସଙ୍ଗୀତ କେଉଁ ରାଜପ୍ରାସାଦର ନିଭୃତ ସଭାମଞ୍ଚରେ । ଏ ପବିତ୍ର ଶ୍ରୀକ୍ଷେତ୍ରର ନାଟମନ୍ଦିର ବେଶ୍ୟାଳୟ ନୁହେଁ ।”

 

ସ୍ତବ୍‌ଧ ଚକିତ ଶ୍ରୋତୃମଣ୍ଡଳୀ । ନିର୍ବାକ ନିଃସ୍ପନ୍ଦ ଶବ୍ଦହୀନ ନାଟମନ୍ଦିରର ପରିବେଶ ।

 

ହଠାତ୍ ଗର୍ଜନ କରିଉଠିଲେ ଜଣେ ଯୁବକ...“ବାଚାଳତା ବନ୍ଦକର ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ! ଅପୂର୍ବ ରାଧାକୃଷ୍ଣ ପ୍ରେମ କାହାଣୀ ଅଶ୍ଳୀଳ ହୋଇ ନପାରେ । ସତୀ ପଦ୍ମାବତୀଙ୍କୁ ତୁମେ ବାରାଙ୍ଗନା ବୋଲି ସମ୍ବୋଧନ କରି ପାପ କରିଛ ତର୍କ ବାଚସ୍ପତି । ଏଇ ଜନସମୁଦ୍ର ସମକ୍ଷରେ ତୁମେ କ୍ଷମା ଭିକ୍ଷା କର । ନଚେତ୍ ଉପସ୍ଥିତ ଭକ୍ତଜନଙ୍କ ପକ୍ଷରୁ ମୁଁ ତୁମ ଗଳାରେ ଧକ୍‌କା ଦେଇ ସ୍ଥାନାନ୍ତରିତ କରିବି ।”

 

‘‘କିଏ ତୁମେ ଉଦ୍ଧତ ଯୁବକ ?” ପ୍ରଶ୍ନ କରି ଉଠିଲେ ତର୍କ ବାଚସ୍ପତି ।

 

–‘‘ଚିହ୍ନି ପାରୁନାହଁ ତର୍କ ବାଚସ୍ପତି ? ମୁଁ ରାଜଗୁରୁ ବଂଶର ଦାୟାଦ ପରାଶର ରାଜଗୁରୁ-। ଭକ୍ତ କବି ଜୟଦେବ ଏବଂ ସତୀ ପଦ୍ମାବତୀଙ୍କ ବନ୍ଧୁ ।”

 

–“ତୁମେ କ’ଣ ଏ ଅଶ୍ଳୀଳ ସଙ୍ଗୀତ ପରିବେଷଣକୁ ପ୍ରଶ୍ରୟ ଦେଉଛ ଯୁବକ ?”

 

–“କେବଳ ପ୍ରଶ୍ରୟ ନୁହେଁ, ଆବଶ୍ୟକ ମନେହେଲେ ମୁଁ ନିଜେ ଗାନ କରିବି ପବିତ୍ର ଗୀତଗୋବିନ୍ଦ ଗାଥା ?”

 

–‘‘ଅସମ୍ଭବ, ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାର ସମ୍ମୁଖରେ ଏ ଅଶ୍ଳୀଳ ସଙ୍ଗୀତ ଗାନ କରାଯାଇନପାରେ ।”

 

–“ତେବେ ଅପମାନିତ ହେବାପାଇଁ ପ୍ରସ୍ତୁତ ହୋଇଯାଅ ତର୍କ ବାଚସ୍ପତି ।”

 

–‘‘ଔଦ୍ଧତ୍ୟ ତ୍ୟାଗ କର ଯୁବକ । ତୁମେ କ’ଣ ଭାବୁଛ ଏ ଅଶ୍ଳୀଳ ସଙ୍ଗୀତର ପରିବେଷଣକୁ ପସନ୍ଦ କରନ୍ତୁ ଭକ୍ତଜନ ?”

 

ଏପରି ବିଚିତ୍ର ସମୟରେ ଜନସମୁଦ୍ର ମଧ୍ୟରେ ସୃଷ୍ଟି ହେଲା କୋଳାହଳ । ଏ ଅଶ୍ଳୀଳ ସଙ୍ଗୀତ ନୁହେଁ–ରାଧାକୃଷ୍ଣ ଲୀଳାର ଚରିତ । ଆମେ ଏ ସଙ୍ଗୀତ ଶ୍ରବଣ କରିବାକୁ ଚାହୁଁ । ଆପଣ ଦୂରେଇ ଯାଆନ୍ତୁ । ଆରମ୍ଭ ହେଉ ପୁଣି ଗୀତଗୋବିନ୍ଦର ଅମୃତ ପଦାବଳୀ ।

 

ଆହୁରି କମ୍ପି ଉଠି କହିଲେ ଦିବାକର ମିଶ୍ର ଶର୍ମା–“ଅସମ୍ଭବ,ଏ ସଙ୍ଗୀତ ବନ୍ଦ କରିବାକୁ ହେବ ।”

 

ଆଉ ସ୍ଥିର ରହିପାରିଲେ ନାହିଁ ପରାଶର ରାଜଗୁରୁ, ଆଗକୁ ଆଗେଇ ଆସି ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ହାତ ଧରି ଟାଣିଆଣିଲେ ନାଟମନ୍ଦିର ବାହାରକୁ । କହିଲେ–“ଗୀତଗୋବିନ୍ଦ ଗାନରେ ବାଧା ସୃଷ୍ଟି ନକରି ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କର ତର୍କ ବାଚସ୍ପତି ! ଅଧିକ ବାଧା ସୃଷ୍ଟି କଲେ ଆହୁରି ଅପଦସ୍ତ ହେବ ଏଇ ଜନସମୁଦ୍ର ସମକ୍ଷରେ ।”

 

ଜନସମୁଦ୍ର ମଧ୍ୟରେ ଖେଳିଗଲା ଆନନ୍ଦର କଲ୍ଲୋଳ । ପୁଣି ପଖାଉଜରେ ତାଳଦେଲେ ଜୟଦେବ । ପାଦ ପକାଇଲେ ପଦ୍ମାବତୀ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ପାଇଁ ।

 

କ୍ଷୁବ୍‌ଧ ହୋଇ ଶ୍ରୀମନ୍ଦିର ଦେହରୁ ବଡ଼ଦାଣ୍ଡ ଉପରକୁ ଓହ୍ଳାଇ ଆସିଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ଅସହ୍ୟ ଅପମାନରେ ଶିଖା ଟେକି ହୃଦୟକୁ ଭସ୍ମୀଭୂତ କରୁଥିଲା ଈର୍ଷାର ଅନଳ । ମନେ କରୁଥିଲେ ସେ–ସତେଅବା ଗୀତଗୋବିନ୍ଦର ପଂକ୍ତିଗୁଡ଼ିକ ସୁତୀକ୍ଷ୍‌ଣ ଶର ଭଳି ବିଦ୍ଧ କରୁଛି ତାଙ୍କ ଅନ୍ତର ଆତ୍ମାକୁ । ଜଳି ପୋଡ଼ି ଛାରଖାର ହୋଇଯାଉଛି ତାଙ୍କର ପ୍ରତିଷ୍ଠା ।

 

ସେହିପରି କ୍ରୋଧାନ୍ଵିତ ହୋଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କଲେ ସେ । ଚିନ୍ତା କରୁଥିଲେ ଜୟଦେବଙ୍କ ନିର୍ମଳ କବିତ୍ଵରେ କାଳିମା ଲିପିବାର ଉପାୟ । ଶେଷରେ ଏକ ସିଦ୍ଧାନ୍ତରେ ଉପନୀତ ହେଲେ ସେ–ଆସନ୍ତାକାଲି ଗଜପତି କାମାର୍ଣ୍ଣବଦେବ ଙ୍କ ସମକ୍ଷରେ କରିବି ଗୁହାରି ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାନ ନିଷିଦ୍ଧ କରିବା ପାଇଁ ।

 

ଏ ସିଦ୍ଧାନ୍ତ ଶାନ୍ତିଦେଲା ତାଙ୍କ ପ୍ରାଣରେ । ତା’ପରେ ଶୟନ କରିବାକୁ ଚେଷ୍ଟା କଲେ ସେ ।

 

ପରଦିନ ରାଜସଭାରେ ଆସନ ଗ୍ରହଣ କଲେ ଦିବାକର ମିଶ୍ର ଶର୍ମା, ଗଙ୍ଗ ନରପତି ଗଜପତି କାମାର୍ଣ୍ଣବଦେବ ରାଜସଭାରେ ଆସନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଦଣ୍ଡାୟମାନ ହୋଇ ଅଭିଯୋଗ କଲେ ସେ–‘‘ମଣିମା ପୁରାଣ ପ୍ରସିଦ୍ଧ ଧର୍ମାତ୍ମା ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ନୀଳଶୈଳ, ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ଯଯାତିକେଶୋରୀ ନିର୍ମିତ ଶ୍ରୀମନ୍ଦିର ଏବଂ ଚୋଡ଼ଗଙ୍ଗଦେବଙ୍କ କୀର୍ତ୍ତିମଣ୍ଡଳ ଶ୍ରୀକ୍ଷେତ୍ର ଏବେ ଏକ ବାରାଙ୍ଗନା ପୀଠରେ ପରିଣତ ହୋଇଛି । ଆମ ଭଳି ଶାସ୍ତ୍ରଜ୍ଞ ବ୍ରାହ୍ମଣମାନେ ଆଉ ଏ କ୍ଷେତ୍ରରେ ଅବସ୍ଥାନ କରିବାକୁ ଉଚିତ୍ ମନେକରୁ ନାହୁଁ ।”

 

–“ମୁଁ ଆପଣଙ୍କ କଥା କିଛି ବୁଝିପାରୁ ନାହିଁ ତର୍କ ବାଚସ୍ପତି ମହାଶୟ ।” କହିଲେ ଗଜପତି କାମାର୍ଣ୍ଣବଦେବ ।

 

–‘‘ଶ୍ରୀମନ୍ଦିର ଅପବିତ୍ର ହୋଇଛି ମଣିମା ! ଗତ କେତେଦିନ ଧରି ଜଣେ ବାରାଙ୍ଗନା ଅଶ୍ଳୀଳ ସଙ୍ଗୀତ ପରିବେଷଣ କରୁଛି ନାଟମନ୍ଦିରରେ ଏବଂ ଜଣେ ବିପ୍ର ସହାୟକ ହୋଇଛି ଏହି ବାରାଙ୍ଗନା ନୃତ୍ୟର । ଗତକାଲି ମୁଁ ଶ୍ରୀମନ୍ଦିରରେ ଏପରି ନୃତ୍ୟ ଏବଂ ସଙ୍ଗୀତର ବିରୋଧ କରିଥିଲି; କିନ୍ତୁ ମୋତେ ଅପମାନିତ କଲେ ଯୁବକ ପରାଶର ରାଜଗୁରୁ ।”

 

–“ଅସମ୍ଭବ । ଶ୍ରୀମନ୍ଦିର ଏକ ବାରାଙ୍ଗନାର ନୃତ୍ୟସ୍ଥଳୀରେ ପରିଣତ ହୋଇ ନପାରେ । ଅଶ୍ଳୀଳ ସଙ୍ଗୀତ ପରିବେଷଣରେ ନାଟମନ୍ଦିରର ବାୟୁମଣ୍ଡଳ ବିଷାକ୍ତ ହୋଇ ନପାରେ । ମୁଁ ତାହା ନିଷିଦ୍ଧ କରିବା ପାଇଁ ଆଦେଶ ଦେବି ତର୍କ ବାଚସ୍ପତି ! ଆପଣ କ୍ରୋଧ ସମ୍ବରଣ କରନ୍ତୁ ।”

 

ଗଜପତି କାମାର୍ଣ୍ଣକଦେବଙ୍କ ଉକ୍ତିରେ ସନ୍ତୁଷ୍ଟ ହୋଇ ଉପବେଶନ କଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ।

 

ଆଦେଶ ଦେଲେ ଗଜପତି କାମାର୍ଣ୍ଣବଦେବ –“ମନ୍ତ୍ରୀ ମହୋଦୟ । ଆଜି ମୋର ଆଦେଶ ଶ୍ରୀମନ୍ଦିରରେ ମୁଦିରସ୍ତଙ୍କୁ ଜଣାଇଦିଅ । ନିଷିଦ୍ଧ ହେଲା ନାଟମନ୍ଦିରରେ ନୃତ୍ୟଗୀତ । କେବଳ ସେତିକି ନୁହେଁ ମନ୍ତ୍ରୀ ମହୋଦୟ ! ସେ ବାରାଙ୍ଗନା ଏବଂ ବିପ୍ରଙ୍କୁ ବନ୍ଦୀକରି ରଖାଯିବ ମନ୍ଦିର ଗାରଦ ମଧ୍ୟରେ ତାଙ୍କ ବିଚାର ପର୍ଯ୍ୟନ୍ତ ।”

 

–‘‘ଯେ ଆଜ୍ଞା ମଣିମା !” କହି କ୍ଷିପ୍ର ଗତିରେ ସଭାମଞ୍ଚ ତ୍ୟାଗ କଲେ ମନ୍ତ୍ରୀ ଶ୍ରୀମନ୍ଦିରରେ ରାଜଆଜ୍ଞା ଜଣାଇ ଦେବା ପାଇଁ ।

 

ଏଣେ ରାଜସଭାର ଶେଷରେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ ତର୍କ ବାଚସ୍ପତି । ଆଜି ମନରେ ତାଙ୍କର ପରମ ପରିତୃପ୍ତି । କବି ଜୟଦେବଙ୍କ ପ୍ରତିଭା ଉପରେ କୁଠାରାଘାତ କରିବାକୁ ସକ୍ଷମ ହୋଇଛନ୍ତି ସେ । ଭାବୁଛନ୍ତି ପରମୁହୂର୍ତ୍ତରେ । ସେ ନିଜେ ରଚନା କରିବେ ରାଧାକୃଷ୍ଣ ରତି ବିବର୍ଜିତ ଏକ ଅଭିନବ ଗୀତଗୋବିନ୍ଦ । ଭଣତି କରିବେ ଗଜପତି କାମାର୍ଣ୍ଣବଦେବଙ୍କ ନାମରେ ଏବଂ ଅନୁରୋଧ ଜଣାଇବେ ଗଜପତିଙ୍କୁ ଏହି ଅଭିନବ ଗୀତଗୋବିନ୍ଦର ପାଠ ଶ୍ରୀମନ୍ଦିରରେ ପ୍ରଚଳନ କରିବା ପାଇଁ ।

 

ଧୀରେ ଧୀରେ ଈର୍ଷା, ପରଶ୍ରୀକାତରତା ଏବଂ ଅହମିକା ଆଚ୍ଛନ୍ନ କରିଛି ତାଙ୍କ ପ୍ରାଣକୁ । ଅଭିନବ ଗୀତଗୋବିନ୍ଦର ରଚନା ପାଇଁ ବ୍ୟାକୁଳ ହୋଇଉଠିଛନ୍ତି ସେ । ଲେଖନୀ ଧରିଛନ୍ତି ପଦ ସଂଯୋଜନା ଉଦ୍ଦେଶ୍ୟରେ ।

 

ସନ୍ଧ୍ୟା ଆଗମନ କରିଛି । ଶ୍ରୀମନ୍ଦିରର ନାଟମନ୍ଦିରରେ ଭିଡ଼ ଜମାଇଛନ୍ତି ଭକ୍ତଜନ ଗୀତଗୋବିନ୍ଦ ଶ୍ରବଣ ପାଇଁ । କମ୍ପି ଉଠିଛି ନାଟମନ୍ଦିର, ମନ୍ଦିର ବେଢ଼ା ଏବଂ ବଡ଼ଦାଣ୍ଡ, ଜନସମୁଦ୍ରର କୋଳାହଳରେ । ଏପରି ସମୟରେ ଜନଗହଳି ମଧ୍ୟରେ ଆଗେଇ ଆସିଛନ୍ତି କବି ଜୟଦେବ ଏବଂ ପଦ୍ମାବତୀ । ନାଟମନ୍ଦିରର ନିର୍ଦ୍ଧାରିତ ସ୍ଥାନରେ ପାଦ ପକାଇଛନ୍ତି ସେମାନେ । ହରିବୋଲ ହୁଳହୁଳି ପକାଇ ସେମାନଙ୍କୁ ସ୍ଵାଗତ ଜଣାଇଛନ୍ତି ଉପସ୍ଥିତ ଜନତା ।

 

ଏତିକିବେଳେ ଭିଡ଼ ଠେଲି ନାଟମନ୍ଦିର ନିକଟରେ ଉପସ୍ଥିତ ହୋଇଛନ୍ତି ମୁଦିରସ୍ତ । ଘୋଷଣା କରିଛନ୍ତି ଉଚ୍ଚ କଣ୍ଠରେ–‘‘ରାଜାଙ୍କ ଆଦେଶକ୍ରମେ ଆଜିଠାରୁ ଗୀତଗୋବିନ୍ଦ ଗାନ ନାଟମନ୍ଦିରରେ ନିଷିଦ୍ଧ ହୋଇଛି ଏବଂ କବି ଜୟଦେବ ଓ ପଦ୍ମାବତୀ ରାଜଦରବାରରେ ବିଚାର ପର୍ଯ୍ୟନ୍ତ ହେଲେ ମନ୍ଦିର ଗାରଦରେ ବନ୍ଦୀ ।”

 

ମୁଦିରସ୍ତଙ୍କ ଘୋଷଣା ଶୁଣି ବିଚଳିତ ହୋଇପଡ଼ିଲେ ଭକ୍ତଜନ । ପ୍ରତିବାଦ କରିଉଠିଲେ ରୁଦ୍ର ଆବେଗଭରା କଣ୍ଠରେ । କିନ୍ତୁ କାହାରି କୌଣସି ଉପାୟ ନାହିଁ । ରାଜାଦେଶକୁ ଅବମାନନା କରିବାର ଶକ୍ତି ନାହିଁ । ମୁଣ୍ଡପାତି ସହିନେବାକୁ ହେବ ରାଜାଦେଶ । ଜୟଦେବ ଏବଂ ପଦ୍ମାବତୀଙ୍କୁ ଚାହିଁ ରହିଲେ ବନ୍ଧୁ, ପରାଶର ରାଜଗୁରୁ । ତାଙ୍କ ଚକ୍ଷୁ ଯୁଗଳରୁ ବହୁଥିଲା ସମବେଦନାର ଲୋତକ-

 

ଆଦେଶ ଶ୍ରବଣ କରି ବିଦ୍ରୁପର ହସ ହସିବାକୁ ଚେଷ୍ଟା କରୁଥିଲେ ଜୟଦେବ । ହାତଯୋଡ଼ି ଚକାନୟନଙ୍କୁ ଅନାଇ ରହିଥିଲେ ସତୀ ପଦ୍ମାବତୀ ନିର୍ବେଦ ନାରୀତ୍ଵର ପୁଷ୍ପାଞ୍ଜଳି ପ୍ରଦାନ କରି । କମ୍ପି ଉଠିଲେ ମୁଦିରସ୍ତ–“ମନ୍ଦିରର ଗାରଦ ମଧ୍ୟକୁ ଚାଲ ଜୟଦେବ ଏବଂ ପଦ୍ମାବତୀ-! ରାଜାଦେଶର ଅବମାନନା କରି ପଳାଇ ଯିବାକୁ ଅପଚେଷ୍ଟା କରନାହିଁ ।”

 

ହସିଲେ ଜୟଦେବ କାରୁଣ୍ୟର ହସ । କହିଲେ–‘‘ପ୍ରାଣ ବିକଳରେ ଆମେ ମନ୍ଦିର ଛାଡ଼ି ପଳାଇବୁ ନାହିଁ ମୁଦିରସ୍ତ ମହୋଦୟ । ରାଜାଦେଶକୁ ମୁଣ୍ଡପାତି ମାନିନେବୁ । ଘେନି ଚାଲନ୍ତୁ ଆମକୁ ଗାରଦ ଭିତରକୁ ।”

 

“ଆଉ ଅପେକ୍ଷା ନକରି ଜୟଦେବ ଓ ପଦ୍ମାବତୀଙ୍କୁ ଟାଣିନେଇ ମୁଦିରସ୍ତ ଶ୍ରୀମନ୍ଦିର ବେଢ଼ାର ଗାରଦ ନିକଟକୁ ।

 

ଟଣାଓଟରାରେ ଛିନ୍ନ ହେଉଥିଲା ପୁଷ୍ପ ମାଲ୍ୟ ପଦ୍ମାବତୀଙ୍କ କବରୀ, କଣ୍ଠଦେଶ ଏବଂ ମଣିବନ୍ଧରୁ । ଅନୁଭବ କରୁଥିଲେ ମୁଦିରସ୍ତ–ସତେଅବା କୌଣସି ସ୍ୱର୍ଗ ଅପସରୀଙ୍କୁ ବନ୍ଦିନୀ କରିଛନ୍ତି ସେ–ଅପଦେବତା କନ୍ଦର୍ପଙ୍କ ବିଜୟବାନା ଉଡ଼ାଇବା ପାଇଁ ।

 

ଶ୍ରୀମନ୍ଦିରର ଭକ୍ତଜନଙ୍କ ମଧ୍ୟରେ ଖେଳିଗଲା ନୈରାଶ୍ୟର ଉତ୍ତେଜନା । ଉଚ୍ଚ କଣ୍ଠରେ କହିବାରେ ଲାଗିଲେ କେହି କେହି–ଜଗା ଆଉ ନୀଳାଚଳରେ ନାହିଁ । ସେ ଥିଲେ ତା’ ଆଖି ଆଗରେ ଏପରି ଅନ୍ୟାୟ ହୁଅନ୍ତା କିପରି । ମିଛରେ ଅପରାଧହୀନ ବ୍ୟକ୍ତି ଦଣ୍ଡିତ ହୁଅନ୍ତେ କାହିଁକି-?

 

କିନ୍ତୁ ଉପସ୍ଥିତ ଭକ୍ତଜନଙ୍କ ନିବେଦନ ଶୁଣୁଛି କିଏ ? ରାଜ–ରାଜେଶ୍ଵର କାମାର୍ଣ୍ଣବଦେବଙ୍କ ଆଦେଶ ଶିରୋଧାର୍ଯ୍ୟ କରିବାକୁ ହେବ ବିଚାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ମନ୍ଦିରର ଗାରଦ ମଧ୍ୟରେ ଶ୍ରୀ ଜୟଦେବ ଏବଂ ପଦ୍ମାବତୀଙ୍କୁ ପୂରାଇ ତାଲା ବନ୍ଦ କରି କିଛି ସମୟ ନିର୍ବାକ ହୋଇ ଜନସମୁଦ୍ରକୁ ଚାହିଁରହିଲେ ମୁଦିରସ୍ତ । ଅନୁମାନ କଲେ ସେ–ଏକ ଅଦ୍ଭୁତ ଉତ୍ତେଜନା ! ଅଦ୍ଭୁତ ଭାବାବେଗ ଭକ୍ତଜନଙ୍କ ମଧ୍ୟରେ ? କିନ୍ତୁ ରାଜାଦେଶ ଅମାନ୍ୟ କରିବାର ଉପାୟ ନାହିଁ । ଜୟଦେବ ଏବଂ ପଦ୍ମାବତୀଙ୍କୁ ମୁକ୍ତି ଦେବାର ସମ୍ଭାବନା ନାହିଁ କିମ୍ବା ପୁଣି ଶ୍ରୀଗୀତଗୋବିନ୍ଦ ପରିବେଷଣର ସୁଯୋଗ ନାହିଁ । ହତାଶ ମନରେ ଫେରିଯିବାକୁ ହେବ ଭକ୍ତଜନଙ୍କୁ । ଉଚ୍ଚ କଣ୍ଠରେ କହିଲେ ସେ–‘‘ପ୍ରିୟ ଭକ୍ତଜନ ! ମୁଁ ରାଜାଦେଶ ପାଳନ କରିଛି । ଆପଣମାନେ ଆଉ ଶ୍ରୀମନ୍ଦିର ବେଢ଼ାରେ ଉତ୍ତେଜନା ସୃଷ୍ଟି ନକରି ଦିଅଁ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରନ୍ତୁ । ବିଚାର ଗୃହର ଶେଷ ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏ ମୋର ଅନୁରୋଧ ।”

 

ମୁଦିରସ୍ତଙ୍କ ବାରମ୍ବାର ଅନୁରୋଧ କ୍ରମେ ବାହୁଡ଼ିବାରେ ଲାଗିଲେ ଭକ୍ତଜନ । ଘଡ଼ିକ ମଧ୍ୟରେ ଜନଶୂନ୍ୟ ହୋଇଉଠିଲା ଶ୍ରୀମନ୍ଦିର ।

 

Unknown

ଗାରଦ ଭିତରେ ଥାଇ ଚିନ୍ତା କରୁଥିଲେ କବି ଜୟଦେବ–ହେ ପ୍ରଭୁ ନୀଳାଚଳ ନାଥ ଜଗନ୍ନାଥ ! ମୁଁ ରାଧାକୃଷ୍ଣ ପ୍ରେମର ଅପୂର୍ବ ଲୀଳାରସର ବର୍ଣ୍ଣନା କରି କ’ଣ ଅପରାଧ କରିଛି ? ତୁମର ମହିମା କୀର୍ତ୍ତନ କରି କ’ଣ ସମାଜକୁ ପଥଭ୍ରଷ୍ଟ କରିଛି ? ତେବେ ମୋର ଅପରାଧ ପାଇଁ ମୋତେ ଶାସ୍ତି ପ୍ରଦାନ କର ମହାପ୍ରଭୁ ! ଏହି ଗାରଦ ମଧ୍ୟରେ ଉଡ଼ିଯାଉ ମୋର ପ୍ରାଣବାୟୁ ।

 

ବ୍ୟଥିତ ହୋଇଛନ୍ତି ସତୀ ପଦ୍ମାବତୀ–“ସ୍ଵାମୀ । ଧୈର୍ଯ୍ୟ ହରା ହୁଅନ୍ତୁ ନାହିଁ ! ପ୍ରଭୁ ଜଗନ୍ନାଥ ଆମର ଦୁଃଖ ଶ୍ରବଣ କରିବେ । ବିପଦ ଆପେ ଆପେ ଦୂରେଇ ଯିବ । ଏହି ଶ୍ରୀମନ୍ଦିରରେ ଝଂକୃତ ହେବ ଗୀତଗୋବିନ୍ଦର ସ୍ଵର ଝଙ୍କାର । ଅପେକ୍ଷା କରନ୍ତୁ ପ୍ରଭୁ । ଅନନ୍ତ ସମୟ ସ୍ରୋତ କରିବ ସବୁର ବିଚାର ।”

 

ପଦ୍ମାବତୀଙ୍କର ହାସ୍ୟ ମୁଖର ମୁଖମଣ୍ଡଳ ଏବଂ ଧୈର୍ଯ୍ୟ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହେଉଥିଲେ ଶ୍ରୀ ଜୟଦେବ । ଚାହିଁଥିଲେ ସେ ସତୀ ପଦ୍ମାବତୀଙ୍କୁ ବିଦଗ୍‌ଧ ମାର୍ମିକତାରେ । ଆଣ୍ଠେଇ ପଡ଼ିଲେ ଦୁଇଜଣ ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି । ଗାଇଉଠିଲେ ଗୀତଗୋବିନ୍ଦର ଅମର ପଂକ୍ତି ଗାରଦ ଭିତରେ ଥାଇ । ଏ ସଙ୍ଗୀତର ସ୍ଵର ଝଙ୍କାର ବିସ୍ମୟ ସୃଷ୍ଟି କଲା ମୁଦିରସ୍ତ ଏବଂ ଅନ୍ୟାନ୍ୟ ସେବକଙ୍କ ମନରେ । ଧାଇଁ ଆସି ଚିତ୍କାର କଲେ ମୁଦିରସ୍ତ–ଶ୍ରୀମନ୍ଦିର ବେଢ଼ାରେ ଗୀତଗୋବିନ୍ଦ ଗାନ ନିଷିଦ୍ଧ ହୋଇଛି କବି ଜୟଦେବ ! ଏ ଗାନ ବନ୍ଦ୍ କରନ୍ତୁ-। ନଚେତ୍ ଅଧିକ ପରାଭାବ ଭୋଗ କରିବାକୁ ପଡ଼ିବ ।

 

ମୁଦିରସ୍ତଙ୍କ ଚିତ୍କାରରେ ବନ୍ଦ ହୋଇଗଲା ଶ୍ରୀ ଜୟଦେବ ଏବଂ ପଦ୍ମାବତୀଙ୍କ ସଂଗୀତର ଲହର । ଆଖିରୁ ଲୁହ ନିଗାଡ଼ି ଜଗତର ନାଥ ଜଗନ୍ନାଥଙ୍କୁ ନିଜ ମନର ବେଦନା ଜଣାଇବାକୁ ଚେଷ୍ଟା କରୁଥିଲେ ସେମାନେ ।

 

ଧୀରେ ଧୀରେ ଶ୍ରୀମନ୍ଦିରର ବେଢ଼ା ନିର୍ଜନ ହୋଇଉଠିଲା । ବଡ଼ସିଂହାର ବେଶ ଏବଂ ଚନ୍ଦନ ଲାଗିପରେ ସୁଆରବଡ଼ୁ ଭିତର ବେଢ଼ା ପରିଷ୍କାର କଲେ । ପହୁଡ଼ କାର୍ଯ୍ୟ ଆରମ୍ଭ ହେଲା । ଖଟ ଶେଯ ମେକାପ ଠାକୁରଙ୍କ ଶଯ୍ୟାର ବ୍ୟବସ୍ଥା କଲେ । ଚଳନ୍ତି ବିଗ୍ରହ ଉପବେଶନ କଲେ ଶଯ୍ୟା ଉପରେ । ପ୍ରଦୀପ ଲିଭାଇ ଦିଆଗଲା । ମୁଦୁଲି ବନ୍ଦ୍ କଲେ ଭିତର କବାଟ । ମାଟିରେ ମୁଦ ଦେଲେ ତଳିଛୁ ମହାପାତ୍ର । ତତ୍‌ପରେ ଯେ ଯାହା ଗୃହକୁ ଯାତ୍ରାକଲେ ସେବକମାନେ ।

 

କିନ୍ତୁ ଗାରଦ ମଧ୍ୟରେ ସେମିତି ସମଗ୍ର ଜନନୀ ଉନିଦ୍ର ରହି ମନେ ମନେ ପବିତ୍ର ଗୀତଗୋବିନ୍ଦର ଆବୃତ୍ତି କରୁଥିଲେ ଜୟଦେବ ଏବଂ ପଦ୍ମାବତୀ । ମନେକରୁଥିଲେ ସେମାନେ–ସତେ ଅବା ଗାରଦ ନିକଟରେ ବସି ଶୁଣୁଛନ୍ତି ଶ୍ରୀଜଗନ୍ନାଥ ଗୀତଗୋବିନ୍ଦର ଅମୀୟ ରସଧାରା ।

 

ଏମିତି ସକାଳ ହୋଇଆସିଲା । ସେବାୟତମାନଙ୍କୁ ଡାକଦେଇ ଆସିଲେ ପାଇକ । ଭିତରଚ୍ଛ ମହାପାତ୍ର, ପାଳିଆ ମେକାପ, ପ୍ରତିହାରୀ ଅଖଣ୍ଡ ମେକାପ ଉପସ୍ଥିତ ହେଲେ ସିଂହଦ୍ୱାର ନିକଟରେ । ତାଲା ଖୋଲିଲେ ସେବକ ମୁଦୁଲି । ବାଜିଉଠିଲା ଘଣ୍ଟ, ଘଣ୍ଟା, କାହାଳୀ । ଭିତରଚ୍ଛ ମହାପାତ୍ର ପହଞ୍ଚିଲେ ଜୟ ବିଜୟ ଦ୍ୱାର ନିକଟରେ । ପରୀକ୍ଷା କଲେ ଗତ ରାତିର ମାଟି ମୁଦ । ତା’ପରେ ମୁଦ ଭଙ୍ଗାଗଲା । ଅଖଣ୍ଡ ମେକାପ ଭିତରକୁ ଯାଇ ଲଗାଇଲେ ପ୍ରଦୀପ । କର୍ପୂର ଆଳତି ପାଇଁ ଠାକୁରଙ୍କ ଆଡ଼େ ଆଗେଇଗଲେ ସିଂହାରୀ ।

 

ପ୍ରଦୀପ ଏବଂ ଆଳତିର ଆଲୋକରେ ଝଲସିଉଠିଲେ ଠାକୁରମାନେ,ଚମକିପଡ଼ିଲେ ସିଂହାରୀ । ଏଁ ....., ଏ କ’ଣ ? ପ୍ରଭୁ ଜଗନ୍ନାଥଙ୍କ ହସ୍ତରେ ଯେ ଲୌହ ଶୃଙ୍ଖଳ । ଚ୍ଛିନ୍ନ ବଚ୍ଛିନ୍ନ ଅଙ୍ଗର ପୁଷ୍ପମାଲ୍ୟ । ଆହୁରି ଆଶ୍ଚର୍ଯ୍ୟ ହେଲେ ସେ ନିକଟକୁ ଲାଗିଯାଇ । ଆଳତିର ଆଲୋକରେ ସ୍ପଷ୍ଟ ଦିଶୁଛି ଶ୍ରୀଜଗନ୍ନାଥଙ୍କ ଚକାନୟନ । କିନ୍ତୁ ସେ ନୟନରୁ ସେ ଲୋତକ ଝରି ଭିଜି ଯାଇଛି ଅଙ୍ଗବାସ ।

 

କମ୍ପିତ ପଦରେ ପଛକୁ ଘୁଞ୍ଚିଆସିଲେ ସିଂହାରୀ । ଚିତ୍କାର କଲେ ବଡ଼ ପାଟିରେ–ତିଳଛ ମହାପାତ୍ର, ଅଖଣ୍ଡ ମେକାପ, ମୁଦୁଲ, ଖଟ–ଶେଯ ମେକାପ, ଦର୍ପଣିଆଁ, ସୁଆର, ବଡ଼ୁ ! ଦୌଡ଼ି ଆସ । ଅସମ୍ଭବ ଘଟଣା ଘଟିଛି ରତ୍ନସିଂହାସନ ଉପରେ । ସ୍ଵୟଂ ଜଗନ୍ନାଥ ଶୃଙ୍ଖଳବଦ୍ଧ । ଲୋତକ ଝରୁଛି ତାଙ୍କ ନୟନ ଯୁଗଳରୁ । ନିଶ୍ଚୟ କିଛି ଅଘଟଣ ଘଟିଛି ଶ୍ରୀମନ୍ଦିର ଭିତରେ ଅନ୍ୟାୟ ଅପଚାର କରଛନ୍ତି କୌଣସି ସେବକ । ଗଜପତି ମହାରାଜ ଙ୍କୁ ଖବର ଦିଅ, ସେ ସ୍ଵଚକ୍ଷୁରେ ଦର୍ଶନ କରନ୍ତୁ ଏ ଅଘଟଣ ଦୃଶ୍ୟ ।

 

ସିଂହାରୀଙ୍କ ଚିତ୍କାରରେ ଜମା ହୋଇପଡ଼ିଲେ ସମସ୍ତେ । ଆଶ୍ଚର୍ଯ୍ୟାନ୍ଵିତ ହେଲେ ଏ ଅସମ୍ଭବ ଦୃଶ୍ୟ ଦେଖି । ସଙ୍ଗେ ସଙ୍ଗେ ରାଜନଅରକୁ ଦୌଡ଼ିଲେ ଭିତରଛ ମହାପାତ୍ର ଅଘଟଣର ସମ୍ବାଦ ଦେବାପାଇଁ ।

 

ସେତେବେଳେ ସକାଳର ନିତ୍ୟକର୍ମ ଶେଷକରି ପ୍ରସ୍ତୁତ ହେଉଥିଲେ ଗଜପତି କାମାର୍ଣ୍ଣବଦେବ ରାଜସଭାକୁ ବିଜେ କରିବା ପାଇଁ । ସମ୍ବାଦ ଦେଲେ ଭିତରଚ୍ଛ ମହାପାତ୍ର–“ଅଘଟଣ ଘଟଣା ଘଟିଛି ମଣିମା ! ଦେବ ଦେବ ଶ୍ରୀ ଜଗନ୍ନାଥଙ୍କ ହାତରେ ଲୌହ ଶୃଙ୍ଖଳ । ଅଶ୍ରୁ ନିଗୁଡ଼ୁଛି ତାଙ୍କ ଦୁଇନୟନରୁ ।”

 

ଥରିଉଠିଲେ ବିଷ୍ଣୁ ଭକ୍ତ କାମାର୍ଣ୍ଣବଦେବ । ପ୍ରଥମେ ସେ ବିଶ୍ଵାସ କରିପାରିଲେ ନାହିଁ ଏପରି ଏକ ଅଦ୍ଭୁତ ଘଟଣାର ବର୍ଣ୍ଣନା । ପରମୁହୂର୍ତ୍ତରେ ନିଜକୁ ସଂଯତ କରି ଆଦେଶ ଦେଲେ ସେ–“ସେବାୟତମାନଙ୍କୁ ଜଣାଇଦିଅ ଭିତରଛ ମହାପାତ୍ର–ମୁଁ ନିଜେ ମନ୍ଦିରକୁ ବିଜେ କରିବି । ଦେଖିବି ସେ ଅଦ୍ଭୁତ ଅଘଟଣର ଦୃଶ୍ୟ ।”

 

ମୁହୂର୍ତ୍ତକ ମଧ୍ୟରେ ଫେରିପଡ଼ିଲେ ଭିତରଛ ମହାପାତ୍ର । ପ୍ରଚାରିତ ହୋଇଗଲା ସମ୍ବାଦ–ଗଜପତି କାମାର୍ଣ୍ଣବଦେବ ବିଜେ କରିବେ ମନ୍ଦିରକୁ ଅଘଟଣ ଦୃଶ୍ୟ ସ୍ଵଚକ୍ଷୁରେ ଦର୍ଶନ କରିବା ପାଇଁ ।

 

ବାଜିଉଠିଲା କାହାଳୀ ଭେରୀତୁରୀ । ବାଇଶି ପାବଚ୍ଛ ଦେଇ ମନ୍ଦିର ଭିତରକୁ ପ୍ରବେଶ କଲେ ଗଜପତି କାମାର୍ଣ୍ଣବଦେବ ।

 

ରତ୍ନ ସିଂହାସନ ନିକଟକୁ ଆଗେଇ ଆସି ବିଚଳିତ ହୋଇପଡ଼ିଲେ ସେ । ଏ କି ଅଦ୍ଭୁତ ଦୃଶ୍ୟ ? ବିଚିତ୍ର ଅଘଟଣ ? ଶ୍ରୀ ଜଗନ୍ନାଥଙ୍କ ହସ୍ତରେ ଶୃଙ୍ଖଳ, ନୟନରେ ଲୋତକ !

 

ଠୋ ଠୋ କରି ମୁଣ୍ଡ ପିଟିଲେ କାମାର୍ଣ୍ଣବଦେବ ରତ୍ନସିଂହାସନ ଉପରେ–ମୋତେ କ୍ଷମାକର ମହାପ୍ରଭୁ ! ମୋତେ କ୍ଷମାକର । ମୋର ଅପରାଧ ଥିଲେ ଶାନ୍ତି ପ୍ରଦାନ କର । କିନ୍ତୁ ତୁମ ହସ୍ତରେ ଶୃଙ୍ଖଳ, ନୟନର ଲୋତକ ଦେଖି ମୁଁ ସହ୍ୟକରି ପାରୁ ନାହିଁ ପ୍ରଭୁ । ମୋତେ କ୍ଷମାକର । ତୁମେ ନିର୍ଦ୍ଦେଶ ଦେଲେ ଗଜପତି କାମାର୍ଣ୍ଣବଦେବ ତା’ର ରାଜମୁକୁଟ ତୁମରି ପାଦତଳେ ସମର୍ପଣ କରି ସନ୍ନ୍ୟାସୀ ଜୀବନ ଅତିବାହିତ କରିବା ପାଇଁ ପ୍ରସ୍ତୁତ ।”

 

ତା’ପରେ ରତ୍ନ ସିଂହାସନ ନିକଟରୁ ଉଠିଲେ ଗଜପତି–ଆଦେଶ ଦେଲେ ଚିତ୍କାର କରି-। ‘‘ଶୁଣ ଶ୍ରୀମନ୍ଦିରର ସେବାୟତଗଣ ! ଦିଅଁଙ୍କ ବିଗ୍ରହ ଦେହରେ କିଏ ଏହି ଅଘଟଣ ଘଟାଇଛି ତା’ର ଅନୁସନ୍ଧାନ କର । ଆସନ୍ତା କାଲି ପ୍ରଭାତରେ ମୋତେ ସମ୍ବାଦ ପ୍ରଦାନ କର-। ନଚେତ୍ ସମସ୍ତଙ୍କୁ କାର୍ଯ୍ୟରୁ ଅନ୍ତର କରି ନୂତନ ସେବାୟତ ନିଯୁକ୍ତ ହେବେ ।”

 

ତଟସ୍ଥ ହୋଇ ରାଜାଦେଶ ଶ୍ରବଣ କରୁଥିଲେ ସେବାୟତମାନେ । ପୁଣି କହିଲେ ଗଜପତି–‘‘ଶ୍ରୀ ଠାକୁରଙ୍କୁ ଶୃଙ୍ଖଳ ମୁକ୍ତ କର । ତାଙ୍କ ଚକ୍ଷୁର ଲୋତକ ନୂତନ ପାଟବସ୍ତ୍ରରେ ପୋଛିଦିଅ । ସୁବାସିତ ଚନ୍ଦନ ଜଳରେ ବିଗ୍ରହଙ୍କ ମୁଖ ପ୍ରକ୍ଷାଳନ କରିଦିଅ ଏବଂ ସତର୍କ ରୁହ ଯେପରି ମୁହୂର୍ତ୍ତେ ବିଳମ୍ବ ନ ଘଟେ ଠାକୁରଙ୍କ ସେବା କାର୍ଯ୍ୟରେ ।”

 

ରାଜାଦେଶ ଶ୍ରବଣ କରୁ କରୁ କାର୍ଯ୍ୟରେ ଲାଗିପଡ଼ିଲେ ସେବାୟତମାନେ । ପ୍ରତ୍ୟେକଙ୍କ ମନରେ ଗୋଟିଏ ପ୍ରଶ୍ନ–ଗତ ରାତିରେ ମନ୍ଦିର ଶୋଧକରି, କୋଣ ପ୍ରତିକୋଣ ପରୀକ୍ଷା କରାଯାଇ ଜୟ ବିଜୟ ଦ୍ୱାରରେ ମୁଦ ଦିଆଯାଇଥିଲା । କିନ୍ତୁ ଏପରି ଅଘଟଣ ଘଟାଇଲା କିଏ ? କିଏ ସେହି ଭଣ୍ଡ ଭଗବଦ୍‌ଦ୍ରୋହୀ ବ୍ୟକ୍ତି ?

 

ସେବାୟତମାନଙ୍କର ଏହି ଆତ୍ମଦ୍ୱନ୍ଦ୍ୱ ପ୍ରତି ଦୃଷ୍ଟିପାତ ନିକରି ଚିନ୍ତିତ ମନରେ ପ୍ରତ୍ୟାବର୍ତ୍ତନ କଲେ ଗଜପତି କାମାର୍ଣ୍ଣବଦେବ । ତାଙ୍କ ଚକ୍ଷୁଯୁଗଳରେ ନାଚୁଥିଲେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ । ଚିନ୍ତା କରୁଥିଲେ ସେ–କି ଭୁଲ୍ କରିଛି ରାଜ୍ୟ ଶାସନରେ ? ଶାମ ଦାନ ଭେଦ ଦଣ୍ଡ ନୀତିର ପ୍ରୟୋଗରେ ? ତେବେ କ’ଣ ଚାହାନ୍ତି ନାହିଁ ପ୍ରଭୁ ସେ–ମୁଁ ସିଂହାସନରେ ବସେ ! ରାଜ୍ୟ ଶାସନ କରେ !

 

ପ୍ରତ୍ୟାବର୍ତ୍ତନ କଲେ କାମାର୍ଣ୍ଣବଦେବ ଉଆସ ମଧ୍ୟକୁ । ସମ୍ବାଦ ଦେଲେ ମହାମନ୍ତ୍ରୀଙ୍କୁ–ରାଜସଭାରେ ଜଣାଇଦିଅ ମହାମନ୍ତ୍ରୀ ! ଆଜି ରାଜସଭା ବନ୍ଦ୍ ରହିବ । ବିଚାର କକ୍ଷରେ ବିଚାର ହେବ ନାହିଁ । ମୁଁ ସମ୍ପୂର୍ଣ୍ଣ ଅସୁସ୍ଥ । ପୁଣି ସୁସ୍ଥ ହେଲେ ରାଜକାର୍ଯ୍ୟ ଚାଲିବ ।

 

ଅବିଳମ୍ବେ ରାଜସଭାରେ ଜଣାଇଦେଲେ ମହାମନ୍ତ୍ରୀ ରାଜାଦେଶ ।

 

ଚିନ୍ତାକୁଳ ଚିତ୍ତରେ ପ୍ରମୋଦ ଉଦ୍ୟାନ ମଧ୍ୟରେ ପଦଚାରଣ କରିବାରେ ଲାଗିଲେ ଗଜପତି କାମାର୍ଣ୍ଣବଦେବ । ମନ ଭିତରେ ଅଘଟଣ ପାଇଁ କଳ୍ପନାର ତରଙ୍ଗ–କ’ଣ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷ ? କ’ଣ ପାଇଁ ନିଜକୁ ନିଜେ ସେ କରିଛନ୍ତି ବନ୍ଦୀ ? ନୟନରୁ ନିଗାଡ଼ୁଛନ୍ତି ଲୋତକର ଧାରା ? ତେବେ କ’ଣ ବୈଦେଶିକ ଆକ୍ରମଣରେ ପରାଭୂତ ହେବ ଏ ଭୂମି ? ବନ୍ଦୀ ହେବ ଉତ୍କଳର ଗଜପତି ? ସେହି ଦୁଃଖରେ ମର୍ମାହତ ସ୍ଵୟଂ ମହାପ୍ରଭୁ । ତେବେ କ’ଣ ଏଇ ଆଗାମୀ ଭବିଷ୍ୟତର ବିପଦରୁ ଉତ୍କଳ ଖଣ୍ଡକୁ ରକ୍ଷାକରିପାରିବେ ନାହିଁ ସ୍ଵୟଂ ବିଶ୍ଵକର୍ତ୍ତା ଜଗନ୍ନାଥ-? କ’ଣ ପାଇଁ ସେ ଅସହାୟ ହୋଇଛନ୍ତି ରତ୍ନସିଂହାସନ ଉପରେ ?

 

ପୁଣି ନିଜକୁ ସାନ୍ତ୍ୱନା ଦେଉଥିଲେ ଗଜପତି କାମାର୍ଣ୍ଣବଦେବ । ଯଦି ବିଧିର ବିଧାନ ଅବଶ୍ୟମ୍ଭାବୀ–ତେବେ ଅନୁଶୋଚନାର ଲୋତକ ନିଗାଡ଼ି ନିଜ ଶ୍ରୀଅଙ୍ଗକୁ ପୀଡ଼ା ଦେଉଛ କାହିଁକି ମହାବାହୁ ? ଆସୁ ବିପଦ । ବନ୍ଦୀ ହେଉ ଛାର ଗଜପତି କାମାର୍ଣ୍ଣବଦେବ । କିନ୍ତୁ ନିଜକୁ ନିଜେ ତୁମେ ରକ୍ଷାକର ମହାପ୍ରଭୁ ! ସେତିକିରେ ଗଜପତି ଗଙ୍ଗବଶୀ କାମାର୍ଣ୍ଣବଦେବ ହେବ ସନ୍ତୁଷ୍ଟ ।

 

ତଥାପି ଅସ୍ଥିର ଗଜପତି କାମାର୍ଣ୍ଣବଦେବ । ଇତି ମଧ୍ୟରେ ମଣୋହିର ସମୟ ହୋଇଛି । କିନ୍ତୁ କ୍ଷୁଧା ତୃଷା ବିଚଳିତ କରିନାହିଁ ତାଙ୍କୁ । ଅବିଚଳିତ ଭାବେ ସେ ସେମିତି ପଦାଚାରଣ କରିବାରେ ଲାଗିଛନ୍ତି ପ୍ରମୋଦ ଉଦ୍ୟାନ ମଧ୍ୟରେ । ସାହସ କରିପାରି ନାହାନ୍ତି ସୂପକାରମାନେ ପ୍ରମୋଦ ଉଦ୍ୟାନ ମଧ୍ୟରେ ପ୍ରବେଶ କରି ମଣୋହି ପାଇଁ ଆବେଦନ ଜଣାଇବାକୁ । ମହାରାଣୀ ଭଦ୍ରାଦେବୀଙ୍କ ନିକଟରେ ଗୁହାରି ଜଣାଇଛନ୍ତି ସୂପକାରମାନେ ।–‘‘ମହାରାଣୀ ! ମହାରାଜ ଙ୍କ ମଣୋହିର ସମୟ ଅତିକ୍ରାନ୍ତ ହୋଇଛି । କିନ୍ତୁ ସେ ଚିନ୍ତାକୁଳ ଚିତ୍ତରେ ପ୍ରମୋଦ ଉଦ୍ୟାନ ମଧ୍ୟରେ ଦଣ୍ଡାୟମାନ । ଆମମାନଙ୍କୁ ସେ ସ୍ଥାନକୁ ଯିବାପାଇଁ ଅନୁମତି ନାହିଁ ମହାରାଣୀ ! ଆପଣ ମହାରାଜ ଙ୍କୁ ମଣୋହି ପାଇଁ ନିବେଦନ କରନ୍ତୁ ।”

 

ଆଶ୍ଚର୍ଯ୍ୟାନ୍ୱିତ ହୋଇ ସୂପକାରମାନଙ୍କୁ ଅନାଇ ରହିଲେ ଭଦ୍ରାଦେବୀ ! ପ୍ରଶ୍ନକଲେ ଅଧୀର ହୋଇ– ‘‘ମହାରାଜ ମଣୋହିକୁ ବିଜେ କରିନାହାନ୍ତି ? ଏ କି ଆଚମ୍ବିତ କଥା ! ତୁମ୍ଭେମାନେ ମୋତେ ପୂର୍ବରୁ ଜଣାଇଲ ନାହିଁ କାହିଁକି ?”

 

ନିରୁତ୍ତର ରହିଲେ ସୂପକାରମାନେ । ଆଉ କାଳବିଳମ୍ବ ନକରି ପ୍ରମୋଦ ଉଦ୍ୟାନ ମଧ୍ୟରେ ପ୍ରବେଶ କଲେ ମହାରାଣୀ ଭଦ୍ରାଦେବୀ । ମହାରାଣୀ ଭଦ୍ରାଦେବୀଙ୍କ ଆଗମନ କଥା କିନ୍ତୁ ଜାଣିପାରିଲେ ନାହିଁ ଚିନ୍ତାକୁଳ ମହାରାଜ କାମାର୍ଣ୍ଣବଦେବ । ନିକଟକୁ ଲାଗିଯାଇ ଧୀର ଗଳାରେ ନିବେଦନ କଲେ ମହାରାଣୀ ଭଦ୍ରାଦେବୀ–‘‘ସ୍ଵାମୀ ! ଆଜି କ’ଣ ମଣୋହିକୁ ବିଜେ କରିବେ ନାହିଁ ? ଚିନ୍ତାକୁଳ କାହିଁକି ସ୍ଵାମୀ ? ମଣୋହିର ସମୟ ଯେ ଅତିକ୍ରାନ୍ତ କରିଛି ।”

 

ଚମକିଲା ପରି ପଛକୁ ଚାହିଁଲେ ଗଜପତି କାମାର୍ଣ୍ଣବଦେବ । ଦେଖିଲେ ଆବେଦନ ଭରା କଣ୍ଠରେ ଦଣ୍ଡାୟମାନ ଉତ୍କଳର ମହାରାଣୀ ଭଦ୍ରାଦେବୀ । ହଠାତ୍ କି ଉତ୍ତର ଦେବେ ସେ ମହାରାଣୀଙ୍କୁ ? କଣ୍ଠ ତାଙ୍କର ରୁଦ୍ଧ ହୋଇଆସିଲା । କୋହ ସମ୍ଭାଳି ନପାରି କାନ୍ଦିଉଠିଲେ କାମାର୍ଣ୍ଣବଦେବ ।

 

ବିବ୍ରତା ହୋଇପଡ଼ିଲେ ମହାରାଣୀ ଭଦ୍ରାଦେବୀ । ଏ କି ଅସମ୍ଭବ କଥା । ଉତ୍କଳର ଗଜପତି କାମାର୍ଣ୍ଣବଦେବଙ୍କ ଚକ୍ଷୁରେ ଲୋତକ ! ! କି ଦୁର୍ଘଟଣା ଘଟିଛି ଉତ୍କଳ ଖଣ୍ଡରେ ? ରୁଦ୍ର ଆବେଗରେ କହିଉଠିଲେ ଭଦ୍ରାଦେବୀ–‘‘କ’ଣ ହୋଇଛି ସ୍ଵାମୀ ? ଆପଣଙ୍କ ନୟନରେ ଲୋତକ ଦେଖି ଯେ ମୁଁ ଧୈର୍ଯ୍ୟଧରି ରହି ପାରୁନାହିଁ । ମୋତେ ଆପଣଙ୍କ ଦୁଃଖରେ ସମଦୁଃଖୀ କରନ୍ତୁ ସ୍ଵାମୀ !

 

ଦୀର୍ଘନିଃଶ୍ଵାସ ପକାଇ କହିଲେ ଗଜପତି କାମାର୍ଣ୍ଣବଦେବ–“ମୋ ଚକ୍ଷୁର ଲୋତକ ଦେଖି ତୁମେ ବ୍ୟସ୍ତ ମହାରାଣୀ, ମୁଁ ବ୍ୟସ୍ତ ସ୍ଵୟଂ ଜଗତର ନାଥ ଜଗନ୍ନାଥଙ୍କ ନୟନରେ ଲୋତକ ଦେଖି ।”

 

–“ସ୍ଵାମୀ !!”

 

“ହଁ ପ୍ରିୟେ ଭଦ୍ରା ! ଆଜି ଏକ ଅଘଟଣର ସମ୍ବାଦ ପାଇ ମୁଁ ଯାତ୍ରା କରିଥିଲି ଶ୍ରୀମନ୍ଦିର । ଦେଖିଲି ସ୍ଵଚକ୍ଷୁରେ, ଦେବ ଦେବ ଶ୍ରୀଜଗନ୍ନାଙ୍କ ହସ୍ତ ଶୃଙ୍ଖଳବଦ୍ଧ ଏବଂ ନୟନରୁ ଲୋତକର ଧାର ନିଗିଡ଼ି ଆର୍ଦ୍ର କରିଛି ଅଙ୍ଗବାସ । ସେହି ସମୟରୁ ମୁଁ ବିବ୍ରତ ହୋଇପଡ଼ିଛି ମୁଁ ପ୍ରିୟେ ! କୌଣସି ଭାବୀ ବିପଦର ଆଶଙ୍କା କରି ।”

 

–‘‘ଏଭଳି ଅଘଟଣ କାହିଁକି ଘଟିଲା ସ୍ଵାମୀ ?”

–“ବୋଧହୁଏ ନିକଟ ଭବିଷ୍ୟତରେ କୌଣସି ବୈଦେଶିକ ରାଜା ଦ୍ୱାରା ବନ୍ଦୀ ହେବ ଗଜପତି କାମାର୍ଣ୍ଣବଦେବ ଏବଂ ଚକ୍ଷୁରୁ ନିଗାଡ଼ିବ ଲୋତକ ଜୀବନ ବ୍ୟାପୀ ।”

–“ଅସମ୍ଭବ ପ୍ରଭୁ ! ମହାବାହୁ ଜଗନ୍ନାଥ ନୀଳାଚଳ ଧାମରେ ବିରାଜିତ ଥିବା ସମୟରେ ଏ ଦୁର୍ଘଟଣା ଘଟି ନପାରେ ।”

“ସବୁ କିଛି ସମ୍ଭବ ଭଦ୍ରେ ! ବିଧିର ବିଧାନ କେ କରିବ ଆନ । ନିଜେ ଜଗତର ନାଥ ଜଗନ୍ନାଥ ମଧ୍ୟ ମୁଣ୍ଡପାତି ସହିନେବେ ବିଧିର ବିଧାନକୁ, ନିୟତିର ଗତିକୁ !”

–“ସ୍ଵାମୀ ??”

“ହଁ ପ୍ରିୟେ ! କାଳର କୁଟୀଳ ଗତିକୁ ମୁଣ୍ଡପାତି ବରଣ କରିନେଇଛନ୍ତି ଦେବ ଦେବ ଶ୍ରୀଜଗନ୍ନାଥ ଯୁଗ ଯୁଗ ଧରି । ଶୁଣିଥିବ ପ୍ରିୟେ । ଥରେ ରକ୍ତବାହୁର ଆକ୍ରମଣ ବେଳେ ଶ୍ରୀଠାକୁର ପାତାଳୀ ହୋଇଥିଲେ ସୋନପୁର ଗୋପାଲୀ ଗ୍ରାମର ବଟବୃକ୍ଷ ମୂଳେ ଦୀର୍ଘ ଶହେ ଚାଳିଶ ବର୍ଷ ପାଇଁ । ପୁଣି ତାଙ୍କୁ ସେ ସ୍ଥାନରୁ ଉଦ୍ଧାର କରିଥିଲେ ବିଗ୍ରହ ଇନ୍ଦ୍ରଦ୍ୟୁମ୍ନ କେଶରୀ ରାଜା ଯଯାତି ।”

–“ଜାଣେ ସ୍ଵାମୀ ।”

–‘‘ତେବେ ଉତ୍କଳ ଖଣ୍ଡରେ ଆଶୁ ଦୁର୍ଘଟଣାକୁ ଅସ୍ୱୀକାର କରୁଛ କାହିଁକି ପ୍ରିୟେ ?”

–‘‘ତଥାପି ଏ ଅଘଟଣର ପ୍ରକୃତ ତଥ୍ୟ ଅନୁସନ୍ଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉ ମଣିମା ! ଆପଣ ମଣୋହିକୁ ବିଜେ କରି ଚିତ୍ତ ଶାନ୍ତ କରନ୍ତୁ ।”

–‘‘ଘଟଣାର ଅନୁସନ୍ଧାନ ପାଇଁ ମୁଁ ବ୍ୟବସ୍ଥା କରିଛି ପ୍ରିୟେ ! ଅନୁସନ୍ଧାନର ଫଳାଫଳ ନ ଜାଣିବା ପର୍ଯ୍ୟନ୍ତ ମୁଁ ଅନ୍ନ ଜଳ ଗ୍ରହଣ କରିବି ନାହିଁ ।”

–“ତେବେ ମୁଁ ମଧ୍ୟ ଆପଣଙ୍କ ସହିତ ଉପବାସ ରହିବି ମଣିମା !”

–“ଭଦ୍ରେ !!”

–‘‘ଆପଣଙ୍କ ଦୁଃଖ, ଆପଣଙ୍କ ଅନୁଶୋଚନା କ’ଣ ମୋର ମଧ୍ୟ ଦୁଃଖ ଏବଂ ଅନୁଶୋଚନାର କାରଣ ନୁହେଁ ପ୍ରଭୁ ? ତେଣୁ ମୋତେ ମଧ୍ୟ ଅନ୍ନ ଜଳ ଗ୍ରହଣ ନ କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ।”

–‘‘ବେଶ୍, ଆନନ୍ଦର କଥା ପ୍ରିୟେ ! ତୁମେ ମଧ୍ୟ ମହାପ୍ରଭୁଙ୍କୁ ଦୁଃଖ ଜଣାଅ–ଅଘଟଣର ପ୍ରକୃତ ତଥ୍ୟ ଉଦ୍‌ଘାଟନ ପାଇଁ ।”

–‘‘ଏଇ ମୁହୂର୍ତ୍ତରୁ ମୁଁ ଆପଣଙ୍କ ଆଦେଶ ପାଳନ କଲି ମଣିମା !”

–“ପ୍ରିୟେ ଭଦ୍ରେ ! ବୋଧହୁଏ କେହି ପରିଚାରିକା ପ୍ରମୋଦ ଉଦ୍ୟାନର ଦ୍ୱାରଦେଶରେ ତୁମକୁ ଅପେକ୍ଷା କରୁଛି କୌଣସି ସମ୍ବାଦ ଦେବାପାଇଁ । ତାକୁ ପ୍ରମୋଦ ଉଦ୍ୟାନରେ ପ୍ରବେଶ ପାଇଁ ଅନୁମତି ଦିଅ ଭଦ୍ରେ !

 

ରାଜାଦେଶ ଲାଭକରି ପରିଚାରିକାକୁ ସଙ୍କେତ ଦେଲେ ମହାରାଣୀ ଭଦ୍ରା ଦେବୀ ପ୍ରମୋଦ ଉଦ୍ୟାନରେ ପ୍ରବେଶ ପାଇଁ । ଉଦ୍ୟାନରେ ପ୍ରବେଶ କଲା ପରିଚାରିକା ।

 

ପ୍ରଶ୍ନକଲେ ଭଦ୍ରାଦେବୀ–“କି ସମ୍ବାଦ ଘେନି ଆସିଛ ପରିଚାରିକା ?’’

 

–‘‘ଶ୍ରୀମନ୍ଦିରରୁ ବଡ଼ପଣ୍ଡା ଆସିଥିଲେ ମହାରାଣୀ !”

 

–‘‘ଶ୍ରୀମନ୍ଦିରରୁ ବଡ଼ପଣ୍ଡା ଆସିଥିଲେ ?” କହିଉଠିଲେ ଗଜପତି ।

 

–“ହଁ ମଣିମା ! ସମ୍ବାଦ ଦେଇଗଲେ ସେ । ଆଜି ମଧ୍ୟାହ୍ନ ଭୋଗ ସମୟରେ ମହାପ୍ରଭୁ ଚଳୁରେ ଦର୍ଶନ ଦେଇନାହାନ୍ତି । ମାରା ହୋଇଛି ସମସ୍ତ ଭୋଗ ସାମଗ୍ରୀ । ପୁଣି ଦ୍ୱିତୀୟ ଥର ରୋଷଘରେ ପ୍ରସ୍ତୁତ ହେଉଛି ପ୍ରସାଦ ଠାକୁରମାନଙ୍କ ନୀତି ପାଇଁ ।”

 

ସମ୍ବାଦଟି ଦେଇସାରି ସ୍ଥାନ ତ୍ୟାଗ କଲା ପରିଚାରିକା । ଆହୁରି ହତାଶ ହୋଇପଡ଼ିଲେ ଗଜପତି କାମାର୍ଣ୍ଣବଦେବ । କହିଲେ–“ଶୁଣୁଛ ତ ପ୍ରିୟେ ! ନିଜେ ସ୍ଵୟଂ ଜଗନ୍ନାଥ ମଧ୍ୟ ଆହାର ତ୍ୟାଗ କରି ଉପବାସୀ । ସେଥିରେ ମୁଁ ଅନ୍ନ ଜଳ ଗ୍ରହଣ କରିବି କିପରି ?

 

–“ଏ ଅଦ୍ଭୁତ କାହାଣୀ ଶ୍ରବଣ କରି ମୋର ପ୍ରାଣ ଅସ୍ଥିର ହେଉଛି ପ୍ରଭୁ !’’ କହିଲେ ଭଦ୍ରାଦେବୀ ।

 

–“ବ୍ୟସ୍ତ ହୋଇ ଲାଭ ନାହିଁ ପ୍ରିୟେ ! ଯାଅ, ମୋର ଶୟନ କକ୍ଷରେ ସ୍ଵତନ୍ତ୍ର ବ୍ୟବସ୍ଥା କରିଦିଅ । ମହାପ୍ରଭୁ ଜଗନ୍ନାଥଙ୍କର ଏକ ପଟ୍ଟଚିତ୍ର ସଜକରି ରଖିଦିଅ । ମୁଁ ମହାପ୍ରଭୁଙ୍କ ପ୍ରତୀକ ସେହି ପଟ୍ଟଚିତ୍ର ସମ୍ମୁଖରେ ଧ୍ୟାନ ରତ ହେବି । ପ୍ରକୃତ ସତ୍ୟ ଉଦ୍‌ଘାଟନ ପର୍ଯ୍ୟନ୍ତ ଆମରଣ ଅନଶନ କରିବି ।”

 

‘‘ମୁଁ ମଧ୍ୟ ଆଜି ରାଣୀହଂସପୁର ତ୍ୟାଗ କରି ଆପଣଙ୍କ ଶୟନ କକ୍ଷରେ ଉପସ୍ଥିତ ରହିବାକୁ ଭିକ୍ଷା କରେ ମଣିମା । ମୋତେ ଆପଣ ଅନୁମତି ପ୍ରଦାନ କରନ୍ତୁ ।”

 

–“ଯାଅ ଭଦ୍ରେ ! ଉତ୍କଳର ମହାରାଣୀ ତୁମେ, ପ୍ରସିଦ୍ଧ ଗଙ୍ଗବଂଶର ବିଷ୍ଣୁ ଭକ୍ତ ରାଜରାଣୀ । ତୁମକୁ ଶୟନ କକ୍ଷ ନିଷିଦ୍ଧ ହେବ କାହିଁକି ପ୍ରିୟେ ! ତୁମେ ମଧ୍ୟ ମୋ ସହିତ ସମପ୍ରାଣ ହୋଇ ଡାକିବ ସେହି ଚକାଡ଼ୋଳା ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଘଟଣର ମୂଳ ସତ୍ୟ ଉଦ୍‌ଘାଟନ ପାଇଁ ।”

 

ଆଉ ଅପେକ୍ଷା ନକରି କ୍ଷିପ୍ର ଗତିରେ ଶୟନ କକ୍ଷ ଆଡ଼େ ଆଗେଇଗଲେ ମହାରାଣୀ ଭଦ୍ରାଦେବୀ । ସ୍ୱହସ୍ତରେ ସଜ୍ଜିତ କରିଦେଲେ ଶୟନକକ୍ଷକୁ । ସଜାଇ ରଖିଲେ ଶ୍ରୀଜଗନ୍ନାଥଙ୍କ ପ୍ରତୀକ ପଟ୍ଟଚିତ୍ର କକ୍ଷର ଗୋଟିଏ କୋଣରେ । ପକାଇଦେଲେ ଆସନ ଉପବେଶନ କରି ଆରାଧନା କରିବା ପାଇଁ ।

 

ତତ୍‌ପରେ ମନ୍ଥର ପଦପାତରେ ଶୟନ କକ୍ଷରେ ଉପସ୍ଥିତ ହେଲେ ଗଜପତି କାମାର୍ଣ୍ଣବଦେବ । ଶ୍ରୀଜଗନ୍ନାଥଙ୍କ ପ୍ରତୀକ ପଟ୍ଟଚିତ୍ରକୁ ପ୍ରଣତି ଜଣାଇ ବସିରହିଲେ ଆସନ ଉପରେ ଧ୍ୟାନରତ ସନ୍ନ୍ୟାସୀ ଭଳି । ନିକଟରେ ବସିରହିଲେ ମହାରାଣୀ ଭଦ୍ରାଦେବୀ ।

ଚକ୍ଷୁ, ମୁଦ୍ରିତ ଥିଲା ମହାରାଜ କାମାର୍ଣ୍ଣବଦେବଙ୍କର । ସ୍ମୃତିପଟଳରେ ଶ୍ରୀଜଗନ୍ନାଥ ବିଗ୍ରହଙ୍କୁ ସ୍ଥାପନ କରି ଆର୍ତ୍ତକଣ୍ଠରେ ନିବେଦନ କରୁଥିଲେ ସେ–“ହେ ମହାପ୍ରଭୁ ! ତୁମେ ପ୍ରସନ୍ନ ହୁଅ, ପ୍ରକୃତ ସତ୍ୟର ବିବରଣ ମୋ ମାନସପଟରେ ସୂଚାଇ ଦିଅ । ମୁଁ କୃତାର୍ଥ ହେବି ମହାପ୍ରଭୁ !”

ଏପରି ଧ୍ୟାନ ଏବଂ ଆର୍ତ୍ତ ନିବେଦନରେ ସମଗ୍ର ଦିନ ବିତିଗଲା । ରାତ୍ରି ଉପଗତ ହେଲା-। ମହାରାଣୀ ଭଦ୍ରାଦେବୀ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ସମ୍ମୁଖରେ ସ୍ଥାପନ କରିଦେଲେ ଏକ ପ୍ରଦୀପ-। ସେମିତି ଏକ ଲୟ ଏକଚିତ୍ତରେ ବସିରହିଥିଲେ ଗଜପତି କାମାର୍ଣ୍ଣବଦେବ ।

ଧୀରେ ଧୀରେ ରାତ୍ରି ଗଭୀର ହେଲା । ନିର୍ଜନ ହୋଇଉଠିଲା ଜନପଦ । ନିସ୍ତବ୍‌ଧ ହୋଇଗଲା କୋଳାହଳମୟ ରାଜଉଆସ । ଅବଚେତନ କାମାର୍ଣ୍ଣବଦେବ ଅନୁଭବ କଲେ–ସତେଅବା ଉଦ୍‌ଭାସିତ ହୋଇଉଠୁଛି ଶୟନ କକ୍ଷ ଶତ ଶତ ଆଲୋକ ଦୀପାଳୀରେ । ସେହି ଆଲୋକ ମଧ୍ୟରେ ପ୍ରକାଶିତ ହେଉଛି ଏକ ଜ୍ୟୋତିମଣ୍ଡଳ ଏବଂ ଜ୍ୟୋତିର କେନ୍ଦ୍ରାଞ୍ଚଳରେ ବିରାଜମାନ କରିଛନ୍ତି ସ୍ଵୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ।

ନିର୍ବିକଳ୍ପ ସ୍ଵରୂପ ପରି ଆବେଦନ କରୁଛନ୍ତି ସେ–ଉଠ ଭକ୍ତ କାମାର୍ଣ୍ଣବଦେବ । ତୁମର ବ୍ୟସ୍ତତା ମୁଁ ସହ୍ୟକରି ପାରୁନାହିଁ । ମୁଁ ଯେ ଭକ୍ତର ଭଗବାନ । ତୁମେ କ’ଣ ମୋର ଶୃଙ୍ଖଳବନ୍ଧ ହେବାର କାରଣ ଏବଂ ଅଶ୍ରୁ ବିସର୍ଜନର ପ୍ରକୃତ ସତ୍ୟ ଅନୁଭବ କରିପାରିଲ ନାହିଁ ? ମୁଁ ମୋର ଭକ୍ତପାଇଁ ବ୍ୟଥିତ । ସେବାୟତମାନଙ୍କର କୌଣସି ଦୋଷ ନାହିଁ କାମାର୍ଣ୍ଣବଦେବ ।

ଗତକାଲିର ଆଦେଶ କଥା ମନରେ ପକାଅ ଗଜପତି ! ତୁମେ ମୁଦିରସ୍ତଙ୍କୁ ଆଦେଶ ପ୍ରଦାନ କରିଥିଲ ମୋର ଭକ୍ତ ଜୟଦେବଏବଂ ପଦ୍ମାବତୀଙ୍କୁ ମନ୍ଦିର ଗାରଦରେ ବନ୍ଦୀ କରି ରଖିବାପାଇଁ ବିଚାର ଗୃହରେ ବିଚାର ପର୍ଯ୍ୟନ୍ତ । ସେମାନେ ମନ୍ଦିର ଗାରଦରେ ବନ୍ଦୀ । ଗତକାଲିଠାରୁ ଆହାର ସେବନ କରିନାହାନ୍ତି । ମୋର ନାମ ସଂକୀର୍ତ୍ତନ କରି ଚକ୍ଷରୁ ଅଶ୍ରୁମୋଚନ କରୁଛନ୍ତି । ମୁଁ କିପରି ନିଶ୍ଚିନ୍ତରେ ରତ୍ନସିଂହାସନ ଉପରେ ବସି ବଡ଼ସିଂହାର ବେଶରେ ସଜ୍ଜିତ ହୋଇ ସ୍ଥିର ରହିପାରିବି କାମାର୍ଣ୍ଣବଦେବ ? ସେମାନଙ୍କ ଦୁଃଖରେ ମୁଁ ସମଦୁଃଖୀ । ନିଜେ ଶୃଙ୍ଖଳବନ୍ଧ ହୋଇ ନୟନରୁ ଅଶ୍ରୁ ବିସର୍ଜନ କରି ସମବେଦନା ଜଣାଉଥିଲି ସେମାନଙ୍କୁ ।

କିନ୍ତୁ ତୁମେ ଅନ୍ନ, ଜଳ ବର୍ଜନ କରି ମୋର ଦୁଃଖକୁ ଆହୁରି ବୃଦ୍ଧି କଲ । ସେବାୟତମାନଙ୍କୁ ଶାସ୍ତି ସ୍ଵରୁପ କାର୍ଯ୍ୟରୁ ଅନ୍ତର କରିବା ପାଇଁ ଆଦେଶ ପ୍ରଦାନ କଲ । ଆଉ ମୁଁ ନିଜକୁ କିପରି ସମ୍ଭାଳି ପାରିଥାନ୍ତି ଗଜପତି ? ବାଧ୍ୟହୋଇ ସିଂହାସନ ତ୍ୟାଗକରି ଧାଇଁ ଆସିଲି ତୁମ ନିକଟକୁ ।

ଏଥର ପ୍ରକୃତ ତଥ୍ୟ ହୃଦୟଙ୍ଗମ କଲ ତ’ କାମାର୍ଣ୍ଣବଦେବ ? ମୋର ପବିତ୍ର ଗାଥା ଗାନକାରୀ ଜୟଦେବ ଏବଂ ତାଙ୍କ ପତ୍ନୀ ପଦ୍ମାବତୀଙ୍କୁ ଶୀଘ୍ର ମୁକ୍ତି ପ୍ରଦାନ କର । ନଚେତ ତାଙ୍କ ସହିତ ମୁଁ ଅନ୍ନ ଜଳ ତ୍ୟାଗ କରି ବସିରହିବି ମନ୍ଦିର ଗାରଦ ନିକଟରେ ସାନ୍ତ୍ୱନା ପ୍ରଦାନ ପାଇଁ ।

ଉଠ କାମାର୍ଣ୍ଣବଦେବ । ଅନ୍ନଜଳ ଗ୍ରହଣ କର । ମହାରାଣୀ ଭଦ୍ରାଦେବୀଙ୍କୁ ଭୋଜନ କରାଅ । ମୁଁ ଆସୁଛି ।

–“ମହାପ୍ରଭୁ ! ମହାପ୍ରଭୁ ! ମୁଁ ଦୋଷ କରିଛି ମହାପ୍ରଭୁ ଆପଣଙ୍କ ପରମ ଭକ୍ତ ଶ୍ରୀଜୟଦେବଙ୍କୁ ବନ୍ଦୀ କରି । ପବିତ୍ର ଗୋବିନ୍ଦଗାଥାର ଗାନ ଶ୍ରୀମନ୍ଦିରରୁ ନିଷିଦ୍ଧ କରି । ମୋତେ କ୍ଷମା ଦିଅନ୍ତୁ ପ୍ରଭୁ । ଅପେକ୍ଷା କରନ୍ତୁ, ଏଇ ମୁହୂର୍ତ୍ତରେ ମୁଁ ମୁକ୍ତିଦେବି ଶ୍ରୀଜୟଦେବ ଏବଂ ସତୀ ପଦ୍ମାବତୀଙ୍କୁ ।” ଉତ୍ତେଜନାରେ ଦଣ୍ଡାୟମାନ ହୋଇପଡ଼ିଲେ ଗଜପତି କାମାର୍ଣ୍ଣବଦେବ ।

 

–“କ’ଣ ହେଲା କ’ଣ ହେଲା ସ୍ଵାମୀ ! ଆପଣ ବିଳାପ କରୁଛନ୍ତି କାହାକୁ ଦର୍ଶନ କରି-?’’ କହିଲେ ମହାରାଣୀ ଭଦ୍ରାଦେବୀ ।

 

–‘‘ସେ ଆସିଥିଲେ ଭଦ୍ରେ ! ମୋତେ ସୂଚାଇ ଦେଇଗଲେ ଅଘଟଣର ପ୍ରକୃତ ତଥ୍ୟ ।”

 

–“ମହାପ୍ରଭୁ ଶ୍ରୀଜଗନ୍ନାଥ ଏ ଶୟନ କକ୍ଷକୁ ଆଗମନ କରିଥିଲେ ? ସୁଚାଇ ଦେଇଗଲେ ପ୍ରକୃତ ତଥ୍ୟ ? କିନ୍ତୁ ମୋର ଚର୍ମ ଚକ୍ଷୁରେ ମୁଁ ତାଙ୍କୁ ଦର୍ଶନ କରିପାରିଲି ନାହିଁ ସ୍ଵାମୀ । ଜାଣିପାରିଲି ନାହିଁ ଅସଲ ତଥ୍ୟର କାହାଣୀ ।”

 

–‘‘ବିଷ୍ଣୁ ଭକ୍ତ ଶ୍ରୀ ଜୟଦେବ ଏବଂ ପଦ୍ମାବତୀଙ୍କୁ ମୁଁ ବନ୍ଦୀ କରିଛି ଶ୍ରୀମନ୍ଦିରର ଗାରଦ ମଧ୍ୟରେ । ସେଥିପାଇଁ ମହାପ୍ରଭୁଙ୍କ ପ୍ରାଣରେ ସମବେଦନା ।”

 

“ସ୍ୱାମୀ !!”

 

–“ହଁ ଭଦ୍ରେ ! ସେ ଚିରଦିନ ଭକ୍ତର ଭଗବାନ । ଅନାଥର ନାଥ । ଅସହାୟର ସହାୟ । ଭକ୍ତର ବନ୍ଦୀ ଜୀବନ ଦେଖି ସେ ନିଜେ ନିଜକୁ କରିଛନ୍ତି ଶୃଙ୍ଖଳବଦ୍ଧ ଏବଂ ଅଶ୍ରୁ ବିସର୍ଜନ କରୁଛନ୍ତି ନୟନ ଯୁଗଳରୁ ।”

 

ଲୋଟିପଡ଼ିଲେ ଭଦ୍ରାଦେବୀ ପଟ୍ଟଚିତ୍ର ସମ୍ମୁଖରେ ନିଜ ହୃଦୟର ନିଗୂଢ଼ ଭକ୍ତିମତ୍ତାରେ । କମ୍ପି ଉଠିଲେ କାମାର୍ଣ୍ଣବଦେବ–“ପାତ୍ର ମନ୍ତ୍ରୀପାରିଷଦ କଟୁଆଳମାନଙ୍କୁ ସମ୍ବାଦ ଦିଅ ମହାରାଣୀ । ମୁଁ ଶ୍ରୀମନ୍ଦିରକୁ ଯାତ୍ରା କରିବି । ସ୍ୱହସ୍ତରେ ମୁକ୍ତି ଦେବି ଭକ୍ତ ଜୟଦେବ ଏବଂ ସତୀ ପଦ୍ମାବତୀଙ୍କୁ ।”

 

ଶୟନ କକ୍ଷର ଚଟାଣ ଉପରେ ଦଣ୍ଡାୟମାନ ହୋଇ ଉତ୍ତର ଦେଲେ ଭଦ୍ରାଦେବୀ–‘‘ଏ ତ ଅସମ୍ଭବ ମଣିମା ।”

 

–‘‘କାହିଁକି ? କାହିଁକି ପ୍ରିୟେ ଭଦ୍ରେ ! ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶ, ସେମାନଙ୍କୁ ସଙ୍ଗେ ସଙ୍ଗେ ମୁକ୍ତି ଦେବାକୁ ହେବ । ଶ୍ରୀ ଗୀତଗୋବିନ୍ଦ ପରିବେଷଣ ପାଇଁ ଅନୁମତି ପ୍ରଦାନ କରିବାକୁ ହେବ ।”

 

–“କିନ୍ତୁ ରାତ୍ରି ଯେ ଅନେକ ହୋଇଛି ମଣିମା ! ଶ୍ରୀମନ୍ଦିରର ସିଂହଦ୍ୱାର ବନ୍ଦ ହୋଇସାରିଛି ।”

 

–“ପୁଣି ସିଂହଦ୍ୱାର ଉନ୍ମୁକ୍ତ କରିବା ପାଇଁ ମୋର ଆଦେଶ ଜଣାଇଦିଅ ଭଦ୍ରେ ! ମୁଁ ଯାତ୍ରା କରିବି ଶ୍ରୀମନ୍ଦିର । “

 

–‘‘କିନ୍ତୁ ଥରେ ସିଂହଦ୍ୱାର ବନ୍ଦ ହେବା ପରେ ଆଉ ଉନ୍ମୁକ୍ତ ହେବାର ବିଧାନ ଯେ ନାହିଁ ସ୍ଵାମୀ ।”

 

–‘‘ଶ୍ରୀମନ୍ଦିରର ସକଳ ବିଧିବିଧାନ କେବଳ ତାଙ୍କରି ଶୃଙ୍ଖଳିତ ସେବା ପୂଜା ଉଦ୍ଦେଶ୍ୟରେ । ସେ ଯେତେବେଳେ ଭକ୍ତ ଜୟଦେବଙ୍କ ପାଇଁ ମର୍ମାହତ, ସେତେବେଳେ ସମସ୍ତ କଥା ଅବଗତ ହୋଇ ମୁଁ ରାତ୍ରିରେ କିପରି ନିଶ୍ଚିନ୍ତ ରହିପାରିବି ଭଦ୍ରେ ? ତୁମେ କଟୁଆଳକୁ ନିର୍ଦ୍ଦେଶ ଦିଅ । ସେ ଘୋଷଣା କରୁ ସେ ଏଇ ଗଭୀର ରାତ୍ରିରେ ଗଜପତି କାମାର୍ଣ୍ଣବଦେବ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ।”

 

ଆଦେଶ ପାଇ ପରିଚାରିକାଙ୍କୁ ସମ୍ବାଦ ଦେବା ପାଇଁ ଆଗେଇଗଲେ ମହାରାଣୀ ଭଦ୍ରାଦେବୀ । ଅସ୍ଥିର ଚିତ୍ତରେ ପଦଚାରଣ କରୁଥିଲେ ଗଜପତି ଶୟନ କକ୍ଷ ମଧ୍ୟରେ ।

 

ମୁହୂର୍ତ୍ତକ ମଧ୍ୟରେ ସମ୍ବାଦ ପ୍ରଚାରିତ ହୋଇଗଲା ସମଗ୍ର ରାଜଉଆସରେ । ବାଜିଉଠିଲା ଭେରୀ ତୁରୀ କାହାଳୀ । ଡାକ ଦେଲେ ଡାକୁଆ–ଗଜପତି ଶ୍ରୀ ଶ୍ରୀ କାମାର୍ଣ୍ଣବଦେବ ବିଜେ କରିବେ ଶ୍ରୀମନ୍ଦିରକୁ । ସଜାଗ ହୁଅ...ସଜାଗ ହୁଅ ।

 

ଚାହୁଁ ଚାହୁଁ ଜନଗହଳିରେ କୋଳାହଳମୟ ହୋଇଉଠିଲା ବଡ଼ଦାଣ୍ଡ ଗଭୀର ରାତ୍ରିରେ ଗଜପତି ମହାରାଜ ଶ୍ରୀମନ୍ଦିରକୁ ବିଜେ କରିବାର ଅଦ୍ଭୁତ ସମ୍ବାଦ ଶ୍ରବଣ କରି । ଶୟନ କକ୍ଷରୁ ଧୀରେ ଆଗକୁ ପାଦ ବଢ଼ାଇଲେ କାମାର୍ଣ୍ଣବଦେବ ।

 

ଶ୍ରୀମନ୍ଦିରର ସିଂହଦ୍ୱାର ଖୋଲିଦେଲେ ମୁଦୁଲି । ପାଛୋଟିନେଲେ ତିଳଚ୍ଛ ମହାପାତ୍ର, ଭିତରଚ୍ଛ ମହାପାତ୍ର, ମୁଦିରସ୍ତ ଏବଂ ଅନ୍ୟାନ୍ୟ ସେବକମାନେ ମହାରାଜ କାମାର୍ଣ୍ଣବଦେବଙ୍କୁ । ପ୍ରତ୍ୟେକଙ୍କ ମନରେ ଗୋଟିଏ ପ୍ରଶ୍ନ–କ’ଣ ପାଇଁ ମହାରାଜ କାମାର୍ଣ୍ଣବଦେବଙ୍କର ଅନ୍ଧାରୀବିଜେ ? ଏପର୍ଯ୍ୟନ୍ତ ଅଘଟଣର ପ୍ରକୃତ ସତ୍ୟ ଗଜପତିଙ୍କୁ ଜଣାଇ ଦିଆଯାଇ ପାରିନାହିଁ । ତେବେ କ’ଣ ସ୍ଵୟଂ ମହାରାଜ କାର୍ଯ୍ୟରୁ ଅନ୍ତର କରିବେ ସମସ୍ତ ସେବାୟତମାନଙ୍କୁ ? ଆଦେଶ ଦେବେ ନୂତନ ସେବାୟତ ନିଯୁକ୍ତି ପାଇଁ ? କିନ୍ତୁ କାହାରି ସାହସ ନାହିଁ ମହାରାଜ ଙ୍କୁ ଏ ପ୍ରଶ୍ନ, ପଚାରିବା ପାଇଁ । ପୁଣି ଆହୁରି ବିଚିତ୍ର କଥା ଏ ଅନ୍ଧାରୀ ବିଜେ ସମୟରେ ରାଜାଙ୍କ ସହିତ ପାଦରେ ଚାଲି ଚାଲି ଶ୍ରୀମନ୍ଦିରକୁ ଆଗମନ କରୁଛନ୍ତି ମହାରାଣୀ ଭଦ୍ରଦେବୀ । କି ଉଦ୍ଦେଶ୍ୟ ଥାଇପାରେ ଏ ଅଦ୍ଭୁତ ବିଚିତ୍ର ଅସମୟ ଆଗମନ ପଛରେ ?

 

ବାକ୍‌ଶୂନ୍ୟ ନୀରବ ସମସ୍ତେ । କେବଳ ଆଗେଇ ଚାଲିଛନ୍ତି ମହାରାଜ ଙ୍କ ପଛେ ପଛେ ଶ୍ରୀମନ୍ଦିରର ବେଢ଼ା ଭିତରକୁ ।

 

ମନ୍ଦିର ଗାରଦ ନିକଟରେ ଅଟକିଲେ ଗଜପତି କାମାର୍ଣ୍ଣବଦେବ । ଆଦେଶ ଦେଲେ ଗମ୍ଭୀର କଣ୍ଠରେ–‘‘ଗାରଦର ଦ୍ଵାର ଉନ୍ମୁକ୍ତ କର ମୁଦିରସ୍ତ ! ମୁକ୍ତ କର ଜୟଦେବ ଏବଂ ସତୀ ପଦ୍ମାବତୀଙ୍କୁ ।”

 

ଆଶ୍ଚର୍ଯ୍ୟାନ୍ୱିତ ହୋଇ ଗାରଦର ଦ୍ୱାର ଉନ୍ମୁକ୍ତ କରିଦେଲେ ମୁଦିରସ୍ତ । ନୟନରୁ ଅଶ୍ରୁ ମୋଚନ କରି ଗାରଦ ସମ୍ମୁଖରେ ଯୋଡ଼ି ହସ୍ତରେ ନତଜାନୁ ହୋଇ କହିଉଠିଲେ ଗଜପତି–“ନିରତ ଭଗବଦ୍‍ ସେବକ ଭକ୍ତ ଜୟଦେବ ! ସତୀ ପଦ୍ମାବତୀ ! ଗଜପତି କାମାର୍ଣ୍ଣବଦେବଙ୍କୁ ତାଙ୍କ ଦୋଷ ପାଇଁ କ୍ଷମା ପ୍ରଦାନ କର । ଗାରଦ ମଧ୍ୟରୁ ବହିର୍ଗତ ହୁଅ ଭକ୍ତ ଜୟଦେବ ! ଥରେ ଗାନ କର ସେହି ରାଧାକୃଷ୍ଣ ପ୍ରେମର ଅମୃତ ଗାଥା ଶ୍ରୀ ଗୀତଗୋବିନ୍ଦ ।”

 

ଧ୍ୟାନ ଭଗ୍ନ ହେଲା ସେବକ ଜୟଦେବ ଏବଂ ପଦ୍ମାବତୀଙ୍କର । ସ୍ଵୟଂ ଗଜପତି କାମାର୍ଣ୍ଣବଦେବ ଗାରଦ ସମ୍ମୁଖରେ ନତଜାନୁ ହୋଇ ଯୋଡ଼ ହସ୍ତରେ ଦଣ୍ଡାୟମାନ ହୋଇଥିବାର ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ ସେମାନେ । ଏକ ଅଦ୍ଭୁତ ଉତ୍ତେଜନାରେ ଗାରଦରୁ ବାହାରି ଗଜପତି କାମାର୍ଣ୍ଣବଦେବଙ୍କ ସମ୍ମୁଖରେ ଉପସ୍ଥିତ ହୋଇଗଲେ ଜୟଦେବ । ଶ୍ରୀ ଜୟଦେବଙ୍କୁ କୋଳାଗ୍ରତ କରି ଗଦ୍ ଗଦ୍ କଣ୍ଠରେ କହିଉଠିଲେ ଗଜପତି–‘‘ଆପଣଙ୍କୁ ଦର୍ଶନ କରି ମୁଁ ଧନ୍ୟ ହୋଇଛି ସେବକ ଜୟଦେବ ! ଆପଣ ମୁକ୍ତ । ଶ୍ରୀମନ୍ଦିରର ନାଟମନ୍ଦିର ଆପଣଙ୍କ ପାଇଁ ଉନ୍ମୁକ୍ତ । ଆପଣ ନିତିଦିନ ପରିବେଷଣ କରନ୍ତୁ ପବିତ୍ର ଗୋବିନ୍ଦ ଗାଥା ଭକ୍ତଜନଙ୍କ ହୃଦୟ ରଞ୍ଜନ ପାଇଁ ।”

 

ଅର୍ଦ୍ଧରାତ୍ରରେ ହଠାତ୍ ଗଜପତିଙ୍କର ଶ୍ରୀମନ୍ଦିରକୁ ଆଗମନର କାରଣ ବୁଝିପାରୁ ନଥିଲେ ଜୟଦେବ । ବିମୁଗ୍‌ଧ ଭାବାବେଗରେ ସେ କେବଳ ନିଜକୁ ସମର୍ପଣ କରୁଥିଲେ ଜଗତର ନାଥ ଜଗନ୍ନାଥଙ୍କ ପାଦ ତଳେ । ଦୀର୍ଘ ସମୟ ଧରି ସେ ଅନ୍ନ ଜଳ ଗ୍ରହଣ କରିନଥିଲେ ମଧ୍ୟ ଦୁର୍ବଳ ଅନୁଭବ କରୁନଥିଲେ ତିଳେ ମାତ୍ର ।

 

ଏତିକିବେଳେ ଆଉଥରେ ଅନୁରୋଧ ଜଣାଇଲେ ଗଜପତି କାମାର୍ଣ୍ଣବଦେବ–‘‘ଭକ୍ତ ଜୟଦେବ ! ଗାନ କରନ୍ତୁ ଥରେ ସେହି ପବିତ୍ର ଗୋବିନ୍ଦଗାଥା । ଶୀତଳ ହେଉ ଏ ଉତପ୍ତ ଗଜପତିର ପ୍ରାଣ ।”

 

ଆଉ ଗଜପତି କାମାର୍ଣ୍ଣବଦେବଙ୍କ ଅନୁରୋଧ ଏଡ଼ାଇ ନପାରି ଗାନ କରିଉଠିଲେ ସତୀ ପଦ୍ମାବତୀ–‘‘ଲଳିତ ଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ।”

 

ନୟନ ମୁଦ୍ରିତ କରି ଶ୍ରବଣ କରୁଥିଲେ ସେହି ସଙ୍ଗୀତର ଅପୂର୍ବ ସ୍ଵର ଝଙ୍କାର ଗଜପତି କାମାର୍ଣ୍ଣବଦେବ । ଗୀତ ଶେଷରେ ଅନୁରୋଧ ଜଣାଇଲେ ସେ–“ଭକ୍ତ ଜୟଦେବ ! ଆଜିଠାରୁ ଆପଣ ଅବସ୍ଥାନ କରନ୍ତୁ ଗଜପତିର ରାଜଉଆସ ମଧ୍ୟରେ ସତୀ ପଦ୍ମାବତୀଙ୍କ ସହିତ ।”

 

ସହାସ୍ୟ ବଦନରେ ଆପତ୍ତି କଲେ ଶ୍ରୀ ଜୟଦେବ–‘‘କ୍ଷମା କରିବେ ମଣିମା ! ମୁଁ କୁଟୀରବାସୀ ସନ୍ନ୍ୟାସୀ ସେବକ ଜୟଦେବ । ରାଜଉଆସରେ ଅବସ୍ଥାନ କଲେ ମୋର କଣ୍ଠରୁଦ୍ଧ ହୋଇଯିବ । ଦାରିଦ୍ର୍ୟ ଦୂର ହୋଇ ଆଭିଜାତ୍ୟର ମନୋଭାବ ମୋ ଅନ୍ତରକୁ ଆଚ୍ଛନ୍ନ କରିଯିବ । ମୋତେ ସ୍ଵାଧୀନ ଭାବେ ସେହି ବାଙ୍କୀମୁହାଣୀ ନଦୀର କୁଟୀର ମଧ୍ୟରେ ଅବସ୍ଥାନ କରିବାକୁ ସୁଯୋଗ ପ୍ରଦାନ କରନ୍ତୁ ମଣିମା ! ଭିକ୍ଷା ବୃତ୍ତିରେ ମୋର ଜୀବନ ଅତିବାହିତ ହେଉ । ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାନ କରିବାର ସ୍ଵାଧୀନତା ମିଳୁ ।”

 

ଆଶ୍ଚର୍ଯ୍ୟାନ୍ୱିତ ହୋଇ ସ୍ଥିର ହୋଇଗଲେ ଗଜପତି କାମାର୍ଣ୍ଣବଦେବ । କହିଲେ ଧୀର ଗଳାରେ–“ମୁଁ ଆପଣଙ୍କ ସ୍ଵାଧୀନତା, ଏବଂ ଭକ୍ତିମତ୍ତାରେ ପ୍ରତିବନ୍ଧକ ହେବାକୁ ଚାହେଁ ନାହିଁ ସନ୍ନ୍ୟାସୀ ଜୟଦେବ । ଆପଣଙ୍କ ଇଚ୍ଛା ହିଁ କାର୍ଯ୍ୟକାରୀ ହେଉ ।”

 

ତା’ପରେ ଧୀରେ ମନ୍ଦିରରୁ ନିସ୍କ୍ରାନ୍ତ ହେଲେ ଗଜପତି କାମାର୍ଣ୍ଣବଦେବ । ପୁଣି ବନ୍ଦ ହୋଇଗଲା ଶ୍ରୀମନ୍ଦିରର ସିଂହଦ୍ଵାର । ବାଙ୍କୀମୁହାଣୀ ନଦୀ ତୀରର କୁଟୀରଆଡ଼େ ଆଗେଇଲେ ଶ୍ରୀ ଜୟଦେବ ଏବଂ ପଦ୍ମାବତୀ ।

 

ପରଦିନ ପ୍ରଭାତରୁ ଚତୁର୍ଦ୍ଦିଗରେ ପ୍ରଚାରିତ ହୋଇଗଲା ଭକ୍ତ ଜୟଦେବଙ୍କ ଖ୍ୟାତି । କିଏ କେତେ ରଙ୍ଗରେ ଚିତ୍ରଣ କଲେ ପୂର୍ବରାତ୍ରିର କାହାଣୀ । କିଏ କହିଲେ–ସ୍ଵପ୍ନାଦେଶ ଦେଲେ ଶ୍ରୀଜଗନ୍ନାଥ ଗଜପତିଙ୍କୁ ଜୟଦେବଙ୍କ ମୁକ୍ତି ପାଇଁ । କେହି କହିଲେ–ସନ୍ନ୍ୟାସୀ ଜୟଦେବ କୁହୁକ ଜାଣେ । ମନ୍ତ୍ର ତନ୍ତ୍ରରେ ସେ ବଶକରି ରଖିଛି ଠାକୁରମାନଙ୍କୁ । କେହି କହିଲେ ଜୟଦେବ ମଣିଷ ନୁହନ୍ତି ସ୍ଵୟଂ ଗୋପବିହାରୀ ଶ୍ରୀକୃଷ୍ଣ ।

 

ଏମିତି ବହୁବିଧ ପ୍ରଚାରରେ ଉଛୁଳି ଉଠିଲା ଶ୍ରୀକ୍ଷେତ୍ରର ବାୟୁମଣ୍ଡଳ । ଧାଡ଼ି ଛୁଟିଲେ ଶ୍ରୀକ୍ଷେତ୍ରର ଅଧିବାସୀ ଜୟଦେବ ଏବଂ ପଦ୍ମାବତୀଙ୍କୁ ଦର୍ଶନ କରିବା ପାଇଁ ।

 

ନିନ୍ଦା କିମ୍ବା ପ୍ରଶଂସାରେ ବ୍ୟସ୍ତ ନ ହୋଇ ଶ୍ରୀ ଜୟଦେବ ଏବଂ ପଦ୍ମାବତୀ ଆରମ୍ଭ କଲେ ତାଙ୍କ ନିତିଦିନର ଜୀବନ । ପ୍ରଭାତରୁ ବାଙ୍କୀମୁହାଣୀ ନଦୀରେ ସ୍ନାନ କରି ଲାଗିଗଲେ କୁଟୀରର ରାଧାମାଧବଙ୍କ ସେବାରେ । ଦୁଇଦିନ ଧରି ଅପୂଜିତ ଥିଲେ ଦିଅଁ । ମିନତି ଜଣାଇଲେ ଜୟଦେବ–“ମୋତେ କ୍ଷମାକର ପ୍ରଭୁ ! ତୁମର ସେବାରେ ଅବହେଳା ପାଇଁ ମୋତେ ଶାସ୍ତି ପ୍ରଦାନ କର ।”

 

ଏଣେ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ବିଭିନ୍ନ କୁସୁମ ଚୟନ କରି ଉପସ୍ଥିତା ହେଲେ ପଦ୍ମାବତୀ । ମଣ୍ଡିଦେଲେ ରାଧାମାଧବଙ୍କୁ । ସୁବାସିତ ଚନ୍ଦନରେ ବେଶ କରିଦେଲେ ଆନନ୍ଦିତ ଚିତ୍ତରେ । ତତ୍ପରେ ଶ୍ରୀ ଜୟଦେବ ଭିକ୍ଷାପାତ୍ର ଧରି ବାହାରିଗଲେ ଭିକ୍ଷା ପାଇଁ । ନଦୀ ତୀରରୁ ଶାକ ସଂଗ୍ରହପାଇଁ ଆଗେଇଗଲେ ପଦ୍ମାବତୀ ।

 

ଆଜି କିନ୍ତୁ ଚତୁର୍ଦ୍ଦିଗରେ ଏକ ନୂତନ ବାତାବରଣ । ଜୟଦେବ ଏବଂ ପଦ୍ମାବତୀ ଦର୍ଶନୀୟ ବ୍ୟକ୍ତି । ସେମାନେ ଯେଉଁଆଡ଼େ ଯାଉଛନ୍ତି ସେଆଡ଼େ ଲୋକଭିଡ଼ ।

 

ଭଜନ ଗାନ କରି ଶ୍ରୀ ଜୟଦେବ ରାଜପଥରେ ଗତିକଲାବେଳେ ଅଯାଚିତ ଭାବେ ଭିକ୍ଷାଦାନ କରୁଛନ୍ତି ଲୋକେ । ଆଗେଇ ଆସି ପଦଧୂଳି ନେଉଛନ୍ତି ତାଙ୍କର । ଘେରିଯାଇ ଦର୍ଶନ କରୁଛନ୍ତି ତାଙ୍କୁ । ପ୍ରତ୍ୟେକଙ୍କ ମୁହଁରେ ଅଦ୍ଭୂତ ପ୍ରଶସ୍ତି–ଜାଣିଛ ! ଏଇ ସେହି ଭକ୍ତ ଜୟଦେବ । ଯାହାଙ୍କ ପାଇଁ ସ୍ଵୟଂ ମହାପ୍ରଭୁ ଚକାଡ଼ୋଳା ନୀଳାଚଳ ନାଥ ରୋଦନ କରୁଥିଲେ ଏବଂ ନିଜେ ଶୃଙ୍ଖଳବଦ୍ଧ ହୋଇଥିଲେ ।

 

କଥାରେ କହନ୍ତି ମୁହଁକୁ ମୁହଁ କଥା ଚାଲେ ବାୟୁଠାକୁ ଅଧିକ ଗତିରେ । ତାହାହିଁ ଘଟିଥିଲା ଶ୍ରୀ ଜୟଦେବଙ୍କ ଭାଗ୍ୟରେ । ନୀରବରେ ଲୋକଲୋଚନର ଅନ୍ତରାଳରେ ଏବଂ ଅଚିହ୍ନା ଅପରିଚିତ ଭାବରେ ତାଙ୍କର ଭିକ୍ଷା ଗ୍ରହଣ ଆଉ ସମ୍ଭବପର ହେଲା ନାହିଁ । ସମାଦର ଏବଂ ସ୍ଵାଗତ ସମ୍ଭାଷଣରେ ବିକଶି ଉଠିଲା ତାଙ୍କ ବ୍ୟକ୍ତିତ୍ୱ ।

 

ଅବଶ୍ୟ ଲୋକମାନଙ୍କର ଏପରି ବ୍ୟବହାରରେ ବ୍ୟତିବ୍ୟସ୍ତ ହେଉଥିଲେ ସେ । ଅକ୍ଷମ ହେଉଥିଲେ ଅସଂଖ୍ୟ ବ୍ୟକ୍ତିଙ୍କର ଅହେତୁକ ପ୍ରଶ୍ନର ଉତ୍ତରଦେବା ପାଇଁ ।

 

ଏଣେ ସତୀ ପଦ୍ମାବତୀଙ୍କର ମଧ୍ୟ ସମ ଅବସ୍ଥା । ବାଙ୍କୀମୁହାଣୀ ନଦୀ ତୀରକୁ ଶାକ ସଂଗ୍ରହ ପାଇଁ ଗଲାବେଳକୁ ଲୋକ ଭିଡ଼ । ତାଙ୍କ ପାଦରୁ ମଧ୍ୟ ଧୂଳି ନେଇ ମୁଣ୍ଡରେ ମାରିବା ପାଇଁ ଉଦ୍ୟତ ବୟସ୍କା ବ୍ୟକ୍ତିମାନେ । ବାରଣ କରିବାକୁ ଉପାୟ ନାହିଁ । ସବୁରି ମୁହଁରେ ନିବେଦନ–ଅପେକ୍ଷା କର ମାଆ ! ଆମେ ଟିକେ ତୁମକୁ ଦର୍ଶନ କରୁ । ନୟନ ମନକୁ ପବିତ୍ର କରୁ ।

 

କ’ଣ କରିବେ ପଦ୍ମାବତୀ ? ଶେଷରେ ବାଧ୍ୟ ହୋଇ କୁଟୀରକୁ ଫେରିଆସିଲେ ଶାକ ସଂଗ୍ରହ କରି ନପାରି ।

 

ଏପରି ସମୟରେ କୁଟୀରରେ ଉପସ୍ଥିତ ହେଲେ ବନ୍ଧୁ, ପରାଶର ରାଜଗୁରୁ । ସାଦର ସମ୍ଭାଷଣ ଜଣାଇ କହିଲେ–“ପ୍ରଭାତରୁ ମୁଁ ସମସ୍ତ କାହାଣୀ ଶ୍ରବଣ କରିଛି ଭଗିନୀ । ଧାଇଁଆସିଛି ଟିକେ ଦର୍ଶନ କରିଯିବା ପାଇଁ । ମୁଁ କିନ୍ତୁ ଏଥିରେ ଆଶ୍ଚର୍ଯ୍ୟାନ୍ଵିତ ତ ନୁହେଁ । କାରଣ ମୁଁ ଜାଣିଥିଲି ଏହା ହିଁ ଘଟିବ । ସ୍ଵୟଂ ଜଗାକାଳିଆ ଆପଣମାନଙ୍କପାଇଁ ।”

ସ୍ଥିର ଭାବରେ ଦଣ୍ଡାୟମାନ ହୋଇ କହିଲେ ପଦ୍ମାବତୀ–‘‘ବନ୍ଧୁ ରାଜଗୁରୁ ମହାଶୟ ! ଏବେ ଆମେ ବିପଦର ସମ୍ମୁଖୀନ ଆପଣ ଆମକୁ ସାହାଯ୍ୟ କରନ୍ତୁ ।”

–‘‘ପୁଣି କ’ଣ ହୋଇଛି ଭଗିନୀ ?”ପ୍ରଶ୍ନ କଲେ ପରାଶର ରାଜଗୁରୁ ।

–‘‘ଗତ ରାତ୍ରିର ଘଟଣା ପରେ ମୁଁ ବାହାରକୁ ବାହାରିବା ଅସମ୍ଭବ ହେଉଛି । ପ୍ରତ୍ୟେକ ସ୍ଥାନରେ ଲୋକ ଭିଡ଼ । ନାନା ପ୍ରଶ୍ନ, ପଚାରି ଏବଂ ପଦଧୂଳି ପାଇଁ ବିକଳ ହୋଇ ବ୍ୟସ୍ତ କରୁଛନ୍ତି ମୋତେ । ନଦୀ ତୀରରୁ ଶାକ ସଂଗ୍ରହ ମଧ୍ୟ ସମ୍ଭବ ହେଉନାହିଁ । ଫଳରେ ଉପବାସରେ ଦିନ କାଟିବାକୁ ବାଧ୍ୟ ହେବେ ଆପଣଙ୍କ ବନ୍ଧୁ, ଜୟଦେବ ।”

ହସିଲେ ପରାଶର ରାଜଗୁରୁ । କହିଲେ–ଆପଣ ବ୍ୟସ୍ତ ହୁଅନ୍ତୁ ନାହଁ ଭଗିନୀ । ଲୋକମାନଙ୍କୁ ସ୍ଵାଗତ ଜଣାଇବା ପାଇଁ ସୁଯୋଗ ଦିଅନ୍ତୁ । ସେମାନଙ୍କୁ ଦର୍ଶନ ଦେଇ କୃତାର୍ଥ କରନ୍ତୁ । ବିଶ୍ଵାସ ମୂଳରେ ତ ବିଷ୍ଣୁ, ବିଦ୍ୟମାନ । ସେଥିରେ ଆପଣ କୁଣ୍ଠିତା କାହିଁକି ? ଯେଉଁମାନେ ଆପଣଙ୍କ ପଦଧୂଳି ନେଉଛନ୍ତି–ସେମାନଙ୍କ ପାଇଁ ସେ ପଦଧୂଳି ପ୍ରଭୁ ଶ୍ରୀଜଗନ୍ନାଥଙ୍କର । ତାଙ୍କୁ ନିବୃତ୍ତ କଲେ ଆପଣଙ୍କ ମହନୀୟତା କଳଙ୍କିତ ହୋଇପଡ଼ିବ ।”

‘‘କିନ୍ତୁ ମୁଁ ଯେ ଆମର ଆହାର ସଂଗ୍ରହ ପାଇଁ ଅକ୍ଷମ ହେଉଛି ବନ୍ଧୁ ରାଜଗୁରୁ ମହାଶୟ-।”

–‘‘ଚିନ୍ତା କରନ୍ତୁ ନାହିଁ ଭଗିନୀ । ଶାକ ସଂଗ୍ରହ ପାଇଁ ମୁଁ ସମସ୍ତ ବ୍ୟବସ୍ଥା କରିଦେବି । ମୋ ଭଗିନୀ ନିତିଦିନ ଶାକ ସଂଗ୍ରହ କରି ଆପଣଙ୍କ କୁଟୀରରେ ଦେଇଯିବ । ମୋର ଏ ଆଦେଶ କିମ୍ବା ଅନୁଗ୍ରହ ନୁହେଁ ଭଗିନୀ ! ବନ୍ଧୁ, ଏବଂ ବନ୍ଧୁ, ପତ୍ନୀଙ୍କ ନିକଟରେ ଦାବି ।”

ଆତ୍ମତୃପ୍ତିରେ ପରାଶର ରାଜଗୁରୁଙ୍କୁ ଅନାଇ ରହିଥିଲେ ସତୀ ପଦ୍ମାବତୀ । ପ୍ରଶଂସା କରୁଥିଲେ ମନେ ମନେ ତାଙ୍କ ମହନୀୟତା ପାଇଁ । ଏତିକିବେଳେ ଭିକ୍ଷାପାତ୍ର ଧରି ଉପସ୍ଥିତ ହେଲେ ଶ୍ରୀ ଜୟଦେବ । ଆଗକୁ ଆଗେଇଯାଇ ଆତ୍ମିକତାର ସହିତ ଜୟଦେବଙ୍କୁ କୋଳାଗ୍ରତ କଲେ ପରାଶର ରାଜଗୁରୁ । ଅଭିଭୂତ ହୋଇପଡ଼ିଲେ ମଧ୍ୟ ଜୟଦେବ ବନ୍ଧୁଙ୍କ ପ୍ରେମାଲିଙ୍ଗନରେ ।

କୁଟୀର ମଧ୍ୟକୁ ପରାଶର ରାଜଗୁରୁଙ୍କୁ ଆମନ୍ତ୍ରଣ ଜଣାଇଲେ ସେ । କୁଟୀର ମଧ୍ୟରେ ପ୍ରବେଶ କଲେ ପରାଶର ରାଜଗୁରୁ ଏବଂ ଶ୍ରୀରାଧାମାଧବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇ ଉପବେଶନ କଲେ ଆସନ ଉପରେ ।

ସହାସ୍ୟ ବଦନରେ କହିଲେ ଜୟଦେବ–“ବନ୍ଧୁ, ରାଜଗୁରୁ ! ଆଜି ମଧ୍ୟାହ୍ନରେ ଆପଣ ଏ କ୍ଷୁଦ୍ର କୁଟୀରରେ ଉପସ୍ଥିତ । ସାମାନ୍ୟ ଅନୁରୋଧ ଜଣାଇବି ରକ୍ଷା କରିବେ ?”

–“କୁହନ୍ତୁ ବନ୍ଧୁ !”

–“ଆଜି ଆପଣ ଏଇ କୁଟୀରର ସିଦ୍ଧ ଅନ୍ନ ଭୋଜନ କରିବେ ମୋ ସହିତ । ତା’ପରେ ସାମାନ୍ୟ ବିଶ୍ରାମ ଗ୍ରହଣ କରି ସନ୍ଧ୍ୟାରେ ଆମେ ଯାତ୍ରା କରିବା ଶ୍ରୀମନ୍ଦିର ଗୀତଗୋବିନ୍ଦ ପରିବେଷଣ ପାଇଁ ।”

 

–‘‘ଏହାଠାରୁ ମୋର ଅଧିକ ସୌଭଗ୍ୟ କ’ଣ ଥାଇପାରେ ବନ୍ଧୁ ଜୟଦେବ ! ବରଂ ମୁଁ ପ୍ରୀତ ଏପରି ସୁଯୋଗ ଲାଭକରି ।”

 

ପ୍ରୀତହେଲେ ଜୟଦେବ ବନ୍ଧୁ ରାଜଗୁରୁଙ୍କ ଉତ୍ତର ଶ୍ରବଣ କରି । ଭିକ୍ଷା ପାତ୍ରଟି ପଦ୍ମାବତୀଙ୍କ ହାତକୁ ବଢ଼ାଇଦେଇ ବସିପଡ଼ିଲେ ବନ୍ଧୁ ରାଜଗୁରୁଙ୍କ ନିକଟରେ ଆଳାପ ଆଲୋଚନା ପାଇଁ ।

 

ପାକ ସିଦ୍ଧ କରିବାରେ ଲାଗିଗଲେ ପଦ୍ମାବତୀ । ଅଳ୍ପ ସମୟ ମଧ୍ୟରେ ପାକ ପ୍ରସ୍ତୁତ ହୋଇଗଲେ । ଶ୍ରୀରାଧାମାଧବଙ୍କୁ ସମର୍ପଣ କରି ଦୁଇ ବନ୍ଧୁଙ୍କୁ ପରିବେଷଣ କରିଦେଲେ ସେ । ଆନନ୍ଦରେ ଭୋଜନ କଲେ ଦୁଇ ବନ୍ଧୁ । ତତ୍‌ପରେ ନିଜେ ଭୋଜନରେ ବସିଲେ ସତୀ ପଦ୍ମାବତୀ ।

 

ସମୟ ଅତିକ୍ରାନ୍ତ ହେଲା । ସୂର୍ଯ୍ୟାସ୍ତ ପରେ ଅନ୍ଧାର ଘୋଟିଆସିଲା ବଡ଼ଦାଣ୍ଡ ଉପରକୁ-। ମନ୍ଦିରଗୁଡ଼ିକରୁ ଭାସିଆସିଲା ଘଣ୍ଟ ଘଣ୍ଟା କାହାଳୀର ଧ୍ଵନି । ନିବେଦନ ଜଣାଇଲେ ପରାଶର ରାଜଗୁରୁ–“ଏବେ ବାହାରି ପଡ଼ନ୍ତୁ ବନ୍ଧୁ, ଜୟଦେବ ! ଭଗିନୀ ପଦ୍ମାବତୀ ! ନାଟମନ୍ଦିରରେ ଶ୍ରୀଗୀତଗୋବିନ୍ଦ ପରିବେଷଣର ସମୟ ଉପଗତ ହୋଇଛି । ଅପେକ୍ଷାକରି ରହିବେ ଭକ୍ତଜନ ଆପଣମାନଙ୍କ ଆଗମନକୁ ।”

 

ଅପ୍ରସ୍ତୁତ ହୋଇପଡ଼ିଲେ ଜୟଦେବ । ବନ୍ଧୁ ଉପଯୁକ୍ତ ସମୟରେ ସ୍ମରଣ କରାଇ ଦେଇଛନ୍ତି ମହାନ୍ କର୍ତ୍ତବ୍ୟ ସମ୍ପର୍କରେ I କାଳ ବିଳମ୍ବ ନକରି ଯାତ୍ରା କରିବାକୁ ହେବ ଶ୍ରୀମନ୍ଦିର । ଧୀର ଗଳାରେ ଡାକିଲେ ଜୟଦେବ–“ପ୍ରିୟେ ପଦ୍ମା ! ଏବେ ବାହାରିପଡ଼ । ଆଶା ଏକ ନୂତନ ଶୈଳୀରେ ପରିବେଷଣ କରିବା ଶ୍ରୀ ଗୀତଗୋବିନ୍ଦ । ମୁଁ ତାଳଦେବି ପଖାଉଜରେ । ନୃତ୍ୟ କରିବ ତୁମେ ମୁଦ୍ରା ପ୍ରଦର୍ଶନ କରି ଏବଂ ଗୀତଗୋବିନ୍ଦ ଗାନ କରିବେ ବନ୍ଧୁ, ପରାଶର ରାଜଗୁରୁ ।”

 

ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଉଠିଲେ ପରାଶର ରାଜଗୁରୁ–“ସତେ ! ସତେ ମୋତେ ଏପରି ସୁଯୋଗ ମିଳି ପାରିବ ବନ୍ଧୁ ଜୟଦେବ ?”

 

–“ହଁ ବନ୍ଧୁ ! ଗୀତଗୋବିନ୍ଦ କେବଳ ଜୟଦେବ ଏବଂ ପଦ୍ମାବତୀଙ୍କ ମଧ୍ୟରେ ସୀମାବଦ୍ଧ ନୁହେଁ । ପ୍ରତ୍ୟେକ ଭଗବଦ୍ ବିଦଗ୍‌ଧ ବ୍ୟକ୍ତିଙ୍କ ପାଇଁ ଏ ମହାନ ଗ୍ରନ୍ଥ ଉଦ୍ଦିଷ୍ଟ । ଆପଣ ସେ ସୁଯୋଗରୁ ବଞ୍ଚିତ ହେବେ କାହିଁକି ବନ୍ଧୁ, ରାଜଗୁରୁ ? ଆପଣଙ୍କ କଣ୍ଠରୁ ଆଜି ନିର୍ଝରିଣୀର ସ୍ରୋତ ଭଳି ଝରିପଡ଼ୁ, ଶ୍ରୀଗୀତଗୋବିନ୍ଦ । ପ୍ରୀତ ହୁଅନ୍ତୁ ଭକ୍ତଜନ ପବିତ୍ର ଗାଥା ଶ୍ରବଣ କର !”

 

–‘‘ଧନ୍ୟ ଧନ୍ୟ ଜୟଦେବ ! ଧନ୍ୟ ଆପଣଙ୍କର ମହାନୁଭବତା ।”

 

କହୁ କହୁ ବଡ଼ଦାଣ୍ଡକୁ ବାହାରି ଆସିଲେ ପରାଶର ରାଜଗୁରୁ । ତାଙ୍କ ପଛେ ପଛେ ଶ୍ରୀ ଜୟଦେବ ଏବଂ ପଦ୍ମାବତୀ ।

 

ସେମାନେ ଶ୍ରୀମନ୍ଦିରରେ ପହଞ୍ଚିଲାବେଳକୁ ନାଟମନ୍ଦିର ଓ ମନ୍ଦିରବେଢ଼ାରେ ଜମିଉଠିଥିଲା ଲୋକଭିଡ଼ । ଅପେକ୍ଷାକରି ରହିଥିଲେ ସମସ୍ତେ ଜୟଦେବ ଏବଂ ପଦ୍ମାବତୀଙ୍କୁ । ଗତ ରାତିରେ କାହାଣୀ ଶ୍ରବଣ ପରେ ଅନେକ ବ୍ୟକ୍ତି ଆଗମନ କରିଥିଲେ ସେମାନଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ।

 

ଶ୍ରୀ ଜୟଦେବ ଏବଂ ପଦ୍ମାବତୀଙ୍କୁ ଦର୍ଶନ କରି ହରିବୋଲ ହୁଳହୁଳି ନାଦରେ କମ୍ପି ଉଠିଲା ସମଗ୍ର ଶ୍ରୀମନ୍ଦିର ବେଢ଼ା । ଲୋକେ ଠେଲାପେଲା ଆରମ୍ଭ କରିଦେଲେ ସେ ଦୁହିଁଙ୍କର ପଦଧୂଳି ନେବାପାଇଁ ।

 

ଏପରି ସମୟରେ ଚିତ୍କାର କରି ଘୋଷଣା କଲେ ପରାଶର ରାଜଗୁରୁ–“ବନ୍ଧୁ ଗଣ ! ଆପଣମାନେ ଧୀର ସ୍ଥିର ହୋଇ ଉପବେଶନ ନକଲେ ଶ୍ରୀଗୀତଗୋବିନ୍ଦ ପରିବେଷଣ କରିବା ସମ୍ଭବପର ହେବନାହିଁ । ଭକ୍ତ ଜୟଦେବ ଏବଂ ପଦ୍ମାବତୀଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିପାରିବେ ନାହଁ । ତେଣୁ ଦୟାକରି ଧୀର ସ୍ଥିର ହୋଇ ଶୃଙ୍ଖଳିତ ଭାବରେ ଉପବେଶନ କରନ୍ତୁ । ତା’ପରେ ଆରମ୍ଭ ହେବ ଗୀତଗୋବିନ୍ଦ ଗାଥା ।”

 

ପରାଶର ରାଜଗୁରୁଙ୍କ ଘୋଷଣା ଶୁଣିବା ମାତ୍ରେ ନିଶ୍ଚଳ ହୋଇଗଲା ଜନସମୁଦ୍ର । ଅପେକ୍ଷା କରି ରହିଲେ ସମସ୍ତେ ନାଟମନ୍ଦିର ମଧ୍ୟରେ ଜୟଦେବ ଏବଂ ପଦ୍ମାବତୀଙ୍କୁ ଦର୍ଶନ କରିବା ପାଇଁ !

 

କାଳ ବିଳମ୍ବ ନକରି ପଖାଉଜରେ ତାଳ ଦେଲେ ଶ୍ରୀ ଜୟଦେବ । ସୁମଧୁର କଣ୍ଠରେ ଶ୍ରୀ ଗୀତଗୋବିନ୍ଦର ଦଶଅବତାର ଶ୍ଳୋକ ଗାନ କରିବାକୁ ଲାଗିଲେ ପରାଶର ରାଜଗୁରୁ ଏବଂ ଅଦ୍ଭୁତ ଅଙ୍ଗଭଙ୍ଗୀ ଓ ମୁଦ୍ରା ପ୍ରଦର୍ଶନ କରି ନୃତ୍ୟ ଆରମ୍ଭ କଲେ ସତୀ ପଦ୍ମାବତୀ ।

 

ଉପସ୍ଥିତ ଭକ୍ତଜନଙ୍କ ହୃଦୟରେ କଲ୍ଲୋଳିତ ହେଲା ଏକ ଅଦ୍ଭୁତ ଭକ୍ତିର ସାପ୍ଲୁତ ଭାବାବେଗ । ଶିହରଣ ସୃଷ୍ଟିକଲା ମନ୍ଦିର ଗାତ୍ରରେ ଜୟଦେବଙ୍କ ପଖାଉଜର ତାଳ ଏବଂ ପଦ୍ମାବତୀଙ୍କ ପଦ ନୂପୁରର ବିଚିତ୍ର ସ୍ଵରଝଙ୍କାର । ମନ୍ତ୍ରମୁଗ୍‌ଧ ସର୍ପ ଭଳି ଅନାଇ ରହିଥିଲେ ସମସ୍ତେ ସତୀ ପଦ୍ମାବତୀଙ୍କ ନୟନ ଯୁଗଳର ଚଳଚଞ୍ଚଳ ଗତିକୁ ।

 

ଆତ୍ମହରା ହୋଇ ଉଦ୍ଦାତ୍ତ କଣ୍ଠରେ ଗୀତଗୋବିନ୍ଦ ଗାନ କରୁ କରୁ ନିଜକୁ ଭୁଲିଥିଲେ ପରାଶର ରାଜଗୁରୁ । ଭକ୍ତଜନଙ୍କ ହୃଦୟରେ ସ୍ଵତନ୍ତ୍ର ରେଖାପାତ କରୁଥିଲା ଶ୍ରୀ ଗୀତଗୋବିନ୍ଦର ପ୍ରତ୍ୟେକ ପଂକ୍ତି ।

 

ଶେଷ ହେଲା ଗୀତଗୋବିନ୍ଦର ପରିବେଷଣ । ଉଚ୍ଛ୍ୱସିତ ପ୍ରଶଂସା କରି କରି ବାହୁଡ଼ିଗଲେ ଭକ୍ତଜନ । ନୀଳାଚଳ ନାଥ ଶ୍ରୀ ଜଗନ୍ନାଥଙ୍କ ପାଦତଳେ ନିବେଦନ ଜଣାଇ କୁଟୀରକୁ ପ୍ରତ୍ୟାବର୍ତ୍ତନ କଲେ ଶ୍ରୀ ଜୟଦେବ ଏବଂ ପଦ୍ମାବତୀ । ବନ୍ଧୁଙ୍କ ଠାରୁ ବିଦାୟ ଘେନି ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କଲେ ପରାଶର ରାଜଗୁରୁ । ଆଜି ତାଙ୍କ ପ୍ରାଣ ପୁଲକିତ, ହୃଦୟ ଉଲ୍ଲସିତ । ମାନସପଟରେ ଶ୍ରୀ ନାରାୟଣ ରୂପୀ ଜଗନ୍ନାଥଙ୍କର ଅପୂର୍ବ ଲୀଳାର ଛାୟାଚିତ୍ର । କୃତାର୍ଥ ମଣିଛନ୍ତି ସେ ନିଜକୁ ଏପରି ଏକ ସୁଯୋଗ ଲାଭକରି ।

 

ତା’ପରେ ନିତିଦିନ ବଡ଼ ଦେଉଳର ନାଟମନ୍ଦିରରେ ପରିବେଷିତ ହେବାରେ ଲାଗିଲା ଶ୍ରୀ ଗୀତଗୋବିନ୍ଦ । ଉପସ୍ଥିତ ହୋଇ ସେହି ଅମୃତରସମୟ ଗାଥା ଶ୍ରବଣ କଲେ ଭକ୍ତଜନ । ଧନ୍ୟ ଧନ୍ୟ କଲେ କବି ଜୟଦେବଙ୍କୁ, ସତୀ ପଦ୍ମାବତୀ ଏବଂ କଣ୍ଠଶିଳ୍ପୀ ପରାଶର ରାଜଗୁରୁଙ୍କୁ । ଧୀରେ ଧୀରେ ଆହୁରି ପ୍ରସାରିତ ହେବାରେ ଲାଗିଲା ଗୀତଗୋବିନ୍ଦର ଖ୍ୟାତି । ଆବୃତ୍ତ ହେଲା ସେ ଲୋକମୁଖରେ ପ୍ରତ୍ୟେକ ଜନପଦରେ ।

 

ଗୀତଗୋବିନ୍ଦର ଏ ଖ୍ୟାତି ମଧ୍ୟ ନିନାଦ ସୃଷ୍ଟିକଲା ସଭାପଣ୍ଡିତ ତର୍କ ବାଚସ୍ପତି ଶ୍ରୀ ଦିବାକର ମିଶ୍ର ଶର୍ମାଙ୍କ କର୍ଣ୍ଣଗହ୍ୱର ନିକଟରେ । ବ୍ୟଥିତ ବିବ୍ରତ ବିଚଳିତ ହେଲେ ସେ । ଅଧୀର ହେଲେ ଶ୍ରୀ ଗୀତଗୋବିନ୍ଦର ଖ୍ୟାତି ସହ୍ୟ କରିନପାରି । ସେତେବେଳକୁ ତାଙ୍କ ଅଭିନବ ଗୀତଗୋବିନ୍ଦର ରଚନା ଶେଷ ହୋଇସାରିଥିଲା । ସେ ଉପାୟ ଚିନ୍ତାକରୁଥିଲେ ଶ୍ରୀଗୀତଗୋବିନ୍ଦ ପାଠ ଶ୍ରୀମନ୍ଦିରରୁ ନିଷିଦ୍ଧ କରି ଅଭିନବ ଗୀତଗୋବିନ୍ଦ ପାଠର ପ୍ରବର୍ତ୍ତନ କରିବା ପାଇଁ ।

 

ଦିନକୁ ଦିନ ଚିନ୍ତାରେ ଭାରାକ୍ରାନ୍ତ ହୋଇଉଠିଲା ତାଙ୍କ ହୃଦୟରାଜ୍ୟ । ଶେଷରେ ଏକ ସିଦ୍ଧାନ୍ତରେ ଉପନୀତ ହେଲେ ସେ–ନିଜର ମନୋଭାବ ପ୍ରକାଶ କରିବେ ରାଜକୁମାରୀ ଚନ୍ଦ୍ରିକାଙ୍କ ନିକଟରେ ।

 

ରାଜକୁମାରୀ ଚନ୍ଦ୍ରିକା ଗଙ୍ଗ, ଗଜପତି କାମାର୍ଣ୍ଣବଦେବଙ୍କ ଅଲିଅଳୀ କନ୍ୟା l ସଂସ୍କୃତ ଶିକ୍ଷା କରୁଛନ୍ତି ସଭା ପଣ୍ଡିତ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ନିକଟରୁ ।

 

ସେଦିନ ଅପରାହ୍ନରେ ରାଜପ୍ରାସାଦର ଶିକ୍ଷା ପ୍ରକୋଷ୍ଠରେ ଉପନୀତ ହେଲେ ତର୍କ ବାଚସ୍ପତି । ହୃଦୟରେ ବିଷାଦର ଗୁମ୍ଫା । ମୁଖମଣ୍ଡଳରେ ନୈରାଶ୍ୟର ଉତ୍ତେଜନା ।

 

ସଂସ୍କତ ଶିକ୍ଷାଗୁରୁ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କୁ ପ୍ରଣତି ଜଣାଇ ପ୍ରଶ୍ନ କଲେ କୁମାରୀ ଚନ୍ଦ୍ରିକା ଗଙ୍ଗ–“ଗୁରୁଦେବ ! ଆପଣଙ୍କ ମୁଖମଣ୍ଡଳ ଆଜି ବିଷର୍ଣ୍ଣ କାହିଁକି ? କି ଅଘଟଣ ଘଟିଛି ଆପଣଙ୍କ ପରିବାରରେ ?”

 

–“ନାଁ । ...ରାଜଜେମା ଚନ୍ଦ୍ରିକା ! ଜୀବନ ବ୍ୟାପୀ ମୋର ସାଧନାର ସାଫଲ୍ୟ ମୁଁ ଲାଭ କରିପାରିନାହିଁ । ସେଥିପାଇଁ ହଠାତ୍ ବିଷାଦର ଛାୟା ।”

 

–“ମନରେ ବିଷାଦ କାହିଁକି ଗୁରୁଦେବ ? ଆପଣ ସେ ଗଜପତି ମହାରାଜ ଙ୍କ ସଭାପଣ୍ଡିତ, ଶାସ୍ତ୍ରବିଦ୍, ଧର୍ମପରାୟଣ ଏବଂ ଜଣେ ଶ୍ରେଷ୍ଠ କବି । ଆଉ କି ସମ୍ମାନରୁ ଆପଣ ବଞ୍ଚିତ ହୋଇଛନ୍ତି ଗୁରୁଦେବ ?”

 

–‘‘ସବୁ ଲାଭକରି ପୁଣି କିଛି ଲାଭ କରିନଥିବା ପରି ମୁଁ ଅନୁଭବ କରୁଛି କୁମାରୀ ଚନ୍ଦ୍ରିକା । ସେଥିପାଇଁ ମନରେ ବିଷାଦ । ପ୍ରାଣରେ ନୈରାଶ୍ୟ ।”

 

–‘‘ରାଜାନୁଗ୍ରହରୁ କ’ଣ ଆପଣ ବଞ୍ଚିତ ହୋଇଛନ୍ତି ଗୁରୁଦେବ ?”

 

–“ହେଁ ଚନ୍ଦ୍ରିକା ! ଜଣେ ସଙ୍ଗୀତ ଶିଳ୍ପୀର ସୁମଧୁର କଣ୍ଠସ୍ୱର ଶ୍ରୋତାମଣ୍ଡଳୀର ସମାଦର ଲାଭକରି ନପାରିଲେ ତା’ ମନରେ ଯେଉଁ ନୈରାଶ୍ୟ ସେହିପରି ନୈରାଶ୍ୟ ହିଁ ବିଷାଦ ଭରିଦେଇଛି ମୋର ପ୍ରାଣରେ ।”

 

–‘‘ଆପଣ ଯେ ରାଜଦରବାରରେ ସମ୍ମାନର ଚରମ ସୀମାରେ ଉପନୀତ ହୋଇଛନ୍ତି ଗୁରୁଦେବ ! ତେବେ ଆଉ ଦୁଃଖ ଏବଂ ନୈରାଶ୍ୟ କେଉଁଠି ?”

 

–“ମୁଁ ଜଣେ କାବ୍ୟ ସ୍ରଷ୍ଟା କବି ।”

 

–“ଆପଣଙ୍କ ବାକ୍ୟ ସୃଷ୍ଟିର ପ୍ରଶଂସା ତ ନିଜେ ପିତୃଦେବଙ୍କଠାରୁ ଶ୍ରବଣ କରିଛି ଗୁରୁଦେବ ! ସେଥିପାଇଁ ସେ ଆପଣଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି ମୋତେ ସଂସ୍କୃତ ଶିକ୍ଷା ଦେବାପାଇଁ ।”

 

–‘‘ଜଣେ ଚନ୍ଦ୍ରିକା ! କିନ୍ତୁ ଜଣେ କବିର ହୃଦୟ କ’ଣ ଏତିକିରେ ଶାନ୍ତ ହୁଏ ? ସେ ଚାହେଁ ତା’ କାବ୍ୟ ସୃଷ୍ଟିର ସାଫଲ୍ୟ, ସମାଦର ।”

 

–“ଆପଣଙ୍କ କାବ୍ୟ କ’ଣ ରାଜସଭାରେ ସମାଦର ଲାଭକରି ପାରିନାହିଁ ଗୁରୁଦେବ ?”

 

“ଶ୍ରୀକ୍ଷେତ୍ରରେ ରାଜସଭା ଅପେକ୍ଷା ଶ୍ରୀମନ୍ଦିର ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ସେ ସ୍ଥାନରେ ମୋର କାବ୍ୟ ପରିବେଷଣରୁ ମୁଁ ବଞ୍ଚିତ ଚନ୍ଦ୍ରିକା ! ସେଥିପାଇଁ ମୋ ମନରେ ଦୁଃଖ । ମୋ ରଚିତ ଅପୂର୍ବ ବିଷ୍ଣୁ, ଗାଥା ଯଦି ଶ୍ରୀମନ୍ଦିରରେ ପରିବେଷିତ ହେବାର ସୌଭାଗ୍ୟ ଅର୍ଜନ ନକଲା–ତେବେ ସେ ସୃଷ୍ଟିର ଅର୍ଥ କଣ ? ନିରର୍ଥକ ସେ ସାଧନା ।”

 

–‘‘ଶ୍ରୀମନ୍ଦିରରେ ବିଷ୍ଣୁ ଗାଥା ପରିବେଷଣରୁ ଆପଣ ବଞ୍ଚିତ କାହିଁକି ଗୁରୁଦେବ ? ଶ୍ରୀମନ୍ଦିର ସେ ପ୍ରତ୍ୟେକଙ୍କ ପାଇଁ ଉନ୍ମୁକ୍ତ ।”

 

–‘‘ତୁମେ ଜାଣିନାହଁ ଚନ୍ଦ୍ରିକା ! ବଡ଼ ଦେଉଳର ନାଟମନ୍ଦିରରେ ନିତିଦିନ ଜୟଦେବ ରଚିତ ଗୀତଗୋବିନ୍ଦ ଗାନ ପାଇଁ ଗଜପତି କାମାର୍ଣ୍ଣବଦେବ ଆଦେଶ ପ୍ରଦାନ କରିଛନ୍ତି । ଆଉ ମୋ ରଚିତ ଅଭିନବ ଗୀତଗୋବିନ୍ଦ ପରିବେଷଣର ସୁଯୋଗ କାହିଁ ?”

 

–"ପିତୃଦେବଙ୍କୁ ଅନୁରୋଧ ଜଣାଇ ଗୀତଗୋବିନ୍ଦ ପାଠ ବନ୍ଦ କରି ଅଭିନବ ଗୀତଗୋବିନ୍ଦ ପାଠର ବ୍ୟବସ୍ଥା କରୁନାହାନ୍ତି ?”

 

–“ଏ ପ୍ରସ୍ଥାବରେ ଗଜପତି କାମାର୍ଣ୍ଣବଦେବ ସମ୍ମତ ହେବେନାହିଁ ଚନ୍ଦ୍ରିକା ! କାରଣ ଅଜ୍ଞାତ କୁଳଶୀଳ ତାନ୍ତ୍ରିକ ଜୟଦେବ ମହାରାଜ ଙ୍କୁ ବିଭ୍ରାନ୍ତ କରି ରଖିଛି ।”

 

–“ପିତୃଦେବ କ’ଣ ଆପଣଙ୍କ ଅନୁରୋଧ ରକ୍ଷା କରିବେ ନାହିଁ ଗୁରୁଦେବ ?”

 

–‘‘ନାଁ…, ସେପରି ଚେଷ୍ଟାକରି ମୁଁ ବିଫଳ ମନୋରଥ ହୋଇ ପ୍ରତ୍ୟାବର୍ତ୍ତନ କରିଛି ।”

 

–‘‘କିନ୍ତୁ କାହିଁକି ଗୁରୁଦେବ ? ନିତିଦିନ ନୂତନ ନୂତନ ଗୋବିନ୍ଦଗାଥା ଶ୍ରୀମନ୍ଦିରରେ ପରିବେଷିତ ହେଲେ ଆନନ୍ଦିତ ହେବେ ଭକ୍ତଜନ । ଉପଭୋଗ କରିବେ ନୂତନ ସଙ୍ଗୀତର ସ୍ୱର । ଏଥିରେ ପିତୃଦେବ ଆପତ୍ତି କରିବେ କାହିଁକି ?”

 

–‘‘ମହାରାଜ କାମାର୍ଣ୍ଣବଦେବଙ୍କୁ ଏପରି ଅନୁରୋଧ ଜଣାଇବାର ସାହସ ମୋର ନାହିଁ ଚନ୍ଦ୍ରିକା ! ତେଣୁ ମନରେ ଦୁଃଖ ଏବଂ ଅନୁତାପ ।”

 

–“ଗୁରୁଦେବ !!”

 

–“ହଁ ଚନ୍ଦ୍ରିକା ! ମୁଁ ଭାବୁଛି, ମୋର ଦୀର୍ଘ ଦିନର ତପସ୍ୟାର ଫଳ ଅଭିନବ ଗୀତଗୋବିନ୍ଦ ବୋଧହୁଏ ଆତ୍ମଗୋପନ କରି ରହିଯିବ ତାଳପତ୍ର ପୋଥି ମଧ୍ୟରେ ।”

 

–“ନାଁ...ନାଁ ଗୁରୁଦେବ ! ଆପଣଙ୍କ ଅଭିନବ ଗୀତଗୋବିନ୍ଦ ନିଶ୍ଚୟ ସମ୍ମାନ ଲାଭ କରିବ ଶ୍ରୀମନ୍ଦିର ଦେହରେ । ଆପଣ ଶାନ୍ତ ହୁଅନ୍ତୁ । ମନରୁ ବିଷାଦ ଦୂର କରନ୍ତୁ । ମୁଁ ନିଜେ ପିତୃଦେବଙ୍କୁ ଅନୁରୋଧ ଜଣାଇବି ଶ୍ରୀମନ୍ଦିରରେ ଅଭିନବ ଗୀତଗୋବିନ୍ଦର ପରିବେଷଣ ପାଇଁ ।”

 

“ଚନ୍ଦ୍ରିକା !”

 

–“ଆପଣ ବିଶ୍ଵାସ ରଖନ୍ତୁ ଗୁରୁଦେବ ! ମୁଁ ନିଶ୍ଚୟ ମୋର ଅଭିଯାନରେ ସଫଳ ହେବି । ଆଗାମୀ ଗୋଷ୍ଟାଷ୍ଟମୀ ଦିନ ସର୍ବପ୍ରଥମେ ପରିବେଷିତ ହେବ ଅଭିନବ ଗୀତଗୋବିନ୍ଦ ଶ୍ରୀମନ୍ଦିର ଦେହରେ ।”

 

–“ତେବେ କ’ଣ ମୁଁ ସଙ୍ଗୀତଜ୍ଞ ଏବଂ ବାଦ୍ୟକାରମାନଙ୍କୁ ଅଭିନବ ଗୀତଗୋବିନ୍ଦ ଗାନର ଶିକ୍ଷା ଦେଇ ପ୍ରସ୍ତୁତ କରିବି ଚନ୍ଦ୍ରିକା ?”

 

–“ହଁ ଗୁରୁଦେବ ? ଆପଣ ଆପଣଙ୍କ ଅଭିନବ ଗୀତଗୋବିନ୍ଦ ପରିବେଷଣ ଆୟୋଜନ କରନ୍ତୁ । ମୁଁ ପିତୃଦେବଙ୍କ ଠାରୁ ନିଶ୍ଚୟ ଅନୁମତି ଲାଭ କରିବି ।”

 

–‘‘ସାଧନାର ସାଫଲ୍ୟରେ ମୁଁ ଆନନ୍ଦିତ ହେବି ଚନ୍ଦ୍ରିକା ?ଆର୍ଶୀବାଦ କରିବି ତୁମକୁ ଜୀବନ ବ୍ୟାପୀ ।”

 

–“ଆନନ୍ଦିତ ମନରେ ଆପଣ ଆଜି ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ଗୁରୁଦେବ ! ମୁଁ ଯାତ୍ରା କରୁଛି ପିତୃଦେବଙ୍କ ନିକଟକୁ ଅନୁମତି ଭିକ୍ଷାପାଇଁ ।”

 

“ଚନ୍ଦ୍ରିକା !!” ଆଶାୟୀ ଦୃଷ୍ଟିରେ ଚାହଁ ରହିଥିଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ।

 

ଗୁରୁଦେବଙ୍କ ପଦଧୂଳି ନେଇ ପ୍ରମୋଦ ଉଦ୍ୟାନ ମଧ୍ୟକୁ ଛୁଟିଗଲେ ରାଜକୁମାରୀ ଚନ୍ଦ୍ରିକା ଗଙ୍ଗ । କାରଣ ସେ ଜାଣନ୍ତି–ଅପରାହ୍ନରେ ବହୁ ସମୟ ପ୍ରମୋଦ ଉଦ୍ୟାନ ମଧ୍ୟରେ ଭ୍ରମଣ କରନ୍ତି ଗଜପତି କାମାର୍ଣ୍ଣବଦେବ ।

 

ଗଜପତି ମହାରାଜ , କାମାର୍ଣ୍ଣବଦେବଙ୍କ ପ୍ରମୋଦ ଉଦ୍ୟାନ । ଚମ୍ପକ, ହେନା, ସୁଗନ୍ଧରାଜ, ଟଗର, ତରାଟ, କନିଅର ଏବଂ କୃଷ୍ଣଚୂଡ଼ା ବୃକ୍ଷରେ ସୁଶୋଭିତ ଉଦ୍ୟାନ । ପୁଣି ମଲ୍ଲୀ, ମାଳତୀ, ମାଧବୀ, ଜୁଇ, ଜାଇ ପୁଷ୍ପରେ ମନୋରମ ପୁଷ୍ପ ବାଟିକା । ମଧ୍ୟାନ୍ତରରେ ସ୍ଥିର ନୀଳ ଜଳପୂର୍ଣ୍ଣ ପୁଷ୍କରିଣୀ । ସନ୍ତରଣରତ ହଂସ ଯୁଥ ଏବଂ ପଦ୍ମ ପୁଷ୍ପର ପ୍ରସ୍ଫୁଟିତ ସୁଗନ୍ଧରେ ପରିପୂର୍ଣ୍ଣ ପରିବେଶ । ମନ୍ଦ ମରୁତର ହିଲ୍ଲୋଳିତ କଲ୍ଲୋଳରେ ପ୍ରମୋଦ ଉଦ୍ୟାନର ନୀଳସବୁଜ ପଲ୍ଲବରାଜି-

 

ଅନେକ ସମୟରେ ଭାରାକ୍ରାନ୍ତ ମନକୁ ଶାନ୍ତ କରିବା ପାଇଁ ଉପାଦାନ ଯୋଗାଏ ଏହି ପ୍ରମୋଦ ଉଦ୍ୟାନ । ଶୀତଳ କରେ ବ୍ୟସ୍ତ ବିବ୍ରତ ପ୍ରାଣକୁ । ସେଥିପାଇଁ ପ୍ରତ୍ୟେକ ଦିନ ଅପରାହ୍ନରେ ପ୍ରମୋଦ ଉଦ୍ୟାନ ମଧ୍ୟରେ ପଦାଚାରଣ କରି ଆତ୍ମତୃପ୍ତି ଅନୁଭବ କରନ୍ତି ଗଙ୍ଗ ନରପତି କାମାର୍ଣ୍ଣବଦେବ । ସେଦିନ ମଧ୍ୟ ସେମିତି ଅପରାହ୍ନରେ ପ୍ରମୋଦ ଉଦ୍ୟାନର ସରୋବର ନିକଟରେ ଦଣ୍ଡାୟମାନ ରହି ଚମ୍ପକ କୁସୁମର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ ସେ । ଉଦ୍ୟାନ ମଧ୍ୟରେ ପ୍ରବେଶ କଲେ ରାଜକୁମାରୀ ଚନ୍ଦ୍ରିକା ।

 

ପ୍ରାକୃତିକ ଶୋଭା ଉପଭୋଗକାରୀ ପିତୃଦେବଙ୍କ ପଶ୍ଚାଦ୍ ଭାଗରେ ଦଣ୍ଡାୟମାନ ହୋଇ ସମ୍ବୋଧନ କଲେ ମଧୁର କଣ୍ଠରେ ସେ–“ପିତୃଦେବ !

 

ଧ୍ୟାନ ଭଗ୍ନହେଲା କାମାର୍ଣ୍ଣବଦେବଙ୍କର । ଚମ୍ପକ କୁସୁମ କଳୀରୁ ଚକ୍ଷୁ ଫେରାଇ କୁମାରୀ ଚନ୍ଦ୍ରିକାଙ୍କୁ ଅନାଇଲେ ସେ । ପ୍ରମୋଦ ଉଦ୍ୟାନର ଚମ୍ପକ କୁସୁମ କଳୀପରି ସମ୍ମୁଖରେ ଦଣ୍ଡାୟମାନ ଗଙ୍ଗବଂଶର ଜୀବନ୍ତ କୁସୁମକଳିକା ଚନ୍ଦ୍ରିକା ।

 

ଗଦ୍‌ଗଦ କଣ୍ଠରେ କହିଉଠିଲେ କାମାର୍ଣ୍ଣବଦେବ–‘‘କ’ଣ କହିବାକୁ ଚାହୁଁ ମାଆ ?”

 

–“ମୋର ଗୋଟିଏ କ୍ଷୁଦ୍ର ଅନୁରୋଧ ଅଛି ପିତୃଦେବ ?”

 

–“ପ୍ରକାଶ କର ମାଆ ଚନ୍ଦ୍ରିକା !”

 

–‘‘ମୋ ଅନୁରୋଧ ଆପଣ ରକ୍ଷା କରିବେ ତ ପିତୃଦେବ ?”

 

–‘‘ନିଶ୍ଚୟ ରକ୍ଷା କରିବି ମାଆ ! ତୁ ମୋର ଏକମାତ୍ର ଅଲିଅଳୀ କନ୍ୟା ।”

 

–“ପିତା ! ଗୁରୁଦେବ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା କ’ଣ ଶ୍ରେଷ୍ଠ କବି ନୁହଁନ୍ତି ?”

 

–‘‘କିଏ ମନା କଲା ମାଆ ! ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ଜଣେ ବିଦ୍ୱାନ, ଶ୍ରେଷ୍ଠ ପଣ୍ଡିତ ଏବଂ ଅସାଧାରଣ କବିତ୍ୱର ଅଧିକାରୀ ବ୍ୟକ୍ତି ।”

 

–“ତେବେ ତାଙ୍କ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାନଯିବାର କାରଣ କ’ଣ ପିତା ?”

 

–“ସିଏ ତ ରାଜସମ୍ମାନରୁ ବଞ୍ଚିତ ନୁହଁନ୍ତି ମାଆ ।”

 

–କିନ୍ତୁ ପିତା ! ଗଜପତିଙ୍କ ରାଜସଭା ଅପେକ୍ଷା ନୀଳାଚଳ କ୍ଷେତ୍ରରେ ଅଧିକ ସମ୍ମାନପ୍ରଦ ସ୍ଥାନ ଶ୍ରୀମନ୍ଦିର ।”

 

–“ସେ କଥା ତ ବିଶ୍ଵବିଦିତଚନ୍ଦ୍ରିକା !”

 

–“ତେବେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କୁ ପ୍ରଦର୍ଶନ ପାଇଁ ଶ୍ରୀମନ୍ଦିରରେ ସୁଯୋଗ ପ୍ରଦାନ କଲେ କ୍ଷତି କ’ଣ ହୁଅନ୍ତା ପିତା ?”

 

–‘‘ତୋ କଥା ମୁଁ ବୁଝିପାରୁ ନାହିଁ ମାଆ !”

 

–“ଗୁରୁଦେବ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ଏକ ଅଦ୍ଭୁତ ବିଷ୍ଣୁ, ଗାଥାର କାବ୍ୟ ଅଭିନବ ଗୀତଗୋବିନ୍ଦ ରଚନା କରିଛନ୍ତି ।”

 

–‘‘ଅଭିନବ ଗୀତଗୋବିନ୍ଦ ରଚନା କରିଛନ୍ତି ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ? ଏ ସୁସମ୍ବାଦ ଶ୍ରବଣ କରି ମୁଁ ଆନନ୍ଦିତ ଚନ୍ଦ୍ରିକା ।”

 

–“ଶ୍ରୀମନ୍ଦିରରେ ସେହି ଅଭିନବ ଗୀତଗୋବିନ୍ଦର ପରିବେଷଣ ପାଇଁ ସୁଯୋଗ ଦିଅନ୍ତୁ ପିତା । ତାହା ହିଁ ହେବ ତାଙ୍କ ପ୍ରତି ରାଜସମ୍ମାନ ।”

 

ରାଜକୁମାରୀ ଚନ୍ଦ୍ରିକାଙ୍କର ଏ ଅନୁରୋଧ ଶୁଣି କ୍ଷଣେକାଳ ଚିନ୍ତିତ ହୋଇପଡ଼ିଲେ ଗଜପତି କାମାର୍ଣ୍ଣବଦେବ । ତାଙ୍କ ଚକ୍ଷୁ ସମ୍ମୁଖରେ ନାଚିଉଠିଲା ସେହି ଅଭୁଲା ରାତିର କାହାଣୀ । କିପରି ଶୟନ କକ୍ଷରେ ଶତ ସୂର୍ଯ୍ୟକିରଣ ବିକିରଣ କରି ଆବିର୍ଭୁତ ହୋଇଥିଲେ ଶ୍ରୀଜଗନ୍ନାଥ ଏବଂ ନିର୍ଦ୍ଦେଶ ପ୍ରଦାନ କରିଥିଲେ ଭକ୍ତ ଜୟଦେବ ଏବଂ ସତୀ ପଦ୍ମାବତୀଙ୍କୁ ମନ୍ଦିର ଗାରଦରୁ ମୁକ୍ତି ଦେବାପାଇଁ । ବିଚଳିତ ହୋଇଉଠିଲେ ସେ । କହିଲେ–‘‘ନିତିଦିନ ତ କବି ଜୟଦେବ ବିରଚିତ ଗୀତଗୋବିନ୍ଦ ପରିବେଷିତ ହେଉଛି ଚନ୍ଦ୍ରିକା ! ପୁନର୍ବାର ଅଭିନବ ଗୀତଗୋବିନ୍ଦର ପରିବେଷଣ ସମ୍ଭବପର ହେବ କିପରି ?

 

ଦୁଃଖରେ ଭାଙ୍ଗିପଡ଼ିଲେ କୁମାରୀ ଚନ୍ଦ୍ରିକା । କହିଲେ–‘‘ପିତା ! ପ୍ରତ୍ୟେକ ଦିନ ଗୋଟିଏ କାବ୍ୟର ସଙ୍ଗୀତ ଶ୍ରବଣ କରି ଭକ୍ତଜନ ଆନନ୍ଦିତ ନୁହନ୍ତି । ସେମାନଙ୍କର ମନୋରଞ୍ଜନ ପାଇଁ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଭିକ୍ଷା ପାଇଁ କିଛିଦିନ ଶ୍ରୀ ଗୀତଗୋବିନ୍ଦ ଗାନ ନିଷିଦ୍ଧ କରାଯାଇ ଅଭିନବ ଗୀତଗୋବିନ୍ଦ ପାଠର ବ୍ୟବସ୍ଥା କରାଯାଉ । ଏଥିରେ କ୍ଷତି କ’ଣ ହେବ ? ପବିତ୍ର ଗୋବିନ୍ଦ ଗାଥାର ପରିବେଷଣ ହିଁ ଉଭୟ କାବ୍ୟର ଚରମ ଲକ୍ଷ୍ୟ ।”

 

ଚିନ୍ତିତ ହୋଇପଡ଼ିଲେ କାମାର୍ଣ୍ଣବଦେବ । କି ଉତ୍ତର ଦେବେ କନ୍ୟା ଚନ୍ଦ୍ରିକାକୁ ! କହିଲେ ସେ–‘‘ପ୍ରଭୁ ଶ୍ରୀଜଗନ୍ନାଥ କେବଳ ଶ୍ରୀ ଗୀତଗୋବିନ୍ଦ କାବ୍ୟ ବ୍ୟତୀତ ଅନ୍ୟକୌଣସି କାବ୍ୟର ସଙ୍ଗୀତ ଶ୍ରବଣ କରିବାକୁ ଇଚ୍ଛା କରନ୍ତି ନାହିଁ ।”

 

ଚିନ୍ତାରେ ବାଧାଦେଇ କହିଉଠିଲେ କୁମାରୀ ଚନ୍ଦ୍ରିକା–‘‘ପିତା ! ଗୀତଗୋବିନ୍ଦ ଏବଂ ଅଭିନବ ଗୀତଗୋବିନ୍ଦ ସମଧର୍ମୀ କୃଷ୍ଣରସ ପରିପୂର୍ଣ୍ଣ କାବ୍ୟ । ଏ ଦୁଇଟି କାବ୍ୟରେ ରସଗତ ପାର୍ଥକ୍ୟ ନାହିଁ । ତେଣୁ ଅଭିନବ ଗୀତଗୋବିନ୍ଦ ପାଠର ପ୍ରବର୍ତ୍ତନ କଲେ ଶ୍ରୀଜଗନ୍ନାଥ କ୍ଷୁବ୍‌ଧ ହେବାର କାରଣ ନାହିଁ । ତର୍କ ବାଚସ୍ପତି ପଣ୍ଡିତ ଦିବାକର ମିଶ୍ର ଶର୍ମାଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ତାଙ୍କ ରଚିତ ଅଭିନବ ଗୀତଗୋବିନ୍ଦ ପାଠ ପାଇଁ ଶ୍ରୀମନ୍ଦିରରେ ସୁଯୋଗ ଦିଆଯାଉ-।”

 

କୁଣ୍ଠିତ ଚିତ୍ତରେ ଉତ୍ତର ଦେଲେ ଗଜପତି କାମାର୍ଣ୍ଣବଦେବ । –“ହଉ ମୋର ଆପତ୍ତି ନାହଁ ଚନ୍ଦ୍ରିକା ! ତୋ ମନରେ ସନ୍ତୋଷ ପ୍ରଦାନ ପାଇଁ ଏପରି ପ୍ରସ୍ତାବରେ ସମ୍ମତ ହେଉଛି ମୁଁ ।”

 

ଆନନ୍ଦିତ ମନରେ ନାଚିଉଠିଲେ କୁମାରୀ ଚନ୍ଦ୍ରିକା, ହେଲେ–‘‘ପିତା ! ତେବେ ମୁଁ ରାଜାଦେଶ ମନ୍ଦିରର ମୁଦିରସ୍ତଙ୍କ ନିକଟକୁ ପ୍ରେରଣ କରୁଛି । ଆଗାମୀ ଗୋଷ୍ଟାଷ୍ଟମୀ ଦିନଠାରୁ ଶ୍ରୀମନ୍ଦିରେ ଶ୍ରୀ ଗୀତଗୋବିନ୍ଦ ଗାନ ନିଷିଦ୍ଧ ହୋଇ ଆରମ୍ଭ ହେବ ଅଭିନବ ଗୀତଗୋବିନ୍ଦର ଗାନ-।”

 

–“ହଁ ଚନ୍ଦ୍ରିକା ! ମୋର ଆଦେଶ ଜଣାଇ ଦେ ମୁଦିରସ୍ତଙ୍କୁ ।”

 

–“କିନ୍ତୁ ଆଉ ଗୋଟିଏ ଅନୁରୋଧ ପିତା ।”

 

–‘‘ପ୍ରକାଶ କର ଚନ୍ଦ୍ରିକା ।”

 

–‘‘ଗୋଷ୍ଟାଷ୍ଟମୀ ଦିନ ଅଭିନବ ଗୀତଗୋବିନ୍ଦ ପରିବେଷିତ ହେବା ସମୟରେ ଆପଣ ନିଜେ ଉପସ୍ଥିତ ରହିବେ ଶ୍ରୀମନ୍ଦିରରେ ।”

 

–“ଆପତ୍ତି ନାହିଁ । ପବିତ୍ର ଗୋବିନ୍ଦ ଗାଥା ଶ୍ରବଣ ପାଇଁ ମୁଁ ନିଶ୍ଚୟ ଉପସ୍ଥିତ ରହିବି ଶ୍ରୀମନ୍ଦିରରେ ।”

 

ପିତୃଦେବ ଗଜପତି କାମାର୍ଣ୍ଣବଦେବଙ୍କ ଠାରୁ ପ୍ରତିଶ୍ରୁତି ଓ ଲାଭକରି ଆନନ୍ଦିତ ମନରେ ନାଚି ନାଚି ପ୍ରତ୍ୟାବର୍ତ୍ତନ କଲେ କୁମାରୀ ଚନ୍ଦ୍ରିକା ।

 

ଅଳ୍ପକ୍ଷଣ ମଧ୍ୟରେ ଚତୁର୍ଦ୍ଦିଗରେ ପ୍ରଚାରିତ ହୋଇଗଲା ସମ୍ବାଦ–ଆଗାମୀ ଗୋଷ୍ଟାଷ୍ଟମୀ ଦିନ ଠାରୁ ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାନ ନିଷିଦ୍ଧ ହୋଇ ଗାନ କରାଯିବ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ବିରଚିତ ଅଭିନବ ଗୀତଗୋବିନ୍ଦ ।

 

ଏ ସମ୍ବାଦ ଶ୍ରବଣ କରି ଚିନ୍ତିତ ହୋଇପଡ଼ିଲେ ପରାଶର ରାଜଗୁରୁ । ଅନୁମାନ କରିଥିଲେ ସେ–ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ଚକ୍ରାନ୍ତ କଥା । କିନ୍ତୁ ରାଜାଦେଶର ଅମାନ୍ୟ କରିବ କିଏ ? ମୁଣ୍ଡପାତି ସହିନେବାକୁ ହେବ ସେ ଆଦେଶ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇ ପ୍ରାର୍ଥନା କରି ନିବେଦନ କଲେ ସେ–ହେ ପ୍ରଭୁ ଶ୍ରୀଜଗନ୍ନାଥ ! ତୁମେ ଏ ଚକ୍ରାନ୍ତର ସୁବିଚାର କର । କେଉଁ ଗ୍ରନ୍ଥ ତୁମର ଆଦରାଣୀୟ ତାହା ସୁଚାଇଦିଅ ଏବଂ ସମ୍ମାନ ପ୍ରଦାନ କର ଭକ୍ତକବି ଜୟଦେବଙ୍କୁ ।

 

ଏଭଳି ପ୍ରାର୍ଥନା ପରେ ସେ ଛୁଟିଗଲେ ବାଙ୍କୀମୁହାଣୀ ନଦୀ ତୀର ଶ୍ରୀଜୟଦେବଙ୍କ କୁଟୀରକୁ । ବ୍ୟଥିତ ଗଳାରେ କହିଉଠିଲେ ଶ୍ରୀଜୟଦେବ ଏବଂ ପଦ୍ମାବତୀଙ୍କୁ ଲକ୍ଷ୍ୟକରି–“ଶୁଣିଛନ୍ତି ବନ୍ଧୁ ! ରାଜାଙ୍କର ଆଦେଶ, ଆଗାମୀ ଗୋଷ୍ଟାଷ୍ଟମୀ ଦିନଠାରୁ ଶ୍ରୀମନ୍ଦିରରୁ ଗୀତଗୋବିନ୍ଦ ଗାନ ନିଷିଦ୍ଧ ହୋଇ ଆରମ୍ଭ ହେବ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ଅଭିନବ ଗୀତଗୋବିନ୍ଦ ଗାନ-।”

 

ହସି ହସି ଉତ୍ତର ଦେଲେ ଜୟଦେବ–“ଏ ତ ଆନନ୍ଦର କଥା ବନ୍ଧୁ ପରାଶର ରାଜଗୁରୁ । ଅନେକ ଦିନ ଗୀତଗୋବିନ୍ଦ ଶ୍ରୀମନ୍ଦିରରେ ପରିବେଷିତ ହୋଇ ଭକ୍ତଜନଙ୍କୁ ଆନନ୍ଦ ପ୍ରଦାନ କରିଛି-। ସାଫଲ୍ୟ ଲାଭ କରିଛି । ଏବେ ଭକ୍ତ ତର୍କ ବାଚସ୍ପତିଙ୍କ ଅଭିନବ ଗୀତଗୋବିନ୍ଦ ପାଠ କରାଯାଉ-। ଭକ୍ତଜନମାନେ ତୁଳନାତ୍ମକ ଭାବେ ଗ୍ରନ୍ଥର ବିଚାର କରନ୍ତୁ । ରସ ଆସ୍ଵାଦନ କରନ୍ତୁ-। ପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ନୂତନ ରସର ପ୍ଳାବନରେ ଆହ୍ଲାଦିତ ହୁଅନ୍ତୁ । ସେ ପାଇଁ ଆପଣଙ୍କ ମନରେ ଦୁଃଖ କାହିଁକି ? ବରଂ ଆମେ ନିଜେ ଉପସ୍ଥିତ ରହି ଏପରି ଗ୍ରନ୍ଥର ସଫଳ ପରିବେଷଣରେ ସହାୟକ ହେବା, ଉତ୍ସାହ ଉଦ୍ଦୀପନା ଯୋଗାଇ ଦେବା ।”

 

ଜୟଦେବଙ୍କ ଉତ୍ତର ଶୁଣି ନୀରବ ହୋଇଗଲେ ବନ୍ଧୁ, ପରାଶର ରାଜଗୁରୁ । ଦୀର୍ଘ ନିଃଶ୍ଵାସ ପକାଇଲେ କେତେ କ’ଣ ଚିନ୍ତା କରି ।

 

ଗୋଷ୍ଟାଷ୍ଟମୀ ଦିନ ଆଗେଇ ଆସିଲା । ଅଗଣିତ ଭକ୍ତଜନଙ୍କ ହୃଦୟରେ ଦେଖାଦେଲା ଆବେଗ ଅଭିନବ ଗୀତଗୋବିନ୍ଦର ଶ୍ରବଣ ପାଇଁ ।

 

ସେଦିନ ଗୋଷ୍ଟାଷ୍ଟମୀ । ସମଗ୍ର ଶ୍ରୀମନ୍ଦିର ଭରପୂର ଜନସମୁଦ୍ରର ହିଲ୍ଲୋଳରେ । ହୁଳହୁଳି ହରିବୋଲ ନିନାଦି ଆବେଗ ଭରିଛି ସବୁରି ପ୍ରାଣରେ । ଆଜି ନିଜେ ଗଜପତି କାମାର୍ଣ୍ଣବଦେବ ଆଗମନ କରିବେ ଶ୍ରୀମନ୍ଦିରକୁ ଅଭିନବ ଗୀତଗୋବିନ୍ଦର ଶ୍ରବଣ ପାଇଁ ।

 

ଉଲ୍ଲସିତ ଚିତ୍ତରେ ନାଟମନ୍ଦିରରେ ଉପସ୍ଥିତ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ।

ବାଜିଉଠିଲା ଭେରୀ, ତୁରୀ, ମହୁରୀ । ବିଜେକଲେ ଗଜପତି କନ୍ୟା କୁମାର ଚନ୍ଦ୍ରିକାଙ୍କ ସହିତ । ଉପବେଶନ କଲେ ନାଟମନ୍ଦିରର ସମ୍ମୁଖ ପାର୍ଶ୍ଵରେ । ଦକ୍ଷିଣ ପାର୍ଶ୍ଵରେ ଆସନ ଗ୍ରହଣ କଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ଏବଂ ବାମ ପାର୍ଶ୍ଵରେ କୁମାରୀ ଚନ୍ଦ୍ରିକା । ନାଟମନ୍ଦିରର କେନ୍ଦ୍ରଭାଗରେ ଆସ୍ଥାନ ଉପରେ ସଜ୍ଜିତ ହୋଇ ରହିଥିଲା ଅଭିନବ ଗୀତଗୋବିନ୍ଦ ପୋଥି । ତା’ର ଚତୁର୍ଦ୍ଦିଗରେ ଘେରି ବସିଥିଲେ ପରିବେଷଣକାରୀ ସଙ୍ଗୀତଜ୍ଞ ନୀଳାଦ୍ରୀ ପାଟଯୋଷୀ ଏବଂ ବାଦ୍ୟକାର ବିଶ୍ୱେଶ୍ଵର ପାଲଟା ସିଂହ ।

ଅଭିନବ ଗୀତଗୋବିନ୍ଦର ଶୁଭାରମ୍ଭକୁ ଅପେକ୍ଷା କରି ଉତ୍କଣ୍ଠିତ ଚିତ୍ତରେ ଚାହିଁ ରହିଥିଲେ ଭକ୍ତଜନ । ହଠାତ୍ ବାଜିଉଥିଲା ମାଙ୍ଗଳିକ ଦକ୍ଷିଣାବର୍ତ୍ତ ଶଙ୍ଖ । ତା’ ସାଙ୍ଗକୁ ହୁଳହୁଳି ହରିବୋଲ ଧ୍ଵନିରେ ନିନାଦିତ ହେଲେ ଶ୍ରୀମନ୍ଦିର । ପଖାଉଜରେ ତାଳ ଦେଲେ ବାଦ୍ୟକାର ବିଶ୍ଵେଶ୍ଵର ପାଲଟା ସିଂହ । ସ୍ଵର ଧରିଲେ କଣ୍ଠଶିଳ୍ପୀ ନୀଳାଦ୍ରୀ ପାଟଯୋଷୀ ।

ଏପରି ସମୟରେ ଏକ ଅଦ୍ଭୁତ ପ୍ରଳୟଙ୍କରୀ ଶବ୍ଦ ସୃଷ୍ଟି ହେଲା ନାଟମନ୍ଦିରର ଗମ୍ବୁଜ ଦେହରେ । ସେ ଶବ୍ଦରେ ଦୋହଲି ଉଠିଲା ସମଗ୍ର ଶ୍ରୀମନ୍ଦିର । ଭୀତ, ଚକିତ, ତ୍ରସ୍ତ ହୋଇପଡ଼ିଲେ ସଙ୍ଗୀତଜ୍ଞ, ବାଦ୍ୟକାର, କୁମାରୀ ଚନ୍ଦ୍ରିକା, ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା, ଗଜପତି କାମାର୍ଣ୍ଣବଦେବ ଏବଂ ଉପସ୍ଥିତ ଭକ୍ତଜନ । ମୁହୂର୍ତ୍ତକ ମଧ୍ୟରେ ଭୂପତିତ ହେଲେ ଏକ ବିଶାଳ ଶିଳାଖଣ୍ଡ ଠିକ୍ କେନ୍ଦ୍ରାଞ୍ଚଳରେ ଅଭିନବ ଗୀତଗୋବିନ୍ଦ ପୋଥିର ଆସ୍ଥାନ ଉପରେ । ଛିଟିକି ଚତୁର୍ଦ୍ଦିଗକୁ ବିଛାଡ଼ି ହୋଇପଡ଼ିଲା ଭଗ୍ନ ଶିଳାଖଣ୍ଡ । ସେ ଭଗ୍ନ ଶିଳାଖଣ୍ଡର ଆଘାତରେ ସାମାନ୍ୟ ଆହତ ହେଲେ ବାଦ୍ୟକାର, ସଙ୍ଗୀତଜ୍ଞ, କୁମାରୀ ଚନ୍ଦ୍ରିକା ଏବଂ ବାଚସ୍ପତି ଦିବାକର ମିଶ୍ର ଶର୍ମା । ଖଣ୍ଡ ବିଖଣ୍ଡିତ ହୋଇଗଲା ନିନାଦିତ ହେଉଥିବା ପଖାଉଜଟି ।

ଭୟ ଏବଂ ଆତଙ୍କରେ ଦଣ୍ଡାୟମାନ ହୋଇ ପଡ଼ିଲେ ସମସ୍ତେ । କଣ୍ଠ ଥରାଇ ଚିତ୍କାର କଲେ ଭକ୍ତଜନ–“ଏ ବିପଦରୁ ଉଦ୍ଧାର କର ମହାପ୍ରଭୁ...ରକ୍ଷାକର ରକ୍ଷାକର ।”

ଥରୁଥିଲେ କୁମାରୀ ଚନ୍ଦ୍ରିକା ଜୀବନ ବିକଳରେ । ମୂକ, ଅଥର୍ବ, ପଥର ପାଲଟି ଯାଇଥିଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ।

ନାଟମନ୍ଦିର ଦେହରୁ ଭିଡ଼ ଠେଲି ଆଗକୁ ଆଗେଇବାରେ ଲାଗିଥିଲେ ଗଜପତି କାମାର୍ଣ୍ଣଦେବ । ତାଙ୍କ ଚକ୍ଷୁ ନିବଦ୍ଧ ଥିଲା ଜଗତର ନାଥ ଜଗନ୍ନାଥଙ୍କ ଚକାଡ଼ୋଳା ଉପରେ । ନିଗିଡ଼ି ପଡ଼ୁଥିଲା ଧାର ଧାର ଅଶ୍ରୁ ଗଣ୍ଡ ଭିଜାଇ ।

ରତ୍ନସିଂହାସନ ନିକଟରେ ଉପସ୍ଥିତ ହେଲେ ସେ । ଲକ୍ଷ୍ୟ କଲେ ବିଗ୍ରହମାନଙ୍କୁ । ସତେଅବା କମ୍ପିତ ହେଉଛି ରତ୍ନବେଦୀ । ଶିହରଣ ସୃଷ୍ଟି ହେଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ଆଶୁ ପ୍ରଳୟର ଆଶଙ୍କା କରି । ଚିତ୍କାର କରି କାନ୍ଦି ଉଠି ଭୂମିରେ ନତଜାନୁ ହୋଇ ବସିପଡ଼ିଲେ କାମାର୍ଣ୍ଣବଦେବ ଯୋଡ଼ ହସ୍ତରେ । ଡାକୁଥିଲେ ଆର୍ତ୍ତ ସ୍ଵରରେ–ମୋତେ କ୍ଷମାକର...ମୋତେ କ୍ଷମାକର ମହାବାହୁ । ମୁଁ ଆପଣଙ୍କ ନିର୍ଦ୍ଦେଶରୁ ବହିର୍ଭୂତ ହୋଇ ପାପ କରିଛି । ମୋତେ ଶାସ୍ତି ଦିଅ-

ସତେଅବା କମ୍ପନ ସୃଷ୍ଟି ହୋଇଥିଲା ବଡ଼ସିଂହାର ବେଶର ପୁଷ୍ପରାଜିରେ, ମଥାରେ ଖଚିତ ମଥାମଣିରେ, କର୍ଣ୍ଣରେ ଖଚିତ କୁଣ୍ଡଳରେ ଏବଂ ସୁସଜ୍ଜିତ ଅଙ୍ଗବାସରେ । କହୁଥିଲେ ଦିଅଁମାନେ ରୁଦ୍ର ଆବେଗରେ ତୁମେ ଆମର ଆଦେଶ ଅମାନ୍ୟ କଲ କାହିଁକି ଗଜପତି ? ସେହି ଦୋଷ ପାଇଁ ଶାସ୍ତି ଭୋଗକଲ ଆଜି ଏହି ପବିତ୍ର ମୁହୂର୍ତ୍ତରେ ।

ଆଉ ନିଜକୁ ସମ୍ଭାଳି ନପାରି ଭୂମିରେ ଲୋଟି ପଡ଼ିଲେ ଗଜପତି କାମାର୍ଣ୍ଣବଦେବ । ଠୋ ଠୋ କରି ମୁଣ୍ଡ ପିଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ନିଜ ଦୋଷର କ୍ଷମା ପାଇଁ ।

ଅନୁଭବ କଲେ ସେ–କହୁଛନ୍ତି ଦିଅଁମାନେ । ହଉ, ଏଥର ଉଠ ଗଜପତି । ତୁମ ଆଦେଶ ତୁମେ ପ୍ରତ୍ୟାହାର କରିନିଅ । ସେତିକିରେ ଆମେ ହେବୁ ସନ୍ତୁଷ୍ଟ ।

ଉଠିଲେ ଗଜପତି କାମାର୍ଣ୍ଣବଦେବ । ଚିତ୍କାର କଲେ ଉଦ୍‌ବେଳିତ କଣ୍ଠରେ–“ମୁଦିରସ୍ତ, ଭିତରଚ୍ଛୁ ମହାପାତ୍ର, ପଟୁଆରୀ ! ବାଙ୍କୀମୁହାଣୀ ନଦୀ ତୀର କୁଟୀରରୁ ଭକ୍ତକବି ଜୟଦେବ ଏବଂ ସତୀ ପଦ୍ମାବତୀଙ୍କୁ ମୋର ଅନୁରୋଧ ଜଣାଇ ଡାକିଆଣ । ନାଟମନ୍ଦିରକୁ ପୁନର୍ବାର ସଜାଇ ନୂତନ ପଖାଉଜ ଯୋଗାଇଦିଅ । ଏଇ ମୁହୂର୍ତ୍ତରୁ ପୁଣି ନାଟମନ୍ଦିରରେ ପରିବେଷିତ ହେବ ପବିତ୍ର ଶ୍ରୀ ଗୀତଗୋବିନ୍ଦ ।”

ରାଜାଦେଶ ପାଇ ବାଙ୍କୀମୁହାଣୀ ନଦୀ ତୀର କୁଟୀର ଆଡ଼େ ଧାଇଁବାକୁ ଲାଗିଲେ ମୁଦିରସ୍ତ, ଭିତରଚ୍ଛ ମହାପାତ୍ର ଏବଂ ପଟୁଆରୀ ।

ଏତିକିବେଳେ ଭିଡ଼ ଠେଲି ମହାରାଜ ଗଜପତି କାମାର୍ଣ୍ଣବଦେବଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ପରାଶର ରାଜଗୁରୁ । ଯୋଡ଼ି ହସ୍ତରେ କହିଲେ ଉଚ୍ଚ କଣ୍ଠରେ–“ଏଇ ଜନଗହଳି ମଧ୍ୟରେ ଭକ୍ତ କବି ଜୟଦେବ ଏବଂ ସତୀ ପଦ୍ମାବତୀ ମଧ୍ୟ ଉପସ୍ଥିତ ଅଛନ୍ତି ମହାରାଜ ।”

–‘‘ମୋର ଅନୁରୋଧ ସେମାନଙ୍କୁ ଜଣାଇଦିଅ ପରାଶର ରାଜଗୁରୁ ! ମୁଁ ନିଜେ ଆଜି, ଉପସ୍ଥିତ ରହି ଶ୍ରବଣ କରିବି ପବିତ୍ର ଗୀତଗୋବିନ୍ଦ । ରସାଣିତ କରିବି ହୃଦୟ ମନକୁ ।”

ଆଉ ନିଜର ଭାବାବେଗକୁ ରୋକି ନପାରି ଉଚ୍ଚ କଣ୍ଠରେ ଶ୍ରୀ ଗାତଗୋବିନ୍ଦ ଗାନ କରିବାକୁ ଆରମ୍ଭ କରିଦେଲେ ପରାଶର ରାଜଗୁରୁ । ସ୍ତବ୍‌ଧ ହୋଇଗଲା ଜନସମୁଦ୍ରର କୋଳାହଳ-। ଲୋତକପୂର୍ଣ୍ଣ ଚକ୍ଷୁରେ ଭକ୍ତକବି ଜୟଦେବ କୃତ ଗୀତଗୋବିନ୍ଦର ଅମୃତ ରସ ଆସ୍ଵାଦନ କରୁ କରୁ ନାଟମନ୍ଦିର ଆଡ଼େ ଆକର୍ଷିତ ହୋଇ ଆସିଲେ ଗଜପତି କାମାର୍ଣ୍ଣବଦେବ । ଏତିକିବେଳେ ନାଟମନ୍ଦିରର ଦେହରେ ଶବ୍ଦ ଝଙ୍କାର ସୃଷ୍ଟି କଲା ଭକ୍ତକବି ଜୟଦେବଙ୍କ ପଖାଉଜ ବାଦ୍ୟ-। ପରାଶର ରାଜଗୁରୁଙ୍କ ସଙ୍ଗୀତ ଏବଂ ଶ୍ରୀ ଜୟଦେବଙ୍କ ବାଦ୍ୟ ସହିତ ତାଳଦେଇ ଅଭିନବ ନୃତ୍ୟର ମୁଦ୍ରା ପ୍ରଦର୍ଶନ କରି ନାଚିଉଠିଲେ ସତୀ ପଦ୍ମାବତୀ । ତାଙ୍କ ନୟନରୁ ଝରୁଥିଲା ରାଧାକୃଷ୍ଣ ପ୍ରେମରସର ନିର୍ଝର । ପଦଯୁଗଳର ଚଳଚଞ୍ଚଳ ଗତିରେ ନବ ଉନ୍ମାଦନା ସୃଷ୍ଟି ହୋଇଥିଲା ନାଟମନ୍ଦିରରେ ପଣ୍ଡିତ ପ୍ରସ୍ଥର ଖଣ୍ଡ ଦେହରେ । ସେହି ପ୍ରସ୍ଥର ଖଣ୍ଡକୁ ପରିକ୍ରମା କରି ନାଚି ନାଚି ଭକ୍ତଜନଙ୍କ ପ୍ରାଣରେ ଛୁଟାଇଦେଲେ ସେ ଅପୂର୍ବ ମନ୍ଦାକିନୀ ।

ମନେକରୁଥିଲେ ଗଜପତି କାମାର୍ଣ୍ଣବଦେବ । ସତେଅବା ବିନୋଦିନୀ ରାଧିକା ଅବତରଣ କରିଛନ୍ତି ନାଟମନ୍ଦିରରେ ଭକ୍ତଜନଙ୍କ ପ୍ରାଣରେ ଶୀଳଳତା ଭରିଦେବା ପାଇଁ । ଅନାଇ ରହିଛନ୍ତ କୁମାରୀ ଚନ୍ଦ୍ରିକା ସୁନ୍ଦର ପଦ୍ମାବତୀଙ୍କ ଅଙ୍ଗ ଲାବଣ୍ୟକୁ ।

 

ହତାଶ ହୋଇଛନ୍ତି ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ଏ କେବଳ ତାଙ୍କ ଅଭିନବ ଗୀତଗୋବିନ୍ଦ ପ୍ରତି ଅପମାନ ନୁହେଁ–ସେ ପ୍ରତ୍ୟାଖ୍ୟାତ ହୋଇଛନ୍ତି ସ୍ଵୟଂ ଦେବ ଦେବ ଜଗନ୍ନାଥଙ୍କ ଦ୍ୱାରା । ଏଥର ଲୋକେ ତାଙ୍କୁ ପରିହାସ କରିବେ, ତାତ୍ସଲ୍ୟ କରି ମନ୍ତବ୍ୟ ପ୍ରକାଶ କରିବେ । ତେବେ ସେ ହୀନ ଜୀବନ ଧାରଣ କରି ଲାଭ କ’ଣ ? ଦୀର୍ଘ ଦିନର ସାଧନା ପ୍ରସ୍ତୁତ ଅଭିନବ ଗୀତଗୋବିନ୍ଦ ଯଦି ଶ୍ରୀଜଗନ୍ନାଥଙ୍କ ସମର୍ଥନ ଲାଭ କରି ନ ପାରିଲା ତେବେ ଆତ୍ମହତ୍ୟା ଶ୍ରେୟସ୍କର-

 

ନାଟମନ୍ଦିରରୁ ବହିର୍ଗତ ହୋଇ ବାଇଶି ପାବଚ୍ଛରେ ପାଦ ପକାଇ ବଡ଼ଦାଣ୍ଡ ଉପରକୁ ଓହ୍ଳାଇ ଆସିଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ଅଶାନ୍ତ ତାଙ୍କର ପ୍ରାଣ, ବିଦୀର୍ଣ୍ଣ ହୃଦୟ ମଣ୍ଡଳ । ଲୋତକପୂର୍ଣ୍ଣ ହୋଇଉଠୁଥିଲା ଚକ୍ଷୁ, ଯୁଗଳ ଈର୍ଷା, ଅପମାନ ଏବଂ ନୈରାଶ୍ୟରେ ।

 

ଆଗରୁ ଆଗକୁ ପାଦ ବଢ଼ାଇଲେ ସେ । ଗୋଷ୍ଟାଷ୍ଟମୀର ଚନ୍ଦ୍ରକିରଣ ତାଙ୍କ ଦେହରେ ବିଦ୍ଧ ହେବାରେ ଲାଗିଲା ସହସ୍ର ସୂଚୀ ପରି ।

 

ନିର୍ଜନ ରାଜପଥ ଉପରେ ଏକାକୀ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ମନେ କରୁଛନ୍ତି ସେ–ଜୀବନ ପଥରେ ନାହାନ୍ତି ଏକାକୀ ସେ । ସ୍ଵୟଂ ଜଗନ୍ନାଥ ମଧ୍ୟ ତାଙ୍କ ସାଧନାର ବିରୋଧୀ । ତେବେ କାହିଁକି ଏ କାବ୍ୟ ସାଧନା ? ଶାସ୍ତ୍ର ଆଲୋଚନା । ସମର୍ଥନହୀନ ଜୀବନ ପରିବର୍ତ୍ତେ ମୃତ୍ୟୁ ହିଁ ସ୍ଵାଗତଯୋଗ୍ୟ ।

 

ଚାଲି ଚାଲି ମହୋଦଧି ନିକଟରେ ଉପସ୍ଥିତ ହେଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ଆଗରେ ନୀଳ ମହୋଦଧି । ବିଚିମାଳା ମଥା ପିଟୁଛି ତୀର ଦେଶରେ । ସ୍ଵାଗତ କରୁଛି ସେ ବିଚିମାଳା ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କୁ । ମିଶିଯିବାକୁ ହେବ ସେହି ମହୋଦଧିର ଅନନ୍ତଗର୍ଭରେ । କେହି ଜାଣିବେ ନାହିଁ...କେହି ଶୁଣିବେ ନାହିଁ । ଚିରଦିନ ଲୋପ ପାଇଯିବ ହତାଶର କଳଙ୍କ ।

 

ଲହରୀମାଳା ପଦ ସ୍ପର୍ଶ କଲା ଦିବାକର ମିଶ୍ର ଶର୍ମାଙ୍କର । ତଥାପି ତାଙ୍କ ଗତି ଅବାରିତ-। ସେ ନିଶ୍ଚିହ୍ନ ହୋଇଯିବାକୁ ଚାହାନ୍ତି ଲହରୀମାଳା ଦେହରେ ।

 

ଏଥର ମହୋଦଧିର ଉତ୍ତାଳ ତରଙ୍ଗରେ ହଜିଗଲେ ସେ । ନାଚୁଥିଲା ଅଷ୍ଟମୀର ଚନ୍ଦକିରଣ ସେହି ତରଙ୍ଗର ଜଳରାଶି ଉପରେ ।

 

ରାତ୍ରି ଶେଷ ହୋଇଗଲା । ପୂର୍ବକାଶ ପାଟଳ ରଙ୍ଗରେ ରଞ୍ଜିତ ହୋଇଉଠିଲା । ନିଜକୁ ଆବିଷ୍କାର କଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ସ୍ଵର୍ଗଦ୍ଵାରର ଉପକୂଳ ବାଲୁକାଶଯ୍ୟା ଉପରେ । ଆଶ୍ଚର୍ଯ୍ୟାନ୍ଵିତ ହେଉଥିଲେ ସେ । ସେ ଯେ ଜୀବିତ ! ମହୋଦଧି ଫେରାଇ ଦେଇଛି ସସମ୍ମାନେ ଉପକୂଳ ବାଲୁକାଶଯ୍ୟା ଉପରେ ।

 

ମନେ ପକାଉଥିଲେ ଦିବାକର ମିଶ୍ର ଶର୍ମା ଗତ ରାତ୍ରିରେ ସମୁଦ୍ର ମଧ୍ୟରେ ପ୍ରବେଶ କରିବାର କାହାଣୀ । ଉତ୍ତାଳ ତରଙ୍ଗରେ ସେ ମହୋଦଧି ଗର୍ଭ ମଧ୍ୟକୁ ପ୍ରବେଶ କରିବା ପରେ ତୋଳିଧରିଥିଲେ କୋଳରେ ଜଣେ କୃଷ୍ଣକାୟ ପୁରୁଷ । କହିଥିଲେ ମସ୍ତକରେ ହସ୍ତ ସଞ୍ଚାଳନ କରି ଆତ୍ମହତ୍ୟା ଭୀରୁତାର ପରିଚୟ ବତ୍ସ ! ତୁମେ ଶାସ୍ତ୍ରଜ୍ଞ । ପୁଣି ଭୀରୁ ଭୟାତୁର ଈର୍ଷାପର ହେଉଛ କାହିଁକି ? ତୁମର ଭକ୍ତିରେ ମଧ୍ୟ ମୁଁ ସନ୍ତୁଷ୍ଟ, ତୁମର ବ୍ୟାକୁଳତାରେ ମଧ୍ୟ ମୁଁ ବ୍ୟତିବ୍ୟସ୍ତ ।

 

ତୁମେ ମହାନ ଭଗବତ୍‌ପ୍ରେମୀ ବିଷ୍ଣୁ ଭକ୍ତ । ତୁମ ରଚିତ ଅଭିନବ ଗୀତଗୋବିନ୍ଦ ମୋର ପ୍ରିୟ ଗ୍ରନ୍ଥ । କିନ୍ତୁ ମୋର ସମସ୍ତ ପ୍ରିୟ ଗ୍ରନ୍ଥ କ’ଣ ଶ୍ରୀମନ୍ଦିରରେ ପାଠ କରିବାର ସୁଯୋଗ ଲାଭ କରିବା ସମ୍ଭବପର ବତ୍ସ ! ସେଥିପାଇଁ ତୁମେ ଅଧୀର କାହିଁକି ? ଭବିଷ୍ୟତ ବଂଶଧରମାନଙ୍କ ଦ୍ଵାରା ଅଭିନବ ଗୀତଗୋବିନ୍ଦ ସମାଦର ଲାଭ କରିବ ! ତୁମେ ହୃଦୟ ଶାନ୍ତ କରି ଗୃହକୁ ପ୍ରତ୍ୟାବର୍ତ୍ତନ କର । ମନରୁ ଈର୍ଷାଦ୍ଵେଷ ଅଭିମାନ ଦୂର କରିଦିଅ । ଆଶ୍ରିତ ହୁଅ ମୋର ପଦତଳେ ରାଜ ସମ୍ମାନ ଲାଭକରି ।”

 

କିଏ ? ସେହି କୃଷ୍ଣକାୟ ଦିବ୍ୟକାନ୍ତବାନ୍ ସୁପୁରୁଷ ? ସ୍ଵୟଂ ନୀଳାଚଳ ନାଥ ଶ୍ରୀଜଗନ୍ନାଥ ! ରତ୍ନସିଂହାସନ ତ୍ୟାଗକରି ମୋତେ ରକ୍ଷା କରିବା ପାଇଁ ମହୋଦଧିର ଅତଳ ଜଳରାଶି ମଧ୍ୟରେ ପ୍ରବେଶ କରିଥିଲେ ସେ !–ଧନ୍ୟ ଧନ୍ୟ ତୁମେ ଜଗନ୍ନାଥ ! ଧନ୍ୟ ତୁମର ଅପାର କରୁଣା ।

 

ତର୍କ ବାଚସ୍ପତି ଦିବାକାର ମିଶ୍ର ଶର୍ମାର ପ୍ରାଣ ପବିତ୍ର ହୋଇଯାଇଛି ପ୍ରଭୁ ! ଆଉ ସେ ଚାହେଁ ନାହିଁ ସମ୍ମାନ, ସମର୍ଥନ, ସମବେଦନା, ସ୍ଵୀକୃତୀ । ଏହି ସ୍ଵୀକୃତି ହିଁ ଚରମ ସାଫଲ୍ୟ ମହାପ୍ରଭୁ ! ମୋର ଅହମିକା ପାଇଁ ମୋତେ କ୍ଷମାକର, ମୋର ଈର୍ଷା ପାଇଁ ମୋତେ ଶାନ୍ତି ପ୍ରଦାନ କର ।

 

ଗଡ଼ିବାକୁ ଲାଗିଲେ ତର୍କ ବାଚସ୍ପତି ପଣ୍ଡିତ ଦିବାକର ମିଶ୍ର ଶର୍ମା ମହୋଦଧିର ବାଲୁକା ରାଶି ଉପରେ । ଅନୁଭବ କରୁଥିଲେ ସେ–ସତେଅବା ନୀଳ ଜଳରାଶି ମହାପ୍ରଭୁ ଶ୍ରୀଜଗନ୍ନାଥ ହୋଇ ସ୍ପର୍ଶ କରୁଛି ତାଙ୍କ ଅଙ୍ଗ । ଆର୍ଶୀବାଦ କରୁଛି ବିଷ୍ଣୁର ସାପ୍ଳୁତ ପ୍ରାଣର ସାଫଲ୍ୟ ପାଇଁ ।

 

ଦଣ୍ଡାୟମାନ ହେଲେ ସେ ବାଲୁକା ରାଶି ଉପରେ । ପ୍ରତ୍ୟାବର୍ତ୍ତନ କରିବେ ସ୍ଵଗୃହକୁ ? ନାଁ...ସେ ଗୃହ ପରିବର୍ତ୍ତେ ଯାତ୍ରା କରିବେ ବାଙ୍କୀମୁହାଣୀ ନଦୀ ତୀର ଭକ୍ତ ଶ୍ରୀ ଜୟଦେବଙ୍କ କୁଟୀରକୁ । ମନରୁ ଈର୍ଷା, ଦ୍ଵେଷ, ପରଶ୍ରୀକାତରତା ତେଜି ଅଭିନନ୍ଦନ ଜଣାଇବେ ତାଙ୍କୁ ସାଫଲ୍ୟ ପାଇଁ । ଗ୍ରହଣ କରିବେ ସମଧର୍ମା ବନ୍ଧୁ ଭାବେ । ଲୋଟିପଡ଼ିବେ ତାଙ୍କ ପାଦତଳେ ନିଜ କୃତ ପାପ ପାଇଁ ।

 

ଆଗେଇଲେ ପଣ୍ଡିତ ଦିବାକର ମିଶ୍ର ଶର୍ମା । ଉପସ୍ଥିତ ହେଲେ ବାଙ୍କୀମୁହାଣୀ ନଦୀ ତୀର ଶ୍ରୀ ଜୟଦେବଙ୍କ କୁଟୀର ସମ୍ମୁଖରେ । ଦୃଷ୍ଟି ନିକ୍ଷେପ କଲେ କୁଟୀର ମଧ୍ୟକୁ । ଶୋଭା ପାଉଛନ୍ତି ଶ୍ରୀରାଧାମାଧବଙ୍କ ବିଗ୍ରହ । ସେବାରତ ଭକ୍ତ ଜୟଦେବ ସ୍ନାନ ଶେଷ କରି । ନିକଟରେ ଧ୍ୟାନରତା ସତୀ ପଦ୍ମାବତୀ ।

 

କୁଟୀର ମଧ୍ୟକୁ ପ୍ରବେଶ କରି ଏକ ଲୟରେ ସେ ଚକ୍ଷୁ ନିବଦ୍ଧ କଲେ ଶ୍ରୀ ରାଧାମାଧବଙ୍କ ବିଗ୍ରହ ଉପରେ । ଅନେକ ସମୟ ବିତିଗଲା । ସେବା ଶେଷ ହେଲା ଭକ୍ତ ଜୟଦେବଙ୍କର । ଦଣ୍ଡାୟମାନ ହେଲେ ସେ ଭିକ୍ଷା ଉଦ୍ଦେଶ୍ୟରେ ଯାତ୍ରା କରିବା ପାଇଁ । ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ ତର୍କ ବାଚସ୍ପତି ପଣ୍ଡିତ ଦିବାକର ମିଶ୍ର ଶର୍ମାଙ୍କୁ ସମ୍ମୁଖରେ ଦର୍ଶନ କରି ।

 

ନତଜାନୁ ହୋଇ ଶ୍ରୀଜୟଦେବଙ୍କ ପଦସ୍ପର୍ଶ କରି ଦିବାକର ମିଶ୍ର ଶର୍ମା କହୁଥିଲେ ବିହ୍ଵଳିତ ଚିତ୍ତରେ–ମୋର ଈର୍ଷା ଦ୍ଵେଷ ଅହମିକା ପାଇଁ ମୋତେ କ୍ଷମାକର ଭକ୍ତ ଜୟଦେବ । ମୋତେ ଉପଯୁକ୍ତ ଶାସ୍ତି ପ୍ରଦାନ କର ।

 

ଆନନ୍ଦ ଗଦ୍‌ଗଦ୍ ଚିତ୍ତରେ ତର୍କ ବାଚସ୍ପତି ଦିବାକାର ମିଶ୍ର ଶର୍ମାଙ୍କୁ ଉଠାଇନେଲେ । ଶ୍ରୀ ଜୟଦେବ । ଭିଡ଼ିଧରିଲେ ନିଜ ବକ୍ଷ ଦେଶରେ । କହିଲେ ଆନନ୍ଦର ହୋଇ–‘‘ଏ କ’ଣ କରୁଛନ୍ତି ତର୍କ ବାଚସ୍ପତି ?ଆପଣ ଯେ ମହାନ କାବ୍ୟ ସାଧକ ଭକ୍ତ, ମୋର ସମଧର୍ମା ବନ୍ଧୁ ।”

 

–‘‘ମୁଁ ଆପଣଙ୍କର ବନ୍ଧୁ, ନୁହେଁ ଶତ୍ରୁ ଭକ୍ତ ଜୟଦେବ ! ମୋତେ କ୍ଷମା ଗୁଣରେ କ୍ଷମା କରନ୍ତୁ ।”

 

ଆହୁରି ହସିଲେ ଜୟଦେବ । କହିଲେ–“ଆପଣ ସତ୍ୟର ଅପଳାପ କରୁଛନ୍ତି ତର୍କ ବାଚସ୍ପତି ! ଆପଣ ମଧ୍ୟ ମହାନ୍ ଭକ୍ତ, ମହାନ୍‍ ସାଧକ, ସମଧର୍ମା କାବ୍ୟ ସ୍ରଷ୍ଟା । କ୍ଷଣିକ ଉତ୍ତେଜନାରେ ଯଦି କେବେ ଶତ୍ରୁତା କରିଥାନ୍ତି ତାହା ଆପଣଙ୍କ କବି ପ୍ରାଣକୁ ସ୍ପର୍ଶ କରିପାରିନାହିଁ । ସେ ଶତ୍ରୁତା କେବଳ ବାହ୍ୟ ଆତ୍ମସନ୍ତୋଷ ପାଇଁ ।”

 

–‘‘ତଥାପି ଆପଣ ମୋତେ କ୍ଷମା କରନ୍ତୁ ଭକ୍ତ ଜୟଦେବ ।”

 

–“ଆପଣ ସେ ନିର୍ଦୋଷ ତର୍କ ବାଚସ୍ପତି । ସ୍ରଷ୍ଟାର ସ୍ଵାଭିମାନ ସେଥିପାଇଁ କ୍ଷମାର ଆବଶ୍ୟକତା ନାହିଁ ।”

 

–“ଭକ୍ତ ଜୟଦେବ !!”

 

ତର୍କ ବାଚସ୍ପତି ଦିବାକର ମିଶ୍ରଙ୍କୁ ସେମିତି ବକ୍ଷ ଉପରେ ଭିଡ଼ିଧରି ଅନୁରୋଧ କରୁଥିଲେ । ସତୀ ପଦ୍ମାବତୀଙ୍କୁ–“ରାଜକବି ତର୍କ ବାଚସ୍ପତି ଭକ୍ତ ଦିବାକର ମିଶ୍ର ଶର୍ମା ଆମ କୁଟୀରରେ, ପାଦ ପକାଇଛନ୍ତି ପଦ୍ମା ! ତାଙ୍କ ପଦସେବା କର । ସାଦର ଅଭିନନ୍ଦନ ଜଣାଅ । ସେ ଆମର ସମଧର୍ମା ପରମବନ୍ଧୁ । ’

 

କାଳ ବିଳମ୍ବ ନିକରି ସତୀ ପଦ୍ମାବତୀ ପଦସେବା କଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କର । ମନେମନେ ଆହ୍ଳାଦିତ ହେଉଥିଲେ ତର୍କ ବାଚସ୍ପତି ।

 

ତା’ପରେ ତାଙ୍କୁ ଆସନ ଉପରେ ଉପବେଶନ କରାଇଲେ ଶ୍ରୀ ଜୟଦେବ । ଅନୁରୋଧ କଲେ ସେ–‘‘ଭକ୍ତ ଜୟଦେବ ! ଆଜିଠାରୁ ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ପରିବେଷିତ ହେବା ସମୟରେ ଉପସ୍ଥିତ ରହି ରାଧାକୃଷ୍ଣ ପ୍ରେମରସ ଆସ୍ଵାଦନ ପାଇଁ ମୋତେ ଅନୁମତି ପ୍ରଦାନ କରନ୍ତୁI”

 

ଦୀର୍ଘ ନିଃଶ୍ଵାସ ପକାଇ କହିଉଠିଲେ ଜୟଦେବ–“ମୁଁ କୃତ୍ୟ କୃତ୍ୟ ହେବି ତର୍କ ବାଚସ୍ପତି ମହୋଦୟ ! ଆପଣଙ୍କ ପରି ଭକ୍ତ ଏବଂ ବିଦଗ୍‌ଧ ବ୍ୟକ୍ତି ଶ୍ରୀ ଗୀତଗୋବିନ୍ଦ ଗାନ ସମୟରେ ଉପସ୍ଥିତ ରହିଲେ ମୋ ମନରେ ଶାନ୍ତି ଆସିବ, ଶ୍ରମ ସାର୍ଥକ ହେବ । ’

 

–‘‘ଆପଣଙ୍କ ରଚିତ ଗୀତଗୋବିନ୍ଦ ସାମାନ୍ୟ ଜଣେ ପଣ୍ଡିତ ଦିବାକର ମିଶ୍ର ଶର୍ମାଙ୍କ ସମର୍ଥନ ଲୋଡ଼େ ନାହିଁ ଭକ୍ତ ଜୟଦେବ ! ସେ କାବ୍ୟ ବିଶ୍ଵବିଖ୍ୟାତ, ସର୍ବଜନାଦୃତ I”

 

–‘‘ଆପଣ ବୃଥା ପ୍ରଶଂସା କରୁଛନ୍ତି ତର୍କ ବାଚସ୍ପତି । କୌଣସି କାବ୍ୟ ଜଗତରେ ଶ୍ରେଷ୍ଠ ନୁହେଁ । ଗୀତଗୋବିନ୍ଦଠାରୁ ଅଧିକ ଭକ୍ତି–ରସାପ୍ଳୁତ କାବ୍ୟ ମଧ୍ୟ ଏ ଜଗତରେ ଦୁର୍ଲ୍ଲଭ ନୁହେଁ ।

 

–“ସ୍ୱୀକାର କରୁଛି ଭକ୍ତ ଜୟଦେବ ! ତଥାପି, ମସ୍ତକ ଅବନତ କରୁଛି ଶ୍ରୀ ଗୀତଗୋବିନ୍ଦ କାବ୍ୟ ନିକଟରେ ।”

 

–‘‘ଆପଣଙ୍କ ରଚିତ ଅଭିନବ ଗୀତଗୋବିନ୍ଦ ମଧ୍ୟ ଏକ ମହାନ୍‍ ସୃଷ୍ଟି ତର୍କ ବାଚସ୍ପତି ! ଭିକ୍ଷା ପାଇଁ ମୁଁ ଯାତ୍ରା କରୁଥିବା ସମୟରେ ଶ୍ରବଣ କରିଛି ସେ ସଙ୍ଗୀତ ନୀଳାଦ୍ରୀ ପାଟ୍ଟଯୋଶୀଙ୍କ କଣ୍ଠରୁ । ସେ ଅଭ୍ୟାସ କରୁଥିଲେ ସେହି ସଙ୍ଗୀତ ତାଙ୍କ ଗୃହର ଅଙ୍ଗନରେ ।”

 

–“ଭକ୍ତ ଜୟଦେବ !!”

 

–“ମୁଁ ଛଳନା କରୁନାହିଁ ତର୍କ ବାଚସ୍ପତି ! ଏ ମୋର ହୃଦୟର ବାଣୀ ।”

 

–“ଆପଣଙ୍କ ସମର୍ଥନ ମୋତେ ଧନ୍ୟ କରିଛି ଯୁଗ ଯୁଗ ପାଇଁ ।”

 

–“ବନ୍ଧୁ ତର୍କ ବାଚସ୍ପତି ! ଆପଣଙ୍କ ପ୍ରବର୍ତ୍ତିତ ରାଧାକୃଷ୍ଣଙ୍କ ପ୍ରେମଭକ୍ତି ମଧ୍ୟ ଅନବଦ୍ୟ-।”

 

–“କିନ୍ତୁ ସେ ଅଭିନବ ଗୀତଗୋବିନ୍ଦକୁ ଯେ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟାଖ୍ୟାନ କରିଛନ୍ତି ଭକ୍ତ ଜୟଦେବ !”

 

–“ଜାଣେ ତର୍କ ବାଚସ୍ପତି । କିନ୍ତୁ ଶ୍ରୀଜଗନ୍ନାଥ କାହାରିକୁ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ । ସେ ଆଶ୍ରୟ ପ୍ରଦାନ କରନ୍ତି ତାଙ୍କ ଚରଣ ତଳେ । କେବଳ ସଚେତନ କରାଇ ଦିଅନ୍ତି ପରମ୍ପରାରୁ ବହିର୍ଭୂତ ହେଲେ ।”

 

–“ତେବେ ଆପଣ ଅଭିନବ ଗୀତଗୋବିନ୍ଦକୁ ସ୍ଵୀକାର କରୁଛନ୍ତି ଭକ୍ତ ଜୟଦେବ ?”

 

–‘‘କେବଳ ସ୍ଵୀକାର ନୁହେଁ, ଅଭିନବ ଗୀତଗୋବିନ୍ଦକୁ ନମସ୍କାର ଜଣାଉଛି ସସମ୍ମାନେ-। ଧନ୍ୟବାଦ ଜଣାଉଛି ଏପରି ଅସାଧାରଣ ସାଧନା ପାଇଁ ।”

 

–“ମୁଁ କୃତାର୍ଥ ହୋଇଗଲି ଭକ୍ତ କବି । ଆପଣଙ୍କ ପଦ ସେବାକରି ହେବି ଆନନ୍ଦିତ ।”

 

–“ମୁଁ କିନ୍ତୁ ଆପଣଙ୍କୁ ଚିରଦିନ ବନ୍ଧୁ ଭାବେ ଗ୍ରହଣ କଲି ତର୍କ ବାଚସ୍ପତି ! ଆସନ ଦେଲି ଏହି ହୃଦୟ ମଧ୍ୟରେ ପ୍ରେମାଲିଙ୍ଗନ କରି ।”

 

–“ଭକ୍ତ ଜୟଦେବ !” ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ଚକ୍ଷୁରୁ ଝରିପଡ଼ୁଥିଲା ଲୋତକର ଧାରା ।

 

ଉଦ୍‌ବେଳିତ ଆନନ୍ଦରେ କହିଉଠିଲେ ଭକ୍ତ ଜୟଦେବ–‘‘ବନ୍ଧୁ ତର୍କ ବାଚସ୍ପତି ! ଏହି ବନ୍ଧୁତ୍ଵର ସ୍ମାରକୀ ସଦୃଶ ଗୀତଗୋବିନ୍ଦ ଗ୍ରନ୍ଥରେ ସ୍ଥାନଲାଭ କରିବ ଅଭିନବ ଗୀତଗୋବିନ୍ଦର ପଂକ୍ତି ।

 

–“ଭକ୍ତ ଜୟଦେବ ! ଆପଣ ଏ କ’ଣ କହୁଛନ୍ତି ?”ଆଶ୍ଚର୍ଯ୍ୟାନ୍ଵିତ ହୋଇ କହିଉଠିଲେ ତର୍କ ବାଚସ୍ପତି ।

 

–“ହଁ ବନ୍ଧୁ ! ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟର ଦ୍ଵାଦଶ ସର୍ଗର ପ୍ରଥମ ଦଶପଦ ଶ୍ଳୋକ ପରିବର୍ତ୍ତେ ସ୍ଥାନ ଲାଭ କରିବ ଆପଣଙ୍କ ରଚିତ ଅଭିନବ ଗୀତଗୋବିନ୍ଦର ଶ୍ଳୋକ । ତାହା ଗାନ କରି ଆନନ୍ଦିତ ହେବେ ଭକ୍ତଜନ । ସ୍ମରଣ କରିବେ ଅଭିନବ ଗୀତଗୋବିନ୍ଦର ମହାତ୍ମ୍ୟ ।”

 

–“ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ତାହା ପ୍ରତ୍ୟାଖ୍ୟାନ କରିବେ ଭକ୍ତ ଜୟଦେବ ।”

 

–‘‘ଅସମ୍ଭବ ତର୍କ ବାଚସ୍ପତି ! ଅଭିନବ ଗୀତଗୋବିନ୍ଦ ମଧ୍ୟ ଶ୍ରୀଜଗନ୍ନାଥଙ୍କର ପ୍ରିୟ ଗ୍ରନ୍ଥ-। ସେ ତାହା ପ୍ରତ୍ୟାଖ୍ୟାନ କରିବେ କାହିଁକି ? ତଥାପି ମୁଁ ଶ୍ରୀଜଗନ୍ନାଥଙ୍କୁ ମୋର ମାଗୁଣି ଜଣାଇବି-। ସେ ସାଦରେ ଗ୍ରହଣ କରିବେ ଅଭିନବ ଗୀତଗୋବିନ୍ଦର ପଂକ୍ତିଗୁଡ଼ିକୁ ।”

 

–‘‘ମୋ ମୁଖରେ ଆଉ ଆନୁଗତ୍ୟର ଭାଷା ନାହଁ ଭକ୍ତକବି ।”

 

–ବନ୍ଧୁ ତର୍କ ବାଚସ୍ପତି ! ଏଥିପାଇଁ ଆବଶ୍ୟକତା ନାହିଁ । ଆଜି ମୁଁ ଦ୍ଵାଦଶ ସର୍ଗର ପ୍ରଥମ ଦଶପଦ ଶ୍ଳୋକ ଗାନ କରାଯିବ ଅଭିନବ ଗୀତଗୋବିନ୍ଦ ଗ୍ରନ୍ଥରୁ । ଶ୍ରୀ ଗୀତଗୋବିନ୍ଦ ଗ୍ରନ୍ଥର ଦ୍ଵାଦଶ ସର୍ଗର ପ୍ରଥମ ଦଶପଦ ଶ୍ଳୋକ ନିଷ୍ଟକରି ଦିଆଯିବ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ।”

 

–‘‘ଅଶେଷ ତପସ୍ୟାର ଫଳ ମୁଁ ଲାଭ କଲି ଭକ୍ତକବି । ଏବେ ମୋର ଜୀବନ ଧନ୍ୟ ହୋଇଛି । ସାଧନା ସିଦ୍ଧ ହୋଇଛି ।” କହୁ କହୁ ଶ୍ରୀ ରାଧାମାଧବଙ୍କ ବିଗ୍ରହ ସମ୍ମୁଖରେ ଲେଖିଗଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶ୍ରର୍ମା । ବିଦାୟ ଘେନିଲେ ବାଙ୍କୀମୁହାଣୀ ନଦୀ ତୀର ଶ୍ରୀ ଜୟଦେବଙ୍କ କୁଟୀରରୁ ପରିତୃପ୍ତ ଆନନ୍ଦରେ ।

 

ସେହିଦିନ ରାତ୍ରିରେ ସର୍ବପ୍ରଥମେ ଗାନ କରାଗଲା ଅଭିନବ ଗୀତଗୋବିନ୍ଦର ଦଶଟି ଶ୍ଳୋକ ଶ୍ରୀ ଗୀତଗୋବିନ୍ଦର ଦ୍ଵାଦଶ ସର୍ଗର ଆଦ୍ୟରେ । ଉପଭୋଗ କଲେ । ଭକ୍ତଜନ ଏହି ଶ୍ଳୋକର ରାଧାକୃଷ୍ଣ ପ୍ରେମରସ । ଶ୍ରୀଗୀତଗୋବିନ୍ଦ ପାଠ ସମୟରେ ନିଜେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ଉପସ୍ଥିତ ରହି ବିହ୍ଵଳିତ ହେଉଥିଲେ ଆନନ୍ଦ ଗଦଗଦ୍‍ ଚିତ୍ତରେ ।

 

ତତ୍ପରେ ନିତିଦିନ ନାଟ ମନ୍ଦିରରେ ଶ୍ରୀ ଗୀତଗୋବିନ୍ଦର ଗବେଷଣ ଆନନ୍ଦିତ କଲା ଭକ୍ତଜନମାନଙ୍କୁ । ପ୍ରତ୍ୟେକଙ୍କ ପ୍ରାଣରେ ଝଂକୃତ ହେଲା ଗୀତଗୋବିନ୍ଦର ସୁର ଝଙ୍କାର । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲା ଶ୍ରୋତା ଏବଂ ଦର୍ଶକଙ୍କ ସଂଖ୍ୟା ।

 

ଗୀତଗୋବିନ୍ଦ ପରିବେଷଣ ସମୟରେ ପ୍ରତ୍ୟେକ ଦିନ ନାଟ୍ୟମନ୍ଦିରରେ ଉପସ୍ଥିତ ରହୁଥିଲେ ଶ୍ରୀ ଜୟଦେବ, ସତୀ ପଦ୍ମାବତୀ, ଭକ୍ତ ବାଚସ୍ପତି ଦିବାକର ମିଶ୍ର ଶର୍ମା ଏବଂ ଭକ୍ତ ପରାଶର ରାଜଗୁରୁ । ସମୟ ବିଶେଷରେ ଉପସ୍ଥିତ ହେଉଥିଲେ ମହାରାଜ ଗଜପତି କାମାର୍ଣ୍ଣବଦେବ ଏବଂ କୁମାରୀ ଚନ୍ଦ୍ରିକା ।

 

ସେଦିନ ଏକାଦଶୀ ତିଥିର ଅପର । ବ୍ରତପାଳନ କରିଥାନ୍ତି ଶ୍ରୀ ଜୟଦେବ ଏବଂ ପଦ୍ମାବତୀ । ନିର୍ଜଳା ବ୍ରତ । କେବଳ ଚଳୁରେ ତୁଳସୀ ମିଶ୍ରିତ ଜଳ ସେବନ ବ୍ୟତୀତ ଅନ୍ୟ କିଛି ସେବନ କରିବେ ନାହିଁ ସେ । ଶ୍ରୀ ରାଧାମାଧବଙ୍କ ସେବା ଶେଷ କରି ବଡ଼ଦାଣ୍ଡକୁ ଚାହିଁଲେ ଜୟଦେବ । ପ୍ରବଳ ଜନ ସମାଗମ ବଡ଼ଦାଣ୍ଡରେ ଆସନ୍ତାକାଲିର ଦୁର୍ଲଭ ଗୋବିନ୍ଦ ଦ୍ଵାଦଶୀ ସ୍ନାନ ପାଇଁ । ଏଇ ଦୁର୍ଲଭ ଯୋଗ ସମୟରେ ମହୋଦଧିରେ ସ୍ନାନ କଲେ ଲାଭ ହୁଏ ସହସ୍ର ଗଙ୍ଗା ସ୍ନାନର ଫଳ ।

 

ପଦ୍ମବତୀଙ୍କୁ ଡାକି କହିଲେ ଭକ୍ତ ଜୟଦେବ–‘‘ପ୍ରିୟେ ! ଆଜି ଆମେ ଶୀଘ୍ର ଯାତ୍ରା କରିବା ଶ୍ରୀମନ୍ଦିର । ଦିଅଁ ଦର୍ଶନ କରି ଆରମ୍ଭ କରିବା ଗୀତଗୋବିନ୍ଦର ପରିବେଷଣ । ଅଳ୍ପ ସମୟ ଗୀତଗୋବିନ୍ଦ ପରିବେଷଣ ପରେ ପ୍ରତ୍ୟାବର୍ତ୍ତନ କରିବା କୁଟୀରକୁ । କାରଣ ଆସନ୍ତାକାଲି ବ୍ରାହ୍ମମୁହୂର୍ତ୍ତରେ ସ୍ନାନ କରିବାକୁ ହେବ ମହୋଦଧି ତୀରକୁ ସ୍ନାନ ଉଦ୍ଦେଶ୍ୟରେ । ଶହ ଶହ ବର୍ଷ ପରେ ଶ୍ରୀକ୍ଷେତ୍ରର ମହୋଦଧିରେ ପଡ଼ିଛି ଏଇ ଦୁର୍ଲଭ ସ୍ନାନଯୋଗ ।”

Unknown

 

ଉତ୍ତର ଦେଲେ ପଦ୍ମାବତୀ–“ମୁଁ ପ୍ରସ୍ତୁତ ହୋଇସାରିଛି ପ୍ରଭୁ । ବନ୍ଧୁ, ପରାଶର ରାଜଗୁରୁ ଏବଂ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ମଧ୍ୟ ଆଜି ସହଳ ଶ୍ରୀମନ୍ଦିରରେ ଉପସ୍ଥିତ ହେବେ ବୋଲି କଥା ଦେଇଯାଇଛନ୍ତି । ଆପଣ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।”

 

–‘‘ମୁଁ ମଧ୍ୟ ପ୍ରସ୍ତୁତ ହୋଇସାରିଛି ପ୍ରିୟେ ! ବାହାରିପଡ଼ ତୁମେ, ଯାତ୍ରା କରିବା ଶ୍ରୀମନ୍ଦିର-।” କହିଲେ ଜୟଦେବ ।

 

ସ୍ଵାମୀଙ୍କ ନିର୍ଦ୍ଦେଶ ଲାଭ କରି ଆଉ ଅପେକ୍ଷା ନକରି ବଡ଼ଦାଣ୍ଡ ଉପରକୁ ଓହ୍ଳାଇ ଆସିଲେ ପଦ୍ମାବତୀ, ପଛେ ପଛେ ଭକ୍ତ ଜୟଦେବ । ଅଳ୍ପ ସମୟ ମଧ୍ୟରେ ସେମାନେ ପହଞ୍ଚିଲେ । ଶ୍ରୀମନ୍ଦିରରେ । ପ୍ରଥମେ ଦିଅଁ ଦର୍ଶନ କରି ଉପସ୍ଥିତ ହେଲେ ନାଟମନ୍ଦିର ନିକଟରେ । ସେତେବେଳକୁ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ଏବଂ ପରାଶର ରାଜଗୁରୁ ଉପସ୍ଥିତ ହୋଇସାରିଥିଲେ ନାଟମନ୍ଦିର ମଧ୍ୟରେ ।

 

ଆଉ ଅପେକ୍ଷା ନକରି ପଖାଉଜରେ ତାଳ ଦେଲେ ଶ୍ରୀ ଜୟଦେବ, ଗୀତଗୋବିନ୍ଦର ସ୍ଵର ଝଙ୍କାର ତୋଳିଲେ ପରାଶର ରାଜଗୁରୁ ଏବଂ ପଦର ନୂପୁର ଧ୍ଵନିରେ ଅନୁରଣିତ କଲେ ପଦ୍ମାବତୀ । ସନ୍ନିକଟରେ ଉପବେଶନ କରି ଉପଭୋଗ କରୁଥିଲେ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ।

 

ଏକାଦଶୀ ତିଥିରେ ଅଧିକ ଜନଗହଳି ଶ୍ରୀମନ୍ଦିର ବେଢ଼ା ମଧ୍ୟରେ । ପୁଣି ଏ ଗହଳି ବହୁଗୁଣିତ ହୋଇଛି ଆସନ୍ତାକାଲିର ଗୋବିନ୍ଦ ଦ୍ଵାଦଶ ଯୋଗ ପାଇଁ । ସେହି ଜନସମୁଦ୍ର ମଧ୍ୟରେ ଗୀତଗୋବିନ୍ଦ ଶ୍ରବଣ ପାଇଁ ପ୍ରବଳ ଆଗ୍ରହ । ଚେଷ୍ଟା କରୁଥିଲେ ସମସ୍ତେ ପରିବେଷଣକାରୀମାନଙ୍କୁ ଦର୍ଶନ କରିବା ପାଇଁ ।

 

ଏତିକିବେଳେ ବନ୍ଦ କଲେ ଶ୍ରୀ ଜୟଦେବ ପଖାଉଜ ବାଦ୍ୟ । ବନ୍ଦ ହୋଇଗଲା ସତୀ ପଦ୍ମାବତୀଙ୍କ ପଦ ନୂପୂରର ଧ୍ୱନି ଏବଂ ବନ୍ଦ ହେଲା ମଧ୍ୟ ପରାଶର ରାଜଗୁରୁଙ୍କ କଣ୍ଠର ଗୀତଗୋବିନ୍ଦ । ଧୀର ଗଳାରେ କହିଲେ ଭକ୍ତ ଜୟଦେବ ଆଜି ଶ୍ରୀ ଗୀତଗୋବିନ୍ଦ ଗାନ ଏତିକିରେ ସମାପ୍ତ ହେଉ । ପୁଣି ଆସନ୍ତାକାଲି ପରିବେଷିତ ହେବ ଅବଶିଷ୍ଟାଂଶ ।

 

ଜୟଦେବଙ୍କ ଅନୁରୋଧ କ୍ରମେ ଉଠିଲେ ସମସ୍ତେ । ବାହୁଡ଼ିବାରେ ଲାଗିଲେ ଗୀତଗୋବିନ୍ଦ ଶ୍ରବଣକାରୀ ଭକ୍ତଜନ ।

 

ବାଇଶି ପାବଚ୍ଛ ଦେଇ ଓହ୍ଳାଇ ଆସୁଛନ୍ତି ଶ୍ରୀଜୟଦେବ, ପଦ୍ମାବତୀ, ପରାଶର ରାଜଗୁରୁ ଏବଂ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ହଠାତ୍ ବାଇଶି ପାବଚ୍ଛ ଉପରୁ ଗୋଡ଼ ଖସିଗଲା ଶ୍ରୀ ଜୟଦେବଙ୍କର । ବୋଧହୁଏ ଏକାଦଶୀ ବ୍ରତର ଉପବାସରେ ଦୁର୍ବଳ ହୋଇପଡ଼ିଥିଲେ ସେ । ଗଡ଼ିଗଡ଼ି ପଡ଼ିଲେ ତଳ ପାବଚ୍ଛ ଶ୍ରେଣୀ ଉପରେ ।

 

ବିକଳରେ ଧାଇଁଆସି ତୋଳିଧରିଲେ ସତୀ ପଦ୍ମାବତୀ, ପରାଶର ରାଜଗୁରୁ ଏବଂ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । କିନ୍ତୁ ଆଉ ସଳଖ ହୋଇ ଦଣ୍ଡାୟମାନ ହୋଇପାରୁ ନାହାନ୍ତି ଭକ୍ତ ଜୟଦେବ, ତାଙ୍କ ଦୁଇଗୋଡ଼ର ବଳାଗଣ୍ଠି ଉପରେ ଲାଗିଛି ଭୀଷଣ ଆଘାତ, ଶକ୍ତି ନାହିଁ ଦଣ୍ଡାୟମାନ ହେବାକୁ ।

 

କ’ଣ କରାଯିବ ତେବେ ? ଆଉ ବୁଦ୍ଧି ଦଶିଲା ନାହିଁ କାହାରିକୁ । ଚାହୁଁ ଚାହୁଁ ଘେରିଗଲେ ମଧ୍ୟ ଜନସମୁଦ୍ର ଭକ୍ତ ଜୟଦେବଙ୍କ ଅବସ୍ଥା ଦେଖିବା ଉଦ୍ଦେଶ୍ୟରେ ।

 

ଆଖିବୁଜି ପ୍ରାର୍ଥନା କରୁଥିଲେ ସତୀ ପଦ୍ମାବତୀ–ଏ ଦଣ୍ଡ କାହିଁକି ଦେଲ ମହାବାହୁ, ଏ ଦଣ୍ଡ କାହିଁକି ଦେଲ ?

 

ଏମିତି ସମୟରେ ପାଟିକରି କହିଉଠିଲେ ପରାଶର ରାଜଗୁରୁ–“ଚିନ୍ତା କରନାହଁ ଭଗିନୀ ପଦ୍ମାବତୀ ! ମୁଁ ବନ୍ଧୁ ଜୟଦେବଙ୍କୁ ସ୍କନ୍ଧରେ ବହନ କରି ଘେନିଯିବ କୁଟୀର ନିକଟକୁ, ଆପଣମାନେ ଆସନ୍ତୁ ମୋର ପଛେ ପଛେ ।”

 

କହୁ କହୁ ଜୟଦେବଙ୍କୁ ସ୍କନ୍ଧରେ ଧରି କୁଟୀର ନିକଟକୁ ଆଗେଇଲେ ପରାଶର ରାଜଗୁରୁ । ପଛେ ପଛେ ସତୀ ପଦ୍ମାବତୀ ଏବଂ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ପ୍ରତ୍ୟେକଙ୍କ ଚକ୍ଷୁରେ ସମବେଦନାର ଲୋତକ ।

 

କୁଟୀର ମଧ୍ୟରେ ପ୍ରବେଶ କରି ଶଯ୍ୟାରେ ଶୟନ କରାଇଦେଲେ ରାଜଗୁରୁ, ପଦସେବା କରିବାରେ ଲାଗିଲେ ସତୀ ପଦ୍ମାବତୀ ଏବଂ ମସ୍ତକରେ ହସ୍ତ ସଞ୍ଚାଳନ କରି ବ୍ୟସ୍ତ ବିବ୍ରତ ହେଉଥିଲେ ତର୍କ ବାଚସ୍ପତି ।

 

ଏମିତି ଅନେକ ସମୟ ବିତିଗଲା । କହିଲେ ପରାଶର ରାଜଗୁରୁ–“ଆପଣ ବ୍ୟସ୍ତ ହେବେ ନାହିଁ ଭଗିନୀ । ନିଶ୍ଚୟ ବନ୍ଧୁ, ଜୟଦେବ ଶୀଘ୍ର ଆରୋଗ୍ୟଲାଭ କରିବେ । ଆବଶ୍ୟକ ମନେହେଲେ ବୈଦ୍ୟରାଜ ଜୀବଦେବ ଶର୍ମାଙ୍କୁ ଆମେ ଆମନ୍ତ୍ରଣ କରି ଆଣିବା । ଆଜି ସମ୍ପୂର୍ଣ୍ଣ ବିଶ୍ରାମ କରନ୍ତୁ ବନ୍ଧୁ ଜୟଦେବ । କେବଳ ଆର୍ଦ୍ର ବସ୍ତ୍ର ଗୁଡ଼ାଇ ଦିଆଯାଉ ପଦ ଦୁଇଟିରେ ।”

 

ପରାଶର ରାଜଗୁରୁଙ୍କ ଅନୁରୋଧରେ ନିଜ ବସନକୁ ଜଳରେ ଭିଜାଇ ପଦରେ ଗୁଡ଼ାଇଦେଲେ ସତୀ ପଦ୍ମାବତୀ ଏବଂ ଅନାଇ ରହିଲେ ସ୍ଵାମୀଙ୍କ ମୁଖକମଳକୁ ଅର୍ଦ୍ଧନିମିଳିତ ନୟନରେ । ପଦର ଆହତ ଯନ୍ତ୍ରଣା ସହ୍ୟ କରିବାକୁ ଚେଷ୍ଟା କରୁଥିଲେ ଭକ୍ତ ଜୟଦେବ ।

 

ତତ୍‌ପରେ ବିଦାୟ ନେଲେ ପରାଶର ରାଜଗୁରୁ ଏବଂ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା । ବସିରହିଲେ ପଦ୍ମାବତୀ ସ୍ଵାମୀଙ୍କ ପଦ ଯୁଗଳ ନିକଟରେ । ରାତ୍ରି ଗଭୀର ହେଲା । ତଥାପି ଉନିଦ୍ର ରହି ସେବାରତା ଥିଲେ ସତୀ ପଦ୍ମାବତୀ ।

 

ଉପସ୍ଥିତ ହେଲା ରାତ୍ରିର ଶେଷ ପ୍ରହର, କୋଳାହଳମୟ ହୋଇଉଠିଲା ବଡ଼ଦାଣ୍ଡ, ଛୁଟିଥିଲେ ଭକ୍ତଜନ ମହୋଦଧି ତୀରକୁ ସ୍ନାନ କରି ସହସ୍ର ଗଙ୍ଗା ସ୍ନାନର ଫଳ ଲାଭ ଉଦ୍ଦେଶ୍ୟରେ । ହଠାତ୍ ନିଦ୍ରାଭଙ୍ଗ ହେଲା ଜୟଦେବଙ୍କର, ବିକଳ ହୋଇଉଠିଲେ ସେ, କହିଲେ–“ପ୍ରିୟେ ପଦ୍ମା ! ବ୍ରାହ୍ମ ମୁହୂର୍ତ୍ତ ଉପସ୍ଥିତ । ଆଜି କ’ଣ ମୁଁ ମହୋଦଧିର ସ୍ନାନ ପାଇଁ ଯାତ୍ରା କରିପାରିବି ନାହିଁ ? ସହସ୍ର ଗଙ୍ଗା ସ୍ନାନର ଫଳ ଲାଭ କରିପାରିବି ନାହିଁ ?”

 

ସାନ୍ତ୍ୱନା ଦେଇ କହିଉଠିଲେ ପଦ୍ମାବତୀ–“ପ୍ରଭୁ ! ଆପଣ ପୀଡ଼ିତ, ଦଣ୍ଡାୟମାନ ହେବାର ଶକ୍ତି ନାହିଁ । ମହୋଦଧିକୁ ଯାତ୍ରା କରିବେ କିପରି ? ଆପଣ ଏହି କୁଟୀରରେ ଅପେକ୍ଷା କରନ୍ତୁ । ମୁଁ ମହୋଦଧିର ଜଳ କଳସୀରେ ଭରି ଘେନିଆସୁଛି । ଆପଣ ଏହି କୁଟୀରରେ ସ୍ନାନ କରିବେ ।

 

–“ନାଁ ପ୍ରିୟେ ! ମହୋଦଧିର ଜଳ ଆଣି କୁଟୀରରେ ସ୍ନାନ କରିବା, ମହୋଦଧି ଜଳରେ ସ୍ନାନ ସହିତ ସମାନ ନୁହେଁ । ମୋତେ ସାହାଯ୍ୟ କର ପ୍ରିୟେ ! ମୁଁ ଯାତ୍ରା କରିବ ମହୋଦଧି ତୀରକୁ-।”

 

–“କିନ୍ତୁ ଏ ସମ୍ଭବ କିପରି ସ୍ଵାମୀ ?”

 

–“ମୋର ହସ୍ତକୁ ଧାରଣ କର ପ୍ରିୟେ ! ମୁଁ ଚେଷ୍ଟାକରେ ଦଣ୍ଡାୟମାନ ହୋଇ ଧୀର ପଦ ପାତରେ ମହୋଦଧି ତୀରକୁ ଯାତ୍ରା ପାଇଁ ।”

 

–“ଏ ତ ଅସମ୍ଭବ କଥା ସ୍ଵାମୀ ! ଆପଣଙ୍କ ପଦର ଦୁଇଟିଯାକ ବଳାଗଣ୍ଠି ସେ ଆହତ । ଆପଣ ଦଣ୍ଡାୟମାନ ହେବେ କିପରି ?”

 

–“ମୋତେ ସାହାଯ୍ୟ କର । ଉଠାଇବାକୁ ଚେଷ୍ଟାକର ପ୍ରିୟେ ପଦ୍ମା” । କହୁ କହୁ ଉଠିବାକୁ ଚେଷ୍ଟାକରି ଭୁପତିତ ହେଲେ ଭକ୍ତ ଜୟଦେବ । ଝର ଝର ହୋଇ ଝରିପଡ଼ିଲା ଲୋତକ ସତୀ ପଦ୍ମାବତୀଙ୍କ ନୟନ ଯୁଗଳରୁ ।

 

ବିକଳରେ ଚିତ୍କାର କରିଉଠିଲେ ଭକ୍ତ ଜୟଦେବ–“ଏ କି ବିଡ଼ମ୍ବନା ମହାବାହୁ ! କେତେବେଳେ କି ଅପରାଧ କରିଥିଲି ମୁଁ ତୁମ ନିକଟରେ ? ଏପରି ଅପୂର୍ବ ମୁହୂର୍ତ୍ତରେ ମୁଁ ମହୋଦଧି ସ୍ନାନରୁ ବଞ୍ଚିତ ହେଲି । ଜୀବନରେ କେବେ କିଛି ମୁଁ ତୁମକୁ ମାଗିନାହିଁ । ଆଜି ଭିକ୍ଷା ମାଗୁଛି ମହାବାହୁ ! ମୋତେ ଏଇ ମୁହୂର୍ତ୍ତରେ ଆରୋଗ୍ୟ କରିଦିଅ । ମୁଁ ଯାତ୍ରା କରିବି ମହୋଦଧି ତୀରକୁ ଗୋବିନ୍ଦ ଦ୍ଵାଦଶୀ ସ୍ନାନ ପାଇଁ, କିମ୍ବା ଏ ଭକ୍ତ ଜୟଦେବର ମିନତି ରକ୍ଷା କରି ମହୋଦଧିର ଲହରୀମାଳା ତା’ କୁଟୀର ନିକଟକୁ ପ୍ରେରଣ କର ପ୍ରଭୁ । ସେ ସ୍ନାନ କରିବ ତା’ର କୁଟୀର ଦ୍ଵାରରେ ମହୋଦଧିର ତରଙ୍ଗ ପ୍ଳାବିତ ଜଳରାଶିରେ ।”

 

ଏମିତି ବିକଳରେ ହାତଯୋଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିବେଦନ ଜଣାଉ ଜଣାଉ ଗଡ଼ିବାରେ ଲାଗିଥିଲେ ଶ୍ରୀ ଜୟଦେବ କୁଟୀରର ରାଧାମାଧବଙ୍କ ବିଗ୍ରହ ସମ୍ମୁଖରେ ।

 

ହଠାତ୍ ଏପରି ସମୟରେ ବଡ଼ଦାଣ୍ଡରେ ଶୁଣାଗଲା କୋଳାହଳ ପଳେଇ ଆସ, ପଳେଇ ଆସ । ମହୋଦଧିରୁ ଉତ୍ତାଳ ତରଙ୍ଗ ଉଠି ପ୍ରବେଶ କରିଛି ବାଙ୍କୀମୁହାଣୀ ନଦୀ ମଧ୍ୟରେ । ସେ ଜଳ ପ୍ଳାବିତ କରିଛି ସମଗ୍ର ତୀର ଦେଶ । ଗର୍ଜନ କରୁଛି ମହୋଦଧି ଶତ ସିଂହର ହୁଙ୍କାରରେ-

 

କୋଳାହଳ ଶୁଣି ବାହାରକୁ ବାହାରି ଆସିଲେ ସତୀ ପଦ୍ମାବତୀ । ଆଶ୍ଚର୍ଯ୍ୟ ହୋଇଗଲେ କୁଟୀର ଦ୍ଵାରରେ ମହୋଦଧିର ଜଳ ପ୍ଳାବନ ଦେଖି । ଚିତ୍କାର କଲେ ସେ–“ପ୍ରଭୁ ! ପ୍ରଭୁ !! ଆପଣଙ୍କ କରୁଣ ପ୍ରାର୍ଥନା ଶ୍ରବଣ କରି ମହାବାହୁ ଶ୍ରୀଜଗନ୍ନାଥ ମହୋଦଧିର ତରଙ୍ଗମାଳାକୁ କୁଟୀର ଦ୍ଵାରକୁ ପ୍ରେରଣ କରିଛନ୍ତି ! ଏବେ ଭୂମିରେ ଗଡ଼ିଗଡ଼ି ଆଗେଇ ଆସନ୍ତୁ–“ସ୍ନାନ କରନ୍ତୁ ସେହି ପବିତ୍ର ମହୋଦଧିର ଜଳରେ ।

 

–“ଏଁ, କ’ଣ କହିଲ ପ୍ରିୟେ ପଦ୍ମା ? ମୋର ଡାକି ଶୁଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରେରଣ କରିଛନ୍ତି ମହୋଦଧିର ଲହରୀମାଳା ବାଙ୍କୀମୁହାଣୀ ନଦୀ ତୀରକୁ ? ବଡ଼ଦାଣ୍ଡ ଉପରକୁ ? ମୁଁ ଧନ୍ୟ ହୋଇଛି ପ୍ରିୟେ ! ଧନ୍ୟ ହୋଇଛି ଏହି ବଡ଼ଦାଣ୍ଡର ଅଣୁ ପରମାଣୁ । ହେ ଭକ୍ତବତ୍ସଳ ଭଗବାନ ! ତୁମେ ଚିରଦିନ ବନ୍ଧା ଥାଅ ଏମିତି ଭକତିର ଡୋରରେ ।”

 

ଗୁରୁଣ୍ଡି ଗୁରୁଣ୍ଡି ଆସି କୁଟୀର ଦ୍ଵାର ମହୋଦଧିର ଜଳରେ ସ୍ନାନ କଲେ ଜୟଦେବ ଆତ୍ମତୃପ୍ତିରେ । ପାଟିକରି କହିଲେ–“ତୁମେ ମଧ୍ୟ ବିଳମ୍ବ କରନାହିଁ ପ୍ରିୟେ ପଦ୍ମା ! ସ୍ନାନ କରି ଏହି ପବିତ୍ର ମହୋଦଧିର ଜଳରେ ।”

 

ସ୍ଵାମୀଙ୍କ ନିର୍ଦ୍ଦେଶ ପାଇ ଆଗେଇଗଲେ ପଦ୍ମାବତୀ ସ୍ନାନ ଉଦ୍ଦେଶ୍ୟରେ । ସ୍ନାନ ଶେଷକରି କୁଟୀରର ପିଣ୍ଡା ଉପରକୁ ଉଠିଲେ ଦୁଇଜଣ । ଅନାଇ ରହିଲେ ସେହି ନୀଳ ଦରିଆର ଜଳରାଶିକୁ ।

 

ଧୀରେ କୁଟୀରର ପାବଚ୍ଛ ତଳକୁ ଖସି ଅପସରି ଯିବାକୁ ଲାଗିଲା ଜଳରାଶି । ସ୍ଵଳ୍ପ ସମୟ ମଧ୍ୟରେ ପୁଣି ଜଳଶୂନ୍ୟ ହୋଇଗଲେ ବଡ଼ଦାଣ୍ଡ । ଏ ବିଚିତ୍ର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହେଉଥିଲେ ଭକ୍ତଜନ । କେହି କହୁଥିଲେ–ଗୋବିନ୍ଦ ଦ୍ଵାଦଶୀରେ ଭକ୍ତଜନଙ୍କୁ ସ୍ନାନ କରିବାର ସୁଯୋଗ ଯୋଗାଇଦେବା ପାଇଁ ଲହରୀମାଳା ପ୍ରେରଣ କରିଥିଲେ ବରୁଣ ଦେବତା । କେହି କହୁଥିଲେ–ନାଁ...ନାଁ...ପ୍ରଭୁ ଶ୍ରୀଜଗନ୍ନାଥ ଆମନ୍ତ୍ରଣ କରିଥିଲେ ଲହରୀମାଳାକୁ ବଡ଼ଦାଣ୍ଡ ସ୍ପର୍ଶ କରି ଯିବା ପାଇଁ ।

 

କିନ୍ତୁ ଏସବୁ ଆଲୋଚନା ପ୍ରତି କର୍ଣ୍ଣପାତ ନକରି ଉଚ୍ଚ କଣ୍ଠରେ ଗୀତଗୋବିନ୍ଦ ଗାନ କରୁଥିଲେ ଶ୍ରୀ ଜୟଦେବ କୁଟୀରର ଜଗନ୍ନାଥ ରୂପୀ ଶ୍ରୀ ରାଧାମାଧବଙ୍କ ନିକଟରେ । ସେ ଗାନ ଶ୍ରବଣ କରି ରୁଣ୍ଡ ହେଉଥିଲେ ଭକ୍ତଜନ କୁଟୀର ସମ୍ମୁଖରେ ।

 

ଶ୍ରୀ ଜୟଦେବଙ୍କ ଅସୁସ୍ଥତା ସମୟରେ ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାନର ଦାୟିତ୍ଵ ସମ୍ପୂର୍ଣ୍ଣ ଭାବେ ବହନ କରିଥିଲେ କଣ୍ଠଶିଳ୍ପୀ ବନ୍ଧୁ ପରାଶର ରାଜଗୁରୁ । ତାଙ୍କ ସୁଲଳିତ କଣ୍ଠର ବିତାନ ମୁଗ୍‌ଧ କରି ରଖିଥିଲା ଅଗଣିତ ଭକ୍ତଜନମାନଙ୍କୁ ।

 

ସାମାନ୍ୟ କିଛିଦିନ ପରେ ଆରୋଗ୍ୟ ଲାଭ କଲେ ଜୟଦେବ ଏବଂ ଅଂଶଗ୍ରହଣ କଲେ ଗୀତଗୋବିନ୍ଦର ପରିବେଷଣରେ । ଧୀରେ ଧୀରେ ଏ ସଂଗୀତ ଗୁଞ୍ଜରିତ ହେବାରେ ଲାଗିଲା ଅନେକଙ୍କ ମୁଖରେ । ରାସ୍ତାରେ ଯାଉଥିବା ଲୋକ, ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିବା ଲୋକ ମଧ୍ୟ ଆନନ୍ଦ ଅନୁଭବ କଲେ ଶ୍ରୀ ଗୀତଗୋବିନ୍ଦର ପଂକ୍ତି ଗାନ କରି ।

 

ସେଦିନର ଘଟଣା, ସନ୍ଧ୍ୟା ଧୂପ ପରେ ଠାକୁରମାନଙ୍କୁ ମଇଲମ କରାଇ ବଡ଼ସିଂଦ୍ଵାର ବେଶରେ ସଜାଇ ଦେବାର କଥା । ମଇଲମ କରିବାକୁ ଯାଇ ଚମକି ପଡ଼ିଲେ ସିଂହାରୀ । ଏ କ’ଣ-? ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଯେ କ୍ଷତବିକ୍ଷତ ଚିହ୍ନ । ରକ୍ତାକ୍ତ ସମଗ୍ର ଶରୀର । ଏ କି ଅଘଟଣ-? ଚମକି ପଛକୁ ଘୁଞ୍ଚିଆସିଲେ ସିଂହାରୀ । ପାଟିକଲେ–ସୁଆର–ବଡ଼ୁ ! ଗରାବଡ଼ୁ, ବୀଣାକାର, ପୂଜାପଣ୍ଡା ! ଦୌଡ଼ି ଆସ, ବିଚିତ୍ର ଘଟଣା ଘଟିଛି ମହାବାହୁଙ୍କ ଶ୍ରୀଅଙ୍ଗରେ । କ’ଣ ଘଟିଛି ବୋଲି ଦେଖିବା ପାଇଁ ଧାଇଁଆସିଲେ ସମସ୍ତେ । ଆଶ୍ଚର୍ଯ୍ୟାନ୍ଵିତ ହେଲେ ଅଦ୍ଭୁତ ଦୃଶ୍ୟ ଦେଖି-

 

ସଙ୍ଗେ ସଙ୍ଗେ ସମ୍ବାଦ ପ୍ରେରଣ କରାଗଲା ଗଜପତି କାମାର୍ଣ୍ଣବଦେବଙ୍କ ନିକଟକୁ । ସମ୍ବାଦ ଶ୍ରବଣ କରି ଧାଇଁଆସିଲେ ବିଷ୍ଣୁ, ଭକ୍ତ କାମାର୍ଣ୍ଣବଦେବ । ଶ୍ରୀଜଗନ୍ନାଥଙ୍କ କ୍ଷତବିକ୍ଷତ ରକ୍ତାକ୍ତ ଶ୍ରୀଅଙ୍ଗ ଦର୍ଶନ କରି ମର୍ମାହତ ହୋଇପଡ଼ିଲେ ସେ । ରତ୍ନବେଦୀ ଉପରେ ମୁଣ୍ଡ ପିଟି ରୋଦନ କଲେ ବିକଳ ହୋଇ । ପୁଣି ନିଜକୁ ନିଜେ ସାନ୍ତ୍ୱନା ଦେଲେ ସେ । ପୋଛିଦେଲେ ଶ୍ରୀଅଙ୍ଗର କ୍ଷତ ଚିହ୍ନଗୁଡ଼ିକୁ ନିଜ ଅଙ୍ଗବାସରେ । ଆଦେଶ ଦେଲେ ସେବାୟତମାନଙ୍କୁ–“ବନ୍ଧୁଗଣ ! ତୁମ୍ଭେମାନେ ଶ୍ରୀଠାକୁରମାନଙ୍କର ସେବା ପୂଜା ଠିକ୍ ଭାବେ ସମାପନ କରୁନାହଁ, ତେଣୁ ଅଘଟଣ ଘଟୁଛି ।”

 

–“ମଣିମା ! ଆମ ସେବା ପୂଜାରେ କୌଣସି ଅବହେଳା ନାହିଁ ।” କହିଲେ ସିଂହାରୀ ।

 

–“ତୁମେ ଭୁଲିଯାଉଛ ସିଂହାରୀ ! ମୁଁ ମଧ୍ୟ ଜଣେ ସେବକ ଶ୍ରୀଜଗନ୍ନାଥଙ୍କର । ତାଙ୍କ ସେବା ପୂଜାରେ ବିଘ୍ନ ଘଟିଲେ ତୁମ୍ଭମାନଙ୍କ ସହିତ ଦଣ୍ଡ ଭୋଗିବି ମୁଁ ।”

 

–“କାହିଁକି ଏ ଅଘଟଣ ଘଟୁଛି, ତା’ର ଆମେ ଅନୁସନ୍ଧାନ କରିବୁ ମଣିମା ।” କହିଲେ ସିଂହାରୀ ।

 

–“ହଁ ତାହା ହିଁ ମୋର ଆଦେଶ । ଆଜି ଠାକୁରଙ୍କର ନୀତି ସହିତ ଏ ଅଘଟଣର ପ୍ରକୃତ ତଥ୍ୟ ଅନୁସନ୍ଧାନ କର ।” କହିଲେ ଗଜପତି କାମାର୍ଣ୍ଣବଦେବ । ତା’ପରେ ପ୍ରତ୍ୟାବର୍ତ୍ତନ କଲେ ରାଜପ୍ରାସାଦକୁ ବ୍ୟଥିତ ମନରେ ।

 

ସିଂହାରୀ ମଇଲମ କରିସାରିବା ପରେ ବଡ଼ ସିଂହାର ବେଶ ହେଲା । ଚନ୍ଦନ ଲାଗିହେଲା । ଏ ସମୟରେ ବୀଣା ବାଦନ କରୁଥିଲେ ବୀଣାକାର ।

 

ଏଣେ ଚିନ୍ତିତ ମନରେ ରାଜପ୍ରାସାଦର ଶୟନ କକ୍ଷରେ ବିଜେକଲେ ଗଜପତି କାମାର୍ଣ୍ଣବଦେବ । ତାଙ୍କ ମନରେ ଅସଂଖ୍ୟ ପ୍ରଭୁ । ପୁଣି କାହିଁକି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଏ ବିଲକ୍ଷଣ । ତେବେ କ’ଣ କ୍ଷତ ବିକ୍ଷତ ହେବ ଗଜପତି କାମାର୍ଣ୍ଣବଦେବ ?

 

ଶୟନ କକ୍ଷ ମଧ୍ୟରେ ସଜ୍ଜିତ ପଟ୍ଟଚିତ୍ର ସମ୍ମୁଖରେ ନତଜାନୁ ହୋଇ ହାତଯୋଡ଼ି ପ୍ରାର୍ଥନା କଲେ । ସେ–“ହେ ମହାବାହୁ ! ତୁମେ ମୋର ଗତି ମୁକ୍ତି । ତୁମେ ମୋର ଶୁଭାଶୁଭର ଦେବତା । ମୋତେ କୁହ ପ୍ରଭୁ ! କ’ଣ ପାଇଁ ମୋ ଉପରେ ତୁମର ରୋଷ । ମୁଁ ମୁଣ୍ଡପାତି ତୁମର ଶାସ୍ତି ଗ୍ରହଣ କରିବାକୁ ପ୍ରସ୍ତୁତ ।”

 

ଏମିତି ହାତଯୋଡ଼ି ଧ୍ୟାନ କରୁ କରୁ ଅନେକ ସମୟ ବିତିଗଲା । ନୀରବ ନିଶ୍ଚଳ ହୋଇ ଏକ ଲୟରେ ବସିଥିଲେ କାମାର୍ଣ୍ଣବଦେବ ।

 

ହଠାତ୍ ଚମକି ଉଠିଲେ କାମାର୍ଣ୍ଣବଦେବ –ହସୁଛନ୍ତି ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର-। କହୁଛନ୍ତି ଧୀର ଗଳାରେ–“ବତ୍ସ ଗଜପତି କାମାର୍ଣ୍ଣବଦେବ ! ତୁମେ ବ୍ୟସ୍ତ ହୁଅ ନାହିଁ-। ସେବାୟତମାନେ ମଧ୍ୟ ତାଙ୍କ ସେବା ପୂଜାରେ ଅବହେଳା କରିନାହାନ୍ତି ।”

 

–“ତେବେ କୁହ ମହାପ୍ରଭୁ ! ତୁମ ଶ୍ରୀଅଙ୍ଗ ରକ୍ତାକ୍ତ କ୍ଷତବିକ୍ଷତ କାହିଁକି ?”

 

କହିଉଠିଲେ କାମାର୍ଣ୍ଣବଦେବ ।

 

–“ସେ ଏକ ଆମୋଦକର ଅନୁଭୂତି ବତ୍ସ କାମାର୍ଣ୍ଣବଦେବ ? ମଧ୍ୟାହ୍ନ ଧୂପ ଶେଷରେ ମୋ କାନରେ ପଡ଼ିଲା ସୁମଧୁର ସ୍ଵରର ଲଳିତ ଗୀତଗୋବିନ୍ଦ ସଙ୍ଗୀତ । ଆଉ ରତ୍ନସିଂହାସନରେ ସ୍ଥିର ରହିନପାରି ବାଳକଟିଏ ସାଜି ଶ୍ରୀମନ୍ଦିରରୁ ବାହାରିଗଲି ମୁଁ ସେହି ସଙ୍ଗୀତ ଭାସିଆସୁଥିବା ସ୍ଥାନକୁ । ଉପସ୍ଥିତ ହେଲି ସେ ସ୍ଥାନରେ । ଦେଖିଲି–ପଶ୍ଚିମ ଦ୍ଵାର ପଟେ ତୁଳସୀ ନାମ୍ନୀ ଜଣେ ମାଳାକାର ଯୁବତୀ ଲଳିତ କଣ୍ଠରେ ଗାନକରୁଛି ଗୀତଗୋବିନ୍ଦ–ବାଇଗଣ କିଆରୀରେ ବୁଲି ବାଇଗଣ ତୋଳୁ ତୋଳୁ । ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ ମୁଁ । ଚାଲିଲି ତା’ର ପଛେ ପଛେ ବାଇଗଣ କିଆରୀ ମଧ୍ୟରେ । ଫଳରେ ବାଇଗଣ କଣ୍ଟାର ଆଘାତରେ ଶ୍ରୀଅଙ୍ଗ ହେଲା କ୍ଷତବିକ୍ଷତ ରକ୍ତାକ୍ତ । ତୁମେ ସେବାୟତମାନଙ୍କୁ ଦୋଷ ଦେଇ ଲାଭ ନାହିଁ ବତ୍ସ କାମାର୍ଣ୍ଣବଦେବ । ଦୋଷ ମୋର, ସେମାନଙ୍କର ନୁହେଁ । କେତେବେଳେ କେଉଁଆଡ଼େ ମୁଁ କାହାରି ଡାକ ଶୁଣି ଗତି କରିବି ସେମାନେ ଜାଣିବେ କିପରି ? ମୋର ପ୍ରିୟ ସଙ୍ଗୀତ ଗୀତଗୋବିନ୍ଦ ଗାନ ସ୍ଥଳକୁ ମୁଁ ଏମିତି ବାରମ୍ବାର ଯାତ୍ରା କରିବି କାମାର୍ଣ୍ଣବଦେବ । ତୁମେ ସେବାୟତମାନଙ୍କୁ ଦୋଷ ଦେବ ନାହିଁ ।”

 

ଆନନ୍ଦିତ ଚିତ୍ତରେ ଆସନ ଉପରୁ ଉଠିପଡ଼ିଲେ ଗଜପତି କାମାର୍ଣ୍ଣବଦେବ । ଅଦୃଶ୍ୟ ହୋଇଗଲେ ଶ୍ରୀ ଜଗନ୍ନାଥ ପଟ୍ଟଚିତ୍ର ଦେହରୁ ।

 

ଉଦ୍ଦାତ୍ତ କଣ୍ଠରେ ଡାକ ଛାଡ଼ିଲେ ଗଜପତି–“ଦେହରକ୍ଷୀ ! ଯଥାଶୀଘ୍ର ଶ୍ରୀମନ୍ଦିରକୁ ଯାତ୍ରାକରି ମୁଦିରସ୍ତ, ବଡ଼ପଣ୍ଡା, ତିଳଛ ମହାପାତ୍ର, ସିଂହାରୀ ଏବଂ ଅନ୍ୟମାନଙ୍କୁ ଡାକିଆଣ I ସେମାନଙ୍କୁ ମୋର ସ୍ଵତନ୍ତ୍ର ନିର୍ଦ୍ଦେଶ ରହିଛି ।”

 

ରାଜାଦେଶ ପାଇ ଶ୍ରୀମନ୍ଦିରକୁ ଧାଇଁବାରେ ଲାଗିଲା । ଦେହରକ୍ଷୀ ଏବଂ ସମ୍ବାଦ ଦେଲା ସେବାୟତମାନଙ୍କୁ ଶ୍ରୀଛାମୁରେ ସାକ୍ଷାତ କରିବା ପାଇଁ । ଅବିଳମ୍ବେ ରାଜପ୍ରାସାଦର ସଭା କକ୍ଷରେ ଉପସ୍ଥିତ ହେଲେ ସମସ୍ତେ । ଆଦେଶ ଦେଲେ ଗଜପତି କାମାର୍ଣ୍ଣବଦେବ–“ସେବାୟତଗଣ ! ମୋର ଆଦେଶ ଭକ୍ତଜନଙ୍କୁ ଜଣାଇଦିଅ । କେବଳ ଶ୍ରୀମନ୍ଦିର ବେଢ଼ା ବ୍ୟତୀତ ଅନ୍ୟ ସ୍ଥାନରେ ପବିତ୍ର ଗୀତଗୋବିନ୍ଦ ଗ୍ରନ୍ଥ ଗାନ କରାଯାଇ ପାରିବ ନାହିଁ ଏବଂ ପଶ୍ଚିମଦ୍ଵାର ସମ୍ମୁଖରେ ବାସ କରୁଥିବା ମାଳାକାର ଯୁବତୀ ତୁଳସୀ ନିତିଦିନ ନୃତ୍ୟ ସହିତ ଗାନ କରିବ ଗୀତଗୋବିନ୍ଦ । ପରିଚିତା ହେବ ସେ ଦେବଦାସୀ ନାମରେ ।”

 

–“ଯେ ଆଜ୍ଞା ମଣିମା” କହିଲେ ମୁଦିରସ୍ତ ।

 

–‘‘କେବଳ ସେତିକି ନୁହେଁ ମୁଦିରସ୍ତ ! ଏଣିକି ବଡ଼ସିଂହାର ବେଶରେ ବ୍ୟବହୃତ ହେଉଥିବା ଖଣ୍ଡୁଆ ଦେହରେ ଲିଖିତ ହେବ–ଶ୍ରୀଗୀତଗୋବିନ୍ଦର ପଂକ୍ତି । ଖଣ୍ଡୁଆ ଦେହର ସେହି ଗୀତଗୋବିନ୍ଦର ପଂକ୍ତିକୁ ବୟନ କରିବେ ମାଣିଆଁବନ୍ଧ ଗ୍ରାମର ପ୍ରଖ୍ୟାତ ତନ୍ତଶିଳ୍ପୀମାନେ । ଯାଅ ସେବାୟତଗଣ ! ମୋର ଏ ଆଦେଶ ଚତୁର୍ଦ୍ଦିଗରେ ଘୋଷଣା କରିଦିଅ ।”

 

ଗଜପତି କାମାର୍ଣ୍ଣବଦେବଙ୍କ ଆଦେଶ ଶ୍ରବଣ କରି ପ୍ରତ୍ୟାବର୍ତ୍ତନ କଲେ ସେବାୟତମାନେ ।

 

ପରଦିନ ପ୍ରଚାରିତ ହୋଇଗଲା ସମଗ୍ର ଶ୍ରୀକ୍ଷେତ୍ରରେ–କେବଳ ଶ୍ରୀମନ୍ଦିରର ବେଢ଼ା ବ୍ୟତୀତ ଅନ୍ୟତ୍ର ଶ୍ରୀଗୀତଗୋବିନ୍ଦ ଗାନ ନିଷିଦ୍ଧ । ଯଦି କୌଣସି ବ୍ୟକ୍ତି ରାଜାଦେଶ ଅମାନ୍ୟ କରି ଅନ୍ୟ ସ୍ଥାନରେ ତାହା ଗାନ କରନ୍ତି, ତେବେ ତାଙ୍କୁ ଦଣ୍ଡ ଭୋଗ କରିବାକୁ ହେବ । ଏପରି ଆଦେଶ ଶ୍ରବଣ କରି ମନେ ମନେ ଦୁଃଖିତ ହୋଇଥିଲେ କେତେ ଭକ୍ତଜନ । କାରଣ ସେମାନେ ଆନନ୍ଦିତ ହେଉଥିଲେ ମୁଖସ୍ତ ହୋଇଯାଇଥିବା ଏହି ସଙ୍ଗୀତ ଗାନ କରି ।

 

ରାଜାଦେଶର ଘୋଷଣା ପରେ ମୁଦିରସ୍ତ ଯାତ୍ରା କରିଥିଲେ ପଶ୍ଚିମ ଦ୍ଵାର ପଟ ମାଳକାର ବସ୍ତିକୁ । ମୁଦିରସ୍ତଙ୍କୁ ସକାଳୁ ସକାଳୁ ବସ୍ତିରେ ଦର୍ଶନ କରି ପ୍ରଭୁ କରିଥିଲେ ମାଳକାରମାନେ–“ଗୋସେଇଁ ସକାଳୁ କୁଆଡ଼େ ଆସିଲ ? ଠାକୁରମାନଙ୍କ ପାଇଁ କ’ଣ କିଛି ବିଶେଷ ବରାଦ ଅଛି ?”

 

ମୁଦିରସ୍ତ କହିଲେ–“ନାଇଁ, ମୋର ଆଗମନର କାରଣ ଭିନ୍ନ । ଏ ସାହିରେ କ’ଣ କେହି ତୁଳସୀ ନାମ୍ନୀ ଯୁବତୀ ଅଛି ?”

 

ବଳିପଡ଼ି କହିଲା ମାଳାକାର ଆଦିକନ୍ଦ–“ହଁ ଆଜ୍ଞା ! ସାନନ୍ଦ ଭାଇର ଝିଅ ତୁଳସୀ ! ଦେଖିବାକୁ ଖୁବ୍ ସୁନ୍ଦରୀ । ବୀଣା ଜିଣା କଣ୍ଠ । ତାକୁ ଦେଖିଲା ଲୋକ ଲୋଭେଇ ଯିବେ ।”

 

–“ରାଜାଙ୍କର ଆଦେଶ ମୁଁ ତୁଳସୀକୁ ଜଣାଇ ଦେବାକୁ ଚାହେଁ ।” କହିଲେ ମୁଦିରସ୍ତ ।

 

–“ଏଁ ରାଜାଦେଶ ! ତେବେ କ’ଣ ରାଜନଅରରେ ରହିବ ସେ ।”

 

“ନାଁ..., ରାଜନଅରକୁ ଯିବାର ଆବଶ୍ୟକତା ନାହିଁ । ତାକୁ ଡାକିଦିଅ ମୁଁ ଆଦେଶ ଜଣାଇ ଦେବି ।”

 

ଲୋକେ ଦୌଡ଼ିଯାଇ ଡାକି ଆଣିଲେ ମାଳାକାର ସାନନ୍ଦକୁ । ଡରି ଡରି ଉପସ୍ଥିତ ହେଲା ମାଳାକାର ସାନନ୍ଦ । ମନରେ ତା’ର କେତେ କଳ୍ପନା–ତେବେ କ’ଣ ରାଜା ନେଇଯିବେ ମୋର ଝିଅକୁ ଉପଭୋଗ ପାଇଁ ? କିନ୍ତୁ ତା’ର ମନର ଦ୍ଵନ୍ଦ୍ଵ ଦୂର କରି କହିଲେ ମୁଦିରସ୍ତ–“ମାଳାକାର ସାନନ୍ଦ ! ରାଜାଙ୍କର ଆଦେଶ, ତୁମ କନ୍ୟା ତୁଳସୀ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ନୃତ୍ୟ ଗୀତ ସହିତ ପରିବେଷଣ କରିବ ଗୀତଗୋବିନ୍ଦ ଶ୍ରୀମନ୍ଦିର ମଧ୍ୟରେ ।”

 

–“ଏଁ କ’ଣ କହିଲେ ଗୋସେଇଁ ? ମୋ–ଝିଅ ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାନ କରିବ ? ସେ ତ ପାଠ ପଢ଼ି ନାହିଁ, ଗୀତଗୋବିନ୍ଦ ଶିଖିନାହିଁ । ପରିବେଷଣ କରିବ କିପରି ଗୋସେଇଁ ?

 

–“ତୁମେ ମିଛ କହୁଛ ସାନନ୍ଦ ! ତୁଳସୀ ଗୀତଗୋବିନ୍ଦ ଗାନ କରି ଜାଣେ ।”

 

–“କାଁ ଭାଁ ପଦେ ଅଧେ ସେ ଶିଖିଥିବ ଗୋସେଇଁ । ସେ ତ ଘରେଇ ଝିଅ । ଶ୍ରୀମନ୍ଦିରରେ ସମସ୍ତଙ୍କ ସମ୍ମୁଖରେ ଗୀତଗୋବିନ୍ଦ ଗାଇ ନାଚିବ କେମିତି ?”

 

–“କେବଳ ସେତିକି ନୁହେଁ ସାନନ୍ଦ ! ସେ ହେବ ଦେବଦାସୀ ।”

 

–“ମୋତେ କ୍ଷମା କରନ୍ତୁ ଗୋସେଇଁ ! ତୁଳସୀ ମୋର ଏକମାତ୍ର ଅଲିଅଳୀ କନ୍ୟା । ତାକୁ ଟିକିଏ ନ ଦେଖିଲେ ମୋତେ ଭାତ ରୁଚେ ନାହିଁ । ପ୍ରାଣ ବିକଳ ହୋଇଉଠେ । ସେ ମୋର ନୟନ ପିତୁଳା । ତାକୁ ମୋର କୋଳରୁ ଛଡ଼େଇ ନିଅନ୍ତୁ ନାହିଁ ଗୋସେଇଁ !”

 

–“ରାଜାଦେଶକୁ ତୁମେ ଅମାନ୍ୟ କରିବ ସାନନ୍ଦ ?”

 

–“ମୁଁ ମରିଯିବି ଗୋସେଇଁ ! ମୋ ପାଇଁ ମହାରଜାଙ୍କୁ ଅନୁରୋଧ ଜଣାନ୍ତୁ । ସେ ମୋ ଝିଅକୁ ଛାଡ଼ିଦେବେ ।”

 

–“ସାନନ୍ଦ ?”

 

–“ହଁ ଗୋସେଇଁ ! ଆଗାମୀ ତିଥିରେ ତା’ର ବାହାଘର କରିବା ପାଇଁ ମୁଁ ଠିକ୍ କରିଛି । ଝିଅ ଦେଇ ମୁଁ ଜୋଇଁଟିଏ ପାଇବି । ଆଉ କେହି ନାହିଁ । ସେଇ ଜୋଇଁ ପୋଷିବ ଆମ ବୁଢ଼ା ବୁଢ଼ୀ ଦୁଇଜଣଙ୍କୁ ।”

 

–“ମୁଁ କର୍ତ୍ତବ୍ୟହୀନ ସାନନ୍ଦ !”

 

–“ତୁଳସୀ ଆପଣଙ୍କ ଘରର ଝିଅ ହୋଇଥିଲେ କ’ଣ ଆପଣ ବେଶ୍ୟା ଭଳି ନାଚ ଗୀତ ଗାଇବାକୁ ଛାଡ଼ିଦିଅନ୍ତେ ଗୋସେଇଁ ! ମୋ ଉପରେ ଦୟା କରନ୍ତୁ, ତାକୁ ଛାଡ଼ି ଦିଅନ୍ତୁ ।”

 

–“ତୁମେ କ’ଣ କହିବାକୁ ଚାହଁ ସାନନ୍ଦ ?”

 

–“କିଛି ନାହିଁ ଗୋସେଇଁ ! ମୋ ଝିଅକୁ ଛାଡ଼ିଦିଅନ୍ତୁ ନଚେତ୍ ଆଦେଶ ଦିଅନ୍ତୁ ମୁଁ ଏ ରାଜ୍ୟ ଛାଡ଼ି ଚାଲିଯିବି ।”

 

–“ତୁମେ ଦୁଃଖ କରନାହିଁ ସାନନ୍ଦ ! ରାଜା ସେ ତୁମ ଝିଅର ସୌନ୍ଦର୍ଯ୍ୟ ଦେଖି ଉପଭୋଗ ପାଇଁ ଚାହାନ୍ତି ନାହିଁ । ଚାହାନ୍ତି ଶ୍ରୀ ଜଗନ୍ନାଥଙ୍କ ସେବିକାଭାବେ ନିଯୁକ୍ତି ଦେବା ପାଇଁ ।”

 

–“ଏ....କ’ଣ କହିଲେ ଗୋସେଇଁ ?”

 

–“ହଁ ସାନନ୍ଦ ! ତୁମେ ତୁଳସୀକୁ ଛାଡ଼ିଦିଅ । ମୁଁ ତା’ର ମତାମତ ଜାଣିବାକୁ ଇଚ୍ଛାକରେ-। ସେ ଯଦି ନଚାହେଁ, ତେବେ ରାଜାଙ୍କୁ ଅନୁରୋଧ ଜଣାଇବି ଏପରି ଆଦେଶ ପ୍ରତ୍ୟାହାର କରିନେବା ପାଇଁ । ବିଷ୍ଣୁ ଭକ୍ତ ରାଜା କାମାର୍ଣ୍ଣବଦେବ । କନ୍ୟାର ଅନିଚ୍ଛା ସତ୍ତ୍ୱେ ସେ କଦାପି ଏପରି ଆଦେଶ ବଳପୂର୍ବକ କାର୍ଯ୍ୟକାରୀ କରିବାକୁ ଇଚ୍ଛା କରିବେ ନାହିଁ ।”

 

–“ଡାକି ଦେଉଛି ଗୋସେଇଁ ! ଆପଣ ତାକୁ ପଚାରି ସବୁ କଥା ବୁଝନ୍ତୁ ।”

 

ଘର ଭିତରକୁ ପଶିଗଲା ମାଳାକାର ସାନନ୍ଦ ଏବଂ ଡାକିଆଣିଲା ସାଙ୍ଗରେ କନ୍ୟା ତୁଳସୀକୁ । ଅନାଇ ରହିଥିଲେ ମୁଦିରସ୍ତ । ଆଖିରେ ତାଙ୍କର ପଲକ ପଡ଼ୁନଥିଲା । କି ଅନିନ୍ଦ୍ୟ ସୁନ୍ଦରୀ ରୂପବତୀ ମାଳାକାର ଯୁବତୀ ତୁଳସୀ । ସତେଅବା ପଦ୍ମିନୀ ଜାତୀୟା ରମଣୀ ସେ । ସ୍ଵୟଂ ଗଜପତି କାମାର୍ଣ୍ଣବଦେବଙ୍କ କନ୍ୟା ଚନ୍ଦ୍ରିକା ମଧ୍ୟ ତୁଳନୀୟ ହେବ ନାହିଁ ମାଳାକାର ଯୁବତୀ ତୁଳସୀ ସହିତ । କାକକୃଷ୍ଣ କେଶଗୁଚ୍ଛ, ଆନତ ଚକ୍ଷୁ, ବିମ୍ବୋଷ୍ଠ, ଶଙ୍ଖ ଧବଳ ଗ୍ରୀବା, ଉନ୍ନତ ବକ୍ଷୋଜ, ମୃଣାଳ ବାହୁ, ସିଂହ କଟୀ, ରମ୍ଭା ବୃକ୍ଷ ପରି ଉରୁ, ପଦ୍ମପାଦ ସହିତ ଗଜପତି । ସତେଅବା ସ୍ୱର୍ଗ ଅପସରୀ ଦେବ ପ୍ରିୟା ମେନକା ସେ ।

 

ମଦାଳସୀ ତୁଳସୀର ଚଳଚଞ୍ଚଳ କଟାକ୍ଷରେ ଚମକି ପଡ଼ିଲେ ମୁଦିରସ୍ତ । ଏଇ ତେବେ ସେ ଶ୍ରୀଜଗନ୍ନାଥଙ୍କ ପ୍ରିୟା ମାଳାକାର ଯୁବତୀ ତୁଳସୀ ?

 

ବାକ୍‌ଶୂନ୍ୟ ହୋଇ ମୁଦିରସ୍ତଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲା ତୁଳସୀ ।

 

ଧୀର ଗଳାରେ କହିଲେ ମୁଦିରସ୍ତ–“ତୁଳସୀ ! ମହାରାଜ ଗଜପତି କାମାର୍ଣ୍ଣବଦେବଙ୍କର ଆଦେଶ, ତୁମେ ଶ୍ରୀମନ୍ଦିରରେ ନିତିଦିନ ଶ୍ରୀ ଗୀତଗୋବିନ୍ଦ ଗାନକରି ନୃତ୍ୟ କରିବ । ଦର୍ଶନ କରିବେ ସ୍ୱୟଂ ଶ୍ରୀ ଜଗନ୍ନାଥ ।”

 

ମଥା ଟେକି ମୁଦିରସ୍ତଙ୍କୁ ଅନାଇ ରହିଲା ତୁଳସୀ । ପୁଣି ପ୍ରଶ୍ନ କଲେ ମୁଦିରସ୍ତ–‘ତୁମେ କ’ଣ ଶ୍ରୀ ଗୀତଗୋବିନ୍ଦ ଶିକ୍ଷା କରିଛ ତୁଳସୀ ?”

 

–“ହଁ ଗୋସେଇଁ” ! ନିତିଦିନ ଶ୍ରୀମନ୍ଦିରକୁ ଯାଇ ମୁଁ ଗୀତଗୋବିନ୍ଦର ଅମୀୟ ରସାଳ ସଙ୍ଗୀତ ଶ୍ରବଣ କରେ । ଶ୍ରବଣ କରୁ କରୁ କଣ୍ଠସ୍ଥ ହୋଇଯାଇଛି ସମସ୍ତ କାବ୍ୟ ।”

 

ଆଶ୍ଚର୍ଯ୍ୟାନ୍ୱିତ ହେଲେ ମୁଦିରସ୍ତ, କହିଲେ–“ତୁମେ କ’ଣ ସମୟ ବିଶେଷରେ ଏ ସଙ୍ଗୀତ ଗାନ କର ତୁଳସୀ ?”

 

–“ହଁ ଗୋସେଇ ! ମହାପ୍ରଭୁଙ୍କୁ ସ୍ମରଣ କରି ମୁଁ ଅନେକ ସମୟରେ ଗାନ କରେ ଏ ସଙ୍ଗୀତ ।” କହିଲା ତୁଳସୀ ।

 

–“ତେବେ କ’ଣ ତୁମେ ଦେବଦାସୀ ହୋଇ ଶ୍ରୀମନ୍ଦିରରେ ଏ ଗୀତ ପରିବେଷଣକୁ ପସନ୍ଦ କର ତୁଳସୀ ? ତୁମର ଇଚ୍ଛା କଥା ହିଁ ମୁଁ ଜଣାଇବି ଗଜପତି କାମାର୍ଣ୍ଣବଦେବଙ୍କୁ ।”

 

–“ମୋର ଆପତ୍ତି ନାହିଁ ଗୋସେଇଁ । ବରଂ ମୁଁ ଆନନ୍ଦିତ ହେବି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବଦାସୀ ହୋଇ । ମୁଁ ହେବି ଜଗନ୍ନାଥ ପ୍ରେୟସୀ ରାଧିକା ସୁନ୍ଦରୀ ।”

 

–‘‘ଧନ୍ୟ ଧନ୍ୟ ତୁଳସୀ ! ତୁମେ ମାନବୀ ନୁହଁ ଦେବୀ । ଆଜିଠାରୁ ରାଜାଦେଶ ପାଳନ କର ଦେବୀ । ଆକାଂକ୍ଷିତ ଶ୍ରୀଜଗନ୍ନାଥ ତୁମ ନୃତ୍ୟ ଗୀତର ଦର୍ଶନ ଏବଂ ଶ୍ରବଣ ପାଇଁ ।”

 

ଆଁ କରି ଅନାଇ ରହିଥିଲେ ମାଳାକାର ବସ୍ତିର ଲୋକେ । ପ୍ରଶଂସା କରୁଥିଲେ କୁମାରୀ ତୁଳସୀକୁ ଶତମୁଖ ହୋଇ । ଆନନ୍ଦିତ ଚିତ୍ତରେ ପ୍ରତ୍ୟାବର୍ତ୍ତନ କଲେ ଗୋସେଇଁ ମୁଦିରସ୍ତ ।

 

ଚାହୁଁ ଚାହୁଁ ପ୍ରଚାରିତ ହୋଇଗଲା ଚତୁର୍ଦ୍ଦିଗରେ ଏ ସମ୍ବାଦ । ଲୋକେ କହିଲେ–ଗୀତଗୋବିନ୍ଦ ଗାନ କଲେ ସ୍ଵୟଂ ଶ୍ରୀଜଗନ୍ନାଥ ଦର୍ଶନ ଦେଉଛନ୍ତି । ଦୁଃଖ ଲାଘବ କରୁଛନ୍ତି । ଗୀତଗୋବିନ୍ଦ ଗାନ କରୁଥିଲା ମାଳାକାର ଯୁବତୀ ତୁଳସୀ । ତାକୁ ଦର୍ଶନ ଦେଇ ଆଦେଶ ଦେଇଛନ୍ତି ଶ୍ରୀଜଗନ୍ନାଥ–“ତୁଳସୀ ! ତୁମେ ମୋର ପ୍ରାଣ ସଖୀ । ଆଜିଠାରୁ ମୋର ମନ୍ଦିର ଭିତରେ ତୁମେ ଗାନ କର ଗୀତଗୋବିନ୍ଦ । ମୁଁ ଶ୍ରବଣ କରିବି । ଆନନ୍ଦର ହେବି । ତୁମକୁ ସ୍ଥାନ ଦେବି ମୋର ହୃଦୟ କମଳରେ ।”

 

ଏ ପ୍ରଚାର ପ୍ରତି କର୍ଣ୍ଣପାତ ନକରି ପ୍ରସ୍ତୁତ ହେଲେ ମୁଦିରସ୍ତ ମାଣିଆବନ୍ଧ ଗ୍ରାମକୁ ଯାତ୍ରା ପାଇଁ । ସେଠାରେ ଜଣାଇଦେବେ ସେ ରାଜାଙ୍କର ଆଦେଶ ବୁଣାକାରମାନଙ୍କୁ–ତୁମ୍ଭେମାନେ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର ବେଶରେ ବ୍ୟବହୃତ ଖଣ୍ଡୁଆରେ ଶ୍ରୀଗୀତଗୋବିନ୍ଦର ଶ୍ଳୋକ ବୟନ କର ।

 

ଏକ ସ୍ଵତନ୍ତ୍ର ଗୀତଗୋବିନ୍ଦ ପୋଥିରେ ନୂତନ ପାଟବସ୍ତ୍ର ଗୁଡ଼ାଇ ଧାରଣ କଲେ ମୁଦିରସ୍ତ ଏବଂ ଯାତ୍ରା କଲେ ମାଣିଆବନ୍ଧ ଗ୍ରାମ । ଦୀର୍ଘ ତିନିଦିନ ଚାଲି ଚାଲି ମାଣିଆବନ୍ଧ ଗ୍ରାମରେ ପହଞ୍ଚିଲେ ସେ । ଚହଳ ପଡ଼ିଗଲା ଗ୍ରାମରେ–ମୁଦିରସ୍ତ ଆସିଛନ୍ତି ଶ୍ରୀକ୍ଷେତ୍ରରୁ ରାଜାଦେଶ ନେଇ । ରୁଣ୍ଡ ହୋଇଗଲେ ଗ୍ରାମବାସୀ–ଗୋସେଇଁ ! କ’ଣ ପାଇଁ ଆପଣଙ୍କର ଆଗମନ ? କି ଆଦେଶ ପ୍ରଦାନ କରିଛନ୍ତି ମହାରାଜ ?”

 

ସଯତ୍ନରେ ପୋଥିକୁ ବାହାର କରି ସ୍ଥାପନ କଲେ ମୁଦିରସ୍ତ । କହିଲେ–“ମହାରାଜ ଗଜପତି କାମାର୍ଣ୍ଣବଦେବଙ୍କର ଆଦେଶ, ତୁମେମାନେ ଏହି ପୋଥିର ଶ୍ଳୋକଗୁଡ଼ିକୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବାସ ଖଣ୍ଡୁଆ ଦେହରେ ବୟନ କର । ତାହା ଲାଗିହେବ ଠାକୁରଙ୍କ ଦେହରେ ବଡ଼ସିଂହାର ବେଶରେ ।”

 

ରାଜାଦେଶ ଶ୍ରବଣ କରି ଶାନ୍ତ ହେଲେ ଗ୍ରାମବାସୀ ।

 

ମୁଦିରସ୍ତ କହିଲେ–“ଆଗାମୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମେ ଲାଗିହେବ ଏହି ଖଣ୍ଡୁଆ । ତେଣୁ ତା’ ପୂର୍ବରୁ ତୁମ୍ଭେମାନେ ବୟନ ଶେଷକରି ଶ୍ରୀମନ୍ଦିରରେ ଦେଇ ଆସିବ ।”

 

ସମ୍ମତି ଜଣାଇ ସସମ୍ମାନେ ମୁଦିରସ୍ତଙ୍କୁ ବିଦାୟ ଦେଲେ ବସ୍ତ୍ର ଶିଳ୍ପୀମାନେ । ତା’ପରେ ପୋଥି ଖୋଲିଲେ ସେମାନେ ପଂକ୍ତିଗୁଡ଼ିକୁ ପାଠକରି ଖଣ୍ଡୁଆ ଦେହରେ ବୟନ କରିବା ଉଦ୍ଦେଶ୍ୟରେ । କିନ୍ତୁ ଏ କ’ଣ ? ଗ୍ରନ୍ଥଟି ଯେ ସଂସ୍କୃତ ଭାଷାରେ ଲିଖିତ ! ତାକୁ ପାଠ କରିବ କିଏ ? ଅକ୍ଷର ଚିହ୍ନି ପାଠ କରି ଅବା ବୟନ କରାଯିବ କିପରି ?

 

ନୈରଶ୍ୟ ଖେଳିଗଲା ତନ୍ତଶିଳ୍ପୀମାନଙ୍କ ମନ ଉଚ୍ଚରେ । ଆଗାମୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ଖଣ୍ଡୁଆ ଯାଇ ଶ୍ରୀମନ୍ଦିରରେ ପହଞ୍ଚିବ । ନଚେତ୍ ଶାସ୍ତି ବିଧାନ କରିବେ ଗଜପତି ମହାରାଜ । ଏଣେ ପୁଣି ସମ୍ମତି ଜଣାଇ ଦିଆଯାଇଛି ମୁଦିରସ୍ତଙ୍କୁ । କ’ଣ କରାଯାଇପାରେ ଏ ଜଟିଳ ପରିସ୍ଥିତିର ସମାଧାନ ପାଇଁ ? ହତାଶରେ ସେଦିନ ସେ ଯାତ୍ରା ଘରକୁ ଫେରିଗଲେ ତନ୍ତ ଶିଳ୍ପୀଗଣ ।

 

ପରଦିନ ପୁଣି ଏକାଠି ହେଲେ ଗ୍ରାମର ଚଉପାଢ଼ୀ ଗୃହରେ । ଉପାୟ ଚିନ୍ତାକଲେ ଖଣ୍ଡୁଆରେ ଗୀତଗୋବିନ୍ଦ ବୟନ ପାଇଁ । ଶେଷରେ ଜଣେ ଯୁବକ ବସ୍ତ୍ରଶିଳ୍ପୀ ଆଗକୁ ଆଗେଇ ଆସି କହିଲା–“ତନ୍ତରେ ସୂତା ଲଗାଯାଉ, ଗୋଟିଏ ଗୋଟିଏ ଅକ୍ଷର ଚିହ୍ନି ବୟନ କରିବାକୁ ଚେଷ୍ଟା କରାଯାଉ, ତେଣିକି ଶ୍ରୀଜଗନ୍ନାଥଙ୍କ ଇଚ୍ଛା ।” କହିଉଠିଲା ଆଉ ଜଣେ ବୃଦ୍ଧ–“ଆରେ ଗୋବିନ୍ଦା ! ତୋ କଥା ମୁଁ ମାନୁଛି, କିନ୍ତୁ ସଂସ୍କୃତ ଶ୍ଳୋକ ଖଣ୍ଡୁଆରେ ବୁଣିଲା ବେଳକୁ ଭୁଲ ଠିକ୍ ହୋଇଯାଇପାରେ । ଭୁଲ ହେଲେ କରିବା କ’ଣ ? ଗଜପତି ମହାରାଜ ଆମ୍ଭମାନଙ୍କୁ ଅପଦାର୍ଥ ଶିଳ୍ପୀ ବୋଲି ଘୋଷଣା କରିବେ–ଆଉ ଆମର ମାନ ଇଜ୍ଜତ ରହିବ ନାହିଁ ।

 

–“ତେବେ ତୁମେ କ’ଣ କହୁଛ ଦାଦି ?” ପ୍ରଶ୍ନ କଲା ଯୁବକ ଗୋବିନ୍ଦ ।

 

–“କିଛି ନାହିଁରେ ପୁଅ ! ରାଜା ଗୋଜା, ଯାହା ବୁଝିଥିବେ ସେଇଆ । ସେ କ’ଣ ବୁଝୁଛନ୍ତି ଯେ ମୂର୍ଖ ବୁଣାକାର ସଂସ୍କୃତ ଶ୍ଳୋକ ପଢ଼ି ଜାଣନ୍ତି ନାହିଁ ବୋଲି । ଯଦି କେହି ପଢ଼ି ଭୁଲ୍ ଠିକ୍ କହିନ୍ତା–ତେବେ ବୁଣିବାରେ କିଛି ଅସୁବିଧା ହୁଅନ୍ତା ନାହିଁ ।” କହିଲେ ବୃଦ୍ଧ ।

 

–“ହଠାତ୍ ସଂସ୍କୃତ ଶ୍ଳୋକ ପଢ଼ି ପାରୁଥିବା ଲୋକ ଆମେ ଏଗାଁରୁ କିପରି ପାଇବା ଦାଦି-। ମୋ କଥା ମାନ, ଅକ୍ଷର ଚିହ୍ନି କାମ ଆରମ୍ଭ କର । ଏଣେ ସେପରି ଲୋକ ଖୋଜାଯାଉ-। ମିଳିଲେ ଭଲ ନ ମିଳିଲେ କାମ ଅଧାକରି ଯାଇ ଶରଣ ପଶିବା ମହାରଜାଙ୍କ ନିକଟରେ । କହିବା–ମହାରଜା ! ଆମେ ପାରିଲୁ ନାହିଁ, ଆମ ମୁଣ୍ଡ ଆପଣ ରଖିଲେ ରଖନ୍ତୁ, କାଟିଲେ କାଟନ୍ତୁ ।”

 

–“ହଉ, ତାହାହେଲେ କାମ ଆରମ୍ଭ ହେଉ ଗୋବିନ୍ଦ ! ମୁଁ ସୂତା ଖଞ୍ଜୁଛି । ତୁ ତ ଅକ୍ଷର ଶିଖିଛୁ, ମୋ ପାଖରେ ବସି ଗୋଟି ଗୋଟି ପାଠ କର, ମୁଁ ବୁଣାରେ ମନ ଦିଏ ।”

 

–“ହଉ ତାହା ହିଁ ହଉ ଦାଦି । ବୁଣ ତୁମେ–ମେ ଘୈ–ର୍ମେ–ଦୁ–ରି–ମ–ମ୍ବ–ରଂ ।”

 

ଗୋଟି ଗୋଟି ଅକ୍ଷର ପଢ଼ିବାକୁ ଚେଷ୍ଟାକଲା ଯୁବକ ଗୋବିନ୍ଦ । ସେହି ସେହି ଅକ୍ଷରମାନଙ୍କୁ ଖଣ୍ଡୁଆରେ ବୁଣିବାକୁ ଯତ୍ନ କଲେ ବୃଦ୍ଧ ।

 

ଇତିମଧ୍ୟରେ ଅନେକ ଦିନ ବିତିଗଲା; କିନ୍ତୁ ଗୋବିନ୍ଦ ଦଶାବତାର ଶ୍ଳୋକର ବୁଣାକାମ ମଧ୍ୟ ଶେଷ ହେଉନାହିଁ । ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନକୁ ଖଣ୍ଡୁଆରେ ବୁଣାକାମ ଶେଷ ହେବ କିପରି ? ଆତଙ୍କିତ ହେଲେ ବୁଣାକାରମାନେ । ନିଶ୍ଚୟ ଜାଗିରୀ ଜମି ଛଡ଼ାଇନେବେ ଗଜପତି ମହାରାଜ ଆମର ଅକ୍ଷମତା ପାଇଁ । ହଟାଇ ଦେବେ ଖଣ୍ଡୁଆ ପ୍ରସ୍ତୁତ କାର୍ଯ୍ୟରୁ । ହତାଶରେ ଡାକ ଛାଡ଼ିଲେ ବୁଣାକାରମାନେ–“ଆମକୁ ଏ ବିପଦରୁ ରକ୍ଷାକର ମହାବାହୁ । ଜୀବନ ପଛେ ନିଅ, ଜୀବିକା ଆମର ରହୁ ।”

 

ଏତିକିବେଳେ ପାଟିକଲା ଯୁବକ ତନ୍ତଶିଳ୍ପୀ ଗୋବିନ୍ଦ–“ଶୁଣ ଶୁଣ ଦାଦି ! ଜଣେ ଭିଖାରୀ କ’ଣ ଏଇ ପୋଥିର ଗୀତ ଗାଇ ଗାଇ ଗାଁ ଦାଣ୍ଡରେ ଭିକ ମାଗୁଛି ! ତାକୁ ଡାକିବା ପଚାରିବା, ଯଦି ସେ ସାରା ପୋଥିର ଗୀତ ଜାଣିଥିବ–ତେବେ ତାକୁ ଅନୁରୋଧ କରି କହିବା–“ବାବା ତୁମେ ଆମ ପାଖରେ ବସି ଏ ଗୀତ ଗାଅ । ଆମେ ସେ ଗୀତକୁ ଖଣ୍ଡୁଆରେ ବୁଣିବୁ, ତୁମକୁ ଭିକ ଦେବୁ ।”

 

–“ହଁରେ ବାପା ! ଠିକ୍ କହିଲୁ । ଏଇ ଗୀତ ତ ସେ ଗାଉଛି । ଡାକ...ଡାକ, ପଚାରି ବୁଝିବା ସବୁ କଥା ।”

 

ବାହାରକୁ ବାହାରିଗଲା ଯୁବକ ବୁଣାକାର ଗୋବିନ୍ଦ । ଘର ଭିତରକୁ ଡାକି ଆଣିଲା ଜଣେ ସନ୍ୟାସୀଙ୍କୁ । ସନ୍ୟାସୀଙ୍କୁ ଦେଖି ତାଙ୍କ ପାଦରେ ମୁଣ୍ଡ ଲଗାଇ କହିଲେ ବୃଦ୍ଧ–“ବାବାଜୀ ମହାଶୟ ! ତୁମେ ଯେଉଁ ଗୀତ ଗାଉଛ; ସେ କି ଗୀତ ?”

 

–‘‘ଗୋବିନ୍ଦ ଗାଥା ଶ୍ରୀ ଗୀତଗୋବିନ୍ଦ’ କହିଲେ ସନ୍ନ୍ୟାସୀ ।

 

ହସିଉଠିଲା ଯୁବକ ବୁଣାକାର ଗୋବିନ୍ଦ । କହିଲା–“ହଇହେ ବାବାଜୀ ! ତୁମେ କୋଉଠି ଥିଲ ? କେତେ ଆମେ ଖୋଜୁଥିଲୁ ତୁମ ପରି ଲୋକଟାଏ ।”

 

–“କାହିଁକି ବାବା ?” ହସି ହସି କହିଲେ ସନ୍ୟାସୀ ।

 

–‘‘କୁହ ନାହିଁ ବାବାଜୀ, ଗଜପତି ମହାରାଜ ଆମକୁ ଆଦେଶ ଦେଇଛନ୍ତି ଗୀତଗୋବିନ୍ଦ ପୋଥିଟାକୁ ଶ୍ରୀଜଗନ୍ନାଥଙ୍କ ଖଣ୍ଡୁଆରେ ବୁଣିଦେବାକୁ । କି ଅଡ଼ୁଆ କଥା, କିହୋ ସଂସ୍କୃତ କିଏ ପୁଣି ଆମେ କିଏ ! ଭୁଲ ଠିକ୍ ଆମେ ଜାଣିବୁ କେମିତି ? ଏଣେ ତ ମୋଟେ ପୋଥି ପଢ଼ି ଆସୁନାହିଁ । କିଏ ଭଲା ବସି ପଢ଼ନ୍ତା ।” କହିଲା ଯୁବକ ଗୋବିନ୍ଦ ।

 

ଆଶାୟୀ ଆଖିରେ ସନ୍ନ୍ୟାସୀଙ୍କୁ ଚାହିଁ ବୁଦ୍ଧ କହିଲେ–ହଠାତ୍ ଆମେ ଶୁଣିଲୁ ବାବାଜୀ ମହାଶୟ ! ତୁମେ ସେହି ପୋଥିର ଗୀତ ଗାଉଛ । ସେଥିପାଇଁ ଡାକିଲୁ ।”

 

–“ମୁଁ କ’ଣ କରିବି ବୋଲ ତୁମେ କହୁଛ ?”

 

–“ତୁମେ ଯଦି ଆମ ପାଖରେ ବସି ସେଇ ଗୀତ ଗାଆନ୍ତ, ଆମେ ଶୀଘ୍ର ଶୀଘ୍ର ଖଣ୍ଡୁଆରେ ବୁଣିପକାନ୍ତୁ । ପୁଣି ଭୁଲ ହେଲା କି ଠିକ୍ ହେଲା ତୁମେ ବତେଇ ଦିଅନ୍ତ’’ କହିଉଠିଲା ଯୁବକ ଗୋବିନ୍ଦ ।

 

ବଳିପଡ଼ି କହିଲେ ବୃଦ୍ଧ–“ଆମେ ତୁମକୁ ଭିକ ଦିଅନ୍ତୁ ବାବାଜୀ ମହାଶୟ ! ମାଗଣାରେ ବସିବାକୁ କହୁନାହୁଁ ।”

 

–କ’ଣ ଦେଇପାରିବ ତୁମ୍ଭେମାନେ ?”

 

–“ଆମେ ତୁମକୁ ମାସକର ଭିକ ଦଶଗଉଣି ଚାଉଳ ଦେବୁ ବାବାଜୀ ଗୋସେଇଁ, ତୁମେ ଆମ ପାଖରେ ବସି ସେହି ଗୀତ ଗାଅ ।”

 

ହସିଲେ ସନ୍ୟାସୀ । କହିଲେ–“ହଉ, ତୁମ କଥା ରକ୍ଷାକରି ମୁଁଏଇଠି ବସି ରହିବି । ଗୀତ ଗାଇବି । କିନ୍ତୁ ତୁମ୍ଭେମାନେ ମତେ ଠକେଇଦେବ ନାହିଁ ତ ?”

 

–‘‘ନାଇଁ ବାବାଜୀ ଗୋସେଇଁ, ଠାକୁର ଜଗନ୍ନାଥଙ୍କ କାମ–ସେଥିରେ ଆମେ ତୁମକୁ ଠକେଇବୁ ! ଆମ କୁଳ ବୁଡ଼ିଯିବଟି ! !”ଗମ୍ଭୀର ହୋଇ କହିଲେ ବୃଦ୍ଧ ।

 

ଆଉଟିକେ ହସିଲେ ସନ୍ୟାସୀ, କହିଲେ–“ହଁ ମୁଁ ଗୀତଗୋବିନ୍ଦ ଗାଇବି I କିନ୍ତୁ ତାଳ ନ ଦେଲେ ତ ଗାଇହେବ ନାହିଁ । ତାଳ ଦେବ କିଏ ?”

 

ବଳିପଡ଼ି କହିଲା ଗୋବିନ୍ଦ–“ଆମେ ସେ ତାଳ ଫାଳ କ’ଣ ଜାଣିଛୁ ଗୋସେଇଁ ? ବୁଣାକାର ଲୋକ ଆମେ । ନିଜେ ତୁମେ ତାଳ ଦିଅ, ଗାଅ । ଆମେ ଖଣ୍ଡୁଆ ବୁଣିବୁ ।”

 

–“ତାଳ ଦେବାପାଇଁ ଘଣ୍ଟା ଘଣ୍ଟା କିମ୍ବା ପଖାଉଜ ତୁମ ଗାଁରୁ ମିଳିବ ନାହିଁ ?”

 

–“କହିଲୁ ପରା, ଆମେ ବୁଣାକାର ଲୋକ ଏସବୁ ଆମ ଗାଁରୁ ମିଳିବ କେଉଁଠୁ । ତନ୍ତ ଠକ ଠକ ହିଁ ଆମର ତାଳ ବାଦ୍ୟ ।” କହିଲେ ବୃଦ୍ଧ ।

 

–“ହଉ ତେବେ ମୋତେ ଦୁଇଟି ନଡ଼ିଆ ସଢ଼େଇ ଦିଅ । ସେଇଥିରେ ମୁଁ ତାଳଦେଇ ଗୀତ ଗାଇବି । ତୁମେ ଲୁଗା ବୁଣିବ ।”କହିଲେ ସନ୍ନ୍ୟାସୀ ।

 

ଘର ଦୁଆର ମୁହଁରୁ ଦୁଇଟା ନଡ଼ିଆ ସଢ଼େଇ ଗୋଟେଇ ଆଣି ସନ୍ନ୍ୟାସୀଙ୍କ ନିକଟରେ ରଖିଦେଲା ଯୁବକ ଗୋବିନ୍ଦ । କହିଲା–ନିଅ ଗୋସେଇଁ ସଢ଼େଇ ନିଅ ।”

 

ସଢ଼େଇ ଦୁଇଟିକୁ ହାତରେ ଉଠାଇ ତାଳଦେଇ ଗୀତଗୋବିନ୍ଦ ଗାନ କରିବାକୁ ବସିଲେ ସନ୍ନ୍ୟାସୀ ।

 

ପ୍ରଶ୍ନ କଲେ ବୃଦ୍ଧ ବୁଣାକାର–“ତୁମ ନାଁ କ’ଣ ବାବାଜୀ ମହାଶୟ ? ମଠ କୋଉଠି ?”

 

–“ମୋ ନାମ ଜୟଦେବ, ମଠ ନୀଳାଦ୍ରୀ ।”

 

–‘‘ଏଁ ନୀଳାଦିରି ? ସେ ଗାଆଁ କୋଉଠି ଗୋସେଇଁ ?”କହିଲେ ବୃଦ୍ଧ ।

 

–“ମହୋଦଧି ନିକଟରେ ।”

 

ଚିଡ଼ି ଉଠିଲା ଗୋବିନ୍ଦ । କହିଲା–“ମଠ କୋଉଠି, ନାଁ କ’ଣ ପଚାରି କ’ଣ ପାଉଛ ଦାଦି-! ତାଙ୍କ ମଠରୁ ଆମକୁ କ’ଣ ମିଳବ ? ତୁମେ କ’ଣ ବୁଢ଼ା କାଳରେ ବାବାଜୀ ହେଇ ତାଙ୍କ ମଠରେ ରହିବ ନାଁ କ’ଣ ?

 

ହସିଲେ ବୃଦ୍ଧ–କହିଲେ–“ନାଇଁରେ ବାପ ! ବାବାଜୀ ବିଚରା ଯେତେବେଳେ ମାସେ କାଳ ରହି ଆମ ପାଖରେ ଗୀତ ଗାଇବେ, ଭୁଲ ଠିକ୍ ବିତେଇ ଦେବେ, ସେତେବେଳେ ତାଙ୍କ ନାମ, ମଠକଥା ଟିକେ ପଚାରି ବୁଝିଲେ କ୍ଷତି କ’ଣ ?”

 

–“ହଉ ହଉ ତୁମର ଆଉ ବୁଝିବା ଦରକାର ନାହିଁ । ଏବେ କାମରେ ଲାଗ, ଆଗାମୀ କାର୍ତ୍ତିକ ପୂର୍ଣ୍ଣିମା ଦିନକୁ ଖଣ୍ଡୁଆ ଶ୍ରୀମନ୍ଦିରରେ ପହଞ୍ଚାଇବାକୁ ହେବ ?” କହିଲା ଗୋବିନ୍ଦ ।

 

–“ହଉ ବାବାଜୀ ମହାଶୟ ! ବୋଲ ତୁମେ ଗୀତ ।” କହିଲେ ବୃଦ୍ଧ ।

 

ଆରମ୍ଭ କଲେ ସନ୍ନ୍ୟାସୀ ଶ୍ରୀଗୀତଗୋବିନ୍ଦ ସଢ଼େଇରେ ତାଳ ଦେଇ । ବୁଣିବାରେ ଲାଗିଲେ ଯୁବକ ଗୋବିନ୍ଦ ଏବଂ ବୃଦ୍ଧ ଗୀତଗୋବିନ୍ଦର ଧାଡ଼ିଗୁଡ଼ିକୁ । ଦିନ ଗଡ଼ିଗଲା । ଧୀରେ ଧୀରେ ଗାଁର ଅନ୍ୟାନ୍ୟ ବୁଣାକାରମାନେ ମଧ୍ୟ ଉପସ୍ଥିତ ହୋଇ ଲାଗିଗଲେ କାମରେ ।

 

ସଢ଼େଇରେ ତାଳଦେଇ ଗୀତଗୋବିନ୍ଦ ଗାନ କରୁଥାନ୍ତି ସନ୍ନ୍ୟାସୀ । ବୁଣାକାରମାନେ ଧାଡ଼ିଗୁଡ଼ିକୁ ବୁଣୁଥିବା ସମୟରେ ଭୁଲ ହୋଇଯାଉଥିଲେ ଠିକ୍ କରି ଦେଉଥାନ୍ତି ଆନନ୍ଦିତ ମନରେ-। ଫଳରେ ଉତ୍ସାହିତ ହେଉଥାନ୍ତି ବୁଣାକାରମାନେ ।

 

କାର୍ତ୍ତିକ ପୂର୍ଣ୍ଣିମା ଆଉ ମାତ୍ର ପାଞ୍ଚଦିନ ବାକି । ଶେଷ ହୋଇଗଲା ଗୀତଗୋବିନ୍ଦର ବୁଣାକାର୍ଯ୍ୟ ଖଣ୍ଡୁଆ ଉପରେ । ବୁଣାକାରମାନଙ୍କ ପ୍ରାଣରେ ଅପୂର୍ବ ସନ୍ତୋଷ । ଗଜପତି ମହାରଜାଙ୍କ ନିକଟରେ ସମ୍ମାନ ରହିଗଲା । ନଚେତ୍ କ’ଣ ହୋଇଥାନ୍ତା କିଏ ଜାଣେ ?

 

ପାଟି କରିଉଠିଲେ ବୃଦ୍ଧ–“ଆରେ ଗୋବିନ୍ଦା ! କାମ ଶେଷ ହୋଇଗଲା । ଏବେ ବାହାରିପଡ଼, ଚାଲି ଚାଲି ନୀଳାଚଳରେ ମୁଦିରସ୍ତଙ୍କୁ ଖଣ୍ଡୁଆ ଦେବାକୁ ହେବ ।”

 

ଯୁବକ ଗୋବିନ୍ଦ କହିଲା–“ଦାଦି ! ଆମ କାମ ତ ହୋଇଗଲା । ତୁମେ ବାବାଜୀଙ୍କ କଥା ଭୁଲିଗଲ ନା କ’ଣ ? ତାଙ୍କୁ ଚାଉଳ ଦଶଗଉଣି ଖଣ୍ଡେ ଗାମୁଛା ଦେବା । ଆଜି ପର୍ଯ୍ୟନ୍ତ ସେ ଭଲ କରି ମୁଠିଏ ଖାଇନାହାନ୍ତି । ଖାଇବାକୁ ଦେବା । ତା’ପରେ ତାଙ୍କୁ ବିଦାୟ ଦେଇ ନୀଳାଚଳକୁ ଚାଲିବା ।”

 

–“ହଁ ବାପ ! ଆମ ଘରୁ ଖଣ୍ଡେ ଭଲ ନୂଆ ପାକଲା ଗାମୁଛା ଆଣ । ବାବାଜୀଙ୍କୁ କହୁ ସେ ଗାଧେଇ ଆସନ୍ତୁ, ମୁଠିଏ ଖାଇ ନିଅନ୍ତୁ । ତା’ପରେ ଗାମୁଛା ଦେଇ ବିଦା କରିବା ଏବଂ ନୀଳାଚଳ ଯାତ୍ରା କରିବା ।”

 

–‘‘ହଁ ଦାଦି ! ମୁଁ ଗାମୁଛା ଆଣୁଛି ।”

 

ବୃଦ୍ଧଙ୍କ ଘର ଭିତରକୁ ପଶିଗଲା ଗୋବିନ୍ଦ । ଖଣ୍ଡେ ଭଲ ପାକଲା ଗାମୁଛା ଆଣି ଗୋଟିଏ କଂସା ଥାଳି ଉପରେ ରଖିଲା । କହିଲା–“ବାବାଜୀ ମହାଶୟ ! ଗାଧୋଇ ଆସ । ମୁଠିଏ ଖାଅ । ଗାମୁଛା ଏବଂ ଚାଉଳ ଧରି ତୁମ ମଠକୁ ଯାଅ ।”

 

ଗୋବିନ୍ଦର କଥା ଶୁଣି ହସି ହସି ଉଠିଲେ ବାବାଜୀ ପୋଖରୀରେ ଗାଧୋଇବା ପାଇଁ । ଅପେକ୍ଷା କରି ବସିଲେ ଗୋବିନ୍ଦ, ବୃଦ୍ଧ ଏବଂ ଅନ୍ୟାନ୍ୟ ବୁଣାକାରମାନେ ।

 

ଅନେକ ସମୟ ବିତିଗଲା, ତଥାପି ବାବାଜୀଙ୍କର ଆଉ ଦେଖାନାହିଁ l ବିରକ୍ତ ହେଲେ ବୃଦ୍ଧ । କହିଲେ–“ଆରେ ଗୋବିନ୍ଦ ! ବାବାଜୀ କୁଆଡ଼େ ଗଲେ ଟିକେ ଦେଖ୍ । ଆମର ଡେରି ହେଉଛି । ସଅଳ ସଅଳ ବାହାରି ପଡ଼ିଲେ ସିନା ପୂନେଇଁ ଦି’ଦିନ ଆଗରୁ ନୀଳାଚଳରେ ପହଞ୍ଚିଯିବା ।”

 

–“ଯାଉଛି ଦାଦି ! ପୋଖରୀ ପଟରେ ଦେଖି ଆସୁ ଆସୁ ବାବାଜୀଟାକୁ ।”

 

ବାହାରିଗଲା ଗୋବିନ୍ଦ ପୋଖରୀ କୂଳକୁ । ବୁଲି ବୁଲି ଫେରିଆସି କହିଲା ହତାଶ ହୋଇ–“ଦାଦି ! ବାବାଜୀଟା କୁଆଡ଼େ ପଳେଇଗଲାଣି । ପୋଖର କୂଳରେ ନାହିଁ କିମ୍ବା ମହାଦେବ ମନ୍ଦିର, ଠାକୁରାଣୀ ମନ୍ଦିର, ଆଖଡ଼ା ଘର–କେଉଁଠି ନାହିଁ । କ’ଣ କରିବା ?”

 

–“ଆରେ ବାବାଜୀ ପାଗଳାଟାଏ । କାମ ଶେଷହେଲା ପରେ କୁଆଡ଼େ ପଳେଇଲାଣି । ବସି ବସି ଚାଉଳ ନ ନେଇ ବାରଦୁଆର ବୁଲି ଭିକ ମାଗିବାକୁ ତାକୁ ସୁଖ ଲାଗୁଛି । ହଉ ତା’ ଇଚ୍ଛା, ନ ନେଲା ନାହିଁ ତୁ ଡ଼େରି ନକରି ବାହାରିପଡ଼ ।”

 

ଆଉ ବାବାଜୀଙ୍କୁ ଅପେକ୍ଷା ନକରି ବାହାରିପଡ଼ିଲେ ଯୁବକ ଗୋବିନ୍ଦ ଏବଂ ବୃଦ୍ଧ ନୀଳାଚଳ ଅଭିମୁଖେ । ତିନିଦିନ ଚାଲିଚାଲି ସେମାନେ ଯାଇ ପହଞ୍ଚିଲେ ଶ୍ରୀମନ୍ଦିର ନିକଟରେ । ଭେଟିଲେ ମୁଦିରସ୍ତଙ୍କୁ ।

 

ଆନନ୍ଦିତ ହୋଇ କହିଲେ ମୁଦିରସ୍ତ–“ସମ୍ପୂର୍ଣ୍ଣ ଗୀତଗୋବିନ୍ଦ ଖଣ୍ଡୁଆ ଉପରେ ବୁଣିଦେଲ ତ ତୁମ୍ଭେମାନେ ?”

 

–“ହଁ ଗୋସେଇଁ ।”

 

–“କିନ୍ତୁ ମାଣିଆବନ୍ଧରୁ ମୁଁ ଫେରିଲାବେଳକୁ ଭାବୁଥିଲି–ତୁମେ ପୋଥିର ଅକ୍ଷର ପଢ଼ି ପାରିବ ନାହିଁ । କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ କାମ ଶେଷ ହେବ ନାହିଁ ।”

 

–“ଆମେ ବୁଣାକାମ ଶେଷକରି ପାରି ନଥାନ୍ତୁ ଗୋସେଇଁ । ଜଣେ ବାବାଜୀ ପହଞ୍ଚିଗଲେ । ସେ ସଢ଼େଇରେ ତାଳଦେଇ ମୁହଁରୁ ଗୀତଗୋବିନ୍ଦ ଗାଇଲେ । ଆମେ ସମସ୍ତେ ଲାଗିପଡ଼ି ବୁଣିଲୁ । ଫଳରେ କାମ ଶେଷ ହୋଇଗଲା ।” କହିଲା ଗୋବିନ୍ଦ ।

 

ଆଶ୍ଚର୍ଯ୍ୟାନ୍ଵିତ ହୋଇ ପ୍ରଶ୍ନକଲେ ମୁଦିରସ୍ତ–“ଜଣେ ବାବାଜୀ ଗୀତଗୋବିନ୍ଦ ଗାଇଲା-!! କୋଉ ବାବାଜୀ ? ସେ ଗୀତଗୋବିନ୍ଦ ଶିଖିଲା କେମିତି ? ତା’ ମଠ କେଉଁଠି ?”

 

ନୂଆ ଗାମୁଛାରେ ବନ୍ଧା ଖଣ୍ଡୁଆ ପୁଟୁଳିକୁ ସଯତ୍ନରେ ରଖୁ ରଖୁ କହିଲେ ବୃଦ୍ଧ–“ବାବାଜୀର ନାଁ ଗାଁ ପଚାରିଥିଲୁ ଗୋସେଇଁ । କହିଲା ସେ–“ମୋ ନାମ ଜୟଦେବ । ଘର ନୀଳାଦିରି, ମହୋଦଧି ନିକଟରେ ।”

 

ଚମକି ପଡ଼ିଲେ ମୁଦିରସ୍ତ–“ଏ..., ବାବାଜୀ କହିଲା ମୋ ନାମ ଜୟଦେବ ! ଘର ନୀଳାଦ୍ରି !!”

 

–“ହଁ ଗୋସେଇ !”

 

–“କିନ୍ତୁ ସନ୍ନ୍ୟାସୀ ଜୟଦେବ ଯେ ନୀଳାଦ୍ରିରୁ କେଉଁଆଡ଼େ ଯାଇନାହାନ୍ତି । ନିତିଦିନ ଶ୍ରୀ ଗୀତଗୋବିନ୍ଦ ପରିବେଷଣ କରୁଛନ୍ତି ଶ୍ରୀମନ୍ଦିରରେ ! ତୁମ ନିକଟରେ ସେ ଗୀତଗୋବିନ୍ଦ ପରିବେଷଣ କଲେ କିପରି ?”

 

–“ଏଁ...ଆମକୁ ତା’ହେଲେ ମିଛ ନାମ କହି ବାବାଜୀଟା ଠକି ଦେଲା ଗୋସେଇଁ ।” କହିଲେ–ବୃଦ୍ଧ ।

 

ମୁଗ୍‌ଧ ଚକ୍ଷୁରେ ବୃଦ୍ଧ ଏବଂ ଯୁବକ ବୁଣାକାରଙ୍କୁ ଚାହିଁ । କହିଲେ ମୁଦିରସ୍ତ–“ତୁମ୍ଭେମାନେ ଭଗ୍ୟବାନ୍, ସ୍ଵୟଂ ଜଗନ୍ନାଥଙ୍କୁ ଦର୍ଶନ କରିଛ ସ୍ଵଚକ୍ଷୁରେ ।”

 

–“ଏଁ ...କ’ଣ କହିଲେ ଗୋସେଇଁ ?’’ ଆଶ୍ଚର୍ଯ୍ୟାନ୍ଵିତ ହୋଇ ପ୍ରଶ୍ନାୟିତ ନୟନରେ ଚାହିଁ ରହିଲା ଯୁବକ ଗୋବିନ୍ଦ ।

 

ଦୀର୍ଘ ନିଃଶ୍ଵାସ ପକାଇ କହିଲେ ମୁଦିରସ୍ତ–‘ହଁ ସେ ସ୍ଵୟଂ ଜଗନ୍ନାଥ । ସନ୍ୟାସୀ ଜୟଦେବଙ୍କ ରୂପଧରି ବିରାଜିତ ହୋଇଥିଲେ ତୁମ ବସ୍ତିରେ ଶ୍ରୀଅଙ୍ଗର ଖଣ୍ଡୁଆ ବୟନ ପାଇଁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ । ତୁମେ ତାଙ୍କୁ ଚିହ୍ନି ପାରିନାହଁ ।”

 

–“ସ୍ଵୟଂ ଶ୍ରୀଜଗନ୍ନାଥ ବିରାଜମାନ କରିଥିଲେ ମୋ କୁଟୀରରେ !” ନିଜକୁ ଭୁଲିବା ପାଇଁ ଚେଷ୍ଟା କରୁଥିଲେ ବୃଦ୍ଧ ସେହି ସନ୍ନ୍ୟାସୀଙ୍କ ରୂପ କଳ୍ପନା କରି ।

 

ଉତ୍ସାହିତ ହୋଇ କହିଲେ ମୁଦିରସ୍ତ–“ଯେଉଁ ସଢ଼େଇ ଦୁଇଟିରେ ତାଳଦେଇ ସନ୍ନ୍ୟାସୀ ଗୀତଗୋବିନ୍ଦ ଗାନ କରୁଥିଲେ, ତାହା ତୁମ ଘରେ ଅଛି ତ ବୁଣାକାର ?”

 

–“ଅଛି...ଅଛି ଗୋସେଇଁ । ତନ୍ତ ପଡ଼ିଥିବା ଘର ପିଣ୍ଡାରେ ସଢ଼େଇ ଦୁଇଟା ପଡ଼ିଛି ।”

 

–‘‘ତାକୁ ତୁମେ ପୂଜା କର, ସ୍ମାରକୀ କର ଘରେ ସାଇତି ରଖ ବୁଣାକାର, ସେହି ତୁମର ସୌଭାଗ୍ୟ ।” କହିଲେ ମୁଦିରସ୍ତ ।

 

–“ଯାଉଛୁ...ଯାଉଛୁ ଗୋସେଇଁ, ତାକୁ ସାଇତି ରଖିବୁ । ଖଟୁଲି ଉପରେ ରଖି ପୂଜା କରିବୁ । ଖଣ୍ଡୁଆରେ ଗୀତଗୋବିନ୍ଦ ବୁଣିବା ସମୟରେ ତାକୁ ଫୁଲ ଚନ୍ଦନ ଦେଇ ସଜାଇ ରଖିବୁ ।”

 

ଆଉ ଅପେକ୍ଷା ନକରି ଗ୍ରାମ ଅଭିମୁଖେ ଦୌଡ଼ିବାକୁ ଆରମ୍ଭ କରିଦେଇଥଲେ ବୁଣାକାର ଗୋବିନ୍ଦ ଏବଂ ବୃଦ୍ଧ ସଢ଼େଇ ଦୁଇଟିକୁ ଦର୍ଶନ କରିବା ପାଇଁ । ଅନାଇ ରହିଥିଲେ ମୁଦିରସ୍ତ ସେମାନଙ୍କୁ ଅପଲକ ନେତ୍ରରେ । ଖଣ୍ଡୁଆ ବୟନର ପ୍ରାପ୍ୟ ଦେବାପାଇଁ ଭୁଲି ଯାଇଥିଲେ ସେ ।

 

ଏ ଅଲୌକିକ ଘଟଣା ମୁଦିରସ୍ତ ପ୍ରକାଶ କରିବା ପରେ ବିସ୍ମୟ ସୃଷ୍ଟି ହୋଇଥିଲା । ଭକ୍ତଜନଙ୍କ ମନରେ । ବିଶ୍ଵାସ କରିଥିଲେ ସମସ୍ତେ–ଗୀତଗୋବିନ୍ଦ ହିଁ ମହାବାହୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ସଙ୍ଗୀତ । ଏ ସଙ୍ଗୀତ ଗାନ କଲେ ସ୍ଵୟଂ ଶ୍ରୀଜଗନ୍ନାଥ ଦର୍ଶନ ଦିଅନ୍ତି । ଦୁଃଖ ଲାଘବ କରନ୍ତି । ପଲ୍ଲୀ, କୁଟୀର, ରାଜପଥ, ପ୍ରାସାଦ, ନଦୀଘାଟି–ସର୍ବତ୍ର ଗୀତଗୋବିନ୍ଦର ସଙ୍ଗୀତ–ସ୍ଵର ଝଙ୍କାର ସୃଷ୍ଟି କଲେ ଆବିର୍ଭୂତ ହୁଅନ୍ତି ଶ୍ରୀଜଗନ୍ନାଥ ନାନାରୂପରେ ।

 

ଏପରି ପ୍ରଚାର ପରେ ସଂଖ୍ୟାଧିକ ଭକ୍ତଜନ ଗାନ କଲେ ଗୀତଗୋବିନ୍ଦ ସ୍ଵଗୃହରେ । ବଖାଣି ବସିଲେ ମଧ୍ୟ ନିଜ ନିଜର ଅନୁଭୂତି । କେହି କହିଲେ–ଗୀତଗୋବିନ୍ଦ ଗାନ ଶ୍ରବଣ କରି ଆସିଥିଲେ ଶ୍ରୀଜଗନ୍ନାଥ ଭିକ୍ଷାର୍ଥୀ ବେଶରେ, ଅନ୍ୟ କେହି କହିଲେ–ମୋ ମୁଖରୁ ଗୀତଗୋବିନ୍ଦ ଶ୍ରବଣ କରି ଜୀବନ୍ତ ହୋଇଉଠିଲେ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର । ଆଉ କେହି କହିଲେ–ଶ୍ରୀ ଗୀତଗୋବିନ୍ଦ ଶ୍ରବଣ ପାଇଁ ମହାକାହ୍ନୁ ମୋ କୁଟୀରକୁ ଆସିଥିଲେ ଗୋମାତା ରୂପରେ । ଉଜାଡ଼ିଲେ ମୋର ପନିପରିବା ଖେତ । ହଟିଆ ବନମାଳୀ ତ ସେ–ମୁଁ ସବୁ ଜାଣିଲି । ନୀରବରେ ଦର୍ଶନ କଲି ତାଙ୍କୁ ଗବାକ୍ଷ ମଧ୍ୟରେ ।

 

ଏ ପ୍ରଚାର ବିଜାତୀୟ ବ୍ୟକ୍ତିମାନଙ୍କ ମନରେ ମଧ୍ୟ ସଂଶୟ ସୃଷ୍ଟି କଲା । ଭାବିଲେ ସେମାନେ–ସତେ କ’ଣ ହିନ୍ଦୁ ଦେବତା ରୂପ ଗ୍ରହଣ କରି ଦର୍ଶନ ଦିଅନ୍ତି ଭକ୍ତଜନଙ୍କୁ ? ଅସମ୍ଭବ, କେବଳ ମିଥ୍ୟା ପ୍ରଚାର, ଗୁଜବ ।

 

ସେଦିନ ଅଶ୍ଵ ପୃଷ୍ଠରେ ବସି ବଡ଼ଦାଣ୍ଡ ଦେଇ ପିପିଲି ଅଭିମୁଖେ ଯାତ୍ରା କଲାବେଳେ ଏମିତି କେତେ କଥା ଚିନ୍ତା କରୁଥିଲେ ଯବନ ଅହମ୍ମଦ୍‍ ବେଗ୍ ।

 

ଭାବୁଥିଲେ ସେ, ଉଚ୍ଚ କଣ୍ଠରେ ଗାନ କରିବେ ଶ୍ରୀଗୀତଗୋବିନ୍ଦର ସଙ୍ଗୀତ । ପରୀକ୍ଷା କରି ଦେଖିବେ–ବାସ୍ତବରେ ହିନ୍ଦୁ, ଦେବତା ଶ୍ରୀଜଗନ୍ନାଥ ଦର୍ଶନ ଦେଉଛନ୍ତି କି ନାହିଁ ।

 

ବେଳକୁବେଳ ତାଙ୍କ ମନରେ ଅଧିକ ଆଗ୍ରହ ଜାତ ହେଲା । ଅଶ୍ଵର ପାଦ ଶବ୍ଦ ସହିତ ତାଳଦେଇ ଉଚ୍ଚକଣ୍ଠରେ ସେ ଗାନ କରିବାକୁ ଲାଗିଲେ ଗୀତଗୋବିନ୍ଦର ସଙ୍ଗୀତ । କିନ୍ତୁ କାହିଁ ? ହିନ୍ଦୁ, ଦେବତା ଶ୍ରୀଜଗନ୍ନାଥଙ୍କର ଦର୍ଶନ କାହିଁ ? ପ୍ରଚାରିତ ଗୁଜବକୁ ସେ ମନେମନେ ଭାବୁଥିଲେ ମଧ୍ୟ କୌତୁହଳବଶତଃ ଆହୁରି ଉଚ୍ଚ କଣ୍ଠରେ ଗାନ କରୁଥିଲେ ଗୀତଗୋବିନ୍ଦ । ଅଶ୍ଵର ଗତି ମଧ୍ୟ ପ୍ରଖର ହେଉଥିଲା ବେଳକୁବେଳ ।

 

ବହୁ ପଥ ଅତିକ୍ରମ କରିଗଲେ ଅହମ୍ମଦ ବେଗ୍‍ । ଶ୍ରୀକ୍ଷେତ୍ରରେ ସମୁଦ୍ର ବେଳାରେ ବୁଲି ଅପରାହ୍ନ ସୌନ୍ଦର୍ଯ୍ୟ ଦର୍ଶନ କରିବାକୁ ଆଗମନ କରିଥିଲେ ସେ ପିପିଲି ଅଞ୍ଚଳରୁ । ଗଭୀର ରାତ୍ରି ପୂର୍ବରୁ ତାଙ୍କୁ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ । ଅବଶ୍ୟ ଶୁକ୍ଳ ପକ୍ଷର ଚନ୍ଦ୍ର, ଜ୍ୟୋତ୍ସ୍ନାରେ ଦିବାଲୋକ ପରି ଉଜ୍ଜ୍ୱଳ ଦିଶୁଛି ରାଜପଥ । ଭୟ ଭ୍ରାନ୍ତିର ପ୍ରଶ୍ନ ନାହିଁ । ତଥାପି...ଚନ୍ଦ୍ରଚକିତ ରାତ୍ରିରେ ଅଶ୍ଵାରୋହଣକୁ ଆହୁରି ଉପଭୋଗ୍ୟ କରିବା ପାଇଁ ଚାବୁକ୍ ଉଠାଇଲେ ସେ । କଣ୍ଠରୁ ସେମିତି ଝରୁଥାଏ ଅମୀୟ ଗୀତଗୋବିନ୍ଦର ଧାରା ।

 

ବେଳକୁବେଳ ଗୀତଗୋବିନ୍ଦର ଛନ୍ଦରେ ମୁଗ୍‌ଧ ହେଉଥାନ୍ତି ଅହମ୍ମଦ ବେଗ୍‍ । ରଧାକୃଷ୍ଣଙ୍କ ଅମୀୟ ଲୀଳା କୀର୍ତ୍ତନ ବିଭୋର କରୁଥାଏ ତାଙ୍କ ଚିତ୍ତବୃତ୍ତିକୁ । ଫାଲ୍‌ଗୁନର ବସନ୍ତ ମଳୟ ଶୀତ୍‌କାର ତୋଳୁଥାଏ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗରେ ।

 

ବଡ଼ଦାଣ୍ଡରୁ ବାଟମଙ୍ଗଳା ପାରହୋଇ ଛୁଟି ଚାଲିଥାଏ ତାଙ୍କ ଅଶ୍ଵ । ହଠାତ୍ ରାଜପଥ ଉପରେ ସେ ଶ୍ରବଣ କଲେ ଏକ ଶିଶୁର କ୍ରନ୍ଦନ ଧ୍ୱନି । ଶୀଥିଳ ହୋଇଆସିଲା ତାଙ୍କ ଅଶ୍ଵର ଗତି । ରୁଦ୍ଧ ହୋଇଗଲା କଣ୍ଠରୁ ଶ୍ରୀଗୀତଗୋବିନ୍ଦର ଗାନ । ଲକ୍ଷ୍ୟ କଲେ ସେ–ରାଜରାସ୍ତାର ମଧ୍ୟାନ୍ତରରେ ପଡ଼ିରହି କ୍ରନ୍ଦନ କରୁଛି ଶିଶୁଟିଏ । ବୋଧହୁଏ ସେଥିପ୍ରତି କର୍ଣ୍ଣପାତ ନ କରିଥିଲେ ଅଶ୍ଵର ଖୁରାଘାତରେ ମୃତ୍ୟୁବରଣ କରିଥାନ୍ତା ଅବୋଧ ଶିଶୁଟି ।

 

ଚନ୍ଦ୍ରଜ୍ୟୋତ୍ସ୍ନାରେ ସ୍ପଷ୍ଟ ଦିଶୁଛି କ୍ରନ୍ଦନରତ ଶିଶୁଟି । ଆଉ ଅପେକ୍ଷା ନକରି ଅଶ୍ଵ ପୃଷ୍ଠରୁ ଅବତରଣ କଲେ ଅହମ୍ମଦ ବେଗ୍ । ଉଠାଇ ଆଣିଲେ ଶିଶୁକୁ । ଆଶ୍ଚର୍ଯ୍ୟାନ୍ଵିତ ହେଲେ ସେ–ରକ୍ତାକ୍ତ କ୍ଷତବିକ୍ଷତ ଶିଶୁର ମୁଖମଣ୍ଡଳ । ଭୟ ଏବଂ ଆତଙ୍କରେ ଥରିବାରେ ଲାଗିଛି ଶିଶୁଟି ।

 

ପ୍ରଶ୍ନ କଲେ ଅହମ୍ମଦ ବେଗ୍‍–“କିଏ ତୁମେ ବାଳକ ? ଏ ରାସ୍ତାରେ କ୍ଷତବିକ୍ଷତ ହୋଇପଡ଼ିଲ କେମିତି ?”

 

ଅଧୀର ହୋଇ କାନ୍ଦି କାନ୍ଦି କହିଉଠିଲା ଶିଶୁ–“ମୋ ଘର ନୀଳାଚଳ ।”

 

–“ତେବେ ଏଇ ରାସ୍ତାରେ କ୍ଷତବିକ୍ଷତ ହୋଇପଡ଼ିଲ କେମିତି ବାଳକ ?” କହିଲେ ଅହମ୍ମଦ ବେଗ୍ ।

 

ସାହସ ସଞ୍ଚୟ କରି କହିଲା ଅବୋଧ ଶିଶୁ–“ମୁଁ ଅପରାହ୍ନରେ ମହୋଦଧି ତୀର ବାଲୁକା ରାଶି ଉପରେ କ୍ରୀଡ଼ା କରୁଥିଲି, ଶାମୁକା, ଉପଳ ଗୁଡ଼କଙ୍କ ସଂଗ୍ରହ କରୁଥିଲେ ଏବଂ ମହୋଦଧିର ଲହରୀମାଳାକୁ ଉପଭୋଗ କରୁଥିଲି । ଡାକିଲେ ମୋତେ ଜଣେ ଅଶ୍ଵାରୋହୀ । ଆଗ୍ରହରେ ମୁଁ ଧାଇଁ ଆସିଲି ତାଙ୍କ ନିକଟକୁ । ସେ ମୋତେ ଅଶ୍ୱପୃଷ୍ଠରେ ବସାଇଲେ । ଛୁଟାଇଦେଲେ ଅଶ୍ଵ ।”

 

–‘‘ତା’ପରେ କ’ଣ ହେଲା ବାଳକ ?”

 

–“ସେ ମୋତେ କେଉଁଆଡ଼େ ନେଉଛନ୍ତି ମୁଁ ଜାଣିପାରିଲି ନାହିଁ । ବସି ରହିଥିଲି ଅଶ୍ଵ ପୃଷ୍ଠରେ ବୋକା ଭଳି ତାଙ୍କ ଦେଶକୁ ଲାଗି ।”

 

–‘‘ହଁ...ତା’ପରେ କ’ଣ ହେଲା ?”

 

–“ଧୀରେ ଧୀରେ ଅଶ୍ଵ ବଡ଼ଦାଣ୍ଡ ପାର ହୋଇ କ୍ଷିପ୍ତ ଗତିରେ ଛୁଟିବାରେ ଲାଗିଲା । ଆଉ ନିଜେ ମୁଁ ନିଜର ଭାରସାମ୍ୟ ରକ୍ଷାକରି ପାରିଲି ନାହିଁ । ଏଣେ ଭୟରେ ଅଙ୍ଗପ୍ରତ୍ୟଙ୍ଗ ଥରିବାରେ ଲାଗିଲା । ଫଳରେ ଭୂପତିତ ହେଲି ମୁଁ ଅଶ୍ଵ ପୃଷ୍ଠରୁ ଏହି ରାଜରାସ୍ତା ଉପରେ । କ୍ଷତବିକ୍ଷତ ହୋଇଗଲା ମୋର ଅଙ୍ଗ ପ୍ରତ୍ୟଙ୍ଗ ।”

 

ଦୟାର୍ଦ ହୋଇପଡ଼ିଲେ–ବିଜାତୀୟ ଅହମ୍ମଦ୍ ବେଗ୍ । ପୋଛିଦେଲେ ବାଳକର ରକ୍ତାକ୍ତ ମୁଖମଣ୍ଡଳ । କହିଲେ–“ନିଶ୍ଚୟ ଅସତ୍ ଚରିତ୍ରର ବ୍ୟକ୍ତି ସେହି ଅଶ୍ଵାରୋହୀ । ତୁମକୁ ଅପହରଣ କରିବାକୁ ଯତ୍ନ କରୁଥିଲା ନୀଳାଚଳରୁ ନିଜର କ୍ରୀତଦାସ କରି ରଖିବା ପାଇଁ ।”

 

କ୍ରନ୍ଦନର ସ୍ଵର ବନ୍ଦ ହୋଇଆସିଲା ଶିଶୁଟିର ଅହମ୍ମଦ୍ ବେଗ୍‌ଙ୍କ ଆଶ୍ଵାସନା ଲାଭ କରି ।

 

ଧୀର ଗଳାରେ କହିଲେ ଅହମ୍ମଦ ବେଗ୍‌–“ତୁମେ ଭୟ କରନାହିଁ ବାଳକ ! ମୁଁ ତୁମକୁ ଅଶ୍ଵ ପୃଷ୍ଠରେ ବସାଇ ପୁଣି ନୀଳାଚଳକୁ ଫେରାଇନେବି । ଗୃହରେ ଛାଡ଼ିଦେଇ ଆସିବି । କ୍ଷତ ସ୍ଥାନର ଚିକିତ୍ସା ପାଇଁ ତୁମ ପିତାମାତାଙ୍କ ନିର୍ଦ୍ଦେଶ ଦେଇ ଆସିବି ।”

 

–“ମୁଁ ପିତୃମାତୃହୀନ ଅନାଥ ଶିଶୁ I ବଞ୍ଚେ ଭିକ୍ଷା କରି ।”

ଚମକି ପଡ଼ିଲେ ଅହମ୍ମଦ ବେଗ୍ । ଦରଦ ଭରିଗଲା ତାଙ୍କ ହୃଦୟରେ I ସାହସ ଦେଇ କହିଲେ ସେ–“ତୁମେ ମନରେ ଦୁଃଖ କରନାହିଁ ବାଳକ ! ମୁଁ ତୁମକୁ ନୀଳାଚଳକୁ ଫେରାଇ ନେବି । ତୁମ ରହିବା ସ୍ଥାନରେ ଛାଡ଼ିଦେଇ ଆସିବି । ଚିକିତ୍ସା ପାଇଁ ଦେଇ ଆସିବି କିଛି କଉଡ଼ି ।”

ଅହମ୍ମଦ୍ ବେଗ୍‌ଙ୍କ ଭରସା ପାଇ ଆନନ୍ଦର ହେଲା ଅବୋଧ ଶିଶୁ । ଚନ୍ଦ୍ର ଜ୍ୟୋତ୍ସ୍ନାରେ ସବୁକିଛି ଲକ୍ଷ୍ୟ କରିପାରୁଥିଲେ ଅହମ୍ମଦ୍ ବେଗ୍‍ । ଧୀରେ ଶିଶୁକୁ ଉଠାଇ ବସାଇଲେ ଅଶ୍ଵ ପୃଷ୍ଠର ଜିନ୍ ଉପରେ । ତା’ପରେ ନିଜେ ଉଠିଲେ ଅଶ୍ଵ ଉପରକୁ । କହିଲେ ନରମ ଗଳାରେ–“ବାଳକ ! ତୁମେ ପଛରେ ବସି ମୋର କଟିଦେଶକୁ ଧାରଣ କର । ମୁଁ ଧୀରେ ଧୀରେ ଅଶ୍ଵ ଚଳାଇବି । ତୁମେ ଭୟ କରିବାର କୌଣସି କାରଣ ନାହିଁ ।”

ବସିରହିଲା ବାଳକ ଅଶ୍ଵ ପୃଷ୍ଠରେ ଅହମ୍ମଦ୍ ବେଗ୍‌ଙ୍କ ପଶ୍ଚାତ୍ ଭାଗରେ । ଧାରଣ କରିଥିଲା ସେ ବେଗ୍‌ଙ୍କ କଟିଦେଶ । ପ୍ରତ୍ୟାବର୍ତ୍ତନ କଲା ଅଶ୍ଵ ପୁଣି ନୀଳାଚଳ ଅଭିମୁଖେ ।

ସାମାନ୍ୟ ପଥ ଅତିକ୍ରମ କରିବା ପରେ ଗୀତଗୋବିନ୍ଦର ସଙ୍ଗୀତ ଗୀନ କରିବାରେ ଲାଗିଲେ ଅହମ୍ମଦ ବେଗ୍ । ଚନ୍ଦ୍ରବିଧୌତ ରଜନୀର ନିର୍ଜନତାକୁ ଶବ୍ଦାୟିତ କରି ସ୍ଵର ଝଙ୍କାର ତୋଳୁଥିଲା ସେ ସଙ୍ଗୀତ ରାଜପଥ ଉପରେ । ଧୀରେ ଧୀରେ ନିଜକୁ ଭୁଲୁଥିଲେ ଅହମ୍ମଦ ବେଗ୍ ରାଧାକୃଷ୍ଣ ଲୀଳାର ଅମୃତ ରସମୟ ସଙ୍ଗୀତରେ ।

ପୁଣି ଆସି ବଡ଼ଦାଣ୍ଡ ଛୁଇଁଲା ଦୁତ୍ରଗାମୀ ଅଶ୍ୱ, ହଠାତ୍‍ ପ୍ରକୃତିସ୍ଥ ହେଲେ ଅହମ୍ମଦ ବେଗ୍-। ଅଶ୍ଵର ଗତି ମନ୍ଥର କରି କହିଉଠିଲେ–ବାଳକ ! ତୁମେ ଏହି ବଡ଼ଦାଣ୍ଡରେ ଅବସ୍ଥାନ କରିବ କିମ୍ବା ତୁମକୁ ଘେନିଯିବ ମହୋଦଧି ତୀର ପର୍ଯ୍ୟନ୍ତ !’

 

ଉତ୍ତର ନାହିଁ ବାଳକର । କି ଆଶ୍ଚର୍ଯ୍ୟ !! ଅଧୀର ହୋଇ ପଛକୁ ଚାହିଁଲେ ଅହମ୍ମଦ ବେଗ୍ । କିନ୍ତୁ ବାଳକ ନାହିଁ ? ଆହା......କି ଅପରାଧ ନକଲି ମୁଁ ? ବାଳକଟିକୁ ଅଶ୍ଵପୃଷ୍ଠର ସମ୍ମୁଖ ଭାଗରେ ନ ବସାଇଲି କାହିଁକି ?

 

ବ୍ୟଥିତ ବିବ୍ରତ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଅହମ୍ମଦ୍ ବେଗ୍ । ଅଶ୍ଵର ମୁହଁ ବୁଲାଇ ଛୁଟାଇଲେ ଆଗକୁ ବାଳକଟିର ଅନୁସନ୍ଧାନ ପାଇଁ । ପ୍ରବଳ ବେଗରେ ଛୁଟିବାରେ ଲାଗିଲା ଅଶ୍ଵ । କିନ୍ତୁ କାହିଁ...କାହିଁ ସେ ବାଳକ ? ଆଉ ଶ୍ରୀ ଗୀତଗୋବିନ୍ଦ ଗାନ କଥା ମନରେ ନାହିଁ ତାଙ୍କର । ଆଖିରେ ନାଚୁଛି ସେହି ବାଳୁତ ଶିଶୁର କ୍ଷତବିକ୍ଷତ ରକ୍ତାକ୍ତ ମୁଖମଣ୍ଡଳ । ସମ୍ମୁଖ ଭାଗକୁ ଚାହିଁ ଛୁଟିବାରେ ଲାଗିଛନ୍ତି ସେ । ସ୍ପଷ୍ଟ ଦିଶୁଛି ରାଜପଥ ଚନ୍ଦ୍ର କିରଣର ଆଲୋକରେ ।

 

ହଠାତ୍ ପିପିଲି ବନ୍ଦର ନିକଟରେ ଅଟକି ଯାଇଛି ଅହମ୍ମଦ୍ ବେଗ୍‌ଙ୍କ ଅଶ୍ୱର ଗତି । ପାଗଳ ଭଳି ଓହ୍ଲାଇ ପଡ଼ିଛନ୍ତି ସେ ଅଶ୍ଵ ପୃଷ୍ଠରୁ । ଚିତ୍କାର କରିଛନ୍ତି ମନେ ମନେ–କାହିଁ...କାହିଁ ସେ ଶିଶୁ ? ବଞ୍ଚାଇପାରିଲି ନାହିଁ ମୁଁ ପିତୃମାତୃହୀନ ଅନାଥ ଶିଶୁଟିକୁ ।

 

ମନର ଉତ୍ତେଜନାରେ ଅବଶ ହୋଇପଡ଼ିଛି ତାଙ୍କ ହସ୍ତପଦ । ଗୋଟିଏ ଝଙ୍କା ବଟ ବୃକ୍ଷମୂଳରେ ଥକ୍‌କା ହୋଇ ବସିପଡ଼ିଛନ୍ତି ସେ । ବିଶ୍ରାମ ଗ୍ରହଣ କରିଛି ମଧ୍ୟ ଅଶ୍ୱ ପଥଶାନ୍ତି ପରେ-

 

ମୁଦ୍ରିତ ହୋଇ ଆସିଛି ଅହମ୍ମଦ୍ ବେଗ୍‌ଙ୍କ ଅବଶ ନୟନ ଯୁଗଳ । ସ୍ଵପ୍ନ ଦେଖିବାକୁ ଆରମ୍ଭ କରିଛନ୍ତି ସେ ଭାବାବେଗ ମଧ୍ୟରେ । ଚନ୍ଦ୍ରଚକିତ ରଜନୀରେ ବଡ଼ଦାଣ୍ଡ ଉପରେ କ୍ରୀଡ଼ା କରୁ କରୁ ହସୁଛି ସେ ବାଳକ । ସତେଅବା ମୁକ୍ତା ଝରୁଛି ସେ ହସରୁ । ବିମୋହିତ ହେଉଛନ୍ତି ଅହମ୍ମଦ୍ ବେଗ୍ ବାଳକର ରୂପ ଲାବଣ୍ୟ ଦର୍ଶନ କରି । ମସ୍ତକରେ ମୟୁର ଚନ୍ଦ୍ରିକା, କର୍ଣ୍ଣରେ କୁଣ୍ଡଳ, କଣ୍ଠରେ ରତ୍ନଦ୍ଵାର, କଟୀରେ ମେଖଳା, ହସ୍ତରେ ବଂଶୀ, ନୟନରେ ଲାଳିତ୍ୟ ଭରା ଚାହାଣି ।

 

ବାଳକଟିକୁ ଚିହ୍ନିବା ପାଇଁ ଯତ୍ନ କରୁଛନ୍ତି ଅହମ୍ମଦ୍ ବେଗ୍ । ଏଇ ତ ସେ ବାଳକ । କିନ୍ତୁ ସେ ଯେ କହୁଥିଲା–ପିତୃମାତୃହୀନ ବାଳକ ସେ । ଜୀବକାର୍ଜନର ପନ୍ଥା ତା’ର ଭିକ୍ଷା ।

 

ଅହମ୍ମଦ ବେଗ୍‌ଙ୍କ ଚିନ୍ତାରେ ବାଧା ଦେଇ କହିଲା ବାଳକ–“ମୁଁ ମିଛ କହିନାହିଁ ଅହମ୍ମଦ୍ ବେଗ୍ । ବାସ୍ତବରେ ମୁଁ ପିତୃମାତୃହୀନ, ମୋର ଭିକ୍ଷା ସାମଗ୍ରୀ ତୁମ ଭଳି ଭକ୍ତଜନଙ୍କ ପ୍ରଗାଢ଼ ଭକ୍ତି । ସେହି ଭକ୍ତି ଭିକ୍ଷାର ସାମଗ୍ରୀରେ ମୁଁ ବଞ୍ଚେ ।”

 

–କିନ୍ତୁ ତୁମେ ଯେ ଅଶ୍ଵପୃଷ୍ଠରୁ ପଡ଼ି କ୍ଷତବିକ୍ଷତ ହୋଇଥିଲ ବାଳକ !!”

 

–“ହଁ...ଅହମ୍ମଦ୍ ବେଗ୍ । ତୁମ ଶ୍ରୀ ଗୀତଗୋବିନ୍ଦ ଗାନରେ ମୁଗ୍‌ଧ ହୋଇ ମୁଁ ଅଶ୍ଵପୃଷ୍ଠରେ ତୁମର ପଶ୍ଚାତ୍ ଭାଗରେ ଯାତ୍ରା କରୁଥିଲି । ଅଶ୍ଵପୃଷ୍ଠରୁ ପତିତ ହେବାର ଛଳନା କଲି ପୁନର୍ବାର ଶ୍ରୀ ଗୀତଗୋବିନ୍ଦ ଶ୍ରବଣ କରି କରି ଶ୍ରୀକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ।”

 

–“ତୁମେ…ତୁମେ ସେହି ହିନ୍ଦୁ ଦେବତା ଶ୍ରୀଜଗନ୍ନାଥ ?”

 

–“ହଁ” ଅହମ୍ମଦ୍ ବେଗ୍ । ମୁଁ ସେହି ଶଙ୍ଖ, ଚକ୍ର ଗଦା, ପଦ୍ମଧାରୀ ନୀଳାଚଳ ନାଥ ହିନ୍ଦୁଦେବତା ଜଗନ୍ନାଥ । ପୁଣି ମୁଁ ସେହି ଶିଖୀଚୂଳିଆ ଗୋଗଷ୍ଠବିହାରୀ ବନମାଳୀ ଶ୍ରୀକୃଷ୍ଣ ।”

 

–“ପ୍ରଭୁ ହିନ୍ଦୁ ଦେବତା ଜଗନ୍ନାଥ ! ତୁମେ ଜଣେ ବିଜାତୀୟ ଯବନକୁ ଦର୍ଶନ ଦେଲ କାହିଁକି ? ସ୍ଵର୍ଗ ସୁଖ ପ୍ରଦାନ କଲ କାହିଁକି ପ୍ରଭୁ ?ତୁମ ଶ୍ରୀଅଙ୍ଗ ଯେ ଅପବିତ୍ର ହୋଇଗଲା ।”

 

ହସିଲେ ସେ ମୁରଲୀଧାରୀ ବିଦଗ୍‌ଧ ମାର୍ମିକତାରେ । କହିଲେ–“ମୋ ନିକଟରେ ଜାତି ଅଜାତି, ପର ଅପର, ଧର୍ମ ଭିନ୍ନ ଧର୍ମ ନାହିଁ ଅହମ୍ମଦ୍ ବେଗ୍ । ମୁଁ ଭକ୍ତିରେ ବନ୍ଧା, ଭକ୍ତର ଭଗବାନ । ତୁମ ଭକ୍ତି ହିଁ ମୋତେ ଟାଣିନେଲା ତମ ନିକଟକୁ । ମୁଁ ଅପବିତ୍ର ହୋଇନାହିଁ ଅହମ୍ମଦ ବେଗ୍, ବରଂ ଆନନ୍ଦିତ ହୋଇଛି ଭକ୍ତିର ସାପ୍ଳୁତ ଶ୍ରୀ ଗୀତଗୋବିନ୍ଦ ଶ୍ରବଣ କରି ।”

 

–“ମହାପ୍ରଭୁ ଶ୍ରୀଜଗନ୍ନାଥ ! କିଏ କହେ ତୁମେ ହିନ୍ଦୁ ଦେବତା ?ଜଗତର ନାଥ ଜଗନ୍ନାଥ । ମଣିଷର ଦେବତା, ଭକ୍ତିର ଦେବତା, ଭକ୍ତର ଦେବତା, ହୃଦୟବତ୍ତାର ଦେବତା, ଗତି, ମୁକ୍ତି ଶାନ୍ତିର ଦେବତା । ଆଉଥରେ ମୋତେ ଦର୍ଶନ ଦିଅ ଶ୍ରୀଜଗନ୍ନାଥ । ପବିତ୍ର ହେଉ ଏହି ବିଜାତୀୟ ଅହମ୍ମଦ୍ ବେଗ୍‌ର ନୟନ ମନ ।”

 

ଚାଉଁକରି ନିଦ୍ରା ଭଗ୍ନ ହେଲା ଅହମ୍ମଦ ବେଗ୍‌ଙ୍କର । ଉତ୍ତେଜନାରେ ଦଣ୍ଡାୟମାନ ହୋଇପଡ଼ିଲେ ସେ । ଲକ୍ଷ୍ୟ କଲେ–“ଚତୁର୍ଦ୍ଦିଗକୁ । ପ୍ରଭାତର ସୂର୍ଯ୍ୟକିରଣ ବିଛାଡ଼ି ହୋଇ ପଡ଼ିଛି ବଟବୃକ୍ଷ ଉପରେ । ସ୍ଥିର ନିଶ୍ଚଳ ହୋଇ ଦଣ୍ଡାୟମାନ ହୋଇଛି ଅଶ୍ୱଟି ।

 

ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଅହମ୍ମଦ ବେଗ୍ । ଅଶ୍ୱପୃଷ୍ଠକୁ କୁଦିପଡ଼ି ହାମୁଡ଼େଇ ପଡ଼ିଲେ ଜିନ୍ ଉପରେ । ଡାକୁଥିଲେ ଉଚ୍ଚକଣ୍ଠରେ–ତୁମେ ଏଇ ଜିନ୍ ଉପରେ ଅବସ୍ଥାନ କରିଥିଲ ଜଗତର ନାଥ ଶ୍ରୀଜଗନ୍ନାଥ ! ମୁଁ ଧନ୍ୟ ହୋଇଛି ତୁମ ସାନିଧ୍ୟଲାଭ କରି, ତୁମ ଅମୀୟରୂପ ଦର୍ଶନ କରି । ମୋଇ ବିଶ୍ଵାସହୀନତା ଏବଂ ପରୀକ୍ଷାର ଅଭିଳାଷ ପାଇଁ ମୋତେ କ୍ଷମାକର ଜଗନ୍ନାଥ । ମୋତେ ଆଉ ଥରେ ଦର୍ଶନ ପ୍ରଦାନ କରି କୃତାର୍ଥ କର ଏ ଛାର ଜୀବନକୁ ।

 

ଅହମ୍ମଦ ବେଗ୍‌ଙ୍କ ଭାବାବେଗକୁ ଲକ୍ଷ୍ୟ କରିପାରୁ ନଥିଲା ଅଶ୍ଵ । ସେ ଧାବିତ ହେବାରେ ଲାଗିଥିଲା ବଡ଼ାନାସୀ କଟକ ଅଭିମୁଖେ ଅହମ୍ମଦ ବେଗ୍‌ଙ୍କ ବିକଳତାକୁ ନିର୍ଦ୍ଦେଶ ମନେକରି ।

 

ସେମିତି ଅଶ୍ଵର ଜିନ୍ ଉପରେ ପଡ଼ିରହି ଆକୁଳ ହେଉଥିଲେ ଅହମ୍ମଦ୍ ବେଗ୍ । ତାଙ୍କ ନୟନରୁ ଝରିପଡ଼ୁଥିଲା ପରିତୃପ୍ତିର ଲୋତକ ।

 

ସେଦିନ ଉଷାଗର୍ଭା ପାହାନ୍ତା ପ୍ରହରରେ ନିଦ୍ରା ତେଜି ଉଠିଲେ ଜୟଦେବ । ଲକ୍ଷ୍ୟ କଲେ, ସ୍ଵପ୍ନୀଳ ନୟନରେ ରାତ୍ରିର ଶେଷପାଦକୁ ସ୍ପର୍ଶକରି ବିମୋହିତା ସତୀ ପଦ୍ମାବତୀ । ଉପଭୋଗ କରୁଛନ୍ତି ସେ–ସତେଅବା ଜୀବନ ରସର ପ୍ରାଚୁର୍ଯ୍ୟ । କୋମଳ କଣ୍ଠରେ ଡାକିଲେ ଜୟଦେବ–ପ୍ରିୟେ ପଦ୍ମା ! ଏବେ ନିଦ୍ରା ତ୍ୟାଗ କର । ବୈଶାଖର ନରମ ସକାଳକୁ ସ୍ଵାଗତ କରିବା ପାଇଁ ପକ୍ଷୀର କାକଳି ଭାସି ଆସିଲାଣି ବାଙ୍କୀମୁହାଣୀ ନଦୀ ତଟ ବୃକ୍ଷ ଡାଳରୁ । ପାଟଳ ଦିଶିଲାଣି ପୂର୍ବାକାଶ–ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ବିଛାଡ଼ି ଦେବା ପାଇଁ ଲୋହିତ ସୂର୍ଯ୍ୟକିରଣ ।

 

ଜୟଦେବଙ୍କ ଡାକିରେ ଚମକି ଉଠିପଡ଼ିଲେ ପଦ୍ମାବତୀ । ସ୍ଵପ୍ନ, ବିଭୋର ପାହାନ୍ତାର ଦୀର୍ଘ ନିଦ୍ରା ପାଇଁ ସଙ୍କୁଚିତା ହୋଇପଡ଼ୁଥିଲେ ସେ । ସହାସ୍ୟ ବଦନରେ କହିଲେ ଜୟଦେବ–ବ୍ୟସ୍ତ ହୁଅନାହିଁ ପଦ୍ମା । ବିଳମ୍ବ ହୋଇନାହିଁ । ଆଜି ମୁଁ ଶୀଘ୍ର ନିଦ୍ରା ତ୍ୟାଗ କରିଛି ନରେନ୍ଦ୍ର ସରୋବର ଯାତ୍ରା ପାଇଁ ।

 

–“ନରେନ୍ଦ୍ର ସରୋବର ?” ପ୍ରଶ୍ନ କରିବା ଦୃଷ୍ଟିରେ ଚାହିଁ ରହିଲେ ପଦ୍ମାବତୀ ।

 

–“ହଁ ପଦ୍ମା ! ଅନେକ ଦିନ ହେବ ନରେନ୍ଦ୍ର ସରୋବରରେ ସ୍ନାନ ପାଇଁ ମୋ ମନରେ ଆଗ୍ରହ ଜାତ ହୋଇଥିଲ । ଆଜି ସେ ଅଭିଳାଷ ପୂର୍ଣ୍ଣ କରିବି । ତୁମେ ବାଙ୍କୀମୁହାଣୀ ନଦୀରେ ସ୍ନାନ ଶେଷକରି ରାଧାମାଧବଙ୍କ ସେବା କରୁଥାଅ । ମୁଁ ଆସୁଛି ।”

 

ନୟନ ଟେକି ଚାହିଁ ରହିଥିଲେ ପଦ୍ମାବତୀ । କୁଟୀରରୁ ପାଦ କାଢ଼ି ନରେନ୍ଦ୍ର ସରୋବର ଅଭିମୁଖେ ଯାତ୍ରା କଲେ ଜୟଦେବ ।

 

ଆଜି ଅପାର ଆନନ୍ଦ ତାଙ୍କ ମନରେ । ନରେନ୍ଦ୍ର ସରୋବର ନିକଟରେ ଉପଗତ ହୋଇ ଦେଖିଲେ ସେ, ସ୍ନାନରତ ଜଣେ ଅଶୀତି ବର୍ଷର ବୃଦ୍ଧ, ମୁଖରୁ ନିଃଶ୍ରୂତ ଶୁଦ୍ଧ ସଂସ୍କୃତ ସ୍ତୋତ୍ର ।

 

ଆଉ ଅପେକ୍ଷା ନକରି ତରଙ୍ଗାୟିତ ସରୋବର ଜଳରେ ପ୍ରବେଶ କଲେ ଜୟଦେବ । କଣ୍ଠରୁ ଝରୁଥିଲା ରାଧାମାଧବଙ୍କ ଅମୀୟ ବନ୍ଦନା । ସ୍ନାନରତ ବୃଦ୍ଧ ଆମୋଦିତ ହେଉଥିଲେ । ଜୟଦେବଙ୍କ ଲଳିତ କଣ୍ଠର ସଙ୍ଗୀତ ଶ୍ରବଣ କରି ।

 

ସ୍ନାନ ଶେଷକରି ଉଠିଲେ ବୃଦ୍ଧ । କିନ୍ତୁ ଏ କ’ଣ ? ସେ ଯେ ନରେନ୍ଦ୍ର ସରୋବରରେ ପାବଚ୍ଛ ଶ୍ରେଣୀକୁ ଅତିକ୍ରମ କରିପାରୁ ନାହାନ୍ତି । ବାରମ୍ବାର ଉଠିବାକୁ ଚେଷ୍ଟାକରି ପୁଣି ପତିତ ହେଉଛନ୍ତି ଜଳ ମଧ୍ୟରେ ।

 

ଏ ଦୃଶ୍ୟ ଦେଖି ବ୍ୟଥିତ ହୋଇପଡ଼ିଲେ ଜୟଦେବ । ଆଗେଇଗଲେ ବୃଦ୍ଧଙ୍କ ନିକଟକୁ । ଧୀର ଗଳାରେ କହିଲେ–“ବାବା ! ପାବଚ୍ଛ ଶ୍ରେଣୀ ଅତିକ୍ରମ କରିବାକୁ ଆପଣଙ୍କ ଶକ୍ତି ପାଉ ନାହିଁ । ମୁଁ ସାହାଯ୍ୟ କରୁଛି, ଆପଣ ପାବଚ୍ଛ ଉପରେ ପାଦ ପକାନ୍ତୁ ।”

 

ଜୟଦେବଙ୍କ କଥା ଶୁଣି ସତୃଷ୍ଣ ନୟନରେ ଅନାଇ ରହିଲେ ବୃଦ୍ଧ । ତାଙ୍କ କଣ୍ଠରୁ ଝରିପଡ଼ୁଥିଲା ଆଶୀର୍ବାଦର ବାଣୀ ।

 

ବୃଦ୍ଧଙ୍କ ହସ୍ତ ଧାରଣ କରି ଉପରକୁ ଉଠୁଥିବା ବେଳେ ପ୍ରଶ୍ନକଲେ ଜୟଦେବ–ଆପଣଙ୍କ ପରିଚୟ ଜାଣିପାରେ କି ବାବା ?”

 

ଥରିଲା ଅଧରରେ ସ୍ମିତ ହାସ୍ୟ ଖେଳାଇ କହିଲେ ବୃଦ୍ଧ “ପବିତ୍ର ଶ୍ରୀକ୍ଷେତ୍ରରେ ମୋର ସ୍ଵତନ୍ତ୍ର ପରିଚୟ ନାହିଁ ବାବା !”

 

–“ତଥାପି ମୁଁ ଆପଣଙ୍କ ପରିଚୟ ଜାଣିବାରେ ଆଗ୍ରହୀ ।”

 

କୁଣ୍ଠିତ ମନରେ କହିଲେ ବୃଦ୍ଧ–“ତୁମର ଆଗ୍ରହ ପାଇଁ ମୁଁ ମୋର ପରିଚୟ ଦେବାକୁ ବାଧ୍ୟ ହେଉଛି ବାବା ! ପ୍ରଥମତଃ ମୁଁ ଜଣେ ତୀର୍ଥ ଯାତ୍ରୀ, ଆସିଛି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନୟନ ମନ ସାର୍ଥକ କରିବା ପାଇଁ । ଦ୍ୱିତୀୟରେ ମୋର ନାମ ଗୋବର୍ଦ୍ଧନାଚାର୍ଯ୍ୟ ।

 

–“ଗୋବର୍ଦ୍ଧନାଚାର୍ଯ୍ୟ ?”

 

–“ହଁ, ଗୋବର୍ଦ୍ଧନାଚାର୍ଯ୍ୟ ।”

–“ଗୌଡ଼ ଦେଶର ରାଜା ଲକ୍ଷ୍ମଣ ସେନଙ୍କ ଦରବାରର ସଭା ପଣ୍ଡିତ ପ୍ରଖ୍ୟାତ ଶୃଙ୍ଗାର ରସର କବି ଗୋବର୍ଦ୍ଧନାଚାର୍ଯ୍ୟ !!”

ଅଧିକ କିଛି ନ କହି ଜୟଦେବଙ୍କ ଗୌର ମୁଖମଣ୍ଡଳକୁ ଅନାଇ ରହିଲେ ବୃଦ୍ଧ ।

ଅସ୍ଥିର ହୋଇ ପୁଣି ପ୍ରଶ୍ନକଲେ ଜୟଦେବ–“ଆଉ ଗୋପନ ନ ରଖି କହନ୍ତୁ ବାବା ! ଆପଣ କ’ଣ ସେହି କୃତବିଦ୍ୟ କବି ଗୋବର୍ଦ୍ଧନାଚାର୍ଯ୍ୟ !”

ବୃଦ୍ଧଙ୍କ ନୟନରୁ ଝରିପଡ଼ିଲା ଆନନ୍ଦର ଅଶ୍ରୁ, କ୍ଷୀଣ କଣ୍ଠରେ କହିଲେ ସେ–“ହଁ ବାବା ! ମୁଁ ସେହି ଶୃଙ୍ଗାରୀ କବି ଗୋବର୍ଦ୍ଧନାଚାର୍ଯ୍ୟ । କିନ୍ତୁ ଏବେ ବାର୍ଦ୍ଧକ୍ୟର ତାଡ଼ନାରେ ଶୃଙ୍ଗାର ରସ ପରିବର୍ତ୍ତେ କରୁଣ ରସରେ ଅବଗାହନ କରି ଦିବ୍ୟଲୋକକୁ ଯାତ୍ରା ପାଇଁ ଯତ୍ନ କରୁଛି ।”

ବୃଦ୍ଧଙ୍କ କଥା ଶୁଣି ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଜୟଦେବ । ମସ୍ତକ ଅବନତ କରି ପଦ ସ୍ପର୍ଶ କଲେ ବୃଦ୍ଧଙ୍କର, କହିଲେ ଗଦ୍‌ଗଦ୍ କଣ୍ଠରେ–“ମୋର ପବିତ୍ର ‘ଗୋବିନ୍ଦ’ ଗାଥାରେ ମୁଁ ପ୍ରଥମେ ଆପଣଙ୍କ ଗୁଣ କୀର୍ତ୍ତନ କରିଛି ବାବା ! ସ୍ଵୀକାର କରିଛି ଆପଣଙ୍କର କବିତ୍ୱର ପ୍ରତିଷ୍ଠାକୁ-।”

–‘ମୋର ଗୁଣ କୀର୍ତ୍ତନ କରିଛ ତୁମେ ?’ ପ୍ରଶ୍ନ କଲେ ବୃଦ୍ଧ ।

–‘ହଁ, କାବ୍ୟର ଆଦ୍ୟରେ ଗାନ କରିଛି ମୁଁ ।

“ଶୃଙ୍ଗାରୋତ୍ତର ସତ ପ୍ରମେୟରଗନେଚାର୍ଯ୍ୟ ଗୋବର୍ଦ୍ଧନଃ ।”

–“ଏ...କ’ଣ କହିଲ ? ଏ ସେ ପବିତ୍ର ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟର ଅମର ପଂକ୍ତି !’’ କିଏ ତୁମେ ?”

–“‘ମୁଁ ସେହି ଶ୍ରୀ ଶ୍ରୀଗୀତଗୋବିନ୍ଦର ରଚୟିତା ଅଧମ ଜୟଦେବ ।”

ଆଉ ଅଧିକ କିଛି ପ୍ରଶ୍ନ ନକରି ଜୟଦେବଙ୍କୁ ବକ୍ଷରେ ଜଡ଼ାଇ ଧରିଲେ ବୃଦ୍ଧ । ସତେଅବା ଗଙ୍ଗା ଏବଂ ଯମୁନାର ମିଳନ ଘଟିଲା ନରେନ୍ଦ୍ର ସରୋବର ତୀରରେ । ବିଚଳିତ ନୟନର ଅଶ୍ରୁରେ ଧୌତ ହେଉଥିଲା ଉଭୟଙ୍କ ଶରୀର ।

ଆବେଗଭରା କଣ୍ଠରେ କହିଲେ ଜୟଦେବ–“କବିଶ୍ରେଷ୍ଠ ଆଚାର୍ଯ୍ୟ ମହାଶୟ ! ଅଚାନକ ଅମୃତ ବେଳାରେ ଆପଣଙ୍କ ସହ ଏ ଅଧମର ସାକ୍ଷାତ । ଆସନ୍ତୁ ଆଚାର୍ଯ୍ୟ ମହାଶୟ ! ମୋର ଜୀର୍ଣ୍ଣ କୁଟୀରରେ ପଦରଜ ପକାଇ ସ୍ମରଣୀୟ କରିଯାଆନ୍ତୁ ସେ ସ୍ଥାନକୁ ।”

ହସିଲେ ଗୋବର୍ଦ୍ଧନାଚାର୍ଯ୍ୟ ପରିତୃପ୍ତିର ହସ । କହିଲେ–“ଶ୍ରୀକ୍ଷେତ୍ରରେ ପହଞ୍ଚି ତୁମକୁ ଦର୍ଶନ କରିବାର ଅଭିଳାଷ ମୋ ମନରେ ଥିଲା ଜୟଦେବ ! ସେ ଅଭିଳାଷ ଶ୍ରୀଜଗନ୍ନାଥ ପୂର୍ଣ୍ଣ କରିଛନ୍ତି । ଆଉ କୁଟୀରକୁ ଯାତ୍ରା କରି ଅତିଥି ହେବାର ସମୟ ନାହିଁ । ସ୍ନାନ ଶେଷରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପଦବ୍ରଜରେ ଯାତ୍ରା ଆରମ୍ଭ କରିବି ରାମେଶ୍ଵର । ଜୀବିତ ଥିଲେ ସେଠାରୁ ପୁଣି ପ୍ରତ୍ୟାବର୍ତ୍ତନ କରିବି ଗୌଡ଼ ଦେଶ । ଶେଷ ନିଃଶ୍ୱାସ ତ୍ୟାଗ କରିବି ଗଙ୍ଗା ତୀରରେ-।”

 

–“ଏ ରୁଗ୍‌ଣ ଶରୀରରେ ଦୀର୍ଘ ପଥ ଅତିକ୍ରମ କରିବା କ’ଣ ସମ୍ଭବ ହେବ ଆଚାର୍ଯ୍ୟ ମହାଶୟ ?”

 

–‘‘ମନବଳ ଥିଲେ ସବୁ ସମ୍ଭବ କବି ଜୟଦେବ ! ଅସୁବିଧା ଉପୁଜିଲେ ତୁମ ଭଳି ଲୋକ ହିଁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।”

 

–‘‘ଆପଣଙ୍କ ତୀର୍ଥ ଯାତ୍ରାର ସାଫଲ୍ୟ ପାଇଁ ମୁଁ ରାଧାମାଧବଙ୍କ ନିକଟରେ ପ୍ରାର୍ଥନା କରୁଛି ।” କହିଲେ ଜୟଦେବ ।

 

–“ତୁମେ ମଧ୍ୟ ତୀର୍ଥଯାତ୍ରା କର ଜୟଦେବ ! ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଦେଖ । ପବିତ୍ର ଗଙ୍ଗା ନଦୀରେ ସ୍ନାନ କର, ନିଜ କାବ୍ୟ ସାମ୍ରାଜ୍ୟରେ ଭକ୍ତିରସର ପ୍ଳାବନ ଛୁଟାଅ । ଆହୁରି ସାଫଲ୍ୟ ଅର୍ଜନ କର ଭକ୍ତ କବି ଭାବେ । ଏଇ ମୋର ତୁମ ପ୍ରତି ଆର୍ଶୀବାଦ ଏବଂ ନିର୍ଦ୍ଦେଶ ।”

 

ନୟନ ମୁଦ୍ରିତ କରି ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଆର୍ଶୀବାଦ ଏବଂ ନିର୍ଦ୍ଦେଶକୁ ହୃଦୟଙ୍ଗମ କରୁଥିଲେ ଜୟଦେବ ! ପାଦ କାଢ଼ି ଆଗରୁ ଆଗକୁ ଚାଲିବାରେ ଲାଗିଲେ ଗୋବର୍ଦ୍ଧନାଚାର୍ଯ୍ୟ ।

 

ଇତି ମଧ୍ୟରେ ବିତିଯାଇଛି ଅନେକ ସମୟ । ଭିଡ଼ ଜମିଉଠିଛି ନରେନ୍ଦ୍ର ସରୋବରର ସ୍ନାନ ଘାଟରେ । ପ୍ରକୃତିସ୍ଥ ହେଲେ ଜୟଦେବ । ଲକ୍ଷ୍ୟ କଲେ ସେ ନିଜକୁ । ସତେଅବା ନୂତନ ଜୀବନ ସଞ୍ଚରିତ ହୋଇଛି ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗରେ । ପୁଲକିତ ହେଉଛି ପ୍ରାଣ ତୀର୍ଥ ଯାତ୍ରା ପାଇଁ ।

 

ଚତୁର୍ଦ୍ଦିଗକୁ ନିର୍ବେଦ ଚକ୍ଷୁରେ ଚାହିଁଲେ ସେ । ବିଛାଡ଼ି ହୋଇପଡ଼ିଛି ପ୍ରଭାତର ସୂର୍ଯ୍ୟକିରଣ । ଏ ସୂର୍ଯ୍ୟକିରଣ ପ୍ରେରଣା ଯୋଗାଉଛି ନୂତନ ଅନୁଭୁତି ପାଇଁ । ଆଉ ଅପେକ୍ଷା ନକରି କୁଟୀର ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ ଜୟଦେବ !

 

ବାଙ୍କୀମୁହାଣୀ ନଦୀ ତୀରର କୁଟୀର ନିକଟରେ ପହଞ୍ଚିଲାବେଳକୁ ସତୀ ପଦ୍ମାବତୀ ବ୍ୟସ୍ତ ଥିଲେ ପ୍ରଭୁ ରାଧାମାଧବଙ୍କୁ ବିବିଧ ପୁଷ୍ପରେ ମଣ୍ଡିତ କରିବାରେ । କୁଟୀରର ଦ୍ୱାରଦେଶରେ ଉପଗତ ହୋଇ ଭୋ…ଭୋ…କରି କାନ୍ଦିଉଠିଲେ ଜୟଦେବ । ମନେ କରୁଥିଲେ ସେ–ସତେଅବା ପ୍ରଭୁ ରାଧାମାଧବ ବହୁବିଧ ରୂପ ଧାରଣ କରି ଅବସ୍ଥାନ କରିଛନ୍ତି ସମଗ୍ର ଦେଶରେ ବିଭିନ୍ନ ପ୍ରାନ୍ତରେ । ତାଙ୍କୁ କେବଳ କ୍ଷୁଦ୍ର କୁଟୀର ମଧ୍ୟରେ ସେ ଆବଦ୍ଧ କରି ରଖିପାରି ନାହାନ୍ତି ।

 

ସ୍ଵାମୀଙ୍କର ବିକଳ କ୍ରନ୍ଦନରୋଳରେ ଧ୍ୟାନଭଗ୍ନ ହେଲା ପଦ୍ମାବତୀଙ୍କର । ନିକଟକୁ ଧାଇଁଆସି ଆଶ୍ଚର୍ଯ୍ୟ ବିମୂଢ଼ ଚକ୍ଷୁରେ ଚାହିଁ ରହି କାତର କଣ୍ଠରେ କହିଚାଲିଲେ ।...‘କ’ଣ ହେଲା ? କ’ଣ ହେଲା ପ୍ରଭୁ ?”

 

ନିରୁତ୍ତର ଥିଲେ ଜୟଦେବ । ଅଳି କରିବା ଭଙ୍ଗୀରେ ବାରବାର ଅନୁରୋଧ କରୁଥିଲେ ପଦ୍ମାବତୀ–“କ’ଣ ହୋଇଛି ଥରେ ଏ ଅଭାଗିନୀକୁ ଜଣାନ୍ତୁ ପ୍ରଭୁ ।”

 

ପ୍ରକୃତିସ୍ଥ ହେଲେ ଜୟଦେବ । ଆବେଗଭରା କଣ୍ଠରେ କହିଉଠିଲେ ପଦ୍ମାବତୀଙ୍କ ସ୍କନ୍ଧରେ ହସ୍ତ ସ୍ଥାପନ କରି–“ମୋତେ ମୁକ୍ତିଦିଅ ପଦ୍ମାବତୀ ! ମୁଁ ଗଙ୍ଗାରେ ସ୍ନାନକରି, ପ୍ରୟାଗ ତୀର୍ଥ ଭ୍ରମଣ କରି ଆତ୍ମାକୁ ପବିତ୍ର କରେ ।”

 

–“ଆପଣଙ୍କ କଥା “ମୁଁ ବୁଝିପାରିଲି ନାହଁ ପ୍ରଭୁ ।”

 

ଗଙ୍ଗାନଦୀରେ ଏବଂ ପ୍ରୟାଗ ତୀର୍ଥରେ ସ୍ନାନ କରିବାକୁ ଚାହେଁ ପଦ୍ମା ! ମୋତେ ତୀର୍ଥ ଯାତ୍ରା ପାଇଁ ସୁଯୋଗ ପ୍ରଦାନ କର ।”

 

–ଏ କ’ଣ କହୁଛନ୍ତି ସ୍ଵାମୀ ! ମୁଁ ଯେ ଦାସୀ, ସେବିକା । ଆପଣଙ୍କ ଅଭୀଷ୍ଟ ତୀର୍ଥଯାତ୍ରାର ପ୍ରତିବନ୍ଧକ ହେବି କାହିଁକି ? ଯଦି ତୀର୍ଥ ଯାତ୍ରା ପାଇଁ ମନରେ ବାସନା ଜାଗିଛି, ତେବେ ପ୍ରସ୍ତୁତ ହୁଅନ୍ତୁ, ଶୁଭଦିନ ଦେଖି ଆପଣ ଯାତ୍ରା ଆରମ୍ଭ କରିବେ । ସେଥିରେ ମୁଁ ହେବି ସନ୍ତୁଷ୍ଟ ।”

 

–“ମୁଁ ଜାଣେ, ତୁମେ ମୋର ପ୍ରତିବନ୍ଧକ ହେବ ନାହିଁ ପଦ୍ମା ! କିନ୍ତୁ ନିଃସ୍ଵ ସନ୍ନ୍ୟାସୀ ଜୀବନରେ ମଧ୍ୟ ମମତାର ବନ୍ଧନ ମୋତେ ଭୀରୁ, ଭୟାତୁର, ସ୍ନେହକାଙ୍ଗାଳ କରିପକାଉଛି ।”

 

–“ଆପଣଙ୍କ କଥା ମୁଁ ବୁଝିପାରିଲି ନାହିଁ ପ୍ରଭୁ !”

 

–“ସ୍ତ୍ରୀ ହୋଇ ସ୍ଵାମୀର ବେଦନା ବୁଝିପାରିବ ନାହଁ ପଦ୍ମା ! ସେହି ବେଦନା ହିଁ ମୋତେ ଦୁର୍ବଳ କରିପକାଉଛି ବେଳକୁ ବେଳ ।”

 

–“ପ୍ରଭୁ !”

 

–“ହଁ ପଦ୍ମା ! ତୁମକୁ ଏକୁଟିଆ ଏ କୁଟୀରରେ ଛାଡ଼ି ମୁଁ ଧର୍ମ ଅର୍ଜନ ପାଇଁ ତୀର୍ଥ ଭ୍ରମଣରେ ଯିବି କିପରି ?”

 

ଜୟଦେବଙ୍କର ଏଭଳି ପ୍ରଶ୍ନରେ ନୀରବ ହୋଇଗଲେ ପଦ୍ମାବତୀ ।

 

ଠିକ୍ ଏପରି ମୁହୂର୍ତ୍ତରେ କୁଟୀରରେ ପାଦଦେଲେ ବନ୍ଧୁ, ପରାଶର ରାଜଗୁରୁ । ଚିନ୍ତିତ ଜୟଦେବ ଏବଂ ପଦ୍ମାବତୀଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହୋଇପଡ଼ିଲେ ସେ ।

 

ବନ୍ଧୁ, ଭାବରେ ସେ ଏହି କୁଟୀରରେ ପାଦଦେବା ଦିନଠାରୁ କେବେ ଲକ୍ଷ୍ୟ କରିନଥିଲେ ନିରାନନ୍ଦ, ନୈରାଶ୍ୟ । କିନ୍ତୁ ଆଜି ଏ ନୀରବତା କାହିଁକି ? ବୈକୁଣ୍ଠର ପ୍ରତୀକ ବାଙ୍କୀମୁହାଣୀ ନଦୀ ତୀରର ଏ କୁଟୀରରେ ନିସ୍ତବ୍‌ଧ ଆତ୍ମଦହନ କାହିଁକି ?

 

ବଳିପଡ଼ି ପ୍ରଶ୍ନକଲେ ପରାଶର ରାଜଗୁରୁ–‘ବନ୍ଧୁ, ଜୟଦେବ ! କ’ଣ ହୋଇଛି ? ଆପଣଙ୍କ ମନରେ ସରସତା ନାହିଁ ?

 

ଦୀର୍ଘନିଃଶ୍ଵାସ ପକାଇ ସ୍ଥିର ଏବଂ ଗମ୍ଭୀର ସ୍ଵରରେ କହିଲେ ଜୟଦେବ “ବନ୍ଧୁ, ରାଜଗୁରୁ-! ଆମେ ଆଜି ଚିନ୍ତିତ ।”

 

–“ଚିନ୍ତିତ ? ଶାନ୍ତ ଜୟଦେବଙ୍କ କୁଟୀରରେ ମଧ୍ୟ ଚିନ୍ତାର ବିଷୟ !”

 

–“ହଁ...ଏ ଚିନ୍ତାର ବିଷୟ ହୋଇଛନ୍ତି ସତୀ ପଦ୍ମାବତୀ ।”

 

–“କବି ଜୟଦେବ !

 

–“ହଁ ବନ୍ଧୁ ! ମୁଁ ତୀର୍ଥଯାତ୍ରାରେ ଯିବା ପାଇଁ ଆଗ୍ରହୀ । ପବିତ୍ର ଗଙ୍ଗାନଦୀ ଏବଂ ପ୍ରୟାଗ ତୀର୍ଥରେ ସ୍ନାନ ପାଇଁ ବ୍ୟଗ୍ର । କିନ୍ତୁ ମୋର ଅନୁପସ୍ଥିତି ସମୟରେ ଏ ଶ୍ରୀକ୍ଷେତ୍ରରେ ପଦ୍ମାବତୀ ଏକାକିନୀ ଅବସ୍ଥାନ କରିବେ କିପରି ?”

 

ଜୟଦେବଙ୍କ କଥା ଶୁଣି ହଠାତ୍ ହସିଉଠିଲେ ରାଜଗୁରୁ । ପରସ୍ଥିତିକୁ ଲାଘବ କରି କହିଲେ–“ଏଥିପାଇଁ ଚିନ୍ତା କାହିଁକି ଭକ୍ତ କବି ! ମୋ ପରି ବନ୍ଧୁ, ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମାଙ୍କ ପରି ବ୍ୟକ୍ତି କ’ଣ ସତୀ ପଦ୍ମାବତୀଙ୍କୁ ଚଳାଇନେଇ ପାରିବେ ନାହିଁ ? ଯଦି ଆମ ଉପରେ ବିଶ୍ଵାସ ଅଛି–ତେବେ ନିର୍ବିଘ୍ନରେ ଦାୟିତ୍ଵ ନ୍ୟସ୍ତ କରି ଆପଣ ତୀର୍ଥ ପର୍ଯ୍ୟଟନରେ ଯାତ୍ରା କରନ୍ତୁ ।”

 

ଆନନ୍ଦରେ ଅଧୀର ହୋଇପଡ଼ିଲେ ଜୟଦେବ । ବିଗଳିତ କଣ୍ଠରେ କହିବାରେ ଲାଗିଲେ–“ମୋର ଆପଣଙ୍କ ଉପରେ ଅଗାଧ ବିଶ୍ଵାସ ଅଛି ବନ୍ଧୁ, ରାଜଗୁରୁ । ଆପଣ ହଁ ସତୀ ପଦ୍ମାବତୀଙ୍କୁ ମୋର ଅନୁପସ୍ଥିତିରେ ଚଳାଇ ନେଇପାରିବେ ।”

 

–“ତେବେ ଯାତ୍ରା ପାଇଁ ଆପଣ ଦିନ ନିର୍ଦ୍ଧାରଣ କରନ୍ତୁ ବନ୍ଧୁ ।”

 

–“ଆଗାମୀ ଆଷାଢ଼ ମାସରେ ଶ୍ରୀଗୁଣ୍ଡିଚା ପରେ ପରେ ମୁଁ ମୋର ଯାତ୍ରା ଆରମ୍ଭ କରିବି । ସଙ୍ଗରେ ନେବି ମାତ୍ର ଗୋଟିଏ ଭିକ୍ଷା ଝୁଲି ।”

 

“ତାହା ହିଁ ହେଉ ବନ୍ଧୁ, ଜୟଦେବ ! ଆପଣଙ୍କ ଯାତ୍ରା ଦିନ ମୁଁ ସତୀ ପଦ୍ମାବତୀ ଏବଂ ପ୍ରଭୁ ରାଧାମାଧବଙ୍କୁ ଘେନି ଯିବି ମୋର ଗୃହକୁ । ସେମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବେ ଏ କୁଟୀରକୁ ଆପଣଙ୍କ ଆଗମନ ଦିନ । ମୋତେ ଏଥିପାଇଁ ଅନୁମତି ପ୍ରଦାନ କରନ୍ତୁ ବନ୍ଧୁ ।”

 

ଗଦ୍ ଗଦ୍ କଣ୍ଠରେ କହିଉଠିଲେ ଜୟଦେବ–“ହଁ...ତାହା ହିଁ ହେଉ, ତାହା ହିଁ ହେଉ । ପ୍ରଭୁ ରାଧାମାଧବ କିଛିଦିନ ପୂଜିତ ହୁଅନ୍ତୁ ତାଙ୍କର ଅନ୍ୟତମ ପରମ ଭକ୍ତ ପରାଶର ରାଜଗୁରୁଙ୍କ ଗୃହରେ ।”

 

ଦୁଇବନ୍ଧୁଙ୍କ ଆଲୋଚନାରେ ସନ୍ତୁଷ୍ଟ ହୋଇ ପ୍ରଭୁ ରାଧାମାଧବଙ୍କ ପାଦତଳେ ଲୋଟିପଡ଼ିଲେ ପଦ୍ମାବତୀ । ତାଙ୍କ ଚକ୍ଷୁରୁ ଝରିପଡ଼ୁଥିଲା ଆନନ୍ଦାଶ୍ରୁ ।

 

ମିଥୁନ ତିରିଶ ଦିନ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଦିବା ନଥି ଘଣ୍ଟା କୋଡ଼ିଏ ଦଣ୍ଡ ସମୟରେ ଅମୃତ ବେଳା ଦେଖି କାନ୍ଧରେ ଭିକ୍ଷା ଝୁଲି ପକାଇ କୁଟୀରରୁ ପାଦ କାଢ଼ିଲେ ଜୟଦେବ-। ସଜଳ ନୟନରେ ଦଣ୍ଡାୟମାନ ହୋଇ ବିଦାୟ ଦେଉଥିଲେ ସତୀ ପଦ୍ମାବତୀ, ପରାଶର ରାଜଗୁରୁ ଏବଂ ପଣ୍ଡିତ ତର୍କ ବାଚସ୍ପତି ଦିବାକର ମିଶ୍ର ଶର୍ମା ।

 

କୁଟୀର ସମ୍ମୁଖସ୍ଥ ବଡ଼ଦାଣ୍ଡ ଉପରେ ଠିଆହୋଇ ନୀଳଚକ୍ର ଏବଂ ପତିତପାବନ ବାନାକୁ ଅନାଇଁ ବିନମ୍ର ପ୍ରଣତି ଜଣାଇଲେ ଶ୍ରୀଜୟଦେବ । ମୁହଁ ବୁଲାଇ ଆଗେଇଲେ ଆଗକୁ ଶ୍ରୀ ରାଧାମାଧବଙ୍କ ଭଜନ ଗାନ କରି କରି ।

 

ପଛରେ ପଡ଼ିରହିଲା ନୀଳଚକ୍ର, ପତିତପାବନବାନା, ବଡ଼ଦାଣ୍ଡ, ମହୋଦଧି, ନରେନ୍ଦ୍ର ସରୋବର, ମାଉସୀମାଆ ମନ୍ଦିର । ଭିକ୍ଷା ଝୁଲିଟିକୁ ସାଥୀକରି ଏକୁଟିଆ ଚାଲିଥିଲେ ଜୟଦେବ । କିନ୍ତୁ ମନେକରୁଥିଲେ ସେ ଏକାକୀ ନୁହନ୍ତି ପଥ ମଧ୍ୟରେ । ଆଗରେ ବାଟ କଢ଼ାଇ ଚାଲିଛନ୍ତି ପ୍ରଭୁ ଜଗାବଳିଆ । ପବିତ୍ର ହେଉଛି ପଥର ଧୂଳି, ଗଗନ ପବନ । ସତେଅବା ଚନ୍ଦନ ସୁବାସରେ ମହକି ଉଠୁଛି ବାୟୁମଣ୍ଡଳ ।

 

ଅଧୀର ହୋଇ କାତର ପ୍ରାର୍ଥନା କରିଛନ୍ତ ଜୟଦେବ–ପ୍ରଭୁ ! ମୋତେ ବିଦାୟ ଦିଅନ୍ତୁ । ତୀର୍ଥ ଯାତ୍ରା ଶେଷକରି ମୁଁ ନିର୍ବିଘ୍ନରେ ପ୍ରତ୍ୟାବର୍ତ୍ତନ କରେ । ଆପଣ ମୋର ଆଗେ ଆଗେ ଚାଲିଲେ ପାଦ ଯେ ଅଟକି ଯାଉଛି । ଶ୍ରୀକ୍ଷେତ୍ର ଛାଡ଼ି ଅନ୍ୟତ୍ର ଯାତ୍ରା ପାଇଁ ମନ ବଳୁ ନାହିଁ, ଶରୀର ଅବଶ ହୋଇପଡ଼ୁଛି । ସ୍ନେହ ବିଜଡ଼ିତ ପ୍ରାଣକୁ ମମତା ବନ୍ଦୀକରି ପକାଉଛି । ମୋତେ ମୁକ୍ତି ଦିଅନ୍ତୁ ପ୍ରଭୁ ।

 

ଏଭଳି କାତର ପ୍ରାର୍ଥନା ପରେ ଅନୁଭବ କଲେ ଜୟଦେବ–ସତେଅବା ଆକାଶ ଭାଙ୍ଗି ପଡ଼ୁଛି । ପବନ ବ୍ୟଥିତ ହେଉଛି, ଘୂର୍ଣ୍ଣିବାତ୍ୟା ସୃଷ୍ଟି କରି ପ୍ରତ୍ୟାବର୍ତ୍ତନ କରୁଛି ଶ୍ରୀକ୍ଷେତ୍ର ଆଡ଼େ ।

 

ତା’ପରେ ଶାନ୍ତ ହୋଇଗଲା ପରିବେଶ ।

 

ପଥ ପ୍ରାନ୍ତର ସବୁଜ ବୃକ୍ଷରାଜିରେ ସକାଳର ଲୋହିତ ସୂର୍ଯ୍ୟକିରଣ ସୃଷ୍ଟି କଲା ଅପୂର୍ବ ବର୍ଣ୍ଣଛଟା । ବିମୁଗ୍‌ଧ ଆତ୍ମିକତାରେ ଆଶ୍ଵସ୍ତ ହେଲେ ଜୟଦେବ । ମେଘମୁକ୍ତ ଆକାଶ ଉଦ୍ଦେଶ୍ୟରେ ପ୍ରଣତି କଣାଇ ଛୁଟି ଚାଲିଲେ ଆଗକୁ ବାଙ୍କୀମୁହାଣୀ ନଦୀର ସ୍ରୋତସ୍ଵିନୀ ଗତି ଭଳି ।

 

ସବୁଜ ବୃକ୍ଷ ରାଜି ଧ୍ୟାନମଗ୍ନ ସନ୍ନ୍ୟାସୀ ପରି ପ୍ରତିତ ହେଉଥିଲେ ଭକ୍ତ ଜୟଦେବଙ୍କୁ, ଚାଲି ଚାଲି ଅଙ୍ଗ ଅବଶ ହୋଇପଡ଼ିଲେ ବିଶ୍ରାମ ଗ୍ରହଣ କରୁଥିଲେ ସେ ଏହି ବୃକ୍ଷରାଜିର ଶୀତଳ ଛାୟାରେ । ଜଳପାନ କରୁଥିଲେ ପୁଷ୍କରଣୀରୁ । ପୁଣି ଉଠୁଥିଲେ ନୂତନ ଶକ୍ତି ସଞ୍ଚାର କରି ଦୀର୍ଘ ପଥ ଅତିକ୍ରମ ପାଇଁ ।

 

ଧୀରେ ଧୀରେ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ । ଚିନ୍ତାକଲେ ଜୟଦେବ–କେବଳ ଚାଲି ଚାଲି ପଥ ଅତିକ୍ରମ କଲେ ହେବ ନାହିଁ । କ୍ଷୁଧା ନିବାରଣ ପାଇଁ ଭିକ୍ଷା ସଂଗ୍ରହ କରିବାକୁ ହେବ । ଶ୍ରୀ ରାଧାମାଧବଙ୍କ ଭଜନ ଗାନକରି ପଥର ପଥିକମାନଙ୍କୁ ବିମୁଗ୍‌ଧ କରିବାକୁ ପଡ଼ିବ ।

 

ତାହା ହିଁ କଲେ ସେ । ତାଙ୍କ ଭଜନଗାନର ସ୍ଵର ଲହରର ଅପୂର୍ବ ମାଦକତା ସୃଷ୍ଟି କଲା ପଥଚଲା ମଣିଷଙ୍କ ମଧ୍ୟରେ । ଅଟକି ରହିଲେ ସେମାନେ ଭଜନ ଶ୍ରବଣ ପାଇଁ ।

 

ଏମିତି ଦୁଇଦିନ ଚାଲି ଚାଲି ସେ ପହଞ୍ଚିଲେ ବୈତରଣୀ ନଦୀର ଦଶାଶ୍ଵମେଧ ଘାଟ ନିକଟରେ । ଦିନେ ନିଜେ ସ୍ଵୟଂ ବ୍ରହ୍ମା ଏହି ଘାଟରେ ସହସ୍ର ଅଶ୍ଵମେଧ ଯଜ୍ଞ କରିଥିବାର କିମ୍ବଦନ୍ତୀ ପ୍ରଚଳିତ । ପୁଣି କେଶରୀ ରାଜ ଯଯାତି ଦଶ ଅଶ୍ଵମେଧ ଯଜ୍ଞର ଆୟୋଜନ କରି ପବିତ୍ର କରିଥିଲେ ଏହି ଯଜ୍ଞପୁର ଯାଜପୁରକୁ ।

 

ଆଉ କାଳ ବିଳମ୍ବ ନକରି ଜୟଦେବ ଆନନ୍ଦିତ ଚିତ୍ତରେ ସ୍ନାନ କଲେ ବୈତରଣୀ ନଦୀର ଜଳରେ । ତତ୍‌ପରେ ନଦୀ ଗର୍ଭରେ ପୂଜିତ ଯଜ୍ଞ ବରାହଙ୍କୁ ପ୍ରଣାମ କରି ଯାତ୍ରାକଲେ । ବିନ୍ଧ୍ୟଗିରିବାସିନୀ ମାଆ ବିରଜାଙ୍କ ନିକଟକୁ । ସେଠାରେ ଉତ୍କଳର ଆଦ୍ୟା ଦେବୀ ମାଆ ବିରଜାଙ୍କୁ ଦର୍ଶନ କରି ନାଭିଗୟା ତୀର୍ଥରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆତ୍ମାର ସଦ୍‌ଗତି ପାଇଁ ।

 

ତତ୍‌ପରେ ଯାଜପୁର ତ୍ୟାଗ କରି ପବିତ୍ର ବୈତରଣୀ ନଦୀ ପାର ହୋଇ ଆଗକୁ ଚାଲିଲେ ଜୟଦେବ । ପଥ ମଧ୍ୟରେ ଦିନ ଦିନ ବତିବାରେ ଲାଗିଲା । କ୍ଷୁଧା ନିବାରଣ ପାଇଁ ଭିକ୍ଷା କରି ଆହାର ସଂଗ୍ରହ କରୁଥିଲେ ସେ । ବିଶ୍ରାମ ଗ୍ରହଣ କରୁଥିଲେ ବୃକ୍ଷ ଛାୟା ତଳେ କିମ୍ବା ପଥ ପ୍ରାନ୍ତର ସରାଇ ଘରମାନଙ୍କରେ ।

 

ଏହି ଯାତ୍ରା ସମୟରେ ବେଳେ ବେଳେ ବର୍ଷା ଆସେ, ବିଜୁଳି ଚମକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ, ପୁଣି ପ୍ରବଳ ପାଣି ଖରାରେ ଶରୀର ଘର୍ମାକ୍ତ ହୋଇଉଠେ । କିନ୍ତୁ ଏସବୁ ଘାତ ପ୍ରତିଘାତକୁ ଖାତିର ନକରି ନିଜର ଗନ୍ତବ୍ୟ ପଥରେ ଆଗେଇ ଚାଲିଲେ ସେ ସେହି ପ୍ରଭୁ ରାଧାମାଧବଙ୍କୁ ସ୍ମରଣ କରି ।

 

ସମୟ ବିଶେଷରେ ନିଘଞ୍ଚ ଅରଣ୍ୟ ଭିତରେ ଯାତ୍ରା କରନ୍ତି ଜୟଦେବ । ମୟୂର, ମୃଗ, ବାଘ ଏବଂ ଅସଂଖ୍ୟ ବନ୍ୟଜନ୍ତୁ ଆସି ତାଙ୍କ ଚକ୍ଷୁ ସମ୍ମୁଖକୁ । ତଥାପି ଅବଚଳିତ ରହନ୍ତି ଜୟଦେବ-। ହସନ୍ତି ଆନନ୍ଦର ହସ ମନକୁ ଉତ୍‌ଫୁଲ୍ଲିତ କରି ।

 

ସେଦିନ ଏପରି ଏକ ନିଘଞ୍ଚ ଅରଣ୍ୟ ପଥରେ ଯାତ୍ରା କରୁଛନ୍ତି ସେ–ହଠାତ୍ ଚକ୍ଷୁ ସମ୍ମୁଖକୁ ଆସିଲେ କେତେଜଣ ବ୍ୟକ୍ତି । ପ୍ରଥମେ ଆଶ୍ଚର୍ଯ୍ୟାନ୍ଵିତ ହେଲେ ଜୟଦେବ । ଏ ନିବିଡ଼ ଅରଣ୍ୟ ପଥରେ ଜନସମାଗମ କିପରି ? ନିକଟରେ କ’ଣ ଗ୍ରାମ ଅଛି ?

 

ଚିନ୍ତା କରିବାକୁ ଅଧିକ ସମୟ ନଦେଇ ଆଗନ୍ତୁକ ବ୍ୟକ୍ତିମାନେ ଉପସ୍ଥିତ ହେଲେ । ଜୟଦେବଙ୍କ ନିକଟରେ । କହିଲେ ଚିତ୍କାର କରି–ହେ ବ୍ରାହ୍ମଣ ! ତୁ ପ୍ରାୟ ଜଣେ ତୀର୍ଥଯାତ୍ରୀ, ତୀର୍ଥ କରିବାକୁ ଯେତେବେଳେ ଯାଉଛୁ, ନିଶ୍ଚୟ ମୁଣିରେ କଉଡ଼ି ପୂରାଇ ନେଉଥିବୁ । ଯାହା ନେଉଛୁ ସେତିକି ଆମକୁ ଦେଇଯାଆ । ନଚେତ୍ ଏହି ଅରଣ୍ୟ ଭିତରେ ଆମେ ତୋର ପ୍ରାଣ ନେବୁ ।

 

ହସିଲେ ଜୟଦେବ, କହିଲେ–“ବାବା ! ମୁଁ ଜଣେ ଭିକ୍ଷୁକ ବ୍ରାହ୍ମଣ । ଯାଉଛି ଗଙ୍ଗା ସ୍ନାନ ପାଇଁ । ମୋ ନିକଟରେ କିଛି ନାହିଁ । ଏ ଝୁଲିରେ ମାତ୍ର ମୁଠାଏ ଭିକ୍ଷା ତଣ୍ଡୁଳ ।”

 

–“ମିଛ କହୁଛୁ । କଉଡ଼ିକୁ ଗୋପନରେ ଲୁଚାଇ ରଖିଛୁ । ଭଲ ଗତି ଅଛି ଯଦି–ସ୍ଵଇଚ୍ଛାରେ ତୁ କଉଡ଼ି ଆମକୁ ଦେଇଦେ ।”

 

–“ନାଁ ବାବା ! ମୁଁ ଶପଥ କରି କହୁଛି । ଝୁଲିରେ କିଛି ନାହିଁ, ଅଣ୍ଟିରେ କିଛି ନାହିଁ, ମୁଁ ଦରିଦ୍ର ଭିକ୍ଷୁକ ବ୍ରାହ୍ମଣ ।”

 

–“ତୋ ଚେହେରାକୁ ଦେଖିଲେ ଦରିଦ୍ର ବୋଲି ଜଣାପଡ଼ୁ ନାହିଁ । ତୁ ମିଛ କହୁଛୁ କାହିଁକି-? ଭାବିଛୁ ଭଣ୍ଡାଇ ଦେଇ ଆମକୁ ଠକିଦେଇ ପାରିବୁ ?” କହିଲା ଜଣେ ବ୍ୟକ୍ତି ।

 

–“ମୁଁ ସତ କହୁଛି ବାବା ! ମୋ ନିକଟରେ କିଛି ନାହିଁ ।”

 

–“ଭଲରେ ବ୍ରାହ୍ମଣ କିଛି ଦେବ ନାହିଁ । ତା’ ଝୁଲିକୁ ଝିଙ୍କି ଆଣ । ଅଣ୍ଟା ଅଣ୍ଡାଳି ଦେଖି । ଯାହା ଅଛି ତାହା ଲୁଟ୍‌ କର ।” ନିର୍ଦ୍ଦେଶ ଦେବା ଭଙ୍ଗୀରେ କହିଲା ଜଣେ ବ୍ୟକ୍ତି ।

 

ଅପେକ୍ଷା ନକରି ଅନ୍ୟମାନେ ଝୁଲିକୁ ଛଡ଼ାଇ ନେଲେ । ଲୁଗାଟାଣି ଅଣ୍ଟା ଅଣ୍ଡାଳି ପକାଇଲେ । କିନ୍ତୁ କିଛି ନପାଇ ହତାଶ ହୋଇପଡ଼ିଲେ ବିରକ୍ତିରେ ।

 

ଏମିତିବେଳେ ଜଣେ ପାଟିକରି କହିଲା–“ଆଉ କିଛି ନ ମିଳିଲା ନାହିଁ, ବ୍ରାହ୍ମଣକୁ ଛାଡ଼ ନାହିଁ । ଛାଡ଼ିଦେଲେ ଆଗ ଗାଁକୁ ସେ ଯାଇ ସବୁ କଥା କହିବ । ଲୋକେ ଆମ କଥା ଜାଣିଯିବେ । ରାଜାଙ୍କୁ ଖବର ଦେଇଦେବେ, ଫଳରେ ଆମ ଧନ୍ଦା ବୁଡ଼ିଯିବ ।”

 

–“ତେବେ କ’ଣ କରିବା କହୁଛ ?”

 

–‘‘ଚାଲ ଲୋକଟାକୁ ଟେକିନେଇ ଆଗ ଗାତରେ ଗଳାଇ ପକାଇବା । ସେଇଠି ପଡ଼ି ପଡ଼ି ଖାଇବାକୁ ନପାଇ ସେ ଶୁଖି ଶୁଖି ମରିବ ।”

 

–“ହଁ...ତାହା ହିଁ କରିବା । ଆଉ ବିପଦ ରହିବ ନାହିଁ ।”

 

ଏମିତି କଥାବାର୍ତ୍ତା ହେଉ ହେଉ ସେମାନେ ଭକ୍ତ ଜୟଦେବଙ୍କୁ ଟେକିନେଇ ନିର୍ଦ୍ଦୟ ଭାବେ ଫିଙ୍ଗିଦେଲେ ଏକ ଗଭୀର ଗର୍ତ୍ତ ମଧ୍ୟରେ ଏବଂ ପୁଣି ଲୁଚିଗଲେ ନିଘଞ୍ଚ ଅରଣ୍ୟ ଦେହରେ ।

 

ଗଭୀର ଗର୍ତ୍ତ ମଧ୍ୟରେ ପଡ଼ି ବିକଳରେ ରାଧାମାଧବଙ୍କୁ ଡାକୁଥିଲେ ଜୟଦେବ । ତାଙ୍କ ଡାକି ଶୁଣି ଉଦ୍ଧାର କରିବାକୁ କେହି ନଥିଲେ ନିର୍ଜନ କାନନରେ । କେବଳ ବେଳେବେଳେ ବଣ୍ୟ ଜନ୍ତୁଙ୍କ ରାବ ହିଁ ଶବ୍ଦାୟିତ କରୁଥିଲା ସେ ବନ ଭୂମିକୁ ।

 

ଗର୍ତ୍ତ ମଧ୍ୟରୁ ଉପରକୁ ଉଠିବାର ଉପାୟ ନାହିଁ, ସେ ବୃଥା ଚେଷ୍ଟା କରିବେ କାହିଁକି ? ଅମନା ମନ କିନ୍ତୁ ସ୍ଥିର ହେଉନଥିଲା ତାଙ୍କର । ସେହି ଗର୍ତ୍ତ ମଧ୍ୟରେ ବେଳେ ବେଳେ ଚହଟି ଉଠୁଥିଲା ରାଧାମାଧବଙ୍କ ସ୍ଵରୂପ, ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ । ଉଦ୍‌ବେଳିତ କଣ୍ଠରେ କହୁଥିଲେ ସେ–ନାଁ ମହାବାହୁ ! ଆପଣ ଏ ଦୁର୍ଗମ ଅରଣ୍ୟ ପ୍ରଦେଶକୁ ଆସି ମୋତେ ଗର୍ତ୍ତରୁ ଉଦ୍ଧାର କରନ୍ତୁ ନାହିଁ । ମୁଁ ମୋର ପୂର୍ବଜନ୍ମର କର୍ମଫଳ ଭୋଗ କରୁଛି, ମୋତେ ଏ ଯନ୍ତ୍ରଣା ଧୈର୍ଯ୍ୟ ଦିଅନ୍ତୁ । ଏତିକି ମୋର ପ୍ରାର୍ଥନା ।

 

ପୁଣି ସମସ୍ତେ ବିଶେଷରେ ଗର୍ତ୍ତ ମଧ୍ୟରେ ନାଚିଉଠୁଛି ବାଙ୍କୀମୁହାଣୀ ନଦୀ ତୀରର ସେହି କ୍ଷୁଦ୍ର କୁଟୀର, ଚଳଚଞ୍ଚଳା ପଦ୍ମାବତୀଙ୍କ ତାରୁଣ୍ୟ ।

 

ଏଥର କିନ୍ତୁ ଭାଙ୍ଗି ପଡ଼ୁଛନ୍ତି ସେ ଭାବୋଦ୍‌ବେଗରେ । ଚିତ୍କାର କରୁଛନ୍ତି ସେହି ଗର୍ତ୍ତ ମଧ୍ୟରେ–ଦୁଃଖ କରନାହିଁ ପଦ୍ମା ! ମୋର ଇହକାଳ ପରକାଳର ସାଥୀ । ଏ ଜନ୍ମରେ ମୋର ଏହି ଗର୍ତ୍ତ ମଧ୍ୟରେ ମୃତ୍ୟୁ ହେଲେ ମଧ୍ୟ ତୁମକୁ ପୁଣି ଲାଭ କରିବି ପର ଜନ୍ମରେ । ତୁମ ପ୍ରତୀକ୍ଷା ବ୍ୟର୍ଥ ହେବନାହିଁ । ମୋର ଆତ୍ମନିବେଦନ ନିଃଷ୍ଫଳ ହେବ ନାହିଁ । ତୁମେ ବନ୍ଧୁ, ପରାଶର ରାଜଗୁରୁଙ୍କ ଗୃହରେ ଆନନ୍ଦରେ ଦିନ କାଟୁଥାଅ । ପ୍ରଭୁ ରାଧାମାଧବଙ୍କର ସେବା କରୁଥାଅ । ତୁମର ଦୁଃଖ ଶୁଣିବେ ସେ ।

 

ଏମିତି ଅନେକ ସ୍ମୃତି ମନକୁ ବିବ୍ରତ କରୁଥିଲେ ମଧ୍ୟ ନୟନ ମୁଦ୍ରିତ କରି ଉଚ୍ଚ କଣ୍ଠରେ ଭଜନ ଗାନ କରୁଥିଲେ ଜୟଦେବ । ଦିନପରେ ଦିନ ବତିବାରେ ଲାଗିଲା । ଅନ୍ନ ଜଳ ବିନା କଣ୍ଠ କ୍ଷୀଣ ହୋଇଆସିଲା । ନିଃଶ୍ଵାସ ରୁଦ୍ଧ ହେବାକୁ ବସିଲା । ତଥାପି ଦେହର ସମସ୍ତ ଶକ୍ତି ଖଟାଇ ଭଜନ ଗାନ କରୁଥିଲେ ସେ ।

 

ଏପରି ସମୟରେ ସେହି ନିବିଡ଼ ଅରଣ୍ୟରେ ପାରିଧି କରିବା ପାଇଁ ଅଶ୍ଵ ପୃଷ୍ଠରେ ବସି ପ୍ରବେଶ କଲେ ଗୌଡ଼ ଦେଶର ରାଜା ଲକ୍ଷ୍ମଣସେନ । ସଙ୍ଗରେ ପାତ୍ର ମନ୍ତ୍ରୀ, ଅନୁଚରବର୍ଗ ।

 

କୋଳାହଳରେ ପୂରିଗଲା ବନଭୂମି । ବନ୍ୟ ଜନ୍ତୁମାନେ ବିକଳରେ ଧାଇଁବାକୁ ଲାଗିଲେ ଏ ଦିଗରୁ ସେ ଦିଗ । ଏତିକିବେଳେ ଗୋଟିଏ ମୃଗ ଦେହରେ ବାଜିଲା ମହାରାଜ ଲକ୍ଷ୍ମଣ ସେନ୍‌ଙ୍କ ତୀର । ଆହତ ମୃଗଟି ପଳାଇବାକୁ ଚେଷ୍ଟାକରି ଖସିପଡ଼ିଲା ସେହି ଗଭୀର ଗର୍ତ୍ତ ମଧ୍ୟରେ-। ମୃଗର ପଶ୍ଚାତ୍‌ରେ ଧାବନ କରୁଥିଲେ ମହାରାଜ ଲକ୍ଷ୍ମଣ ସେନ୍ । ହଠାତ୍ ମୃଗଟି ଅଦୃଶ୍ୟ ହୋଇଯିବାର ଦେଖି ଆଶ୍ଚର୍ଯ୍ୟାନ୍ଵିତ ହୋଇପଡ଼ିଲେ ସେ ।

 

ତାଙ୍କ କର୍ଣ୍ଣଗୋଚର ହେଲା କ୍ଷୀଣ କଣ୍ଠରେ ଲଳିତ ଭଜନର ଝଙ୍କାର । ଭଜନ ଶ୍ରବଣ କରି ଲୋମାଞ୍ଚିତ ହୋଇଉଠିଲା ଲକ୍ଷ୍ମଣ ସେନ୍‌ଙ୍କ ଶରୀର । ଏ କି ଅଦ୍ଭୂତ ଅନୁଭୂତି ? ତେବେ କ’ଣ ଆହତ ମୃଗ ପ୍ରାର୍ଥନା କରୁଛି ଭଗବାନଙ୍କ ନିକଟରେ ଆତ୍ମରକ୍ଷା ପାଇଁ !

 

କ୍ଷୀଣ ଅଥଚ ଲଳିତ କଣ୍ଠସ୍ଵର ଭାସିଆସୁଥିବା ସ୍ଥାନକୁ ଆଗେଇଲେ ସେ । ଚମକିପଡ଼ିଲେ ଏକ ଗଭୀର ଗର୍ତ୍ତ ଦେଖି । ଅନୁମାନ କରିନେଲେ ସେ–ନିଶ୍ଚୟ କୌଣସି ବନଚାରୀ ପଥିକ ପତିତ ହୋଇଛି ଏ ଗର୍ତ୍ତ ମଧ୍ୟରେ । ଆକୁଳରେ ଡାକୁଛି ଭଗବାନଙ୍କୁ ନିଜର ରକ୍ଷା ପାଇଁ । ସେହି ଗର୍ତ୍ତରେ ମଧ୍ୟ ଖସିପଡ଼ିଛି ଆହତ ମୃଗ । ଏମାନଙ୍କୁ ଗର୍ତ୍ତ ମଧ୍ୟକୁ ଉଦ୍ଧାର କରିବାକୁ ହେବ । ମୃଗୟା ରୂପକ ଜୀବ ହତ୍ୟା ପାପରେ ଲିପ୍ତ ନରହି ଅରଣ୍ୟ ମଧ୍ୟରେ ପଶୁ ପକ୍ଷୀଙ୍କୁ ନିର୍ଭୟରେ ବିଚରଣ କରିବା ପାଇଁ ଛାଡ଼ିଦେବାକୁ ହେବ ।

 

ଚିତ୍କାର କଲେ ମହାରାଜ ଲକ୍ଷ୍ମଣ ସେନ୍–“ପାରିଷଦବର୍ଗ ! ଏ ଗର୍ତ୍ତ ନିକଟକୁ ଆସ । ସୁଦୃଢ଼ ରଜ୍ଜୁ ସାହାଯ୍ୟରେ ଗର୍ତ୍ତ ମଧ୍ୟରେ ପ୍ରବେଶ କର । ଉଦ୍ଧାର କର ପତିତ ବ୍ୟକ୍ତି ଏବଂ ଆହତ ମୃଗଙ୍କୁ ।”

 

ରାଜାଦେଶ ଶ୍ରବଣକରି ଏକତ୍ରିତ ହୋଇଗଲେ ପାରିଷଦବର୍ଗ । କାଳ ବିଳମ୍ବ ନକରି ପ୍ରବେଶକଲେ ଗର୍ତ୍ତ ମଧ୍ୟରେ ଏବଂ ଉଦ୍ଧାର କଲେ ଭକ୍ତ ଜୟଦେବ ଓ ଆହତ ମୃଗକୁ ।

 

ଏକ ଲୟରେ ସେମାନଙ୍କୁ ଅନାଇ ରହିଥିଲେ ମହାରାଜ ଲକ୍ଷ୍ମଣ ସେନ୍ । ଆହତ ପୌରୁଷରେ ପ୍ରଶ୍ନ କଲେ ସେ–“କିଏ ତୁମେ ସନ୍ନ୍ୟାସୀ ?”

 

–“ମୁଁ ଜଣେ ଏକାକୀ ତୀର୍ଥଯାତ୍ରୀ । ଯାତ୍ରା କରୁଥିଲି ଗଙ୍ଗା ସ୍ନାନ ପାଇଁ, କିନ୍ତୁ ଗଭୀର ଗର୍ତ୍ତରେ ଖସିପଡ଼ି ଦୁଃଖ ଜଣାଉଥିଲି ପ୍ରଭୁ ରାଧାମାଧବଙ୍କ ନିକଟରେ ।”

 

ଆଉ ଅଧିକ କିଛି ପ୍ରଶ୍ନ ନକରି ଆଦେଶ ଦେଲେ ମହାରାଜ ଲକ୍ଷ୍ମଣ ସେନ୍–“ପାରିଷଦବର୍ଗ ! ଏ ସନ୍ନ୍ୟାସୀଙ୍କର ସେବା କର ଆହାର ପ୍ରଦାନ କରି ମୋର ଉଆସକୁ ଘେନି ଚାଲ । ଉଆସ ମଧ୍ୟରେ ବିଶ୍ରାମ କରିବାର ସୁଯୋଗ କରିଦିଅ । ଶରାହତ ହରିଣୀଟି ଦେହରୁ ଶର ବାହାର କରିଦିଅ । ଚିକିତ୍ସା କରି ତାକୁ ଆରୋଗ୍ୟ କର ଏବଂ ପୁଣି ଛାଡ଼ିଦିଅ ଅରଣ୍ୟ ମଧ୍ୟରେ-। ଆଜିଠାରୁ ଅରଣ୍ୟରୁ ନିଷିଦ୍ଧ ହେଲା ଜୀବଜନ୍ତୁ ଶିକାର ।”

 

ରାଜାଦେଶ ଶ୍ରବଣ କରି କାର୍ଯ୍ୟରେ ଲାଗି ପଡ଼ିଲେ ପାରିଷଦବର୍ଗ । ଅଶ୍ଵ ପୃଷ୍ଠରେ ଆରୋହଣ କରି ରାଜପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କଲେ ରାଜା ଲକ୍ଷ୍ମଣ ସେନ୍‌, ତାଙ୍କ ପ୍ରାଣକୁ ଆନ୍ଦୋଳିତ କରୁଥିଲା ଏକ ଅଦ୍ଭୁତପୂର୍ବ ଅନୁଭୁତିର ଚେତନା ।

 

ପରଦିନ ପ୍ରଭାତରେ ହଠାତ୍ ନିଦ୍ରା ଭଗ୍ନ ହେଲା ମହାରାଜ ଲକ୍ଷ୍ମଣ ସେନ୍‌ଙ୍କର ଏକ ଲଳିତ ସଙ୍ଗୀତର ଅପୂର୍ବ ସ୍ଵର ଝଙ୍କାର ଶ୍ରବଣ କରି । ଲକ୍ଷ୍ୟକଲେ ସେ–ଏ ସଙ୍ଗୀତ ଭାସିଆସୁଛି ରାଜପ୍ରାସାଦର ଦକ୍ଷିଣ ପୁଷ୍ପ ବାଟିକା ମଧ୍ୟରୁ । ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ସେ । ଆଗେଇଗଲେ ପୁଷ୍ପ ବାଟିକା ପର୍ଯ୍ୟନ୍ତ ।

 

ଚମକି ପଡ଼ିଲେ ମହାରାଜ ଲକ୍ଷ୍ମଣ ସେନ୍ । ସୁମଧୁର ଶ୍ରୀଗୀତଗୋବିନ୍ଦ ସଙ୍ଗୀତ ଗାନକରି ପୁଷ୍ପ ଚୟନ କରୁଥିବା ବ୍ୟକ୍ତି ଯେ–ସେହି ସନ୍ନ୍ୟାସୀ, ଯାହାଙ୍କୁ ସେ ଉଦ୍ଧାର କରିଥିଲେ ଅରଣ୍ୟର ଗଭୀର ଗର୍ତ୍ତ ମଧ୍ୟରୁ । କେଉଁଠୁ ଶିଖିଲେ ସେ ଶ୍ରୀଗୀତଗୋବିନ୍ଦ ମହାକାବ୍ୟର ଅମୃତ ପଂକ୍ତି !

 

ସହାସ୍ୟ ବଦନରେ ପ୍ରଶ୍ନକଲେ ମହାରାଜ ଲକ୍ଷ୍ମଣ ସେନ୍‌–ସନ୍ନ୍ୟାସୀ ! ତୁମ କଣ୍ଠର ଶ୍ରୀଗୀତଗୋବିନ୍ଦ ମୋ ପ୍ରାଣକୁ ଉଲ୍ଲସିତ କରିପକାଉଛି । ପରମ ସୌଭାଗ୍ୟ ଯେ–ଆଜି ପ୍ରଭାତରୁ ମୁଁ ଶ୍ରବଣ କରିବାର ସୁଯୋଗ ଲାଭ କରିଛି ଏ ସଙ୍ଗୀତ ।

 

କିନ୍ତୁ ସନ୍ନ୍ୟାସୀ....

 

–“କହନ୍ତୁ ମଣିମା !”

 

–“ତୁମେ ଶ୍ରୀଗୀତଗୋବିନ୍ଦ ଶିକ୍ଷା କଲ କେଉଁଠାରୁ ? ଶ୍ରୀଗୀତଗୋବିନ୍ଦ ଯେ କେବଳ ଉତ୍କଳର ନିଜସ୍ଵ ।”

 

–“ହଁ ମଣିମା ! ମୁଁ ସେହି ଉତ୍କଳର ଅଧିବାସୀ ।”

 

–“ତୁମେ ଉତ୍କଳର ଅଧିବାସୀ ? ତେବେ କ’ଣ ଉତ୍କଳର ପ୍ରତ୍ୟେକ ଅଧିବାସୀ ଶ୍ରୀଗୀତଗୋବିନ୍ଦ ଜାଣନ୍ତି ?”

 

–“ହଁ ମଣିମା ! ଶ୍ରୀଗୀତଗୋବିନ୍ଦ ମହାକାବ୍ୟ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରେ ଗାନ କରାଯାଏ ।”

 

–“ସେ କଥା ଶୁଣିଛି, ଧନ୍ୟ ଧନ୍ୟ କରିଛି ସେହି ମହାକାବ୍ୟର ସ୍ରଷ୍ଟା କବି ଜୟଦେବଙ୍କୁ-।”

 

–“ତାଙ୍କୁ ବୃଥା ପ୍ରଶଂସା କରନ୍ତୁ ନାହିଁ ମଣିମା ! ସବୁ ସେହି ପ୍ରଭୁ ନୀଳାଚଳନାଥଙ୍କ କରୁଣା ।”

 

–“ହଁ ସନ୍ନ୍ୟାସୀ ! ଜୟଦେବ ସେପରି ସାଧକ ନହୋଇଥିଲେ ନୀଳାଚଳନାଥ ତାଙ୍କ ପ୍ରତି ଅପାର କରୁଣା କରିଥାନ୍ତେ କାହିଁକି ?

 

–“ନାଁ...ନାଁ ତଥାପି ଆପଣ ବୃଥା ପ୍ରଶଂସା କରୁଛନ୍ତି ମଣିମା ।”

 

–“ଜୟଦେବଙ୍କ ପ୍ରଶଂସା ଆପଣଙ୍କୁ ଅସହ୍ୟ ହେଉଛି କାହିଁକି ସନ୍ନ୍ୟାସୀ । ଜୟଦେବ ଯେ ସମଗ୍ର ଜମ୍ବୁ ଦ୍ଵୀପର ଜଣେ ପ୍ରାତଃସ୍ମରଣୀୟ କବି । ତାଙ୍କ ଦଶାବତୀର ସଙ୍ଗୀତ ମୋ ପ୍ରାଣରେ ଭରିଦିଏ ଉନ୍ମାଦନା ।”

 

–“ମଣିମା !!”

 

–“ଆପଣ ତ’ ନିଜେ ତାଙ୍କ ଶ୍ରୀଗୀତଗୋବିନ୍ଦ ଗାନ କରି ଏ ପୁଷ୍ପ ବାଟିକାରେ ଜୀବନ ସଞ୍ଚାର କରୁଛନ୍ତି । ପୁଣି ତାଙ୍କ ପ୍ରଶଂସାରେ ସଙ୍କୁଚିତ ହୋଇପଡ଼ୁଛନ୍ତି କାହିଁକି ?”

 

–“ବାରବାର ମୁଁ ନିଜେ ନିଜର ପ୍ରଶଂସା ଶ୍ରବଣ କରି ଅପମାନିତ ହେଉଛି ମଣିମା ।”

 

–“ନିଜର ପ୍ରଶଂସା ଶୁଣି ଅପମାନିତ ବୋଧ କରୁଛନ୍ତି ?

 

କିଏ ଆପଣ ? ନିଜେ ଭକ୍ତକବି ଜୟଦେବ !”

 

–“ହଁ ମଣିମା ! ମୁଁ ସେହି ଅଧମ କବି ଜୟଦେବ ।”

 

ଆଉ ନିଜକୁ ସ୍ଥିର ରଖି ନପାରି ମହାରାଜ ଲକ୍ଷ୍ମଣ ସେନ୍ ଧାଇଁ ଯାଇ ପଦ ସ୍ପର୍ଶ କଲେ ଜୟଦେବଙ୍କର । ବିଗଳିତ ହୋଇପଡ଼ିଲେ ଭକ୍ତ ଜୟଦେବ । ମହାରାଜ ଲକ୍ଷ୍ମଣ ସେନ୍‌ଙ୍କୁ ପଦତଳୁ ଉଠାଇନେଇ ଜଡ଼ାଇ ଧରିଲେ ବକ୍ଷ ଦେଶରେ । ନୟନରୁ ଝରୁଥିଲା ବିମୁଗ୍‌ଧ ଆତ୍ମିକତାର ଲୋତକ ।

 

ଶ୍ରୀ ଜୟଦେବଙ୍କ ଆପାଦ ମସ୍ତକ ଥରେ ଲକ୍ଷ୍ୟ କରି କହିଲେ ମହାରାଜ ଲକ୍ଷ୍ମଣ ସେନ୍–“ଭକ୍ତ କବି ! ମୁଁ ଗୋଟିଏ ଅନୁରୋଧ କରିବି, ଆପଣ ରକ୍ଷାକରି ପାରିବେ ?”

 

–“ଅନୁରୋଧ ନୁହେଁ...ଆଦେଶ କରନ୍ତୁ ମଣିମା ! ଆପଣ ଯେ ମୋର ପ୍ରାଣ ରକ୍ଷାକାରୀ-।”

 

–“ନାଁ...ପ୍ରାଣ ରକ୍ଷାକାରୀ ଭାବରେ ନୁହେଁ...ଆପଣଙ୍କର ଜଣେ ଗୁଣମୃଗ୍‌ଧ ଗ୍ରାହକ ଭାବରେ ମୋର ଦାବି ।”

 

–“କହନ୍ତୁ ମଣିମା ।”

 

–“ଶପଥ କରନ୍ତୁ ଜୟଦେବ ! ଆପଣ ମୋର ଅନୁରୋଧ ରକ୍ଷା କରିବେ । ପ୍ରତ୍ୟାଖ୍ୟାନ କରିବେ ନାହିଁ ।”

 

–“ଶପଥ କରୁଛି ମଣିମା, ବ୍ୟକ୍ତି କରନ୍ତୁ ମନର ଅଭିଳାଷ ।”

 

–“ତେବେ ଶୁଣନ୍ତୁ ଭକ୍ତକବି ! ଆଗାମୀ କାଲିଠାରୁ ଆପଣ ଯୋଗଦେବେ ମୋର ରାଜସଭାରେ ଜଣେ ରାଜକବି ଭାବେ ।”

 

–“ମଣିମା ! ମୋତେ ବନ୍ଦୀ ନକରି ମୁକ୍ତି ଦିଅନ୍ତୁ । ମୁଁ ଉତ୍କଳର ମହାରାଜ କାମାର୍ଣ୍ଣବଦେବଙ୍କର ଏପରି ଅନୁରୋଧକୁ ମଧ୍ୟ ଗ୍ରହଣ କରି ନାହିଁ । କବି କେବେ ରାଜସଭାରେ ବନ୍ଦୀ ହୋଇ ସ୍ତୁତିଗାନ କରିପାରେ ନାହିଁ ମଣିମା ।

 

–“ରାଜ ସ୍ତୁତିକୁ ମଧ୍ୟ ମୁଁ ପ୍ରଶ୍ରୟ ଦିଏ ନାହଁ ଭକ୍ତ କବି । ନୂତନ ସୃଷ୍ଟି ପାଇଁ ଆପଣ ମୁକ୍ତ-। କିନ୍ତୁ ରାଜଦରବାରର ମର୍ଯ୍ୟାଦା ବର୍ଦ୍ଧନ ଲାଗି... ଆପଣଙ୍କର ସ୍ଵୀକୃତି ମୋର କାମ୍ୟ-।”

 

–“ମଣିମା !”

 

–“ଭକ୍ତ କବି ! ଆପଣ ଶପଥ କରିଛନ୍ତି, ଆଉ ଚିନ୍ତା ନକରି ସମ୍ମତି ପ୍ରଦାନ କରନ୍ତୁ ।”

 

କ୍ଷଣେକାଳ ନୀରବ ହୋଇ ସତୀ ପଦ୍ମାବତୀଙ୍କ କଥା ମନରେ ପକାଇଲେ ଜୟଦେବ ।

 

ବ୍ୟଥିତ କଣ୍ଠରେ ପୁଣି ପ୍ରଶ୍ନକଲେ ମହାରାଜ ଲକ୍ଷ୍ମଣ ସେନ୍–“କ’ଣ ଚିନ୍ତା କରୁଛନ୍ତି ଭକ୍ତ କବି ?”

 

ଦୀର୍ଘ ନିଃଶ୍ଵାସ ପକାଇ କହିଲେ ଜୟଦେବ–“ନା ମଣିମା, ଚିନ୍ତା କରୁଛି ପତ୍ନୀ ପଦ୍ମାବତୀଙ୍କ କଥା । ସେ ଶ୍ରୀକ୍ଷେତ୍ରରେ ବନ୍ଧୁ, ପରାଶର ରାଜଗୁରୁଙ୍କ ଗୃହରେ ଆଶ୍ରିତା । ତାଙ୍କୁ ଛାଡ଼ି ମୁଁ ଏଠାରେ ରାଜକବିର ସମ୍ମାନ ଲାଭକରିବି କିପରି ? ସେ ଯେ ମୋର ପ୍ରାଣ ସ୍ୱରୂପା ଅର୍ଦ୍ଧାଙ୍ଗିନୀ-।”

 

ହସିଉଠିଲେ ମହାରାଜ ଲକ୍ଷ୍ମଣ ସେନ୍ ଭକ୍ତକବିଙ୍କ କଥା ଶୁଣି । କହିଲେ–“ଏଥିପାଇଁ ଚିନ୍ତା କାହିଁକି କରୁଛନ୍ତି ଜୟଦେବ ? ମୁଁ ଆଜି ଉତ୍କଳ ସମ୍ରାଟ କାମାର୍ଣ୍ଣକଦେବଙ୍କ ନିକଟକୁ ବାର୍ତ୍ତା ପ୍ରେରଣ କରୁଛି । ସେ ସତୀ ପଦ୍ମାବତୀଙ୍କୁ ସସମ୍ମାନେ ବିଦାୟ ଦେବେ ମୋର ଅନୁଚରମାନଙ୍କ ସହିତ ।” ନାଁ..., ତାଙ୍କର ଚିହ୍ନିବାରେ ତ୍ରୁଟି ନାହିଁ । ସେ ବେଶ୍ ଲକ୍ଷ୍ୟ କରିପାରୁଛନ୍ତି ସମ୍ମୁଖରେ ଭୋଜନରତ କେତେଜଣ ବ୍ରାହ୍ମଣବେଶୀ ବ୍ୟକ୍ତିଙ୍କୁ । ଏମାନେ ଯେ ବ୍ରାହ୍ମଣ ନୁହଁନ୍ତି । ଛଦ୍ମବେଶୀ ବ୍ୟକ୍ତି ।

 

ଶ୍ରୀ ଜୟଦେବଙ୍କ ଚକ୍ଷୁ ସମ୍ମୁଖରେ ନାଚିଉଠିଲା ନିବିଡ଼ ଅରଣ୍ୟ ମଧ୍ୟରେ ସେଦିନର ସେହି ଭୟଙ୍କର ଦୃଶ୍ୟ । ଚତୁର୍ଦ୍ଦିଗରୁ ଘେରି ଆସିଥିଲେ କେତେଜଣ ବ୍ୟକ୍ତି । ଖୋଜିବସିଥିଲେ କଉଡ଼ି । ଶେଷରେ ହତାଶ ହୋଇ ତାଙ୍କୁ ନିକ୍ଷେପ କରିଥିଲେ ଗଭୀର ଗର୍ତ୍ତ ମଧ୍ୟରେ ।

 

ଶିହରଣ ଖେଳିଗଲା ଜୟଦେବଙ୍କ ଶରୀରରେ । ସମ୍ମୁଖରେ ବ୍ରାହ୍ମଣ ବେଶ ଧରି ଭୋଜନରେ ବସିଥିବା ବ୍ୟକ୍ତିମାନେ ସେହି ତସ୍କର ଦଳ । ତେବେ ରାଜପ୍ରାସାଦକୁ ଆଗମନ କାହିଁକି-? ଅନୁମାନ କରିନେଲେ ଜୟଦେବ–ନିଶ୍ଚୟ ଏମାନେ ଭୋଜନ ରାଜଗନ୍ତାଘରର ସନ୍ଧାନ ନେବେ, ଆନନ୍ଦ ମହୋତ୍ସବରେ ଅନ୍ୟମାନେ ବ୍ୟସ୍ତ ଥିବା ବେଳେ ଅଥବା ଅନ୍ୟ ସମୟରେ ଗନ୍ତାଘର ଲୁଟ୍ କରିବେ ।

 

ଭବିଷ୍ୟତ କଥା ଚିନ୍ତାକରି ଦୀର୍ଘ ନିଃଶ୍ଵାସ ତ୍ୟାଗ କଲେ ସେ । ସେତେବେଳକୁ ତସ୍କରମାନେ ମଧ୍ୟ ଚିହ୍ନି ପକାଇଥିଲେ ତାଙ୍କୁ । ଭୟଭୀତ ହୋଇପଡ଼ିଥିଲେ ସେମାନେ । ରାଜାଙ୍କ ନିକଟରେ ସେମାନଙ୍କୁ ଧରାଇଦେବ କି ବ୍ରାହ୍ମଣ ?

 

କାଳ ବିଳମ୍ବ ନକରି ମୁହଁ ଖୋଲିଲେ ଜୟଦେବ–“ମହାରାଜ ! ସମ୍ମୁଖରେ ଭୋଜନ କରୁଥିବା ବିପ୍ରମାନେ ଅରଣ୍ୟ ପଥ ଅତିକ୍ରମ କରି ବହୁ ଦୂର ସ୍ଥାନରୁ ଆଗମନ କରିଛନ୍ତି । ଏମାନଙ୍କୁ ଉତ୍ତମ ଭୋଜନ ଦିଆଯାଉ, ନିଜ ଗ୍ରାମରେ ନିରାପଦରେ ଛାଡ଼ି ଆସିବା ପାଇଁ ଅନୁଚରମାନଙ୍କୁ ପ୍ରେରଣ କରାଯାଉ, ଏପରି ବ୍ୟବସ୍ଥାରେ ମୁଁ ଆନନ୍ଦିତ ହେବି ।”

 

ଜୟଦେବଙ୍କ ଅନୁରୋଧ ଶୁଣି ହସିଉଠିଲେ । ମହାରାଜ ଲକ୍ଷ୍ମଣ ସେନ୍ । ଉପସ୍ଥିତ ବିପ୍ରମାନଙ୍କୁ ଆପଣ ଚିହ୍ନିଲେ କିପରି ବୋଲି ପ୍ରଶ୍ନ ନକରି, କହିଲେ–“ପରିବେଷଣକାରୀ ସୂପକାରଗଣ ! ସମ୍ମୁଖର ବିପ୍ରମାନଙ୍କୁ ଉତ୍ତମ ଭୋଜନ ପ୍ରଦାନ କର । ଅନୁଚରମାନଙ୍କୁ ମୋର ଆଦେଶ ଜଣାଇଦିଅ–ସେମାନେ ବିପ୍ରମାନଙ୍କୁ ନେଇ ତାଙ୍କ ଗ୍ରାମରେ ଛାଡ଼ିଦେଇ ଆସିବେ ।

 

ରାଜାଦେଶ ଶ୍ରବଣ କରି ଆଶ୍ଵସ୍ତ ହେଲେ ଜୟଦେବ ।

 

ଏଣେ ଛଦ୍ମବେଶୀ ତସ୍କରମାନେ ବ୍ୟଗ୍ର ହେଉଥିଲେ ଭୋଜନ ଶେଷକରି ପଳାୟନ ପାଇଁ । ଧରାପଡ଼ିଯିବାର ଭୟ ହିଁ ତାଙ୍କୁ ସଙ୍କୁଚିତ କରିପକାଉଥିଲା । କିନ୍ତୁ ଗୋପନରେ ପଳାୟନର ଉପାୟ ନାହିଁ । ରାଜାଦେଶ ଶ୍ରବଣ କରୁ କରୁ ଉପସ୍ଥିତ ହୋଇଯାଇଛନ୍ତି ଅନୁଚରଗଣ । ଭୋଜନ ଶେଷରେ ଦକ୍ଷିଣା ଗ୍ରହଣ ପରେ ସେମାନେ ଘେନିଯିବେ ଅରଣ୍ୟ ପଥରେ ଏମାନଙ୍କୁ ।

 

ଅଳ୍ପ ସମୟ ମଧ୍ୟରେ ଭୋଜନ ଶେଷ ହେଲା । ଉତ୍ତମ ଦକ୍ଷିଣା ଲାଭ କଲେ ଛଦ୍ମବେଶୀ ତସ୍କରମାନେ । ତତ୍‌ପରେ ବାହୁଡ଼ିବେ ସେମାନେ ନିଜ ନିଜର ଗ୍ରାମକୁ । ସାଙ୍ଗରେ ବାହାରିଲେ ରାଜ ଅନୁଚରବର୍ଗ ।

 

ବାରଣ କରିବାକୁ ଚେଷ୍ଟାକଲେ ଛଦ୍ମ ବେଶୀମାନେ–“ଅନୁଚରଗଣ ! ବୃଥାରେ କାହିଁକି ଆମ ସହିତ ଯିବ ? ଆମେ ନିରାପଦରେ ଗ୍ରାମକୁ ଫେରିଆଇ ପାରିବୁ । ତୁମେମାନେ ରହିଯାଅ ।”

 

କିନ୍ତୁ ରାଜାଙ୍କର ଆଦେଶକୁ ଅମାନ୍ୟ କରିବ କିଏ ? ଜୋର୍ ଦେଇ କହିଲା ଜଣେ ଅନୁଚର–“ଆମେ ଆପଣମାନଙ୍କୁ ଏକୁଟିଆ ଛାଡ଼ିପାରିବୁ ନାହିଁ । ରାଜାଦେଶ ପାଳନ କରି ଯାତ୍ରା କରିବୁ ଦେହରକ୍ଷୀ ହୋଇ । ବିଳମ୍ବ ନକରି ବାହାରିପଡ଼ନ୍ତୁ । ରାତ୍ରି ପୂର୍ବରୁ ଆମେ ପୁଣି ଫେରିଆସିବୁ ରାଜପ୍ରାସାଦକୁ ।”

 

ଶେଷରେ ବାଧ୍ୟ ହୋଇ ଅନୁଚରମାନଙ୍କ ସହିତ ରାଜପ୍ରାସାଦରୁ ବାହାରି ଆସିଲେ ଛଦ୍ମବେଶୀ ତସ୍କର ଦଳ । ନିଜ ପ୍ରକୋଷ୍ଠର ସମ୍ମୁଖରେ ଦଣ୍ଡାୟମାନ ରହି ସେମାନଙ୍କୁ ଲକ୍ଷ୍ୟ କରୁଥିଲେ ଭକ୍ତକବି ଜୟଦେବ ।

 

ଆଗେଇଲେ ଛଦ୍ମବେଶୀ ତସ୍କର ଦଳ । ଧୀରେ ଧୀରେ ଜନପଦ ପାର ହୋଇ ନିବିଡ଼ ଜଙ୍ଗଲରେ ପ୍ରବେଶ କଲେ ସେମାନେ । ସଙ୍ଗରେ ଚାଲିଥାନ୍ତି ଅନୁଚରବର୍ଗ । ଅରଣ୍ୟ ମଧ୍ୟରେ ବହୁ ପଥ ଅତିକ୍ରମ କରିବା ପରେ ଜଣେ ତସ୍କର କହିଲା–‘ଅନୁଚର ବନ୍ଧୁଗଣ ! ଏବେ ଆମ ଗ୍ରାମ ନିକଟ ହୋଇଗଲା । ଏହିଠାରୁ ପାଞ୍ଚ ଦିଗକୁ ଯାତ୍ରାକରି ଆମେ ନିଜ ନିଜ ଗ୍ରାମରେ ପହଞ୍ଚିବୁ । ତୁମେମାନେ ଫେରିଯାଅ, ଆମେ ନିରାପଦରେ ପହଞ୍ଚିଛୁ ବୋଲି ମହାରାଜ ଙ୍କୁ ଖବର ଦିଅ । ’

 

ତସ୍କରଙ୍କ କଥାରେ ଏଥର ବିଶ୍ଵାସ କଲେ ଅନୁଚରମାନେ । କହିଲେ–“ହଉ, ଆପଣମାନେ ନିଜ ନିଜର ଗ୍ରାମକୁ ଯାତ୍ରା କରନ୍ତୁ । ଆମେ ଫେରିଯାଉଛୁ ରାଜପ୍ରାସାଦକୁ ।”

 

ତା’ପରେ ରାଜପ୍ରାସାଦ ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ ଅନୁଚରବର୍ଗ । ସେତେବେଳକୁ ଅନେକ ରାତ୍ରି ହୋଇଯାଇଥିଲା । ଗଭୀର ଅନ୍ଧକାର ଭିତରେ ଅରଣ୍ୟ ପଥ ଦିଶୁନଥିଲା ।

 

କିଛି ପଥ ଅତିକ୍ରମ କରି ଆସିବା ପରେ ଦିଗଭ୍ରଷ୍ଟ ହେଲେ ସେମାନେ । ଗଭୀର ରାତ୍ରିର ଅନ୍ଧକାର ମଧ୍ୟରେ କେଉଁଆଡ଼କୁ ଯିବେ ଜାଣିନପାରି ବ୍ୟସ୍ତ ହୋଇପଡ଼ିଲେ, ଏଣେ ବାଘ ଭାଲୁ ହାତୀ ଇତ୍ୟାଦି ବନ୍ୟଜନ୍ତୁମାନଙ୍କର ଚିତ୍କାର ସେମାନଙ୍କୁ ଭୟଭୀତ କରୁଥିଲା । ଏପରି ସମୟରେ କହିଲା ଜଣେ ଅନୁଚର–“ଆଜି ଏହି ଅନ୍ଧକାର ରାତ୍ରିରେ ରାଜପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆମେ ଅପଚେଷ୍ଟା କରିବା ନାହିଁ । ଏହି ଅରଣ୍ୟର ଗୋଟିଏ ବୃକ୍ଷରେ ଚଢ଼ି ରାତ୍ରିଯାପନ କରିବା । ପୁଣି ପ୍ରଭାତରୁ ଯାତ୍ରା କରିବା ରାଜପ୍ରାସାଦକୁ ।”

 

ଏ କଥାକୁ ସମର୍ଥନ କଲେ ଅନ୍ୟମାନେ । ତେଣୁ କାଳ ବିଳମ୍ବ ନକରି ସେମାନେ ଆରୋହଣ କଲେ ଅରଣ୍ୟର ଏକ ବିଶାଳ ବୃକ୍ଷରେ । ବୃକ୍ଷର ଶାଖା ଉପରେ ବସି ଚେଷ୍ଟାକଲେ ରାତ୍ରିଯାପନ ପାଇଁ ।

 

ଅନେକ ସମୟ ବିତିଗଲା । କେହି କେହି ବୃକ୍ଷର ଶାଖାକୁ ଆଉଜି ତୋଳାଇବାରେ ଲାଗିଲେ । ହଠାତ୍ ସତର୍କ କରି କହିଉଠିଲା ଜଣେ ଅନୁଚର–“ବୃକ୍ଷର ଶାଖା ଉପରେ ବସି ତୋଳାଅ ନାହିଁ, ତଳେ ଖସି ପଡ଼ି ପ୍ରାଣ ଯିବ । ଗପ ସପ ମଧ୍ୟ ହୁଅନାହିଁ । ବାଘ, ଭାଲୁ, ହାତୀ ମଣିଷ ଶବ୍ଦ ଶୁଣିଲେ ଆକ୍ରମଣ କରିପାରନ୍ତି । କେବଳ ନୀରବରେ ବସି ରୁହ । ରାତି ଶେଷହେଲେ ବୃକ୍ଷରୁ ଓହ୍ଳାଇ ରାଜପ୍ରାସାଦକୁ ବାହୁଡ଼ି ଯିବା ।”

 

କଥା ଶୁଣି ନିଦ୍ରା ତେଜି ସଚେତ ହୋଇଉଠିଲେ ସମସ୍ତେ । ବସିରହିଲେ ନୀରବରେ ।

 

ଏମିତି ଅନେକ ସମୟ ଅତିବାହିତ ହେବାପରେ ହଠାତ୍ ବୃକ୍ଷ ତଳେ କେତେଜଣ ମଣିଷଙ୍କର ଚୁପ୍‌ଚାପ୍ କଥାବାର୍ତ୍ତା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଅନୁଚରବର୍ଗ । କାନ ଡେରି ଶୁଣିବାକୁ ଚେଷ୍ଟାକଲେ ଆଲୋଚନାର ବିଷୟବସ୍ତୁ ।

 

ହସରେ ଫାଟିପଡ଼ି କହୁଥିଲା ଜଣେ–“ଆରେ ବ୍ରାହ୍ମଣଟା ଆମକୁ ଚିହ୍ନି ପକାଇଲା । କିନ୍ତୁ ରାଜାଙ୍କ ନିକଟରେ ଧରାଇ ନଦେଇ ଭଲ ଖାଇବାକୁ ଦେଇ ଅନୁଚରମାନଙ୍କ ସହିତ ବିଦାୟ ଦେଲା କାହିଁକି ?”

 

ଉତ୍ତର ଦେଇ କହିଲା ଆଉ ଜଣେ–“ବୁଝିପାରିଲୁ ନାହିଁ ? ତାକୁ ସେ ଆମେ ଗାତ ଉପରେ ପକାଇ ଦେଇଥିଲେ–ସେକଥା କ’ଣ ସେ ଭୁଲିଗଲାଣି । ଭଲ ଖାଇବାକୁ ଦେଇ ବିଦାୟ ନ ଦେଇଥିଲେ, ପୁଣି ଗାତ ଭିତରେ ପଡ଼ିବାର ଭୟ ତ ଥିଲା ?”

 

ହସିଉଠିଲେ ସମସ୍ତେ ଏ କଥା ଶୁଣି । ତା’ପରେ କହିଲା ଆଉଜଣେ–“ହଉ ସେ କଥା ଛାଡ଼, ଆଜି ରାତି ଏଇ ଗଛମୂଳେ କଟାଇଦେବା । ସକାଳୁ ସକାଳୁ ପୁଣି ଛଦ୍ମବେଶରେ ରାଜପ୍ରାସାଦକୁ ଯିବା । ଦିନସାରା ଅନୁଚରମାନଙ୍କ ସହିତ କାମ କରିବା । ରାତି ହେଲେ ଗୋଟିଏ ସ୍ଥାନରେ ଏକାଠି ହେବା । ମୁଁ ରାଜ ଗନ୍ତାଘରର ସନ୍ଧାନ କରିଛି । ଆଉ ଅସୁବିଧା କିଛିନାହଁ । ଜଗୁଆଳୀମାନଙ୍କୁ କାବୁ କରି ଧନରତ୍ନ ଧରି ଫେରିଆସିବା ରାତି ରାତି ।”

 

ସମ୍ମତି ସୂଚକ ଉତ୍ତର ଦେଲେ ଅନ୍ୟମାନେ ।

 

ବୃକ୍ଷ ଉପରେ ଥାଇ ଏସବୁ ଆଲୋଚନା ଶୁଣୁଥିଲେ ଅନୁଚରବର୍ଗ । ସେମାନେ ନିଶ୍ଚିତ ଭାବରେ ଜାଣିନେଲେ ଯେ ତସ୍କର ଦଳ ବ୍ରାହ୍ମଣ ବେଶରେ ଯାତ୍ରା କରିଥିଲେ ରାଜପ୍ରାସାଦକୁ । ଏମାନେ ଗନ୍ତାଘର ଦେଖି ଆସିଛନ୍ତି । ଆସନ୍ତାକାଲି ରାତିରେ ଲୁଟ୍ କରିବେ ଧନରତ୍ନ ।

 

ମୁହଁ ଖୋଲି କଥାବାର୍ତ୍ତା ନକରି କେବଳ ପରସ୍ପର ପରସ୍ପରକୁ ସ୍ପର୍ଶ କରି ପ୍ରସ୍ତୁତ ହୋଇଗଲେ ସେମାନେ । ହଠାତ୍ ବୃକ୍ଷ ଉପରୁ ତଳକୁ ଝାମ୍ପ ଦେଲେ ଏକ ସମୟରେ ।

 

ଗଛ ଉପରୁ କିଏ ଝାମ୍ପ ମାରୁଛନ୍ତି ବୋଲି ଜାଣିବା ପୂର୍ବରୁ ଅନୁଚରବର୍ଗ କାବୁ କରିନେଲେ ତସ୍କରମାନଙ୍କୁ । ପ୍ରତି ଆକ୍ରମଣ କରିବାକୁ ସମୟ ନଥିଲା । ସୁଯୋଗ ମଧ୍ୟ ନଥିଲା ।

 

ତା’ପରେ ବିଜୟ ଗର୍ବରେ ନାଚିଉଠିଲେ ଅନୁଚରମାନେ ।

 

ସେତେବେଳକୁ ରାତ୍ରି ଶେଷ ହୋଇଆସୁଥିଲା । ଗଭୀର ଅରଣ୍ୟର ଅନ୍ଧକାର ଅପସରି ଯାଉଥିଲା ।

 

ବନ୍ଦୀ ତସ୍କରମାନଙ୍କୁ ଟାଣି ଟାଣି ରାଜପ୍ରାସାଦ ଆଡ଼େ ଆଗେଇଲେ ଅନୁଚରବର୍ଗ ।

 

ପ୍ରାସାଦ ନିକଟରେ ପହଞ୍ଚିଲାବେଳକୁ ଦିନ ଅନେକ ହୋଇଯାଇଥିଲା । ଦରବାର ଗୃହରେ ସିଂହାସନ ଉପରେ ଆସୀନ ଥିଲେ ମହାରାଜ ଲକ୍ଷ୍ମଣ ସେନ୍ ।

 

ସମ୍ବାଦ ଦେଲା କଟୁଆଳ–‘‘ମଣିମା ! ଅନୁଚରମାନେ କେତେଜଣ ତସ୍କରଙ୍କୁ ବନ୍ଦୀ କରି ଆଣିଛନ୍ତି, ସେମାନେ ଗନ୍ତାଘର ଲୁଟି ନେବାପାଇ ଚକ୍ରାନ୍ତ କରୁଥିଲେ ।”

 

–‘‘ବନ୍ଦୀମାନଙ୍କୁ ବିଚାର କକ୍ଷକୁ ଘେନି ଯିବା ପାଇଁ ନିର୍ଦ୍ଦେଶ ଦିଅ । ମୁଁ ସେଠାକୁ ଯାତ୍ରା କରୁଛି ।” କହିଲେ ମହାରାଜ ଲକ୍ଷ୍ମଣ ସେନ୍ ।

 

ତତ୍‌ପରେ ଦରବାର ଗୃହରୁ ବିଚାର କକ୍ଷକୁ ଉଠିଗଲେ ମହାରାଜ ଲକ୍ଷ୍ମଣ ସେନ୍ । ଯୋଡ଼ ହସ୍ତରେ ଅନୁଚରବର୍ଗ ଉପସ୍ଥାପନ କଲେ ଶୁଣିଥିବା ସମସ୍ତ ବିବରଣୀ ।

 

ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଲେ ମହାରାଜ ଲକ୍ଷ୍ମଣ ସେନ୍–ରାଜକବି ଭକ୍ତ ଜୟଦେବଙ୍କ ଉଦାର ହୃଦୟ କଥା ଚିନ୍ତାକରି । କଠୋର କଣ୍ଠରେ କହିଲେ ସେ–ତସ୍କର ଦଳ ! ତୁମକୁ ମୁଁ ଶାସ୍ତି ଦେବି ନାହିଁ । ଶାସ୍ତି ବିଧାନ କରିବେ ନିଜେ ରାଜକବି ଶ୍ରୀଜୟଦେବ ।

 

ଏଥର ଆହୁରି ଆତଙ୍କିତ ହୋଇପଡ଼ିଲେ ତସ୍କରମାନେ । ଆଦେଶ ଦେଲେ ମହାରାଜ ଲକ୍ଷ୍ମଣ ସେନ୍–“ପ୍ରହରୀ ! ରାଜକବି ଶ୍ରୀ ଜୟଦେବଙ୍କୁ ସମ୍ବାଦ ଦିଅ । ସେ ବସ୍ତୁର କକ୍ଷକୁ ଆଗମନ କରି ତସ୍କରମାନଙ୍କୁ ଶାସ୍ତି ବିଧାନ କରନ୍ତୁ ।”

 

ରାଜାଦେଶ ଲାଭକରି ଦରବାର ଗୃହକୁ ପ୍ରବେଶ କଲ ପ୍ରହରୀ । ସମ୍ବାଦ ଦେଲା ଶ୍ରୀଜୟଦେବଙ୍କୁ ।

 

ଆଦେଶ ପାଇ ବିଚାର କକ୍ଷ ଆଡ଼େ ଆଗେଇଗଲେ ଜୟଦେବ । ବିଚଳିତ ହୋଇପଡ଼ିଲେ ତସ୍କରମାନଙ୍କୁ ଚକ୍ଷୁ ସମ୍ମୁଖରେ ଦେଖି । ରୁଦ୍ର ଆବେଗରେ କହିଚାଲିଲେ ମହାରାଜ ଲକ୍ଷ୍ମଣ ସେନ୍‌–‘‘ଭକ୍ତ କବି ! ମୁଁ ସମସ୍ତ ବିବରଣୀ ଶ୍ରବଣ କରିଛି । ଏହି ତସ୍କରମାନେ ଆପଣଙ୍କୁ ଗଭୀର ଗର୍ତ୍ତରେ ନିକ୍ଷେପ କରିଥିଲେ । ପୁଣି ଏମାନେ ବିପ୍ରବେଶରେ ଆସି ଭୋଜନ କରି ଗନ୍ତାଘରର ସନ୍ଧାନ କରିଥିଲେ । ଧନରତ୍ନ ଲୁଟି ନେବାପାଇଁ ଯୋଜନା କରୁଥିଲେ । ଆପଣ ଏମାନଙ୍କୁ ଉପଯୁକ୍ତ ଶାସ୍ତି ବିଧାନ କରନ୍ତୁ ।”

 

ବିଚଳିତ ହୋଇପଡ଼ିଲେ ବିଚାର କକ୍ଷରେ ଉପସ୍ଥିତ ଭଦ୍ରବ୍ୟକ୍ତିମାନେ । ଏକ ସ୍ଵରରେ କହିଉଠିଲେ ସମସ୍ତେ–ମୃତ୍ୟୁ ଦଣ୍ଡ ଉପଯୁକ୍ତ ଶାସ୍ତି ।

 

ଭୟରେ ଥରୁଥିଲେ ତସ୍କର ଦଳ ମୃତ୍ୟୁ ଦଣ୍ଡର ଆଶଙ୍କା କରି ।

 

ପୁଣି କହିଉଠିଥିଲେ । ମହାତ୍ମା ଲକ୍ଷଣ ସେନ୍–ଭକ୍ତ କବି ଜୟଦେବଙ୍କ ନିଷ୍ପତ୍ତି ହିଁ ହେବ ବିଚାର ଗୃହର ନିଷ୍ପତ୍ତି ।”

 

ତା’ପରେ ମହାରାଜ ଲକ୍ଷ୍ମଣ ସେନ୍ ଅନାଇ ରହିଲେ ଶ୍ରୀ ଜୟଦେବଙ୍କୁ ।

 

କୋମଳ କଣ୍ଠରେ କହିଲେ ଭକ୍ତ ଜୟଦେବ–‘‘ମଣିମା ! ସେମାନେ ଅପରାଧୀ ନିଶ୍ଚୟ । କିନ୍ତୁ ମୃତ୍ୟୁଦଣ୍ଡ ତାଙ୍କ ପାଇଁ ଉପଯୁକ୍ତ ଦଣ୍ଡ ନୁହେଁ ।”

 

–‘‘ତେବେ ?” ପ୍ରଶ୍ନ କଲେ ମହାରାଜ ଲକ୍ଷଣ ସେନ୍ ।

–‘‘ଏମାନେ ତସ୍କର ହୋଇ ଜନ୍ମଗ୍ରହଣ କରିନଥିଲେ । କୁସଙ୍ଗ କିମ୍ବା ଦାରିଦ୍ର୍ୟ ଏମାନଙ୍କୁ ବାଧ୍ୟ କରିଛି ତସ୍କର ହେବାପାଇଁ । ତେଣୁ ପ୍ରଥମେ ତାଙ୍କୁ ତସ୍କର ହେବାର କାରଣ ସମ୍ପର୍କରେ ପ୍ରଶ୍ନ ହେଉ ।”

ଶ୍ରୀ ଜୟଦେବଙ୍କ ପ୍ରସ୍ତାବରେ ଚିନ୍ତିତ ହୋଇପଡ଼ିଲେ ମହାରାଜ ଲକ୍ଷ୍ମଣ ସେନ୍ । ସାମାନ୍ୟ ସମୟର ନୀରବତା ପରେ ପ୍ରଶ୍ନକଲେ ସେ–ତୁମ୍ଭେମାନେ ତସ୍କର ହେବାର କାରଣ ବ୍ୟକ୍ତ କର ବନ୍ଦୀଗଣ !

ନିରୁତ୍ତର ରହିଲେ ବନ୍ଦୀ ତସ୍କରମାନେ ।

ପୁଣି କହିଉଠିଲେ ମହାରାଜ ଲକ୍ଷ୍ମଣ ସେନ୍–ଭୟ ନକରି ନିଜକଥା ପ୍ରକାଶ କର । ସେଥିରେ ମୁଁ ପ୍ରୀତ ହେବି ।”

ଛେପ ଢୋକି ଡରି ଡରି କହିଲା ଜଣେ ବନ୍ଦୀ–“ଆମେ ଗରିବ, ଜମିବାଡ଼ି କିଛି ନାହିଁ । ପିଲା କୁଟୁମ୍ବଙ୍କୁ ପୋଷି ନପାରି ଖଣ୍ଟ ହେବାକୁ ବାଧ୍ୟ ହୋଇଛୁ ମଣିମା !”

ବନ୍ଦୀ ତସ୍କରମାନଙ୍କ ଉତ୍ତର ଶୁଣି ମୁଣ୍ଡ ତଳକୁ କଲେ ମହାରାଜ ଲକ୍ଷ୍ମଣ ସେନ୍

ସହାସ୍ୟ ବଦନରେ ବନ୍ଦୀମାନଙ୍କୁ ଅନାଇ ରହିଥିଲେ । ଭକ୍ତକବି ଜୟଦେବ । କହିଉଠିଲେ ଉଦ୍‌ବେଳିତ ଆନନ୍ଦରେ–‘‘ଆପଣମାନଙ୍କର ସ୍ଵୀକାରୋକ୍ତିରେ ମର୍ଯ୍ୟାଦା ବୃଦ୍ଧି ପାଇଛି ବିଚାର କକ୍ଷର ।”

 

ପୁଣି ମୁଣ୍ଡ ଉପରକୁ ଉଠାଇ ଶ୍ରୀ ଜୟଦେବଙ୍କ ଆଡ଼େ ଅନାଇ ରହିଲେ ମହାରାଜ ଲକ୍ଷଣ ସେନ୍ ।

 

ଅନୁରୋଧ କରିବା ଭଙ୍ଗୀରେ କହିଉଠିଲେ ଜୟଦେବ–‘‘ମଣିମା ! ଏବେ ବନ୍ଦୀମାନଙ୍କ ପ୍ରତି ସୁବିଚାର ହେଉ ।

 

–“ସୁବିଚାର ଏବଂ ବିଚାର ପରେ ଶାସ୍ତି ବିଧାନ ଯେ ଆପଣଙ୍କ ଉପରେ ନ୍ୟସ୍ତ ଅଛି ଭକ୍ତକବି ।”

 

ମହାରାଜ ଙ୍କ ଉତ୍ତର ଶୁଣି ବିଚଳିତ ହୋଇପଡ଼ିଲେ ଜୟଦେବ । କହିଲେ–‘‘ତେବେ ବିଚାର ପରେ ମୁଁ ସେମାନଙ୍କୁ ଶାନ୍ତି ବିଧାନ କରୁଛି । ମଣିମା !”

 

ଅନାଇ ରହିଲେ ବନ୍ଦୀମାନେ ଶ୍ରୀ ଜୟଦେବଙ୍କୁ । ଅନାଇଥିଲେ ମଧ୍ୟ ମହାରାଜ ଲକ୍ଷ୍ମଣ ସେନ୍ ଏବଂ ଉପସ୍ଥିତ ସଜ୍ଜନମଣ୍ଡଳୀ ।

 

ନିଜର ନିଷ୍ପତ୍ତି ଘୋଷଣାକଲେ ଭକ୍ତକବି–‘‘ବନ୍ଦୀମାନଙ୍କୁ ରାଜକର୍ମଚାରୀ ଭାବେ ନିଯୁକ୍ତ କରାଯାଉ । ସେମାନଙ୍କ ପରିବାରବର୍ଗଙ୍କୁ ଥଇଥାନ କରାଯାଉ ।”

 

ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଲେ ସମସ୍ତେ ଭକ୍ତ କବିଙ୍କ ନିଷ୍ପତ୍ତି ଶ୍ରବଣ କରି ।

 

ଆଉ ନିଜକୁ ସମ୍ଭାଳି ନପାରି ଆସନରୁ ଉଠିପଡ଼ି ଚିତ୍କାରକରି କହିଉଠିଲେ ମହାରାଜ ଲକ୍ଷ୍ମଣ ସେନ୍–‘‘ଧନ୍ୟ ଧନ୍ୟ ଭକ୍ତକବି, ହିଂସା ଦ୍ଵେଷ ପ୍ରତିହିଂସାର ଶିକାର ନହୋଇ ଆପଣ ପ୍ରେମଧର୍ମରେ ଜୟ କରିଛନ୍ତି ସମଗ୍ର ସଂସାରକୁ ।”

 

ତା’ପରେ ଆଦେଶ ଦେଲେ ସେ–“ମହାମନ୍ତ୍ରୀ ! ବନ୍ଦୀମାନଙ୍କୁ ଶୃଙ୍ଖଳ ମୁକ୍ତକରି ଦକ୍ଷିଣ ଉଦ୍ୟାନର ମାଳାକାର ଭାବେ ନିଯୁକ୍ତ ପ୍ରଦାନ କର । ସେମାନେ ଉଦ୍ୟାନର ରକ୍ଷଣାବେକ୍ଷଣ କରିବେ ଏବଂ ରାଜପ୍ରାସାଦର ଦେବଦେବୀମାନଙ୍କ ପାଇଁ ପୁଷ୍ପ ସଂଗ୍ରହ କରି ଯୋଗାଇଦେବେ ।”

 

ରାଜାଦେଶ ଲାଭ କରିବା ସଙ୍ଗେ ସଙ୍ଗେ ବନ୍ଦୀମାନଙ୍କୁ ଶୃଙ୍ଖଳମୁକ୍ତ କରିଦେଲେ ଅନୁଚର ଦଳ ।

 

ଆନନ୍ଦ ବିଭୋର ଚିତ୍ତରେ ଶୃଙ୍ଖଳମୁକ୍ତ ବନ୍ଦୀମାନେ ଚରଣ ସ୍ପର୍ଶ କଲେ ଭକ୍ତକବି ଜୟଦେବଙ୍କର ଏବଂ ଲୋଟିପଡ଼ିଲେ ମହାରାଜ ଲକ୍ଷ୍ମଣ ସେନ୍‌ଙ୍କ ସମ୍ମୁଖରେ ନିଜ କୃତ ଦୋଷର କ୍ଷମା ଭିକ୍ଷା ପାଇଁ ।

 

ସତୃଷ୍ଣ ନୟନରେ ଅନାଇ ରହିଲେ ମହାରାଜ ଲକ୍ଷ୍ମଣ ସେନ୍ ବନ୍ଦୀ ତସ୍କରମାନଙ୍କର ହୃଦୟ ପରିବର୍ତ୍ତନ ଲକ୍ଷ୍ୟ କରି ।

 

ଶ୍ରୀକ୍ଷେତ୍ରରୁ ସତୀ ପଦ୍ମାବତୀ ପ୍ରଭୁ ରାଧାମାଧବଙ୍କୁ ସଙ୍ଗରେ ଧରି ଜଳପଥରେ ଗୌଡ଼ ଦେଶକୁ ଆଗମନ କରିବାପରେ ଅବସ୍ଥାନ କରୁଥିଲେ ରାଜପ୍ରାସାଦର ଏକ ସ୍ଵତନ୍ତ୍ର ପ୍ରକୋଷ୍ଠରେ ଭକ୍ତକବି ଜୟଦେବଙ୍କ ସହିତ । ବନ୍ଧୁ ପରାଶର ରାଜଗୁରୁଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ପ୍ରମୋଦ ଉଦ୍ୟାନ ନିକଟବର୍ତ୍ତୀ ଏକ କୋଠରି ।

 

ନିତିଦିନ ପ୍ରଭାତରୁ ଉଠି ସତୀ ପଦ୍ମାବତୀ ସ୍ନାନ ଶେଷରେ ପଷ୍ପ ବାଟିକାରୁ ବିବିଧ କୁସୁମ ଚୟନ କରୁଥିଲେ । ସେହି କୁସୁମରେ ମଣ୍ଡି ଦେଉଥିଲେ ପ୍ରଭୁ ଶ୍ରୀରାଧାମାଧବଙ୍କୁ । ତା’ପରେ ଶ୍ରରାଧାମାଧବଙ୍କ ସମ୍ମୁଖରେ ବସି ଗାନ କରୁଥିଲେ ବନ୍ଦନା ।

 

ଏଣେ ଭକ୍ତକବି ଜୟଦେବ ନିଜର ସେବା ପୂଜାପରେ ଯାତ୍ରା କରୁଥିଲେ ଦରବାର କକ୍ଷକୁ । ସେଠାରେ ମହାରାଜ ଲକ୍ଷ୍ମଣ ସେନ୍‌ଙ୍କ ଉପସ୍ଥିତିରେ ହେଉଥିଲା ବିବିଧ ଶାସ୍ତ୍ର ଆଲୋଚନା । ବୟୋବୃଦ୍ଧ କବି ଗୋବର୍ଦ୍ଧନାଚାର୍ଯ୍ୟ, ଉମାପତି ଏବଂ ଧୋୟୀ ଆନନ୍ଦିତ ହେଉଥିଲେ ଶ୍ରୀ ଜୟଦେବଙ୍କ ଶାସ୍ତ୍ର ଆଲୋଚନା ଶ୍ରବଣ କରି । ତାଙ୍କ ସୁଲଳିତ କଣ୍ଠର ଶାସ୍ତ୍ର ଆବୃତ୍ତି ମୁଗ୍‌ଧ କରୁଥିଲା ଉପସ୍ଥିତ ପାରିଷଦବର୍ଗଙ୍କୁ । ସମଗ୍ର ଦିନ ଅତିବାହିତ ହେଉଥିଲା ଏପରି ଶାସ୍ତ୍ର ଆଲୋଚନାରେ ।

 

ସନ୍ଧ୍ୟା ପରେ ସୁସଜ୍ଜିତ ପ୍ରମୋଦ କକ୍ଷରେ ଉପସ୍ଥିତ ହେଉଥିଲେ ନିଜେ ମହାରାଜ ଲକ୍ଷ୍ମଣ ସେନ୍, ମହାରାଣୀ ଅମ୍ବିକା, ଅନ୍ତଃପୁରବାସୀ ମହିଳାଗଣ, ଶାସ୍ତ୍ରବିଦ୍ ପଣ୍ଡିତଗଣ ଏବଂ ପାରିଷଦବର୍ଗ । ସମସ୍ତଙ୍କ ଉପସ୍ଥିତିରେ ଶ୍ରୀ ରାଧାମାଧବଙ୍କ ଅମୃତ ରସମୟ ଗୀତ ଶ୍ରୀଗୀତଗୋବିନ୍ଦ ପରିବେଷଣ କରୁଥିଲେ ବନ୍ଧୁ ପରାଶର ରାଜଗୁରୁ, ନୂପୁରର ତାଳେ ତାଳେ ପାଦ ପକାଇ ନୃତ୍ୟ କରୁଥିଲେ ସତୀ ପଦ୍ମାବତୀ । ଏ ନୃତ୍ୟ ଏବଂ ସଙ୍ଗୀତ ବିମୁଗ୍‌ଧ କରୁଥିଲା ଉପସ୍ଥିତ ସଜ୍ଜନମଣ୍ଡଳୀଙ୍କୁ । ସତେଅବା ମହାରାଜ ଲକ୍ଷ୍ମଣ ସେନ୍‌ଙ୍କ ରାଜପ୍ରାସାଦରେ ସଞ୍ଚରିତ ହୋଇଥିଲା ନୂତନ ଜୀବନର ଧାରା । ପ୍ରସ୍ଫୁଟିତ କୁସୁମର ସୁଗନ୍ଧ, ଶାସ୍ତ୍ର ଆଲେଚନାର ସୁଲଳିତ ଝଙ୍କାର ଏବଂ ଦେବ ଆରାଧନାର ନୂତନ ପରମ୍ପରା ରାଜପ୍ରାସାଦକୁ ପରିଣତ କରିଥିଲା ଏକ ଦିବ୍ୟଧାମରେ ।

 

ସଙ୍ଗୀତ ନୃତ୍ୟ ଏବଂ ଶାସ୍ତ୍ରପ୍ରବୀଣା ସୁନ୍ଦରୀ ପଦ୍ମାବତୀ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ଅନେକଙ୍କ ହୃଦୟରେ । ତାଙ୍କ ନୃତ୍ୟର ଶୈଳୀରେ ମୃଗ୍‌ଧ ହୋଇପଡ଼ୁଥିଲେ ନିଜେ ମହାରାଜ ଲକ୍ଷ୍ମଣ ସେନ୍ ଏବଂ ପାରିଷଦବର୍ଗ । ଶତକଣ୍ଠରେ ପଦ୍ମାବତୀଙ୍କର ପ୍ରଶଂସା କରୁଥିଲେ ସେମାନେ । ଏମିତି କଟିବାରେ ଲାଗିଲା ଦିନଗୁଡ଼ିକ ।

 

ମହାରାଣୀ ଅମ୍ବିକା ମଧ୍ୟ ନିତିଦିନ ମଧ୍ୟରେ ଆମନ୍ତ୍ରଣ କରୁଥିଲେ ସତୀ ପଦ୍ମାବତୀଙ୍କୁ ରାଣୀହଂସ ପୁରକୁ । ଅନୁରୋଧ କରୁଥିଲେ ଶୁଗୀତଗୋବିନ୍ଦର ପରିବେଷଣ ପାଇଁ । ନିବିଷ୍ଟ ଚିତ୍ତର ଶ୍ରୀରାଧାମାଧବଙ୍କ ପାଦତଳେ ଲୟ ରଖି ସଙ୍ଗୀତ ପରିବେଷଣ କରୁଥିଲେ ପଦ୍ମାବତୀ । ପୁଣି ବିଭିନ୍ନ ଶାସ୍ତ୍ରର ତର୍ଜମା କରି ନାରୀଧର୍ମ ସମ୍ପର୍କରେ ବୁଝାଉଥିଲେ ଅନ୍ତଃପୁରବାସୀ ରମଣୀମାନଙ୍କୁ ।

 

କହୁଥିଲେ । ସେ–“ପତି ହିଁ ନାରୀର ସର୍ବସ୍ଵ । ପତି ବିନା ଗତି କିମ୍ବା ମୁକ୍ତ ନାହିଁ । ଯେଉଁ ନାରୀର ପାତିବ୍ରତ୍ୟ ନାହିଁ–ସେ ନାରୀ ଧର୍ମହୀନା । ପତିବିନା ପତ୍ନୀ ବୃନ୍ତହୀନ କଳିକା ସଦୃଶ, କ୍ଷଣେ ମାତ୍ର ବଞ୍ଚିରହିବା ତା’ପକ୍ଷରେ ନିରର୍ଥକ ।”

 

ସତୀ ପଦ୍ମାବତୀଙ୍କର ଏଭଳି ଉକ୍ତି ଶ୍ରବଣକରି ବେଳେବେଳେ ସନ୍ଦେହ କରୁଥିଲେ ମହାରାଣୀ ଅମ୍ବିକା । ବିଶ୍ଵାସ କରିପାରୁନଥିଲେ ସେ ଏପରି ଉକ୍ତିକୁ । ଚିନ୍ତା କରୁଥିଲେ ମନେ ମନେ–ଏସବୁ କେବଳ ଶାସ୍ତ୍ରର ବାଣୀ, ବକ୍ତବ୍ୟର ଭାଷା । ବାସ୍ତବ ଜୀବନ ସହିତ ଏହାର ସମ୍ପର୍କ ନାହିଁ ! ତେଣୁ ପ୍ରଶ୍ନ କରୁଥିଲେ ସମୟ ବିଶେଷରେ–ସତୀ ପଦ୍ମାବତୀ ! ଭକ୍ତକବି ଜୟଦେବଙ୍କ ବିନା ତୁମେ କ’ଣ ଜୀବନ ଧାରଣ କରିପାରିବ ନାହିଁ ?

 

–‘‘ନାଁ..., ସେ ମୋର ଇହକାଳ ପରକାଳର ସାଥୀ । ତାଙ୍କ ବିହୁନେ ମୋ ଜୀବନ ଅକାରଣ ।” କହୁଥିଲେ ପଦ୍ମାବତୀ ।

 

–“ତୁମେ ଅତ୍ୟଧିକ ଭାବପ୍ରବଣା ହୋଇପଡ଼ୁଛ ପଦ୍ମାବତୀ ।”

 

–‘‘ମୁଁ ସତ କହୁଛି ମହାରାଣୀ ! ସ୍ଵାମୀ ଦେବତାଙ୍କ ବିନା ଗୋଟିଏ ମୁହୂର୍ତ୍ତ ମଧ୍ୟ ଜୀବନଧାରଣା କରିବା ମୋ ପକ୍ଷରେ ଅସମ୍ଭବ ।” କହୁଥିଲେ ସତୀ ପଦ୍ମାବତୀ ।

 

ଅନେକ ସମୟରେ ଏଭଳି ବକ୍ତବ୍ୟ କୌତୁହଳ ଭରିଦେଉଥିଲା ମହାରାଣୀ ଅମ୍ବିକାଙ୍କ ପ୍ରାଣରେ । ସତୀ ପଦ୍ମବତୀଙ୍କ ପାତିବ୍ରତ୍ୟର ପରୀକ୍ଷା କରିବା ପାଇଁ ବ୍ୟସ୍ତ ହୋଇଉଠୁଥିଲେ ସେ । ମନର ଦ୍ଵନ୍ଦ୍ଵ ମନରେ ଉଙ୍କିମାରି ସ୍ଥିର ହୋଇଯାଉଥିଲା । ଭାବୁଥିଲେ ସେ–ଏ କେବଳ ପଦ୍ମାବତୀଙ୍କର ମୁଖର ଭାଷା, ହୃଦୟର ନୁହେଁ । ପତି ଏବଂ ପତ୍ନୀ, ଗୋଟିଏ ବୃକ୍ଷର ଦୁଇଟି ଶାଖା । ଗୋଟିଏ ଶାଖାର ବିହୁନେ ଅନ୍ୟ ଶାଖା ମର୍ମାହତ ହେବ ନିଶ୍ଚୟ, କିନ୍ତୁ ନିଶ୍ଚିହ୍ନ ହୋଇଯିବ କାହିଁକି ! ତା’ର କ’ଣ ସ୍ଵାତନ୍ତ୍ର୍ୟ ନାହିଁ ? ବଞ୍ଚିବାର ଅଧିକାର ନାହିଁ ?

 

ଏଭଳି ଯୁକ୍ତି କିନ୍ତୁ ପଦ୍ମାବତୀଙ୍କ ସହିତ କରିପାରନ୍ତି ନାହିଁ ମହାରାଣୀ ଅମ୍ବିକା । ପରୀକ୍ଷା କରିବାର ଆଗ୍ରହ ହିଁ ନୀରବ ରଖେ ତାଙ୍କୁ । ସୁଯୋଗ ଖୋଜି ବୁଲନ୍ତି ସେ ପରୀକ୍ଷା ପାଇଁ । ସତୀ ପଦ୍ମାବତୀଙ୍କ ପାତିବ୍ରତ୍ୟର ପରୀକ୍ଷା । ଏଭଳି ଇଚ୍ଛା ସେ ପ୍ରକାଶ କରିପାରନ୍ତି ନାହିଁ । ଅନ୍ୟ ନିକଟରେ । ମନର ବେଦନା ମନରେ ଗୁମୁରି ସ୍ଥିର ହୋଇଯାଏ । ଦୀର୍ଘନିଃଶ୍ଵାସ ପକାଇ ସୁଯୋଗକୁ ଅପେକ୍ଷା କରନ୍ତି ସେ ।

 

ସେଦିନ ଚୈତ୍ର କୃଷ୍ଣପକ୍ଷ ତ୍ରୟୋଦଶୀ । ଶତଭିକ୍ଷା ନକ୍ଷତ୍ରର ଅମୃତ ବେଳା । ମହାବାରୁଣୀର ଯୋଗ ପବିତ୍ର ଗଙ୍ଗା ଘାଟରେ । ଶହ ଶହ ଯାତ୍ରୀଙ୍କର ଆଗମନ ଗଙ୍ଗା ସ୍ନାନ ପାଇଁ-। ଏପରି ଅମୃତ ବେଳାରେ ଗଙ୍ଗା ଘାଟକୁ ଯାତ୍ରାକରେ ଭକ୍ତ କବି ଜୟଦେବ ସ୍ନାନ ଉଦ୍ଦେଶ୍ୟରେ-

 

ଏହି ସୁବର୍ଣ୍ଣ ସୁଯୋଗ ହିଁ ଅସ୍ଥିର କଲା ମହାରାଣୀ ଅମ୍ବିକାଙ୍କୁ । ଧୀରେ ରାଣୀହଂସ ପୁରରୁ ପାଦ କାଢ଼ିଲେ ସେ । ପରୀକ୍ଷା କରିବେ ସତୀ ପଦ୍ମାବତୀଙ୍କୁ । ମନର ଭାବାବେଗ ତାଙ୍କୁ ଉଦ୍‌ବେଳିତ କରୁଥିଲା ପ୍ରତି କ୍ଷଣରେ ।

 

ଶ୍ରୀ ଜୟଦେବଙ୍କ କୋଠରୀ ସମ୍ମୁଖରେ ଅଟକିଗଲା ତାଙ୍କ ପାଦ । ଲକ୍ଷ୍ୟକଲେ ସେ–ପ୍ରଭୁ ରାଧାମାଧବଙ୍କ ସମ୍ମୁଖରେ ନିବିଷ୍ଟ ଚିତ୍ତରେ ଧ୍ୟାନରତା ସତୀ ପଦ୍ମାବର୍ତ୍ତୀ ।

 

ନିର୍ବାକ ଭଳି କେବଳ ଦଣ୍ଡାୟମାନ ରହିଲା ମହାରାଣୀ ଅମ୍ବିକା । ନିଜର ସୁଚିନ୍ତିତ ଯୋଜନା ଅନୁସାରେ ସେ ପଦ୍ମାବତୀଙ୍କୁ ପରୀକ୍ଷା କରିବେ କି ନାହିଁ ସ୍ଥିରକରି ପାରୁନଥିଲେ । ଅନ୍ତର ମଧ୍ୟରେ ସୃଷ୍ଟି ହୋଇଥିଲା ଦ୍ଵନ୍ଦ୍ଵ । ଠିକ୍ ଏତିକିବେଳେ ଶ୍ରୀରାଧାମାଧବଙ୍କୁ ପ୍ରଣତି ନିବେଦନ କରିଉଠିଲେ ସତୀ ପଦ୍ମାବତୀ ।

 

ଆଶ୍ଚର୍ଯ୍ୟାନ୍ଵିତ ହୋଇପଡ଼ିଲେ ସେ–କୋଠରି ସମ୍ମୁଖରେ ସ୍ଵୟଂ ମହାରାଣୀ ଅମ୍ବିକା ଦେବୀଙ୍କୁ ଏକୁଟିଆ ଦେଖି । ଆବେଗଭରା କଣ୍ଠରେ କହିଉଠିଲେ–“ମହାରାଣୀ ! ସ୍ଵୟଂ ଆପଣ ଏ ଅଭାଗିନୀର କୋଠରି ସମ୍ମୁଖରେ ?”

 

ଉତ୍ତର ନ ଦେଇ ନିଥର ନୟନରେ ସେମିତି ଚାହିଁ ରହିଥିଲେ ମହାରାଣୀ ଅମ୍ବିକା ।

 

–‘‘ଉତ୍ତର ଦିଅନ୍ତୁ ମହାରାଣୀ ? ଆଗମନର ଅଭିପ୍ରାୟ ପ୍ରକାଶ କରନ୍ତୁ ?”

 

ତଥାପି ବାକ୍‌ଶୂନ୍ୟ ହୋଇ ପଥରମୂର୍ତ୍ତି ଭଳି ଦଣ୍ଡାୟମାନ ରହିଥିଲେ ମହାରାଣୀ ଅମ୍ବିକା-

 

ନିକଟକୁ ଲାଗିଆସି ଆଉଥରେ ଅନୁରୋଧ କଲେ ପଦ୍ମାବତୀ–

 

–‘‘ମୋର ନିବେଦନ ରକ୍ଷାକରି ଆଗମନର ଅଭିପ୍ରାୟ ପ୍ରକାଶ କରନ୍ତୁ ମହାରାଣୀ !”

 

ଦୀର୍ଘ ନିଃଶ୍ଵାସ ପକାଇ ଥରିଲା କଣ୍ଠରେ କହିଉଠିଲେ ମହାରାଣୀ ଅମ୍ବିକା–‘‘ଦାରୁଣ ଦୁଃସମ୍ବାଦ ଘେନି ମୁଁ ଆସିଛି ସତୀ ପଦ୍ମାବତୀ !”

 

–“ଦୁଃସମ୍ବାଦ ?”

 

–“ହଁ...ଦୁଃସମ୍ବାଦ ।”

 

–“ଦୁଃଖ ଯାହାର ଚିର ସହଚର, ତା’ ନିକଟରେ ପୁଣି ଦୁଃସମ୍ବାଦର ନୂତନତ୍ଵ କ’ଣ ଅଛି ମହାରାଣୀ ? ପ୍ରକାଶ କରନ୍ତୁ । ମୁଁ ହସି ହସି ସେ ଦୁଃଖକୁ ଭୁଲିବା ପାଇଁ ଚେଷ୍ଟା କରିବି ।”

 

–“ଏ ଦୁଃସମ୍ବାଦକୁ ତୁମେ ସହ୍ୟକରି ପାରିବନି ପଦାବତୀ !”

 

–‘‘ନୀଳକଣ୍ଠ ପରି ସବୁ ଦୁଃଖର ବିଷ ମୁଁ ପାନକରିବା ପାଇଁ ପ୍ରସ୍ତୁତ ।”

 

–“ସତୀ ପଦ୍ମାବତୀ !!”

 

–“କହନ୍ତୁ ମହାରାଣୀ !

 

–‘‘ଭକ୍ତକବି ଜୟଦେବ ଆଉ ଇହଜଗତରେ ନାହାନ୍ତି !!

 

–“ମହାରାଣୀ !!” ଚିତ୍କାର କରିଉଠିଲେ ସତୀ ପଦ୍ମାବତୀ ।

 

ନୟନ ମୁଦ୍ରିତକରି କହୁଥିଲେ ମହାରାଣୀ–“ଗଙ୍ଗା ନଦୀରେ ସ୍ନାନ କରୁ କରୁ ଜଳ ସ୍ରୋତରେ ଭାସିଯାଇ ଭକ୍ତକବି ଇହଲୀଳା ସାଙ୍ଗ କରିଛନ୍ତି । ଏପରି ଏକ ଦୁଃସମ୍ବାଦ ମୁଁ ଅନ୍ୟ କାହାରି ହାତରେ ନ ପଠାଇ ନିଜେ ଧାଇଁଆସିଛି ତୁମ ସହିତ ସମଦୁଃଖୀ ହେବାପାଇଁ ।”

 

ଉତ୍ତରହୀନା ଥିଲେ ସତୀ ପଦ୍ମାବତୀ । ସମ୍ବାଦ ଶ୍ରବଣ କରୁ କରୁ ଆଉଜି ପଡ଼ିଥିଲେ କୋଠରିର କାନ୍ଥକୁ ଜୀବନହୀନ ପଥର ମୂର୍ତ୍ତି ପରି । ଅପଲକ ନେତ୍ରଯୁଗଳ ନିବଦ୍ଧ ଥିଲା ପ୍ରଭୁ ଶ୍ରୀରାଧାମାଧବଙ୍କ ବିଗ୍ରହ ଦେହରେ । ସତୀ ପଦ୍ମାବତୀଙ୍କ ଚକ୍ଷୁରେ ଲୋତକ ନ ଦେଖି ବିଚଳିତା ହୋଇପଡ଼ିଲେ ମହାରାଣୀ ଅମ୍ବିକା । ଆଗେଇଗଲେ କୋଠରୀ ମଧ୍ୟକୁ ସମବେଦନାର ବାଣୀ ଶୁଣାଇ ସତୀ ପଦ୍ମାବତୀଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ।

 

ତଥାପି ନଥର ନିଶ୍ଚଳ ଥିଲେ ସତୀ ପଦ୍ମାବତୀ । ଆଉ ମନର ଆବେଗକୁ ସମ୍ଭାଳି ନପାରି ସତୀ ପଦ୍ମାବତୀଙ୍କ ଶରୀର ସ୍ପର୍ଶକରି କହିଚାଲିଲେ ମହାରାଣୀ–“ତୁମକୁ ପରୀକ୍ଷା କରିବା ପାଇଁ ମୁଁ କେବଳ ମିଥ୍ୟା ସମ୍ବାଦ ପରିବେଷଣ କରିଛି ପଦ୍ମାବତୀ । ଏ ପରୀକ୍ଷାରେ ତୁମେ ହାରିଯାଇଛ । ଭକ୍ତକବି ଜୟଦେବଙ୍କ ବିୟୋଗ ସମ୍ବାଦ ତୁମ ଚକ୍ଷୁରେ ଲୋତକ ଭରି ପାରିନାହିଁ ।”

 

କିନ୍ତୁ ଏ କ’ଣ ? ତଥାପି ଯେ ସତୀ ପଦ୍ମାବତୀ ନିରୁତ୍ତର । ଧୀରେ ଢଳିପଡ଼ୁଛନ୍ତି ସେ ପ୍ରଭୁ ରାଧାମାଧବଙ୍କ ପଦତଳେ ।

 

ତେବେ କ’ଣ ସତୀ ପଦ୍ମାବତୀ ନିଜ ବକ୍ତବ୍ୟର ସତ୍ୟତା ପ୍ରମାଣିତ କରି ରକ୍ଷା କରିଛନ୍ତି ନାରୀଧର୍ମ !! ସେ ଆଉ ଉଠିବେ ନାହିଁ ? ଚଳଚଞ୍ଚଳ ଚରଣର ନୂପୁର ଧ୍ଵନିରେ ପ୍ରମୋଦ କକ୍ଷକୁ ନିନାଦିତ କରିବେ ନାହିଁ ? ନାରୀ ଧର୍ମ ବିଷୟରେ ଆଉ ଶିକ୍ଷା ଦେବେ ନାହିଁ ଅନ୍ତଃପୁରର ଲଳନାମାନଙ୍କୁ ?

 

ବ୍ୟର୍ଥ ଆବେଗରେ କମ୍ପିଉଠିଲେ ମହାରାଣୀ ।

 

ନାହାନ୍ତି...ନାହାନ୍ତି ତେବେ ସତୀ ପଦ୍ମାବତୀ !!

 

ଚିତ୍କାରକଲେ ମହାରାଣୀ ଅମ୍ବିକା–“ଉଠ ! ଉଠ ସତୀ ପଦ୍ମାବତୀ ! ମୁଁ କେବଳ ମିଥ୍ୟା ସମ୍ବାଦ ଦେଇଛି । ମୋ ଉପରେ ଆଉ ଅଭିମାନ ନକରି ଚେତନା ଲାଭକରି ଉଠ ସତୀ ।”

 

ନିଃଷ୍ଫଳ ହୋଇଛି ମହାରାଣୀ ଅମ୍ବିକାଙ୍କର ଶତ ଆବେଦନ । କୋଠରିର କାନ୍ଥରେ ମୁଣ୍ଡ ପିଟି କାନ୍ଦିଉଠିଛନ୍ତି ସେ–ମୁଁ ପାପିନୀ, ମୁଁ ଅପରାଧିନୀ । ମୋତେ ଶାସ୍ତି ଦିଅ ପ୍ରଭୁ ରାଧାମାଧବ । ସତୀ ପଦ୍ମାବତୀଙ୍କୁ ପୁଣି ଜୀବନ ଦାନ କର ।

 

କିନ୍ତୁ ସେତେବେଳକୁ ସତୀ ପଦ୍ମାବତୀଙ୍କର ଆତ୍ମାଫୁଲ ବୋଧହୁଏ ସୁଗନ୍ଧିତ ମାଳାହୋଇ ଲୋଟିସାରିଥିଲା ବୈକୁଣ୍ଠବାସୀଙ୍କ କଣ୍ଠଦେଶରେ ।

 

ତଥାପି ସତୀ ପଦ୍ମାବତୀଙ୍କ ନିର୍ଜୀବ ଶରୀରଟାକୁ ତୋଳି ଆଣି ନିଜ ବକ୍ଷରେ ଜଡ଼ାଇ ଧରି ଉଚ୍ଚସ୍ଵରରେ ରୋଦନ କରୁଥିଲେ ମହାରାଣୀ ଅମ୍ବିକା–“ସତୀ ପଦ୍ମାବତୀଙ୍କୁ ଜୀବନ ପ୍ରଦାନ କର ଭଗବାନ, ତାଙ୍କ ବଦଳି ମୋର ଜୀବନ ଘେନିଯାଅ, ମୋତେ ନରକଗାମୀ କରିଦିଅ, ଏତିକି ମୋର ପ୍ରାର୍ଥନା ।”

 

ବୋଧହୁଏ ଏ ଆର୍ତ୍ତକଣ୍ଠର ପ୍ରାର୍ଥନା ଶ୍ରବଣକରି କାନ୍ଦୁଥିଲେ ମଧ୍ୟପ୍ରଭୁ ଶ୍ରୀ ରାଧାମାଧବ-

 

ଚାହିଁ ଚାହିଁ ଏ ସମ୍ବାଦ ପ୍ରଚାରିତ ହୋଇଯାଇଥିଲା ସମଗ୍ର ରାଜପ୍ରାସାଦରେ । ନିଜେ ମହାରାଜ ଲକ୍ଷ୍ମଣ ସେନ୍, ଧାଇଁଆସିଲେ ସତୀ ପଦ୍ମାବତୀଙ୍କୁ ଶେଷଥର ପାଇଁ ଦର୍ଶନ କରିବା ଉଦ୍ଦେଶ୍ୟରେ ।

କୋଠରି ସମ୍ମୁଖରେ ସ୍ଵୟଂ ମହାରାଜ ଙ୍କୁ ଦର୍ଶନକରି କାତର ସ୍ଵରରେ କହିଚାଲିଥିଲେ । ମହାରାଣୀ ଅମ୍ବିକା–‘‘ମୋତେ ଶାସ୍ତି ଦିଅନ୍ତୁ ମହାରାଜ ! ମୁଁ ଅପରାଧିନୀ । ସତୀ ପଦ୍ମାବତୀଙ୍କ ପାତିବ୍ରତ୍ୟର ପରୀକ୍ଷା କରିବାକୁ ଯାଇ–ମୁଁ ହତ୍ୟା କରିଛି ତାଙ୍କୁ ।”

ନୀରବରେ ସବୁ ଶ୍ରବଣ କରି ଚକ୍ଷୁ ଲୋତକ ଝାରୁଥିଲେ ମହାରାଜ ଲକ୍ଷ୍ମଣ ସେନ୍ । ସେ ଉଷ୍ମଲୋତକ ଆହୁରି ଉତ୍ତେଜିତ କରୁଥିଲା ତାଙ୍କ ଭାବବିଦଗ୍‌ଧ ହୃଦୟମଣ୍ଡଳକୁ ।

ଲୋକାରଣ୍ୟ ହୋଇଉଠିଲା ସମଗ୍ର ରାଜପ୍ରାସାଦ । କାନ୍ଦୁଥିଲେ ସମସ୍ତେ ସତୀ ପଦ୍ମାବତୀଙ୍କ ପାଇଁ ।

‘ସତୀ ପଦ୍ମାବତୀ ଆଉ ନାହାନ୍ତି ।’ ଏ କଥା ପଦକ ଯେପରି ବିଶ୍ଵାସ କରିପାରୁନଥିଲେ ଅନେକ । ପ୍ରଶ୍ନ କରୁଥିଲେ ନିଜକୁ ନିଜେ–ରାଜପ୍ରାସାଦର ପ୍ରମୋଦ କକ୍ଷରେ ଆଉ ନୃତ୍ୟ ପରିବେଷଣ କରିବ କିଏ ? ଶ୍ରୀ ଗୀତଗୋବିନ୍ଦ ଗାନ କ’ଣ ଆଜିଠାରୁ ବନ୍ଦ ହୋଇଯିବ ?

ଏସବୁ ପ୍ରଶ୍ନ, ପ୍ରତି କର୍ଣ୍ଣପାତ ନକରି ନିର୍ବେଦ ଚକ୍ଷୁରେ ଚାହିଁ ରହିଥିଲେ । ମହାରାଜ ଲକ୍ଷ୍ମଣ ସେନ୍ ମହାପ୍ରଭୁ ରାଧାମାଧବଙ୍କ ମୁଖମଣ୍ଡଳକୁ । ସେ ମୁଖରୁ ମଧ୍ୟ ଝରିପଡ଼ୁଥିଲା ବିଷାଦର ସ୍ରୋତସ୍ଵିନୀ ତରଙ୍ଗ । ବ୍ୟଥିତ ଚିତ୍ତରେ ନୟନ ମୁଦ୍ରିତ କରି ମନେମନେ ନିବେଦନ କରୁଥିଲେ ସେ–ଆମକୁ କ୍ଷମାଦିଅ ପ୍ରଭୁ ! ଦୋଷ ପାଇଁ ଶାସ୍ତି ବିଧାନ କର । ଏ ରାଜ୍ୟର ରାଜା ମୁଁ । ସମସ୍ତ ଘଟଣ ଅଘଟଣ, ଦାନ ଲାଭ, ଭଲ ମନ୍ଦ ମୋ’ରି ଉପରେ । ମହାରାଣୀଙ୍କ କୃତ ପାପ ମଧ୍ୟ ମୋର ପାପ । ଏଥିପାଇଁ ମୋତେ ଦଣ୍ଡ ଦିଅ ପ୍ରଭୁ । ରାଜା ଭାବରେ ମୁଣ୍ଡ ପାତି ମୁଁ ସବୁ ଶାସ୍ତି ଗ୍ରହଣ କରିବି ।

ବେଳକୁବେଳ କଣ୍ଠ ରୁଦ୍ଧ ହୋଇଆସୁଥିଲା ତାଙ୍କର । ଆହତ ବେଦନାରେ ଶିହରି ଉଠୁଥିଲା ତାଙ୍କ ସମଗ୍ର ଶରୀର । ଠିକ୍ ସେହି ମୁହୂର୍ତ୍ତରେ ପବିତ୍ର ଗଙ୍ଗାନଦୀରେ ବାରୁଣୀ ସ୍ନାନ ଶେଷକରି, କମଣ୍ଡଳୁରେ ଗଙ୍ଗା ନୀର ଧାରଣ କରି ରାଜପ୍ରାସାଦର କୋଠରି ନିକଟରେ ଉପସ୍ଥିତ ହୋଇଗଲେ ଭକ୍ତକବି ଶ୍ରୀ ଜୟଦେବ । ପ୍ରଥମେ ପ୍ରବଳ ଜନସମାଗମର କାରଣ ଅନୁମାନ କରିପାରିଲେ ନାହିଁ ସେ । ତାଙ୍କ ମନରେ ଉଙ୍କି ମାରିଲା ଅନେକ ପ୍ରଶ୍ନ ।

ଶ୍ରୀ ଜୟଦେବଙ୍କୁ ଦର୍ଶନ କରି ଅପସରିଗଲେ ସମଗ୍ର ଜନତା । କାହାର ମୁହଁରେ ଭାଷା ନାହିଁ । ପରକ୍ଷଣକୁ ଅପେକ୍ଷା କରିଥିଲେ ସମସ୍ତେ ।

ଧୀରେ କୋଠରିର ଦ୍ଵାରଦେଶ ପର୍ଯ୍ୟନ୍ତ ଆଗେଇ ଆସିଲେ ଜୟଦେବ । ଆଶ୍ଚର୍ଯ୍ୟାନ୍ଵିତ ହୋଇପଡ଼ିଲେ ସେ ସ୍ଵୟଂ ମହାରାଜ ଲକ୍ଷ୍ମଣ ସେନ୍ ଏବଂ ମହାରାଣୀ ଅମ୍ବିକାଙ୍କୁ କୋଠରି ନିକଟରେ ଦର୍ଶନ କରି । ବିଚଳିତ ଭାବାବେଗରେ କହିଉଠିଲେ–“ମଣିମା ! ଆପଣ ଏ ଦରିଦ୍ର କବିର କୋଠରି ସମ୍ମୁଖରେ ?”

ଏଥର ଆଉ ନିଜକୁ ସଂଯତ କରିପାରିଲେ ନାହିଁ ମହାରାଜ ଲକ୍ଷ୍ମଣ ସେନ୍ । ଅବନତ ମସ୍ତକରେ ଶ୍ରୀ ଜୟଦେବଙ୍କ ପଦ ସ୍ପର୍ଶ କରୁ କରୁ କାନ୍ଦିଉଠିଲେ ହୃଦୟ ଚିପୁଡ଼ି–‘ଉଦାର ହୃଦୟରେ ଆମକୁ କ୍ଷମାକର...ଆମକୁ କ୍ଷମାକର ଭକ୍ତକବି !’

 

ଶ୍ରୀ ଜୟଦେବଙ୍କ ହସ୍ତରୁ ଖସିପଡ଼ିଲା ଗଙ୍ଗାଜଳପୂର୍ଣ୍ଣ କମଣ୍ଡଳୁଟି । ସେଥିପ୍ରତି ଦୃଷ୍ଟି ନଦେଇ ମହାରାଜ ଲକ୍ଷ୍ମଣ ସେନ୍‌ଙ୍କୁ ପଦତଳୁ ଉଠାଇ ଆଣି ନିଜ ବକ୍ଷରେ ଜଡ଼ାଇ ଧରିଲେ ଭକ୍ତକବି ଜୟଦେବ ।

 

ଅପୂର୍ବ ପରିବେଶ, ବାକ୍‌ଶୂନ୍ୟ ଦୁଇ ତଟସ୍ଥ ତଟିନୀ । ମହାରାଜ ଲକ୍ଷ୍ମଣ ସେନ୍‌ଙ୍କ ମୁଖରୁ ବାକ୍ୟ ସ୍ଫୁରୁ ନାହିଁ । କିପରି ଏ ଦାରୁଣ ଦୁଃସମ୍ବାଦ ଦେବେ ସେ ପ୍ରେମ ବିଦଗ୍‌ଧ ଭକ୍ତକବି ଜୟଦେବଙ୍କୁ । ବିକଳ ନୟନରେ କେବଳ ଅନାଇ ରହିଥିଲେ ସେ ତାଙ୍କ ମୁଖମଣ୍ଡଳକୁ ।

 

ଏତିକିବେଳେ ଚିତ୍କାର କରି କାନ୍ଦିଉଠିଲେ, ମହାରାଣୀ ଅମ୍ବିକା ।

 

–‘‘ମୋତେ କ୍ଷମାକର ଭକ୍ତକବି । ମୁଁ ପାପିନୀ, ଅପରାଧିନୀ !”

 

ଶିଥିଳ ହୋଇଆସିଲା ମହାରାଜ ଲକ୍ଷ୍ମଣ ସେନ୍‌ଙ୍କ ବକ୍ଷବେଷ୍ଟନକରି ଆଲିଙ୍ଗନରେ ଆବଦ୍ଧ ଥିବା ବାହୁଯୁଗଳ । ବିସ୍ମିତ ଆବେଗରେ କହିପକାଇବେ ଶ୍ରୀଜୟଦେବ–“ମହାରାଣୀ ଏ ବ୍ୟଥିତ ସମ୍ବୋଧନ ମଧ୍ୟରେ ଲୁଚିରହିଥିଲା ଅନେକ ପ୍ରଶ୍ନବାଚୀ ।

 

କମ୍ପିତ ସ୍ଵରରେ ପୁଣି କହିଚାଲିଲେ ମହାରାଣୀ ଅମ୍ବିକା–‘ଭକ୍ତକବି । ସତୀ ପଦ୍ମାବତୀଙ୍କର ପାତିବ୍ରତ୍ୟର ପରୀକ୍ଷା କରିବାକୁ ଯାଇ ମୁଁ ମହାପାପ କରିଛି ।”

 

–“ମହାରାଣୀ ?”

 

–“ହଁ ଭକ୍ତକବି ! ଆପଣ ଗଙ୍ଗା ସ୍ନାନ ପାଇଁ ଯାତ୍ରା କରିବା ପରେ ମୁଁ ତାଙ୍କୁ ମିଥ୍ୟା ସମ୍ବାଦ ପରିବେଷଣ କରିଥିଲି ।

 

–“ମିଥ୍ୟା ସମ୍ବାଦ ??”

 

–“ହଁ ଭକ୍ତକବି ! ମୁଁ ତାଙ୍କୁ କହିଥିଲି–ଗଙ୍ଗା ସ୍ନାନ କରୁ କରୁ ଜଳ ସ୍ରୋତରେ ଭାସିଯାଇ ଭକ୍ତକବିଙ୍କର ଅକାଳ ବିୟୋଗ ଘଟିଛି ।”

 

ସ୍ଥିର ନିଶ୍ଚଳ ଦୃଷ୍ଟିରେ ଚାହିଁ ରହିଥିଲେ ଶ୍ରୀ ଜୟଦେବ ମହାରାଣୀ ଅମ୍ବିକାଙ୍କ ମୁଖମଣ୍ଡଳକୁ ।

 

ପୁଣି କହିଚାଲିଲେ ମହାରାଣୀ ଅମ୍ବିକା–“ମୋର ମିଥ୍ୟା ସମ୍ବାଦ ଶ୍ରବଣ କରୁ କରୁ ତଳିପଡ଼ିଲେ ସତୀ ପଦ୍ମାବତୀ ଶ୍ରୀରାଧାମାଧବଙ୍କ ପାଦ ତଳେ ମୋ ଉପରେ ଅଭିମାନ କରି ।”

 

–‘‘ମହାରାଣୀ ?’’ ବ୍ୟଥିତ ହେଉଥିଲା ଶ୍ରୀ ଜୟଦେବଙ୍କ ସମଗ୍ର ଶରୀର କାରୁଣଭରା ଆତ୍ମନିବେଦନରେ ଉର୍ଦ୍ଧ୍ୱମୂଖ ହୋଇ ନୟନ ମୁଦ୍ରିତ କରି ଯୋଡ଼ ହସ୍ତରେ ପ୍ରଣତି ନିବେଦନ କଲେ ସେ । ଅବାରିତ ଅଶ୍ରୁଧାରରେ ଧୌତ ହେଉଥିଲା ତାଙ୍କ ବକ୍ଷଦେଶ ।

 

ରୋଦନ କରୁ କରୁ ବାରମ୍ବାର ଅଳି କରିବା ଭଙ୍ଗୀରେ କହୁଥିଲେ ମହାରାଣୀ–‘‘ମୋତେ କ୍ଷମା କରନ୍ତୁ...ମୋତେ କ୍ଷମା କରନ୍ତୁ ଭକ୍ତକବି । ସତୀ ପଦ୍ମାବତୀଙ୍କୁ ପରୀକ୍ଷା କରିବାକୁ ଯାଇ ମୁଁ ହାରିଯାଇଛି ।’’

 

ବୋଧହୁଏ ମହାରାଣୀଙ୍କ ଆକୁଳ ନିବେଦନ ଶୁଭୁ ନଥିଲା ଜୟଦେବଙ୍କୁ । ହୃଦୟର ଅଭ୍ୟନ୍ତରରେ ସେ ଖୋଜୁଥିଲେ ସତୀ ପଦ୍ମାବତୀଙ୍କୁ ଆଗାମୀ ନିଃସଙ୍ଗ ଜୀବନର ଶାନ୍ତି ପାଇଁ ।

 

ଧୀରେ ପାଦ ବଢ଼ାଇ କୋଠରି ମଧ୍ୟରେ ପ୍ରବେଶ କଲେ ସେ । ନିମିଷ ନୟନରେ ଅନାଇ ରହିଲେ ପଦ୍ମାବତୀଙ୍କ ମୁଖମଣ୍ଡଳକୁ । (...) ଥିଲା ଦୁଇଟି ପଥର ଆଖି ଆଲୋକର ଶତ ଦୀପାଳି ଜାଳି । ଦୀର୍ଘ ନିଶ୍ଵାସ ପକାଇଲେ ଜୟଦେବ । ପୁଣି ଫେରିଚାହିଁଲେ ଶ୍ରୀ ରାଧାମାଧବଙ୍କ ଆଡ଼େ । ଅନୁଭବ କଲେ ସେ–ସତେ ଅବା ରୋଦନ କରୁଛନ୍ତି ପ୍ରଭୁ ରାଧାମାଧବ ସତୀ ପଦ୍ମାବତୀଙ୍କ ବିହୁନେ ।

 

ଏ ଦୃଶ୍ୟ ଆଉ ସହ୍ୟ କରିପାରିଲେ ନାହିଁ ଭକ୍ତକବି । କୋଠରିରୁ ନିର୍ଗତ ହୋଇ ଦଣ୍ଡାୟମାନ ହେଲେ ଦ୍ଵାରଦେଶରେ । ଅପେକ୍ଷା କରିଥିଲେ ମହାରାଜ ଲକ୍ଷ୍ମଣ ସେନ୍ ପର ମୁହୂର୍ତ୍ତକୁ-। ବେଦନାଭରା କଣ୍ଠରେ କହିଲେ ଦେବ–‘‘ମଣିମା ! ଏବେ ଗୌଡ଼ ଦେଶର ରାଜପ୍ରାସାଦରୁ ମୋର (...) ଶେଷ ହୋଇଛି । ପ୍ରିୟତମା ପଦ୍ମାବତୀଙ୍କର ଶେଷକୃତ୍ୟ ସମାପନ କରି ମୁଁ ଯାତ୍ରା କରିବି ବୃନ୍ଦାବନ ଧାମ ପ୍ରଭୁ ରାଧାମାଧବଙ୍କ ସହିତ । ମୋତେ ମୁକ୍ତି ଦିଅନ୍ତୁ ମଣିମା-!”

 

–‘‘ଭକ୍ତକବି !!” ରୁଦ୍ର ଆବେଗରେ କାନ୍ଦିଉଠିଲେ ମହାରାଜ ଲକ୍ଷ୍ମଣ ସେନ୍ ।

 

–“ମୋତେ ଆଉ ଦୁର୍ବଳ କରିପକାନ୍ତୁ ନାହିଁ ମଣିମା ! ପଦ୍ମାବତୀକୁ ହରାଇ ନିଃସଙ୍ଗତାର ବିଷାଦରେ ମୁଁ ତିଳ ତିଳ ମୃତ୍ୟୁ ମୁଖରେ । ଅପେକ୍ଷା–ପବିତ୍ର ବୃନ୍ଦାବନ ଧାମକୁ ଯାତ୍ରାକରି ଯମୁନା କୂଳରେ ରାଧାମାଧବଙ୍କୁ ଡାକି ଶେଷ ନିଃଶ୍ଵାସ ତ୍ୟାଗ କରିବାକୁ ଚାହେଁ । ମୋତେ ସେ ସୁଯୋଗ ପ୍ରଦାନ କରନ୍ତୁ ।”

 

ବିମୁଗ୍‌ଧ ଆତ୍ମିକତାରେ ଭାଙ୍ଗିପଡ଼ି କହିଲେ । ମହାରାଜ ଲକ୍ଷ୍ମଣ ସେନ୍‍–“ଆପଣଙ୍କ ଇଚ୍ଛା ହିଁ କାର୍ଯ୍ୟକାରୀ ହେଉ ଭକ୍ତକବି ! ମୁଁ ତା’ର ପ୍ରତିବନ୍ଧକ ହେବାକୁ ଚାହେ ନାହିଁ ।”

 

ତା’ପରେ ଧୀର ପଦପାତରେ ମହାରାଜ ଲକ୍ଷ୍ମଣ ସେନ୍ ଆକୁଳ ହୃଦୟ ଘେନି ପ୍ରତ୍ୟାବର୍ତ୍ତନ କଲେ ନିଜର ବିଶ୍ରାମ କକ୍ଷକୁ ।

 

ଅନାଇ ରହିଥିଲେ ଶୋକାର୍ତ୍ତ ଜନସମୁଦ୍ର ପ୍ରକୋଷ୍ଠର ଶ୍ରୀରାଧାମାଧବଙ୍କ ବିଗ୍ରହ ଆଡ଼େ-

 

ସେହି ପୁରାତନ ଭିକ୍ଷା ଝୁଲିରେ ରାଧାମାଧବଙ୍କୁ ସ୍ଥାପନ କରି ରାଜପ୍ରାସାଦରୁ ବିଦାୟ ନେବାପାଇଁ ଉଦ୍ୟତ ଭକ୍ତକବି ଶ୍ରୀ ଜୟଦେବ । ଲୋତକପୂର୍ଣ୍ଣ ଚକ୍ଷୁରେ ଦଣ୍ଡାୟମାନ ସ୍ଵୟଂ ମହାରାଜ ଲକ୍ଷ୍ମଣ ସେନ୍ ମହାରାଣୀ ଅମ୍ବିକା ଏବଂ ପାରିଷଦବର୍ଗ ।

 

ଥରେ ରାଜପ୍ରାସାଦ ଆଡ଼େ ଦୃଷ୍ଟି ନିକ୍ଷେପ କରି ମୁହଁ ବୁଲେଇ ପାଦ ଆଗକୁ ବଢ଼ାଇଲେ ଭକ୍ତକବି । ସମ୍ମୁଖକୁ ଆଗେଇ ଆସି ପଦଧୂଳି ନେଲେ ମହାରାଜ ଲକ୍ଷ୍ମଣ ସେନ୍ ଏବଂ ମହାରାଣୀ ଅମ୍ବିକା । ସ୍ଥିର ଚକ୍ଷୁରେ କିଛି କ୍ଷଣ ସେମାନଙ୍କୁ ଅନାଇ ରହିଲେ । ଶ୍ରୀଜୟଦେବ । ତା’ପରେ ଉପସ୍ଥିତ ସଭା ପଣ୍ଡିତମାନଙ୍କୁ ସମ୍ମାନ ଜଣାଇ, ରାଜ୍ୟବାସୀଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଶ୍ରୀ ରାଧାମାଧବଙ୍କ ବନ୍ଦନା ଗାନକରି ଚାଲିବାରେ ଲାଗିଲେ ଆଗକୁ ଆଗକୁ । ଭାବବିଭୋର ମହାରାଜ, ମହାରାଣୀ ଏବଂ ପାରିଷଦବର୍ଗ କିଛି ପଥ ଅଗ୍ରସର ହେଲେ ତାଙ୍କୁ ଅନୁସରଣ କରି ।

 

ଠିକ୍ ରାଜପ୍ରାସାଦର ପ୍ରବେଶ ଦ୍ଵାର ନିକଟରେ ପହଞ୍ଚିବା ପରେ ଗଦ୍‌ଗଦ୍ କଣ୍ଠରେ କହିଉଠିଲେ ଭକ୍ତକବି–‘‘ମହାରାଜ ! ମହାରାଣୀ ! ଗୌଡ଼ ଦେଶର ଅଧିବାସୀଗଣ ! ମୋତେ ଆପଣମାନେ ଦୁର୍ବଳ କରିପକାନ୍ତୁ ନାହଁ, ସଂସାରିକ ମୋହରେ ବନ୍ଦୀ କରି ରଖନ୍ତୁ ନାହିଁ । ମୁଁ ଅସୀମ ପଥର ଯାତ୍ରୀ । ଆପଣମାନେ ମୋତେ ବିଦାୟ ଦିଅନ୍ତୁ ଆନନ୍ଦ ଚିତ୍ତରେ ।’’

 

ଭକ୍ତକବି ଜୟଦେବଙ୍କ ଏ ଉକ୍ତିରେ ଅଟକିଗଲା ଜନସମୁଦ୍ର । କିନ୍ତୁ ଆକୁଳ ସ୍ଵରରେ କାନ୍ଦିଉଠିଲେ ସମସ୍ତେ କୃଷ୍ଣ ବିରହୀ ଗୋପୀକାଙ୍କ ପରି ।

 

ଆଉ ପଛକୁ ନ ଚାହିଁ ଆଗେଇବାରେ ଲାଗିଥିଲେ ଭକ୍ତକବି ଶ୍ରୀ ଜୟଦେବ ।

 

ଧୀରେ ଧୀରେ ଅଦୃଶ୍ୟ ହୋଇଗଲେ ସେ ନୟନ ପଥରୁ । ହତାଶ ଚକ୍ଷୁରେ ଚାହିଁ ରହିଥିଲେ ସମସ୍ତେ ।

 

ଏ ଚାଲିବାରେ ବିରାମ ନଥିଲା ଭକ୍ତକବି ଜୟଦେବଙ୍କର । କେତେ ଗିରି, ବନ, ଜନପଥ, ନଦୀ, ନାଳ, ପ୍ରାନ୍ତର ପାରହୋଇ ଯାତ୍ରାକଲେ ସେ ନିଜର ଅଭୀଷ୍ଟ ସ୍ଥାନ ବୃନ୍ଦାବନକୁ । ବହୁଦିନ ପରେ ପହଞ୍ଚିଲେ ସେ କଳକଳନାଦିନୀ ନୀଳ ଜଳରାଶି ଭରା ଯମୁନା ନଦୀ କୂଳରେ, ବୃନ୍ଦାବନ ଧାମରେ ।

 

ପୁଲକିତ ହୋଇଉଠିଲା ତାଙ୍କ ପ୍ରାଣ । ଏଇ ସେହି ଯମୁନା ନଦୀ, କୃଷ୍ଣ ଲୀଳାର ବୃନ୍ଦାବନ । ଏଇ ଜଳରେ ସ୍ନାନରତା ଥିଲେ ଅସଂଖ୍ୟ ଗୋପବାଳା, ଏଇ ବାଲୁକା ରାଶି ଉପରେ କ୍ରୀଡ଼ା କରୁଥିଲେ ନନ୍ଦବଳା ଶ୍ରୀକୃଷ୍ଣ । ଆଉ ନିଜକୁ ସଞ୍ଜତ କରିପାରିଲେ ନାହିଁ ସେ–ଗଡ଼ିବାରେ ଲାଗିଲେ ଯମୁନା ନଦୀର ବାଲୁକା ରାଶି ଉପରେ ।

 

ଆଃ...ପ୍ରାଣରେ କି ଶାନ୍ତି, କି ଉଷ୍ମତା, କି ନୈସର୍ଗିକ ଆନନ୍ଦର ବିପଣୀ !!

 

ଏମିତି ଅନେକ ସମୟ ବିତିବା ପରେ ପ୍ରକୃତିସ୍ଥ ହେଲେ ଭକ୍ତକବି । ଲକ୍ଷ୍ୟକଲେ ସ୍ଥିର ଚିତ୍ତରେ–ତଟିନୀର ତୀର ଦେଶରେ ଏକ ବିଶାଳ ବଟ ବୃକ୍ଷ । ଘନ ସବୁଜ ପତ୍ରରେ ଆଚ୍ଛାଦିତ ବୃକ୍ଷଟି । ହଠାତ୍ ଚମକ ଖେଳିଲା ତାଙ୍କ ମନ ଭିତରେ–ଏଇ ବଟ ବୃକ୍ଷମୂଳରୁ ଅର୍ଦ୍ଧଆଶ ପୁରର ମାଧବ ମନ୍ଦିର ପାଇଁ ରାଈବିନୋଦିନୀ ରାଧିକା ଯାତ୍ରା କରିନାହାନ୍ତି ତ ? ବୋଧହୁଏ ପଣ୍ଡିତ ଜଗନ୍ନାଥ ମିଶ୍ର ଏହି ବାଲୁକା ରାଶି ଉପରେ ଶୟନ ସମୟରେ ସ୍ୱପ୍ନ ଦେଖି ଯାତ୍ରା କରିଥିଲେ ସେଇ ବଟ ବୃକ୍ଷମୂଳକୁ ଏବଂ ଲାଭ କରିଥିଲେ ଶ୍ରୀରାଧିକାଙ୍କୁ କ୍ଷୁଦ୍ର ଜୀର୍ଣ୍ଣ ଆଶ୍ରମ ମଧ୍ୟରୁ ।

 

ଏଥର ଆନନ୍ଦିତ ମନରେ ଉଠିଲେ ଜୟଦେବ । ଯାତ୍ରା କଲେ ତଟିନୀ ତୀରର ସେହି ବଟବୃକ୍ଷ ମୂଳକୁ । ଆଶ୍ଚର୍ଯ୍ୟାନ୍ଵିତ ହୋଇପଡ଼ିଲେ ସେ–ବଟବୃକ୍ଷ ମୂଳରେ ପହଞ୍ଚି । ଜନଶୂନ୍ୟ କ୍ଷୁଦ୍ର ଆଶ୍ରମଟିଏ । ଦେବ ଉପାସନା ପାଇଁ ମନୋରମ ସ୍ଥାନ ।

 

ଦ୍ଵିଧାହୀନ ଭାବରେ ସେ ଝୁଲି ଦେହରୁ ଶ୍ରୀ ରାଧାମାଧବଙ୍କୁ ବାହାର କରି ସ୍ଥାପନ କଲେ ଆଶ୍ରମର କୋଠରି ମଧ୍ୟରେ ଏବଂ ଗାନ କରିବାରେ ଲାଗିଲେ ଅମୃତ ରସମୟ ଶ୍ରୀ ଗୀତଗୋବିନ୍ଦ ସଙ୍ଗୀତ ।

 

ସୁମଧୁର ସଙ୍ଗୀତର ଲହରୀ ଧୀରେ ଧୀରେ ଆକୃଷ୍ଟ କଲା ସଂଖ୍ୟାଧିକ ତୀର୍ଥଯାତ୍ରୀଙ୍କୁ । ଯମୁନା ଜଳରେ ସ୍ନାନ ଶେଷକରି ଏ ବଟ ବୃକ୍ଷମୂଳରେ ଉପସ୍ଥିତ ହେଲେ ସେମାନେ । ଦାନକଲେ ଅଯାଚିତ ଭାବେ ରାଧାମାଧବଙ୍କ ସେବା ପୂଜା ପାଇଁ ।

 

ଏ ଦାନ ସାମଗ୍ରୀ ପ୍ରତି କିନ୍ତୁ ଆଗ୍ରହ ନଥିଲା ଭକ୍ତକବି ଜୟଦେବଙ୍କର I ଠାକୁରଙ୍କ ଉଦ୍ଦେଶ୍ୟରେ ନିବେଦିତ ପ୍ରସାଦକୁ ବିତରଣ କରୁଥିଲେ ସେ ଭକ୍ତଜନଙ୍କ ମଧ୍ୟରେ !

 

ଦିନ ଅତିବାହିତ ହେବାରେ ଲାଗିଲା । ଯମୁନା କୂଳର ସେହି ଶାନ୍ତ ପରିବେଶ ମଧ୍ୟରେ ଶ୍ରୀରାଧାମାଧବଙ୍କ ଭଜନ ଗାନ କରି କରି ନିଜକୁ ଭୁଲବା ପାଇଁ ଚେଷ୍ଟା କରୁଥିଲେ ଜୟଦେବ ।

 

ସେଦିନ ପୌଷ ପୂର୍ଣ୍ଣିମା । ଗଭୀର ରାତ୍ରି ପର୍ଯ୍ୟନ୍ତ ଭଜନ ଗାନ କରି କରି ଅବସନ୍ନ ଭକ୍ତକବି ଜୟଦେବ । କେତେବେଳେ ସେ ନିଦ୍ରାଦେବୀଙ୍କ କୋଳରେ ବିଶ୍ରାମ ଗ୍ରହଣ କରିଛନ୍ତି ତାଙ୍କୁ ଜଣାନାହିଁ ।

 

ସେହି ନିଃଶବ୍ଦ ଚନ୍ଦ୍ରଚକିତ ରାତ୍ରିରେ ସ୍ଵପ୍ନ ଦେଖୁଥିଲେ । ସେ–ସତେଅବା ଆକାଶ ପଥରୁ ଅବତରଣ କରି ବଟବୃକ୍ଷ ମୂଳରେ ଉପଗତ ହୋଇଛନ୍ତି ସତୀ ପଦ୍ମାବତୀ । ନୃତ୍ୟର ଝଙ୍କାରରେ ଶିହରଣ ତୋଳିଛନ୍ତି ସମଗ୍ର ପରିବେଶଟିରେ ।

 

ତା’ପରେ...

 

ନୂପୁରର ନିକ୍ଵଣ ସ୍ଥିର ହୋଇଆସିଛି । ଅବଶ ଅଙ୍ଗଲତାକୁ ବଟବୃକ୍ଷ ତଳେ ଲୋଟାଇଦେଇ କହୁଛନ୍ତି ସେ ଆବେଗଭରା କଣ୍ଠରେ ପ୍ରଭୁ ! ଆଉ କେତେଦିନ ଅପେକ୍ଷା କରିବି ? ନିସଃଙ୍ଗ ଜୀବନରେ ଯେ ପାଦର ଗତି ଦୁର୍ବଳ ହୋଇପଡ଼ୁଛି । କଣ୍ଠ ଛନ୍ଦ ହରାଇ ବସୁଛି । ମୋତେ କ’ଣ ଭୁଲିଗଲେ ପ୍ରଭୁ ? ନିତିଦିନ ଅଶରୀର ଦେହ ନେଇ ମୁଁ ଏ ଯମୁନା କୂଳକୁ ଆସୁଛି । କୁଟୀର ଦ୍ଵାରରେ ବସି ଆପଣଙ୍କ ଚରଣ ବନ୍ଦନା କରୁଛି, ପ୍ରଭୁ ରାଧାମାଧବଙ୍କୁ ପ୍ରଣତି ଜଣାଉଛି । କିନ୍ତୁ..., ଆପଣ ଯେ ମୋତେ ଚିହ୍ନିପାରୁ ନାହାନ୍ତି ପ୍ରଭୁ ! ଆପଣଙ୍କ ପତ୍ନୀ ପଦ୍ମାବତୀଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲେ ? ତା’ର କଥା କ’ଣ ଆପଣଙ୍କର ମନେପଡ଼ୁ ନାହିଁ ?

 

ଥରେ ପଦ୍ମା ବୋଲି ଡାକନ୍ତୁ ପ୍ରଭୁ ! ଆଉଜାଇ ଦିଅନ୍ତୁ ନିଜ ବକ୍ଷ ଉପରକୁ । ଆଉ କେତେଦିନ ନିଃସଙ୍ଗ ହୋଇ ମୁଁ ବୁଲୁଥିବି ଏ ବୃନ୍ଦାବନର ଆକାଶ ବତାସରେ । ଡାକନ୍ତୁ ପ୍ରଭୁ...ସେହି ଡାକ ଟିକକ ପାଇଁ ଯେ ମୁଁ ଚିରକାଳ ପାଗଳିନୀ ।

 

ନାଁ...ତଥାପି ଆପଣ ନିରୁତ୍ତର । ମୋର ଆକୁଳ ଆବେଦନ କ’ଣ ଆପଣଙ୍କ ହୃଦୟକୁ ବିଚଳିତ କରୁନାହିଁ ପ୍ରଭୁ ! ଥରେ ମୁହଁ ଖୋଲି ଡାକନ୍ତୁ–ପ୍ରିୟେ ପଦ୍ମା ।”

 

–‘‘ପଦ୍ମା !!” ଚିତ୍କାର କରିଉଠିଲେ ଜୟଦେବ ।

 

ଘନ ଘନ ବହୁଥିଲା ଊର୍ଦ୍ଧ୍ଵ ନିଃଶ୍ୱାସ । ମନେ କରୁଥିଲେ ସେ–ସତେଅବା ହସି ହସି ଆକାଶରେ ମିଳେଇ ଯାଉଛନ୍ତି ସତୀ ପଦ୍ମାବତୀ ।

 

ରୁଦ୍ର ଆବେଗରେ ବାରମ୍ବାର ଡାକିବାରେ ଲାଗିଲେ ସେ–ପ୍ରିୟେ ପଦ୍ମା ! ପ୍ରିୟେ ପଦ୍ମା ! ମୁଁ ଯାଉଛି ତୁମେ ଅପେକ୍ଷାର କର ପଦ୍ମା !!

 

ଉତ୍ତେଜିତ ଶରୀରରେ ଠିଆହୋଇପଡ଼ିଲେ ଶ୍ରୀ ଜୟଦେବ । ଲକ୍ଷ୍ୟ କଲେ କୋଠରି ମଧ୍ୟକୁ–ହୃଦୟର ଦୁଃଖ ଜଣାଇବା ପାଇଁ ଶ୍ରୀରାଧାମାଧବଙ୍କ ନିକଟରେ ।

 

କିନ୍ତୁ କାହାନ୍ତି ପ୍ରଭୁ ରାଧାମାଧବ ? ଆସ୍ଥାନ ଯେ ଶୂନ୍ୟ । ଚତୁର୍ଦ୍ଦିଗରେ କେବଳ ଶୂନ୍ୟତାର ରାଜୁତି । ତେବେ କ’ଣ ସତୀ ପଦ୍ମାବତୀ ସଙ୍ଗରେ ଘେନି ଯାଇଛନ୍ତି ପ୍ରଭୁ ରାଧାମାଧବଙ୍କୁ ?

 

ପୁଣି ଲକ୍ଷ୍ୟକଲେ ଜୟଦେବ–ହସୁଛନ୍ତି ସତୀ ପଦ୍ମାବତୀ ଆକାଶ ମାର୍ଗରୁ । କହୁଛନ୍ତି ଗଦ୍‌ଗଦ୍ କଣ୍ଠରେ–“ଆସନ୍ତୁ... ଆସନ୍ତୁ...ମୁଁ ଅପେକ୍ଷା କରିଛି ପ୍ରଭୁ ! ଆଉଥରେ ଡାକନ୍ତୁ–ପ୍ରିୟେ ପଦ୍ମା !”

 

ପୁଣି ଅନ୍ତର ଫଟାଇ ଡାକିବାକୁ ଚେଷ୍ଟାକଲେ ଶ୍ରୀ ଜୟଦେବ । ‘ପ୍ରିୟେ ପଦ୍ମା !’ କିନ୍ତୁ କଣ୍ଠ କ୍ଷୀଣ ହୋଇଆସିଲା । ଦେହ ଅବଶ ହୋଇଆସିଲା ! ଆଉ ଡାକି ନପାରି ଭୂଲୁଣ୍ଠିତ ହେଲେ ସେ ।

 

ଠିକ୍ ଏତିକିବେଳେ ପୁଣି ଅନୁଭବ କଲେ ଭକ୍ତକବି ଜୟଦେବ । ତାଙ୍କ ନିକଟରେ ଉପସ୍ଥିତ ପ୍ରଭୁ ଶ୍ରୀ ରାଧାମାଧବ । ଅଳିକରି ଅନୁରୋଧ କରୁଛନ୍ତି ସେ–‘‘ଗାଅ, ଗାଅ ଭକ୍ତକବି, ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟରୁ ଗୋଟିଏ ଗୀତ ଗାଅ । ଆମେ ଶୁଣିବା ପାଇଁ ଆଗ୍ରହୀ ।”

 

ଗାନ କରିବାକୁ ଚେଷ୍ଟାକଲେ ଭକ୍ତକବି ବସନ୍ତରାସର ସେହି ଅମର ସଙ୍ଗୀତ–ଲଳିତ ଲବଙ୍ଗଲତା... ।

 

କିନ୍ତୁ ସ୍ଵର କ୍ଷୀଣରୁ କ୍ଷୀଣତର ହୋଇ ମିଳାଇଗଲା ଯମୁନା ନଦୀର ନୀଳ ଜଳରାଶି ଦେହରେ । ସେହି ଜଳରାଶି ଉପରେ ପ୍ରତିବିମ୍ବ ସୃଷ୍ଟି କରୁଥିଲା ପୌଷ ପୂର୍ଣ୍ଣିମାର ପାହାନ୍ତି ଜହ୍ନ ।

 

ସ୍ଵପ୍ନ ଦେଖୁଥିଲେ ଭକ୍ତକବି ଜୟଦେବ–ପ୍ରିୟା ପଦ୍ମାବତୀଙ୍କୁ ଏବଂ ଆରାଧ୍ୟ ଦେବତା ଶ୍ରୀରାଧାମାଧବଙ୍କୁ ।

Image